Unknown

 

 

 

 

 

 

 

 

 

ପଞ୍ଜାବୀ ଏକାଙ୍କିକା

ଅନୁବାଦ

ରତ୍ନାକର ଚଇନି

 

ଭୂମିକା

 

ପଞ୍ଜାବୀ ନାଟକ ତଥା ରଙ୍ଗମଞ୍ଚ ପଞ୍ଜାବର ସାଂସ୍କୃତିକ ପୁନର୍ଜାଗୃତିର ଦ୍ୱିତୀୟ ଚରଣର ଦାନ । ପଞ୍ଜାବ ଉପରେ ବ୍ରିଟିଶ ସାମ୍ରାଜ୍ୟର ବିଜୟ ଏବଂ ତାହାର ପରିଣାମ ସ୍ୱରୂପ ପଶ୍ଚିମା ସଭ୍ୟତା ତଥା ସଂସ୍କୃତିର ସମ୍ପର୍କଦ୍ୱାରା ଊନବିଂଶ ଶତାବ୍ଦୀର ଉତ୍ତରାର୍ଦ୍ଧରେ ପଞ୍ଜାବରେ ପୁନର୍ଜାଗୃତିର ଅଙ୍କୁରୋଦ୍‌ଗମ ଘଟିଲା । ପଞ୍ଜାବର ସଂସ୍କୃତି ପୁନର୍ଜାଗରଣର ପ୍ରଥମ ପର୍ଯ୍ୟାୟ ମଧ୍ୟକାଳରେ ରହସ୍ୟବାଦୀ ଇସ୍‌ଲାମର ପ୍ରବେଶ ଓ ଶିଖଧର୍ମର ଉଦୟ ସଙ୍ଗେ ସଙ୍ଗେ ହିଁ ଆରମ୍ଭ ହେଲା । ଏହି ପର୍ଯ୍ୟାୟରେ ପଞ୍ଜାବରେ ଧର୍ମ, ଦର୍ଶନ, କାବ୍ୟ, ସଙ୍ଗୀତ, ଚିତ୍ରକଳା ତଥା ସ୍ଥାପତ୍ୟକଳା କ୍ଷେତ୍ରରେ ତ ସ୍ମରଣୀୟ ତଥା ଶକ୍ତିଶାଳୀ ଆନ୍ଦୋଳନ ପ୍ରକଟିତ ହେଲା ଏବଂ ତାହାର ବିକାଶ ମଧ୍ୟ ହେଲା । କିନ୍ତୁ ନୃତ୍ୟ ଏବଂ ନାଟକ ଭଳି ଦୃଶ୍ୟ-ଶିଳ୍ପ ଉପେକ୍ଷିତ ହୋଇ ରହିଗଲା । ଦର୍ଶନ, କାବ୍ୟ, ସଙ୍ଗୀତ, ଚିତ୍ରକଳା ଓ ସ୍ଥାପତ୍ୟ-କଳାରେ ମଧ୍ୟ ଧର୍ମହିଁ ପ୍ରେରଣାର ସ୍ରୋତ ହୋଇ ରହିଲା–ରାଜ୍ୟ ନୁହେଁ । ସେଥିପାଇଁ ମଧ୍ୟକାଳୀନ ପଞ୍ଜାବରେ ଏ ସବୁର ବିକାଶ ଉପରେ ଧର୍ମର ପ୍ରଭାବ ବ୍ୟାପକ ଥିଲା । ପଞ୍ଜାବ ଇତିହାସର ମଧ୍ୟକାଳରେ ଇସ୍‌ଲାମଙ୍କର ନାଟ୍ୟକଳାରେ ବିଶେଷ ରୁଚି ନ ଥିଲା କିମ୍ୱା ଶିଖ୍‌ଧର୍ମର ଏ ଦିଗରେ କୌଣସି ଆଗ୍ରହ ନ ଥିଲା । ବାସ୍ତବ ସ୍ଥିତି ଏହାହିଁ ଥିଲା ଯେ ଶିଖ୍‌ ଗୁରୁମାନେ ନାଟତାମସା (ନାଟକ-ଚେଟକ)କୁ କୁ-କାର୍ଯ୍ୟ ମନେକରୁଥିଲେ ।

 

ସଂସ୍କୃତ ନାଟ୍ୟ-ପରଂପରାର ପତନ ପରେ ଦୀର୍ଘକାଳ ପର୍ଯ୍ୟନ୍ତ ପଞ୍ଜାବରେ ଲୋକନାଟ୍ୟରୂପ–ଯଥା ସୁଆଙ୍ଗ, ନକଲ, ରାସଲୀଳା ଆଦି ପ୍ରମୁଖ ହୋଇପଡ଼ିଥିଲେ । ଗୁରୁଶିଷ୍ୟ ସୁଆଙ୍ଗ ଅଥବା କୃଷ୍ଣ ଏବଂ ରାମଲୀଳା ପ୍ରଚଳନର ସାକ୍ଷୀ ତ ଗୁରୁ ନାନକ ଦେବଜୀ ମଧ୍ୟ ଦିଅନ୍ତି–

 

‘‘ବାଇନ ଚେଲେ ନଚନି ଗୁରୁ

ପୈର ହଲାଇନ ଫେରନି ସିର

ଉଡ଼ି ଉଡ଼ି ରାବା ଝାଟେ ପାଏ ।

ବେଖେ ଲୋକ ହସେ ଘର ଯାଏ ।

ରୋଟିୟାଂ କାରଣି ପୂରହି ତାଲ ।

ଆପ ପଛାଡ଼ହି ଧରତୀ ନାଲି ।

ଗାବନ ଗୋପିୟାଂ ଗାବନି କାହ୍ନ ।

ଗାବନ ସୀତା ରାଜେ ରାମ ।

ନଚ୍ଚନ କୁଦନ ମନ କା ଚାଓ

ନାନକ ଜିନ ମନି ଭଉ ତିନହାଂ ମନି ରାଓ ।’’

 

ରାଜ୍ୟାଶ୍ରୟରୁ ବୟ୍ଚିତ ଧାର୍ମିକମଣ୍ଡଳୀମାନଙ୍କରୁ ବାହାରେ ଲୋକନାଟକର ରୂପ ପଞ୍ଜାବରେ ଯେମିତି-ସେମିତି ବଞ୍ଚିରହିଲା ସିନା; କିନ୍ତୁ ଏକ କଳା-ପରମ୍ପରା ରୂପରେ ଏଗୁଡ଼ିକରେ କୌଣସି ବିକାଶ ହେଲାନାହିଁ । ନତୁବା ସମକାଳୀନ ସାହିତ୍ୟିକ ପରମ୍ପରା ସହିତ ଏଗୁଡ଼ିକର କୌଣସି ସମ୍ୱନ୍ଧ ନ ଥିଲା, କିମ୍ୱା ଏଭଳି କୌଣସି ସମ୍ୱନ୍ଧ ସ୍ଥାପନ କରିବାର ପ୍ରଯତ୍ନ ମଧ୍ୟ କେହି କରିନଥିଲେ । ଏହି କଳାପଦ୍ଧତିଗୁଡ଼ିକର ସାମାଜିକ ମାନ୍ୟତା ପ୍ରାୟତଃ ସମାପ୍ତ ହୋଇ ନଥିଲା; ମାତ୍ର ଏହି କଳାକାରମାନଙ୍କର ସ୍ଥାନ ଭାଣ୍ଡ, ଭାଟ, ନାଟୁଆ କେଳା ଏବଂ ରାସକାରୀଙ୍କ ନିମ୍ନସ୍ତରରେ ପହଞ୍ଚିଗଲା । ପଞ୍ଜାବରେ ବ୍ରିଟିଶ ଶାସନର ପ୍ରଭୁତ୍ୱ ସ୍ଥାପିତ ହେବା ଏହି ପାଶ୍ଚାତ୍ୟର ପ୍ରତ୍ୟକ୍ଷ ଓ ଅପ୍ରତ୍ୟକ୍ଷ ପ୍ରଭାବ ଯୋଗୁଁ ପଞ୍ଜାବର ସାଂସ୍କୃତିକ ପୁନର୍ଜାଗୃତିର ଦ୍ୱିତୀୟ ପାଦ ପ୍ରାରମ୍ଭ ହେବା ପର୍ଯ୍ୟନ୍ତ ଏହି ସ୍ଥିତି ବଜାୟ ରହିଥିଲା ।

 

ଊନବିଂଶ ଶତାବ୍ଦୀର ମଧ୍ୟକାଳରେ ସୃଷ୍ଟିହୋଇଥିବା ନବଜାଗୃତିର ଲହରି ଦ୍ୱିମୁଖୀ ଥିଲା-। ଏହାର ଗୋଟିଏ ଦିଗ ଆଧୁନିକୀକରଣ ଥିଲା ତ ଅନ୍ୟ ଦିଗ ଥିଲା ପୁନର୍ସ୍ଥାପନ (revival)-। ପଞ୍ଜାବକୁ ବ୍ରିଟିଶ-ଭାରତରେ ସାମିଲ କରାଗଲାବେଳକୁ ଇଂରେଜମାନେ ଭାରତକୁ ଆସିବା ପ୍ରାୟ ଦୁଇ ଶତାବ୍ଦୀ ଏବଂ ଭାରତରେ ନିଜ ଶାସନ ସ୍ଥାପନ କରିବା ପ୍ରାୟ ଏକଶତ ବର୍ଷ ବିତିସାରିଥିଲା-। ସେଥିପାଇଁ ଗୋଟାଏ ଦିଗରେ ପଶ୍ଚିମା ସଂସ୍କୃତିକୁ ଭାରତରେ ଗ୍ରହଣ କରିବାର ପ୍ରକ୍ରିୟା ଆରମ୍ଭ ହୋଇସାରିଥିଲା ଏବଂ ଅନ୍ୟ ଦିଗରେ ଏହି ସଂସ୍କୃତି ବିରୁଦ୍ଧରେ ନିଜ ପ୍ରାଚୀନ ସଂସ୍କୃତିର ମହତ୍ତ୍ୱକୁ ଚିହ୍ନିବା ଏବଂ ସଂଜୀବିତ କରିବାର ଆବେଗ ଗତିଶୀଳ ହୋଇ ସାରିଥିଲା । ପ୍ରଥମ ରୁଚି ଥିଲା ଆଧୁନିକୀକରଣର ଏବଂ ଦ୍ୱିତୀୟ ଥିଲା ପୁନର୍ସ୍ଥାପନାବାଦର ।

 

ପୁନର୍ସ୍ଥାପନାବାଦୀ ପ୍ରବୃତ୍ତି ସର୍ବପ୍ରଥମେ ପଞ୍ଜାବରେ ସଂସ୍କୃତ ନାଟକମାନଙ୍କର ଅନୁବାଦ କଲା ଏବଂ ପୁଣି ସଂସ୍କୃତ ନାଟ୍ୟ-ପରମ୍ପରା ଅନୁସାରେ ମୌଳିକ ନାଟକ ରଚନାର ଶ୍ରୀଗଣେଷ ହେଲା । ଅନୁବାଦକମାନଙ୍କ ମଧ୍ୟରୁ ଡଃ ଚରଣ ସିଂହ (କାଳିଦାସରଚିତ ‘ଶାକୁନ୍ତଳ’) ଓ ମାନସିଂହ (ବିକ୍ରମୋର୍ବଶୀ)ଙ୍କର ନାମ ଉଲ୍ଲେଖନୀୟ । ଭାଇ ବୀରସିଂହ (1872-1957), ବାବା ବୁଦ୍ଧ ସିଂହ (1881-1931), ବୃଜଲାଲ ଶାସ୍ତ୍ରୀ (ଜନ୍ମ 1891) ଓ ଲାଲା କୃପା ସାଗର (1875-1939) ଆଦି ସଂସ୍କୃତ ନାଟକର ଅନୁସରଣରେ ମୌଳିକ ନାଟକମାନ ରଚନା କଲେ; ପରନ୍ତୁ ଏମାନଙ୍କ ମଧ୍ୟରୁ କୌଣସି ନାଟକକାର ନିଜ କୃତିମାନଙ୍କୁ ରଙ୍ଗମଞ୍ଚରେ ଉପସ୍ଥାପନା କରିବାର ଚେଷ୍ଟା କରି ନ ଥିଲେ ।

 

ସଂସ୍କୃତ ସାହିତ୍ୟର ପ୍ରାଚୀନ କାଳରେ ଏକାଙ୍କି ନାଟକମାନ ରଚିତ ହେଉଥିଲା । ଭାସଙ୍କ ଦ୍ୱାରା ରଚିତ ଏକାଂକିକା ‘ଦୂତୀବାକ୍ୟ’ ତଥା ‘ଉରୁଭଙ୍ଗ’ ରାଜା ମହେନ୍ଦ୍ର ବିକ୍ରମ ବର୍ମନ୍‌ଙ୍କର ଏକାଂକିକା ‘ଭଗବତ୍‌ ଅଜ୍ଜୁକେ’ ଓ ‘ମତ ବିଳାସ’ ଆଦିରୁ ଏହାର ସଂକେତ ମିଳିଥିଲା । କିନ୍ତୁ ସଂସ୍କୃତ ନାଟକର ପଞ୍ଜାବୀ ଅନୁବାଦକଗଣ ଏବଂ ସେହି ପରମ୍ପରାର ଅନୁସରଣ କରୁଥିବା ପଞ୍ଜାବୀ ନାଟକକାରମାନେ ନାଟ୍ୟରଚନାର ଏହି ଦିଗରେ କୌଣସି ଆଗ୍ରହ ପ୍ରକାଶ କରିନାହାନ୍ତି ।

 

ମାତ୍ର ପ୍ରକୃତ କଥା ହେଉଛି, ଲୋକନାଟକର ରୂଢ଼ିତ୍ୱ ପରିତ୍ୟାଗ କରି ସାହିତ୍ୟିକ ନାଟ୍ୟ କୃତିମାନଙ୍କୁ ରଙ୍ଗମଞ୍ଚରେ ଉପସ୍ଥାପନା କରିବା ଏକାଂକିକା ନାଟକଦ୍ୱାରାହିଁ ପ୍ରାରମ୍ଭ ହେଲା ଏବଂ ପଞ୍ଜାବୀରେ ପଶ୍ଚିମୀ ନାଟ୍ୟରୂପର ପ୍ରବେଶ ମଧ୍ୟ ଏକାଂକିକା ମାଧ୍ୟମରେହିଁ ହୋଇଥିଲା । ପଞ୍ଜାବୀର ପ୍ରଥମ ନାଟକ ‘ଦୁଲ୍‌ହନ’ (ସୁହାଗ), ଯାହା 1933ରେ ପଶ୍ଚିମା ପଦ୍ଧତି ଅନୁସାରେ ଲିଖିତ ଓ ଅଭିନୀତ ହେଲା, ତାହା ଏକ ଏକାଂକିକା । ଏହାର ରଚୟିତା ଥିଲେ ଲାହୋରସ୍ଥିତ ଦୟାଲ ସିଂହ କଲେଜର ଇଂରାଜୀ ସାହିତ୍ୟର ବିଦ୍ୟାର୍ଥୀ ଈଶ୍ୱର ଚନ୍ଦର ନନ୍ଦା । ଏହାକୁ ନାଟକ ଲେଖିବା, ମଞ୍ଚରେ ଉପସ୍ଥାପନା କରିବା ତଥା ତହିଁରେ ଅଭିନୟ କରିବାର ପ୍ରେରଣା କଲେଜର ଇଂରେଜ ପ୍ରିନ୍‌ସପାଲ ପି.ଆଇ. ରିଚାର୍ଡ଼ସ୍‌ଙ୍କ ପତ୍ନୀ ଶ୍ରୀମତୀ ନୋରାହ୍‌ ରିଚାର୍ଡ଼ସ୍‌ଙ୍କଠାରୁ ମିଳିଥିଲା । ବଲବନ୍ତ ଗାର୍ଗୀ ସ୍ୱର୍ଗୀୟା ଶ୍ରୀମତୀ ନୋରାହ୍‌ ରିଚାର୍ଡ଼ସ୍‌ଙ୍କୁ ‘ପଞ୍ଜାବୀ ନାଟକର ବୁଢ଼ୀମା’ କହିଛନ୍ତି ଏବଂ ଏ କଥା ମଧ୍ୟ ଠିକ୍‌ । ଏହି ଶତାବ୍ଦୀର ଦ୍ୱିତୀୟ ଦଶକର ପ୍ରାରମ୍ଭିକ ବର୍ଷମାନଙ୍କରେ ଶ୍ରୀମତୀ ନୋରାହ୍‌ ରିଚାର୍ଡ଼ସ୍‌ଙ୍କ ପ୍ରେରଣାସ୍ପଦ ନିର୍ଦ୍ଦେଶନାରେ ସ୍ଥାନୀୟ ପୃଷ୍ଠଭୂମିରେ ଆଧୁନିକ ଶିଳ୍ପ ତଥା ଶୈଳୀର ଏକାଂକିକା ଲିଖିତ ଓ ପ୍ରସ୍ତୁତ କରିବାର ଗମ୍ଭୀର ପ୍ରଯତ୍ନ କରାଯାଇଥିଲା । ମଜାର କଥା ଏହି ଯେ, ଏହି ପ୍ରାରମ୍ଭିକ ତଥା ସଫଳ ପ୍ରଯତ୍ନକୁ ପଞ୍ଜାବୀ ଦର୍ଶକମାନଙ୍କ ତରଫରୁ ଯେଉଁ ହାର୍ଦ୍ଦିକ ସ୍ୱୀକୃତି ପ୍ରାପ୍ତ ହେଲା, ତଦ୍ଦ୍ୱାରା ପଶ୍ଚିମୀ ଶୈଳୀର ବହୁମୁଖୀ ନାଟକମାନଙ୍କୁ ପ୍ରୋତ୍ସାହନ ମିଳିଲା । ବିଂଶ ଶତାବ୍ଦୀର ତୃତୀୟ ତଥା ଚତୁର୍ଥ ଦଶକରେ ପଞ୍ଜାବୀରେ ପୂର୍ଣ୍ଣାଙ୍ଗ ନାଟକ ଲେଖାଗଲା ଏବଂ ମଞ୍ଚସ୍ଥ ହେଲା । ଏହିସବୁ ନାଟ୍ୟ ଗତିବିଧିମାନଙ୍କର କେନ୍ଦ୍ର ଥିଲା ଅବିଭାଜିତ ପଞ୍ଜାବର ରାଜଧାନୀ ଲାହୋର–ଯାହା ସେ ସମୟର ଉତ୍ତର-ଭାରତର ଗୋଟିଏ ମହତ୍ତ୍ୱପୂର୍ଣ୍ଣ ଶାସକୀୟ ସାଂସ୍କୃତିକ ଓ ଶିକ୍ଷାକେନ୍ଦ୍ର ରୂପେ ପରିଣତ ହୋଇସାରିଥିଲା ।

 

ପଞ୍ଜାବୀ ଏକାଂକିକାର ବିକାଶକ୍ଷେତ୍ରରେ ଦ୍ୱିତୀୟ ବୃହତ୍‌ ମୋଡ଼ ଖ୍ରୀ : 1940ର ପାଖାପାଖି ଆସିଥିଲା । ଏହି ଆନ୍ଦୋଳନର କେନ୍ଦ୍ର ଲାହୋର ଥିଲା, ଯାହା ପଞ୍ଜାବର ସୁସ୍ଥ ଏବଂ ପ୍ରାଭବଶାଳୀ ରାଜନୀତିକ, ଆଧ୍ୟାତ୍ମିକ ଯୁବ-ଆନ୍ଦୋଳନ ତଥା ପଞ୍ଜାବର ସାଂସ୍କୃତିକ ଓ ସାହିତ୍ୟିକ ପୁନର୍ଜାଗୃତିର କେବଳ ଗଡ଼ ହୋଇ ନ ଥିଲା; ଅଧିକନ୍ତୁ ଏହାର ପରିପାର୍ଶ୍ୱସ୍ଥ ଅମୃତସର, ପ୍ରୀତ୍‌ନଗର ମଧ୍ୟ ଆଧୁନିକ ପଞ୍ଜାବୀ ସାହିତ୍ୟର ପ୍ରମୁଖ ଧାରାର ଅନ୍ୟତମ ପ୍ରାଣକେନ୍ଦ୍ର ଭାବେ ଅଗ୍ରଣୀ ହୋଇଥିଲା । ଏହା ସହିତ ଲାହୋରରେ ରେଡ଼ିଓ ଷ୍ଟେସନର ସ୍ଥାପନା ମଧ୍ୟ ପଞ୍ଜାବୀ ସାହିତ୍ୟ–ବିଶେଷକରି ପଞ୍ଜାବୀ କାହାଣୀ ସମୀକ୍ଷା, କାବ୍ୟ ଗୀତ ଏବଂ ନାଟକର ବିକାଶ ଗତିକୁ ତୀବ୍ରତର କରିଥିଲା । ଯଦିଓ ଲାହୋର ରେଡ଼ିଓରେ ଭାଷା ଉର୍ଦ୍ଦୁ, ତଥାପି ଏଥିରେ ପଞ୍ଜାବୀ କାର୍ଯ୍ୟକ୍ରମ ପାଇଁ ପର୍ଯ୍ୟାପ୍ତ ସୁବିଧା ରହିଥିଲା । ସେଇଥିପାଇଁକି ପଞ୍ଜାବୀ ନାଟକକାର, କବି, କଥାକାର ଓ ଆଲୋଚକଗଣଙ୍କ ନିମିତ୍ତ ଏକ ନୂତନ ମାଧ୍ୟମ ମିଳିଯାଇଥିଲା । ଏହି ମାଧ୍ୟମର ପ୍ରମୁଖ ବିଶେଷତ୍ୱ ହେଲା ରେଡ଼ିଓଦ୍ୱାରା ପ୍ରସାରିତ ସାହିତ୍ୟ ଲିଖିତ ସାହିତ୍ୟ ନହୋଇ ଶ୍ରବ୍ୟ ସାହିତ୍ୟ ହୋଇଥିବା ହେତୁ ପଞ୍ଜାବୀ ଜନସମୂହ ଏକ ବୃହତ୍ତମ ଭାଗକୁ ଅସ୍ୱୀକୃତ ଲିପିର ବନ୍ଧନରୁ ମୁକ୍ତ କରି ତାଙ୍କ ନିକଟରେ ସିଧାସଳଖ ପହଞ୍ଚିପାରୁଥିଲା ।

 

ଲାହୋର ରେଡ଼ିଓ ଷ୍ଟେସନର ନିରନ୍ତର ଚାହିଦା, ଏହି ନଗରର ପରିଶ୍ରମୀ ତଥା ସାହସୀ ଏମେଚର୍‌ ନାଟ୍ୟମଣ୍ଡଳୀ, ଅହମଦ ଶାହ ବୁଖାରୀଦ୍ୱାରା ରାଜକୀୟ କଲେଜ, ଲାହୋରରେ ସ୍ଥାପିତ ଡ୍ରାମାଟିକ୍‌ କ୍ଲବ୍‌, ପ୍ରିନ୍‌ସିପାଲ ଜି.ଡ଼ି ସୋନ୍ଦିଙ୍କ ନିର୍ଦ୍ଦେଶନାରେ ସଞ୍ଚାଳିତ ଓପନ୍‌ଏଆର୍‌ ଥିଏଟର ଏବଂ ଲିଟ୍‌ଲ ଥିଏଟର ଗ୍ରୁପ୍‌ ଆଦି ସୁସ୍ଥ ଏବଂ ମୌଳିକ ନାଟ୍ୟସଂସ୍ଥାମାନ ପ୍ରୀତ୍‌ନଗରରେ ସରଦାର ଗୁରୁବଖ୍‌ଣ ସିଂହଙ୍କ ଦ୍ୱାରା ସ୍ଥାପିତ ଆଦର୍ଶବାଦୀ ନାଟ୍ୟଲୀଳା ଲହର ଏବଂ ଅମୃତସରରେ ଖାଲ୍‍ସା କଲେଜର ପାରିପାର୍ଶ୍ୱିକ ଅଞ୍ଚଳରେ ଅବିଭାଜିତ ପଞ୍ଜାବର ମୌଳିକ ସାହିତ୍ୟିକ ପ୍ରତିଭା ପଞ୍ଚମ ଦଶକରେ ପଞ୍ଜାବୀ ଏକାଂକିକା-କଳାକୁ ପଞ୍ଜାବୀ ସାହିତ୍ୟ ତଥା ମଞ୍ଚର ଏକ ପ୍ରଭାବୋତ୍ପାଦକ ଓ ଗୌରବମୟ ଅଙ୍ଗ ରୂପେ ଗଢ଼ି ତୋଳିଥିଲା । ଏହି ସମୟରେ ପଞ୍ଜାବୀ ରେଡ଼ିଓ ନାଟ୍ୟକଳାର ବିଖ୍ୟାତ ସାଧକ ରଫୀ ପୀରଙ୍କର ଅଭ୍ୟୁଦୟ ଘଟିଥିଲା । ରଫୀ ପୀର ପାଶ୍ଚାତ୍ୟ ଦେଶରେ ରଙ୍ଗମଞ୍ଚ ବିଷୟରେ ଶିକ୍ଷା-ଦୀକ୍ଷା ଲାଭ କରିଥିଲେ । ତାଙ୍କର ନାଟକ ‘ଅକ୍‌ଖିଆୟା’ ଓ ‘ବୈରୀ’ ବିଷୟବସ୍ତୁର ସଜୀବତା, ବଳିଷ୍ଠ ସଂଳାପ, ଗଭୀର ତୀକ୍ଷ୍‌ଣ ନାଟକୀୟ ସଂଘର୍ଷ ଓ ପ୍ରସ୍ତୁତିକରଣର ରେଡ଼ିଓ ମାଧ୍ୟମକୁ ସବଳ ଉପଯୋଗ କରିବା ଦୃଷ୍ଟିରୁ ସେ ସମୟରେ ରେଡ଼ିଓ ନାଟକ କ୍ଷେତ୍ରରେ କେବଳ ପଞ୍ଜାବୀରେ ନୁହେଁ, ଉର୍ଦ୍ଦୁ ତଥା ହିନ୍ଦୀ ନାଟକମାନଙ୍କ ତୁଳନାରେ ମଧ୍ୟ ଉଲ୍ଲେଖନୀୟ ଶ୍ରେଷ୍ଠ କୃତି ରୂପେ ବିବେଚିତ ହୋଇଥିଲା । ସନ 1940 ମସିହାରେ ପ୍ରକାଶିତ ସନ୍ତସିଂହ ସେଖୋଁଙ୍କର ‘ତଛଘର’ ବୋଧହୁଏ ପଞ୍ଜାବୀର ପ୍ରଥମ ଏକାଂକିକା-ସଂଗ୍ରହ । ଏହାର ପାଖାପାଖି ସର୍ଦ୍ଦାର ଗୁରୁବକ୍‌ଶ ସିଂହଙ୍କର ଦୀର୍ଘ ଏକାଂକିକା ‘ପ୍ରୀତ୍‌ମୁକୁଟ’ ‘ହୋଣୀ ଦା ଲିଶ୍ଲାରା’ ଓ ‘ପ୍ରୀତ୍‌ମଣୀ’ ଲେଖାହୋଇଥିଲା ଏବଂ ପ୍ରୀତ୍‌ନଗରର ରଙ୍ଗମଞ୍ଚରେ ଉପସ୍ଥାପନ ମଧ୍ୟ କରାହୋଇଥିଲା । ହରଚରଣ ସିଂହଙ୍କ ପ୍ରଥମ ଏକାଂକିକା-ସଂଗ୍ରହ ‘ଜୀବନଲୀଳା’ ମଧ୍ୟ 1940 ମସିହାରେ ପ୍ରକାଶିତ ହୋଇଥିଲା ଏବଂ 1945ରେ ବଲବନ୍ତ ଗାର୍ଗୀଙ୍କର ପ୍ରଥମ ସଂଗ୍ରହ ‘କୁଆଁରୀତିସୀ’ ଛପାହୋଇଥିଲା ।

 

ପଞ୍ଚମ ଦଶକର ପ୍ରଥମ ସାତବର୍ଷ ପଞ୍ଜାବୀ ଏକାଙ୍କି ନାଟକର ବିକାଶ କ୍ଷେତ୍ରରେ ବିଶେଷ ମହତ୍ତ୍ୱପୂର୍ଣ୍ଣ । ଏହି ବର୍ଷମାନଙ୍କର ନୂତନ ମୌଳିକ ନାଟ୍ୟପ୍ରତିଭାମାନଙ୍କର ଅଭ୍ୟୁଦୟ ଘଟିଲା । ଏହି କାଳରେ ପଞ୍ଜାବୀ ଏମେଚର୍‌ ଥିଏଟରର ପ୍ରସାର ହେଲା ଏବଂ ନାଟକର କଳାତ୍ମକ ଅଭିବ୍ୟକ୍ତି ନିମିତ୍ତ ପଞ୍ଜାବୀ ନାଟ୍ୟକଳା ନୂତନ ସମ୍ଭାବନାରେ ପରିପୂର୍ଣ୍ଣ ହୋଇ ରେଡ଼ିଓର ମାଧ୍ୟମ ଲାଭକଲା । ଏହି ସାତବର୍ଷ ଭିତରେ ଯେଉଁ ନାଟକକାରଗଣ ସାମ୍ନାକୁ ଆସିଲେ, ସେମାନଙ୍କର ଅବଦାନ ହିଁ ପଞ୍ଜାବୀ ନାଟକମାନଙ୍କରେ ସର୍ବୋପରି ସ୍ୱୀକାର କରାଗଲା । ଏମାନଙ୍କ ମଧ୍ୟରେ ମନ୍ନସିଂହ ସେଖୋଁ, ହରଚରଣ ସିଂହ, ବଲବନ୍ତ ଗାର୍ଗୀ, କର୍ତ୍ତାର ସିଂହ, ଦୁଗ୍‌ଗଲ ଆଦିଙ୍କ ନାମ ଉଲ୍ଲେଖଯୋଗ୍ୟ । ଆଜିପର୍ଯ୍ୟନ୍ତ ଏମାନେ ବି ନିଜ ଉତ୍ତରକାଳର ନାଟକକାରମାନଙ୍କଠାରୁ ଅଧିକ ନ ହେଲେ ମଧ୍ୟ ତାଙ୍କ ସହିତ ସମତାଳ ଦେଇ ଲେଖନୀ ଚଳାଇଆସିଛନ୍ତି । ଏହି ସବୁ ନାଟକକାରମାନେ ନିଜ ପର୍ବବର୍ତ୍ତୀ ନାଟକକାରଙ୍କ ଭଳି ପୂର୍ଣ୍ଣାଙ୍ଗ ନାଟକର ରୂପସାଧନା ତ ଅବଶ୍ୟ କରିଛନ୍ତି; ତଥାପି ଏହି କାଳରେ ଏମାନଙ୍କର ବିଶେଷ ଯୋଗଦାନ 1913-14ରେ ଆରମ୍ଭ ହୋଇଥିବା ଏକାଙ୍କି ନାଟକର ପ୍ରୟୋଗ କ୍ଷେତ୍ରରେ ପ୍ରଗତି ଆଣିଲା ଓ ଏକ ବିଶେଷ ସାହିତ୍ୟଧାରା ସୃଷ୍ଟିକଲା । ତା’ଛଡ଼ା ମଞ୍ଚକଳାର ପ୍ରାରୂପର ସମ୍ଭାବନାଗୁଡ଼ିକୁ ରୁଦ୍ଧିମନ୍ତ କରିବା ଦିଗରେ ଏମାନଙ୍କ ବିଶେଷତ୍ୱ ଲକ୍ଷଣୀୟ ।

 

1947 ମସିହାରେ ଦେଶ ସ୍ୱାଧୀନ ହେଲା । କିନ୍ତୁ ଭାରତୀୟ ପଞ୍ଜାବର ଶତାବ୍ଦୀ-ଶତାବ୍ଦୀଧରି ରାଜଧାନୀ ହୋଇ ରହିଆସିଥିବା ଲାହୋରକୁ ତା’ଠୁଁ ଅଲଗା କରିଦିଆଗଲା; ଯାହା ଗତ ଏକ ଶତାବ୍ଦୀରୁ ସମସ୍ତ ସାଂସ୍କୃତିକ ତଥା ରାଜନୀତିକ ଆନ୍ଦୋଳନର ସହଜ ସ୍ୱାଭାବିକ କେନ୍ଦ୍ର ହୋଇ ରହିଥିଲା । ପୂର୍ବ-ପଞ୍ଜାବରେ ଏପରି କୌଣସି ନଗର ନ ଥିଲା, ଯେଉଁଠି ବିଚ୍ଛିନ୍ନ ଲାହୋରରେ ଥିବା ସମସ୍ତ ସଂସ୍ଥାନ ଓ ସଂସ୍ଥାଗୁଡ଼ିକୁ ପୁନର୍ସ୍ଥାପିତ କରାଯାଇପାରିଥାଆନ୍ତା । ବିଭାଜିତ ବିଶ୍ୱବିଦ୍ୟାଳୟ ସୋଲନ୍‌ ଶିମଲା, ହୋସିୟାରପୁର, ଅମୃତସର ଇତ୍ୟାଦି ଜଣାନାହିଁ କୋଉଠି କୋଉଠି ଯାଇ ରହିଗଲା । ରାଜଧାନୀ ପ୍ରଥମେ ତ ଜଳନ୍ଧର ଓ ଶିମଲାରେ ବିକ୍ଷିପ୍ତ ଭାବେ ରହିଲା ଏବଂ ପୁଣି ଚଣ୍ଡୀଗଡ଼ର ଗୋଟାଏ ଜାଗାରେ ଆସି ଠାକିଲା । ରେଡ଼ିଓ ଷ୍ଟେସନ ଓ ଉର୍ଦ୍ଦୁ ତଥା ପଞ୍ଜାବୀ ସମ୍ୱାଦପତ୍ରଗୁଡ଼ିକ ଜଳନ୍ଧରକୁ ନିଜର ଆବାସସ୍ଥାନ ରୂପେ ବାଛିନେଲେ । ଅନେକ ଜ୍ଞାତ ଓ ଅଜ୍ଞାତ କାରଣରୁ ଲାହୋର ସାଂସ୍କୃତିକ ଜୀବନର ସମସ୍ତ ବ୍ୟବସ୍ଥା ସ୍ଥାନେ ସ୍ଥାନେ ବିକ୍ଷିପ୍ତ ଓ ଅସ୍ତବ୍ୟସ୍ତ ହୋଇଯାଇଥିଲା । ଏତେବଡ଼ ଉତ୍‌ଥାନ-ପତନ ଫଳରେ ପଞ୍ଜାବର ସାଂସ୍କୃତିକ ବିକାଶ ଉପରେ ଗଭୀର ପ୍ରଭାବ ପଡ଼ିବା ସ୍ୱାଭାବିକ କଥା ।

 

ଭାରତୀୟ ପଞ୍ଜାବ ଆଜି ପର୍ଯ୍ୟନ୍ତ ଲାହୋରର ସ୍ଥାନ ପୂରଣ କରିପାରିନାହିଁ । ତାହାର ଐତିହାସିକ ପୃଷ୍ଠଭୂମି, ଭରପୂର ସାଂସ୍କୃତିକ ଐଶ୍ୱର୍ଯ୍ୟ ବିବିଧତା, ନାଗରିକ ଆଚାର ଓ ବ୍ୟବହାରକୁଶଳତା, ସୂକ୍ଷ୍ମତା ଓ ଜଟିଳତା, ରାଜନୀତିକ ଓ ଅର୍ଦ୍ଧ ରାଜନୀତିକ ଆନ୍ଦୋଳନ, ବ୍ୟାବସାୟିକ ଓ ଔଦ୍ୟୋଗିକ, ସରଗରମତା, ଶିକ୍ଷଣୀୟ ତଥା ଯୁବ-ଗତିବିଧି ଏବଂ ଏହି ପ୍ରକାରର ଅନ୍ୟ ତତ୍ତ୍ୱର ପାରସ୍ପରିକ ଆକର୍ଷଣ-ବିକର୍ଷଣ ଏହି ନଗରକୁ ଏକ ବିଶେଷ ମହତ୍ତ୍ୱ ପ୍ରଦାନ କରୁଥିଲା–ଯାହାଭଳି ସହର ପଞ୍ଜାବରେ ନ ଥିଲା, କି ବର୍ତ୍ତମାନ ନାହିଁ କିମ୍ୱା ଭବିଷ୍ୟତରେ ବୋଧହୁଏ ହୋଇପାରିବ ନାହିଁ । ସୂକ୍ଷ୍ମ କଳାଭଳି ନାଟକ ଶେଷ ସମସ୍ତ ସାହିତ୍ୟିକ ବିଭାଗମାନଙ୍କରୁ ଏହି ଦୃଷ୍ଟିରୁ ଭିନ୍ନ; କାରଣ ଏହା ନିତାନ୍ତ ବ୍ୟକ୍ତିଗତ ସାଧନାର ବିଭାଗ ନୁହେଁ । ଏହାର ସ୍ଥାନ କୌଣସି ନଦୀତଟ ଜଙ୍ଗଲ କିମ୍ୱା ଏକାନ୍ତ ନିର୍ଜନ ସ୍ଥାନରେ ନୁହେଁ । ଏହା ତ ବିପୁଳ ଜନସମାବେଶ, ବୁକୁଚାପା ଭିଡ଼ରେ ଜନ୍ମି ବିକଶିତ ହୁଏ ଓ ଶକ୍ତି ଲାଭ କରେ ।

 

ନାଟକର ବିଶେଷତ୍ୱ ହେଉଛି ଏହା ଏକ ସାମୂହିକ ନାଗରିକ କଳାର ବିଭାଗ । ସେଇଥିପାଇଁ ଲାହୋର ଛାଡ଼ିବା ପରେ ଯଦି ନାଟ୍ୟ-ପରମ୍ପରା ପଞ୍ଜାବରେ ଏପର୍ଯ୍ୟନ୍ତ ପ୍ରତିଷ୍ଠିତ ହୋଇପାରିନାହିଁ, ତେବେ କିଛି ବଡ଼ଘଟଣା ଘଟିନି । କାହିଁକିନା, ଭାରତୀୟ ପଞ୍ଜାବର ଅନ୍ୟ ନଗର ଯଥାର୍ଥ ନଗର ନ ହୋଇ କେବଳ ନାଗରିକ ସୁବିଧା ଥିବା ବଡ଼ ବଡ଼ ବସ୍ତିରେ ପରିଣତ ହୋଇଛି ।

 

ବିଭାଜନ ପରେ ପ୍ରଥମେ ଶିମଲାରେ ଲିଟ୍‌ଲ୍‍ ଥିଏଟର ଗ୍ରୁପ, ପୁଣି ଦିଲ୍ଲୀରେ ଗୁରଦୟାଲ ସିଂହ ଖୋସଲାଙ୍କ ପ୍ରଯତ୍ନର ଫଳସ୍ୱରୂପ ପଞ୍ଜାବୀ ଥିଏଟର ଗ୍ରୁପ ହିଁ ପଞ୍ଜାବୀ ନାଟକରୁ ନିଜ ପାଦରେ ଠିଆହେବାକୁ ସାହସ ଦେଲା । ଦିଲ୍ଲୀରେ ଶୀଲା ଭାଟିଆ ଦେହଳୀ ଆର୍ଟ ଥିଏଟରଦ୍ୱାରା ପଞ୍ଜାବୀ ସଙ୍ଗୀତ ନାଟକ ତଥା ଅପେରାକୁ ଉଜ୍ଜୀବିତ କରିବାକୁ କଠିନ ପରିଶ୍ରମ କଲେ । ଏହାକୁ ଅନୁକରଣ ଓ ଅନୁସରଣ କରି କେତେକ ଅନ୍ୟ କଳାକାର, ଯେପରିକି ଢେରା ସିଂହ ଚନ୍ନ ଓ ଜୋଗିନ୍ଦର ବାହରଲା ଆଦି ଏବଂ ୟୁନାଇଟେଡ୍‍ ଥିଏଟର ଭଟିଣ୍ଡା ନିଜ ଗୀତିନାଟ୍ୟ ଓ ସଙ୍ଗୀତ ନାଟକମାନଙ୍କୁ ନାଟକ ଓ ଗୀତର କଳାମାଧ୍ୟମର ସହଜ ସଂଯୋଜନାରେ ଏହି ନାଟ୍ୟ-କଳାକୁ ସାଧାରଣ ଜନତାଙ୍କ ସ୍ତରକୁ ଆଣିବା ନିମିତ୍ତ ପୂର୍ଣ୍ଣ ପ୍ରଯତ୍ନ କଲେ । ମାତ୍ର ଏସବୁ ପ୍ରଯତ୍ନ ସତ୍ତ୍ୱେ ମଧ୍ୟ ନାଟକ ପଞ୍ଜାବର କଳାକ୍ଷେତ୍ରରେ ଏକ ସହଜ ଅଙ୍ଗ ଏପର୍ଯ୍ୟନ୍ତ ହୋଇପାରିନାହିଁ । ସେହିପରି ପଞ୍ଜାବ ବିଶ୍ୱବିଦ୍ୟାଳୟ, ଚଣ୍ଡୀଗଡ଼ରେ ବଳବନ୍ତ ଗାର୍ଗୀଙ୍କ ନିର୍ଦ୍ଦେଶନାରେ ଇଣ୍ଡିଆନ୍‌ ଥିଏଟର ଡିପାର୍ଟମେଣ୍ଟ ଓ ପଞ୍ଜାବୀ ବିଶ୍ୱବିଦ୍ୟାଳୟ ପାତିଆଲାରେ ସ୍ପିଚ୍‌ ଏଣ୍ଡ ଡ୍ରାମା ଡିପାର୍ଟମେଣ୍ଟ ସ୍ଥାପନା (ଯାହା ସହିତ ହରଚରଣ ସିଂହ, ଜି.ଏସ୍‌. ଖୋସଲା ଆଦି ସଂଶ୍ଳିଷ୍ଟ ରହିଥିଲେ) ପଞ୍ଜାବରେ ନାଟ୍ୟକଳାର ବିକାଶକୁ ପ୍ରୋତ୍ସାହନ ଦେବା ନିମିତ୍ତ ନିୟମିତ ଶିକ୍ଷଣ ଓ ଏକୋଡେମିକ୍‌ ଅଧ୍ୟୟନର ଦୃଢ଼ ଆଧାର ହୋଇଛି । ଏହା ସହିତ ଅମୃତସରରେ ଗୁରଚରନ ସିଂହ ଏବଂ ପାତିଆଲାରେ ଇଣ୍ଡିଆନ୍‌ ସ୍କୁଲ ଅଫ୍‌ ଡ୍ରାମାର ସୁଶିକ୍ଷିତ କଳାକାର ହରପାଲ ଟିବାଣା ତଥା ତାଙ୍କର ଧର୍ମପତ୍ନୀ ନୀନା ଟିବାଣାଙ୍କ ଚିରନ୍ତର ନିଷ୍ଠା ପଞ୍ଜାବରେ ଆତ୍ମନିର୍ଭରଶୀଳ ନାଟ୍ୟ-ସାଧନା ନିମିତ୍ତ ବାତାବରଣ ସୃଷ୍ଟି କରିଛି । ଶ୍ରୀମତୀ ଟିବାଣା ସ୍ୱୟଂ ଏକ କୁଶଳୀ କଳାକାର ଅଟନ୍ତି । ମାତ୍ର ଏକଥା ମଧ୍ୟ ସତ୍ୟ ଯେ ଆଜିର ପଞ୍ଜାବରେ ଏପରି ଜଣେ ହେଲେ ନାଟକକାର ନାହାନ୍ତି, ଯାହାଙ୍କର ଆୟୁ 40 ବର୍ଷରୁ କମ୍‌ ଏବଂ ସେମାନଙ୍କ ଭିତରୁ ବହୁତ କମ୍‌ ନାଟକକାର ଅଛନ୍ତି; ଯେଉଁମାନେ ମଞ୍ଚ ନିମିତ୍ତ ନାଟକ ରଚନା କରୁଅଛନ୍ତି । ଆଜି ପର୍ଯ୍ୟନ୍ତ ମୁଖ୍ୟ ରୂପରେ ପଢ଼ିବା ପାଇଁ କେବଳ ନାଟକ ଲେଖାଯାଉଛି । ଯଦି ପଠନୀୟ ନାଟକର ପୃଷ୍ଠଭୂମିରେ ନାଟକ ଅଭିନୟର କୌଣସି ବ୍ୟାପକ ଏବଂ ସପ୍ରାଣ ପରମ୍ପରା ସୃଷ୍ଟି ନ ହୁଏ, ଯାହାର ସହାୟତାରେ ନାଟକର ପାଠକ ନିଜ କଳ୍ପନାରେ ତାକୁ ସଜୀବ ହେବା ଦେଖିପାରନ୍ତା; ତେବେ ଦେଖିବା ଓ ପଢ଼ିବାବାଲାଙ୍କ ପାଇଁ ନାଟକ ସଂଳାପ ରୂପରେ ଲେଖା କାହାଣୀ ହୋଇ ରହିଯାଏ । ଏପରି କେତେକ ଅବସ୍ଥା ଆଜିର ପଞ୍ଜାବୀ ନାଟକରେ ମଧ୍ୟ ଅଛି ।

 

ପଞ୍ଜାବୀ ଏକାଙ୍କି ନାଟକ ବିଷୟରେ ବିଚାର କଲାବେଳେ ଏକଥା ପ୍ରତି ମଧ୍ୟ ଧ୍ୟାନ ଦେବା ଉଚିତ ଯେ, ଏକାଂକି ନାଟକ ପଶ୍ଚିମରେ ମଧ୍ୟ ଏକପକ୍ଷୀୟ କଳା ବିଭାଗ ନୁହେଁ । ଏହା ପୂର୍ଣ୍ଣାଙ୍ଗ ନାଟକର ଏକ ବିସ୍ତାର ମାତ୍ର, ଯାହା ନୂତନ ବିଭାଗ ରୂପରେ ନାଟକରୁ ସମ୍ପୂର୍ଣ୍ଣ ସ୍ୱତନ୍ତ୍ର ହୋଇ ମଧ୍ୟ ନିଜ କଳା ଆକାଂକ୍ଷା, ବୌଦ୍ଧିକ ଶକ୍ତି ଓ ସୌନ୍ଦର୍ଯ୍ୟ ସାମର୍ଥ୍ୟ ଦୃଷ୍ଟିରୁ ସେତେ ମହତ୍ତ୍ୱପୂର୍ଣ୍ଣ ନୁହେଁ । ପଶ୍ଚିମରେ ଏହି ବିଭାଗର ବିକାଶ ଊନବିଂଶ ଶତାବ୍ଦୀର ଉତ୍ତରାର୍ଦ୍ଧରେ କୌଣସି କଳାତ୍ମକ ବିବଶତାର କାରଣରୁ ନୁହେଁ, ବରଂ ନାଟକ ଆରମ୍ଭ ହେବା ପୂର୍ବରୁ ଦର୍ଶକମାନଙ୍କ ମନୋରଞ୍ଜନ ତଥା କ୍ରିୟାତ୍ମକ ଆବଶ୍ୟକତାର ପୂର୍ତ୍ତି ନିମିତ୍ତ ହିଁ ସମ୍ଭବ ହୋଇଥିଲା । ନିଃସନ୍ଦେହରେ କୁହାଯାଇପାରେ ଉଇଲିୟମ ସିଂଜ, ଲେଡ଼ି ଗ୍ରେଗରୀ ଓ ଇଟିସ୍‌ଙ୍କ ଭଳି ମହାନ୍‌ ଆଇରିଶ୍‌ ନାଟକକାରମାନଙ୍କର ସାଧନାର କାରଣ ସ୍ୱରୂପ ଆୟର୍‌ଲ୍ୟାଣ୍ଡର ସାଂସ୍କୃତିକ ଓ ରାଜନୈତିକ ସ୍ୱତନ୍ତ୍ରତା ଆନ୍ଦୋଳନର ପୀଠିକାରେ ଏହି ବିଭାଗ ଜନ୍ମ ନେଇଛି; କିନ୍ତୁ ଏହା ବ୍ୟତୀତ ବିଶ୍ୱସାହିତ୍ୟର ସନ୍ଦର୍ଭରେ ନାଟକର ଇତିହାସ ଉପରେ ଏହାର ପ୍ରଭାବ ନିର୍ଣ୍ଣୟାତ୍ମକ ନୁହେଁ କିମ୍ୱା ସ୍ଥାୟୀ ନୁହେଁ ।

 

ପଞ୍ଜାବୀର ନାଟ୍ୟ-ସାହିତ୍ୟ ସାମୂହିକ ସ୍ତରରେ ଗଦ୍ୟ-ସାହିତ୍ୟର ପଛରେ ଚାଲିବାର ପ୍ରଯତ୍ନ କରିଆସିଛି । ନିହାତି ପକ୍ଷେ ନାଟକୀୟ ବିଷୟବସ୍ତୁ ନିର୍ବାଚନରେ ଏହା ଏକାନ୍ତ ସତ୍ୟ ବୋଲି ପ୍ରମାଣିତ ହୋଇଛି । ଏହି ବିଷୟକୁ ଅଙ୍ଗୀଭୂତ କରି ମଧ୍ୟ ଏ ବିଭାଗ ଉପନ୍ୟାସ ଓ କାହାଣୀ ଭଳି ସ୍ପଷ୍ଟ ତଥା ସାହସୀ ହୋଇପାରିନାହିଁ । ଅନ୍ୟ ଭାରତୀୟ ଭାଷାମାନଙ୍କରେ ସମ୍ଭବତଃ ଏହି ସ୍ଥିତି ଦେଖାଦେଇଥିବ । ପଞ୍ଜାବରେ ଏହାର କାରଣ ଏତିକି ଜଣାପଡ଼େ ଯେ କାବ୍ୟ ଏବଂ ଗଦ୍ୟ ତୁଳନାରେ ନାଟ୍ୟ-କଳା ପୂର୍ଣ୍ଣଭାବରେ ବିକଶିତ ହୋଇପାରି ନାହିଁ । ଏକ ଗୌଣ କାରଣ ଏହା ମଧ୍ୟ ହୋଇପାରେ ଯେ, କବିତା, ଉପନ୍ୟାସ ବା କାହାଣୀ ରଚନା ବ୍ୟକ୍ତିଗତ ସ୍ତରରେ ହୁଏ ଏବଂ ଏକାନ୍ତ ପାଠ୍ୟରୂପରେ ହିଁ ଏଗୁଡ଼ିକର ସଂପ୍ରେଷଣ ହୋଇଥାଏ । ସେଥିପାଇଁ ଏଗୁଡ଼ିକରେ ସାମୂହିକ ପ୍ରତିକ୍ରିୟା ସୃଷ୍ଟି କରିବା ପାଇଁ ଅଧିକ ଭାବରେ ଭ୍ରାନ୍ତିକାରୀ ବିଚାର ଓ ସାମାଜିକ ବ୍ୟବସ୍ଥା-ବିରୋଧୀ ପରାମର୍ଶ ବିନା ଦ୍ୱିଧାରେ ଦିଆଯାଇପାରେ । କିନ୍ତୁ ନାଟକର ପ୍ରତୀତି ଜନସମୂହରେ ହିଁ ହୁଏ ଏବଂ ଆୟାସରେ ମନୁଷ୍ୟ ସେହି ତଥ୍ୟଗୁଡ଼ିକର ମୁକାବିଲା କରିବାକୁ ସ୍ୱଭାବତଃ ସଂକୋଚ ବୋଧ କରେ ନାହିଁ । ଏହାକୁ ପରୋକ୍ଷରୂପରେ ଆରାଧନା କରି ସେ ଆନନ୍ଦିତ ହୁଏ । ମାତ୍ର ଲୋକସମୂହରେ କୌଣସି ଭାବାବେଶ ବଶବର୍ତ୍ତୀ ହୋଇ ଜନସାଧାରଣଙ୍କର ଭାବନାର ପ୍ରତିକ୍ରିୟା କେଉଁ ରୂପ ଧାରଣ କରିବ, ତାହା ସର୍ବଦା ସନ୍ଦେହଜନକ । ଏହିଭଳି ନାଟ୍ୟରୂପର ବିଶେଷତା କେବଳ ବିଷୟ ବସ୍ତୁ ନିର୍ବାଚନକୁ ସୀମିତ କରେ ନାହିଁ, ତତ୍‌ ସଙ୍ଗେ ସଙ୍ଗେ ତାହାକୁ ସମ୍ପନ୍ନ କରିବାରେ ମଧ୍ୟ ବାଧା ସୃଷ୍ଟି କରିବସେ । ଯଦି ବିଷୟ ନିର୍ବାଚନ ଅଥବା ନିର୍ବାହ ଦୃଷ୍ଟିରୁ ଦେଖାଯାଏ ତେବେ ଉପନ୍ୟାସ ବା କାହାଣୀ ତୁଳନାରେ ପଞ୍ଜାବୀ ନାଟକ ବିଳମ୍ୱରେ କଳାତ୍ମକ ପରୀକ୍ଷା-ନିରୀକ୍ଷା କରିଛି ବୋଲି କୁହାଯିବ ।

 

ଈଶ୍ୱର ଚନ୍ଦର ନନ୍ଦାଙ୍କର ପ୍ରାରମ୍ଭିକ ଏକାଙ୍କିକା ମୂଳରୂପରେ ସାମାଜିକ ସଂସ୍କାରର ପ୍ରେରଣାରେ ଋଦ୍ଧିମନ୍ତ ରଚନା । ଏଥିରେ ରସର ଆଞ୍ଚଳିକ ପ୍ରଭାବ, ଚରିତ୍ରଚିତ୍ରଣ, ଗପୁଡ଼ି ସ୍ତ୍ରୀ, ଲାଞ୍ଜଖୋର କର୍ମଚାରୀ, ଠିକାଦାର, ପାଷଣ୍ଡ ସାଧୁ ଆଦି ରୂପାୟିତ ହୋଇଛନ୍ତି ଓ ତୀକ୍ଷ୍‌ଣ ବଳିଷ୍ଠ ସଂଳାପ ଏବଂ ସମ୍ପୂର୍ଣ୍ଣ ପ୍ରକ୍ରିୟା ପଛରେ ଲୟାତ୍ମକ ବ୍ୟଙ୍ଗ ଓ ହାସ୍ୟରସର ଅନ୍ତର୍ଧାରା ରହିଛି । ପଞ୍ଜାବୀ ଏକାଙ୍କିକାର ବିକାଶର ଦ୍ୱିତୀୟ ପର୍ଯ୍ୟାୟରେ ପର୍ଯ୍ୟାପ୍ତ ବିବିଧତା ଅଛି । ନନ୍ଦାଙ୍କର ସଂସ୍କାରବାଦୀ ଧାରା ହରଚରଣ ସିଂହଙ୍କ ହାତରେ ଭାବୁକ ନାଟକୀୟତାର ରୂପ ଧାରଣ କରିଛି । ହରଚରଣ ସିଂହଙ୍କର ସାରା ଶକ୍ତି ନାଟକୀୟ ଉତ୍କଣ୍ଠାକୁ ତୀକ୍ଷ୍‌ଣରୁ ତୀକ୍ଷ୍‌ଣତର ରୂପରେ ପ୍ରସ୍ତୁତ କରିବାରେ ନିଯୁକ୍ତ ରହିଛି । ସନ୍ତସିଂହ ସେଖୋଁ ଗମ୍ଭୀର ବୌଦ୍ଧିକତା କାରଣରୁ ସାମାନ୍ୟ ଓ ଅସାମାନ୍ୟ ଦୃଷ୍ଟିରୁ, ଗୌଣ ବିଷୟମାନଙ୍କରେ ମଧ୍ୟ ଏକପ୍ରକାରର ନାଟକୀୟ ସମ୍ପନ୍ନତା ଓ ଗମ୍ଭୀରତା ଆଣିବା କଳାରେ ପାରଙ୍ଗମ । ବଲବନ୍ତ ଗାର୍ଗୀ କେବଳ ମନୁଷ୍ୟର ସାମାଜିକ ସ୍ଥିତିକୁହିଁ ନିଜ ସାଧନାର କେନ୍ଦ୍ର କରିନାହାନ୍ତି; କିମ୍ୱା ସେମାନଙ୍କର ନିପଟ ନିରପେକ୍ଷ ବୌଦ୍ଧିକ ଜିଜ୍ଞାସାର ତୀବ୍ର ପ୍ରଭାବକୁ ମଧ୍ୟ ନୁହେଁ । ତାଙ୍କର ବିଶେଷତ୍ୱ ଜନବିଶେଷର ମାନବୀୟ ସ୍ଥିତିଗତ ରୋଚକ ରହସ୍ୟର ଅଭିବ୍ୟକ୍ତିରେ ରହିଛି । ବଲବନ୍ତ ଗାର୍ଗୀଙ୍କ ନିମିତ୍ତ ନାଟକ ହେଉଛି ବ୍ୟକ୍ତିର ଆତ୍ମଦ୍ୱନ୍ଦ୍ୱ ଏବଂ ଅନ୍ୟସହ ସଂଘର୍ଷ ତଥା ତାହା ମାଧ୍ୟମରେ ଆତ୍ମ-ସ୍ୱୀକୃତିର ପ୍ରତୀକ । ସେ ତାଙ୍କ ନାଟକମାନଙ୍କରେ ପାରସ୍ପରିକ ସଂଘର୍ଷର ମୂଳଭୂତ ତତ୍ତ୍ୱକୁ ଓ ବ୍ୟକ୍ତି-ଦ୍ୱନ୍ଦ୍ୱକୁହିଁ ବିଭିନ୍ନ ରୂପରେ ନିଜ ରଚନାର ବିଷୟବସ୍ତୁ କରିଛନ୍ତି । ପ୍ରତୀକାତ୍ମକ ଭାଷାପ୍ରୟୋଗରେ ମନୁଷ୍ୟର ମନଃସ୍ଥିତି ଓ ବାହ୍ୟ ପ୍ରକୃତି ମଧ୍ୟରେ ବସ୍ତୁବିମ୍ୱର ସମ୍ୱନ୍ଧ ସ୍ଥାପନ କରିବାର କୁଶଳତା ନିମିତ୍ତ ପଞ୍ଜାବୀ ନାଟକରେ ବଲବନ୍ତ ଗାର୍ଗୀ ଅଦ୍ୱିତୀୟ ଅଟନ୍ତି ।

 

ଯଦିଓ କର୍ତ୍ତାର ସିଂହ ଦୁଗ୍‌ଗଲ ଓ ଗୁରଦୟାଲ ସିଂହ ଖୋସଲାଙ୍କ ନାଟ୍ୟକଳା ସ୍ୱାଧୀନତାର ପରବର୍ତ୍ତୀ କାଳରେ ମୁଣ୍ଡ ଟେକିଛି, ତଥାପି ସଠିକ୍‌ ଭାବେ ଏ ଦୁହେଁ ଲାହୋରର ଅବଦାନ । କର୍ତ୍ତାର ସିଂହ ଦୁଗ୍‌ଗଲ ଲାହୋର ରେଡ଼ିଓ ଷ୍ଟେସନର ଓ ଗୁରଦୟାଲ ସିଂହ ଖୋସଲା ଲିଟିଲ ଥିଏଟର୍‌ ଗ୍ରୁପ ଲାହୋରର ସୌଜନ୍ୟରୁହିଁ ଏହି କଳାରେ ପରିପକ୍ୱତା ପ୍ରାପ୍ତ ହୋଇଛନ୍ତି ।

 

ଦୁଗ୍‌ଗଲଙ୍କ ନାଟକ ମୂଳତଃ ରେଡ଼ିଓ ନାଟକ ଟେକ୍‌ନିକ୍‌ର ଶ୍ରେଷ୍ଠ ଉଦାହରଣ ହେଲେ ବି ଏଗୁଡ଼ିକୁ ସଫଳତାସହକାରେ ରଙ୍ଗମଞ୍ଚରେ ଉପସ୍ଥାପିତ କରାହୋଇଛି । ଏହିଭଳି କ୍ଷଣପ୍ରତିକ୍ଷଣ ରଙ୍ଗ ବଦଳାଉଥିବା ଓ ଘାତ-ପ୍ରତିଘାତ କରୁଥିବା ଭାବମାନଙ୍କର ସଂଘର୍ଷକୁ ପୂର୍ଣ୍ଣ ଭାବରେ ନାଟକରେ ଉପସ୍ଥାପିତ କରିବାହିଁ ଏହି ମାଧ୍ୟମର ଉଦ୍ଦେଶ୍ୟ । ଏ କ୍ଷେତ୍ରରେ ଦୁଗ୍‌ଗଲ ନାଟକୀୟ ସଂଳାପଗୁଡ଼ିକ ପାଇଁ ସାଧାରଣ କଥାବାର୍ତ୍ତାର ଭାଷା ତ୍ୟାଗକରି କାଳ୍ପନିକ କାବ୍ୟମୟ ପ୍ରବଚନର ପ୍ରଭାବୋତ୍ପାଦକ ଉକ୍ତିକୁ ପ୍ରୟୋଗ କରିଛନ୍ତି । ଗୁରଦୟାଲ ସିଂହ ଖୋସଲାଙ୍କ ଶୈଳୀ ମୁଖ୍ୟତଃ ପରିହାସପୂର୍ଣ୍ଣ । ଏହି ପରିହାସ ଶକ୍ତିରେ ସେ ମନୁଷ୍ୟ, ବିଶେଷକରି ସାମାଜିକ ମନୁଷ୍ୟର କଥା ଓ କାର୍ଯ୍ୟର ତଫାତ୍‌କୁ ବ୍ୟକ୍ତ କରି ତାଙ୍କର ଅହଂକୁ ବହିଃ ପ୍ରକାଶିତ କରିଛନ୍ତି ।

 

ସ୍ୱାଧୀନୋତ୍ତର ପଞ୍ଜାବୀ ନାଟକରେ କଳା ଅଭିବ୍ୟକ୍ତିର ମାଧ୍ୟମ ସୃଷ୍ଟିକାରୀ ସର୍ବାଧିକ କୁଶଳ ନାଟକକାର ବୋଧହୁଏ ହେଉଛନ୍ତି ଅମରୀକ ସିଂହ । କିନ୍ତୁ କିଛି ବର୍ଷର ସଫଳ ସାଧନା ପରେ ତାଙ୍କ ପ୍ରତିଭା ଅନ୍ୟ କ୍ଷେତ୍ରରେ ବିନିଯୁକ୍ତ ହେବାକୁ ଲାଗିଲା ଏବଂ ସେ ନାଟକ ସୃଷ୍ଟି କରିବା ଦିଗରେ ଏକପ୍ରକାର ଉଦାସୀନ ହୋଇଗଲେ । ଅମରୀକ ସିଂହ ନିଜ ନାଟକରେ ବହୁ ବ୍ୟାପକ ଭାବରେ ଜାଲ ସୃଷ୍ଟି କରିଛନ୍ତି । କ୍ରମାଗତଭାବେ ବିଭିନ୍ନ ଦୃଶ୍ୟ ମାନବୀୟ ସ୍ୱଭାବର ବହୁମୁଖୀ ଦର୍ଶନ, ମାନବ ମନକୁ ତରଙ୍ଗାୟିତ କରୁଥିବା ଅସଂଖ୍ୟ ଇଚ୍ଛା ଓ ସଂଶୟକୁ ସେ ନିଜ ନାଟକରେ ଏଭଳି ଛାଇଦିଅନ୍ତି ଯେ, ଶେଷ ପରିଣତିର ସ୍ଥିତିରେ ସମସ୍ତ ବିରୋଧୀ ତତ୍ତ୍ୱ ଏକ ସାର୍ଥକ ପାର୍ଟନରେ ଆସି ରୂପାୟିତ ହୁଅନ୍ତି ।

 

ଗୁରଚରଣ ସିଂହ ଜସୂଜା ଓ ହଜସରନ ସିଂହଙ୍କ ସାମର୍ଥ୍ୟ ଗଭୀର ମାନବୀୟ ସମ୍ବେଦନାରେ ରହିଛି, ଯାହା ସତ୍ୟକୁ ନିପଟ ସ୍ୱଚ୍ଛ ରଙ୍ଗରେ ବାଣ୍ଟି ନିଜର କରିବା ବା ତ୍ୟାଗ କରିବାର ସରଳ ନିର୍ବାଚନକୁ ଏକ ସମସ୍ୟା ମନେକରେ ନାହିଁ; ବରଂ ଲଘୁମାନବର ଜଟିଳ ଚେତନାକୁ ପୂର୍ଣ୍ଣରୂପେ ବ୍ୟକ୍ତ କରେ । ଏହାର ବିପରୀତରେ କପୂର ସିଂହ ଘୁମ୍ମଣ ଈଶ୍ୱର ଚନ୍ଦର ନନ୍ଦାଙ୍କଠାରୁ ଚରିତ୍ରଚିତ୍ରଣର କୌଶଳ ଓ ହରଚରଣ ସିଂହଙ୍କଠାରୁ ଅତି-ନାଟକୀୟତା ନେଇ ତାଙ୍କର ସମାଜ-ସଂସ୍କାର ମନୋବୃତ୍ତିକୁ ନିଷ୍ଠାସହ ଆଗେଇନେଇଛନ୍ତି ।

 

ସଂକଳନର ଅଂଶୀଭୂତ ହୋଇଥିବା ଏକାଂକିକା ଏହି ସମସ୍ତ ନାଟକକାରଙ୍କ ମୁଖ୍ୟ କଳାପ୍ରବୃତ୍ତିମାନଙ୍କର ପ୍ରତିନିଧିମୂଳକ ରଚନା । ପ୍ରତ୍ୟେକ ଏକାଂକିକା ସ୍ୱୟଂ ପଞ୍ଜାବୀ ଏକାଂକିକଳାର ବିକାଶପଥର ଏକ ବିଶେଷ ପକ୍ଷର ସ୍ମାରକ ଏବଂ ପଞ୍ଜାବୀ ଜନ-ଜୀବନର କୌଣସି ଏକ ନୂତନ ଦୃଶ୍ୟକୁ ମଧ୍ୟ ପ୍ରକାଶିତ କରେ–ଯାହା ସ୍ଥାନୀୟ ହୋଇ ବି ବ୍ୟାପକ । ଏହି ଏକାଂକି ନାଟକକାରମାନଙ୍କ ମଧ୍ୟରୁ ଈଶ୍ୱର ଚନ୍ଦର ନନ୍ଦା, ସନ୍ତସିଂହ ସେଖୋଁ, ଗୁରଦୟାଲ ସିଂହ ଖୋସଲା, ବଲବନ୍ତ ଗାର୍ଗୀ, କର୍ତ୍ତାର ସିଂହ ଦୁଗ୍‌ଗଲ ଓ ଅମରୀକ୍‌ ସିଂହ ସ୍ମାତକୋତ୍ତର ସ୍ତର ପର୍ଯ୍ୟନ୍ତ ଇଂରାଜୀ ସାହିତ୍ୟକୁ ଅଧ୍ୟୟନ କରିଛନ୍ତି ଏବଂ ଏମାନଙ୍କ ମଧ୍ୟରୁ କେତେକ ଇଂରାଜୀ ସାହିତ୍ୟର କୁଶଳ ପ୍ରାଧ୍ୟାପକ ଅଟନ୍ତି । ବୋଧହୁଏ ସେଥିପାଇଁ ପଞ୍ଜାବୀ ସାହିତ୍ୟରେ ଏକାଂକିକାର ମୂଳରୂପ ସ୍ୱାଭାବିକ ଢଙ୍ଗରେ ପାଶ୍ଚାତ୍ୟ ସ୍ୱରୂପ ଆଡ଼କୁ ଢଳିପଡ଼ିଛି ।

 

–ଅତର ସିଂହ

☆☆☆

 

ସୂଚୀପତ୍ର

 

୧.

ବେଇମାନ–ଈଶ୍ୱର ଚନ୍ଦର ନନ୍ଦା

୨.

ଭବିତବ୍ୟ–ସନ୍ତ ସିଂହ ସେଖୋଁ

୩.

ମୁର୍ଦ୍ଦାରର ରେସନ୍‌–ଗୁରଦୟାଲ ସିଂହ ଖୋସଲା

୪.

ମନକଥା ମନରେ–ହରଚରଣ ସିଂହ

୫.

ଘାଟଡଙ୍ଗା–ବଲବନ୍ତ ଗାର୍ଗୀ

୬.

ଉପର ମହଲା–କର୍ତ୍ତାର ସିଂହ ଦୁଗ୍‌ଗଲ

୭.

ଆଖିର କୁଟା–ଅମରୀକ ସିଂହ

୮.

ଗୋମୁଖୀ ଶେରମୁଖୀ–ଗୁରଚରନ ସିଂହ ଜସୂଜା

୯.

ଉଧଲିଆ–କପୂର ସିଂହ ଘୁମ୍ମଣ

୧୦.

ଫାଙ୍କ୍‌–ହରଶରନ ସିଂହ

୧୧.

ଲେଖକ ପରିଚୟ

☆☆☆

 

 

 

 

 

 

 

 

 

 

 

ବେଇମାନ

 

–ଈଶ୍ୱର ଚନ୍ଦର ନନ୍ଦା

 

ପାତ୍ର

 

ମୋଟର ଓ୍ୱାର୍କସପ୍‌ର ମେନେଜର :

ବୟସ ଚାଳିଶ-ବୟାଳିଶ ବର୍ଷ

(ମାଲିକ) ମୋଟରବାଲା :

ବୟସ ପଚାଶ ପାଖାପାଖି

ମୋଟରବାଲାର ସ୍ତ୍ରୀ :

ବୟସ ଚାଳିଶ-ପଇଁଚାଳିଶ

ମିସ୍ତ୍ରି ବସନ୍ତରାମ :

ବୟସ ତିରିଶ-ବତିଶି

ଏକ :

ପୁଲିସ ଇନ୍‌ସପେକ୍ଟର

ଏକ :

ବୀମା କମ୍ପାନୀର ମେନେଜର

ଏକ :

ଅନ୍ୟ ଜଣେ ମିସ୍ତ୍ରି

ଚପରାସି

 

ସ୍ଥାନ–ମୋଟର ଓ୍ୱାର୍କସପ୍‌ରେ ମେନେଜରଙ୍କ ଦପ୍ତର ।

 

ସମୟ–ଦ୍ୱିପହର ପରେ, ଚାରିଟା–ପାଞ୍ଚଟା ବେଳ ।

 

[ମୋଟର ମରାମତିର ଧୀର ଠକ୍‌-ଠକ୍‌ ଶବ୍ଦ ଏବଂ କାରଖାନାର ଅଳ୍ପ ଅଳ୍ପ ପାଟିତୁଣ୍ଡ ଶୁଣାଯାଉଥାଏ । ମଞ୍ଚର ଡାହାଣପଟ କଣକୁ ଥିବା ଦ୍ୱାର ଉପରେ ‘ଷ୍ଟୋର’ ବୋଲି ସାଇନ୍‌ବୋର୍ଡ଼ ଲଟକା ହୋଇଥାଏ । ଦପ୍ତରର ଟେବୁଲ୍‍ ସାମ୍ନା କାନ୍ଥରେ ଗୋଟିଏ କ୍ୟାଲେଣ୍ଡର ଝୁଲୁଥିବା ଦୃଷ୍ଟିରେ ପଡ଼େ । ଦପ୍ତରର ବାମ ଦିଗରେ ଚପରାସିଟି ଟୁଲ ଉପରେ ବସିଥାଏ । ମୋଟରବାଲା ଡାହାଣ ପଟରୁ ବାହାରିଆସିଲା ।]

 

ମୋଟରାବାଲା : (ବହୁତ ଚିଡ଼ିଥିବା ଭଳି ଜଣାପଡ଼େ । ମେନେଜରକୁ ସେଠାରେ ନ ଦେଖି ଚପରାସିକୁ) ମେନେଜର ସାହେବ କେଉଁଠି ?

 

ଚପରାସି : ଏବେ ଏଇଠି ଥିଲେ ଆଜ୍ଞା–ଡାକି ଆଣିବି ?

 

ମୋଟରବାଲା : ହଁ ହଁ ଜଲଦି..... (ଚପରାସି ଚାଲିଗଲା) ଅଜବ୍‌ ବେଇମାନୀଗିରି ଇଏ-! ବିଲ୍‌ ପୂରା ଭାରି–ପୁଣି ବକ୍‌ସିସ୍‌–ହାତଗୁଞ୍ଜା ତ ଅଲଗା ଅଛି । ନ ହେଲେ..... ନହେଲେ ଗାଡ଼ିର ରକ୍ଷା ନାହିଁ । ଏ ମିସ୍ତ୍ରିଗୁଡ଼ା ଗୋଟାଏ ଜିନିଷ ସଜାଡ଼ିବେ ତ ଦିଇଟା ବିଗାଡ଼ି ଦେବେ-। (ମେନେଜରଙ୍କ ପ୍ରବେଶ)

 

ମେନେଜର : ଆସନ୍ତୁ, ଆସନ୍ତୁ–କି ଆଦେଶ ଆପଣଙ୍କର ? କହନ୍ତୁ । (ଚଉକି ଆଡ଼କୁ ସଙ୍କେତ କରି) ବସନ୍ତୁ ।

 

ମୋଟରବାଲା : ପଅରଦିନ ମୁଁ ହେଡ଼ଲାଇଟ୍‌ର ଡିପର୍‍ ମରାମତି ପାଇଁ ପଠାଇଥିଲି ନା-?

 

ମେନେଜର : ତା’ହେଲେ କ’ଣ ଆଜିଯାଏ ସେଇଟା ହେଇନି ? ମିସ୍ତ୍ରିକୁ ତ ଅର୍ଡ଼ର କରିଦେଇଥିଲି । (ଚପରାସିକୁ) ବସନ୍ତରାମକୁ ଶୀଘ୍ର ଡାକିଲୁ ।

 

ମୋଟରବାଲା : ନା ନା, ଡାକିବାର କୌଣସି ଦରକାର ନାହିଁ, ଡିପର୍‍ ହେଇଯାଇଛି ।

 

ମେନେଜର : କ’ଣ କିଛି ଗଲ୍‌ତି ରହିଯାଇଛି କି ? ତାକୁ ଏବେ ସଜାଡ଼ି ଦଉଚି ।

 

ମୋଟରବାଲା : ଗଲ୍‌ତି ବା ନୋକ୍‌ସାନି କିଛି ହେଇନି । ବିଲ୍‍କୁଲ୍‍ କିଛି ତ୍ରୁଟି ହେଇନି । ଓଲଟା ଡିପର୍‍ ତ ନୂଆ ହେଇଯାଇଚି ।

 

ମେନେଜର : ଧନ୍ୟବାଦ । ଆମର ତ ପଲିସି ଏଇୟା–‘ଭଲ କାମ, ଉଚ୍ଚା ଦାମ’ । ଆପଣ ତ ଜାଣିଛନ୍ତି, ମୁଁ କେବଳ ହୁସିଆର ଓ ଅନୁଭବୀ ମିସ୍ତ୍ରି ରଖେ–ଦରମା ଯେତେ ଅଧିକା ଦେବାକୁ ପଡ଼ୁନା କାହିଁକି । ବାଜେ ମିସ୍ତ୍ରିଙ୍କୁ ତ ମୁଁ ଓ୍ୱାର୍କସପ୍‌ ପା‌ଖ ମଡ଼େଇ ଦିଏନି । ଅନ୍ୟ ଓ୍ୱାର୍କସପରେ ଆପଣଙ୍କୁ ଏଭଳି କଥା ଦେଖିବାକୁ ମିଳିବନାହିଁ ।

 

ମୋଟରବାଲା : ତମ କାମ ଖୁବ୍‌ ସଫାସୁତୁରା–ଏଥିରେ କୌଣସି ଦ୍ୱିମତ ନାହିଁ ।

 

ମେନେଜର : ବହୁତ ବହୁତ ଧନ୍ୟବାଦ । ଆମକୁ ମଧ୍ୟ ଆପଣଙ୍କ ଭଳି ଗରାଖଙ୍କ ଖୁସି ଦରକାର । ଠିକ୍‌ ଅଛି । ତା’ହେଲେ ମୁଁ ଆଉ କିଛି ସେବା କରିପାରିବି କି ?

 

ମୋଟରବାଲା : କହିବାର ତ ମୋର କିଛି ନିଶ୍ଚୟ ଥିଲା; କିନ୍ତୁ ଟିକିଏ ସଂକୋଚ କରୁଚି-

 

ମେନେଜର : ଆପଣଙ୍କର ନିଜର କଥା । ଭାବିବାର ଏଥିରେ କ’ଣ ଅଛି ? କହନ୍ତୁ ।

 

ମୋଟରବାଲା : ମୋର କେବଳ ଏତିକି ପଚାରିବାର କଥା ଯେ, ତମର ଏଇ ମିସ୍ତ୍ରିମାନଙ୍କୁ ବକ୍‌ସିସ୍‌ ଦବା ପ୍ରଥା କେବଠୁ ଚାଲୁହେଇଚି ?

 

ମେନେଜର : ନା ଆଜ୍ଞା ! ଆମର ଏଠି ସେମିତି କିଛି ପ୍ରଥା ତ ନାହିଁ, କେବେ ନଥିଲା ଏବଂ କେବେ ବି ହବନି । ବକ୍‌ସିସ୍‌ ଗୋଟାଏ କ’ଣ ? ମିସ୍ତ୍ରିମାନଙ୍କୁ ତ ଖୁବ୍‌ ଭଲ ଦରମା ମୁଁ ଦଉଚି-। ଓଭରଟାଇମ୍‌ ପେମେଣ୍ଟ ଏମାନଙ୍କର ଅଲଗା, ପୁଣି ବକ୍‌ସିସ୍‌ ଭଳି ବାଜେକଥା କ’ଣ-? ଆପଣଙ୍କୁ କିଏ କ’ଣ ବକ୍‌ସିସ୍‌ ମାଗିଲା କି ?

 

ମୋଟରବାଲା : ଏଇଟା ସଫା କଥା ଯେ, ମୋ ମନରେ ଡର ବସା ବାନ୍ଧିଯାଇଛି ।

 

ମେନେଜର : ନିଶ୍ଚୟ ହେଇଯାଇଥିବ ।

 

ମୋଟରବାଲା : ମୋ’ପାଇଁ ଏବେ କେବଳ ଦୁଇଟି ରାସ୍ତା । ଗୋଟାଏ ହଉଚି ମିସ୍ତ୍ରିମାନଙ୍କ ମୁହଁକୁ ମିଠା କରୁଥିବି–ନ ହେଲେ ଜାଣେନା ସେମାନେ କେତେ ବଦଖର୍ଚ୍ଚ କରାଉଥିବେ । ଆଉ ଯଦି କିଏ ସେଥିରେ ନାରାଜ ହେଲା ତ ମୋ ଜୀବନକୁ ବିପଦରେ ପକେଇଦେବେ ।

 

ମେନେଜର : ଆପଣ ଏସବୁ କ’ଣ କହୁଛନ୍ତି ? କିଏ ସାହସ କରିବ ?

 

ମୋଟରବାଲା : ଆଉ ଦ୍ୱିତୀୟଟି ହେଉଚି–ଏ ଗ୍ୟାରେଜକୁ ସଲାମ ପକାଇବି ।

 

ମେନେଜର : (ହସିକରି) ଆପଣଙ୍କୁ ଯିବାକୁ କିଏ ଦେବ ? ବାଃ ସାହେବ ବାଃ ! ଏ ଗ୍ୟାରେଜ ଆପଣଙ୍କ ସେବାପାଇଁ ଅଛି–କୌଣସି ମିସ୍ତ୍ରିଙ୍କ ପାଇଁ ନୁହେଁ । ଆପଣଙ୍କ ଭଳି ଲୋକ ନାରାଜ ହୋଇ ଏଠୁ ଚାଲିଯିବାଠାରୁ ଆମର ଆଉ କି ବଡ଼ ବଦନାମ ହୋଇପାରେ !

 

ମୋଟରବାଲା : ହେଲେ ମେନେଜର ସାହେବ ! କଥାଟା ସେମିତି କିଛି ହେଇଗଲାଣି ।

 

ମେନେଜର : ଆପଣଙ୍କର କହିବା ଠିକ୍‌; କିନ୍ତୁ ମୋ ଗୁହାରି ମଧ୍ୟ ଶୁଣନ୍ତୁ । ଯଦି କୌଣସି ମିସ୍ତ୍ରି ବକ୍‌ସିସ୍‌ ବାହାନରେ ଆପଣଙ୍କୁ କିଛି ଅଧିକ ମାଗିଛି, ତେବେ ମୁଁ ଏଥିପାଇଁ ଅତ୍ୟନ୍ତ ଲଜ୍ଜିତ । ଆପଣ ଦୟାକରି ସେ ବଦମାସ୍‌ର ନାମଟା କହନ୍ତୁ, ମୁଁ ତାକୁ ଠିକ୍‌ କରିଦଉଚି, ଆଉ ତାକୁ ଏମିତି ସଜା ଦେବି ଯେ ସେ ସବୁଦିନେ ମନେ କରୁଥିବ ।

 

ମୋଟରବାଲା : ଛାଡ଼ । ତମେ ସଜା ଦିଅ ବା ନ ଦିଅ; କିନ୍ତୁ ମୋ ମତଲବଟା ତମେ ବୁଝିଗଲ ତ ?

 

ମେନେଜର : ଖୁବ୍‌ ଭଲଭାବରେ । ସତ କହୁଚି, ମତେ ଏକଥା ବହୁତ ଦୁଃଖଦେଲା । ବର୍ତ୍ତମାନ ମୋ ମନରେ ଯଦି କିଛି ଚିନ୍ତା ଥାଏ ତ ତାହା ସେଇ ଯେ ମୁଁ କିପରି ଆପଣଙ୍କ ମନରେ ବିଶ୍ୱାସ ଜନ୍ମେଇ ପାରିବି । କହନ୍ତୁ ପ୍ରକୃତ କଥାଟା କ’ଣ ?

 

ମୋଟରବାଲା : ଧନ୍ୟବାଦ ! କଥା କ’ଣ କି, ତମେ ନିଜେ ତ ଦେଇଥିଲ, ମୋ ଗାଡ଼ିର ହେଡ଼ଲାଇଟ୍‌ କାମ କରୁନଥିଲା ।

 

ମେନେଜର : ହଁ ଆଜ୍ଞା !

 

ମୋଟରବାଲା : ଏବଂ ମିସ୍ତ୍ରି ଡିପର୍‍ ମରାମତି କରିବାପାଇଁ ଗାଡ଼ିରୁ ବାହାରକରି ରଖିନେଇଥିଲା ।

 

ମେନେଜର : ହଁ ଆଜ୍ଞା !

 

ମୋଟରବାଲା : ଆଜି ଯେତେବେଳେ ମୁଁ ଆସିଲି, ମିସ୍ତ୍ରି କହିଲା.....

 

ମେନେଜର : ହଁ ଆଜ୍ଞା !

 

ମୋଟରବାଲା : ଯେ ଡିପର୍‍ ବିଲ୍‌କୁଲ ଖରାପ ହେଇଯାଇଥିଲା । ମରାମତି ଯୋଗ୍ୟ ବି ନଥିଲା ।

 

ମେନେଜର : ହଁ ଆଜ୍ଞା !

 

ମୋଟରବାଲା : ଏବଂ ମୁଁ ତା’ ଜାଗାରେ ଅନ୍ୟ ଡିପର୍‍ ଲଗେଇ ଦେଇଚି ।

 

ମେନେଜର : ଠିକ୍‌ ଅଛି ।

 

ମୋଟରବାଲା : ଆଉ ମୁଁ ଯେତେବେଳେ ପଚାରିଲି ମୋ ଡିପର୍‍ କେଉଁଠି ଅଛି–ସେ ଜବାବ ଦେଲା ଯେ ତା’ର ପ୍ରତ୍ୟେକ ପାର୍ଟ ନଷ୍ଟ ହେଇଯାଇଥିଲା, ଯାହାକୁ ସେ ଅଳିଆ ଗଦାକୁ ଫିଙ୍ଗିଦେଲା । ତାହା ଜାଗାରେ ନୂଆ ଡିପର୍‍ ଲଗାଇଦେଲା । ମୁଁ ଯେତେବେଳେ ପଚାରିଲି ଏହାର ଦାମ୍‌ କେତେ–ମିସ୍ତ୍ରି କହିଲା, ‘ଆପଣଙ୍କର ଯାହା ଖୁସି ହେଉଚି ଦେଇ ଦିଅନ୍ତୁ ।’ ମୁଁ ଏହା ଶୁଣି ହଇରାଣରେ ପଡ଼ିଗଲି । ଡିପର୍‌ ଷ୍ଟୋର୍‌ରୁ ଆଣିଲୁ ବୋଲି ମୁଁ ପଚାରିଲାରୁ ଜବାବ ମିଳିଲା ‘ଆପଣ ଧରିନିଅନ୍ତୁ ମୁଁ ଷ୍ଟୋର୍‌ରୁ ଆଣିଚି; କିନ୍ତୁ ଆପଣଙ୍କୁ ସେଥିରୁ କ’ଣ ମିଳିବ ? ଆପଣଙ୍କର ଖୁସି ହଉଚି ତ କିଛି ଦେଇଦିଅନ୍ତୁ, ନହେଲେ ନାଇଁ, ଚଳିବ । ମୁଁ ଆପଣଙ୍କର କାମ କରିଦେଇଚି ।’ ସେତେବେଳେ ମତେ କିଛି ଉତ୍ତର ପଇଟିଲା ନାହିଁ । ଆଉ ଏଇଟା ସତକଥା ଯେ ମୁଁ ବହୁତ ଅଡ଼ୁଆରେ ପଡ଼ିଗଲି । ମତେ ଚୁପ୍‌ ରହିବା ଦେଖି ଶ୍ରୀମାନ୍‌ କହିଲେ, ‘ଆପଣ ତ ମୋ ଉଦ୍ଦେଶ୍ୟ ବୁଝିପାରିଥିବେ ?’ ମାତ୍ର ଏହା ସତ୍ୟ ଯେ ସେତେବେଳକୁ ମୁଁ ତା’ର ଉଦ୍ଦେଶ୍ୟ ସତକୁ ସତ ବୁଝିଯାଇଥିଲି । ମୋର ନୀରବତା ନିଜକୁ ଏମିତି ଗମ୍ଭୀର ମନେହେଉଥିଲା ଯେ, ଆପଣାଛାଏଁ ମୋ ପାଟିରୁ ବାହାରିପଡ଼ିଲା, ଠିକ୍‌ ଅଛି, ‘ତୁମକୁ ପାଞ୍ଚଟଙ୍କା ମିଳିବ । ବାସ୍‌, ଶ୍ରୀମାନ୍‌ ଖୁସିରେ କହିଲେ ବହୁତ ଦୟା ଆପଣଙ୍କର । ଯେତେବେଳେ ମତେ କିଛି ବକ୍‌ସିସ୍‌ ମିଳିଯାଏ ନା, ମୁଁ ଖୁବ୍‌ ସତର୍କତା ସହ କାମଟା କରିଦିଏ ।’ ବାସ୍‌, ସେଇ ସମୟରୁ ମୋର ଭରସା ତୁଟିଗଲା । ଏବେ ସେଇକଥା ଚିନ୍ତାକରୁଥିଲି ଯେ ଟଙ୍କା ଦେବି କି ନାହିଁ । ତା’ ପୂର୍ବରୁ ଭାବିଲି ଆପଣଙ୍କ ସହିତ କଥାହେବା ଦରକାର ।

 

ମେନେଜର : ଆପଣ ମୋ ପ୍ରତି ବହୁତ ଦୟା କଲେ ଆଜ୍ଞା, ମୁଁ ବହୁତ କୃତଜ୍ଞ ।

 

ମୋଟରବାଲା : ମୁଁ ଠିକ୍‌ କହିପାରିବିନି ଯେ ସେ ଡିପର୍‍ଟା ଏକଦମ୍‌ ନୂଆ ବା ମୋର ପୁରୁଣା ଡିପର୍‍କୁ ସଫାକରି ଯୋଡ଼ିଦିଆଯାଇଛି–ଆଉ ମୋ’ଠାରୁ ତୁଚ୍ଛଟାରେ ପଇସା ଅସୁଲ କରାହେଉଛି ।

 

ମେନେଜର : ବଡ଼ ଅଡ଼ୁଆ କଲା ବେଇମାନଟା । (ଚପରାସିକୁ) ଟିକେ ହରବଂଶକୁ ଡାକ ତ । (ଚପରାସି ଚାଲିଗଲା) ଆଜ୍ଞା ! କୋଉ ଭାଷାରେ ମୁଁ ଆପଣଙ୍କୁ କ୍ଷମା ମାଗିବି ? ଲାଜରେ ମୁଁ ସଢ଼ିଗଲିଣି । ପାଞ୍ଚ-ଛଅ ବର୍ଷ ହେଲା ମୁଁ ଏଇ ଓ୍ୱାର୍କସପ୍‌ର ଚାର୍ଜରେ ଅଛି । ହେଲେ ଆଜ୍ଞା, ଏଇ ପ୍ରଥମଥର ମୁଁ ଲଜ୍ଜାକର ପରିସ୍ଥିତିରେ ପଡ଼ିଛି । ମୋର ଏ କଥା ଉପରେ ଗର୍ବ ଥିଲା ଯେ, ମୋ ମିସ୍ତ୍ରି କେବଳ ହୁସିଆର ନୁହଁନ୍ତି, ସଚ୍ଚୋଟ ମଧ୍ୟ; କିନ୍ତୁ ଏ ବେଇମାନ ମତେ ମାଟିରେ ମିଶେଇଦେଲା । (ହରବଂଶ ପ୍ରବେଶ)

 

ହରବଂଶ : ମତେ ଡାକିଲେ ଆଜ୍ଞା ?

 

ମେନେଜର : ହଁ, ହରବଂଶ ଟିକେ ଦେଖ ତ–ସାହାବଙ୍କ ଗାଡ଼ିରେ ବସନ୍ତରାମ ଯେଉଁ ଡିପର୍‌ ଏବେ ଫିଟ୍‌ କରିଥିଲା, ତାକୁ ଖୋଲି ଆଣ୍‌; କିନ୍ତୁ ଦେଖ, ହୁସିଆରରେ କାମ କରିବ ଯେମିତି ବସନ୍ତରାମ ଜାଣି ନ ପାରିବ । ଜଲ୍‌ଦି ଯା ।

 

ହରବଂଶ : ଖୁବ୍‌ ଶୀଘ୍ର ! ଏବେ ଆଣୁଚି ।

 

ମେନେଜର : ଯାହା କିଛି ଆପଣ ବକ୍‌ସିସ୍‌ ଇତ୍ୟାଦି ବିଷୟରେ କହିଲେ, ଏ ଘଟଣା ତ ତାହାଠାରୁ ବଳି ମୁହଁ କଳାକରିବା କଥା ଜଣାପଡ଼ିଲା । ତା’ର ଆଉ ରକ୍ଷା ନାହିଁ, ଏବେ ତାକୁ ମଜା ଚଖଉଛି ।

 

ମୋଟରବାଲା : ଏବେ ଆପଣ ନିଜେ ଭାବନ୍ତୁ ମେନେଜର ସାହାବ, ଏଇଟା ମୋ’ପାଇଁ କେତେ ବଡ଼ ଅଡ଼ୁଆ କଥା ? ଥରେ ଲାଞ୍ଚ ଦେଇ ସବୁଦିନ ପାଇଁ କ’ଣ ନଜିର ରଖିଯିବି ? ଏ ମିସ୍ତ୍ରି ନିତି ନୂଆ ଫିକର କାଢ଼ିବେ । ମୋ ନିଜକୁ ବଞ୍ଚେଇବାର ଗୋଟାଏ ଉପାୟ ହେଉଚି ମୋତେ ଅନ୍ୟ କୌଣସି ଓ୍ୱାର୍କସପ୍‌କୁ ଯିବାକୁ ହେବ ।

 

ମେନେଜର : ଆପଣ ଏତେ ବ୍ୟସ୍ତ ହୁଅନ୍ତୁନି । ମୁଁ ଏହାର ପୂରା ବ୍ୟବସ୍ଥା କରିବି । ଆପଣ ବିଶ୍ୱାସ ରଖନ୍ତୁ । ଏ ପ୍ରଶ୍ନ କେବଳ ଆପଣଙ୍କର ନୁହେଁ–ମୋର ମଧ୍ୟ । ମୁଁ ଆପଣଙ୍କର ନିର୍ଭୀକତା ଏବଂ ସ୍ପଷ୍ଟବାଦିତା ପାଇଁ ବହୁତ କୃତଜ୍ଞ । କିଏ କହିପାରିବ ଆମର କେତେ ଭଦ୍ର ଗ୍ରାହକ ଏଇ କଥା ପାଇଁ ଆମକୁ ଛାଡ଼ି ନ ଯାଇଥିବେ ? ସାପ ମୁହଁର ଚୁଚୁନ୍ଦ୍ରା ଭଳି କେତେ ଦୁଃଖୀ ହେଇନଥିବେ ସେମାନେ । ମୁଁ ଏ ଅଘଟଣର ଶେଷତକ ଯିବି ।

 

(ହରବଂଶ ଡିପର୍‍ ନେଇ ଆସିଲା)

 

ହରବଂଶ : (ଡିପର୍‍ ଦେଇ) ନିଅନ୍ତୁ ଆଜ୍ଞା ! ମୁଁ ରହିବି ?

 

ମେନେଜର : ନା, ରହିବା ଦରକାର ନାହିଁ । (ହରବଂଶ ଚାଲିଗଲା । ମେନେଜର ଡିପର୍‍କୁ ଧ୍ୟାନପୂର୍ବକ ଦେଖିଲା ।) ଏ ଡିପର୍‍ ନୂଆ ନୁହେଁ; ମାତ୍ର ଦେଖିବାକୁ ନୂଆ ଭଳି ଲାଗୁଚି । ଏହାକୁ ଖୁବ୍‌ ପରିଶ୍ରମ ଓ ହୁସିଆର ସହ ସଫା କରାଯାଇଛି ।

 

ମୋଟରବାଲା : କ’ଣ କହିଲେ ? ଇଏ କ’ଣ ସେଇ ପୁରୁଣା ଡିପର୍‍ ?

 

ମେନେଜର : ଖାଣ୍ଟି କଥା ଯେ, ଇଏ ନୂଆ ନୁହେଁ । ନୂଆଟା ଏତେ ଚକ୍‌ମକ୍‌ ହବନି । (ଦେଖେଇ) ଏଇ ଦେଖନ୍ତୁ । ଦେଖିଲେ, ଦେଖିଲେ, କେମିତି ଚକ୍‌ମକ୍‌ ହଉଚି ? ଏହା କେବଳ ପେଟ୍ରୋଲର କରାମତି । ରଖନ୍ତୁ, ଟିକେ ଖୋଲିକରି ଦେଖିନିଏ । (ଟେବୁଲ୍‍ ଡ୍ରୟାରରୁ ପେଚକସ୍‌ କାଢ଼ି) ଆହା-ହା-ହା, ଏଇଟାର ତ ଗୋଟାଏ ପାର୍ଟ ବି ନୂଆ ନୁହେଁ ।

 

ମୋଟରବାଲା : ତେବେ ସେ ତ ମୋତେ ଭଲ ହାତ ଦେଖେଇଲା ।

 

ମେନେଜର : ରହନ୍ତୁ, ତାକୁ ମଧ୍ୟ ନିଜ କର୍ମ ଭୋଗିବାକୁ ପଡ଼ିଲେ ମଜା ଆସିବ । ସବୁ ଚାଲାକି ଧରାପଡ଼ିବ । (ଚପରାସିକୁ) ଭାଇ ବସନ୍ତରାମକୁ ଡାକ ତ !

 

ଚପରାସି : ଡାକିଦଉଚି ହଜୁର !

 

ମୋଟରବାଲା : ଯଦି ତା’ ସହିତ ପୃଥକ୍‌ଭାବେ ଆପଣଙ୍କର ଏକୁଟିଆ କଥାବାର୍ତ୍ତା କରିବାକୁ ଥାଏ ତ ମୁଁ ଏଠୁ ଦୂରକୁ ଚାଲିଯାଉଚି ?

 

ମେନେଜର : ନା ନା, ଆପଣ କାହିଁକି ଯିବେ ? ସବୁ କଥା ତ ଆପଣଙ୍କ ଆଗରେ ହବ-

 

ମୋଟରବାଲା : କ’ଣ ଆଗରୁ ଏମିତି କିଛି ଘଟଣା ଘଟିଥିଲା କି ମେନେଜର ସାହାବ-?

 

ମେନେଜର : ହେଇଥାଇପାରେ, ହେଇଥିବ; କିନ୍ତୁ ମୋ ଜାଣତକୁ ଆସିନଥିଲା । ମୁଁ ତ ଆଜ୍ଞା, ଏ ଓ୍ୱାର୍କସପ୍‌ର ସଚ୍ଚୋଟତା ଓ ଭଲ କାମର ନମୁନା ଝୁଲାଇବାକୁ ଚାହେଁ । କିନ୍ତୁ ଏ ବେଇମାନ ତ ମୋର ସବୁ କଲା କର୍ମକୁ ପାଣିରେ ପକେଇଦେଲା ।

 

(ବସନ୍ତରାମର ପ୍ରବେଶ)

 

ମେନେଜର : (କ୍ରୋଧଭରା ସ୍ୱରରେ) ତୋ ବିରୁଦ୍ଧରେ ଅଭିଯୋଗ ଆସିଛି ।

 

ବସନ୍ତରାମ : ହଁ ଆଜ୍ଞା !

 

ମେନେଜର : ହଁ ଆଜ୍ଞା ? ହଁ ଆଜ୍ଞା ମାନେ କ’ଣ ? ତୁ କେମିତି ଜାଣିଲୁ ?

 

ବସନ୍ତରାମ : ହରବଂଶ ଗାଡ଼ିରୁ ଡିପର୍‍ କାଢ଼ିବା ମୁଁ ଦେଖିଥିଲି । (ମୋଟର ମାଲିକ ଆଡ଼କୁ ଇସାରା କରି) ଆଉ ଆପଣ ତ ପୁଣି ଏଠି ଅଛନ୍ତି ।

 

ମେନେଜର : ତୋର କିଛି କହିବାର ଅଛି ?

 

ବସନ୍ତରାମ : କିଛି ନାଇଁ ।

 

ମେନେଜର : କିଛି ନାଇଁ ? କିଛି ନାଇଁ ମାନେ ?

 

ବସନ୍ତରାମ : ଆଜ୍ଞା ମତେ ଜଣା ନାହିଁ, ମୋର ଦୋଷ କ’ଣ ? କ’ଣ କହିବି ?

 

ମେନେଜର : ତେବେ ତୁ କ’ଣ ଜାଣୁନା ଯେ ତୋତେ କାହିଁକି ଖୋଜା ପଡ଼ିଲା ? ଭାରି ଅଜଣା ହେଇ ଯାଉଚୁ ତ ?

 

ବସନ୍ତରାମ : ମହାଶୟ, ମୋର ଭାଗ୍ୟଦୋଷରୁ ତ ଅଭିଯୋଗ ହୋଇଛି; କିନ୍ତୁ ଦୋଷଟା କ’ଣ ଜାଣିପାରିଲି ନାହିଁ ।

 

ମାନେଜର : ରହ, ମୋ ପ୍ରଶ୍ନର ଉତ୍ତର ଦେ । ତାଙ୍କ ଗାଡ଼ିର ଡିପର୍‍ ତୁ ଫିଟ୍‌ କରିଥିଲୁ ନା ?

 

ବସନ୍ତରାମ : ହଁ ଆଜ୍ଞା, ମୁଁ କରିଥିଲି ।

 

ମେନେଜର : ଡିପର୍‍ ୟାଙ୍କରି ତ ?

 

 

ବସନ୍ତରାମ : ଆଜ୍ଞା, ତାଙ୍କରି ଗାଡ଼ିରୁ ନେଇଥିଲି–ତାଙ୍କରି ହେଇଥିବ ।

 

ମେନେଜର : ଦେଖ ବସନ୍ତରାମ, ଏ ଚାଲାକି ରଖ । ଅନ୍ୟ କୋଉଠି ଦେଖେଇବୁ । ସିଧା କଥା କହ ।

 

ବସନ୍ତରାମ : ହତଭାଗାଙ୍କ ପାଇଁ ସବୁବେଳେ ଏକାଭଳି ଆଜ୍ଞା !

 

ମେନେଜର : ହତଭାଗାଙ୍କ କାନ୍ଦଣା କାନ୍ଦିବା ପାଇଁ ଅନ୍ୟ ବହୁତ ସୁଯୋଗ ଅଛି । ବର୍ତ୍ତମାନ ସଫାସଫା କହ, ଏ ଡିପର୍‍ ତାଙ୍କର କି ନୁହେଁ ? କ’ଣ ନୂଆ କି ?

 

ବସନ୍ତରାମ : ତାଙ୍କର ନୂଆ କୁଆଡ଼ୁ ଆସିଲା ?

 

ମେନେଜର : ତା’ହେଲେ ତୁ କାହିଁକି କହିଲୁ ଯେ ଏ ଡିପର୍‍ ନୂଆ ବୋଲି ?

 

ବସନ୍ତରାମ : ମହାଶୟ, ମୁଁ ଏକଥା କେତେବେଳେ କହିଲି ? ମୁଁ ତ କହିଦେଇଛି ଯେ, ଡିପର୍‍ ତାଙ୍କରି ଗାଡ଼ିରୁ ନେଇଛି । ତାଙ୍କରି ହେଇଥିବ ।

 

ମେନେଜର : ଏକଥା ତ ତୁ ଏବେ କହୁଛୁ । ମୁଁ ପଚାରୁଚି, ତୁ ତାଙ୍କୁ ଡିପର୍‍ ବିଷୟରେ କ’ଣ କହିଥିଲୁ ?

 

ବସନ୍ତରାମ : ଏଇୟା ଯେ, ମହାଶୟଙ୍କ ଡିପର୍‍ ବହୁତ ଖରାପ ହୋଇଯାଇଥିଲା–ଯାହାକୁ ପରିଶ୍ରମ କରି ମୁଁ ନୂଆ ଭଳି ତିଆରି କରିଦେଇଛି । କ’ଣ ଆଜ୍ଞା, ଏଇୟା କହିଥିଲି ନା ?

 

ମୋଟରବାଲା : ମିଛ, ଖାଣ୍ଟି ମିଛ । ତମେ ତ କହିଥିଲ, ଡିପର୍‍ ପୂରାପୂରି ନଷ୍ଟ ହୋଇଯାଇଥିଲା । ତାକୁ ଅଳିଆଗଦାକୁ ପକେଇ ଦିଆଗଲା ଏବଂ ତା’ ଜାଗାରେ ନୂଆ ଲଗେଇ ଦିଆଗଲା ।

 

ବସନ୍ତରାମ : ମହାଶୟ, ଆପଣ ହେଲେ ବଡ଼ଲୋକ । ମୁଁ ରାଗିକରି ଗୋଟିଏ ହେଲେ ଶବ୍ଦ ପାଟିରୁ ବାହାର କରିପାରିବି ନାହିଁ । ଅସଲ କଥା ହେଉଛି, ଆପଣ କିଛି ଭୁଲ୍‌ ବୁଝିଛନ୍ତି ।

 

ମୋଟରବାଲା : (ରାଗରେ ବିଗିଡ଼ିଉଠି) ତା’ ମାନେ ମୁଁ ଯାହା କିଛି ଶୁଣିଛି, ଭୁଲ୍‌ ଶୁଣିଛି–ଆଉ ଯାହା କିଛି ବୁଝିଛି, ଭୁଲ୍‌ ବୁଝିଛି । ମୋଟକଥା ମୋର ହୋସର ଠିକଣା ନାହିଁ । ମୋର ମୁଣ୍ଡ ଖରାପ ହୋଇଯାଇଛି ।

 

ବସନ୍ତରାମ : ନା ଆଜ୍ଞା, ନା । ଦୋଷ କ୍ଷମା କରିବେ; କିନ୍ତୁ ଆପଣଙ୍କର ଭୁଲ୍‌ ବୁଝାମଣା ନିଶ୍ଚୟ ହେଇଚି ।

 

ମୋଟରବାଲା : (ବ୍ୟଙ୍ଗକରି) ଆଉରି ତମେ ଏକଥା ବୋଧେ ନିଶ୍ଚୟ କହିବ ଯେ, ତମେ ଯୋଉ ବକ୍‌ସିସ୍‌ ମାଗିଥିଲ, ତାହା ମଧ୍ୟ ମୋର.....

 

ବସନ୍ତରାମ : (କଥା କାଟିକରି) ହଁ ମହାଶୟ, ତାହା ଭୁଲ୍‌ ବୁଝାମଣା । ମୁଁ ତ କିଛି ବକ୍‌ସିସ୍‌-ଫକ୍‌ସିସ୍‌ ମାଗିନାହିଁ । ବରଂ ଆପଣ ନିଜେ କହିଲେ, ଯଦି ନୂଆ ଡିପର୍‍ ଲାଗିବ, ତେବେ କେତେ ଭଲ ହେବ । ମୁଁ ବିନୟ ସହକାରେ କହିଥିଲି, ନୂଆ ଡିପର୍‍ର ମୂଲ୍ୟ 9-10 ଟଙ୍କା ହେବ । ତା’ପରେ ଆପଣ କହିଥିଲେ ନା ଭାଇ, ଦି’ଚାରିଟଙ୍କାରେ ଯଦି ମୋ କାମ ହେଇଯିବ ତ ଠିକ୍‌ ହେବ-। (ଟିକିଏ ବ୍ୟଙ୍ଗ ମୁଦ୍ରାରେ) ଏବଂ ମହାଶୟ, ତା’ପରେ ମୁଁ ଏଇୟା କହିଥିଲି ନା-। ତା’ ହେଇପାରିବନି । ଆପଣ ବିରକ୍ତ ହେଇ ଚାଲିଆସିଲେ ଏବଂ ମୋ ବିରୁଦ୍ଧରେ ଫେରାଦ ହେଇପଡ଼ିଲେ ।

 

ମୋଟରବାଲା : ଆଶ୍ଚର୍ଯ୍ୟ କଥା, ଆଶ୍ଚର୍ଯ୍ୟ କଥା ! ଇଏ ମୁଁ କ’ଣ ଶୁଣୁଚି ? ମୁଁ ଜାଗି ରହିଚି ନା ସପନ ଦେଖୁଚି ?

 

ବସନ୍ତରାମ : ମୋର ମନେହେଉଛି, ଆପଣ ସପନ ଦେଖୁଛନ୍ତି ।

 

ମେନେଜର : ଚୁପ୍‌କର । ବଜ୍ଜାତ୍‌, ବେହିଆ ! (ମୋଟର ମାଲିକକୁ) ଆପଣ ବିବ୍ରତ ହୁଅନ୍ତୁନି ସାର୍‌–ମୁଁ ଏ ବେଇମାନକୁ ସାବାଡ଼ କରିଦେବି ।

 

ମୋଟରବାଲା : ତା’ ବି ଠିକ୍‌ । ମଣିଷ ମହରଗରୁ ଆସି କାନ୍ତାରରେ ପଡ଼ିଲା । ଦୋଷ ଉପରେ ଦୋଷ ମୋ ମୁଣ୍ଡରେ ଲଦି ଦିଆଯାଉଛି । ଚୋର ଓଲଟା କଟୁଆଳକୁ ଧମକାଉଚି । ଆଉରି ଏଯାଏ ବଲବ୍‌ କାହାଣୀ ତ ମୁଁ ଶୁଣେଇନି ମେନେଜର ସାହାବ । ଆପଣ ବି ମତେ କ’ଣ ଭାବିଥିବେ ?

 

ମେନେଜର : ଏଇୟା, ଆପଣ ଜଣେ ଖାଣ୍ଟି ଭଦ୍ରଲୋକ–ଆଉ ଏ ବେଇମାନ ନିର୍ଲ୍ଲଜ ଆପଣଙ୍କୁ ବହୁତ ହଇରାଣ କରିଚି; ଆପଣଙ୍କୁ ଅପମାନିତ କରିଚି । ମୁଁ ବଡ଼ ଲଜ୍ଜିତ ଆଜ୍ଞା ! ଆପଣ ବଲବ୍‌ କଥା କୁହନ୍ତୁ ନା ।

 

ମୋଟରବାଲା : ଶୁଣେଇ ତ ଦେବି; କିନ୍ତୁ କିଏ ଜାଣେ ଇଏ କୋଉ ନୂଆ ବିପଦ ମୋ ମୁଣ୍ଡରେ ଆଣି ଲଦି ନ ଦବ । ମୋର ଏଭଳି ପକ୍‌କା ବଦମାସ୍‌ ଲୋକ ସାଙ୍ଗରେ କେବେ ଭେଟ ହେଇନଥିଲା । କଥା କଥାକେ ମତେ ମିଛୁଆ କରିଦଉଚି ।

 

ମେନେଜର : ଆପଣ କୁହନ୍ତୁ ସାର୍‌ ! ତା’ କଥାକୁ ଟିକିଏ ହେଲେ ଖାତିର୍‌ କରନ୍ତୁ ନାହିଁ-

 

ମୋଟରବାଲା : କଥା କ’ଣ କି, ଏ ମିସ୍ତ୍ରି ମହୋଦୟ ଆଦେଶଦେଲେ ଯେ ମୋ ଗାଡ଼ିର ବଲବ୍‌ ସଢ଼ି ଯାଇଛି–ନୂଆ କିଣିବାକୁ ପଡ଼ିବ । ନହେଲେ ଡିପର୍‍ ଲଗାଇବାର କିଛି ଲାଭ ମିଳିବନି-

 

ମେନେଜର : ଇଏ ତ ସତ କଥା ।

 

ମୋଟରବାଲା : ହଁ; କିନ୍ତୁ ଆପଣଙ୍କୁ ଶସ୍ତାରେ ଯୋଗାଡ଼ କରିଦେବି ।

 

ମେନେଜର : ଓହୋ, କେଉଁଠୁ ?

 

ବସନ୍ତରାମ : ମୋ ବୋପାଘରୁ । କି ସୁନ୍ଦର ଚାଲ୍‌ ଗଢ଼ା ହେଇଚି ।

 

ମେନେଜର : ଭାଇ ବସନ୍ତରାମ, କହ–ଇଏ କି କଥା ?

 

ବସନ୍ତରାମ : କଥା ହେଲା ଛେନାଗୁଡ଼ । ବିଲ୍‌କୁଲ ଆକାଶିଆ କଥା । ମତେ ବରବାଦ କରିବା ବିଚାର ଛଡ଼ା ଆଉ କ’ଣ ?

 

ମୋଟରବାଲା : ଶୁଣିଲେ ନା ମେନେଜର ସାହାବ ! ମୁଁ ବେଜିତ୍‌ ହେବାର ଯାହା ବାକି ରହିଯାଇଥିଲା, ତାହା ବି ସେ ପୂରା କରିଦେଲା । ମତେ ମିଛୁଆ, ବେଇମାନ, ଠକ, ଅତ୍ୟାଚାରୀ–ସବୁ କିଛି ତ କହିଦେଲା ?

 

ବସନ୍ତରାମ : (ନିଜ କଥା କହିବା ଲାଗି ବିସ୍ମୟ ପ୍ରକାଶ କରି) ଆପଣ ତ ଆଜ୍ଞା ତୁଚ୍ଛାକୁ ନିଆଁବାଣ ହେଇଯାଉଛନ୍ତି । ମୁଁ ତ ଆପଣଙ୍କୁ ବେଇଜ୍ଜତ କଲାଭଳି ଗୋଟିଏ ହେଲେ ଶବ୍ଦ କହିନାହିଁ-

 

ମୋଟରବାଲା : ବହୁତ ହେଇଗଲା, ବହୁତ ହେଇଗଲା । ହେ ଭଗବାନ ! ଗୁରୁ, ମୁଁ ହାରିଗଳି–ତୁ ଜିତିଗଲୁ, ବାସ୍‌ !

 

ମେନେଜର : ଚୁପ୍‌ରହ ବଜ୍ଜାତ୍‌ ! ମୁହଁରେ ବାଡ଼ବତା ଦେ ।

 

ବସନ୍ତରାମ : ତା’ହେଲେ ଠିକ୍‌ ଅଛି–ଚୁପ୍‌ ରହୁଚି ।

 

ମେନେଜର : ନା–ନା, ଏ ମହାଶୟ ତୋ ଉପରେ ଯେଉଁ ଦୋଷ ଆରୋପ କରିଛନ୍ତି, ତୁ କ’ଣ ସେସବୁ ମାନି ନେଉଚୁ ? ସ୍ୱୀକାର କରୁଚୁ ?

 

ବସନ୍ତରାମ : ଆଜ୍ଞା, ମୁଁ କେମିତି ଭଲା ମାନିପାରିବି ?

 

ମେନେଜର : ତା’ହେଲେ ତୁ ନିର୍ଦୋଷ ?

 

ବସନ୍ତରାମ : ପୂରାପୂରି ।

 

ମେନେଜର : ଦେଖ, ସବୁକଥା ଠିକ୍-ଠିକ୍‌ କହି ଦେ ।

 

ବସନ୍ତରାମ : ତା’ ମାନେ ମିଛଟାକୁ ମୁଁ ମାନିନେବି ଏବଂ କ୍ଷମା ମାଗିବି–ଏଇୟା ତ ?

 

ମୋଟରବାଲା : ଦେଖିଲେ, ସେ କେମିତି ଓଲଟା ଜବାବ ଦଉଚି ?

 

ମେନେଜର : ବସନ୍ତରାମ ! ପଛରେ ପୁଣି କହିବୁନି ଯେ ମତେ ସତକଥା କହିବାକୁ ସୁଯୋଗ ଦିଆଗଲାନି । (ମୋଟରବାଲାକୁ)–ଆପଣ ଦୟାକରି ଅଭିଯୋଗ ଲେଖିଦିଅନ୍ତୁ, ଯାହାକି ତା’ ଫାଇଲରେ ରହିଯିବ । ତା’ରି ଉପରେ ମୁଁ ମୋ ଅର୍ଡ଼ର ଲେଖିଦେବି । (ବସନ୍ତରାମ ପ୍ରତି) ତୁ କିଛି ଲେଖିକରି ବୟାନ୍‌ ଦେବାକୁ ଚାହୁଁ କି ?

 

ବସନ୍ତରାମ : ନା ଆଜ୍ଞା !

 

ମେନେଜର : ତା’ହେଲେ ଆଉ କିଛି କହିବୁ ?

 

ବସନ୍ତରାମ : ନା ।

 

ମେନେଜର : ଠିକ୍‌ ଅଛି । ଯା’ କାମ କର ।

 

ବସନ୍ତରାମ : ନମସ୍କାର । (ମୋଟର ମାଲିକକୁ) ନମସ୍କାର ।

 

(ବସନ୍ତରାମ ଚାଲିଗଲା । ମୋଟର ମାଲିକ ପକେଟରୁ କଲମ ବାହାର କରି ଅଭିଯୋଗ ଲେଖିଲେ । ଷ୍ଟେଜ୍‌ ବାହାରୁ ସ୍ୱର ସବୁ ଶୁଣାଗଲା)

 

୧ମସ୍ୱର : ବସନ୍ତରାମ !

 

୨ୟସ୍ୱର : ବସନ୍ତରାମ !

 

୩ୟସ୍ୱର : ଆରେ ଦୋସ୍ତ, ଏ କି ପାଟିତୁଣ୍ଡ ହଉଥିଲା ?

 

ବସନ୍ତରାମ : କିଛି ନାଇଁ ।

 

୪ର୍ଥସ୍ୱର : ନା, ମେନେଜର ସାହାବ ତ ବହୁତ ଗର୍ଜୁଥିଲେ ।

 

୫ମସ୍ୱର : ଡରନା ମ ! ଗରଜିଲା ମେଘ ବରଷେନାହିଁ ।

 

୧ମସ୍ୱର : ବସନ୍ତରାମ ! ପ୍ରକୃତରେ କଥା କ’ଣ ?

 

ବସନ୍ତରାମ : କିଛି ନାଇଁ । ତମେ ସବୁ ନିଜ ନିଜ କାମ କର ।

 

ମୋଟରବାଲା : (ଅଭିଯୋଗପତ୍ର ଦେଇ) ଏବେ ତମେ ଜାଣ, ତମର କାମ ଜାଣୁ । ଏଇ ନିଅନ୍ତୁ । ମୁଁ ତ ନିଷ୍ପତ୍ତି କରିନେଲି ଯେ.....

 

ମେନେଜର : (କଥା କାଟିକରି) ମୁଁ ବୁଝୁଚି ଯେ, ଆପଣଙ୍କ ମନରେ କି ଭାବନା ଆସୁଥିବ; କିନ୍ତୁ ମୋର ଅନୁରୋଧ, ଆପଣ ହଠାତ୍‌ କିଛି ନିର୍ଣ୍ଣୟ କରନ୍ତୁନି । ଆପଣଙ୍କୁ ସବୁ ପ୍ରକାରେ ଖୁସି କରିଦିଆଯିବ । ଆମେ ଆପଣଙ୍କୁ ତ ବିରକ୍ତ କରିପାରିବୁନି ।

 

(ମୋଟର ମାଲିକର ପତ୍ନୀଙ୍କ ପ୍ରବେଶ । ହାତରେ ଦୁଇତିନିଟା ପ୍ୟାକେଟ୍‌ ଧରି ଆସିଛନ୍ତି ।)

 

ପତ୍ନୀ : କ’ଣ ମ ! ତମେ ତ ବହୁତ ଡେରି କରିଦେଲ । ଗାଡ଼ି ଏଯାଏ ହେଇନି ନା କ’ଣ-? ମୋର ମାର୍କେଟିଂ ତ ସରିଗଲାଣି ।

 

ମୋଟରବାଲା : ମେନେଜର ସାହାବ, ଏବେ ଅନୁମତି ଦିଅନ୍ତୁ । ବହୁତ ସମୟ ହେଇ ଗଲାଣି ।

 

ମେନେଜର : ହଁ–ହଁ, ବାସ୍ତବିକ ସମୟ ତ ବହୁତ ହେଇଗଲାଣି । ଦୟାକରି ଆପଣ ଯଦି ଆଉ ଦି’ ମିନିଟ୍‌ ବସନ୍ତେ ନା, ମୁଁ ବହୁତ କୃତଜ୍ଞ ହୁଅନ୍ତି ! ବିବିଜୀ, ଆପଣ ମଧ୍ୟ ଟିକେ ବସନ୍ତୁ । (ମିନତିକରି) କେବଳ ଦି’ ମିନିଟ ପାଇଁ ।

 

ମୋଟରବାଲା : ଶୁଣନ୍ତୁ, ମୁଁ ବହୁତ ବିବ୍ରତ ହୋଇ ସାରିଲିଣି । ଏବେ ଦୟାକରି ମତେ ଯିବାକୁ ଦିଅନ୍ତୁ ।

 

ପତ୍ନୀ : ଗାଡ଼ି କ’ଣ ଏଯାଏ ଠିକ୍‌ ହେଇନି ?

 

ମେନେଜର : ଠିକ୍‌ ହେଇଯାଇଚି ବିବିଜୀ–ବିଲ୍‌କୁଲ୍‌ ଠିକ୍‌ ହେଇଯାଇଚି । (ମୋଟର ମାଲିକ ପ୍ରତି) ବସନ୍ତରାମ ବିଷୟରେ ଆପଣ ମୋ ନିଷ୍ପତ୍ତି ଶୁଣିକରି ଯିବେ ।

 

ମୋଟରବାଲା : କ୍ଷମା କରିବେ, ଆମେ ଟିକେ ତରତର ଅଛୁ ।

 

ମେନେଜର : ଏଇ ହେଇଗଲା । (ଚପରାସିକୁ) ଶୁଣ୍‌, ଟିକେ ବସନ୍ତରାମକୁ ଡାକି ଆଣ-! ଆଜ୍ଞା, ମୁଁ ଗୋଟିଏ ମିନିଟରେ ଫଇସଲା ଶୁଣେଇ ଦଉଚି । (ବସନ୍ତରାମର ପ୍ରବେଶ) ବସନ୍ତରାମ, ତୁ ବହୁତ ବଡ଼ ଦୋଷ କରିଚୁ । ଆମର ଏତେ ବଡ଼ ପ୍ରତିଷ୍ଠିତ ଗ୍ରାହକଙ୍କୁ ଧୋକ୍‌କା ଦେଇଚୁ । ଶୂନ୍ୟଟାରେ ତୁ ତାଙ୍କଠାରୁ ପଇସା ଝଡ଼େଇବାକୁ ଚେଷ୍ଟାକରି କେବଳ ନିଜ ବେଇମାନୀର ପରିଚୟ ଦେଇଚୁ–ମୋ ମୁଣ୍ଡରେ ବି କଳଙ୍କ ବୋଳିଦେଇଚୁ । ତତେ ବର୍ତ୍ତମାନ ଡିସ୍‌ମିସ୍‌ କରାଗଲା । ଶୁଣିଲୁ ?

 

ବସନ୍ତରାମ : (ଆଶ୍ଚର୍ଯ୍ୟ ସହକାରେ) ଡିସ୍‌ମିସ୍‌..... ଡିସ୍‌ମିସ୍‌ !!

 

ମେନେଜର : ହଁ, ଡିସ୍‌ମିସ୍‍ । ତୋ ଭଳି ମିସ୍ତ୍ରିଙ୍କୁ ଚାକିରିରେ ରଖିବାଟା ନିଜ ଗ୍ରାହକଙ୍କ ପ୍ରତି ଅତ୍ୟାଚାର କରିବା ସଙ୍ଗେ ସମାନ । ବୁଝିଲୁ ?

 

ବସନ୍ତରାମ : କିନ୍ତୁ ଆଜ୍ଞା, ସେ କହୁଥିବା ଅପରାଧକୁ ମୁଁ ଅସ୍ୱୀକାର କରୁଚି ।

 

ମେନେଜର : କରିବୁ । ତୁ ଭଲା ସ୍ୱୀକାର କେମିତି କରିବୁ ?

 

ବସନ୍ତରାମ : ମୁଁ ସ୍ୱୀକାର କରୁଚି ଆଜ୍ଞା, ସ୍ୱୀକାର କରୁଚି । ଏବେ ଲୁଚାଇବାର ଚେଷ୍ଟା ବୃଥା ।

 

ମେନେଜର : (ଆଶ୍ଚର୍ଯ୍ୟ ସହ) ତୁ ନିଜ ଦୋଷ ସ୍ୱୀକାର କରୁଛୁ ? ତୁ ପ୍ରକୃତରେ ଧୋକ୍‌କା ଦେଇଚୁ ? –ମିଛ କହିଚୁ ?

 

ବସନ୍ତରାମ : ହଁ ଆଜ୍ଞା, ମୁଁ ଧୋକ୍‌କା ଦେଇଚି–ମିଛ କହିଚି ।

 

ମେନେଜର : ସତ ସତ କହିଯା, ତୁ କ’ଣ ପ୍ରଥମେ ମିଛ କହିଥିଲୁ ?

 

ବସନ୍ତରାମ : ସତ କହୁଚି, ମୁଁ ପ୍ରଥମେ ମିଛ କହିଥିଲି । (ମୋଟର ମାଲିକ ଆଡ଼କୁ ନିର୍ଦ୍ଦେଶ କରି) ଏ ମହାଶୟ ଯାହା କିଛି ମୋ ବିଷୟରେ କହିଛନ୍ତି, ଗୋଟି ଗୋଟି ଶବ୍ଦ ଠିକ୍‌ । ଆଉ ମୁଁ ଯାହା କିଛି କହିଛି, ସେସବୁ ପୂରାପୂରି ଭୁଲ୍‌ ।

 

ସମସ୍ତେ : କ’ଣ ?

 

ମେନେଜର : ତୁ ଏ କ’ଣ କହୁଚୁ ? ମତେ ପୁଣି ମିଛ ଶୁଣୋଉଚୁ ?

 

ବସନ୍ତରାମ : ନା ଆଜ୍ଞା, ସତ କହୁଚି । ଯାହା କିଛି ମୁଁ ପ୍ରଥମେ କହିଥିଲି, ତାହା ମିଛ ।

 

ମୋଟରବାଲା : ସତକଥା କୋଉଠି ଲୁଚି ରହିପାରିବ ?

 

ମେନେଜର : ବଦମାସ୍‌ ! କହ, ପ୍ରଥମେ ତୁ ଯାହା କହିଥିଲୁ ତାହା ସତ । ସେସବୁ ମିଛ ନୁହେଁ !

 

ବସନ୍ତରାମ : ଆଜ୍ଞା, ଆପଣ ତ ଡିସ୍‌ମିସ୍‌ କରିଦେଲେଣି । ଏବେ କାହିଁକି ଆଉ ଡରିକରି ସତକୁ ମିଛ ବୋଲି କହିବି ବା ମିଛକୁ ସତ ବୋଲି କହିବି ?

 

ମୋଟରବାଲା : ମେନେଜର ସାହାବ ! ମୁଁ ଆପଣଙ୍କର ଏ ରହସ୍ୟ ବୁଝିପାରୁନାହିଁ । ଆପଣ କେଉଁଥିପାଇଁ ମିଛକୁ ସତ ବୋଲି ଶୁଣିବାକୁ ଚାହୁଁଛନ୍ତି । ଅର୍ଥାତ୍‌ ଆପଣ ମତେ ମିଛୁଆ ପ୍ରମାଣ କରିବାକୁ ଚାହୁଁଛନ୍ତି ?

 

ମେନେଜର : ନା ମହାଶୟ, କଦାପି ନୁହେଁ । କଥା କ’ଣ କି, ମୁଁ ଏହାର ବୟାନକୁ ଏତେ ପରିମାଣରେ ମିଛ ମଣିନଥିଲି । ମୋର ବିଶ୍ୱାସ ଥିଲା ଯେ, ନିଶ୍ଚୟ କିଛି ନା କିଛି ଭୁଲ୍‌ ବୁଝାମଣା ହୋଇଛି । ଆଉ ନିଜ ପଟରୁ ଆପଣ ଦୁହେଁ ହିଁ ସତ କହିବେ ।

 

ମୋଟରବାଲା : ତମେ ତ ମତେ ବେଶ୍‌ ହାତ ଦେଖେଇଲ । ଗୋଟାଏ ଖୁବ୍‌ ଭଲ ଖେଳ ଜମେଇଦେଲ ଏବଂ ଭଲଭାବରେ ମଜା ମାଇଲ ।

 

ମେନେଜର : କ୍ଷମା ମାଗୁଚି ହଜୁର ! ଏ କଥା କଦାପି ନୁହେଁ । ମୁଁ ଆପଣଙ୍କୁ ବହୁତ ସମ୍ମାନ କରେ । ଆମ କାରଖାନା ଆପଣମାନଙ୍କ ଯୋଗୁଁ ତ ଚଳୁଚି; କିନ୍ତୁ ବ୍ୟବସାୟ ଭାରି କଠିଣ କଥା ।

 

ପତ୍ନୀ : ଆପଣ ବହୁତ ଚାଲାକ ମେନେଜର ସାହାବ !

 

ମୋଟରବାଲା : ତୁମ ଚାଲ୍‌ ମତେ ଏକବାରେ ଲଜ୍ଜିତ କରିଦେଲା ।

 

ମେନେଜର : (ହସିକରି) ଆପଣ ଟିକିଏ ହେଲେ ଚିନ୍ତାକରନ୍ତୁନି । ମୁଁ ତ ସବୁବେଳେ ଆପଣଙ୍କ ସେବାରେ ।

 

ମୋଟରବାଲା : ରିପୋର୍ଟ-ଫିପୋର୍ଟ କରିବା ସବୁ ବେକାର କଥା । ଚୁପ୍‌ ରହି ଗାଡ଼ି ଅନ୍ୟ କୋଉ ଓ୍ୱାର୍କସପ୍‌କୁ ନେଇ ଯାଇଥିଲେ ଠିକ୍‌ ହୋଇଥାଆନ୍ତା ।

 

ମେନେଜର : ସେ କଥାର ନାଁ ମୁହଁରେ ଧରନ୍ତୁ ନାହିଁ ମାଲିକ୍‌ ! ହଁ, ମୋ’ପାଇଁ ଆଉ ଟିକିଏ ଅପେକ୍ଷା କରନ୍ତୁ । ଦେଖିବେ ଏ ସମସ୍ୟାର ଶେଷ କେଉଁଠି ହେଉଚି ।

 

ମୋଟରବାଲା : ଏବେ ତ ଦି’ପଇସାର ମୁଣ୍ଡ ଏ ମିସ୍ତ୍ରି ଆଗରେ ମୋର ମହତ ବାଟରେ ପକେଇଦେଲେ । ପୁଣି.....

 

ମେନେଜର : ନା ମହାଶୟ, ଏବେ ସୁଦ୍ଧା ଆପଣ ଏହାର ଶେଷ ଦେଖିନାହାନ୍ତି । ‘ମୂଳୁ ମାଇଲେ ଯିବ ସରି, ଦେବଙ୍କ ସଙ୍ଗେ କିମ୍ପା କଳି ?’

 

ବସନ୍ତରାମ : ତା’ହେଲେ ମତେ କ’ଣ ଏଭଳି ମାରିଦେବେ ?

 

ମେନେଜର : ନା, ତୁ ଯେଉଁ ଦଣ୍ଡର ଅଧିକାରୀ ତତେ ସେଇ ଦଣ୍ଡ ଦିଆଯିବ । ତତେ ଡିସ୍‌ମିସ୍‌ କରାଯିବ ।

 

ବସନ୍ତରାମ : ସତ କହିବି ନା ମିଛ କହିବି । ସବୁ କଥାରେ ତ ଡିସ୍‌ମିସ୍‌ । ଭଗବାନଙ୍କ ବରାଦ ।

 

ମୋଟରବାଲା : ନା, ଦି’ଚାରି ଦିନ ପରେ ସେ ତମକୁ ମାଫ୍‌ କରିଦେବେ ।

 

ମେନେଜର : ନା ମହାଶୟ ! ଏହା ମୋର କଡ଼ା ହୁକୁମ ।

 

ମୋଟରବାଲା : (କଥାରେ କଥା ଯୋଡ଼ି) ବା କୌଣସି ଏକ ଚାଲ୍‌ ।

 

ମେନେଜର : (ହସିକରି) ମୁଁ ବରଂ ମିଛୁଆ ହୁଏ; ମାତ୍ର ଆପଣ ମତେ ଏତେ ଅବିଶ୍ୱାସ କରନ୍ତୁନି । ପ୍ରଥମେ ପ୍ରଥମେ ତା’ ବେଇମାନୀ ଓ ମିଥ୍ୟା ଉପରେ ମୋର ପୂରା ବିଶ୍ୱାସ ନଥିଲା । ସେ ଯାହାହେଉ, ମୋର ଏ ଫଇସଲା ପଥରରେ ଗାର ଭଳି ଅପରିବର୍ତ୍ତିତ । କାରଣ ସେ ନିଜେ ତା’ର ମିଥ୍ୟାଚାର ଓ ଅପରାଧକୁ ମାନିନେଲାଣି । ବର୍ତ୍ତମାନ ଚିନ୍ତାର ଅବକାଶ ନାହିଁ । ଏଭଳି ବେଇମାନ କାରିଗରଙ୍କ ପାଇଁ ଆମ କାରଖାନାରେ ଆଦୌ ସ୍ଥାନ ନାହିଁ ।

 

ମୋଟରବାଲା : ହଉ ନମସ୍କାର । ଆମକୁ ଯିବାକୁ ଦିଅ । (ପତ୍ନୀକୁ) ଆସ ଯିବା ।

 

ମେନେଜର : ଟିକିଏ ରୁହନ୍ତୁ । (ଚପରାସିକୁ) ତୁ ଯାଇ ଦି’ଟା ବିମଟୋ ଆଣ ତ ଶୀଘ୍ର ।

 

ବସନ୍ତରାମ : କ’ଣ ଆଜ୍ଞା, ଏଥର ଆପଣଙ୍କ ମନ ଥଣ୍ଡା ହେଲା ତ ?

 

ମୋଟରବାଲା : ମେନେଜର ସାହାବ ! ମୁଁ ଏଭଳି କଥା ଶୁଣିବାକୁ ଅପେକ୍ଷା କରିପାରିବିନି ।

 

ବସନ୍ତରାମ : (ଟିକିଏ ରାଗିଯାଇ) ଆପଣଙ୍କୁ ରହିବାକୁ ହେବ–ମୋର ବହୁତ କିଛି କହିବାର ଅଛି ।

 

ମେନେଜର : ଖବରଦାର, ଚୁପ୍‌ରହ ।

 

ବସନ୍ତରାମ : ଚୁପ୍‌ ରହିବି ? ଡିସ୍‌ମିସ୍‌ କରିସାରି ମତେ ଚୁପ୍‌ ରହିବାକୁ ହୁକୁମ ଦଉଛ ? ତମେ ମୋ ମୁହଁରୁ ଦାନା ଛଡ଼େଇ ନେଇଚ, ମୋତେ ବରବାଦ୍‌ କରିଦେଇଚ–ପୁଣି ହୁକୁମ ଦଉଚ ମୁଁ ଚୁପ୍‌ ରହିବି ? ମୋର ତ ଶିରା-ପ୍ରଶିରା ସୁଦ୍ଧା କାନ୍ଦୁଚି ।

 

ମେନେଜର : ତୁ ତୋ କଲାକର୍ମର ଦଣ୍ଡ ପାଇଛୁ ।

 

ବସନ୍ତରାମ : ସତ କହିବାର ଦଣ୍ଡ ।

 

ମେନେଜର : ନା, ମିଛ କହିବାର–ଧୋକ୍‌କା ଦେବାର–ବେଇମାନୀ କରିବାର ।

 

ବସନ୍ତରାମ : ବାସ୍‌, ଏଇ କଥାପାଇଁ ମତେ ଡିସ୍‌ମିସ୍‌ କରିଦେଲେ । ଟିକିଏ ଦୋଷ ପାଇଁ ଏତେ ବଡ଼ ଦଣ୍ଡ ?

 

ମେନେଜର : ଟିକିଏ ଦୋଷ ? କ’ଣ ଭାବୁଚୁ କି ତୁ ? ତା’ହେଲେ ତୋ ବିଚାରରେ ମିଛକହିବା, ଅପରାଧ କରିବା ଓ ବେଇମାନୀ କରିବା ଆଦି ସାଧାରଣ ଦୋଷ ?

 

ବସନ୍ତରାମ : ନ ହେଇପାରେ; କିନ୍ତୁ ଏ ବଡ଼ ବଡ଼ କାରଖାନା, ଏ ଚାକଚକ୍ୟଭରା କୋଠା, ଧନ ସମ୍ପତ୍ତି–କ’ଣ ଏସବୁ ତିଆରି ହେଲାବେଳେ କେହିହେଲେ କେବେ ମିଛ କହିନାହିଁ ? ଇଏ କ’ଣ ସଚ୍ଚୋଟତା ଓ ସାଧୁତାରେ ତିଆରି ହେଇଚି ? ଅସତ୍‌ ଓ ବେଇମାନୀର ଧନ ବଢ଼ାଅ, ଲାଞ୍ଚ ଖାଅ, ବ୍ଲାକ୍‌ ମାର୍କେଟିଂ କରି ନିଜ ଭଣ୍ଡାର ଭର୍ତ୍ତିକର, ନିଜ ଶକ୍ତିର ପ୍ରଭୁତ୍ୱ ଦେଖାଅ । ସେଥିରେ କାହାର ଶକ୍ତି ଅଛି ‘ମିଛ’ ବୋଲି ଶବ୍ଦଟା ତାଙ୍କ ଆଭିଜାତ୍ୟ ବିରୁଦ୍ଧରେ ମୁହଁରେ ଧରିପାରିବ ? ଧନବାନ୍‌ ଓ ଶକ୍ତିମାନଙ୍କର ମିଛ, ମିଛ ନୁହେଁ । ମିଛଟା କେବଳ ଗରିବ ଆଉ କାଙ୍ଗାଳଙ୍କ ଭାଗରେ ପଡ଼େ । ବାସ୍‌ !

 

ମେନେଜର : ଯା–ଯା, ଦୂର୍‌ ହେଇଯା ଏଠୁ ! ମୁଁ ଏଠି ଭାଷଣ ଶୁଣିବାକୁ ଚାହେନି । ତୋର ଅଶିଷ୍ଟତା ବେଶ୍‌ ବଢ଼ିଗଲାଣି ।

 

ବସନ୍ତରାମ : (ପରିହାସ ବ୍ୟଙ୍ଗମିଶା ଗଳାରେ) ମୁଁ କାଙ୍ଗାଳଟାଏ,–ଅଶିଷ୍ଟତା ଦେଖାଇବି ? ମୋର ଏତେ ଶକ୍ତି କାହିଁ ?

 

ମେନେଜର : ତା’ହେଲେ ତୁ ଚୁପ୍‌ ହେଇ ଏଠୁ ଚାଲିଯା ।

 

ବସନ୍ତରାମ : ମୁଁ ଚାଲିଯିବି; କିନ୍ତୁ ଆପଣଙ୍କୁ ମୋର ଗୁହାରି ଶୁଣିବାକୁ ହେବ ।

 

ମୋଟରବାଲା : ସୀମା ଟପିଗଲା । ଇଏ ମିସ୍ତ୍ରି ନା..... ?

 

ବସନ୍ତରାମ : (କଥା କାଟିକରି)..... ହଁ, ଇଏ ପୋଡ଼ାମୁହାଁ; କିନ୍ତୁ ଆପଣଙ୍କର..... ତମେ ଧନୀଲୋକ, ବଙ୍ଗଳାରେ ରହୁଚ, ଭଲ ଖିଆ ପିଆ କରୁଚ, ମଖମଲି ବିଛଣାରେ ଶୋଉଚ–ତମ ଲାଗି ଜୀବନଟା ହେଉଛି ଅୟସ । ଭୋକ, ଶୋଷ ଓ ଗରିବୀ କ’ଣ–ତମେ କୁଆଡ଼ୁ ବୁଝିବ ?

 

ମୋଟରବାଲା : ଓହୋ ! ‘କି ଅଡ଼ୁଆରେ ପଡ଼ିଲା ମଣିଷ ।

 

ବସନ୍ତରାମ : (ମେନେଜରକୁ) ଆପଣ ମତେ ବେଇମାନ ଧରିନେଇ ଡିସ୍‌ମିସ୍‌ କରି ଦେଇଛନ୍ତି । ମୋ ପିଲାଙ୍କ ମୁହଁରୁ ଆଧାର ଛଡ଼େଇ ନେଇଛନ୍ତି । ଖୁବ୍‌ ଭଲ କାମ କରିଛନ୍ତି । (ମୋଟର ମାଲିକକୁ) ଆଉ ଆପଣ ଖୁବ୍‌ ଖୁସି ହେଉଥିବେ ମହାଶୟ ! କାରଣ ଗୋଟାଏ ବଦମାସ୍‌ ବେଇମାନକୁ ଆଚ୍ଛା ପାନେ ଦେଇପାରିଛନ୍ତି । ଆପଣମାନେ ଘରକୁ ଯାଇ ମନଭରି ପେଟେ ଖାଆନ୍ତୁ । ଆପଣମାନଙ୍କୁ ଈଶ୍ୱର ଭଲରେ ରଖନ୍ତୁ ।

 

ମେନେଜର, ମୋଟରବାଲା : (ଏକ ସାଙ୍ଗରେ) ଓ ହୋ ! ଏବେ ଟିକେ ଚୁପ୍‌ ହୁଅ ।

 

ବସନ୍ତରାମ : ଇଆଡ଼ୁ ମୁଁ ପୋଡ଼ାମୁହାଁ ଭାଗ୍ୟକୁ କନ୍ଦେଇ, ଆପଣମାନଙ୍କୁ ବଧେଇ ଜଣେଇ ଘରକୁ ଫେରିବି । ପିଲାମାନେ ପଇସା ମାଗିବାକୁ ଆସି ମୋଠୁଁ ମାଡ଼ ଖାଇବେ । ଘରବାଲୀ ଛଡ଼େଇ ନବାକୁ ଆସି ସେ ବି ମାଡ଼ ଖାଇବ । ମୁଁ ମଣିଷ, ଭାଗ୍ୟ ଏବଂ ଭଗବାନ–ସମସ୍ତଙ୍କୁ ପିଟିବି । ଶେଷରେ ନିରୀହ କଅଁଳ ଛୁଆଗୁଡ଼ାକ ନ ମରିବାପାଇଁ କୌଣସି ଭଦ୍ରଲୋକର ପକେଟ୍‌ କାଟିବି ।

 

ମେନେଜର : ତୁ ନର୍କକୁ ଯା, ଆଉ ଯାହା ମନକୁ ଆସୁଚି କର । ତୋର ଏ କନ୍ଦାକଟା ବନ୍ଦ କର । ପ୍ରଥମରୁ ବହୁତ ଶୁଣି ସାରିଲୁଣି ।

 

ବସନ୍ତରାମ : ଏବେ ଆଉରି ଅଛି । ସେସବୁକୁ ମଧ୍ୟ ଆପଣଙ୍କୁ ଶୁଣିବାକୁ ପଡ଼ିବ ।

 

ମୋଟରବାଲା : (ପତ୍ନୀକୁ) ଉଠ ହେ, ଚାଲ ଯିବା ।

 

ପତ୍ନୀ : ରୁହ, ମୁଁ ଶୁଣିସାରି ଯିବି । ହଁ, ମିସ୍ତ୍ରି କହ, କହ–ଶୀଘ୍ର କହ ।

 

ମୋଟରବାଲା : ଯା-ଯା, ବହୁତ ଶୁଣି ସାରିଲିଣି ।

 

ମେନେଜର : ଏବେ ଚୁପ୍‌କରି ଚାଲିଯା । ନ ହେଲେ.....

 

ବସନ୍ତରାମ : ନହେଲେ, ଫାଶୀ ଲଗେଇଦେବେ ମତେ ? ଲଗାଇ ଦିଅନ୍ତୁ ।

 

ପତ୍ନୀ : ନା–ନା ମିସ୍ତ୍ରି, କୁହ । କହି ଚାଲ ।

 

ବସନ୍ତରାମ : ବିବିଜୀ, ଆପଣ ମା । କ୍ଷମା କରିବେ, ମୋର ଦୋଷ ବେଇମାନୀ ନୁହେଁ, ଗରିବୀ । ଅନ୍ଧାର ଘରେ ରୁହେ । ଦିନସାରା ପରିଶ୍ରମ ଓ କ୍ଳାନ୍ତି ପରେ ପୋଡ଼ା-ଶୁଖିଲା ଯାହା ମିଳିଲା, ଚଳିଲା । ଦୁଧଘିଅ ତ ଆମେ ଶୁଙ୍ଘିବାକୁ ପାଉନା । ଏଇ ଦେଖନ୍ତୁ (କାମିଜ୍‌ ଦେଖେଇ) ମୋ କାମିଜ୍‌ର ଅବସ୍ଥା । ଗଞ୍ଜି ମଧ୍ୟ ମଇଳାରେ ସଢ଼ିଯାଇଛି । ସ୍ତ୍ରୀ ପିଲାଙ୍କ ଲୁଗାପଟା ବି ଫଟା-ପୁରୁଣା । ମାତ୍ର ଈଶ୍ୱର ଜାଣନ୍ତି– । ମୁଁ ଏସବୁ ଜିନିଷପାଇଁ କୌଣସି ଦିନ ବେଇମାନୀ କରିନାହିଁ; କିନ୍ତୁ ବେମାରି ଆଉ ଭୋକକୁ କ’ଣ କରିବି ? ସ୍ତ୍ରୀ ଜରରେ ବିଛଣାରେ ପଡ଼ିଛି, ପିଲାମାନେ ଭୋକରେ ଛଟପଟ ହେଉଛନ୍ତି । ଦୁଧ ବା ଔଷଧପାଇଁ ପଇସା ନ ଥିଲା । ଜଣେ ମିସ୍ତ୍ରିଭାଇଠୁଁ ଉଧାର ମାଗିଲି; କିନ୍ତୁ ସେ ବି ମୋ ଭଳି କାଙ୍ଗାଳଟେ । ଶେଷରେ ଏଇୟା ମନସ୍ଥ କଲି ଯେ, ଆପଣ ଧନୀଲୋକ । ଦି’ଚାରି ଟଙ୍କାକୁ କ’ଣ ଆପଣଙ୍କର ଖାତିର୍‌ ଥିବ ? ଆପଣଙ୍କଠାରୁ ପଇସା ନେଇ ଓଷଦପତ୍ର ନେଇ ଆସିଲେ କ୍ଷତି କ’ଣ ? ବୁଡ଼ିଯାଉଥିବା ଲୋକର କୁଟାଖିଅକୁ ଭରସା । ଅସୁବିଧାରେ ମିଛ କହିଲି ଏବଂ ବେଇମାନୀ ମଧ୍ୟ କଲି । ବାସ୍‌, ଏଇୟା ମୋର ଦୋଷ ।

 

ପତ୍ନୀ : (ମେନେଜରଙ୍କୁ) ଆପଣ ଏହାର ବେତନ କାହିଁକି ବଢ଼ଉନାହାନ୍ତି ? କ’ଣ କରିବ ବିଚାରା–ଭୋକରେ ମରିଯିବ ସିନା ।

 

ମୋଟରବାଲା : ଛାଡ଼ ହେ, ତମେ ଗୋଟାଏ ବେଇମାନର ଓକିଲାତି କରିବାକୁ ଲାଗିଲଣି ।

 

ମେନେଜର : ଏଇ ବେଇମାନଗୁଡ଼ା ତ ଆମକୁ ବଦନାମ କରୁଛନ୍ତି ।

 

ବସନ୍ତରାମ : କ୍ଷମାକରିବେ ମହାଶୟ ! ଆମ ବେଇମାନୀଗୁଡ଼ା ଶୀଘ୍ର ଆପଣଙ୍କ ଆଖିରେ ପଡ଼ିଯାଉଚି; ମାତ୍ର ଆପଣ କେବେ ନିଜ କଥାକୁ ଦେଖିଛନ୍ତି ? ମୁଁ ମଧ୍ୟ ଜାଣେ ଏଠି ଯାହାସବୁ ହଉଚି–ଆମେ ତ ଅନ୍ଧ ନୋହୁ ? ହେଲେ କଥା କ’ଣ କି, ଆପଣଙ୍କୁ ପ୍ରଶ୍ନ କରିବାକୁ ଲୋକ କେହି ନାହାନ୍ତି ।

 

ମେନେଜର : (ଗର୍ଜିକରି) ମୁହଁ ବନ୍ଦକର ବେଇମାନ ! ଚାଲିଯା ଏଠୁ । ଦୂର ହେଇଯା ।

 

ମୋଟରବାଲା : ବହୁତ ମୁହଁ ଫୁଟାଣି ଏ ବେଇମାନଟାର । ମିସ୍ତ୍ରି ନା ଏ ମୁଣ୍ଡବ୍ୟଥା ? ଆପଣ ୟାଙ୍କୁ ଏଠି କାହିଁକି ରଖିଛନ୍ତି ?

 

ମେନେଜର : କ’ଣ କହୁଛନ୍ତି ଆଜ୍ଞା, ମୋର ତ ଖାଲି ଦୟା ଆସିଯାଉଚି । ନହେଲେ ଏ ଅଭଦ୍ରଟାକୁ.....

 

ବସନ୍ତରାମ : ମୋ ଉପରେ ବହୁତ ଦୟା କରିଛନ୍ତି । ମୋର ଭୋକିଲା ପିଲାଙ୍କ ମୁହଁରୁ ରୁଟି ଛଡ଼େଇ ନେଇଛନ୍ତି ।

 

ପତ୍ନୀ : ମେନେଜର ସାହେବ ! ଆପଣ ତାକୁ ବାହାର କରନ୍ତୁନି । ବିଚାରା କୁଆଡ଼େ ଯିବ ? କ’ଣ କରିବ ?

 

ମୋଟରବାଲା : ତମେ ଚୁପ୍‌ରୁହ ।

 

ମେନେଜର : ଦେଖନ୍ତୁ ତ ବିବିଜୀ, କେଡ଼େ ଥୋବରା ବେହିଆ ମୁହଁ ଏ ବେଇମାନର ।

 

ବସନ୍ତରାମ : ତେବେ ଏହାକୁ କଇଁଚିରେ କାଟି ଫିଙ୍ଗି ଦେଉ ନାହାନ୍ତି । ମୋର ତ ପ୍ରତି ଲୋମ ଚିତ୍କାର କରି କହିବ–ତମେ ବି ବେଇମାନ, ତମେ ବେଇମାନ । ବେଇମାନୀରେ ମିଛ ବିଲ୍‌ ତିଆରି କରୁଚ ଏବଂ ଲୁଟି କରୁଚ ।

 

(ଏତିକିବେଳେ ବୁଟ୍‌-ଫୁଟ୍‌ ପିନ୍ଧା ଜଣେ ଲୋକ ଆସିଲା । ସେ ଗୋଟିଏ ବୀମା କମ୍ପାନୀର ମ୍ୟାନେଜର ।)

 

ବୀମା ମେନେଜର : ହ୍ୟାଲୋ ମେନେଜର ସାହେବ ! କ୍ଷମା କରିବେ–ବତରା ସାହେବଙ୍କ ଗାଡ଼ି ମରାମତିର ଏଇ ଯେଉଁ ବିଲ୍‌ ଆପଣ ପଠାଇଥିଲେ, ସେ ବିଷୟରେ ଆମ ହେଡ଼୍‌ କ୍ୱାର୍ଟରରୁ ପୁଣି ବାରମ୍ୱାର ଖୋଳତାଡ଼ ହେଉଛି । ମତେ ଏ ବିଷୟରେ ଜଣାଇବାକୁ ପଡ଼ିବ ।

 

ମେନେଜର : କି କଥା ? ମୁଁ ତ ମୋଟେ ବୁଝିପାରୁନି । (ବିବ୍ରତ ହୋଇ ଯାଇଥିଲେ ।)

 

ବୀମା ମେନେଜର : କଥା ଏତିକି ଯେ, ବତରା ସାହେବଙ୍କ ଦୁର୍ଘଟଣାଗ୍ରସ୍ତ ଗାଡ଼ିର ଆପଣ ଯେଉଁ ୬୪୯ ଟଙ୍କାର ବିଲ୍‌ ପଠାଇଥିଲେ, ସେ ବିଷୟରେ ମତେ.....

 

ମେନେଜର : ଆଚ୍ଛା–ଆଚ୍ଛା..... ସେ ବିଷୟରେ ? ଏବେ ମୁଁ ବହୁତ Busy. କାଲି ମୁଁ ନିଜେ ଆପଣଙ୍କ ଅଫିସରେ ହାଜିର୍‌ ହେବି । ସେତିକିବେଳେ ମୁଁ ସବୁକଥା ବୁଝେଇ ଦେଇ ପାରିବି-

 

ବୀମା ମେନେଜର : ନିଶ୍ଚୟ ଆସିବେ, ନହେଲେ ମତେ ପୁଣି ଆସିବାକୁ ପଡ଼ିବ ।

 

ମେନେଜର : ଆପଣ ଚିନ୍ତା କରନ୍ତୁନି । ମୁଁ ଆପଣଙ୍କୁ ସମ୍ପୂର୍ଣ୍ଣ ଆଶ୍ୱସ୍ତ କରାଇଦେବି । (ବୀମା ମେନେଜରଙ୍କର ପ୍ରସ୍ଥାନ)

 

ବସନ୍ତରାମ : (ଅଭିନେତାର ହସ ହସି) ମହାଶୟ, ବୁଝେଇବା ପାଇଁ ମୁଁ ମଧ୍ୟ ସାଙ୍ଗରେ ଯିବି । ଡାଇନାମୋର ମରାମତି ତ ମୁଁ କରିଥିଲି । ବରଂ ନୂଆ ପକେଇଥିଲି ।

 

ମୋଟରବାଲା : ମେନେଜର ସାହେବ ! କଥାଟା ତ ଜାଣିଲେ । ମୋ ମତ ଯଦି ଗ୍ରହଣ କରିବେ, ତେବେ ଯେତେ ବେଇମାନ ମିସ୍ତ୍ରି ଅଛନ୍ତି, ତାଙ୍କୁ ବାଛିକରି ବିଦା କରିଦିଅନ୍ତୁ । ନହେଲେ ଆପଣଙ୍କ ଓ୍ୱାର୍କସପ୍‌ର ବହୁତ ବଦନାମ ହବ ।

 

ବସନ୍ତରାମ : ମହାଶୟ ଖୁବ୍‌ ଭଲ ଉପଦେଶ ଦେଉଛନ୍ତି । ଭଦ୍ରଲୋକ ଗୋଟିଏ ନିଷ୍ଠାପର ଅଫିସର ଭଳି ମନେହେଉଛନ୍ତି । ଗୋଟାଏ ସରକାରୀ ଆଦେଶନାମା ବାହାରକରି ଦଉନାହାନ୍ତି–ଯେତେ ମିସ୍ତ୍ରି ଅଛନ୍ତି ତାଙ୍କପାଇଁ ପାଣି ପବନ ବନ୍ଦ । ଖୁବ୍‌ ଭଲହୁଅନ୍ତା ! ଆପଣାଛାଏଁ ସେମାନେ ମରିଯାଆନ୍ତେ । ମିସ୍ତ୍ରି ରହନ୍ତେ ନାହିଁ କି ବେଇମାନୀ ହୁଅନ୍ତାନାହିଁ ।

 

ମୋଟରବାଲା : ବାସ୍‌, ମେନେଜର ସାହେବ, ବହୁତ ହେଇଗଲା । ବର୍ତ୍ତମାନ ଯିବାକୁ ଦିଅନ୍ତୁ । ଏବେ ଅଧିକକାଳ ଅଟକିବା ସମ୍ଭବ ନୁହେଁ । (ନିଜ ସ୍ତ୍ରୀକୁ) ଆସ ହେ, ଯିବା ।

 

ମେନେଜର : (ମିସ୍ତ୍ରିକୁ) ବେଇମାନ ବଜ୍ଜାତ୍‌, ପାଟି ବନ୍ଦକର । ବାହାରିଯା ଏଠୁ । (ମୋଟର ମାଲିକଙ୍କୁ) ମୁଁ ଆପଣଙ୍କ ନିକଟରେ ଖୁବ୍‌ ଲଜ୍ଜିତ । କିନ୍ତୁ ଆପଣ ବିରକ୍ତ ହୁଅନ୍ତୁ ନାହିଁ । ଏଇ ବେଇମାନ କଣ୍ଟାକୁ ମୁଁ ଠିକ୍‌ ରୂପେ କାଢ଼ି ଫିଙ୍ଗିଦଉଚି । ପୁଣି କେବେ ଆପଣ ତାକୁ ଏଠି ଦେଖିବାକୁ ପାଇବେନାହିଁ । ଯେଉଁ କଷ୍ଟ ଆପଣଙ୍କୁ ହେଇଚି, ସେଥିପାଇଁ କ୍ଷମା ମାଗିନଉଚି ।

 

(ମୋଟର ମାଲିକ ଏବଂ ତାଙ୍କ ପତ୍ନୀ ଯିବାକୁ ଉଦ୍ୟତ ହେଲାବେଳେ ଗୋଟିଏ ପୋଲିସ ଇନ୍‌ସପେକ୍ଟର ଭିତରକୁ ଆସିଲେ । ଏମାନେ ବାହାରକୁ ଚାଲିଗଲେ ।)

 

ଇନ୍‌ସପେକ୍ଟର : କ୍ଷମା କରିବେ, ରାୟ ସାହେବ ଜ୍ୱାଲା ଦାସ ଏଠିକି ଆସିଥିଲେ କି ?

 

ମେନେଜର : କୁହନ୍ତୁ, କଥା କ’ଣ ? ସେ ଏଇ ଆଗେ ଆଗେ ତ ଗଲେ । ଏବେ ଏଇଠି ଥିବେ ଯେ । ଯଦି ଦରକାର ମନେ କରୁଛନ୍ତି, ତାଙ୍କୁ ଡାକିବି କି ? (ଚଉକି ଦେଇ) ବସନ୍ତୁ । (ମେନେଜର ଦ୍ୱାର ପର୍ଯ୍ୟନ୍ତ ଆସି ଡାକିଲା)–ରାୟ ସାହେବ ! ରାୟ ସାହେବ ! ଟିକିଏ ଆସିବେ କି-? କେବଳ ଗୋଟାଏ ମିନିଟ ପାଇଁ ।

 

ମୋଟରବାଲା : (ଫେରିଆସି) ଭାଇ ମେନେଜର ସାହେବ ! ବହୁତ ଡେରି ହେଇଗଲାଣି । ପ୍ରଥମରୁ ହିଁ ଲେଟ୍‌ । କୁହନ୍ତୁ ।

 

ମେନେଜର : ଇନ୍‌ସପେକ୍ଟର ସାହେବ ଆପଣଙ୍କୁ ଖୋଜୁଛନ୍ତି ।

 

ଇନ୍‌ସପେକ୍ଟର : ନମସ୍କାର ଆଜ୍ଞା ! ଆଜି ବହୁତ ଆପଣଙ୍କୁ ଖୋଜିଲିଣି । ଭାଗ୍ୟ ଭଲ, ଶେଷରେ ଖୋଜି ଖୋଜି ପାଇଗଲି ।

 

ମୋଟରବାଲା : ହଉ ହେଲା, କାମ କ’ଣ କୁହନ୍ତୁ । ବହୁତ କଷ୍ଟ ହେବଣି ଆପଣଙ୍କୁ ।

 

ଇନ୍‌ସପେକ୍ଟର : ନା–ନା, ଇଏ ତ ଆମର ସବୁଦିନିଆ କାମ । (ପକେଟରୁ ଖଣ୍ଡିଏ କାଗଜ କାଢ଼ି) କ୍ଷମା କରିବେ–ଏହା ଆପଣଙ୍କ ନାଁରେ ଓ୍ୱାରଣ୍ଟ । ହଁ.....

 

ମାଟରବାଲା : (ବିବ୍ରତ ହୋଇ କଥା ମଝିରେ କହି ଉଠିଲା) ଓ୍ୱାରଣ୍ଟ ? ମତେ ଗିରଫ କରିବାର ଓ୍ୱାରଣ୍ଟ ?

 

ଇନ୍‌ସପେକ୍ଟର : ନା, ଆପଣଙ୍କୁ ଗିରଫ କରିବାର ଓ୍ୱାରଣ୍ଟ ନୁହେଁ । କଥାଟା, ଆପଣଙ୍କ ଗାଡ଼ି ଖାପ୍‌ଚାରେ ଅଛି । (ହୁଇସିଲ୍‌ ବଜାଇ) ଡ୍ରାଇଭର ! ଡ୍ରାଇଭର !! (ପୁଲିସ ପୋଷାକପିନ୍ଧା ଏକ ଡ୍ରାଇଭର ଆସି) ଦେଖ, ରାୟ ସାହେବଙ୍କ ଗାଡ଼ିରେ ବସ । ରାୟ ସାହେବ ! ଦୟାକରି ଗାଡ଼ିର ଚାବିଟା ଦେଇ ଦିଅନ୍ତୁ ।

 

ମୋଟରବାଲା : ହେଲେ କଥାଟା କ’ଣ ? କ’ଣ ହେଇଚି ? ମୋ ଗାଡ଼ିକୁ ଆପଣ କାହିଁକି ନେଇ ଯାଉଛନ୍ତି ?

 

ଇନ୍‌ସପେକ୍ଟର : ସି.ଆଇ.ଡି. ପୋଲିସରୁ ଖବର ମିଳିଛି ଯେ, ଆପଣ ଗାଡ଼ିଟିକୁ ଲାଞ୍ଚରେ ପାଇଛନ୍ତି । ପ୍ରାରମ୍ଭିକ ରିପୋର୍ଟ ମିଳିସାରିଛି । ବର୍ତ୍ତମାନ ପାଇଁ ଆପଣଙ୍କ ଗାଡ଼ି ପୁଲିସ ଜିମାରେ ରହିବ ।

 

ବସନ୍ତରାମ : ମହାଶୟ, ତା’ ଡିପର୍‍ଟା ତ ମୁଁ ଠିକ୍‌ କରିଛି ।

 

ମୋଟରବାଲା : ଚୁପ୍‌ ବେଇମାନ !

 

(ମୋଟରବାଲା ଶେଷ ଶବ୍ଦ ସହ ପରଦା ପତନ ।)

☆☆☆

 

 

 

 

 

 

 

 

 

 

 

Unknown

ଭବିତବ୍ୟ

 

–ସନ୍ତ ସିଂହ ସେଖୋଁ

 

ପାତ୍ର

 

ମାନସିଂହ :

ମହାରାଜା ଗଙ୍ଗାପୁର

ବିଜୟସିଂହ :

ଯୁବରାଜ

ବିଶ୍ୱନାଥ :

ମନ୍ତ୍ରୀ

ରାଜେଶ୍ୱରୀ :

ଜହର ବ୍ରତରୁ ବଞ୍ଚିଥିବା ଭାନପୁରର ମହାରାଣୀ, ଯିଏ ମହାରାଜା ମାନସିଂହଙ୍କ ଶରଣାର୍ଥିନୀ ।

 

[ରାଜଭବନର ଗୋଟିଏ କକ୍ଷ । ଆଭିଜାତ୍ୟଭରା ସାଜସଜ୍ଜାରେ ତାହା ଏଭଳି ସଜ୍ଜିତ ଥିଲା, ଯେଭଳି ରାଜଭବନସୁଲଭ କକ୍ଷର ହେବା ଉଚିତ । ମହାରାଜା ମାନସିଂହଙ୍କ ମୁଖ୍ୟମନ୍ତ୍ରୀ ବିଶ୍ୱନାଥ ଓ ଯୁବରାଜ ବିଜୟସିଂହ ଅତ୍ୟନ୍ତ ଗମ୍ଭୀରତାର ସହ କଥାବାର୍ତ୍ତା କରୁଥିବା ଦେଖାଗଲା ।]

ବିଜୟସିଂହ : ମନ୍ତ୍ରୀ ମହାଶୟ, ଅତ୍ୟନ୍ତ ଲଜ୍ଜାର କଥା ଯେ, ରାଜକୁମାରୀଙ୍କ ବୟସ ଏଯାଏ ଷୋହଳ ବର୍ଷ ହେଇନି ।

ବିଶ୍ୱନାଥ : ଆଉ ଆମକୁ ଏକଥା ମଧ୍ୟ ଠିକ୍‌ ରୂପେ ଜଣାନାହିଁ ଯେ, ସେ ଭାନପୁର ରାଜବଂଶର କି ନା । ସେମାନେ ଯାହା କହୁଛନ୍ତି–(Pause) । ସାଧାରଣ ଲୋକଙ୍କ ଧାରଣା, ରାଜା ସଂଗ୍ରାମ କରିବାକୁ ଯିବା ପୂର୍ବରୁ ସମସ୍ତ ରାଜଲଳନା ଜହରରେ ଜଳି ମରିଥିଲେ ।

ବିଜୟସିଂହ : ମୋର ବିଶ୍ୱାସ, ସେ ଭାନପୁର ରାଜବଂଶର । ତାଙ୍କ ବିଷୟରେ ଶୁଣିଥିବା ସବୁକିଛି ସତ ।

ବିଶ୍ୱନାଥ : ଆପଣ କେମିତି ଜାଣିଲେ କୁମାର ?

ବିଜୟସିଂହ : ରାଜେଶ୍ୱରୀ ମୋତେ ଏ ବିଷୟରେ ବଳିଷ୍ଠ ପ୍ରମାଣ ଦେଇଛନ୍ତି । ମନ୍ତ୍ରୀ ମହାଶୟ ! ରାଣୀମାନେ ହିଁ ରାଜେଶ୍ୱରୀ ଭଳି ସୁନ୍ଦରୀ, ଶିକ୍ଷିତା ଏବଂ ଚାଲାକ ହେବା ଉଚିତ ।

ବିଶ୍ୱନାଥ : ସତ କଥା । ନିଜ ବୟସ ତୁଳନାରେ ରାଜେଶ୍ୱରୀ ଅତ୍ୟନ୍ତ ସୁନ୍ଦରୀ । କେବଳ ରାଜାମାନଙ୍କର ଚଳାଚଳ ରୀତିରେ ସୌନ୍ଦର୍ଯ୍ୟକୁ ଏତେ ବିଳମ୍ୱ ପର୍ଯ୍ୟନ୍ତ ଧରି ରଖି ହୁଏ । ମୋ ବିଚାରରେ ତାଙ୍କର ବୟସ ଚାଳିଶ ପାଖାପାଖି ହେବ ।

 

ବିଜୟସିଂହ : ନା, ଅତି ବେଶି ହେଲେ ପଇଁତିରିଶ । ତାଙ୍କୁ ଯେତେବେଳେ ଅଠର ବର୍ଷ ହୋଇଥିଲା, ସେତେବେଳେ ବ୍ରଜେଶ୍ୱରୀଙ୍କର ଜନ୍ମ ।

 

ବିଶ୍ୱନାଥ : ଏହା ଏକ ଅପୂର୍ବ ଯୋଗାଯୋଗର କଥା ଯେ, ସେ ତାଙ୍କ ସୁନ୍ଦରତାକୁ ଅକ୍ଷୁଣ୍ଣ ରଖିଛନ୍ତି । ଯଦି ସ୍ତ୍ରୀଲୋକମାନେ ଏତେ ଶୀଘ୍ର ମାଆ ହେବାକୁ ଇଚ୍ଛା ନ କରନ୍ତେ, ତେବେ.....

 

ବିଜୟସିଂହ : (ଶୀଘ୍ର ଶୀଘ୍ର କହି ଉଠିଲେ) କିନ୍ତୁ ମନ୍ତ୍ରୀ ମହାଶୟ ! ଏ ପ୍ରଶ୍ନ ଆମର ବିଚାରାଧୀନ ନୁହେଁ । ଆମେ ରାଜେଶ୍ୱରୀଙ୍କର ବୟସ ଆଉ ସୌନ୍ଦର୍ଯ୍ୟ ବିଷୟରେ ବିଚାର କରିବାପାଇଁ ତ ଏକାଠି ହୋଇନେ ।

 

ବିଶ୍ୱନାଥ : ନା–ନା, କେବଳ ବ୍ରଜେଶ୍ୱରୀଙ୍କ ବୟସ ବିଷୟରେ ବିଚାର କରିବାପାଇଁ ଏକାଠି ହୋଇଚେ । ତାଙ୍କର ସୌନ୍ଦର୍ଯ୍ୟ ଉପରେ ମଧ୍ୟ ନୁହେଁ । ତଥାପି ସେ ଅତ୍ୟନ୍ତ ସୁନ୍ଦରୀ । ମୁଁ ଆପଣଙ୍କ ପିତାଙ୍କ ଆତୁରତାକୁ ଭଲ ଭାବରେ ବୁଝୁଚି । ସତ କହିବାକୁ ଗଲେ ସେ ସର୍ବଦା ରୂପପିପାସୀ ଭ୍ରମର । ହଁ–ହଁ, ରାଜକୁମାରୀ ମଧ୍ୟ ନିଜ ସୌନ୍ଦର୍ଯ୍ୟର ନିଜେ ହିଁ ଉପମା ।

 

ବିଜୟସିଂହ : ଜନୈକା ଅନନ୍ୟା ସୁନ୍ଦରୀର କନ୍ୟା ସୁନ୍ଦରୀ କେମିତି ନ ହେବେ ? ନିଜ ଯୌବନ କାଳରେ ରାଜେଶ୍ୱରୀଙ୍କ ସୌନ୍ଦର୍ଯ୍ୟ ସୀମା ପାର ହୋଇ ଯାଇଥିବ । ମୁଁ ମଧ୍ୟ ବୁଝିପାରୁ ନାହିଁ, ତାହାଠାରୁ ବଳି ସୌନ୍ଦର୍ଯ୍ୟ ଆଉ କ’ଣ ହୋଇପାରେ ?

 

ବିଶ୍ୱନାଥ : (ଧୈର୍ଯ୍ୟ ସହ) ହଁ, ମା–ଝିଅ ଦୁହେଁ ଅତ୍ୟନ୍ତ ସୁନ୍ଦରୀ ।

 

ବିଜୟସିଂହ : ମାତ୍ର ସେକଥା ମଧ୍ୟ ଆମର ବିଚାରାଧୀନ ନୁହେଁ ।

 

ବିଶ୍ୱନାଥ : (ସ୍ତମ୍ଭିତ ହୋଇ) ନା, ତା’ ବି ନୁହେଁ । ଆମର ବିଚାରାଧୀନ କଥା ଏଇୟା ଯେ.....

 

ବିଜୟସିଂହ : ଏହା ବହୁତ ଲଜ୍ଜାକର କଥା ଯେ, ମୋର ପିତା ପଚାଶ ବର୍ଷର ବୃଦ୍ଧ ହୋଇ ଷୋଡ଼ଶୀ ଯୁବତୀ ପ୍ରତି ପ୍ରେମାସକ୍ତ ହୋଇ ପଡ଼ୁଛନ୍ତି । ମୁଁ ତୁମକୁ ସ୍ପଷ୍ଟ ଭାବେ କହିପାରେ, ବ୍ରଜେଶ୍ୱରୀଙ୍କୁ ଏବେ ଷୋହଳ ବର୍ଷ ବି ହୋଇନି ।

 

ବିଶ୍ୱନାଥ : କୁମାର ! ଆପଣଙ୍କର ପିତାଙ୍କୁ ଏବେ ପଇଁଚାଳିଶରୁ ଅଧିକ ବର୍ଷ ହେବନି । ଆପଣ ତାଙ୍କୁ ପଚାଶ ବର୍ଷ କହି ଅନ୍ୟାୟ କରୁଅଛନ୍ତି ।

 

ବିଜୟସିଂହ : (ହସି କରି) କ’ଣ ତଫାତ୍‌ ସେଥିରେ ? ପଇଁଚାଳିଶ ବର୍ଷର ବ୍ୟକ୍ତିଙ୍କ ପାଇଁ ମଧ୍ୟ ଏହା ସେତିକି ଲଜ୍ଜାଜନକ କଥା ।

 

ବିଶ୍ୱନାଥ : ହଁ–ହଁ, ବହୁତ ଲଜ୍ଜାସ୍ପଦ କଥା । ମୁଁ ମାନୁଚି ।

 

ବିଜୟସିଂହ : ଏ ବୟସରେ ତ ତାଙ୍କର କନ୍ୟାମାନେ ଅଛନ୍ତି । ଏ ବୟସର କୁମାରୀମାନଙ୍କ ଆଡ଼କୁ ସେ ପିତୃଭାବରେ ଦେଖିବା ଉଚିତ ।

 

ବିଶ୍ୱନାଥ : ହଁ, ଆପଣ ଅନେକ ପରିମାଣରେ ଠିକ୍‌ କଥା କହୁଛନ୍ତି । ମୋ ବିଚାରରେ ଆପଣଙ୍କ ଭଗ୍ନୀଙ୍କର ବୟସ ଆଠ ବର୍ଷ ହେବ ।

 

ବିଜୟ ସିଂହ : ମାତ୍ର ଆଠ ବର୍ଷ ? ନା, ଦଶ ହେବ । ନିଶ୍ଚୟ । ମୁଁ ଗଣିକରି କହୁଛି.....ହଁ, ଆଠବର୍ଷରୁ କିଛିମାସ ବେଶି । ତେବେ ମୋ କଥା ଅନେକଟା ଠିକ୍‌ । ମନ୍ତ୍ରୀ ମହାଶୟ-! ଏହା ବହୁତ ଲଜ୍ଜାର କଥା ଏବଂ ଆପଣଙ୍କୁ ଏହି ବିଷୟରେ ବିଚାର କରିବା ଉଚିତ ।

 

ବିଶ୍ୱନାଥ : (ମୁଣ୍ଡ କୁଣ୍ଡାଇ) ହଁ–ହଁ, ମୁଁ ଏ ବିଷୟରେ ବିଚାର କରୁଚି..... । ଆପଣଙ୍କ ପିତା ଶେଷ (ପଛଥର) ବିବାହ କରିବା ପାଞ୍ଚ ବର୍ଷ ହେଲାଣି ।

 

ବିଜୟସିଂହ : ହଁ, ଅତିବେଶି ହେଲେ ପାଞ୍ଚବର୍ଷ । ଆଉ ମୋର ମାଆଙ୍କୁ ମଧ୍ୟ ପଚିଶ ବର୍ଷ ହୋଇନଥିଲା । ମୁଁ ତ ଛୁଆଟାଏ ଥିଲି । ଆପଣ ସେ ବିବାହକୁ ବିରୋଧ କଲେ ନାହିଁ ?

 

ବିଶ୍ୱନାଥ : ମୁଁ ଖୁବ୍‌ ବିରୋଧ କରିଥିଲି; କିନ୍ତୁ ସେ ବଡ଼ ଆତୁର ଥିଲେ । ମୁଁ ଆପଣଙ୍କୁ ତ କହିଚି, ସେ ବଡ଼ ସୌନ୍ଦର୍ଯ୍ୟପ୍ରେମୀ ଭ୍ରମର । ତାହାହିଁ ତାଙ୍କର ଭବିତବ୍ୟ ଏବଂ ଭାଗ୍ୟ ।

 

ବିଜୟସିଂହ : ଏଭଳି ବିଚାର ଲାଗି ମୁଁ ଆପଣଙ୍କୁ ସାବଧାନ କରାଇଦେବାକୁ ଚାହୁଁଚି ।

 

ବିଶ୍ୱନାଥ : ସେ ଆତୁର । ପ୍ରତି ପାଞ୍ଚ ବର୍ଷରେ ତାଙ୍କର କାମାବେଗ ଜାଗ୍ରତ ହୁଏ । ତାଙ୍କର ପଛ ଥର ବିବାହ ପୂର୍ବର ବିବାହଟି କେବେ ହୋଇଥିଲା ? ମୋ ହିସାବରେ ପ୍ରାୟ ଦଶ ବର୍ଷ ଆଗରୁ । ଆପଣଙ୍କ ବୟସ ସେତେବେଳକୁ ବାର ବର୍ଷ ପାଖାପାଖି ହୋଇଥିବ ।

 

ବିଜୟସିଂହ : ମାତ୍ର ତାଙ୍କର କାମାବେଗକୁ ବଦଳାଇ ଦେବାକୁ ହେବ । ଆପଣ ଦେଖନ୍ତୁ, ମାଆଙ୍କର ବୟସ ଏବେ ପଚିଶି ବର୍ଷ ବି ହୋଇନି । ଏ ବୟସରେ ତାଙ୍କୁ ଏପରି ଆଘାତ ଦେବା.....

 

ବିଶ୍ୱନାଥ : ତା’ ଆଗରୁ ମଧ୍ୟ ସେ ଏହି ବୟସରେ ଆଉ କାହାକୁ ଆଘାତ ଦେଇଥିଲେ । ସେ ରାଜମାତାଙ୍କର ବୟସ ଖୁବ୍‌ ବେଶି ହେଲେ ତିରିଶ ହେବ ।

 

ବିଜୟସିଂହ : ସେତେବେଳେ ତ ମୋର ବିଲ୍‌କୁଲ ଜାଣିବାର ବୟସ ହୋଇନଥିଲା । ମାତ୍ର ଏବେ ମୁଁ ତାଙ୍କର ଏ ପାଗଳପଣକୁ ଖୋଲାଖୋଲି ଭାବେ ବିରୋଧ କରିବି । ପଚିଶି ବର୍ଷର କୌଣସି ଯୁବତୀକୁ ଆଘାତ ଦେବା.....

 

ବିଶ୍ୱନାଥ : ଆପଣଙ୍କର ବିରୋଧ କରିବାର କାରଣ ମାଆଙ୍କର ଯୁବାବସ୍ଥା ନା, (କ’ଣ କହିବି.....) ବ୍ରଜେଶ୍ୱରୀଙ୍କର ପିଲା ବୟସ ?

 

ବିଜୟସିଂହ : ମନ୍ତ୍ରୀ ମହାଶୟ, ଆପଣ ଆଜି ସାମାନ୍ୟରୁ ଟିକିଏ ଅଧିକ ଗମ୍ଭୀର । ଯାହା ବି ହେଉ, ମୁଁ ଚାହୁନି ଯେ ସେ ମୋ’ପାଇଁ ଉତ୍ତରାଧିକାର ସୂତ୍ରରେ ଅସଂଖ୍ୟ ସଉତୁଣୀ ମାଆ ଛାଡ଼ିଯାଆନ୍ତୁ । ବ୍ରଜେଶ୍ୱରୀ ଭଳି ଅବଳା ତାଙ୍କର ପ୍ରବୃତ୍ତିର ଶିକାର ହେଲେ ମତେ ବହୁତ ଦୁଃଖ ଲାଗିବ ।

 

ବିଶ୍ୱନାଥ : ପ୍ରବୃତ୍ତି; ମାତ୍ର ରାକ୍ଷସ ପ୍ରବୃତ୍ତି ନୁହେଁ । କୁମାର, ଆପଣ ଆଜି ସାଧାରଣରୁ ଟିକିଏ ଅଧିକ ଗରମ ହୋଇ ଉଠିଛନ୍ତି ।

 

ବିଜୟସିଂହ : କଥା କ’ଣ କି, ଆପଣ ମୋର ଦୁଃଖକୁ ଅନୁମାନ କରିପାରୁନାହାନ୍ତି । ମୁଁ ବ୍ରଜେଶ୍ୱରୀକୁ ନିଜର ଛୋଟ ଭଉଣୀ, ନା ଝିଅ ଭଳି ମନେକରେ । ସେ ଏତେ ସରଳ ଯେ, ଷୋଳ ବର୍ଷର ଝିଅ ଭଳି ମନେହୁଏ ନାହିଁ । ମୋର ବିଶ୍ୱାସ, ସେ ଏ କଥାରୁ କିଛି ବୁଝି ନାହିଁ । ସେ ଗୋଟିଏ ବୋଦା ଭଳି କାଳୀମାତାଙ୍କୁ ଭେଟି ଦିଆଯିବା କଥାକୁ ମୁଁ ସହିଯିବି; କିନ୍ତୁ ମୋ ପିତାଙ୍କୁ ଭେଟି ଦିଆ ନହେଉ ।

 

ବିଶ୍ୱନାଥ : ଠିକ୍‌ କଥା, ଆପଣଙ୍କ ପିତା ତ କୌଣସି ଦେବତା ନୁହଁନ୍ତି ।

 

ବିଜୟସିଂହ : ହଁ, ସେ ଜଣେ ମଣିଷ । ଆଉ ତାଙ୍କର ମଧ୍ୟ ନିଜ ମାନବିକତା ପ୍ରତି ଦରଦ ରହିବା ଉଚିତ । ତାଙ୍କର ଏ ପାଗଳାମି ମାନବିକତାର ବାହାର ଘଟଣା ।

 

ବିଶ୍ୱନାଥ : ହଁ, ଏହା ବହୁତ ଚିନ୍ତାଜନକ ସ୍ଥିତି । ମାତ୍ର ରାଜାମାନେ ତ ମଣିଷ ହୋଇ ରହନ୍ତି ନାହିଁ ।

 

ବିଜୟସିଂହ : ମୁଁ ତ ମଣିଷ ।

 

ବିଶ୍ୱନାଥ : ଆପଣ ଏବେ କୁମାର ଅଟନ୍ତି । କିନ୍ତୁ ଆପଣ ଭାବନ୍ତୁନି ଯେ, ଏ ବିଷୟରେ ମୁଁ ଆପଣଙ୍କ ପିତାଙ୍କର ବ୍ୟବହାରକୁ ନିନ୍ଦା କରୁନାହିଁ ବୋଲି ।

 

ବିଜୟସିଂହ : (ତୀବ୍ର ଆକ୍ରୋଶରେ) ମାତ୍ର ତାଙ୍କୁ ନିବୃତ୍ତ କରିବାର କୌଣସି ପ୍ରଯତ୍ନ ଆପଣ କରୁନାହାନ୍ତି ।

 

ବିଶ୍ୱନାଥ : ମୁଁ ପ୍ରଯତ୍ନ ବିଷୟରେ ତ ବିଚାର କରୁଚି ।

 

ବିଜୟସିଂହ : ନା, ଆପଣ ବିଚାର ମଧ୍ୟ କରୁନାହାନ୍ତି ।

 

ବିଶ୍ୱନାଥ : ନା–ନା, କୁମାର ! ମୁଁ ଏ ଦିଗରେ ଗମ୍ଭୀରତା ସହ ବିଚାର କରୁଛି । ମାତ୍ର ମତେ କୌଣସି ପନ୍ଥା ଜୁଟୁନାହିଁ ।

 

ବିଜୟସିଂହ : ମାତ୍ର ମତେ ଭୟ ଲାଗୁଛି ଯେ, ଆପଣ ପ୍ରଥମ ଥର ଭଳି ଭବିତବ୍ୟ ନିକଟରେ ହାର ମାନି ବସିବେ ।

 

ବିଶ୍ୱନାଥ : ନା କୁମାର, ପ୍ରଥମେ ମୁଁ ଏକୁଟିଆ ଥିଲି । ଏବେ ଆମେ ଦୁଇ ହୋଇଚେ । ମୋର ଏଥର ବିଶ୍ୱାସ ହେଉଚି, ଆମେ ଆମ ପ୍ରଯତ୍ନରେ ସଫଳ ହେବା ।

 

ବିଜୟସିଂହ : ମୁଁ ତ ପଣ କରିସାରିଚି ।

 

ବିଶ୍ୱନାଥ : (ଅସ୍ୱୀକାର କରି) ବ୍ରଜେଶ୍ୱରୀ ନାବାଳିକା–ଏ ବିଷୟରେ ତାଙ୍କୁ କିଛି କହି ହେବନି । ଆପଣ ଏବେ ତ କହୁଥିଲେ ତାଙ୍କୁ ଆପଣ ଝିଅ ଭଳି ମନେକରନ୍ତି ।

 

ବିଜୟସିଂହ : ହଁ, ନିଶ୍ଚୟ ।

 

ବିଶ୍ୱନାଥ : କୁମାର, ମୋ ବିଚାରରେ ଆପଣଙ୍କ ଲାଗି ମଧ୍ୟ ଏହା କିଛି ଭଲ ଲକ୍ଷଣ ନୁହେଁ । ଆପଣଙ୍କର ବୟସ ବାଇଶି ବର୍ଷ ଏବଂ ବ୍ରଜେଶ୍ୱରୀଙ୍କୁ ଷୋହଳ ବର୍ଷ । ଆପଣଙ୍କ ଭବିତବ୍ୟ ମଧ୍ୟ କିଛି ଅଲୌକିକ ମନେହେଉଛି ।

 

ବିଜୟସିଂହ : ଏକଥା ନେଇ ଆଉ ଅଧିକ ଚିନ୍ତା ନ କରିବା ଭଲ, ମନ୍ତ୍ରୀ ମହାଶୟ ! ଏ କଥା ଧରିନେବା ଉଚିତ ଯେ ମୁଁ ବ୍ରଜେଶ୍ୱରୀଙ୍କୁ ନିଜ ମାନ ଭଉଣୀ ମନେକରେ ।

 

ବିଶ୍ୱନାଥ : ହଁ, ଏ ଠିକ୍‌ କଥା । କେତେ ଭଲ ହୋଇଥାଆନ୍ତା, ଯଦି ଆପଣଙ୍କ ପିତା ରାଜେଶ୍ୱରୀ ପ୍ରତି ମୋହିତ ହୋଇଥାଆନ୍ତେ । ସେ କଥାକୁ ହୁଏତ ଗ୍ରହଣ କରିନେଇ ହୁଅନ୍ତା ।

 

ବିଜୟସିଂହ : ନା, ତା’ ବି ନୁହେଁ । ମୋ ପିତାଙ୍କର କୌଣସି ନାରୀ ପ୍ରତି ମୋହିତ ହେବାର ଆବଶ୍ୟକତା କ’ଣ ଅଛି ?

 

ବିଶ୍ୱନାଥ : ଆବଶ୍ୟକତାର ପ୍ରଶ୍ନ ଉଠୁନି । ମୋହିତ ହେବାର ଆବଶ୍ୟକତା ତ କାହାର ନାହିଁ । ଆପଣଙ୍କ ପିତାଙ୍କର ତ ସବୁଠାରୁ କମ୍‌ । ମାତ୍ର ଏଇଟା ତାଙ୍କର ଗୋଟାଏ ଅଭ୍ୟାସରେ ପରିଣତ ହୋଇଯାଇଛି । ଆପଣ ଧରି ନିଅନ୍ତୁନି ଯେ ମୁଁ ତାଙ୍କର ରାଜେଶ୍ୱରୀଙ୍କ ପ୍ରତି ମୋହିତ ହେବା ଘଟଣାକୁ ପ୍ରଶଂସା କରୁଛି ।

 

ବିଜୟସିଂହ : ହଁ, ମୋର କହିବାର ଅଭିପ୍ରାୟ ସେଇୟା ।

 

ବିଶ୍ୱନାଥ : ଆପଣ ଯଦି ମନ୍ତ୍ରଣା ଦେବେ, ମୁଁ ଯେକୌଣସି ପ୍ରକାରେ ତାଙ୍କୁ ଅଟକାଇପାରିବି ।

 

ବିଜୟସିଂହ : ମନ୍ତ୍ରଣା ପାଇଁ ତ ଆମ୍ଭେମାନେ ଆପଣଙ୍କ ପାଖକୁ ଯାଉ ।

 

ବିଶ୍ୱନାଥ : ହଁ, ଆମେ ଦୁହେଁ ଥାଇ ଯଦି ମନ୍ତ୍ରଣାକରିବା, ଯେତେବେଳେ ଚାହିଁବ ସେତେବେଳେ ରାୟ ଦେଇ ହେବ । ମୋ ପକ୍ଷରେ ରାୟ କରିବା ଉଚିତ ଥିଲା । (ହସିଲେ)–

 

ବିଜୟସିଂହ : ଠିକ୍‌ ଅଛି । ମୋ ବିଚାର କ’ଣ, ସେ ବିଷୟ ଆପଣ ତାଙ୍କ କାନରେ ପକେଇ ଦିଅନ୍ତୁ । ତାଙ୍କୁ ବିଷୟର ଗମ୍ଭୀରତା ସମ୍ୱନ୍ଧରେ ସୂଚନା ଦିଅନ୍ତୁ । ଦୁଇ ଚାରିଥର ମୁଣ୍ଡହଲାଇ କହିଦିଅନ୍ତୁ ଯେ, ଏମିତି ହେବା ଉଚିତ ନୁହେଁ । ଏଭଳି ଆପଣମାନେ ତାଙ୍କୁ ମନ୍ଦକର୍ମରୁ ଦୂରେଇ ରଖିପାରିବେ, ହଟାଇଦେଇ ପାରିବେ–(ହସିକରି) (ଦ୍ୱାରଦେଶରେ ସନ୍ତ୍ରୀଙ୍କର ଆବିର୍ଭାବ)

 

ବିଶ୍ୱନାଥ : ଭିତରକୁ ଆସ ଦ୍ୱାରପାଳ ! (ସନ୍ତ୍ରୀ ଆଗକୁ ଯାଇ ତାଙ୍କୁ ପତ୍ର ଦେଲା । ମନ୍ତ୍ରୀ ତୁରନ୍ତ ପଢ଼ିନେଲେ) ହଁ, ତାଙ୍କୁ ଭିତରକୁ ଆସିବାକୁ ଦିଅ । (ରାଜେଶ୍ୱରୀଙ୍କ ସ୍ୱାଗତ କରିବାପାଇଁ ନିଜ ସ୍ଥାନରୁ ଉଠି ଦରଜାଆଡ଼କୁ ଅଗ୍ରସର ହେଲେ) ସ୍ୱାଗତମ୍‌ ମହାରାଣୀ ! (ରାଜେଶ୍ୱରୀଙ୍କୁ ଭିତରୁ ନେଇ ଆସିଲେ । କୁମାର ସେ ପର୍ଯ୍ୟନ୍ତ ନିଜ ସ୍ଥାନରେ ଠିଆହୋଇ ରହିଥିଲେ ।) ଯେଉଁ ସକାଶେ ଆପଣ ଏଠାକୁ ଆସିବା ହେଲେ ମହାରାଣୀ ମହୋଦୟା !

 

ରାଜେଶ୍ୱରୀ : ମନ୍ତ୍ରୀ ମହାଶୟ, ଘୋର ଅନ୍ୟାୟ ହେଉଛି । ମୁଁ ଭାବୁଚି, ଜହରରୁ ବଞ୍ଚି ମୁଁ ବଡ଼ ଭୁଲ୍‌ କରିଛି । ଏବେ ତାହାରି ଦଣ୍ଡ ଦେବତା ମତେ ଦେଉଛନ୍ତି ।

 

ବିଶ୍ୱନାଥ : ମହାରାଣୀଜୀ, ଆପଣ ମନକୁ ଦୃଢ଼ ରଖନ୍ତୁ । ଆପଣ ନିଜର ସୁନ୍ଦରୀ କନ୍ୟାଙ୍କୁ ଅଗ୍ନିରେ ଜଳିବାରୁ ବଞ୍ଚାଇ ପୁଣ୍ୟ ସଞ୍ଚୟ କରିଛନ୍ତି । ମୁଁ ଆପଣଙ୍କ ସାକ୍ଷୀ ନିମିତ୍ତ ଦେବତାଙ୍କୁ ଆହ୍ୱାନ କରିବାକୁ ପ୍ରସ୍ତୁତ ।

 

ରାଜେଶ୍ୱରୀ : ଆଉ ଦେବତା ବା ତାଙ୍କରି ସମାନ ପୁରୁଷ ସେଇ କନ୍ୟାକୁ ଅପହରଣ କରିବାକୁ ତତ୍ପର–ଯାହା ପାଇଁ ମୁଁ ମୋର ଜୀବନକୁ ଜଳାଞ୍ଜଳି ଦେଇଥିଲି ।

 

ବିଜୟସିଂହ : ସେଇ ବିଷୟରେ ବିଚାର କରିବା ପାଇଁ ଆମେ ଏଠି ଏକତ୍ର ହୋଇଛୁ ।

 

ରାଜେଶ୍ୱରୀ : ହଁ, ଆପଣମାନେ ଏଠି ଏକତ୍ର ହେବାର ସୂଚନା ପାଇବା ମାତ୍ରେ ମୁଁ ନିଜ ବ୍ୟଥା ପ୍ରକାଶ କରିବାପାଇଁ ଚାଲିଆସିଲି ।

 

ବିଶ୍ୱନାଥ : ଆପଣଙ୍କର ଅଧିକାର ଅଛି ମହାରାଣୀଜୀ !

 

ରାଜେଶ୍ୱରୀ : ମୁଁ ସେ କନ୍ୟାକୁ ଅଗ୍ନିଦେବତାଙ୍କ ବାସନାରୁ ବଞ୍ଚାଇଛି । ଏବେ ଆପଣମାନେ ତାକୁ ମହାରାଜାଙ୍କ ଅଗ୍ନି-ବାସନାରୁ ବଞ୍ଚାନ୍ତୁ ।

 

ବିଜୟସିଂହ : ନିଜ ରକ୍ତ ବିନିମୟରେ ମଧ୍ୟ ମୁଁ ତାଙ୍କୁ ବଞ୍ଚାଇବି ।

 

ବିଶ୍ୱନାଥ : (କାନରେ ହାତ ଦେଇ) କୁମାର, ଶାନ୍ତ ହୁଅନ୍ତୁ ! ମୁଁ ନିଜର ପ୍ରଭୁ ମହାରାଜା ମାନସିଂହଙ୍କ ବିରୁଦ୍ଧରେ ଏଭଳି କଥା ଶୁଣିବାରେ ଅଭ୍ୟସ୍ତ ନୁହେଁ ।

 

ବିଜୟସିଂହ : ମନ୍ତ୍ରୀ ମହାଶୟ ! ମୁଁ କଠୋର ଶବ୍ଦ ପ୍ରୟୋଗ କରିବାରେ ପଶ୍ଚାଦ୍‌ପଦ ହେବିନାହିଁ । ଏହା ଏକ ରାଜକୀୟ ଉପଦ୍ରବ ।

 

ବିଶ୍ୱନାଥ ! କଠୋର ଶବ୍ଦ ଅପେକ୍ଷା ଆମେ ଅନ୍ୟ କୌଣସି ମାର୍ଗ ଅବଲମ୍ୱନ କରିପାରିବା ।

 

ରାଜେଶ୍ୱରୀ : ହଁ, ଆପଣ ସାହାଯ୍ୟକଲେ ହୋଇପାରିବ । କୁମାର, ମୁଁ ପ୍ରାର୍ଥନା କରୁଚି, ଆପଣ ମନ୍ତ୍ରୀ ମହାଶୟଙ୍କ କଥା ଧ୍ୟାନପୂର୍ବକ ଶୁଣନ୍ତୁ ।

 

ବିଶ୍ୱନାଥ : ମହାରାଣୀ ମହୋଦୟା ! ମୁଁ ପ୍ରଥମେ ପ୍ରାର୍ଥନା କରୁଚି, ଆପଣ ନିଜ ରାୟ ଦିଅନ୍ତୁ । ଆପଣଙ୍କ ବିଚାର ଅନୁସାରେ ଆମେ ଯାହା କିଛି କରିବୁ ।

 

ରାଜେଶ୍ୱରୀ : ମୋ ବିଚାରରେ ଆପଣ ଆମକୁ ଉଧମ-ନଗରର ରାଣା ରବୀନ୍ଦର୍‌ସିଂଙ୍କ ପାଖକୁ ପଠାଇଦିଅନ୍ତୁ । ମୋ ଝିଅ ରାଣା ରବୀନ୍ଦର୍‌ର ବାଗଦତ୍ତା । ସେ ମୋ ସ୍ୱାମୀ ଯୁଦ୍ଧକୁ ଯିବାର ଗୋଟାଏ ଦିନ ପୂର୍ବରୁ ଭାନପୁରକୁ ଆସିଥିଲେ । ସେ ଆମକୁ ଡକାଇ ପଠାଇଥିଲେ ଏବଂ ମହାରାଜାଙ୍କୁ ପ୍ରାର୍ଥନା ମଧ୍ୟ କରିଥିଲେ । ପୁଣି ଏହି ଘଟଣାଟି ମଧ୍ୟ ଆମର ରାଜନାରୀ ହେବାର ପ୍ରମାଣ । ଆପଣଙ୍କର ଏ ବିଷୟରେ ଆଶଙ୍କା ରହିଛି ? ଏଇ ରବୀନ୍ଦର୍‌ଙ୍କର ପତ୍ର । (ମନ୍ତ୍ରୀଙ୍କ ଆଗରେ ପତ୍ର ରଖି) ।

ବିଶ୍ୱନାଥ : ମହାରାଣୀ ମହୋଦୟା ! ଆପଣଙ୍କ ପ୍ରତି କାହାର ଭଲା ସନ୍ଦେହ ହୋଇପାରିବ ? ଆପଣ ପାଦରୁ ମସ୍ତକପର୍ଯ୍ୟନ୍ତ ରାଜନାରୀ । ପୁଣି ପରିପୁଷ୍ଟି ନିମିତ୍ତ ଏ ପତ୍ରଟି କ’ଣ ଭଲା ମୋ’ପାଇଁ ଦରକାର ? କୁମାର ! ମୋ ବିଚାର ମଧ୍ୟ ଏଇଆ ଯେ, ଏମାନଙ୍କୁ ଉଧମନଗରକୁ ପଠାଇ ଦିଆଯାଉ ।

ରାଜେଶ୍ୱରୀ : ମନ୍ତ୍ରୀ ମହାଶୟ ! ଏକଥା ଏତେ ସହଜ ନୁହେଁ । ଆମକୁ ଏଠୁ ଲୁଚିକରି ପଳାଇବାକୁ ହେବ ।

ବିଶ୍ୱନାଥ : (ମୁଣ୍ଡହଲାଇ) ନାଁ, ଆପଣ ଲୁଚିକରି (ଚୋରଭଳି) ଯାଇପାରିବେ ନାହିଁ । ମହାରାଣୀ ମହୋଦୟା ! ଆପଣଙ୍କର କନ୍ୟା ଏବଂ ଆପଣଙ୍କ ନିମିତ୍ତ ମୁଁ ନିଜର ପ୍ରଭୁଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରିପାରିବି ନାହିଁ । ମହାରାଜ ଆପଣଙ୍କ ଏଠୁ ଚାଲିଯିବା ବିରୁଦ୍ଧରେ କାହିଁକି ଅଛନ୍ତି ?

ବିଜୟସିଂହ : ଯେପରିକି ବାସନାର ବଶୀଭୂତ ଷଣ୍ଢ.....

ବିଶ୍ୱନାଥ : (କାନରେ ହାତ ରଖି ଯେପରିକି ଏସବୁ ଶବ୍ଦକୁ ନିଜ କାନରେ ପ୍ରବେଶ କରିବାକୁ ଦେଉନଥିଲେ) କାରଣଟା କ’ଣ ?

ବିଜୟସିଂହ ! କାରଣ ଆଉ କ’ଣ ? କାମନାର ଭୋକ ।

ବିଶ୍ୱନାଥ : (କୁମାରଙ୍କ ଈର୍ଷାରେ ବିଚଳିତ ହୋଇ) ତା’ହେଲେ ବି ବାହାନା ତ କିଛି ଥିବ-

ରାଜେଶ୍ୱରୀ : ବାହାନା; ଆମର ଦୁର୍ଭାଗ୍ୟ । ମୋର କନ୍ୟା କହୁଛି ସେ ରବୀନ୍ଦର୍‌ ପାଖକୁ କେବେହେଲେ ଯିବନାହିଁ–ଯିଏ ଆମକୁ ଭାନପୁରରେ ଛାଡ଼ି ଆସିଥିଲା ।

ବିଶ୍ୱନାଥ : ଛୁଆଟାଏ, ଜାଣେନା ରବୀନ୍ଦର୍‌କୁ ଯୁଦ୍ଧକ୍ଷେତ୍ରରେ ସଂଗ୍ରାମ କରିବାକୁ ଯିବାର ଥିଲା ।

ରାଜେଶ୍ୱରୀ : ହଁ, ସେଇଆ ତ କହେ ।

ବିଶ୍ୱନାଥ : ମହାରାଣୀ ମହୋଦୟା ! ଆପଣଙ୍କ କନ୍ୟା ଜହରରୁ ବଞ୍ଚି ଆଉ ରବୀନ୍ଦର୍‌ ଅନ୍ତିମ ସମୟର ଯୁଦ୍ଧ ବିଗ୍ରହରୁ ବଞ୍ଚି, ମୋ ବିଚାରରେ ସେମାନେ ଠିକ୍‌ କରିଛନ୍ତି ।

ରାଜେଶ୍ୱରୀ : ମୁଁ ମୋ ନିଜ କନ୍ୟାକୁ ପଳାଇବା ନିମିତ୍ତ ବାଧ୍ୟ କରିଥିଲି । ସେ ତ ମରିବା ନିମିତ୍ତ ଅଗ୍ନିରେ ଜଳିଯିବା ଲାଗି ତତ୍ପର ଥିଲା ।

ବିଶ୍ୱନାଥ : ସେ କ’ଣ ନିଜ ବିଷୟରେ ମହାରାଜାଙ୍କ ଇଚ୍ଛାମାନଙ୍କ ସହ ପରିଚିତ ?

ରାଜେଶ୍ୱରୀ : ହଁ, ସେ ଜାଣେ । କିନ୍ତୁ ତାକୁ ତା’ର ଭବିଷ୍ୟତ ପ୍ରତି କୌଣସି ଚିନ୍ତା ନାହିଁ-। ରବୀନ୍ଦର୍‌କୁ ସେ ଘୃଣା କରୁଛି ଏବଂ ତା’ ପାଖକୁ ଯିବା ଅପେକ୍ଷା ଦ୍ୱାରପାଳ ସାଙ୍ଗରେ ରହିବାକୁ ଠିକ୍‌ ମନେକରୁଛି ।

ବିଶ୍ୱନାଥ : ଯାହାଙ୍କୁ ମହାରାଜ ଚାହୁଁଛନ୍ତି, ସେ ଦ୍ୱାରପାଳ ପାଖରେ ରହିବା କି ଦରକାର-?

 

ରାଜେଶ୍ୱରୀ : ମନ୍ତ୍ରୀ ମହାଶୟ ! ଆମର ସମସ୍ତ ଦୁର୍ଭାଗ୍ୟର କାରଣ ହେଉଛି ମୋର ଝିଅ । ଯଦି ମୁଁ ତା’ର ବିବାହ ସୁଲତାନଙ୍କ ପୁଅ ସହିତ କରିଦେଇଥାଆନ୍ତି, ତେବେ ଘଟଣା ଅନ୍ୟ କିଛି ହୋଇଯାଇଥାଆନ୍ତା ।

 

ବିଜୟସିଂହ : (ଅସମ୍ଭାଳ ହୋଇ) ରାଜେଶ୍ୱରୀ ! ଆପଣ ଏଭଳି ଚିନ୍ତା ମନଭିତରେ ସ୍ଥାନଦେଇ ପାରୁଛନ୍ତି ?

 

ରାଜେଶ୍ୱରୀ : କେବେ ନୁହେଁ କୁମାର, କେବେ ନୁହେଁ । (ବିଶ୍ୱନାଥ ଅଡ଼ୁଆରେ ପଡ଼ିଲେ) ଆମେ ନିଜର ସବୁକିଛି ହରେଇ ସାରିଛୁ; ମାତ୍ର ନିଜର ପଣକୁ ଛାଡ଼ିନାହୁଁ ।

 

ବିଜୟସିଂହ : ମୋର ପିତା ଏବେ ଆଉ ଏକ ସୁଲତାନ ପାଲଟିଛନ୍ତି । ମୁଁ କହିବି ଗୋଟାଏ ଭୀରୁ ସୁଲତାନ । (ବିଶ୍ୱନାଥ ଏହା ଶୁଣିବାକୁ ନଚାହିଁ କାନରେ ହାତ ଦେଲେ । ରାଜେଶ୍ୱରୀଙ୍କୁ ଇସାରାକରି ବିଜୟସିଂହକୁ ବାହାରକୁ ପଠାଇ ଦେବାପାଇଁ କହିଲେ ।)

 

ରାଜେଶ୍ୱରୀ : କୁମାର, ଆପଣ ସୀମା ବାହାର ହୋଇଯାଉଛନ୍ତି । ମୋର ପ୍ରାର୍ଥନା, ଆପଣ କିଛି ସମୟ ପାଇଁ ପାଖ କୋଠରିକୁ ଯାଆନ୍ତୁ ଏବଂ ଆମ ଦୁହିଁଙ୍କୁ ଏ ବିଷୟରେ ଶାନ୍ତ ହୋଇ ବିଚାର କରିବାକୁ ଦିଅନ୍ତୁ ।

 

ବିଜୟସିଂହ : ଯାହା ଆପଣଙ୍କର ଇଚ୍ଛା । (ଉଠିପଡ଼ିଲେ)

 

ରାଜେଶ୍ୱରୀ : (ବିନମ୍ରତା ସହ) କୁମାର, ଆପଣ ବିରକ୍ତ ହେଉନାହାନ୍ତି ତ ?

 

ବିଜୟସିଂହ : (ବାହାରକୁ ଯାଉ ଯାଉ) ବିଲ୍‌କୁଲ୍‌ ନୁହେଁ ପ୍ରିୟ । (ଚାଲିଗଲେ)

 

ରାଜେଶ୍ୱରୀ : (କିଛି ସମୟ ସରମଯୋଗୁଁ ଚୁପ୍‌ ରହିବାପରେ) ଠିକ୍‌ ହେଲାନା ମନ୍ତ୍ରୀ ମହାଶୟ !

 

ବିଶ୍ୱନାଥ : ଏକ୍‌ବାର ଠିକ୍‌ । ଏବେ ସିଧାକଥା କହୁଚି । ଆପଣଙ୍କ କନ୍ୟା ମହାରାଜାଙ୍କ ପ୍ରେମକୁ ସ୍ୱୀକାର କରିବା କ’ଣ ଉଚିତ ?

 

ରାଜେଶ୍ୱରୀ : ମୁଁ ଏହାର କାରଣ ଆପଣଙ୍କୁ କହିସାରିଛି ।

 

ବିଶ୍ୱନାଥ : ନାଁ, ରବୀନ୍ଦର୍‌ର ଭୀରୁତା ଏହାର କାରଣ ନୁହେଁ । ବାସ୍ତବରେ ଈର୍ଷା ହିଁ ଏହାର କାରଣ ।

 

ରାଜେଶ୍ୱରୀ : ତାହାହେଲେ ଯାହା ଜଣାପଡ଼ୁଛି ଆପଣ ମୋ’ଠାରୁ ଅଧିକ ଜାଣନ୍ତି । ଈର୍ଷା କିପରି ?

 

ବିଶ୍ୱନାଥ : ସେ କୁମାରଙ୍କ ଦ୍ୱାରା ନିରାଶ ହୋଇଛନ୍ତି । ଆପଣ ମୋର ନିଃସଙ୍କୋଚ କଥାକୁ ଖରାପ ମନେକଲେ କି ?

 

ରାଜେଶ୍ୱରୀ : ନା, କଦାପି ନୁହେଁ । ତାକୁ ନିରାଶ କରିବାର ଅଧିକାର କୁମାରଙ୍କର ଥିଲା-

 

ବିଶ୍ୱନାଥ : ମାତ୍ର ବ୍ରଜେଶ୍ୱରୀଙ୍କ ଭଳି ରୂପସୀ ଓ ସ୍ୱାଭିମାନିନୀଙ୍କୁ ନିରାଶକରିବା ମଧ୍ୟ ସହଜ ନୁହେଁ । ଆପଣ ଜାଣନ୍ତି ଯେ ରାଜା ରବୀନ୍ଦର୍‌ଙ୍କଠାରୁ ନିରାଶ ହେବାର ପରିଣାମ କ’ଣ ହେଲା ? (କିଛି ସମୟ ଦୁହେଁ ଚୁପ୍‌ ରହିଲେ) ବ୍ରଜେଶ୍ୱରୀଙ୍କ ପ୍ରେମକୁ ସ୍ୱୀକାର କରିନେବା ପାଇଁ ଆପଣ କ’ଣ କୁମାରଙ୍କୁ ପ୍ରେରଣା ଦେଇପାରିବେ ନାହିଁ ? ମୋର ବିଶ୍ୱାସ, ଆପଣଙ୍କ ଭଳି ଗୁଣବତୀ ଏ କାମ କରିପାରିବେ । କିଛି ଯଦି ଖରାପ ନ ଭାବିବେ ପଦେ କହିବି ।

 

ରାଜେଶ୍ୱରୀ : କ’ଣ କୁହନ୍ତୁ ।

 

ବିଶ୍ୱନାଥ : ମା’ମାନେ ପ୍ରାୟତଃ ପ୍ରେମ ପ୍ରସଙ୍ଗରେ ଝିଅମାନଙ୍କୁ ସାହାଯ୍ୟ କରନ୍ତି ।

 

ରାଜେଶ୍ୱରୀ : ମୁଁ ତା’ କରିପାରିବି ନାହିଁ ।

 

ବିଶ୍ୱନାଥ : ଯଦି ଏଇଆ ହୁଅନ୍ତା–ଆପଣଙ୍କର କନ୍ୟା ମହାରାଜାଙ୍କର ପ୍ରେମକୁ ସ୍ୱୀକାର ନ କରନ୍ତେ, ତେବେ ମୁଁ ଜାଣେ, ମହାରାଜା ଯେଡ଼େ କାମନାର ବଶୀଭୂତ ହୁଅନ୍ତୁନା କାହିଁକି, ସେ ନିଜ ପୁତ୍ରର ସାମନାକୁ ପ୍ରେମ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଆସନ୍ତେନାହିଁ ।

 

ରାଜେଶ୍ୱରୀ : ମୋ ହାତରେ ନାହିଁ । ମୁଁ ଚେଷ୍ଟା କରିସାରିଛି । କିନ୍ତୁ ସବୁ ବ୍ୟର୍ଥ ହୋଇଛି-

 

ବିଶ୍ୱନାଥ : (ଅବିଶ୍ୱାସ ସହ) ଆପଣ କୁମାରଙ୍କୁ ପ୍ରେରଣା ଦେବାପାଇଁ ଚେଷ୍ଟା କରିଛନ୍ତି-? ଆପଣ ଅସଫଳ ହୋଇଥିବା କଥା ମୁଁ କେବେ ମାନିନେଇ ପାରୁନାହିଁ ।

 

ରାଜେଶ୍ୱରୀ : ନା, ସେକଥା ନୁହେଁ । ମୁଁ ଭଲଭାବରେ ବ୍ରଜେଶ୍ୱରୀକୁ ସବୁକଥା ବୁଝେଇବା ପାଇଁ ଚେଷ୍ଟା କରିଛି । ଆଉ ଏ ବିଷୟରେ ସମସ୍ତ ଦିଗ ପ୍ରତି ବିଚାର କରିବାପାଇଁ ମୁଁ ତାକୁ ବହୁତ ବୁଝେଇଛି ।

 

ବିଶ୍ୱନାଥ : ଏ କଥାର ଅନ୍ୟଦିଗଟି ବରଂ ତାଙ୍କୁ ବିବ୍ରତ କରୁଛି । ଆପଣ ତାଙ୍କର ଈର୍ଷାକୁ ଏବଂ ତାଙ୍କର ବିରକ୍ତିକୁ ଶାନ୍ତ କରିବାପାଇଁ ଚେଷ୍ଟା କରିଛନ୍ତି ?

 

ରାଜେଶ୍ୱରୀ : (ଆବେଗ ସହ) ସେ ଈର୍ଷା କାହିଁକି କରୁଛି ? ସେ ବିରକ୍ତ କାହିଁକି ହେଉଛି ? (କାନ୍ଦିକରି) ସେ ମତେ ଈର୍ଷାକରୁଛି । କୁମାର ତାକୁ ପ୍ରେମକରି ପାରିବେ ନାହିଁ । ସେ ତାକୁ ଝିଅ ଭଳି ଦେଖୁଛନ୍ତି । ଯଦି ମତେ ଜଣାଥାଆନ୍ତା ଯେ ମୋ ନିଜ ଝିଅ ମୋ ସାଙ୍ଗରେ ସଉତୁଣୀ ଭଳି ବ୍ୟବହାର କରିବ; ତେବେ ମୁଁ ଜହରରୁ ବଞ୍ଚିବା ପାଇଁ ପ୍ରଯତ୍ନ କରିନଥାନ୍ତି । ବର୍ତ୍ତମାନ ସେ ମୋ ଉପରେ ବିରକ୍ତ ହୋଇଛି ଏବଂ ଈର୍ଷା ବଶତଃ ନିଜ ଯୌବନକୁ ଗୋଟିଏ ବୃଦ୍ଧ ଦୁରାଚାରୀ ନିକଟରେ ଲୁଣ୍ଠନ କରାଇବାପାଇଁ ପ୍ରସ୍ତୁତ ହେଉଛି । ହେ ଭଗବାନ, ତୁମର ନ୍ୟାୟ କେତେ କଠୋର !

 

ବିଶ୍ୱନାଥ : ମହାରାଣୀ ମହୋଦୟା ! ଆପଣ ମୋର ପ୍ରଭୁ ମହାରାଜାଙ୍କ ପ୍ରତି ଅନ୍ୟାୟ କରୁଅଛନ୍ତି । ଆପଣ ବୋଧହୁଏ ଜାଣିଛନ୍ତି ଯେ, ଏଭଳି କଥା ଶୁଣି ମୋର ହୃଦୟ କେତେ ଦୁଃଖିତ ହୁଏ ।

 

ରାଜେଶ୍ୱରୀ : (ଡରିଯାଇ) ବଡ଼ ଅବଶୋଷର କଥା; ମାତ୍ର ମହାରାଜ ମୋ ଝିଅର ଈର୍ଷାରୁ ଅନୁଚିତ ଲାଭ କାହିଁକି ଉଠାଉଛନ୍ତି ?

 

ବିଶ୍ୱନାଥ : ମହାରାଜା ଜାଣନ୍ତିନାହିଁ ଯେ ବ୍ରଜେଶ୍ୱରୀ ଈର୍ଷା ବଶତଃ ଏସବୁ କାମ କରୁଛନ୍ତି ।

 

ରାଜେଶ୍ୱରୀ : ଜାଣିନାହାଁନ୍ତି କାହିଁକି, ସେ ଜାଣିଛନ୍ତି ।

 

ବିଶ୍ୱନାଥ : ତେବେ ସେ ବୋଧହୁଏ ଏସବୁ ବିରକ୍ତ ହୋଇ କରୁଛନ୍ତି ।

 

ରାଜେଶ୍ୱରୀ : କଅଣ ! ମହାରାଜାଙ୍କର ଏ କଥାରେ ଆଗ୍ରହ ନାହିଁ ?

 

ବିଶ୍ୱନାଥ : କ୍ଷମା କରିବେ, ଆମେ ଗୋଟାଏ ବଡ଼ ଗମ୍ଭୀର ବିଷୟରେ କଥାବାର୍ତ୍ତା କରୁଛେ । ମୁଁ ଯେତେ ସଙ୍କୋଚ କଲେ ବି କଠୋର ଶବ୍ଦର ପ୍ରୟୋଗ ହୋଇଯାଉଛି । ଆହୁରି ମଧ୍ୟ ଯେଉଁଠି ଆସି ଆମର କଥାବାର୍ତ୍ତା ପହଞ୍ଚିଛି, ମତେ ଖୋଲିକରି ସବୁକଥା କହିବାକୁ ପଡ଼ୁଛି ।

 

ରାଜେଶ୍ୱରୀ : ଚିନ୍ତା କରନ୍ତୁନାହିଁ ମନ୍ତ୍ରୀ ମହାଶୟ । ମୁଁ ଜାଣେ ଆପଣଙ୍କୁ କୌଣସି କଥା ଅଜଣା ନାହିଁ ।

 

ବିଶ୍ୱନାଥ : ଲୁଚାଛପାର କଥା ନୁହେଁ । ମାତ୍ର ମୋର ବିଶ୍ୱାସ, ଆପଣ ନିଶ୍ଚୟ କ୍ଷମା କରିବେ । ଆପଣ ମହାରାଜାଙ୍କୁ ଯାହା ବୁଝିଛନ୍ତି, ମହାରାଜା ବି ଆପଣଙ୍କୁ ସେଇଆ ମନେକରନ୍ତି ।

 

ରାଜେଶ୍ୱରୀ : ଠିକ୍‌ କଥା ।

 

ବିଶ୍ୱନାଥ : ମାତ୍ର ଏଥିରେ ତ କଥା ସ୍ପଷ୍ଟ ହେଉନାହିଁ ।

 

ରାଜେଶ୍ୱରୀ : ମୁଁ ତ ବୁଢ଼ୀ ନୁହେଁ, କି ଦୁରାଚାରିଣୀ ବି ନୁହେଁ ।

 

ବିଶ୍ୱନାଥ : କୁମାରଙ୍କ କଥା ଅନୁସାରେ ଆପଣଙ୍କୁ ପଇଁତ୍ରିଶ ବର୍ଷ ଚାଲିଛି ଏବଂ..... ପୁଣି ଜହରରୁ ରକ୍ଷା ପାଇ ଚାଲିଆସିଛନ୍ତି ।

 

ରାଜେଶ୍ୱରୀ : ମତେ ତିରିଶ ବର୍ଷ । ବ୍ରଜେଶ୍ୱରୀକୁ ପନ୍ଦର । ମତେ ପନ୍ଦର ବର୍ଷ ହେଲା ବେଳକୁ ବ୍ରଜେଶ୍ୱରୀର ଜନ୍ମ ହୋଇଥିଲା ।

 

ବିଶ୍ୱନାଥ : ହଁ, ତେବେ ତ ଆପଣଙ୍କର ଏବଂ କୁମାରଙ୍କ ବୟସ ମଧ୍ୟରେ କେବଳ ଆଠବର୍ଷ ତଫାତ୍‌ । ଆପଣଙ୍କଭଳି ରୂପସୀ ଏବଂ ଗୁଣବତୀଙ୍କ ପାଇଁ ଏ ଆଠବର୍ଷର ବ୍ୟବଧାନ କିଛି ନୁହେଁ । ମାତ୍ର ମହାରାଜା ତ ସେଇ କଥାକୁ ଗଣ୍ଠି ବାନ୍ଧି ବସିଛନ୍ତି ।

 

ରାଜେଶ୍ୱରୀ : ଏଇଟା ଆପଣଙ୍କର କୃପାଯୋଗୁ ଆପଣ ମୋତେ ଗୁଣବତୀ କହୁଛନ୍ତି । କିନ୍ତୁ ମୁଁ ଆପଣଙ୍କଠାରେ ବିଶ୍ୱାସ ଜନ୍ମାଉଛି ଯେ କୁମାରଙ୍କଠାରେ ମୁଁ କୌଣସି କଥା କେବେହେଲେ ଲୁଚାଇ ରଖିନାହିଁ ।

 

ବିଶ୍ୱନାଥ : କେବେ ରଖିନାହାଁନ୍ତି । ହେଲେ ଆପଣ ତାଙ୍କର ଏମିତି ଗୋଟିଏ ଭ୍ରମ ସଂଶୋଧନ କରିନାହାଁନ୍ତି । ଯାହା ଆପଣଙ୍କ ବିରୁଦ୍ଧରେ ଯାଉଛି । କୁମାର ଆପଣଙ୍କର ବୟସ ଚଉତିରିଶ ପଇଁତିରିଶ ବୋଲି ଜାଣନ୍ତି ଏବଂ ଆପଣଙ୍କୁ ମାତ୍ର ତିରିଶ ବର୍ଷ । କିନ୍ତୁ ମହାରାଜ.....

 

ରାଜେଶ୍ୱରୀ : ମହାରାଜ ମତେ ଗୋଟିଏ ବୃଦ୍ଧା, ଚରିତ୍ରାହୀନା ସ୍ତ୍ରୀ ବୋଲି ମନେକରନ୍ତି-

 

ବିଶ୍ୱନାଥ : (କାନରେ ହାତ ଦେଇ) ମହାରାଣୀ ! ଏ ଶବ୍ଦ ଆପଣଙ୍କ ଜିଭକୁ ଅପବିତ୍ର କରୁଛି । ମୁଁ କହିପାରେ ମହାରାଜା କେବଳ ଆପଣଙ୍କର ଜହରରୁ ଖସି ପଳାଇଆସିବା କଥାକୁ ଅଶୁଭ ମନେକରନ୍ତି ।

 

ରାଜେଶ୍ୱରୀ : ବ୍ରଜେଶ୍ୱରୀ ବି ତ ଜହରରୁ ଖସି ପଳାଇଆସିଚି ।

 

ବିଶ୍ୱନାଥ : ସେ ଆପଣଙ୍କ ଅଧୀନା ଥିଲେ; କିନ୍ତୁ ମୋ ମତରେ, ଏହି ପ୍ରତିଦ୍ୱନ୍ଦ୍ୱିତାରେ ଆପଣ ନିଜର ଉତ୍କର୍ଷ ସର୍ବାଧିକ କୁଶଳତା ସହ ପ୍ରଦର୍ଶନ କରିଛନ୍ତି । ଆଉ ମୁଁ ଆପଣଙ୍କୁ କହିଚି ତ, ମହାରାଜା ଏସବୁ ଈର୍ଷାପରାୟଣ ହୋଇ କରୁଛନ୍ତି ।

 

ରାଜେଶ୍ୱରୀ : ହଁ, ଈର୍ଷା ହିଁ ମୂଳକାରଣ । କିନ୍ତୁ ସେ କାହିଁକି ଈର୍ଷା କରୁଛନ୍ତି ? ମୁଁ କ’ଣ କୁମାରଙ୍କର ଯୋଗ୍ୟା ନୁହେଁ ? ସୁଲତାନ ପରା ମୋରିପାଇଁ ଘମାଘୋଟ ଯୁଦ୍ଧ କରିଥିଲା ।

 

ବିଶ୍ୱନାଥ : ମାତ୍ର କୁମାର ତ ସୁଲତାନଠାରୁ ବହୁତ ଛୋଟ ।

 

ରାଜେଶ୍ୱରୀ : (ଆବେଗ ସହ) କୁମାରଙ୍କୁ ପଚିଶ ବର୍ଷ । ସେ ନିଜେ ଏକଥା ମତେ କହିଛନ୍ତି । ପାଞ୍ଚବର୍ଷ ଗୋଟା କ’ଣ କଥାର କଥା । ମୋ ପଛରେ ସାରା ରାଜଧାନୀ ପରା ପାଗଳ ହୋଇ ଉଠିଥିଲା ।

 

ବିଶ୍ୱନାଥ : ପ୍ରେମ ପାଖରେ ଶହେ ବର୍ଷ ତ କିଛି ନୁହେଁ ।

 

ରାଜେଶ୍ୱରୀ : ହଁ, କୁମାର ମୋତେ ପ୍ରେମ କରନ୍ତି । ମୁଁ ତାଙ୍କୁ ପ୍ରେମ କରେ । ଆମର କାହା ପ୍ରତି ଈର୍ଷାନାହିଁ; ଆମେ କାହାକୁ ଜଳାଉନୁ ।

 

ବିଶ୍ୱନାଥ : ହୋଇପାରେ, ଅନ୍ୟଆଡ଼ୁ ମଧ୍ୟ କୌଣସି ଈର୍ଷା ନ ଥାଇପାରେ ।

 

ରାଜେଶ୍ୱରୀ : କାହିଁକି ନଥିବ ? ଈର୍ଷା, ଜିଦି, ପ୍ରତିହିଂସା । ଆପଣ ନିଜେ ତ ଏକ ମିନିଟ ଆଗରୁ କହୁଥିଲେ ।

 

ବିଶ୍ୱନାଥ : ମତେ କ’ଣ ଜଣା ମହାରାଣୀ ! ମୁଁ ତ ଅନୁମାନ କରୁଚି । କିନ୍ତୁ ଏହା କି ସମ୍ଭବ ହୋଇପାରେ, ସେଆଡ଼େ ଖାଣ୍ଟିପ୍ରେମ ସବୁକିଛି କରାଉଥିବ । ଯେମିତି କି ମୁଁ ଏବେ କହିଲି ଏବଂ ଆପଣ ମାନିଛନ୍ତି । ପ୍ରେମରେ ଶତ ଶତ ବ୍ୟବଧାନ ବି ବ୍ୟବଧାନ ନୁହଁ ।

 

ରାଜେଶ୍ୱରୀ : କଦାପି ନୁହେଁ । ମୁଁ କେବେ ମାନିବି ନାହିଁ ଯେ ବ୍ରଜେଶ୍ୱରୀର ମହାରାଜାଙ୍କ ପ୍ରତି ପ୍ରେମ ଅଛି । ମନ୍ତ୍ରୀ ମହାଶୟ, ମୁଁ ବୁଝୁଚି ଆପଣ ମହାରାଜାଙ୍କ ପଟ ନେଉଛନ୍ତି-। ମାତ୍ର ମୁଁ ଆପଣଙ୍କୁ ସ୍ପଷ୍ଟ କହିପାରେ, ମୋ ଇଚ୍ଛା ବିରୁଦ୍ଧରେ କାମ ଏ ଦୁନିଆରେ କେହି କରିପାରିବେ ନାହିଁ । (ରାଗିଯାଇ) ମହାରାଜା ମୋ ଝିଅକୁ ବିବାହ କରି ନେଲେ ମତେ ବି ପ୍ରତିଶୋଧ ନେଇଆସେ । ଗଙ୍ଗାପୁର ସୁଲତାନଠାରୁ ତ ଦୂରରେ ନାହିଁ ।

 

ବିଶ୍ୱନାଥ : ମାତ୍ର ଆପଣ କୁମାରଙ୍କର ପ୍ରେମିକା–ଏକଥା ମନେ ରଖିଥିବେ । ଆଉ କୁମାରଙ୍କ ପ୍ରେମିକାଙ୍କର ମୁହଁରୁ ଏପରି ଶବ୍ଦ..... ?

 

ରାଜେଶ୍ୱରୀ : (ନ ଶୁଣିଲା ଭଳି) କୁମାର କାହାନ୍ତି ? ସେଠାକୁ ଯାଇ ନାହାନ୍ତି ତ ?

 

[ରାଜେଶ୍ୱରୀ ପାଖ କୋଠରିକୁ ଚାଲିଗଲେ । ମନ୍ତ୍ରୀ କିଛି ସମୟ ଭାବନାରେ ବୁଡ଼ିରହିଲେ । ତା’ପରେ ମହାରାଜ ମାନସିଂହ ପ୍ରେବଶ କଲେ । ମନ୍ତ୍ରୀ ତାଙ୍କ ସ୍ୱାଗତାର୍ଥେ କିଛି ଦୂର ଅଗ୍ରସର ହେଲେ ।]

 

ମାନସିଂହ : ମନ୍ତ୍ରୀ ! କୁମାର ସହ କଥାହେଲେ ?

 

ବିଶ୍ୱନାଥ : ହଁ ମହାରାଜ ! ଥରେ ମାତ୍ର କଥା ହୋଇଚି ।

 

ମାନସିଂହ : ତୁମ ଉପଦେଶର ତା’ ଉପରେ କ’ଣ କିଛି ପ୍ରଭାବ ପଡ଼ିଛି ? ତୁମେ ତା’ ସହିତ ସବୁକଥା ଖୋଲାଖୋଲି ଆଲୋଚନା କରିଛ ନା ନାଇଁ ?

 

ବିଶ୍ୱନାଥ : ସତ କହିବାକୁ ଗଲେ ଏଯାଏ ଅଧା କଥାବାର୍ତ୍ତା ହେଇଚି । ମାତ୍ର.....

 

ମାନସିଂହ : ପୁଣି କ’ଣ ହେଲା ?

 

ବିଶ୍ୱନାଥ : ରାଣୀ ରାଜେଶ୍ୱରୀ ଆସିଗଲେ ।

 

ମାନସିଂହ : ହଁ, ତା’ହେଲେ ସେ ତା’ର ବୁଢ଼ିଆଣୀ ଜାଲ ଏତେଦୂର ପର୍ଯ୍ୟନ୍ତ ବିସ୍ତାରି ସାରିଲାଣି । ମୋର ବିଶ୍ୱାସ ଅଛି, ଏ ବୁଢ଼ା ହରିଣ ତା’ ଜାଲରେ ଧରା ପଡ଼ିବ ନାହିଁ । ହଁ, ତା’ହେଲେ ତ ତିନିଜଣଙ୍କ ଭିତରେ ଆଲୋଚନା ହୋଇଥିବ ?

 

ବିଶ୍ୱନାଥ : ନା, କୁମାର କୌଣସି କାରଣରୁ ପାଖ କୋଠରିକୁ ଚାଲିଗଲେ ।

 

ମାନସିଂହ : (ହସିକରି) ବାଃ ! ତା’ହେଲେ ତ ବୁଢ଼ା ହରିଣ ଜାଲରେ ଧରାପଡ଼ିଚି । ମତେ ଜଣାନାହିଁ, ପୁଣି ତୁମ୍ଭେମାନେ ଏ ବିଷୟରେ କ’ଣ କଲ ?

 

ବିଶ୍ୱନାଥ : ବୁଢ଼ା ହରିଣ ଏ ସ୍ତ୍ରୀଲୋକମାନଙ୍କଠାରୁ ବହୁତ ଚାଲାକ । ଯେତେବେଳେ ଯୁବ ହରିଣ ଯଦି ନିଜେ ଡେଇଁ ଡେଇଁ ଆସି ଧରା ଦେଉଛନ୍ତି, ସେତେବେଳେ ବୁଢ଼ା ହରିଣକୁ ଜାଲରେ ଧରୁଛି କିଏ ?

 

ମାନସିଂହ : ଠିକ୍‌କଥା, ସେମାନେ ଡିଆଁମାରି ଆସି ଧରା ଦେଉଛନ୍ତି । କହିବି, ବ୍ରଜେଶ୍ୱରୀ ମୋ’ପାଇଁ କିଛି ଖବର ପଠାଇଛନ୍ତି ?

 

ବିଶ୍ୱନାଥ : ହଁ ମହାରାଜ ! କୁହନ୍ତୁ ।

 

ମାନସିଂହ : ତାଙ୍କର ମା’ ତାଙ୍କୁ ଲୁଚେଇ ନେଇଯିବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି । ସେଥିପାଇଁ ମତେ ସବୁକାମ ତୁରନ୍ତ କରିବାକୁ ହେବ ।

 

ବିଶ୍ୱନାଥ : ବ୍ରଜେଶ୍ୱରୀଙ୍କୁ କ’ଣ ଜଣା ନାହିଁ ? ଯେ ଆମ ବୟସରେ କିଛି କାମ ଶୀଘ୍ର ହୋଇପାରେନି ।

 

ମାନସିଂହ : (ସ୍ନେହରେ ଗାଲରେ ଚାପୁଡ଼ା ମାରି) ତୁମ୍ଭେ ବୃଦ୍ଧ, ଚତୁର ବ୍ରାହ୍ମଣ–ମୋ’ଠାରୁ ତୁମେ ପାଞ୍ଚ ବର୍ଷ ବଡ଼ ।

 

ବିଶ୍ୱନାଥ : ମଜା କରିବା ଛାଡ଼ନ୍ତୁ ମହାରାଜ ! ଆପଣ କ’ଣ ଏ ବାସନାକୁ ଦମନ କରିପାରିବେ ନାହିଁ ?

 

ମାନସିଂହ : ତା’ମାନେ, କୁମାର ଆଉ ରାଜେଶ୍ୱରୀର ରାସ୍ତା ପରିଷ୍କାର ହୋଇଯାଉ ?

 

ବିଶ୍ୱନାଥ : କୁମାରଙ୍କୁ ମଧ୍ୟ ରାଜେଶ୍ୱରୀଙ୍କ ପ୍ରେମରୁ ହଟାଇ ଦିଆଯାଇ ପାରିବ । ମା’ଝିଅଙ୍କୁ କାହିଁକି ଯେତେ ଶୀଘ୍ର ସମ୍ଭବ ଉଧମପୁରରେ ପହଞ୍ଚାଇ ଦିଆଯାଇ ନ ପାରିବ ? ନାରୀମାନେ ଭବିତବ୍ୟର ହତିଆର । ମହାରାଜ ! ମୁଁ ଭୟ କରୁଚି । ଏମାନଙ୍କ ଯୋଗୁଁ ପ୍ରଥମେ ଭାନ୍‌ପୁର ତ ଜଳି ପାଉଁଶ ହୋଇଚି । ଗଙ୍ଗାପୁର ପାଇଁ ଖୁବ୍‌ ଭଲହେବ, ଯଦି ଏମାନେ ଦୂରେଇ ଯାଆନ୍ତି ।

 

ମାନସିଂହ : ମାତ୍ର ଭବିତବ୍ୟ ଅପେକ୍ଷା ପ୍ରେମ ତ ପ୍ରବଳତର ।

 

ବିଶ୍ୱନାଥ : ପ୍ରେମ ଭବିତବ୍ୟର ଏକ ବିକରାଳ ରୂପ ।

 

ମାନସିଂହ : ମାନସିଂହ ରାଜପୁତ୍‌ । ପ୍ରେମ ରାସ୍ତାରେ ଆସି ପହଞ୍ଚିବା ସମସ୍ତ ବିପଦକୁ ସେ ମୁକାବିଲା କରିବାକୁ ପ୍ରସ୍ତୁତ ।

 

ବିଶ୍ୱନାଥ : ମହାରାଜ ! ଏକତରଫା ପ୍ରେମ ପାଇଁ ଏଭଳି ବଳିଦାନ ଉଚିତ ନୁହେଁ ।

 

ମାନସିଂହ : କାହାର ପ୍ରେମ ଏକତରଫା ? ତୁମ ମତରେ ବ୍ରଜେଶ୍ୱରୀର ମୋ ପ୍ରତି ପ୍ରେମ ନାହିଁ ? ସମ୍ଭବତଃ ଏଇଥିପାଇଁ ଯେ ମୋ ବୟସ ଚାଳିଶ ବର୍ଷରୁ ଅଧିକ ? କିନ୍ତୁ ମୁଁ ତ ବ୍ରାହ୍ମଣ ନୁହେଁ ଯେ ଚାଳିଶ ଅତିକ୍ରମ କରିଗଲେ ବେକାର ହୋଇଯିବି । ମୁଁ ରାଜପୁତ ଏବଂ ବ୍ରଜେଶ୍ୱରୀ ଏହାର ମହତ୍ତ୍ୱ ଜାଣେ । ଆହୁରି ମଧ୍ୟ ରାଜପୁତମାନଙ୍କ ମଧ୍ୟରୁ ପ୍ରତ୍ୟେକେ ମୋ ଭଳି ସୁଲତାନଙ୍କ ମନରେ ଭୟ ଓ ଆଦର ସୃଷ୍ଟି କରିପାରିନାହାନ୍ତି । ବ୍ରଜେଶ୍ୱରୀଙ୍କୁ ଏକଥା ବି ଜଣା ଯେ, ସୁନ୍ଦରୀମାନେ ବୀରମାନଙ୍କୁ ପ୍ରେମ କରନ୍ତି, ଛୁଆଙ୍କୁ ନୁହେଁ ।

 

ବିଶ୍ୱନାଥ : ମାତ୍ର ଏ ବିଷୟରେ ଦାସୀର ସମ୍ବାଦ ବ୍ୟତୀତ ଆପଣଙ୍କ ପାଖରେ ଆଉ କିଛି ପ୍ରମାଣ ଅଛି ? ଦାସୀମାନେ କ’ଣ ନିଜ କର୍ତ୍ତବ୍ୟ ଠିକ୍‌ରୂପେ ସମ୍ପାଦନ କରୁଛନ୍ତି ?

 

ମାନସିଂହ : ମୁଁ ଜାଣେ, ମୋର ଦାସୀମାନଙ୍କ ଉପରେ ବିଶ୍ୱାସ ଅଛି ।

 

ବିଶ୍ୱନାଥ : ହଁ ମହାରାଜ ! ମୁଁ ଜାଣେ, ସେହି ଦାସୀ ଆପଣଙ୍କ ଓ ଚନ୍ଦ୍ରାବତୀଙ୍କ ମଧ୍ୟରେ ସମ୍ବାଦ ନିଆଅଣା କରୁଥିଲା । କିନ୍ତୁ ସେତେବେଳେ ମହାରାଜା ଆଜିଠୁଁ ପାଞ୍ଚବର୍ଷ ଛୋଟ ଥିଲେ; ଆଉ ରାଣୀ ଚନ୍ଦ୍ରାବତୀଙ୍କ ବୟସ ପଚିଶ ପାଖାପାଖି ଥିଲା ।

 

ମାନସିଂହ : ବ୍ରଜେଶ୍ୱରୀ ତ ନାବାଳିକା ନୁହଁନ୍ତି; ତାଙ୍କୁ ଅଠର ବର୍ଷରୁ ବେଶି ହେବ । ମାତ୍ର ବୃଦ୍ଧ ବ୍ରାହ୍ମଣ ଏ ବୟସର ଗୋଲକଧନ୍ଦାରେ ଏମିତି କାହିଁକି ପଡ଼ିଯାଇଛନ୍ତି ? ରାଜପୁତ ଏବଂ ପ୍ରେମିକ–ପ୍ରେମିକାଙ୍କ ଉପରେ ବୟସ ପ୍ରଭାବ ପକାଏ ନାହିଁ ।

 

ବିଶ୍ୱନାଥ : ଆଉ ଭବିତବ୍ୟ ଉପରେ ?

 

ମାନସିଂହ : ତୁମେ କେଉଁ କଥାକୁ ଡରୁଛ ? ପାଞ୍ଚ ବର୍ଷ ପୂର୍ବରୁ ସୁଲତାନ୍‌ ଯେତେବେଳେ ଆକ୍ରମଣ କରିଥିଲା, ସେତେବେଳେ ତ ତୁମେ ଡରୁ ନ ଥିଲ ? ସେତିକିବେଳେ ମୁଁ ଚନ୍ଦ୍ରାବତୀଙ୍କୁ ବିବାହ କରିଥିଲି । ତାହା ମୋର ବୀରତ୍ୱର ସ୍ମାରକୀ ଥିଲା । ମତେ ଭୟ କରି ସୁଲତାନ ନିଜ ଅଭିପ୍‌ସା ବଦଳେଇ ଦେଇଥିଲା ଏବଂ ସେ ଲେଉଟି ଯାଇଥିଲା । ଆଉ ଆଜି ତୁମେ ଗୋଟାଏ ନାରୀକୁ ଭୟ କରୁଛ ?

 

ବିଶ୍ୱନାଥ : ହଁ ରାଜନ୍‌ ! ଏ ସ୍ତ୍ରୀଲୋକମାନେ ହେଉଛନ୍ତି ଭବିତବ୍ୟର ହତିଆର । ମୁଁ ବ୍ରଜେଶ୍ୱରୀଙ୍କୁ ନିକଟରୁ ତ ଦେଖିନାହିଁ; ମାତ୍ର ରାଜେଶ୍ୱରୀଙ୍କୁ ଯେତିକି ଜାଣେ, ସେହି ଆଧାରରେ ଆପଣଙ୍କୁ ମନ୍ତ୍ରଣା ଦେଇପାରେ ଯେ–ଯେତେଦୂର ସମ୍ଭବ ଆପଣ ତାଙ୍କଠାରୁ ଦୂରରେ ରୁହନ୍ତୁ ।

 

ମାନସିଂହ : ଆଚ୍ଛା ! ତା’ହେଲେ ରାଜେଶ୍ୱରୀ ତୁମ ଉପରେ ଭୟର ଯାଦୁ ବିଛେଇ ଦେଇଛି । ତୁମେ ତା’ ଆଡ଼କୁ ମୋହିତ ହୋଇ ଯାଇ ନାହଁ ତ ?

 

ବିଶ୍ୱନାଥ : ମହାରାଜାଙ୍କର ଏ ସେବକକୁ ମୋହ ଜୟ କରିପାରିବ ନାହିଁ । ମାତ୍ର ମୁଁ ନିଶ୍ଚିତ ରୂପେ ଭୟଭୀତ । ଆଉ ଏକଥା ସ୍ୱୀକାର କରିବାର ସାହସ ମୋର ଅଛି ।

 

ମାନସିଂହ : ଭୟଭୀତ,–ପୁଣି ରାଜେଶ୍ୱରୀ ଦ୍ୱାରା ?

 

ବିଶ୍ୱନାଥ : ଭବିତବ୍ୟ ଦ୍ୱାରା ।

 

ମାନସିଂହ : ପ୍ରେମିକ ଭବିତବ୍ୟଠାରୁ ପ୍ରବଳ । ପ୍ରେମ ମୋ ପକ୍ଷରେ ଅଛି । ବ୍ରଜେଶ୍ୱରୀ ଓ ମାନସିଂହ ପରସ୍ପର ପ୍ରେମୀ ଅଟନ୍ତି । ସେମାନେ ଭବିତବ୍ୟକୁ ମୁକାବିଲା କରିପାରନ୍ତି ।

 

ବିଶ୍ୱନାଥ : ଭବିତବ୍ୟର ଅନ୍ୟନାମ ପ୍ରେମ, ମହାରାଜ !

 

ମାନସିଂହ : ରାଜେଶ୍ୱରୀକୁ ତମେ ଡରୁଛ ? ଯାହାକୁ ଯେକୌଣସି ସମୟରେ ବନ୍ଦିଶାଳାରେ ଭର୍ତ୍ତି କରିହେବ ବା ଦେଶରୁ ନିର୍ବାସିତ କରିହେବ । ସେ ଗୋଟାଏ ବେଶ୍ୟା । ତୁମେ ତାକୁ ବଳବତୀ ମନେ କରିଛ ? କାରଣ ସେ ବିଜୟସିଂହ ଭଳି ଗୋଟାଏ ସରଳ ମୂର୍ଖକୁ ଜାଲରେ ପକାଇ ପାରିଛି ବୋଲି ? ମୁଁ ତାକୁ ମଧ୍ୟ ସେ ଜାଲରୁ ମୁକ୍ତ କରିବାର ଶକ୍ତି ରଖିଛି । ମୁଁ କେବେ କହି ବୁଲୁ ନଥିଲି ବିଜୟସିଂହ ମୂର୍ଖ । କିନ୍ତୁ ତୁମେ ତାକୁ ବିଗାଡ଼ି ଦେଉଛ ।

 

ବିଶ୍ୱନାଥ : ମାନୁଛି ପ୍ରଭୁ ! ମୁଁ ତାଙ୍କୁ ବିଗାଡ଼ି ଦେଇଛି । କିନ୍ତୁ ସମୟ ଏମିତି ବଳି ପଡ଼ିଛି ଯେ, ଆପଣଙ୍କଠାରୁ ତ୍ୟାଗ ଆଶା କରିବା ଅନିବାର୍ଯ୍ୟ ହୋଇପଡ଼ିଛି । ରାଜଗୃହ ଓ ଜାତିର ରକ୍ଷକ ସ୍ୱରୂପ ଭଗବାନ ଆପଣଙ୍କୁ ସୃଷ୍ଟିକରିଥିବାରୁ, ଆପଣଙ୍କର ତ୍ୟାଗ ଏବେ ଆବଶ୍ୟକ ହୋଇପଡ଼ିଛି ।

 

ମାନସିଂହ : ମୁଁ ତୁମକୁ କହି ଦେବାକୁ ଚାହେଁ, ବିଶ୍ୱନାଥ !–ସେ ବେଶ୍ୟା କେବେହେଲେ କୁମାରର ପିଛା ଛାଡ଼ିବ ନାହିଁ । କୁମାରକୁ ତା’ ପିଞ୍ଜରାରୁ ମୁକ୍ତ କରିବାକୁ ହେବ ଏବଂ ଭଗବତୀଙ୍କ କୃପାରୁ ମୋଠିଁ ସେ ଶକ୍ତି ଅଛି । ମୁଁ ଏ ବେଶ୍ୟାକୁ ସିଧା କରିସାରି ନିଃଶ୍ୱାସ ମାରିବି । ବ୍ରଜେଶ୍ୱରୀ ଏ ମହଲ ବାହାରକୁ ପାଦ ପକାଇ ପାରିବେ ନାହିଁ । ଯଦି ଏହାହିଁ ଭବିତବ୍ୟ ତେବେ ମୋର ଚିନ୍ତା ନାହିଁ । ସେ ବେଶ୍ୟାକୁ ମୁଁ ନଗରରେ ଭିକ ମାଗିବା କର୍ମରୁ ବି ବଞ୍ଚିତ କରିଦେବି । (ପାଖ କୋଠରିରୁ ପଦଧ୍ୱନି ଶୁଭିଲା)–ସେ କୋଠରିରେ କିଏ ?

 

ବିଜୟସିଂହ : (ପ୍ରବେଶ କରି) ମୁଁ । ମୁଁ ତୁମର ସମସ୍ତ ବକ୍ତବ୍ୟ ଶୁଣିସାରିଛି । ରାଜେଶ୍ୱରୀ ବେଶ୍ୟା ନୁହେଁ । ତୁମେ ସେଇ ନିର୍ଲ୍ଲଜ, ଯିଏ ସରଳା ବ୍ରଜେଶ୍ୱରୀକୁ ନିଜ ଜାଲରେ ପକାଇଛ । ବୁଢ଼ା ଷଣ୍ଢ ! ତୁମେ କ’ଣ ଭାବୁଛ, ବ୍ରଜେଶ୍ୱରୀ ତୁମକୁ ପ୍ରେମ କରୁଛି ?

 

ବିଶ୍ୱନାଥ : ଶାନ୍ତ ହୁଅନ୍ତୁ କୁମାର, ଶାନ୍ତ ହୁଅନ୍ତୁ । ଦ୍ୱାରପାଳ ଶୁଣି ନେଇପାରେ ।

 

[କୁମାରଙ୍କୁ ଚୁପ୍‌ କରିବାପାଇଁ ସେ ଆଗକୁ ଆସିଲେ; କିନ୍ତୁ କୁମାର ତାଙ୍କୁ ଧକ୍‌କା ଦେଇ ଗୋଟାଏ ପଟକୁ ଠେଲିଦେଲେ । ସେ ଭିତରେ ମହାରାଜା ସତର୍କତା ସହ ତରବାରି କାଢ଼ି ନେଇଥିଲେ ଏବଂ କ୍ରୋଧରେ ହାତ ଦବାଉଥିଲେ ।]

 

ମାନସିଂହ : ରାଜେଶ୍ୱରୀ ଗୋଟାଏ ବେଶ୍ୟା ଏବଂ ସେ ତୋ ଭଳି ଗୋଟାଏ ମୂର୍ଖକୁ ବଶୀଭୂତ କରିଛି । ଯା, ଚୁପ୍‌କରି ବସ୍‌ । ମୁଁ ତୋତେ ଭିକାରି ଏବଂ ତାକୁ ବେଶ୍ୟା କରି ଛାଡ଼ୁଛି । ପିତାଙ୍କୁ କେମିତି ଗାଳିଦିଆଯାଏ, ଏକଥା ଯଦି ତତେ ଶିଖେଇ ନ ଦେଇଛି, ତେବେ ମୁଁ ରାଜପୁତ ନୁହେଁ ।

 

ବିଜୟସିଂହ : ରାଜେଶ୍ୱରୀ ମୋରି ସାଙ୍ଗରେ ରାଣୀ ହେବ ଏବଂ ମୋରି ସାଙ୍ଗରେ ଭିକାରୁଣୀ ହେବ । ଆଉ ତୁମକୁ ସେ ପବନ ସ୍ପର୍ଶ କରିବ ନାହିଁ, ଯାହା ବ୍ରଜେଶ୍ୱରୀର ବସ୍ତ୍ରକୁ ସ୍ପର୍ଶକରି ଆସୁଚି ।

 

(ମନ୍ତ୍ରୀ ଭୟଭୀତ ହୋଇ ଚୁପ୍‌କରି ଦୀର୍ଘଶ୍ୱାସ ଛାଡ଼ୁଥିଲେ ।)

 

ମାନସିଂହ : (ତରବାରି କାଢ଼ି) ବଜ୍ଜାତ୍‌ ! ବଦମାସ ! (କୁମାର ଆଡ଼କୁ କୁଦିପଡ଼ି) ଦ୍ୱାରପାଳ ! (କୁମାରକୁ ଆକ୍ରମଣ କଲେ । କୁମାର ମଧ୍ୟ ନିଜ କଟାରୀ ଉନ୍ମୁକ୍ତ କଲେ ।)

 

ବିଜୟସିଂହ : (କ୍ଷତ ବିକ୍ଷତ ହୋଇ) ଏଇ ନେ ବୁଢ଼ା ଷଣ୍ଢ ! ତୁମେ ମଧ୍ୟ ବହୁତ ଶୀଳତା ଭଙ୍ଗ କରିଛ । (ରାଜାଙ୍କ ଛାତିରେ କଟାରୀ ଭୁଷିଦେଲେ । ଦୁହେଁ ଧରାଶାୟୀ ହୋଇଗଲେ । ପାଖ କୋଠରିରୁ ରାଜେଶ୍ୱରୀ ଦଉଡ଼ି ଆସିଲେ ।)

 

ବିଶ୍ୱନାଥ : (ରାଜେଶ୍ୱରୀଙ୍କୁ ସମ୍ୱୋଧନ କରି) ତୁମେ ହିଁ ଭବିତବ୍ୟ, ନିୟତି, ଭବ୍ୟ !! ତମେ ଏବଂ ତମର କନ୍ୟା ଭବିତବ୍ୟର ହତିଆର ।

 

ରାଜେଶ୍ୱରୀ : (ମୁହଁରେ ବିଷ ଭରିଦେଇ) ଏହାହିଁ ମୋ’ପାଇଁ ଯଥେଷ୍ଟ, ଆଉ ବ୍ରଜେଶ୍ୱରୀ ମଧ୍ୟ ଏ ଔଷଧସହ ପରିଚିତ । ଆଗକୁ ଭଗବତୀ ତାକୁ ରକ୍ଷା କରିବେ । (ପଡ଼ିଗଲେ)

☆☆☆

 

 

 

 

 

 

 

 

 

 

 

ମୁର୍ଦ୍ଦାରର ରେସନ୍‌

 

–ଗୁରୁଦୟାଲ ସିଂହ ଖୋସଲା

 

ପାତ୍ର

 

(ମଞ୍ଚକୁ ପ୍ରବେଶ କରୁଥିବା କ୍ରମରେ)

ଦେବକୀ :

ନାରାୟଣ ଦାସର ପତ୍ନୀ

ବିଲୁ ଓ କୃଷ୍ଣା :

ପିଲା ଦୁହେଁ

ନାରାୟଣ ଦାସ :

 

ରାଜ :

ନାରାୟଣ ଦାସର ଭାଇ

ଦାରୋଗା :

 

ବୁଢ଼ା (ବୃଦ୍ଧ) :

ନାରାୟଣ ଦାସର ପିତା

 

[ଛୋଟ ସାଧାରଣ କୋଠରିଟିଏ । ଆନୁମାନିକ ୧୦’X୧୨’ର । ଦୁଇଟା ଖଟିଆ, ଗୋଟିଏ ଚଉକି, ଦୁଇ ତିନିଟା ଟ୍ରଙ୍କ, ରଶିଲଗା ଅଲୁଗୁଣି ଉପରେ ବହୁତଗୁଡ଼ା ମଇଳା ଲୁଗା ଏବଂ ଆଉ କିଛି ଜିନିଷପତ୍ର । ସାମନା ଦିଆଲ୍‌ ଉପରେ ଗୋଟାଏ କଣ୍ଟାରେ ଲଣ୍ଠନଟିଏ ଟଙ୍ଗା ହେଇଛି, ଯାହାର ଧୂଆଁରେ ଦିଆଲ୍‌ କଳା ପଡ଼ିଯାଇଛି, କୌଣସି ଗରିବ ଲୋକର ଘର । କିନ୍ତୁ ଏଥିରେ ଦୁଇଟା ସୁନ୍ଦର ବସ୍ତୁ ଅଛି–ଗୋଟିଏ ପିଲାଙ୍କର ଲାଲ ରଙ୍ଗର ଝୁଲଣ ଏବଂ ଅନ୍ୟଟି ଲଣ୍ଠନର କିଛି ଦୂରରେ ଟଙ୍ଗା ହେଇଥିବା ରଙ୍ଗିନ ପଙ୍ଖା । ସକାଳ ସମୟ । ବାଆଁ ପଟେ ବାହାରକୁ ଯିବା ରାସ୍ତା ଏବଂ ଡାହାଣପଟ କୋଣରେ ଏକ ସଂକୀର୍ଣ୍ଣ ସିଢ଼ି ଉପରେ ଥିବା ଛାତକୁ ଲମ୍ବିଛି । ଖଟିଆ ଦୁଇଟି ଉପରେ ଅଲଗା ଅଲଗା ପିଲା ଶୋଇଛନ୍ତି । ଜଣେ ସ୍ତ୍ରୀଲୋକ, ଦେବକୀ, ବୟସ ତିରିଶ ପାଖାପାଖି; ଅଲୁଗୁଣିରୁ ଗୋଟିଏ ଓଢ଼ଣୀ ଟାଣିନେଇ ନିସଂକୋଚରେ ଢାଙ୍କିହେଲା । ଅଳସ ଭାଙ୍ଗି ବାହୁ ପ୍ରସାରଣ କରି କ୍ଳାନ୍ତି ପ୍ରକାଶ କଲା । ଦେବକୀ ରଙ୍ଗିନ କାମିଜ୍‌ ଏବଂ ମଇଳା ସାଲୁଆର୍‌ ପିନ୍ଧିଥିଲା । ବାଳ ଅସଂଯତ ଥିଲା, ଯେପରିକି, ଏବେ ଶୋଇ କରି ଉଠିଚି । ଛୋଟ ପିଲାକୁ ଉଠାଇ ବଡ଼ ଶ୍ରଦ୍ଧାରେ କୋଳକୁ ନେଲା । ପିଲାଟି ଜୋରରେ କାନ୍ଦୁଥିଲା । ତାକୁ ସ୍ନେହରେ ‘ଶୋଇପଡ଼ ବିଲୁ ମୋର, ଏଯାଏ ସକାଳ ହୋଇନି’ କହି ଥାପୁଡ଼େଇଦେଲା । ପିଲାଟି ଚୁପ୍‌ ହୋଇଥିଲା । ଖାଲି ଖଟରେ ଥିବା ବିଛଣାକୁ ଗୋଟେଇ କରି ଅନ୍ୟ ଖଟ ଉପରେ ରଖିଲା । ଖଟ ଉଠେଇ ବାଁ ପଟ ଦେଇ ବାହାରକୁ ନେଇଯିବା ବେଳେ ତା’ର ସ୍ୱାମୀ ବାହାରୁ ଫେରି ଆସିଥିଲା । ସେ ଖଟକୁ ଧରିନେଲା ।]

 

ନାରାୟଣ : ଏତେ ବ୍ୟସ୍ତ ହେବାର କ’ଣ ଥିଲା ? ତମକୁ କେତେଥର କହିଲିଣି ଯେ, ବୋଝ ଉଠାଉଠି କରନାହିଁ ।

 

ଦେବକୀ : ମୁଁ ବୋଝ ଉଠେଇଲେ କ’ଣ ହେଇଯାଉଛି ?

 

ନାରାୟଣ : ତମ ସ୍ତ୍ରୀ ଜାତିଙ୍କ ଉପରେ ଭରସା କ’ଣ ଅଛି ଭଲା ?

 

ଦେବକୀ : (ମୁହଁ ଫୁଲେଇ) ହୁଁ ।

 

ନାରାୟଣ : ଲୋଟା ଗାମୁଛା ଧରେଇ ନିଅ, ଧର ।

 

[ଖଟ ବାହାରକୁ ନେଇଗଲେ । ଖଟ ଖାଲି ହେଇଥିବା ଜାଗାରେ ରୋଷେଇ ଜିନିଷ ଆଖିରେ ପଡ଼ିଲା । କିଛଇ ବାସନ, ଟିଣ ଡବା, ଜାଳ ଏବଂ ଟୋକେଇ ଆଦି । ଚୁଲି ପାଖରେ ଦିଆଲ ପୂରାପୂରି କଳା । ଦେବକୀ ଗାମୁଛାକୁ ଅଲୁଗୁଣିର ଗୋଟାଏ ପଟକୁ ପକାଇ ଦେଇ ଲୋଟାଟିକୁ ବାକି ବାସି ବାସନରେ ରଖିଦେଲା । ଚୁଲିରୁ ପାଉଁଶ ବାହାର କରି ଥାଳିରେ ଅଜାଡ଼ିଲା-। ନାରାୟଣ ଦାସ ଭିତରକୁ ଆସିଲେ । ବାୟସ ୩୫ ପାଖାପାଖି । ମୁଣ୍ଡରେ ଛୋଟ ଛୋଟ ବାଳ, ମୁହଁ ସାରା ଦାଢ଼ି । ମଇଳା କାମିଜ ଓ ରଙ୍ଗିନ ଲୁଙ୍ଗି ପିନ୍ଧିଥିଲା । ଖଟର ଗୋଟାଏ ମୁଣ୍ଡକୁ ବସି ପକେଟରୁ ସିଗାରେଟ କାଢ଼ି ଜଳାଇଲା ।]

 

ଦେବକୀ : (ଅଲୁଗୁଣି ଆଡ଼କୁ ସଂକେତ କରି) ଗାମୁଛାକୁ ତ ବାହାରେ ପକାଇ ଦେଇ ଆସୁଛ । ଓଦାକରି ଅଧା ଶୁଖିଲା ଅବସ୍ଥାରେ ଭିତରକୁ ନେଇ ଆସିଛ ।

 

ନାରାୟଣ : ମୁଁ ତେଲ ଲଗେଇ ମୁଣ୍ଡ ପୋଛିନିଏ ।

 

ଦେବକୀ : ଏବେ ପ୍ରତିଦିନ ତ ମୁଣ୍ଡରେ ତେଲ ଲଗାଇବାକୁ ଆରମ୍ଭ କଲଣି । କାହା ମନକୁ ଚୋରେଇବ ?

ନାରାୟଣ : ନାଁ ମ ! ଆଜି ଦାରୋଗା ଡିପୋ ଦେଖିବାକୁ ଆସୁଚି । ମୋ ନୂଆ ଲୁଗା ବାହାର କରିଦିଅ । ଆଉ ଶୁଣ, ଯେତେବେଳେ ମୁଁ ପିଲାଟିକୁ ପଠାଇବି ଦି’ଗିଲାସ ଚା’ ତିଆରି କରି ପଠେଇଦବ । ଦାରୋଗାର ପ୍ରତିଦିନ କିଛି ନା କିଛି କାମ ତ ରହୁଚି । ଆଉ ଏକା ସାଙ୍ଗରେ ଚା’ ପିଇ ମନ ଖୁସି କରୁଚୁ ।

[ଦେବକୀ ଟ୍ରଙ୍କରୁ ନୂଆ ଲୁଗା ବାହାର କରିଦେଲା । ନାରାୟଣ କଥା ହେଉ ହେଉ ପୁରୁଣା ଲୁଗା କାଢ଼ିକରି ନୂଆ ପିନ୍ଧିବାକୁ ଲାଗିଲେ ।]

ଦେବକୀ : ଦାରୋଗାଙ୍କ ଆସିବାର ଗୋଟାଏ ସମୟ ତ ଥିବ ? କିଏ ଜାଣେ କେତେବେଳେ ଆସିବେ–ଆଉ ମୁଁ ଦିନସାରା ଚୁଲିଜାଳି ବସିଥିବି । ପିଲାଟାକୁ କହିବ, ଗୁଡ଼ିଆ ଦୋକାନରୁ କେଟ୍‌ଲିରେ ପାଣି ନେଇ ଆସିବ,–ମୁଁ ଚା’ ଗୁଣ୍ଡ ପକେଇଦେବି ।

ନାରାୟଣ : ଗୁଡ଼ିଆ ଦୋକାନରେ ପାଣି ମିଳିପାରେ ନ ମିଳିପାରେ । ଦାରୋଗା ତ ପୁଣି ଗୋଡ଼େ ଗୋଡ଼େ ଆସି ଚାଲିଯାଏ । ମୁଁ ପିଲାଟାକୁ କହିଦେବି ସେ ନଜର ରଖିବ । ଦୂରରୁ ତାଙ୍କୁ ଦେଖିଲାମାତ୍ରେ ଘରକୁ ଚାଲିଆସିବ । ଦି’ପାଦ ବାଟରେ ତ ଦୋକାନଟା ।

ଦେବକୀ : ମୋର କ’ଣ ଯାଉଚି ? ମୁଁ ତ ଚୁଲିପାଖରେ ଲାଗିକରି ବସିରହିବି । ପଛରେ ପୁଣି କହିବନି କାଠ ସରିଗଲା ବୋଲି । ଆଉ ସନ୍ଧ୍ୟାକୁ ଫେରି ଲୁଗା ସଫା ହେଲାନି ବୋଲି ମତେ ପଚାରିବନି ।

 

ନାରାୟଣ : ଓହୋ ! ତମେ ଏବେ ନିଆଁ ଜାଳନି । ଘଣ୍ଟାଏ ଖଣ୍ଡେ ପରେ ଜଳେଇଦବ । ଆସନ୍ତା ବର୍ଷ ଜାଳେଣି କାଠର ଡିପୋ ମିଳିଗଲେ ନା, ତମର ଏ ଦହଗଞ୍ଜ ବି ତୁଟିବ । ଗୁଡ଼ିଆ ଦୋକାନରୁ ମୁଁ ଏବେ ଚା’ପାଇଁ ପାଣି ନେଇଆସୁଚି । ଦିଅ କେଟ୍‌ଲି ।

 

ଦେବକୀ : (ବସି ବସି କେଟ୍‌ଲି ଉଠାଇ ଧରି) ନିଅ ।

 

ନାରାୟଣ : (କେଟ୍‌ଲି ଧରି) ଦିଅ, ଗିଲାସ ଦେଇଦିଅ । ଦୁଧ ବି ନେଇ ଆସିବି ତ !

 

ଦେବକୀ : କିଛି ଚିନି ମଧ୍ୟ ନେଇ ଆସିବ ।

 

ନାରାୟଣ : ଏଇ ପଅରିଦିନ ପରା ସେରେ ଚିନି ପଠାଇଥିଲି । ସାରି ଦେଲଣି ?

 

ଦେବକୀ : ପିଲାମାନେ କ’ଣ ଚିନିକୁ ଛାଡ଼ୁଛନ୍ତି ? ସେଥିପାଇଁ ତ ଅଧିକ ଘରେ ରଖେ ନାହିଁ ।

 

ନାରାୟଣ : ଏବେ ସିନା ରେସନ୍‌ ଡିପୋ ଅଛି ଯେ କାମ ଚଳିଯାଉଛି । ଯଦି ଅନ୍ୟମାନଙ୍କ ଭଳି ହିସାବରେ ମିଳୁଥାଆନ୍ତା ନା, ତେବେ ଫିକା ଚା’ ପିଇବାକୁ ପଡ଼ନ୍ତା ।

 

ଦେବକୀ : ଦେଖିବା, ତମେ କେମିତି ଫିକା ଚା’ ପିଇବ ? (ସିଢ଼ି ଆଡ଼କୁ ସଂକେତ କରି) ଆଉ ତୁମ ବାପ କ’ଣ ଫିକା ଚା’ ପିଇବେ ? ଗିଲାସକେ ପୂରା ଛ ଚାମଚ ଚିନି ପଡ଼ୁଚି ।

 

ନାରାୟଣ : ଯା, ତମ ରୋଜଗାରରୁ ତ ଖାଉନାହାନ୍ତି ।

 

ଦେବକୀ : ମତେ ତ ଜୁଟେଇବାକୁ ପଡ଼ୁଚି । ତମ ସମସ୍ତଙ୍କ କଥା ବି ତ ଶୁଣିବାକୁ ହେଉଚି । କେବେ ଦୁଧ ଗିଲାସ କମ୍‌ ହେଲେ ତୁମ ବାପାଙ୍କର ଭଲ ନିଦ ହୁଏ ନାହିଁ । କୃଷ୍ଣାକୁ ଯେବେଠାରୁ ସ୍କୁଲ ପଠେଇଛି ସେଦିନୁ ରୋଜ ତା’ର ନୂଆ ବହି ଖାତା ଦରକାର ପଡ଼ୁଚି । ତୁମ ଡାଲି ଟିକିଏ କମ୍‌ ଚିକ୍‌କଣିଆ ହେଲେ ତମେ ମତେ ଗାରଡ଼େଇ ଚାହଁ । ଖାଲି ବିଲୁର ପାଟି ଫିଟିନି; ନ ହେଲେ ସେ ମତେ ଝୁଣି ଖାଆନ୍ତା ।

 

ନାରାୟଣ : ଓହୋ, ପାଗଳୀ ! ମୁଁ ତମର ସବୁ ଚିନ୍ତା ଦୂର କରିଦେବି । ହଉ, ଦାରୋଗାଙ୍କ ପାଇଁ ବଢ଼ିଆ ଚା’ ତିଆରି କରି ପଠାଇବ । ଯଦି ଶହେ ରେସନ କାର୍ଡ଼ ମୋ ଡିପୋକୁ ମିଳିଯାଏ ନା, ତେବେ ସାରା ଖର୍ଚ୍ଚ ପୂରା ହେଇଯିବ । ଦିଅ, ଦୋକାନର ଚାବିଗୁଡ଼ା ଦିଅ–କୋଉଠି ଅଛି ?

 

ଦେବକୀ : ଦେଖିବି ଯେ, ଯେଉଁ ଦିନ ଶହେ କାର୍ଡ଼ ତମ ସତର ନମ୍ବର ଡିପୋକୁ ମିଳିବ, (ଉଠି ଯାଇ ତକିଆ ତଳୁ ଚାବିଗୁଡ଼ା କାଢ଼ିଦେଲା)–ସେଦିନ ମତେ ସୁନାର ବଳା ତିଆରି କରିଦବ ।

 

ନାରାୟଣ : (ତା’ର ଚାବି ବଢ଼େଇ ଦେଉଥିବା ହାତକୁ ଧରି ନେଇ) ନିଶ୍ଚୟ ! ଶହେ କ’ଣ ମ ! ଯଦି ଆଉ ପଚାଶଟା କାର୍ଡ଼ ମୋ ସତର ନମ୍ବର ଡିପୋକୁ ମିଳିଯାଏ ନା, ତେବେ ତମ ପାଇଁ ବଳା ତିଆରି କରିଦେବି । ଏଇ ସେଦିନ ତ ତମପାଇଁ ଜାପାନୀ ପଙ୍ଖା ଆଣି ଦେଇଥିଲି ।

 

ଦେବକୀ : ନିଅ, କେତେ ଟେକ ହୋଇଗଲ । ଚାରି ଅଣାର ପଙ୍ଖା ଆଣିଥିଲ ନା ?

 

ନାରାୟଣ : ଯେଉଁ ଦିନ ଅଫିସରୁ ଅର୍ଡ଼ର ବାହାରିବ, ସେଦିନ ତୁମକୁ ବଣିଆ ଦୋକାନକୁ ନେଇଯିବି । ଆଉ ତମେ ତମ ମନପସନ୍ଦ ବଳା ବାଛିବ । ହେଲା–

 

ଦେବକୀ : ନା–ନା, (ହାତ ଛଡ଼େଇ ନେଇ) ହୁକୁମ ମିଳିଲା ପରେ ମୁଁ କଙ୍କଣ ତିଆରି କରିବି ନାହିଁ । ସରକାରଙ୍କ ଅର୍ଡ଼ର ଆଜି ମିଳିଲା ତ କାଲି ଯଦି କିଏ ପହଞ୍ଚି ଗଲା, ଅର୍ଡ଼ର ଓଲଟିଗଲା । ଯେଉଁଦିନ ଶହେ ନୂଆ କାର୍ଡ଼ ଆମ ଡିପୋରେ ହାଜିର ହେଇଯିବ, ମୁଁ ସେଦିନ କଙ୍କଣ ତିଆରି କରିବି ।

 

ନାରାୟଣ : ତମେ ଚିନ୍ତା କର ନାହିଁ । ମୁଁ ଦାରୋଗା ସହ ଆଜି କଥା ହେବି । (ପାଦରେ ସିଗାରେଟ ମକଚି ଲିଭେଇଦେଲା ।)

 

ଦେବକୀ : ଏବେ ଶୀଘ୍ର ଯାଅ । (ସିଢ଼ି ଆଡ଼କୁ ଇଙ୍ଗିତ କରି) ଲାଲାଜୀ ଚା’ପାଇଁ ଡାକୁଛନ୍ତି ବୋଧେ ।

 

ନାରାୟଣ : (ବାହାରକୁ ଯାଉ ଯାଉ) ମୋ ପାଇଜାମାରେ ଡୋର ଲଗାଇ ଦେବ । [ଦେବକୀ ପାଇଜାମାରେ ଡୋର ଲଗାଇଲେ । ବାସନ କୁସନ ଠିକ୍‌ କରି ସଜେଇ ରଖିଲେ । ଚୁଲି ପାଉଁଶ କାଢ଼ି ବାହାରି ଆସିଲେ । ସାତ ବର୍ଷ ବୟସ୍କ କୃଷ୍ଣା ବିଛଣାରେ ଉଠି ବସିଲା ।]

 

କୃଷ୍ଣା : (କୋଠରିକୁ ଖାଲି ଦେଖି) ମା’ !

 

ଦେବକୀ : (ବାହାରୁ) ଯାଉଚି କୃଷ୍ଣା ! (ଭିତରକୁ ଆସି) ଶୋଇଯା, ଏବେ ତୋର ଉଠିବା ସମୟ ହେଇନି ।

 

କୃଷ୍ଣା : ମା’, ଭୋକ ହେଲାଣି ।

 

ଦେବକୀ : ତୋ ବାପା ଦୁଧ ଆଣିବାକୁ ଯାଇଚି । ଏବେ ଚା’ ତିଆରି କରିଦେଉଚି ।

 

କୃଷ୍ଣା : (ଜିଦି କରି) ମା’, ଏଇନା ଚିନି ଟିକେ ଦିଅ ।

 

ଦେବକୀ : ଆରେ ତୁ ଚିନି ପାଇଁ ଧାଡ଼ି ବାନ୍ଧି ଦଉଚୁ; ଆଉ ବାପ ତୋର ମୋ ଉପରେ ଘୋଷା ହଉଚି !

 

କୃଷ୍ଣା : ଉଁ–ହୁଁ..... ହୁଁ !

 

ଦେବକୀ : (ଗୋଟାଏ ସିଗାରେଟ ଡବାରୁ ମୁଠାଏ ଚିନି ଆଣି ତାକୁ ଦେଇ) ନେ, ମର-। ଘଣ୍ଟାଏ ପାଇଁ ଆଉ ଏବେ ଉଠିବୁନି । ମତେ ଟିକେ ଧୀରେ ସୁସ୍ଥେ ଘରର କାମଧନ୍ଦା କରିବାକୁ ଦିଅ ।

 

[କୃଷ୍ଣା ଚିନିତକ ପାଟିରେ ପକେଇ ଶୋଇଗଲା । ଦେବକୀ ଚୁଲିରେ କାଠ ଲଗାଇଲା । ହାଇ ମାଇଲା, ଯେପରିକି ଖୁବ୍‌ ଥକିଯାଇଛି । ଉଠିଯାଇ ଓଦା ଲୁଗାରେ ନିଜ ଆଖି ପୋଛୁଥିଲା ବେଳେ ନାରାୟଣ ପହଞ୍ଚିଲେ । ତାଙ୍କର ଗୋଟାଏ ହାତରେ କାମିଜ୍‌ କାନି ସହ ଧରିଥିବା କେଟ୍‌ଲି ଏବଂ ଅନ୍ୟ ହାତରେ ଗିଲାସ ।]

 

ନାରାୟଣ : (ଥଟ୍ଟାରେ) କ’ଣ ସଜବାଜ ଚାଲିଛି ! (ପ୍ରେମ ମିଶା ଗଳାରେ) ମୁହଁରେ ପାଉଡର ଲଗାଇବା ପାଇଁ ପ୍ରସ୍ତୁତ ହେଉଚ ?

 

ଦେବକୀ : ଗଲ ଏଠୁ । (ଚୁଲି ପାଖକୁ ଚାଲିଗଲା)–

 

ନାରାୟଣ : (ଆଗରେ ଗିଲାସ ଓ କେଟ୍‌ଲି ରଖିସାରି ତା’ ହାତ ଧରି ଟାଣିଲା)–ମୋ କଥା ଟିକେ ଶୁଣ ମ !

 

ଦେବକୀ : (ହାତ ଛିଞ୍ଚାଡ଼ି) ଟିକେ ସମୟ ଅସମୟ ବାଛ-ବିଚାର କର । (ଚାପା କଣ୍ଠରେ) କୃଷ୍ଣା ଚାହିଁଛି । (ଚା’ ତିଆରି କଲା)–

 

ନାରାୟଣ : ହଉ ହଉ ।

 

ଦେବକୀ : ତମେ ପରା କହୁଥିଲ, ଦାରୋଗା ଡିପୋ ଦେଖିବାକୁ ଆସୁଚି । ଖାତାକୁ ଠିକ୍‌ଠାକ୍‌ କରିନିଅ ।

 

ନାରାୟଣ : ଆରେ ହଁ ତ ! ଠିକ୍‌ ସମୟରେ ମନେପକେଇ ଦେଇଚ ।

 

[ନାରାୟଣ ଟ୍ରଙ୍କ ଉପରୁ ଖାତା କଲମ ଦୁଆତ ଧରି ଖଟ ଉପରେ କାନ୍ଥକୁ ପିଠି ଲଗାଇ ବସିପଡ଼ିଲା । ଖାତାରେ କ’ଣ କିଛି ଲେଖିଲା ? ଦେବକୀ ପିତଳର ଦିଇଟା ଗିଲାସରେ ଚା’ ଭର୍ତ୍ତିକରି ନିଜ ଓଢ଼ଣୀକାନିରେ ଧରିଆଣି ଗୋଟାଏ ନାରାୟଣକୁ ଦେଲା, ଆଉ ଅନ୍ୟଟିକୁ ଉପରକୁ ନେଇଗଲା । ନାରାୟଣ ଆଙ୍ଗୁଠିରେ ହିସାବ କରି ବିରକ୍ତ ହେଲା ଭଳି ଜଣାପଡ଼ିଲା, ଯେମିତିକି ହିସାବଟା ଠିକ୍‌ ମିଶୁ ନାହିଁ ।]

 

ଦେବକୀ : (ଶୀଘ୍ର ଫେରୁ ଫେରୁ) ଏପର୍ଯ୍ୟନ୍ତ ଲାଲାଜୀ ଉଠିନାହାନ୍ତି । ଡାକେ ଦି’ ଡାକେ ମୁଁ ଦେଲି । ପ୍ରତିଦିନ ସକାଳୁ ଉଠି ଜଙ୍ଗଲକୁ ନିତ୍ୟକର୍ମ କରିବାକୁ ସେ ଚାଲିଯାଆନ୍ତି । ଆଜି ଏପର୍ଯ୍ୟନ୍ତ....., ତମେ ଟିକେ ଦେଖ ତ !

 

ନାରାୟଣ : (ବିରକ୍ତ ସହକାରେ) ଓହୋ, ମୁଁ ତମକୁ କେତେଥର କହିଲିଣି, ହିସାବ ମଝିରେ ଗୋଳମାଳ କରିବନି ବୋଲି । ଅତି କଷ୍ଟରେ ଦବା-ନବାର ହିସାବଟା ମିଳିଯାଉଥିଲା । ଠିକ୍‌ ସେତିକିବେଳେ.....

 

ଦେବକୀ : ସେତିକିବେଳେ ଉପରେ ତମ ବାପାଙ୍କର ହିସାବ ମିଳିଗଲା । (ନାରାୟଣ ଖାତା ପକେଇ ଦେଇ, କଲମ କାନରେ ଖୋଷି ଉପରକୁ ଚାଲିଗଲା । ଦେବକୀ ମୁଣ୍ଡରେ ହାତ ରଖି କହୁଥିଲା.....) ଅଳ୍ପ ପଢ଼ୁଆ ସ୍ୱାମୀ ମଧ୍ୟ କିଛି କମ୍‌ ନୁହେଁ ।

 

[ଚୁଲି ପାଖରେ ବସି ଚା’ ତିଆରି ଓ ଅନ୍ୟ କାମରେ ଲାଗିଲା । ନାରାୟଣ କିଛି ସମୟ ପରେ ବିବ୍ରତ ବିଚଳିତ ଅବସ୍ଥାରେ ଭିତରକୁ ଆସିଲେ ।]

 

ନାରାୟଣ : ଲାଲାଜୀଙ୍କର ନାଡ଼ି ବି ତ ଚାଲୁନି ।

 

ଦେବକୀ : ସତେ ?

 

ନାରାୟଣ : ଟିକେ ଯାଇ ଦେଖ ତ !

 

[ନାରାୟଣ ଏବଂ ତା’ ପଛରେ ଦେବକୀ ଉପରକୁ ଚାଲିଗଲେ । ସେତିକିବେଳକୁ କୃଷ୍ଣା ବିଛଣା ଉପରେ ଉଠିପଡ଼ି ବସିଗଲା । କୋଠରିରେ ମା-ବାପାଙ୍କୁ ନ ଦେଖି ଧୀରେ ବାହାରକୁ ଚାଲିଆସିଲା । ଡବାରୁ ମୁଠାଏ ଚିନି ପାଟିରେ ପକେଇ ପୁଣି ନିଜ ବିଛଣାରେ ଶୋଇବାର ଉପକ୍ରମ କଲା । କିଛି ସମୟ ପରେ ଦେବକୀ ଫେରିଲା ଏବଂ ଚା’ ଦେଇସାରି ବାକି ବାସନ ଏକାଠି ଢାଙ୍କି ରଖିଦେଲା । ଚୁଲି ଉପରେ ତାଓ୍ୱା ରଖିଦେଲା ପରେ ନାରାୟଣ ପ୍ରବେଶ କଲେ । ସେ ଦେବକୀ ପାଖରେ ତଳେ ବସିପଡ଼ି ଭୋ-ଭୋ ହୋଇ କାନ୍ଦିବାକୁ ଲାଗିଲା । ଦେବକୀ ତାଙ୍କ ପିଠି ଉପରେ ହାତ ବୁଲାଇ ସାନ୍ତ୍ୱନା ଦେବାକୁ ଲାଗିଲା । ନିଜ ଆଖିରୁ ଲୁହ ପୋଛୁଥିଲା ।]

 

ନାରାୟଣ : (ଉଚ୍ଚ ସ୍ୱରରେ କାନ୍ଦି) ଲାଲାଜୀ ! ଆମକୁ ଛାଡ଼ି ଚାଲିଗଲ । (କୃଷ୍ଣା ବିଛଣାରେ ଉଠି ବସି ନିଜ ବାପ ଆଡ଼କୁ କଣେଇ ଚାହିଁଲା ।)

 

କୃଷ୍ଣା : ମା’, ମତେ ଭୋକ ହେଲାଣି ।

 

[ଉଠିକରି ନିଜ ବାପ ପାଖକୁ ଆସିଲା । ନାରାୟଣ ତାକୁ କୋଳକୁ ଉଠେଇନେଲା । ସେ ପୁଣି ତା’ ମା’ ପାଖକୁ ଚାଲିଗଲା । ଦେବକୀ ତାକୁ ଚା’ ଗିଲାସ ଧରେଇଦେଲା । କୃଷ୍ଣା ଚା’ ପିଇଯାଉଥିଲା ଏବଂ ନିଜ ମା’-ବାପଙ୍କୁ ଦେଖୁଥିଲା । ପୁଣି ମା’କୁ ପଚାରିଲା ।] ମା’, ବାବା କାହିଁକି କାନ୍ଦୁଛନ୍ତି ?

 

ନାରାୟଣ : କୃଷ୍ଣା ! ଲାଲାଜୀ ଚାଲିଗଲେ ।

 

କୃଷ୍ଣା : (ମା’କୁ) ଲାଲାଜୀ ଚାଲିଗଲେ ? ମୁଁ ଲାଲାଜୀଙ୍କ ସାଙ୍ଗରେ ଯିବି । (ଦଉଡ଼ି ଯିବାକୁ ଉଦ୍ୟତ ହେଲାବେଳେ ଦେବକୀ ତାକୁ ଅଟକାଇଲା ।)

 

ନାରାୟଣ : ଦେଖି ଆସୁ ସେ ।

 

ଦେବକୀ : ଏକୁଟିଆ ତାକୁ କେମିତି ଛାଡ଼ିବି ? (ବୁଝେଇକରି) କୃଷ୍ଣା ! ଲାଲାଜୀ ମରିଗଲେ ।

 

କୃଷ୍ଣା : ମରିଗଲେ ! କିନ୍ତୁ ବାପା କାନ୍ଦୁଛନ୍ତି କାହିଁକି ? ଲାଲାଜୀ ତ ନିଜେ କହୁଥିଲେ, ତାଙ୍କୁ ଅଶୀ ବର୍ଷ ହେଇଗଲାଣି, ଦିନେ ସେ ମରିଯିବେ । (ଟିକିଏ ରହି)–ଅଶୀ ବର୍ଷ ହେଲେ ବାପା ମଧ୍ୟ ମରିଯିବେ ?

 

ଦେବକୀ : (କୃଷ୍ଣାକୁ ଉଠାଇ ବାଁ ପଟ ଦରଜା ଯାଏ ନେଇଗଲା)–ତୁ ବାହାରକୁ ଯା; ଖେଳ ।

 

କୃଷ୍ଣା : ମା’, ମତେ ଚକଲେଟ୍‌ ଆଣିଦବ ନା ?

 

ଦେବକୀ : ହଁ–ହଁ, (ତାକୁ ବାହାରକୁ ବିଦା କରିଦେଲେ । ନାରାୟଣକୁ)–ଉଠି ଯାଇ ଜ୍ଞାତିକୁଟୁମ୍ୱଙ୍କୁ ଏବେ ଖବର ଦିଅ ।

 

ନାରାୟଣ : ରାଜ ଆସିଲେ ନିଜେ ଖବର ଦେଇଦବ । ମୁଁ ଲାଲାଜୀଙ୍କ ପାଖରେ ବସିବି-

 

ଦେବକୀ : ରାଜ ଉପରେ କୋଉ ବିଶ୍ୱାସ ? ଆଠ ଆଠ ଦିନ ତ ଘରକୁ ଫେରିନି । (ଟିକିଏ ରହି) ମରିବା ଖର୍ଚ୍ଚ ବିଷୟରେ କିଛି ଭାବିଛ ? ଘରେ ତ ଫଟା କଉଡ଼ିଟିଏ ନାହିଁ ।

 

ନାରାୟଣ : ଜ୍ଞାତିକୁଟୁମ୍ୱ ତ କିଛି ଦେବେ ।

 

ଦେବକୀ : ଜ୍ଞାତିକୁଟୁମ୍ୱ ଦେବେ କ୍ରିୟା ଦିନ ନା ଶବଯାତ୍ରା ଦିନ ? (ଧୀରେ) ତମେ ଖୁବ୍‌ ଥିଲାବାଲା ନା, କୁଟୁମ୍ୱମାନେ ତମ ମୁହଁକୁ ଏବେଳେ ଚାହିଁବେ ? ରାଜ ଅକର୍ମାକୁ କିଏ ପଚାରିବ ? ସାରା ଦୁନିଆ ଜାଣେ ସେ ବଦଖର୍ଚ୍ଚୀ ଆଉ ଜୁଆଡ଼ି । ରୋଜଗାରେ କଲାବାଲା ତ ତମେ ଏକଲା । ଏବେ ଲାଲାଜୀ ସାରା ଜୀବନ ଭୋଗ କରି ସୁଖମରଣ ମଲେ । ଯଦି ଶବ ଉପରେ ରେଶମୀ କନା ନ ଢାଙ୍କିବ ନା; ନାକ କଟିଯିବ । ରାଜ ତ ଶେଷ ବେଳକୁ ବଣ୍ଟରା-କୁଣ୍ଟରା କରିବାକୁ ଆସି ପହଞ୍ଚିବ-। କହିବାକୁ ଆସିବ, ଲାଲାଜୀଙ୍କ ପଗଡ଼ି କନାରୁ ବି ମତେ ଅଧେ ଦେଇଦିଅ ।

 

ନାରାୟଣ : ତମେ କ’ଣ କହୁଚ କହିଲ ?

 

ଦେବକୀ : ମୋ କଥା ମାନିବ ତ, ଲାଲାଜୀଙ୍କ ବାକ୍‌ସ ଖୋଲି ଦେଖ ସେଥିରେ କ’ଣ ଅଛି ? ଆଉ ଏଥିରେ ଯାହା ଖର୍ଚ୍ଚ ହେବ, ରାଜ ଆସିବା ଆଗରୁ କାଢ଼ିଆଣ ।

 

ନାରାୟଣ : ଏବେ କେତେ ଖର୍ଚ୍ଚ ହେବ ?

 

ଦେବକୀ : ଶହେ ଟଙ୍କାରୁ କ’ଣ କମ୍‌ ଲାଗିବ ? ମୋ ବାପା ଯେତେବେଳେ ମରିଥିଲେ, ଦି’ଶହ ଟଙ୍କା ବି କୁଳେଇଲା ନାଇଁ ।

 

ନାରାୟଣ : ତମେ ବାକ୍‌ସ ନେଇ ଆସ ।

 

[ଦେବକୀ ଉପରକୁ ଚାଲିଗଲା । ନାରାୟଣ ଉଠିପଡ଼ି ନୂଆ କାମିଜ୍‌ କାଢ଼ିଲା ଏବଂ ଅଲଗୁଣିରୁ ପୁରୁଣା କାମିଜ୍‌ କାଢ଼ି ପିନ୍ଧିଲା । ଦେବକୀ ସିନ୍ଦୁକ ଧରି ଆସିଲା ।]

 

ଦେବକୀ : (ତଳେ ବାକ୍‌ସ ରଖି) ଏଇ ନିଅ ଚାବି ।

 

ନାରାୟଣ : ୟାକୁ କୋଉଠୁ ଆଣିଲ ?

 

ଦେବକୀ : ଲାଲାଜୀଙ୍କ ତକିଆ ତଳେ ଥିଲା । (ନାରାୟଣ ଚାବି ଧରିବାକୁ ସଂକୋଚ କଲା; ଶେଷରେ କିନ୍ତୁ ଧରିଲା ।) ମୁଁ ଭିତରୁ ଦରଜା ବନ୍ଦକରି ଆସୁଚି ?

 

[ବାଁ ପଟେ କୁରୁଣ୍ଡା ଲଗାଇଲା । ଦୁହେଁ ବସି ସିନ୍ଦୁକ ଖୋଲିଲେ ଏବଂ ଅନେକ ଜିନିଷ ପଦାକୁ କାଢ଼ିଲେ ।]

 

ନାରାୟଣ : ହେଇ ଦେଖ ବଟୁଆ । (ଖୋଲିକରି ନୋଟ୍‌ ଗଣିଲେ) ଏକ, ଦୁଇ, ତିନି, ଚାରି, ପାଞ୍ଚ, ଛଅ, ସାତ–ସତୁରି ଟଙ୍କା ହେଲା ।

 

ଦେବକୀ : ଅନ୍ୟ କଣଟା ଦେଖ ?

 

ନାରାୟଣ : ଏଥିରେ ଛଅଟଙ୍କା (କିଛି ନୋଟ୍‌ ଓ ସୁଉକି କାଢ଼ି) ଏବଂ ଏଗାର ଅଣା ଅଛି-

 

ଦେବକୀ : ଛଅସ୍ତରି ଟଙ୍କା ଏଗାର ଅଣା–ଏଥିରେ ତ କାମ ଚଳିବନି । ଆଉ କ’ଣ ଅଛି-? (ଗୋଟିଏ ପୁଡ଼ିଆ ଖୋଲି) ନୋଥ ଅଛି; ପ୍ରାୟ ଅଧ ତୋଳାର ହେବ ।

 

ନାରାୟଣ : (ଅବଶୋଷ ସହିତ ନୋଥ ନେଇ) ଲାଲାଜୀ ମା’ଙ୍କର ଏଇ ଗୋଟିଏ ସନ୍ତକ ଯତ୍ନରେ ରଖିଥିଲେ । (ଗୋଟିଏ ବହି ଉଠେଇ ଧରି) ଇଏ ଲାଲାଜୀଙ୍କର ଗୀତା । (କେତେଟା ପୃଷ୍ଠା ଓଲଟେଇ ଦେଖିଲା ।)

 

ଦେବକୀ : ଦେଖ, ଏ ଛୋଟ ବହିରେ ପେନ୍‌ସିଲ୍‌ ଅଛି । ଯଦି କୃଷ୍ଣାର ହାତ ବାଜିବ ନା, ଆଉ ମିଳିବନି । (ଖଟ ଉପରେ ରଖି ଦେଇ) ଏଇଟା କ’ଣ ? (ଗୋଟିଏ ପଡ଼ୁଆ ଖୋଲି) ମଥାମଣି ?

 

ନାରାୟଣ : ଏଇଟା ମୋ ବୁଢ଼ୀମା’ର ।

 

ଦେବକୀ : (ଦେଖି କରି) ଏହା ଉପରେ ସୁନା ପତର ଚଢ଼ା ହେଇଚି । ଜଞ୍ଜିର ମଧ୍ୟ ସୁନା ଭଳିଆ ମନେହେଉଚି । ସୁନା ତୋଳାଏ ଖଣ୍ଡେ ତ ନିଶ୍ଚୟ ହେବ । ଏହାକୁ ମାଆ ରାଜର ସ୍ତ୍ରୀ ପାଇଁ ରଖିଥିଲେ । କିନ୍ତୁ ରାଜ ତ ଗଣ୍ଡି ହଲେଇ କୋଉଁ କାମଟିଏ କରୁନି; ଏ ମଥାମଣି ତା’ର କୋଉ କାମରେ ଅବା ଆସିବ ! ଏଇ ନିଅ ଟଙ୍କା; ମରିବା ଲୋକର ଖର୍ଚ୍ଚ ପାଇଁ ରଖି ନିଅ ।

 

ନାରାୟଣ : (ଟଙ୍କା ପକେଟରେ ପକେଇ) ଆଉ ବାକି ତକ ପାଇଁ କ’ଣ କରିବା ? ନୋଥ ବଣିଆ ଘରେ ବନ୍ଧକ ରଖି ପଚାଶ ଟଙ୍କା ଆଣିବି କି ?

 

ଦେବକୀ : ବଣିଆ ପାଖରେ କାହିଁକି ବନ୍ଧକ ରଖିବ ? ମୋ ପାଖେ ମୋ ଭଉଣୀର ଶହେ ଟଙ୍କା ଜମା ଅଛି । ସେଥିରୁ ପଚାଶ ଟଙ୍କା କାଢ଼ି ଦଉଚି ଏବଂ ନୋଥ ରଖି ଦଉଚି । ପରେ ନୋଥ ବଦଳେଇକରି ଭଉଣୀ ଟଙ୍କା ପୂରା କରିଦେବା ।

 

[ଉଠିଯାଇ ଖଟ ତଳୁ ଗୋଟାଏ ଟ୍ରଙ୍କ ଟାଣି ଆଣିଲା । ଖୋଲି କରି ସେଥିରେ ନୋଥ ରଖିଦେଲା ଏବଂ ଟଙ୍କା ବାହାରକଲା । ନରାୟଣ ସିନ୍ଦୁକ ଖୋଲା ରଖିଥିଲା ।]

 

ନାରାୟଣ : ଏ ଡବାରେ କ’ଣ ଅଛି ? (ଡବାରୁ ତାସ୍‌ ଦି’ପଟ ବାହାର କରି ମୁଣ୍ଡରେ ଲଗାଇ) ବଗିଚାରେ ବସି ନିଜ ବନ୍ଧୁମାନଙ୍କ ସାଙ୍ଗରେ ଲାଲାଜୀ ଏହି ତାସ୍‌ ଖେଳୁଥିଲେ । (ଶୁଖିଲା ହସ ହସି) ଡବା ଉପରେ ଲେଖା ହେଇଚି, ଲାଲା କିର୍‌ପା ରାମ । ଲାଲାଜୀ କେତେ କାଗଜପତ୍ର ଜମେଇ ରଖିଥିଲେ । (କାଗଜର ଫାଇଲରୁ ସୂତା ଖୋଲି) ଏହା ଲାଲାଜୀଙ୍କର ଜାତକ । (ଖୋଲି କରି ଦେଖିଲା, ପୁଣି ଚଉତି ରଖିଦେଲା) ଏସବୁ କାକାଙ୍କର ଚିଠି । କସୁରରେ ଆମର ଯେଉଁ ଘରଟା ଥିଲା ଏଇଟା ତା’ର ତଳ ଛାତର ଭଡ଼ା କବଲା । ଏଇଟା କ’ଣ ? ଲାଲାଜୀଙ୍କର ଆଙ୍ଗଲୋ ଭର୍ଣ୍ଣାକୁଲାର ପରୀକ୍ଷା ପାସ୍‍ର ସାର୍ଟିଫିକେଟ୍‌; ଆଉ ଏଇଟା ରେସନ୍‌କାର୍ଡ଼ । (ଧ୍ୟାନ ସହକାରେ ଦେଖି) ଏଥିରେ ମୁଁ ଗଲା ମାସରେ ନିଜେ ସନ୍ତକ କରିଥିଲି । ବାସ୍‌, ଆଉ ଏବେ ଏହା ଉପରେ କିଛି କରାଯାଇ ପାରିବନାହିଁ ।

 

ଦେବକୀ : ଏଇ ରାତିରେ ତ ଲାଲାଜୀ ତମ ନାଁ ଧରି କହୁଥିଲେ–ସକାଳୁ ରେସନ୍‌କାର୍ଡ଼ଟା ମୋଠୁଁ ମାଗିନେବୁ ।

 

ନାରାୟଣ : ଆଜି ତାଙ୍କର ରେସନ୍‌ ନେବାର ଦିନ ଥିଲା ।

 

ଦେବକୀ : କେବଳ ଦୁଇ ଘଣ୍ଟାର ବ୍ୟବଧାନ ହେଲା । ନ ହେଲେ ଦୋକାନକୁ ଯିବା ସମୟରେ ତମେ କାର୍ଡ଼ଟାକୁ ସାଙ୍ଗରେ ନେଇଯାଇଥାଆନ୍ତ ଏବଂ ପିଲାଟା ହାତରେ ରେସନ୍‌ ଦେଇ ପଠାଇଥାଆନ୍ତ ।

 

ନାରାୟଣ : କଥାଟା ତ ସେଇୟା ଥିଲା; କିନ୍ତୁ ପରମେଶ୍ୱରଙ୍କୁ ଏହା ମଞ୍ଜୁର ହେଲା ନାହିଁ ।

 

ଦେବକୀ : ଏବେ ରାଜ ଆସିଯିବ । ସନ୍ଧ୍ୟା ସୁଦ୍ଧା ପିଉସୀ ଆସି ପହଞ୍ଚି ଯିବ ଏବଂ ଅନ୍ୟ ଜ୍ଞାତିକୁଟୁମ୍ୱମାନେ ମଧ୍ୟ ଆସିଯିବେ । ଯଦି ଲାଲାଜୀଙ୍କର ରେସନ୍‌ ଆସିଥାଆନ୍ତା ନା, ଅଟା, ଚିନିର ଅସୁବିଧା ରହନ୍ତା ନାହିଁ ।

 

ନାରାୟଣ : କଥାଟା ଠିକ୍‌ ଯେ–(ଭାବି) ଆଉ ମଧ୍ୟ ଏଯାଏ କାହାକୁ ଅବା କୋଉ ଖବର ମିଳିଗଲାଣି କି ? ଯଦି ତମେ କହିବ, ମୁଁ ଦଉଡ଼ିଯାଇ ରେସନ୍‌ ନେଇ ଆସିବି କି ?

 

ଦେବକୀ : କ’ଣ ବିଗିଡ଼ି ଯାଉଚି କି ? ତମେ ଯାଅ; ଆଉ ମୁଁ ବାକ୍‌ସ ଯଥାସ୍ଥାନରେ ରଖିଦେଇ ଆସୁଚି । ଶୀଘ୍ର କରି ଆସ । ନଚେତ୍‌ ରାଜ ଆସିଯିବେ ।

 

ନାରାୟଣ : ଦରଜା ଭିତରୁ ବନ୍ଦ କରିଦିଅ ।

 

[ନାରାୟଣ ରେସନ୍‌କାର୍ଡ଼, ଗାମୁଛା ଏବଂ ଖୁଣ୍ଟିରେ ଝୁଲୁଥିବା ବ୍ୟାଗ୍‌ ନେଇ ଚାଲିଗଲା । ଦେବକୀ ଦରଜା ଭିତରୁ ବନ୍ଦ କରି ଜିନିଷପତ୍ର ସଜେଇବାରେ ଲାଗିବା ସମୟରେ ପିଲା କାନ୍ଦି ଉଠିଲା । ତା’ପରେ ସେ ଯାଇ ପିଲାକୁ ଶୁଆଇବାକୁ ଚେଷ୍ଟା କଲା । ମାତ୍ର ପିଲାଟି ଆଉରି ଜୋରରେ କାନ୍ଦିବାକୁ ଲାଗିଲା । ସେ ପିଲାକୁ ଉଠାଇ କୋଳକୁ ନେଲା ଏବଂ ଦୁଧ ଦେଲା । ପିଲାଟି ଟିକିଏ ଚୁପ୍‌ ହୋଇ ଯାଇ ପୁଣି ଚିତ୍କାର କରିବାକୁ ଲାଗିଲା । କାନ୍ଦୁଥିବା ପିଲାକୁ କାନ୍ଧରେ ଧରି ସେ ସିନ୍ଦୁକର ଜିନିଷପତ୍ର ସମ୍ଭାଳି ରଖିବାକୁ ଚେଷ୍ଟା କରିବା ସମୟରେ କିଏ କବାଟ ଠକ୍‌ ଠକ୍‌ କଲା । ସେ ଶୀଘ୍ର ଜିନିଷପତ୍ର ଏକାଠି କରି ରଖିବାକୁ ଚେଷ୍ଟା କଲା । କବାଟ ଆବାଜ ଆହୁରି ଜୋରରେ ହେଲା । ଦେବକୀ ଜିନିଷପତ୍ର ସବୁ ସିନ୍ଦୁକରେ ଭରି ତାକୁ ଖଟ ତଳେ ଲୁଚେଇଦେଲା । ତା’ପରେ ଦରଜା ଖୋଲିଲା । ଜଣେ 24/25 ବର୍ଷୀୟ ଯୁବକ ଦରଜା ଟପି ଭିତରକୁ ଆସିଲା, ଯାହାର ଦାଢ଼ି ପାଞ୍ଚ ଛଅ ଦିନ ହେଲା କଟା ହୋଇନାହିଁ । ବାଳ ବିକ୍ଷିପ୍ତ । ଚିରା ଜାମା ପିନ୍ଧିଛି, ଯାହା ଭିତରୁ ମଇଳା ଅଣ୍ଡରଓୟାର ଅଧା ବାହାରକୁ ଦିଶୁଛି । ଖାଲି ପାଦ ।]

 

ଦେବକୀ : (ଚୁପ୍‌ ହୋଇଯାଇଥିବା ପିଲାଟିକୁ ଖଟ ଉପରେ ଶୁଆଉ ଶୁଆଉ) ବହୁତ ଡେରିରେ ତମେ ଆସିଲ ରାଜ ।

 

ରାଜ : ଭାଉଜ, ପାଞ୍ଚଟା ଟଙ୍କା ଦେଲ ।

 

ଦେବକୀ : ରାଜ, ଲାଲାଜୀ ଚାଲିଗଲେ ।

 

ରାଜ : (ବିନା ଦ୍ୱିଧାରେ) କେବେ ? (ଖୁସି ହୋଇ) ସତେ ? ତା’ହେଲେ ତମେ ଏଥର ମତେ ପାଞ୍ଚ ଟଙ୍କା ନ ଦିଅ । ମୁଁ ଲାଲାଜୀଙ୍କ ବାକ୍‌ସରୁ ନେଇନେବି । (ଉପରକୁ ଯିବାକୁ ଲାଗିଲା ।)

 

ଦେବକୀ : (ବାଟ ଅବରୋଧ କରି) ତା’ କରନି ରାଜ ! ଏବେ ଲାଲାଜୀଙ୍କର ଶରୀର ଥଣ୍ଡା ହେଇନି । ମୁର୍ଦ୍ଦାରର ଧନ ଚୋରି କରାଯାଏନାହିଁ ।

 

ରାଜ : ହେଲେ ମୋର ଟଙ୍କା ଦରକାର । ମୋ ବାପ ମରିଚି; ତମେ କାହିଁକି ଦୁଃଖ କରୁଚ ? ଘୁଞ୍ଚି ଯାଅ ମୋ ଆଗରୁ ।

 

ଦେବକୀ : ରାଜ, ତମ ଗୋଡ଼ ତଳେ ପଡ଼ୁଚି । (ନଇଁପଡ଼ି) ସେ ପାପ କର ନାହିଁ । ଏଇ ନିଅ, ପାଞ୍ଚ ଟଙ୍କା ମୋଠୁଁ ନେଇ ଯାଅ ।

 

ରାଜ : (ଭାବି) ହଉ ! (ରାଜ ଦେବକୀ ହାତରୁ ନୋଟ୍‌ ନେବା ସମୟରେ ନାରାୟଣ କାନ୍ଧରେ ପୁଟୁଳି ରଖି, ହାତରେ ବ୍ୟାଗ୍‌ ଝୁଲେଇ ଭିତରାକୁ ଆସିଲା ।)

 

ନାରାୟଣ : ରାଜ !

 

ରାଜ : ଭାଇ ! (ରାଜ ଦୌଡ଼ିଯାଇ ନାରାୟଣଙ୍କୁ କୁଣ୍ଢାଇ ଧରିଲା । ନାରାୟଣଙ୍କ ହାତରୁ ବ୍ୟାଗ୍‌ ଖସିପଡ଼ିଲା ଏବଂ ଚିନି ଚଟାଣ ଉପରେ ବିଞ୍ଚି ହୋଇ ପଡ଼ିଲା । ରାଜ ମୁଠାଏ ଚିନି ନେଇ ପାଟିରେ ପକାଇଲା ।) ଭାଇ, ଇଏ କ’ଣ ? (ନାରାୟଣଙ୍କ ହାତରୁ ରେସନ୍‌କାର୍ଡ଼ ଏବଂ ଚାବି ସବୁ ନେଇ ସେଗୁଡ଼ିକୁ ବାରମ୍ବାର ଦେଖିଲା । ରେସନ୍‌କାର୍ଡ଼ ପଢ଼ି–) ଲାଲା କିର୍‌ପା ରାମ, ବୟସ 78 ସାଲ । (କାର୍ଡ଼ ଫେରାଇ ଦେଇ) ଲାଲାଜୀଙ୍କ ରେସନ୍‌ ! ଭାଇ, ଏଇଟା ମଧ୍ୟ ଆପଣ ଠିକ୍‌ କରିଛନ୍ତି-? (ନାରାୟଣଙ୍କଠାରୁ ପୁଟୁଳି ନେଇ ହାତ ପୂରେଇ ଦେଖି) ଇଏ କ’ଣ ? ଅଟା ? (ହସିକରି ବ୍ୟାଗ୍‌କୁ ଚିପି) ଇଏ–ଅଟା ।

 

[ରାଜ ହସି ଉଠିଲା ଜୋରରେ । ବ୍ୟାଗ୍‌କୁ ଓ ପୁଟୁଳିକୁ ଗୋଟାଏ ପଟକୁ ଘୁଞ୍ଚେଇ ଦେଲା । ପିଲାଟି ଉପରୁ ଚାଦର ଟାଣି ନେଇ ତା’ର ପିଠି ଥାପୁଡ଼େଇ ଦେଲା । ନାରାୟଣ ଏବଂ ଦେବକୀଙ୍କୁ ଚାହିଁ ଚାହିଁ ବାହାରକୁ ଚାଲିଗଲା ।]

 

ଦେବକୀ : (ଖଟ ତଳୁ ବାକ୍‌ସ କାଢ଼ି) ଆଗ ୟାକୁ ନେଇ ଥୁଅ ।

 

ନାରାୟଣ : ତମେ ୟାକୁ ନେଇ ଥୋଇନ ?

 

ଦେବକୀ : ରଖନ୍ତି କେମିତି ? ତମେ ଯେମିତି ଯାଇଚ ବିଲୁ କାନ୍ଦିବାକୁ ଲାଗିଲା । ଇଆଡ଼େ ରାଜ ଦରଜା ଖଟ୍‌ଖଟ୍‌ ଆରମ୍ଭ କରିଦେଲା । କଷ୍ଟରେ ଜିନିଷପତ୍ରକୁ ଏକାଠି କରି ସିନ୍ଦୁକରେ ପୂରାଇ ଖଟ ତଳେ ଲୁଚେଇଦେଲି ।

 

ନାରାୟଣ : (ସିନ୍ଦୁକରେ ଜିନିଷପତ୍ରକୁ ସଜେଇ ତାକୁ ବନ୍ଦ କରିଦେଲା । ତା’ପରେ କିଛି କଥା ମନେପକାଇ) ତମେ ବି ଦୃଷ୍ଟି ଦେଲନି–ରାଜ ଦୋକାନ ଚାବି ସବୁ ଧରି ଚାଲିଗଲା ଯେ !

 

ଦେବକୀ : ଆଉ ସାଙ୍ଗରେ ଚାଦରଟା ବି.....

 

ନାରାୟଣ : ସେ ତ ଏଇନା ସବୁ ଲୁଟି ଦବ । ମୁଁ ଯାଉଚି ।

 

[ସିନ୍ଦୁକଟାକୁ ତୁରନ୍ତ ସେ ଦେବକୀ ହାତରେ ଦେଇଦେଲା । ବାହାରକୁ ସେ ଧାଇଁ ଯିବାକୁ ଚେଷ୍ଟା କରୁଥିଲା । ଦରଜା ଦେଇ ଭିତରକୁ ଆସୁଥିବା ଆଉ ଏକ ଲୋକ ସାଙ୍ଗରେ ତା’ର ଧକ୍‌କା ହେଲା । ସେ ଦାରୋଗା । ଅଧା ବୟସର ଲୋକ । ମୁଣ୍ଡରେ ଖାକି ପଗଡ଼ି ଏବଂ ହାତରେ ଷ୍ଟିକ୍‌ । ତାଙ୍କୁ ଦେଖି ଦେବକୀ ସିନ୍ଦୁକକୁ ଖଟ ତଳେ ଲୁଚେଇ ଦେଲା ଏବଂ ବିଞ୍ଚି ହେଇ ପଡ଼ିଥିବା ଚିନି ଉପରେ ଲୁଗା ଢାଙ୍କି ଦେଲା ।]

 

ଦାରୋଗା : ଟିକିଏ ସମ୍ଭାଳି ଚାଲ ଭାଇ ନାରାୟଣ ଦାସ ! (ନାରାୟଣ ହାତ ଯୋଡ଼ି ପଛକୁ ଘୁଞ୍ଚି ଆସିଲା ।) କଥା କ’ଣ ?

 

ନାରାୟଣ : ନମସ୍ତେ ଦାରୋଗା ସାହେବ ! (ସିଢ଼ି ଆଡ଼କୁ ସଂକେତ କରି) ଆଜି ସକାଳୁ ଲାଲାଜୀ ଚାଲିଗଲେ ।

 

ଦାରୋଗା : ଚାଲିଗଲେ ? କିନ୍ତୁ ତମେ ଏ ତେ ଧାଁ ଦଉଡ଼ କରୁଚ ଯେ, ଯେମିତିକି ଲାଲାଜୀଙ୍କର ଘୋଡ଼ା ଚଢ଼ିବାର ଅଛି ।

 

ନାରାୟଣ : ନା ଆଜ୍ଞା, ଏ ସମୟରେ ତ ହୋସ୍‌ ଉଡ଼ିଯାଉଚି ।

 

ଦାରୋଗା : ଓହୋ, ବହୁତ ଦୁଃଖର କଥା । (ଆସ୍ତେ) ମୁଁ ବାହାରୁ ଡାକିଲି; କିନ୍ତୁ କୌଣସି ଜବାବ ପାଇଲି ନାହିଁ । ପୁଣି ଭାବିଲି, କଥାଟା କ’ଣ–ଭିତରେ ଯାଇ ଦେଖି ଆସେ । ମୋର ଅଫିସରେ ଜରୁରୀ କାମ ଥିଲା । ଭାବିଲି, ତମକୁ କହି ଦେଇ ଯିବି ଯେ, ଆଜି ଆଉ ଡିପୋ ଦେଖିବାକୁ ଆସିପାରିବି ନାହିଁ ।

 

ନାରାୟଣ : ଆପଣଙ୍କ ଦୟା । ଆମ ଭଳି ଗରିବଙ୍କ ପ୍ରତି ବଡ଼ ଶୁଭଦୃଷ୍ଟି ରଖିଛନ୍ତି ଆପଣ ।

 

ଦାରୋଗା : ବହୁତ ଦୁଃଖର କଥା ଭାଇ, ବହୁତ ଦୁଃଖର କଥା । ଛାଡ଼, ସେ ତ ପୂରା ବୟସ ଭୋଗ କରିସାରିଥିଲେ ।

 

ନାରାୟଣ : ହଁ ଆଜ୍ଞା, ଅଶୀ ବର୍ଷରୁ ଅଧିକ ହେଇସାରିଥିଲା ।

 

ଦାରୋଗା : ଛାଡ଼, ତା’ହେଲେ ତାଙ୍କର ଯିବାର ହିଁ ଥିଲା । ତାଙ୍କର ସମୟ ପୂରା ହେଇ ଯାଇଥିଲା । ତଥାପି ମା’-ବାପ ତ ବଡ଼ । ଧୈର୍ଯ୍ୟ ଧର ନାରାୟଣ ! ଈଶ୍ୱର ତମକୁ ସାହସ ଦିଅନ୍ତୁ । (ଟିକିଏ ରହି) କୋକେଇ ନେଇ କେତେବେଳେ ଯିବ ?

 

ନାରାୟଣ : ଦ୍ୱିପହରକୁ ଯିବୁ ଆଜ୍ଞା ! ଏବେ ସୁଦ୍ଧା ସାଇପଡ଼ିଶା ଆଉ ଜ୍ଞାତିକୁଟୁମ୍ୱଙ୍କୁ ଖବର ମଧ୍ୟ ଦିଆହେଇନି ।

 

ଦାରୋଗା : ଠିକ୍‌ ଅଛି । ଆଜି କିଛି ଅଧିକା କାମ ପଡ଼ିଗଲା । ଯଦି ଅଫିସରୁ ଶୀଘ୍ର ମୁକୁଳିବି ତେବେ ଏଇ ବାଟେ ନିଶ୍ଚୟ ଆସିବି ।

 

[ନାରାୟଣ ଦାରୋଗାଙ୍କ ଆଗରେ ହାତ ଯୋଡ଼ିଲା । ଦାରୋଗା ଯିବାକୁ ଉଦ୍ୟତ ହେଲାବେଳେ ରାଜ ମୁଣ୍ଡରେ ଗଣ୍ଠିଲି ଧରି ଭିତରକୁ ପ୍ରବେଶ କଲା ଏବଂ ଦାରୋଗାଙ୍କ ସାଙ୍ଗରେ ଧକ୍‌କା ଖାଇଲା ।]

 

ଦାରୋଗା : ଆବେ ରହ । ଭଲ, ବାପ ମରିବା ଖୁସିରେ କ’ଣ ଏ ଧାଁ ଦଉଡ଼ ଚଲେଇଚୁ-? କ’ଣ ଧରି ଆସିଚୁ ?

 

[ରାଜ ଗଣ୍ଠିଲି ତଳେ ଥୋଇଲା । ଦାରୋଗା ହାତ ମାରି ଦେଖିଲା ।]

 

ରାଜ : ନମସ୍ତେ ଦାରୋଗାଜୀ ! ମୁଁ ରେସନ୍‌ ଆଣିଛି ଆଜ୍ଞା.....

 

ଦାରୋଗା : ଏତେଗୁଡ଼ା ଚିନି ! କୋଉ କୁମ୍ଭକର୍ଣ୍ଣର ରେସନ୍‌ ଆଣିଲୁ କି ?

 

ରାଜ : ନାଇଁ ହଜୁର ! ଚିନି କମ୍‌, ବାକି ତ ଅଟା ।

 

ଦାରୋଗା : କିନ୍ତୁ ଏ ରେସନ୍‌ କାହାର ?

 

ରାଜ : ଲାଲାଜୀଙ୍କର..... (ଇଆଡ଼େ ସିଆଡ଼େ ଚାହିଁ)

 

ଦାରୋଗା : ଲାଲାଜୀଙ୍କ ରେସନ୍‌ ! ଆଜି ମୋ ବୁଦ୍ଧି-ବିବେକର କିଛି ହେଇଗଲା, ନା ତୁମ ଦୁହିଁଙ୍କର ମୁଣ୍ଡ ବିଗିଡ଼ି ଯାଇଛି ?

 

ରାଜ : ହଜୁର, ବିବାହ ସମୟରେ ତ.....

 

ଦାରୋଗା : (ରାଗିଯାଇ) ଆବେ, ବାପର ଶବ-ସଂସ୍କାର କରା ନ ହେଉଣୁ ତୋର ଏବେଠୁଁ ବିବାହ ଚିନ୍ତା ଲାଗିଗଲା ? ଠିକ୍‌ କରି କହ, କଥା କ’ଣ ? ନାରାୟଣ, ତମେ କୁହ ।

 

ନାରାୟଣ : (ଚୁପ୍‌ ରହିଲା)

 

ରାଜ : ଦାରୋଗା ସାହେବ ! ମୁଁ କ’ଣ କହୁଥିଲି କି, ବିବାହ ଓ ମୃତିଖିଆ ସମୟରେ ବନ୍ଧୁମାନଙ୍କୁ ରୁଟି ଖୁଆଇବା ନିମିତ୍ତ ପଚାଶ ଲୋକଙ୍କର ରେସନ୍‌ ମିଳୁଥିବା କଥା ଖବରକାଗଜରେ ଛାପା ହୋଇଥିଲା । ମୁଁ ତାହା ଆଣିଛି । ଏଇ କାର୍ଡ଼ ଦେଖି ନିଅନ୍ତୁ ।

 

(ନାରାୟଣ ତାକୁ ଅଟକାଇବା ନିମିତ୍ତ ଆଗେଇ ଯାଉଥିଲା । ମାତ୍ର ରାଜ ଜାଣିପାରିଲା ନାହିଁ । ସେ କାର୍ଡ଼ଟିକୁ ଦାରୋଗା ହାତରେ ଦେଇଦେଲା ।)

 

ଦାରୋଗା : (କାର୍ଡ଼ ପଢ଼ି) ଲାଲା କିର୍‌ପା ରାମ ! ବୟସ 78 ସାଲ । (କାର୍ଡ଼ ଓଲଟେଇ) କାର୍ଡ଼ବାଲା ମରିବା ପରେ 50 ଲୋକଙ୍କ ପାଇଁ ରେସନ୍‌ ଦିଆଗଲା । ନାରାୟଣ ଦାସ, ଡିପୋ ନମ୍ବର 17 । ନାରାୟଣ ! ଏ ରେସନ୍‌ ତ ତମରି ଡିପୋରୁ ଆସିଚି । ହଁ, ଆଉ ତା’ ସାଙ୍ଗରେ ବି ଏ ସପ୍ତାହର ରେସନ୍‌ ଦିଆହୋଇଛି । (ଭାବି) ରେସନ୍‌ର ସପ୍ତାହ ତ ଆଜିଠାରୁ ଆରମ୍ଭ ହେଉଛି; ଆଉ ତାରିଖ ତ ଆଜିର ପଡ଼ିଚି । ହସ୍ତାକ୍ଷର ଆଉ କାହାର ? ଏବେ ତ ରେସନ୍‌ ଡିପୋ ଖୋଲିବାର ସରକାରୀ ସମୟ ହେଇନି । ଏସବୁ କ’ଣ ? ଆବେ ସତ କହ, ତମ ବାପା ମରିଗଲେଣି ନା ଏବେ ଜୀବିତ ?

 

ରାଜ : (କମ୍ପି କରି) ଆଜ୍ଞା, ମତେ ଜଣାନାହିଁ । ଆଠ ଦିନ ପରେ ଆଜି ସକାଳୁ ଘରକୁ ଆସିଚି । ଭାଉଜଙ୍କଠାରୁ ଏବେ ଶୁଣିଲି ଲାଲାଜୀ ଚାଲିଗଲେଣି ।

 

[ଦାରୋଗା ରାଜ ଓ ନାରାୟଣଙ୍କର କଥା ମନଧ୍ୟାନ ଦେଇ ଶୁଣୁଥିଲା । ସେତିକିବେଳେ ଦେବକୀ ସିନ୍ଦୁକଟି ଖଟିଆତଳୁ କାଢ଼ି ନିଜ ଓଢ଼ଣୀରେ ଢାଙ୍କି ସିଢ଼ିରେ ଉପରକୁ ଚାଲିଗଲା ।]

 

ନାରାୟଣ : ମହାଶୟ, ଲାଲାଜୀ ରାତି ନିଦରେ ହିଁ ଚାଲିଗଲେ । ଆପଣ ଉପରକୁ ଯାଇ ଦେଖନ୍ତୁ । ଆମେ ସକାଳୁ ଜାଣିଲୁ । ତାଙ୍କର ଏ ସପ୍ତାହର ରେସନ୍‌ ମୁଁ କାଲି ନେଇ ଆସିଥିଲି-। ତାରିଖ ଆଜିର ପକେଇଥିଲି । କାଲିର ତାରିଖ ପକେଇଥିଲେ ଭୁଲ୍‌ ହୋଇଥାଆନ୍ତା-

 

ଦାରୋଗା : ବାଃ ଭାଇ ବାଃ ! ଆଜିର ତାରିଖ ପକାଇବା ବେନିୟମ ହେଇଥାଆନ୍ତା; କିନ୍ତୁ ସପ୍ତାହ ଆରମ୍ଭ ନ ହେଉଣୁ ରେସନ୍‌ କେମିତି ନେଇ ଆସିଲ ? ଏଇଟା କ’ଣ ବେନିୟମ ନୁହେଁ ? ଏଇୟା କାହିଁକି କହୁନା ଯେ, ଗୋଟାଏ ବେନିୟମକୁ ଲୁଚାଇବା ପାଇଁ ଆଉ ଏକ ନିୟମ କରିଚୁ ।

 

ନାରାୟଣ : ହଜୁର ! ଘରେ ମୃତିଖିଆ ହେଲେ ଦୁଃଖରେ ଭାଗିଦାର ହେବାକୁ ଆସିଥିବା ବନ୍ଧୁବାନ୍ଧବମାନଙ୍କୁ ରୁଟି ଡାଲି ତ ଦେବାକୁ ପଡ଼ିବ । ସେଥିପାଇଁ ଲାଲାଜୀଙ୍କର ରେସନ୍‌ ନେଇ ଆସିଥିଲି ।

 

ଦାରୋଗା : ଏଇ ଶୁଣ ! ତମେ କାଲିଠୁଁ କ’ଣ ଜାଣିଯାଇଥିଲ ଯେ ଲାଲାଜୀ ଆଜି ମରିଯିବେ ? ଘରର ଡିପୋ କି ନା ! ଯାହା ମନକୁ ଆସିଲା, ଉପରତଳ କରିଦେଲ–କ’ଣ ଏଇୟା ନା ?

 

ନାରାୟଣ : ହଜୁର ! ଅଭାବ ସମୟରେ କାହାରି ସାହାଯ୍ୟ କରିବା ଦରକାର ।

 

ଦାରୋଗା : (କ୍ରୋଧରେ) ଆଉ ରାଜ ତମେ ? ବିନା ମଞ୍ଜୁରିରେ ସରକାରୀ ଡିପୋରୁ ପଚାଶ ଜଣଙ୍କର ରେସନ୍‌ ଉଠାଇ ଆଣିଲ । ତା’ ସାଙ୍ଗେ ସାଙ୍ଗେ ଡିପୋ ହୋଲଡର୍‌ର ଜାଲ୍‌ ଦସ୍ତଖତ କରିଦେଲ । ବଡ଼ ସଙ୍ଗିନ୍‌ ଅପରାଧ ଇଏ । ଏଇନା ତମ ଦି’ ଭାଇଙ୍କୁ ମଜା ଚଖେଇ ଦଉଚି ରୁହ ।

 

ନାରାୟଣ : (ଦାରୋଗାର ପାଦତଳେ ପଡ଼ି) କ୍ଷମା କରନ୍ତୁ ହଜୁର ! ମୃତିଖିଆ ଦୁଃଖର ଦିନ । ସାରା ପଞ୍ଚାୟତ ଆଗରେ ଇଜ୍ଜତ ଚାଲିଯିବ ।

 

ଦାରୋଗା : (ଦୟା ସହ) ଠିକ୍‌ ଅଛି । ରାଜ, ଧର ଏ ରେସନ୍‌ କାର୍ଡ଼ ଏବଂ ମୋ ସାଙ୍ଗରେ ଅଫିସ ଚାଲ । ମୁଁ ସେଇଠି ସବୁ ଠିକ୍‌ କରିଦେବି ।

 

ନାରାୟଣ : ଯା ରାଜ, ଶୀଘ୍ର ଯା ! ସାଙ୍ଗରେ ଗଣ୍ଠିଲିଟା ନେଇ ଯା । ଦାରୋଗା ସାହେବ ଯେମିତି କହିବେ, ସେମିତି କରିବୁ । (ରାଜ ଗଣ୍ଠିଲି ଉଠାଇଲା)..... ଆପଣଙ୍କର ବହୁତ କୃପା ହଜୁର ! ଆମ ବାପାଙ୍କର ଶବ ଖରାପ ହେବାରୁ ରକ୍ଷା କରିଦେଲେ ।

 

[ସିଢ଼ିରେ ଦେବକୀର ଚିତ୍କାର ଶୁଣାଗଲା । ତା’ପରେ ସେ ଧାଇଁ ଆସୁଥିବାବେଳେ ସିନ୍ଦୁକ ସହ ପଡ଼ିଯାଇଛି ।]

 

ଦେବକୀ : (ଚିତ୍କାର କରି) ଲାଲାଜୀ !

 

[ସେତିକିବେଳେ ଅଶୀ ବର୍ଷର ବୁଢ଼ା ଗୋଟିଏ ହାତରେ ବାଡ଼ି ଏବଂ ଅନ୍ୟ ହାତରେ ଗିଲାସ ଧରି ଧୀରେ ଧୀରେ ସିଢ଼ିରୁ ଉତୁରି ଆସିଲେ । ବୁଢ଼ାର ପ୍ରତ୍ୟେକ ଜିନିଷ–ପ୍ରଚକ୍ଷୁ, କୁର୍ତ୍ତା, ଧୋତି ଆଦି ମଇଳା ଓ ଅସ୍ତବ୍ୟସ୍ତ । ଛୋଟ ଛୋଟ ଦାଢ଼ି । ସେ ଟିକିଏ ଥେଣ୍ଟାକାଲା ଏବଂ ଆଖିକୁ କମ୍‌ ଦିଶୁଥିଲା । ତାଙ୍କୁ ଦେଖି ସମସ୍ତେ ନିଜ ନିଜର ଜାଗାରେ ଠିଆ ହୋଇଗଲେ । ଦେବକୀ ଉଠିପଡ଼ିଲା ।]

 

ବୁଢ଼ା : (ବହୁତ ଧୀରେ ଧୀରେ ଅଟକି ଯାଉଥିବା କଣ୍ଠରେ) ବୋହୂର ଚିତ୍କାର ଶୁଣାଯାଉଥିଲା । ସବୁ ଭଲ ତ ? (ଟିକିଏ ରହି) ଆଲୋ ମାଆ, ତୁ କେଉଁଠି ? (ଗିଲାସଥିବା ହାତକୁ ବଢ଼େଇ)–ଧର । ମୋ ଚା’ ଗରମ କରିଦେ । ରଖି ରଖି ଥଣ୍ଡା ହୋଇଗଲାଣି । (ଡରି ଡରି ଦେବକୀ ଉଠି ଗିଲାସ ଧରିଲା । ସେତେବେଳକୁ ବୁଢ଼ା ସିଢ଼ିର ପ୍ରଥମ ପାହାଚ ପାଖରେ ପହଞ୍ଚିଥିଲା ।) ଆଜି ମୁଁ ଟିକେ ଡେରିରେ ଉଠିଲି । ଡାକ୍ତର ସୁରେଶ ସିଂହ କାଲି ଯେଉଁ ନିଦ ଓଷଦ ଦେଇଥିଲେ, ସେଇଟା ଖୁବ୍‌ କାମ ଦେଲା । ବଢ଼ିଆ ନିଦ ହେଲା; ଖୁବ୍‌ ଶୋଇଚି ମୁଁ । କିନ୍ତୁ ଦେହଟା ଟିକେ କେମିତି ଲାଗୁଚି । ଗରମ ଗରମ ଚା’ ପିଇଦେଲେ ସବୁ ଠିକ୍‌ ହୋଇଯିବ । (ଶେଷ ପାହାଚରୁ ଓହ୍ଲେଇଲା ବେଳେ ସିନ୍ଦୁକରୁ ବାହାରିଥିବା ଏକ ଜିନିଷକୁ ଝୁଣ୍ଟିଲା)–ଏ କ’ଣ ?

 

[ତଳକୁ ଚାହିଁଲା ବେଳେ ନାରାୟଣ ନଇଁପଡ଼ି ଜିନିଷଟିକୁ ଉଠାଇନେଲା । ବୁଢ଼ା ଗୋଟିଏ ପାଦ ଆଗେଇଲା ବେଳେ ଆଉ କେଉଁ ଜିନିଷରେ ଧକ୍‌କା ଖାଇ ଚମକିପଡ଼ିଲା । ମାତ୍ର ନାରାୟଣ ପୁଣି ଚାଲାକି କରି ପିତାଙ୍କର ପାଦ ଧରିନେଲା ।]

 

ନାରାୟଣ : ଲାଲାଜୀ ! ଓଷଦ ଦେବି ? ଆପଣଙ୍କୁ ଆଘାତ ଲାଗିଥାଇପାରେ ।

 

ବୁଢ଼ା : କିଛି ଦରକାର ନାହିଁ । (ଆଗକୁ ଚାଲିଲେ । ଯେତେବେଳେ ସେ ସିନ୍ଦୁକର ବିଲ୍‍କୁଲ୍‍ ପାଖରେ ପହଞ୍ଚିଗଲେ, ସେତେବେଳକୁ ଦେବକୀ ଓ ନାରାୟଣଙ୍କ ନିଃଶ୍ୱାସ ବନ୍ଦ ହେଇଗଲା ଭଳି ମନେହେଲା । ହଠାତ୍‌ ନାରାୟଣକୁ ଗୋଟାଏ ବୁଦ୍ଧି ଦିଶିଲା ।)

 

ନାରାୟଣ : ରାଜ ! ଲାଲାଜୀଙ୍କ ପାଇଁ ଚଉକି ଆଣ ତ ।

 

[ରାଜ ଉଠିବା ଆଗରୁ ଦେବକୀ ଚଉକି ଆଣି ଦେଲା । ନାରାୟଣ ସିନ୍ଦୁକ ଉପରେ ଚଉକି ପକାଇଦେଲା । ଲାଲାଜୀଙ୍କୁ ବସାଇ ସେ ତାଙ୍କ କାନ୍ଧ ଚିପି ଦେବାକୁ ଲାଗିଲା ।]

 

ବୁଢ଼ା : ଘଷି ମୋଡ଼ି ଦେଲେ ଏଇନା କିଛି ହବ ନାଇଁ । ମୋର ଚା’ ଗରମ ହେଲା କି ନାହିଁ ?

 

ଦେବକୀ : ସାଙ୍ଗେ ସାଙ୍ଗେ ଆଣୁଚି ।

 

[ଦେବକୀ ଅଡ଼ୁଆରେ ପଡ଼ିଥିଲା ଭଳି ଜଣାଯାଉଥିଲା । ଗିଲାସ ଉଠେଇ ନେଲାବେଳେ ସେ ରାଜକୁ ଧରି ତା’ କାନ ପାଖରେ ଫୁସ୍‌ ଫୁସ୍‌ ହେଇ କ’ଣ କହିଲା । ରାଜ ଗିଲାସ ନେଇ ଖସିଗଲା ।]

 

ବୁଢ଼ା : (ଦାରୋଗାଙ୍କୁ ଦେଖି) କିଏ, ଦାରୋଗା ବାବୁ କି ?

 

ନାରାୟଣ : (ବୁଢ଼ାଙ୍କ ପଛରେ ଠିଆ ହୋଇ ଦାରୋଗାଙ୍କୁ ହାତ ଯୋଡ଼ି ମିନତି ହେଲା-।)

 

ଦାରୋଗା : (ସଲ୍ଲଜ ହୋଇ) ହଁ ଲାଲାଜୀ, ମୁଁ । କୁହନ୍ତୁ, ଦେହ କେମିତି ଅଛି ?

 

ବୁଢ଼ା : (ଉଠିବାକୁ ଚେଷ୍ଟା କରି) ଆପଣ ଠିଆ ହେଲେ କାହିଁକି ? ଆସନ୍ତୁ, ବସନ୍ତୁ । (ନାରାୟଣ ଆଶ୍ରା ଦେଇ ଧରିଲା)

 

ଦାରୋଗା : ନାଇଁ ଆଜ୍ଞା, ଆପଣ ବସନ୍ତୁ । ମୁଁ ଏଇଠି ବସୁଚି । (ଖଟିଆର ଗୋଟାଏ କଡ଼କୁ ସେ ବସିପଡ଼ିଲେ ।)

 

ବୁଢ଼ା : ମୋ ଦେହ ତ ଏ ବୟସରେ ଟୋକାଙ୍କ ଭଳି ହେଇ ରହିନି । ବଞ୍ଚି ରହିଚି, ସେତକ ଭଗବାନଙ୍କ ଦୟା । ଠିକ୍‌ ଭାବରେ ନିଦ ଆସୁ ନ ଥିଲା । କାଲି ମୁଁ ଡାକ୍ତର ସୁରେଶ ସିଂହ ପାଖକୁ ଚାଲିଯାଇଥିଲି । ସେଇ ମ, ଯାହାଙ୍କ ଦୋକାନ ନାରାୟଣର ଡିପୋକୁ ଲାଗିଚି । (ଦେବକୀ ସତର୍କତାର ସହିତ ଚଉକି ତଳେ ଥିବା ସିନ୍ଦୁକକୁ ଘୁଞ୍ଚେଇ ନେଇ ସେଥିରେ ଜିନିଷମାନ ଭର୍ତ୍ତି କରୁଥିଲା ।) ମୁଁ କହିଲି, ଡାକ୍ତର ସାହେବ ! ନିଦ ଆସୁନି । ତା’ପରେ ସେ ଗୋଟାଏ ଓଷଦ ପ୍ରସ୍ତୁତ କରିଦେଲେ । କହିଲେ, ଯଦି ମୋଟେ ନିଦ ନହେବ, ତେବେ ପୂରା ଚାମଚ ଓଷଦ ଖାଇବାକୁ ହେବ-। କାଲି ରାତିରେ ପଡ଼ିଶା ଘରେ କୋଉଠି ବାହାଘର ହେଉଥିଲା । ତେଣୁ ଅଧରାତି ଯାଏ ପାଟିତୁଣ୍ଡ ଲାଗିରହିଥିଲା । କେତେ ଓଷଦ ଖାଇଲି, ସେଥିରେ କି ନିଦ ହୁଏ ? ଅଧରାତି ପରେ ମୁଁ ପୂରା ଚାମୁଚେ ଓଷଦ ଖାଇଦେଲି । ଡାକ୍ତର ତ କହିଥିଲେ, ମୋଟେ ନ ଆସିଲେ ପୂରା ଚାମୁଚେ ଖାଇବ-

 

[ସିନ୍ଦୁକରେ ଥିବା କୌଣସି ଗୋଟାଏ ଜିନିଷ ଉପରେ ବୁଢ଼ାର ଆଖି ପଡ଼ିଗଲା । ଦେବକୀ ସେ ଆଡ଼କୁ ସଂକେତ କରି ନାରାୟଣର କାମିଜ୍‌ ଟାଣୁଥିଲା । ନାରାୟଣ ଜିନିଷଟିକୁ ଉଠେଇ ଧରିନେଲା ।]

 

ବୁଢ଼ା : କ’ଣ ?

 

ନାରାୟଣ : କିଛି ନୁହେଁ ଲାଲାଜୀ ! ଲୁଗା ପଡ଼ିଯାଇଥିଲା ।

 

ବୁଢ଼ା : ବୁଝିଲେ ଦାରୋଗାବାବୁ ! ଯୋଉ ଡାକ୍ତରର ଓଷଦ ଖାଇବେ ନା, ତାଙ୍କରି କହିବା ମୁତାବକ ଚଳିବା ଦରକାର । ନ ହେଲେ ଓଷଦ କାମ ଦବନି । ତା’ପରେ ଓଷଦ ଖାଇ ଦେଲା ପରେ ଗହମ ନିଦ ଆସିଗଲା । ତେଣୁ ସବୁଦିନ ଅପେକ୍ଷା ଟିକିଏ ବିଳମ୍ୱରେ ଉଠିଲି । ନାରାୟଣର ସ୍ତ୍ରୀ ସକାଳୁ ସକାଳୁ ମୋ ମୁଣ୍ଡ ପାଖରେ ଚା’ ଗିଲାସ ରଖି ଆସେ । ଆଜି ମଧ୍ୟ ରଖି ଆସିଥିଲା; କିନ୍ତୁ ମୁଁ ଡେରିରେ ଉଠିଲି । ସେଇଥିପାଇଁ ଚା’ ଥଣ୍ଡା ହେଇଗଲା । ଭୁଲ୍‍ଟା ତ ମୋର; ତା’ର ବା ଦୋଷ କ’ଣ । (ଟିକିଏ ହସିଲା । ଦେବକୀ ସିନ୍ଦୁକ ଉଠେଇ ଆଣିଲା ।) କ’ଣ ବୋହୂ, ଚା’ ଗରମ ହେଲା ନା ନାଇଁ ? (ଚୁଲି ଆଡ଼କୁ ଚାହିଁ) କିନ୍ତୁ ଦେବକୀ ତ ଏଠି ନାହିଁ । ଆଉ ଚୁଲିରେ ତ ଆଜି ନିଆଁ ମଧ୍ୟ ନାହିଁ । ଦେବକୀ କେଉଁଠି କି ନାରାୟଣ ?

 

ନାରାୟଣ : (ବିଚଳିତ ହୋଇ) ଏଇଠି କୋଉଠି ଥିବ, ଲାଲାଜୀ !

 

ବୁଢ଼ା : ଆଜି କ’ଣ ଚୁଲି ଲାଗିନି ?

 

ନାରାୟଣ : ଚୁଲି ତ ଲାଗିଥିଲା । ଦେବକୀ ଲିଭେଇ ଦେଇଥିବ । ଆପଣ ଆଜି ବହୁତ ଡେରିରେ ଉଠିଲେ । ଆଉ ଆଜିକାଲି ଚୁଲିର ଜାଳ ତ ଶୀଘ୍ର ଲିଭିଯାଉଚି ।

 

ବୁଢ଼ା : ମୁଁ ବେଶି ଡେରିରେ ତ ଉଠିନି ! କେତେ ବାଜିଲା କି ଦାରୋଗା ସାହେବ ?

 

ଦାରୋଗା : (ପକେଟରୁ ଘଡ଼ି କାଢ଼ି) ସମୟ ଲାଲାଜୀ..... ମୋ ଘଡ଼ିରେ ତ ଏବେ ସାଢ଼େ ଛଅଟା ବାଜିଚି । (ନାରାୟଣ ହାତ ଯୋଡ଼ିକରି ଦାରୋଗାଙ୍କୁ ଅନୁନୟ ହେଲା । ଦାରୋଗା ଘଡ଼ିକୁ କାନ ପାଖକୁ ନେଇ) ଏଃ, ମୋ ଘଡ଼ି ତ ବନ୍ଦ ହେଇଯାଇଛି ।

 

ବୁଢ଼ା : (କାନ ପାଖକୁ ଆଣି) କ’ଣ କହୁଚନ୍ତି ଦାରୋଗା ବାବୁ ?

 

ଦାରୋଗା : ମୋ ଘଡ଼ି ବନ୍ଦ ହେଇଯାଇଛି ।

 

–(ଟିକିଏ ନୀରବତା)–

 

ବୁଢ଼ା : ମୁଁ ତଳକୁ ଆସିଲା ବେଳକୁ ରାଜ ଭଳି କିଏ ଜଣାପଡ଼ୁଥିଲା ।

 

ନାରାୟଣ : ହଁ ଆଜ୍ଞା, ସେ ଏଇଠି ଥିଲା । ଏଇନା ଆସିଯିବ ।

 

ବୁଢ଼ା : ଆଉ ତୁ ଆଜି ଦୋକାନ ଖୋଲିବୁନି କି ?

 

ନାରାୟଣ : ଖୋଲିବି ଲାଲାଜୀ !

 

ବୁଢ଼ା : (ତୁରନ୍ତ ଭାବେ) ତୁ ମତେ କାହିଁକି ଘଷି ମୋଡ଼ି ଦଉଚୁ ? ଆଗରୁ ତ ଏମିତି କେବେ କରୁ ନ ଥିଲୁ । (ଟିକିଏ ରହି) ଏସବୁ କ’ଣ ହେଉଚି ? ମୋ ଦେହ ଘୋଳି ହେଉଚି; ଅଥଚ ମତେ କେହି ଚା’ ଦଉନାହାନ୍ତି । ଦେବକୀର କୁଆଡ଼େ ଦେଖାଦର୍ଶନ ନାହିଁ । (ଦେବକୀ ସିଢ଼ି ଦେଇ ଆସୁଥିଲା । ଏ ବାକ୍ୟ ଶୁଣି ସେଇଠି ଅଟକିଗଲା) ରାଜ ଏବେ ଏଇଠି ଥିଲା; ସେ ବି କୁଆଡ଼େ ଛପିଗଲାଣି । ତୁ ମୋ ମୁଣ୍ଡ ଉପରେ ଏମିତି ଠିଆ ହେଇଚୁ ଯେ, ମନେହଉଚି କାମଧାମ ସବୁକୁ ଜଳାଞ୍ଜଳି ଦେଇ ଦେଲୁଣି । ଦାରୋଗାସାହେବଙ୍କ ଘଡ଼ି ବନ୍ଦ ହେଇଯାଇଛି । ଚୁଲି ଆଜି ଜଳିନାହିଁ । (ଠିଆହୋଇପଡ଼ି) କହ, କଥା କ’ଣ ? (ସମସ୍ତଙ୍କ ଆଡ଼କୁ ଚାହିଁଲା । ଦି’ ତିନି ପାଦ ଚାଲି ମଞ୍ଚ ମଝିରେ ଠିଆ ହୋଇଗଲା । କେହି ହଲଚଲ ହେଲେ ନାହିଁ ।) ଆଜି କ’ଣ କିଏ ମରିଗଲା ?

 

[ସମସ୍ତେ ପଥର ଭଳି ସ୍ଥିର ହୋଇ ଠିଆ ହୋଇଥିଲେ । କୃଷ୍ଣା ବାହାରୁ ଧାଇଁ ଧାଇଁ ଭିତରକୁ ଆସି ବୁଢ଼ାର ଗୋଡ଼ରେ ଝୁଲିପଡ଼ିଲା । ବୁଢ଼ା ତା’ର ପିଠି ଉପରେ ହାତ ବୁଲାଇଲା ।]

 

କୃଷ୍ଣା : (ପଛକୁ ହଟିଯାଇ) ଲାଲାଜୀ ! ଆପଣ ତ ମରିଯାଇଥିଲେ । ମରିଗଲା ପରେ ଲୋକ ଯୋଉଠିକି ଯାଆନ୍ତି ସେଠିକାର କାହାଣୀ ମତେ ଶୁଣେଇବ ନା ?

 

[ବୁଢ଼ା ଚଉକି ଖୋଜିବାକୁ ଲାଗିଲା । ସେ ଚଉକି ଧରିଲା ବେଳକୁ ତାହା ତେଢ଼ା ହୋଇଯାଉଥିଲା । ଦେବକୀ, ନାରାୟଣ ଓ ଦାରୋଗା ତାଙ୍କୁ ସାହାଯ୍ୟ ଦେବାକୁ ଆଗଭର ହେଉଥିଲେ ।]

☆☆☆

 

 

 

 

 

 

 

 

 

 

 

ମନ କଥା ମନରେ

 

–ହରଚରଣ ସିଂହ

 

ପାତ୍ର

 

ଶେରୁ

କରମୋ

ନମ୍ୱରଦାର୍‌

ଅମ୍ୱୋ

କରମ ସିଂହ

ରାଜା (ଭଣ୍ଡାରି)

 

[ଗୋଟାଏ ଗାଆଁର ମଝାମଝି ଏକ ଭଙ୍ଗା ଦଦରା ଘର, ଯାହାର ମୁଖ୍ୟ ଦ୍ୱାରଟି ପୂର୍ବ ପଟକୁ ଅଛି । ତାହା ମଧ୍ୟ ଦୁର୍ଗନ୍ଧ ଓ ଆବର୍ଜନାପୂର୍ଣ୍ଣ ଗଳି ଆଡ଼କୁ ଖୋଲେ । ଅଗଣାରେ ନିମଗଛଟିଏ । ଗଛ ମୂଳରେ ଗୋଟିଏ ଦୀର୍ଘକାୟା ସୁନ୍ଦରୀ ନାରୀ । ବୟସ ତିରିଶ ବର୍ଷ । ପିଢ଼ାରେ ବସି ସେ ଆଖିରେ କଜ୍ଜ୍ୱଳ ମାଖୁଥିଲା । ସେ ନୂଆ ଲୁଗା ପିନ୍ଧିଛି; ମାତ୍ର ମଝିରେ ମଝିରେ ତା’ ମୁହଁରେ ଦୁଃଖର ଛାୟା ଖେଳିଯାଉଥିଲା । ଅଇନା ଉଠାଇ ମୁହଁ ଦେଖି ସେ ଖୁସି ହେଉଥିଲା । ଦ୍ୱାରରେ ବାହାରୁ କାହାର ଆବାଜ ଶୁଣାଗଲା । ସାଙ୍ଗେ ସାଙ୍ଗେ ଦର୍ପଣ ଓ କଜଳପାତିକୁ ସେ ପିଢ଼ା ତଳେ ଲୁଚେଇ ଦେଇ ଶିକୁଳି ଖୋଲିବାକୁ ଉଠିଗଲା]

 

ବାହାରୁ ସ୍ୱର : ଅମ୍ୱୋ ! ଅମ୍ୱୋ !! ମୁଁ ପଚାରୁଚି, ତମେ ପ୍ରସ୍ତୁତ ହେଲଣି କି ନାଇଁ ?

 

ଅମ୍ୱୋ : (ଓଢ଼ଣାରେ ମୁଣ୍ଡ ଓ ମୁହଁ ଢାଙ୍କି ଶିକୁଳି ଖୋଲିଲା) ପ୍ରସ୍ତୁତ କ’ଣ ହେବି ମ ? କୋଉ ଘୋଡ଼ାଚଢ଼ା କାମ ଅଛି ଯେ !

 

(ଶେରୁ ତିରିଶ ବର୍ଷର ସୁସ୍ଥ ଯୁବକ । ତାହାର ଗଳାରେ କଣ୍ଠି, ଅଣ୍ଟାରେ ଲୁଙ୍ଗି, ମୁଣ୍ଡରେ ପଗଡ଼ି । ମୁହଁ ଏବଂ ନିଶ ଅତରରେ ସୁଗନ୍ଧିତ ।)

 

ଶେରୁ : (ନିଶରେ ହାତ ମାରି) ଆଃ ! କ’ଣ ଦିଶୁଚ ତମେ ?

 

ଅମ୍ୱୋ : ଭିତରକୁ ଆସ । ଦରଜା ପାଖରେ କାହିଁକି ଠିଆ ହୋଇଚ ?

 

ଶେରୁ : (ସ୍ମିତ ହସି) ମୁଁ ଭାବୁଥିଲି ତମେ ବୋଧେ ଚିହ୍ନି ପାରୁନା ?

 

ଅମ୍ୱୋ : ତମକୁ ଚିହ୍ନିବି ନାହିଁ ତ ଆଉ କାହାକୁ ଚିହ୍ନିବି ?

 

ଶେରୁ : ତା’ହେଲେ ଓଢ଼ଣା ଟାଣିଛ କାହିଁକି ? ଘର ଲୋକର ଆଖି ପଡ଼ିବନି ବୋଲି ? ଓଢ଼ଣା ଉଠାନା, ମୁଁ ଟିକେ ଦର୍ଶନ କରେ ।

 

ଅମ୍ୱୋ : (ଓଢ଼ଣା ଉଠାଇ ହସିଲା) ତମକୁ ଦେଖି ମତେ ଆଜି ଭାରି ଲାଜ ମାଡ଼ୁଚି ।

 

ଶେରୁ : (ଏକଧ୍ୟାନରେ ତା’ ଆଡ଼କୁ ଚାହିଁରହି) ଅମ୍ୱୋ ! ମୋ ଆଡ଼କୁ ଟିକେ ଚାହଁ !

 

ଅମ୍ୱୋ : କହୁନ, କ’ଣ କହିବ ?

 

ଶେରୁ : ମୁଁ ଭାବିଲି, ଶଙ୍କା ତୁଟେଇ ନିଏ । ଯେମିତି ଆଉ କିଏ ହୋଇଥିବ ତମଛଡ଼ା । ରାଣ ଖାଉଚି, ଆଜି ସବୁ କିଛି ବଦଳିଯାଇଛି । ତମେ ଆଜି ଏମିତି ତୋଫା ଦିଶୁଚ, ଠିକ୍‌ ଯେମିତି ବର୍ଷା ପରର ନୈନାଂ ଦେବୀଙ୍କ ମାର୍ବଲ ମନ୍ଦିର ।

 

ଅମ୍ୱୋ : (ହସି ହସି କେତେ ଅଙ୍ଗଭଙ୍ଗୀ ସୃଷ୍ଟି କରି) ସତେ !

 

ଶେରୁ : ମୋର ମନେହେଉଚି ସରଗରୁ କୋଉ ପରୀ ଓହ୍ଲେଇ ଆସିଚି, ପରୀ !

 

ଅମ୍ୱୋ : ବାସ୍‌, ସେତିକି ଥାଉ । ଆଉ ମତେ ଲଜ୍ଜିତ କରନା ।

 

ଶେରୁ : ମିଛ ନୁହେଁ, ଆଜି ପ୍ରଥମଥର ତମକୁ ଏତେ ଖୁସି ହେବାର ଦେଖୁଚି ।

 

ଅମ୍ୱୋ : ତମକୁ ଦେଖି ମୋ ମନରେ କ’ଣ ନାଇଁ କ’ଣ ଭାବନା ଆସୁଚି । ଏମିତି ମନେହେଉଚି, ଯେମିତିକି ଚଉଦ ବର୍ଷର ଦୁଃଖ ପୂରାପୂରି ଖୁସିରେ ବଦଳିଯାଇଛି ।

 

ଶେରୁ : ଅମ୍ୱୋ ! ତମେ ଏଯାଏ କ’ଣ ବା ଦେଖିଲଣି ? ତମେ ପାଗଳୀଟିଏ–ସେଇଥିପାଇଁ ଆଜିଯାଏ ନର୍କରେ ପହଁରୁଥିଲ ।

 

ଅମ୍ୱୋ : (ଦୀର୍ଘଶ୍ୱାସ ନେଇ) ଏଥିରେ କିଛି ମିଛ ନାହିଁ । ନରକ ଭଳିଆ ନରକ !

 

ଶେରୁ : ତମର ଝୁମୁକା, ଚୁଡ଼ି ଆଉ ଲୁଗାପଟା ସବୁ ଠିକ୍‌ଠାକ୍‌ କରିଚ ତ ?

 

ଅମ୍ୱୋ : ତମେ ଯାହା ଆଣିଛ ସବୁ ଠିକ୍‌ ଅଛି ।

 

ଶେରୁ : କୋଉ କଥାରେ କମ୍‌ ତ ହେଇନି ? ହଁ, ଆଗ କୁହ ତ, ଘଡ଼ିଚେନ୍‌ କୋଉ ଅଳଙ୍କାରର ନାଁ ?

 

ଅମ୍ୱୋ : ତମେ କୋଉଠୁ ଏ ନାଁ ଶୁଣିଲ ?

 

ଶେରୁ : କାଲି ଯେତେବେଳେ ମୁଁ ସହର ଯାଇଥିଲି, ଆମ ଘୋଡ଼ାଗାଡ଼ିରେ ଦୁଇଜଣ ସହରୀ ସ୍ତ୍ରୀଲୋକ ବସିଥିଲେ । ଜଣେ କହୁଥିଲା, ମୁଁ ମୋ ବୋହୂକୁ ଘଡ଼ିଚେନ୍‌ ତିଆରି କରିଦେଇଚି-। ତିଆରି କଲାବାଲା ବଣିଆର ବହୁତ ପ୍ରଶଂସା କରୁଥିଲା ।

 

ଅମ୍ୱୋ : (ହସିକରି) ଗୋଟାଏ ପ୍ରକାର ସୁନା ଅଳଙ୍କାର । ହାତର ଗଣ୍ଠି ପାଖରେ ବନ୍ଧାଯାଏ; କିନ୍ତୁ ତା’ପାଇଁ ତ ବହୁତ ପଇସା ଲାଗେ ।

 

ଶେରୁ : ତମେ ପଇସା ଚିନ୍ତା କରନା–ଜମିବାଡ଼ି ବନ୍ଧା ପଡ଼ୁ ପଛେ; ତମକୁ ଘଡ଼ିଚେନ୍‌ ନିଶ୍ଚେ ତିଆରି କରିଦେବି । ନଚେତ୍‌ ତମେ କେମିତି ବୁଝିବ, ସେ ଶୁଣ୍ଠିଆ ଜଣକ ସାଙ୍ଗରେ ସମ୍ବନ୍ଧ ପଡ଼ିଥିଲା ବୋଲି ।

 

ଅମ୍ୱୋ : ମୋର କୌଣସି ଜିନିଷ ଦରକାର ନାହିଁ । ତମରି ସାଙ୍ଗରେ ସବୁ କିଛି ଆସିଯାଇଛି ।

 

ଶେରୁ : ସମୟ ବିତେଇବାକୁ ଏଠିକି ଆସିନ । ଖାଇବା ଆଉ ପିନ୍ଧିବା–ଦୁଇଟା ଜିନିଷ ଅଛି ଏ ଦୁନିଆରେ । ଦେହକୁ ସୁଖୀ ଓ ମନକୁ ଖୁସି ରଖିବା ହିଁ ମୁଁ ଜାଣେ । ଅଢ଼େଇ ଦିନର ଜୀବନଟାକୁ ମଜାରେ–ମଜାରେ ନ କଟେଇ ତୁଚ୍ଛାକୁ କାହିଁକି ଧନ୍ଦିହେବା !

 

ଅମ୍ୱୋ : (ପିଢ଼ା ଦେଇ) ତମେ ଟିକେ ବସ ।

 

ଶେରୁ : ବସିବି, ନୂଆ କୂଅ ଉପରେ, ଶିଂଶପା ଛାଇରେ ବସିବି । ତମେ ଯେତେବେଳେ ରୁଟି ଧରି ଆସୁଥିବ ଆଉ ମୁଁ କ୍ଷେତରେ କା କରୁଥିବି ।

 

ଅମ୍ୱୋ : (ଦୀର୍ଘଶ୍ୱାସ ଛାଡ଼ି) ଯୋଉଠି ମୁଁ ବାହାଘର ଗୀତ ଶୁଣୁଥିଲି ?

 

ଶେରୁ : ପଛ କଥା ଛାଡ଼ । ଏବେ ତମେ ସେହି କ୍ଷେତର ରାଣୀ ହେବ, ରାଣୀ ।

 

ଅମ୍ୱୋ : ଆଉ ତମେ, ରାଜା ।

 

ଶେରୁ : ତମରି ସାଙ୍ଗରେ ତ ତୁମରି ବାଦ୍‌ଶାହା । ମୁଁ ମାନୁଚି ଯେ, କାମିକା ସ୍ତ୍ରୀଲୋକ ବିନା ବଞ୍ଚିବାର କୌଣସି ମୂଲ୍ୟ ନାହିଁ । (ମତୁଆଲା ନଜରରେ ତାକୁ ଚାହିଁ)

 

‘ଯୋଡ଼ିଆଁ ଜଗଥୋଡ଼ିଆଁ ତେଁ ନରଡ଼ ବଥେରେ’ (ଭଲ ଯୋଡ଼ି ଦୁନିଆରେ କମ୍‌ ମିଳନ୍ତି ଆଉ ମନ୍ଦ ଅନେକ)

 

ଅମ୍ୱୋ : (ହସି ହସି ତା’ ହାତ ଧରି) ସତ କହୁଚ, ନା ମନ ଭଳେଇବାକୁ କହୁଚ ?

 

ଶେରୁ : ଅମ୍ୱୋ ! ପିଲାଟି ଦିନୁ ମୋର ଗୋଟାଏ ଗଧ ଥିଲା ।

 

ଅମ୍ୱୋ : କି ଗଧ !

 

ଶେରୁ : ଏଇ, ସାଥୀ ହେବ ତ ମନପସନ୍ଦିଆ । ନହେଲେ ନାଇଁ । ମୋ କଥା ଠାକୁରେ ଶୁଣିଛନ୍ତି ।

 

ଅମ୍ୱୋ : (ଲମ୍ୱା ଗଭୀର ପ୍ରଶ୍ୱାସ ନେଇ) ମାତ୍ର ଝିଅମାନଙ୍କର ମନ କଥା ମନରେ ରହିଯାଏ । ମା-ବାପ ଯାହାକୁ ତାଙ୍କର ଇଚ୍ଛା ଯୋଡ଼ିଦିଅନ୍ତି ।

 

ଶେରୁ : ବାସ୍ତବରେ ଭଗବାନ ତମକୁ ମୋ’ପାଇଁ ସୃଷ୍ଟି କରିଥିଲେ । ହେଲେ ଭାଗ୍ୟ ଦୋଷରୁ କିଛି ଗୋଟାଏ ବିଘଟଣ ଘଟିଗଲା । ଭଗବାନଙ୍କୁ ଧନ୍ୟବାଦ ଦିଅ ।

 

ଅମ୍ୱୋ : (ଆଖି ଛଳଛଳ କରି) ସତ କହିବାକୁ ଗଲେ, ବାପ-ମା’ଙ୍କ ପ୍ରତି ମୋର ଭାରି ରାଗ ହେଉଚି–ଯେଉଁମାନେ ଜାଣିଶୁଣି କରି ଗୋଟାଏ ମଦୁଆ ସାଙ୍ଗରେ ମତେ ବାନ୍ଧି ଦେଇଥିଲେ ।

 

ଶେରୁ : (ଆଶ୍ୱାସନା ଦେଇ) ଏବେ ସବୁ ଠିକ୍‌ ହେଇଗଲା ଅମ୍ୱୋ ! ଚଉତରାର ଇଟା ପୁଣି ନିଜ ଜାଗାକୁ ଆସିଗଲା ।

 

ଅମ୍ୱୋ : ମତେ ଡର ଲାଗୁଚି, ପୁଣି କେବେ ନର୍ଦ୍ଦମାରେ ଯାଇ ପଡ଼ିବିନି ତ !

 

ଶେରୁ : ଛାଡ଼ ! ପାଗଳୀ କୋଉଠିକାର ! (ଉପରକୁ ଚାହିଁ) ଦେଖ୍‌, ଯେମିତି ନିମର ନୂଆ ପତ୍ର ଦେଖାଦେଇଚି, ସେମିତି ତମର ହେଇଚି ନୂଆ ଜନମ ।

 

ଅମ୍ୱୋ : (ଦୀର୍ଘଶ୍ୱାସ ନେଇ) ଇଏ ତ ପ୍ରତି ବର୍ଷ କଅଁଳୁଚି । ମାତ୍ର ମୋ ଆଶାର ତ ଗଲା ଚଉଦ ବର୍ଷରେ ଥରେ ହେଲେ ପତ୍ର କଅଁଳିନି !

 

ଶେରୁ : ଭଗବାନ ସବୁ ମଙ୍ଗଳ କରିବେ । ଏଣିକି ପ୍ରତି ବର୍ଷ ତମ ଆଶା ଫୁଲ ଧରିବ ।

 

–(ଦୁହେଁ ହସି ଉଠିଲେ)–

 

ଅମ୍ୱୋ : ଆଜି ତମେ ମୋ ଆଖିରେ ସେଇ ଦିନ ଭଳି ଖୁସି ଥିବା ଜଣାପଡ଼ୁଚ ।

 

ଶେରୁ : କୋଉଦିନ ଭଳି ? କୁହ, କୁହ ମୋ ରାଣ । ହଉ ନ କହିଲେ ନାଇଁ ।

 

ଅମ୍ୱୋ : ସେଇ ମେଳା ଦିନ ଭଳି । ତମେ କୂଅମୂଳେ ଗୋରୁଙ୍କୁ ପାଣି ପିଆଉଥିଲ, ଆଉ ମୁଁ ପାଣି ଆଣିବାକୁ ଯାଇଥିଲି ।

 

ଶେରୁ : ବିଶ୍ୱାସ କର, ସେଇଦିନୁ ତମ ପ୍ରତି ମୋର ଦୁର୍ବଳତା ଦେଖାଦେଇଛି । ତମେ ମାଠିଆ ଧରି ଚାଲିଆସିଲ । ମୁଁ ତମରି ଅବସ୍ଥାକୁ ମନେପକେଇ ବହୁତ ବେଳଯାଏ କାନ୍ଦିଲି । ମନରେ ଏତେ ଦୁଃଖ ହେଲା ଯେ, ମୁଁ ମେଳାକୁ ବି ଗଲି ନାହିଁ ।

 

ଅମ୍ୱୋ : (ଆଶ୍ଚର୍ଯ୍ୟ ହୋଇ) ସତରେ ?

 

ଶେରୁ : ସେଇଦିନ ମୁଁ ମନରେ ସଂକଳ୍ପ କରିଥିଲି, ଯା ନାଇଁ ତା’ ହେଉ ପଛେ–ଅମ୍ୱୋର ଦୁଃଖକୁ ମୁଁ ନିଶ୍ଚୟ ଦୂର କରିବି । ସବୁ ଜିଦି ଛାଡ଼ିଦେଲି; ଏପରିକି ଗରିବ ଦାସ ପାଲଟିଗଲି । ମୋର ଯାହା ନ କରିବା କଥା ତମ ପାଇଁ ତା’ ପାଖରେ ନେହୁରା–ନିମନ୍ତ ହେଲି । ତେବେଯାଇଁ ଗାଆଁବାଲା ମାନିଲେ !

 

ଅମ୍ୱୋ : (ଭାବାବେଶରେ) ତା’ହେଲେ ତ ମୋ’ପାଇଁ ତମେ ବହୁତ କଷ୍ଟ ସହିଚ ?

 

ଶେରୁ : କିନ୍ତୁ ସେଇ ଦୁଃଖ ଭିତରେ ଯୋଉ ମଜା, ତାହା ମତେ ହିଁ କେବଳ ଜଣା । ନିଶା ଥିଲା, ପ୍ରଥମ ସରାବୀର ନିଶା ।

 

ବାହାରୁ ସ୍ୱର : ଚୌଧୁରୀ ସାହେବ !

 

ଶେରୁ : କିଏ ? ରାଜା କିରେ, ରାଜା ?

 

ରାଜା : (ବାହାରୁ) ଚୌଧୁରୀଜୀ, ସାରା ଗାଆଁ ବୁଲି ଆସିଲିଣି; ଆପଣଙ୍କୁ ଖୋଜି ଖୋଜି ।

 

ଶେରୁ : ଭାଇ, ଆଉ କେତେ ଡେରି ଅଛି ?

 

ରାଜା : ସେଠି ସମସ୍ତେ ବସି ଆପଣଙ୍କୁ ଅପେକ୍ଷା କରିଛନ୍ତି ।

 

ଶେରୁ : ତେବେ ଚାଲ୍‌ । ମୁଁ ତୋ ପଛେ ପଛେ ଯାଉଛି । (ଅମ୍ୱୋକୁ) ତମେ ଭଲା କାହିଁକି ଡରିଯାଉଥିଲ ?

 

ଅମ୍ୱୋ : ସେ ଦରଜା ଖଟ୍‌ଖଟ୍‌ କରିବା ମାତ୍ରେ ମୋ ମନ ଭିତରଟା ଥରିଉଠିଲା । ମୁଁ ଭାବିଲି ମୋ ନଣନ୍ଦ ଆସିଛି । ମୋର ଛାତି ଏତେବେଳଯାଏ ଧଡ଼ିକୁଚି !

 

ଶେରୁ : ଆସୁ ସେ । ତାକୁ ଗୋଟା କି ଡର ?

 

ଅମ୍ୱୋ : ତମେ ଜାଣିନ । ସେ ଗୋଟାଏ ବିପଦର କାଳନାଗୁଣୀ ।

 

ଶେରୁ : ମିଆଁ ବିବି ରାଜି, ନା କ୍ୟା କରେଗା କାଜି ! ଏବେ ଆଉ କିଛି ହେଇପାରିବ ନାହିଁ । ଯାହା ହବା କଥା ହେଇଯାଉ ।

 

ଅମ୍ୱୋ : ମୋ ଲୁଗାପଟା ଘରେ ପହଞ୍ଚେଇଦିଅ । ନଚେତ୍‌ ସତକୁ ସତ ଯଦି ସେ ଆସିଯାଏ ?

 

ଶେରୁ : ମୁଁ ଏଠି କିଛି ନେଇ ଯିବିନି । ତମେ ମୋଟେ ଭୟ କରନା । ଜିନିଷରେ ଘର ଭର୍ତ୍ତି କରିଦେବି । (ଯାଉ ଯାଉ) ପ୍ରସ୍ତୁତ ହେଇ ଶୀଘ୍ର ଆସିବ ।

 

ଅମ୍ୱୋ : ମୁଁ ଏଠି କ’ଣ କରିବି ? ବାସ୍‌, କେବଳ ଗୋଟାଏ ଘାଗରା ମୋର ପିନ୍ଧିବାକୁ ଅଛି ।

 

(ଅମ୍ୱୋ ଆଢ଼ୁଆଳକୁ ଚାଲିଗଲା । ଏତିକିବେଳେ ଖୁବ୍‌ ବେଗରେ ଗୋଟିଏ ସ୍ତ୍ରୀଲୋକ ପ୍ରବେଶ କଲା । ସେ ବହୁତ ବିବ୍ରତ ଥିବା ଜଣାପଡ଼ୁଥିଲା ।)

 

କରମୋ : (ଇଆଡ଼େ ସିଆଡ଼େ ଚାହିଁ) ଭାଉଜ ! ଭାଉଜ ଅମର କଉର !!

 

(ଅମ୍ୱୋ ଘାଗରା ହାତରେ ଧରି ବାହାରକୁ ଆସିଲା । କରମୋକୁ ସାମ୍ନାରେ ଦେଖି ସେ ଥରି ଉଠିଲା ।)

 

ଅମ୍ୱୋ : ତମେ କୁଆଡ଼େ ଭଉଣୀ !

 

କରମୋ : ତତେ କ’ଣ କହିବି ଲୋ ଭାଉଜ ! ରାତିରେ ମୁଁ ଗୋଟାଏ ଉଡ଼ା-ଖବର ଶୁଣିଲି । ସତ କି ମିଛ, ମୋର ତ ଦାନା-ପାଣି ପାଟିକି ଗଲାନି ।

 

ଅମ୍ୱୋ : (ନିର୍ଭୟ ହୋଇ) ମିଛ କାହିଁକି, ସତ ।

 

କରମୋ : ହେ ଭଗବାନ୍‌ ! ତୁ ଇଏ କ’ଣ କଲୁ !!

 

ଅମ୍ୱୋ : ପଞ୍ଚାୟତକୁ ଯାଇ ପଚାର, ଯିଏ ଏସବୁ କରାଇଚି ।

 

କରମୋ : ଆଲୋ ତୁ ମତେ କହ, ତୋର ଦୁଃଖ କୋଉଥିପାଇଁ ?

 

ଅମ୍ୱୋ : ଭଉଣୀ ! ତମେ ମୋ’ରି ଭଳିଆ ବିଧବା ହେଇଥିଲେ, ମୁଁ କହିଦିଅନ୍ତି ମୋର କୋଉ କଥାକୁ ଦୁଃଖ ।

 

କରମୋ : (ଜଙ୍ଘରେ ହାତ ପିଟି) ଆଲୋ, ତୋ ଉପରେ ଆକାଶ ଛିଣ୍ଡି ପଡ଼ୁ ଲୋ ! ଅଲକ୍ଷଣୀ ! ମୋ ଭାଇ ବଞ୍ଚି ଥାଉ ଥାଉ ତୁ ତାକୁ ମାରିଦଉଚୁ !

 

ଅମ୍ୱୋ : ଯିଏ ଘରୁ ବାର ବର୍ଷ ହେଲା ଗଲାଣି–ଚିଠି-ପତ୍ର, ପଇସା-କଉଡ଼ି ଯିଏ ପଠାଉନାହିଁ, ମୋ’ପାଇଁ ସେ ମରିହଜିଗଲାଣି ।

 

କରମୋ : ଆଲୋ, ତୁ ତ ନିଜ ଲୋକକୁ ଖାଇଦେଲୁଣି । ମତେ କହ, ତୋର କୋଉ କଥାରେ କମି ହେଇଚି ?

 

ଅମ୍ୱୋ : ବାପର କୋଉ ଜାଗିରି ପଡ଼ିଚି, ଯାହାକୁ ବସି ଭୋଗକରିବି ? ଜାଣେନା, କେମିତି ସେ ଅଭାବ ଭିତରେ ମୁଁ ଦିନ କାଟୁଛି । ଆଜି ତମେ ନିଜ ଭାଇର ଦାବି ପ୍ରମାଣ କରିବାକୁ ଆସିଚ । ସେତେବେଳେ କୋଉଠି ଥିଲ, ଯେତେବେଳେ ମୁଁ ଚକି ଚଳେଇ, ଗୋବର ଚକଟି ପେଟ ପୋଷୁଥିଲି ?

 

କରମୋ : (ଅଗଣା ଆଡ଼କୁ ଚାହିଁ) ଆଲୋ ପୋଡ଼ାମୁହୀଁ ! କୋଉ ରଇଜଳା ପାଖରେ ଘର ଲୁଟିଦେଲୁ ?

 

ଅମ୍ୱୋ : ଘରେ କ’ଣ ବା ଥିଲା ଯେ–ସାତଟା ଚୁଲିର ପାଉଁଶ ? ଯାହା କିଛି ଅବା ଥିଲା ତାକୁ ତ ମଦନିଶାରେ ଖର୍ଚ୍ଚ କରିଦେଇଥିଲା–ଉଜାଡ଼ି ଦେଇଥିଲା ।

 

କରମୋ : ଦେଖ, ସମୟ କ’ଣ ହେଲା ଆସି ! ଆଗକାଳର ମାଇକିନିଆ ନିଜ ଗେରସ୍ତକୁ ଅପେକ୍ଷା କରି ସାରା ଜୀବନ ବିତେଇ ଦଉଥିଲେ.....

 

ଅମ୍ୱୋ : ମୁଁ ଅବା କୋଉ କମ୍‌ କରିଛି କି ? ଗୋଟା ଗୋଟା ଦିନ ଗଣି ବାରବର୍ଷ ବିତେଇ ଦେଇଚି । କହିବା ବହୁତ ସହଜ ଭଉଣୀ ! ସମୟ କଟେଇବାକୁ ପଡ଼ୁଥିଲେ ଜାଣୁଥାଆନ୍ତ-

 

ରାଜା : (ବାହାରୁ) ବୋହୂ, ବହୁତ ଡେରି କରି ଦେଲୁଣି । ସମସ୍ତେ ତୋ’ରି ଅପେକ୍ଷାରେ ବସିଛନ୍ତି ପରା ।

 

ଅମ୍ୱୋ : ଆପଣ ଚାଲନ୍ତୁ; ମୁଁ ଯାଉଚି । (ଘାଗରା ହାତରେ ଧରି) ଘାଗରା ଛାଡ଼, ଭଣ୍ଡାରୀ ବାରମ୍ୱାର ଆସୁଚି । ଲୋକମାନେ କ’ଣ ଭାବୁଥିବେଟି !

 

କରମୋ : (ନମ୍ରତାପୂର୍ବକ) ଭାଉଜ ! ମୋ କଥା ମାନ । ଯୋଉଠି ପ୍ରଥମରୁ ଏତେ ସମୟ କଟେଇଚୁ, ସେଠି ଆଉ ଦି’ଚାରି ମାସ ଅପେକ୍ଷା କର; ନିଜକୁ ବୋଧ ଦେ ।

 

ଅମ୍ୱୋ : ବୋଧ ଦେବାର ତ ଗୋଟାଏ ସୀମା ଅଛି । ଏମିତି ଅପେକ୍ଷା କରି କରି ମୋ ସୁନା ଦିହକୁ ଚୂନା କରିଦେଇଛି–ଯୌବନକୁ ଜାଳିପୋଡ଼ି ଦେଇଛି । ଆଉ ପୁଣି କିଏ ଆସି ମତେ ଗଦି ଉପରେ ବସେଇବ ମ ? ସେଇ ମାରଧର ହବ ।

 

କରମୋ : ତୋର ରଙ୍ଗଢଙ୍ଗ ତ ପ୍ରଥମରୁ ଖରାପ ଜଣାପଡ଼ୁଥିଲା..... ଆଜି ତ ନୂଆ କିଛି ନୁହଁ ।

 

ଅମ୍ୱୋ : ସେଇୟା ହୋଇଥିଲେ ମୁଁ ଏ ଅପନ୍ତରାଟାରେ ଚଉଦ ବର୍ଷ ବସି ନ ଥାନ୍ତି ମ । କେବେଠାରୁ ମୋ ବାଟ ମୁଁ ଧରିସାରନ୍ତିଣି ।

 

କରମୋ : (କିଛି ବାଟ ନ ପାଇ, ପିଟିକରି) ଅମରୋ, ତୁ ଦୁଆରବନ୍ଧରେ ଝୁଲି ମଲୁନି-? କେମିତି ତୁ ଏଠି ମୁଣ୍ଡ ଟେକି ବସିରହି ଆମ ମୁହଁରେ କାଳି ବୋଳୁଚୁ ? ମୁଁ ସେ ଲଫଙ୍ଗା ପଞ୍ଚାୟତ ସାମ୍ନାରେ ଯାଇ ତତେ ପିଟିବି । ଦେଖିବି, କିଏ ପିଠିରେ ପଡ଼ିବ । (ଚାଲି ଯିବାକୁ ବସିଲା)

 

ନମ୍ୱରଦାର : (ରାଗରେ) ମୁନ୍ନୀ ! ଏଠି ତୁ କ’ଣ କରୁଚୁ ? ସାରା ଗାଆଁ ତେଣେ ଅପେକ୍ଷା କରିଛନ୍ତି ପରା ।

 

ଅମ୍ୱୋ : ଦଦେଇ, ଇଏ ମତେ ଯିବାକୁ ଦଉନାହାନ୍ତି । ମୁଁ କ’ଣ କରିବି କୁହ ?

 

କରମୋ : (ଖୁବ୍‌ ଜୋରରେ ପାଟିକରି) ଅମରୋ, ତୁ ଯେମିତି ଆମ ନାକ କାଟିଚାଲିଚୁ–ତତେ ଜଳ ପାତାଳରେ ଠାବ ମିଳିବନେଇଁ ।

 

ନମ୍ବରଦାର : ଝିଅ ଲୋ ! ପାଗଳ ହେଇଗଲୁ କି ? ତା’ ଘାଗରା ଛାଡ଼ । ପାଟିତୁଣ୍ଡ କରନା ।

 

କରମୋ : ଦଦେଇ ! ଇଏ ତ ବଦମାସ୍‌ ପୋଡ଼ାମୁହୀଁଟାଏ ! ଆପଣମାନେ ବି କିଛି ଚିନ୍ତା କଲେ ନାହିଁ ?

 

ନମ୍ୱରଦାର : ହରେ ରାମ ! ୟା ଭଳି ସୁଶୀଳ ତ ସାରା ଦୁନିଆରେ ମିଳିବେ ନାହିଁ । ଇଏ ଯେତେ କଷ୍ଟରେ ଦିନ କାଟିଚି, କିଏ କାଟି ପାରିବ ? ଦି’ ବିଶ୍ୱା ଜମି ଅଛି; ସେଥିରୁ କେତେ ଅବା ମିଳିବ ! ସେ ବଦମାସ୍‌ ତ ୟାକୁ ଟିକେ ମନେପକେଇଲାନି–ଇଏ ମଲା କି ଗଲା । ଇଏ ଏଠି ମରୁଚି ।

 

କରମୋ : ସେ ଯିବାର କେତେ ଦିନ ହେଇଗଲାଣି । ଯୋଉଦିନ ଲେଉଟିବ ନା, ଘରଦ୍ୱାର ସବୁ ପୂର୍ଣ୍ଣ କରିଦବ ମୋ ଭାଇ । ଆପଣ ତାକୁ କ’ଣ ଭାବୁଚନ୍ତି ମ ?

 

ନମ୍ୱରଦାର : ମୁଁ ତା’ର ରୋଜଗାର କଥା ଭଲ ଭାବରେ ଜାଣେ ।

 

ଶେରୁ : (ଆସି) ଅମ୍ୱୋ ! ତମେ କ’ଣ କରୁଚ ବସି ? କେତେଥର ଭଣ୍ଡାରିକୁ ପଠେଇଲିଣି । (ନମ୍ୱରଦାରଙ୍କୁ ଦେଖି) ଦଦେଇଙ୍କୁ ବି କଷ୍ଟ କରିବାକୁ ପଡ଼ିଲା ।

 

ନମ୍ୱରଦାର : କିଏ କ’ଣ କରିବ ? କରମୋ ତ ତାକୁ ଯିବାକୁ ଦଉନି ।

 

ଶେରୁ : ତାକୁ ଅଟକେଇବାକୁ କରମୋ କିଏ ?

 

ନମ୍ୱରଦାର : ତୁ ଚୁପ୍‌ରହ ପୁଅ ! ମୁଁ ନିଜେ ବୁଝିବି ଏକଥା ।

 

କରମୋ : ଯା ବେ ଯା, ନିଜ ମା’ ଭଉଣୀ ପାଖରେ ଯାଇ ବହପ କାଢ଼ିବୁ । ଖବର୍‌ଦାର, ମତେ ଯଦି କିଏ କିଛି କୁହେ ।

 

ନମ୍ୱରଦାର : ତୁ ଚୁପ୍‌କର । ତତେ କେହି କିଛି କହିନାହାନ୍ତି ।

 

ଶେରୁ : ତା’ହେଲେ ଚାଲୁନ କାହିଁକି ? ଡେରି କୋଉଥି ପାଇଁ ?

 

ନମ୍ୱରଦାର : ତରତର କରନା, ଯାଉଚି । ବୁଝେଇ ଶୁଝେଇ ମତେ ନେବାକୁ ଦେ । କରମୋ ! ବାଟ ଛାଡ଼ । ବୋହୂକୁ ଯିବାକୁ ଦେ ।

 

(ଦୁଆରପଟେ କିଏ କାଶିଲା । ସମସ୍ତେ ସେ ଆଡ଼କୁ ଚାହିଁଲେ । ଗୋଟାଏ ରୋଗିଣା ବ୍ୟକ୍ତି ପ୍ରବେଶ କଲା ।)

 

କରମ ସିଂହ : (ସମସ୍ତଙ୍କୁ) ବାଃରେ ଠାକୁରଙ୍କ ଦୟା । ନମ୍ୱରଦାର ମହାଶୟ, ସବୁ ଭଲ ତ ?

 

ନମ୍ୱରଦାର : ଆରେ କରମ !

 

କରମ : ନମ୍ୱରଦାରଜୀ ! ମୁଁ ଆଜି ତ ଆସୁଚି । କରମୀ, ସବୁ କୁଶଳ ତ ଭଉଣୀ ? ଆରେ ଚୁପ୍‌ ହ, କନ୍ଦାକଟା କରନ୍ତି ନାହିଁ ପାଗଳୀ !

 

କରମୋ : (କୁଣ୍ଢେଇପକେଇ) ଖୁବ୍‌ ଭଲ ହେଲା ଭାଇ, ତୁ ଆସିଗଲୁ । କିନ୍ତୁ ତୁ ତ ଖବରଅନ୍ତର ଟିକେ ଦେଲୁନି । ଅପେକ୍ଷା କରି କରି ଏମିତିଆ ଦିନ ଆସି ପହଞ୍ଚିଲା ।

 

କରମ : ମୁଁ ଏବେ ତ ଆସିବାକୁ ସ୍ଥିର କରିନଥିଲି । କିନ୍ତୁ ଦି’ଦିନ ହେଲା ବେମାରି ଖୁବ୍‌ ଜୋରରେ ଧରିପକେଇଲା ।

 

ନମ୍ୱରଦାର : ଆଗ ଏକଥା କହ ଭଦ୍ରଲୋକ ! ତୁ କିଛି ଖବରଅନ୍ତର କାହିଁକି ଦଉନଥିଲୁ ଆଜିଯାଏ ? ତୋର ଏଠୁ ଯିବାର କେତେ ବର୍ଷ ହେଇଗଲାଣି ?

 

କରମ : ନମ୍ୱରଦାରଜୀ ! ତମେ ତ ମତେ ଜାଣ । ମୁଁ କିଛି ବଦଳିଯାଇନି । (କାଶିବା)

 

କରମୋ : କ’ଣ ହେଲା ଭାଇ ?

 

ନମ୍ୱରଦାର : ଦମା କାଶ । ନିଶା ଖାଇବାର ଅଭ୍ୟାସଟା ଏଯାଏ ଯାଇନି ?

 

କରମ : ମୁଁ ସାରା ଦୁନିଆ ବୁଲିଆସିଲେ ବି ମୋର ଅବସ୍ଥା ଏଇୟା ହିଁ ରହିବ ।

 

କରମୋ : ଭାଇ ! ଜିନିଷପତ୍ର ପଛରେ ଘୋଡ଼ାଗାଡ଼ିରେ ଅଛି ନା କ’ଣ ?

 

କରମ : (ହସି) ମୋ ସାଙ୍ଗରେ ଜିନିଷ କୁଆଡ଼ୁ ଆସିବ ? ଏଇ ପିନ୍ଧିଥିବା ଲୁଗା ଦି’ଟା ।

 

ନମ୍ୱରଦାର : ଯେମିତି ଯାଇଥିଲା, ସେତିକି ଫେରିଆସିଲା ।

 

କରମୋ : (ଦୀର୍ଘଶ୍ୱାସ କାଢ଼ି) ଛାଡ଼ ହେ, ଭାଇ ଆସିଗଲା–ସବୁ କିଛି ମିଳିଗଲା ।

 

(ସ୍ତବ୍‌ଧ ହୋଇ ଶେରୁ ଓ ଅମ୍ୱୋ ଜଣେ ଅନ୍ୟ ଜଣକ ଆଡ଼କୁ ଚାହୁଁଥିଲା । ଅମ୍ୱୋ ଭିତରକୁ ଚାଲିଗଲା । ଶେରୁ ବାହାରକୁ ଚାଲିଯାଉଥିଲା ।)

 

କରମ : ଆଉ ନମ୍ୱରଦାରଜୀ ! ଗାଁର ଖବରଅନ୍ତର କୁହନ୍ତୁ । କିଛି ନୂଆ ଖବର ?

 

ନମ୍ୱରଦାର : ସବୁ ଠିକ୍‌ ଅଛି । (ଅବସ୍ଥାକୁ ଛପେଇ ଦେଇ) କରମୋ ! ପାଣି-ଫାଣି ଟିକେ ଭାଇକୁ ପିଇବାକୁ ଦେ । ପରେ ଅନ୍ୟ କଥାବାର୍ତ୍ତା ।

 

କରମ : ତୁ କେବେ ଆସିଚୁ କରମୋ ?

 

କରମୋ : ଭାଇ, ମୁଁ ତ ଏବେ ଆସି ଠିଆ ହେଇଚି । ଜୋତା ପରା ଏଯାଏ ଖୋଲିନି ।

 

କରମ : ତୁ ଆସିଯାଇଚୁ, ଖୁବ୍‌ ଭଲ ହେଲା ।

 

କରମୋ : ଭାଇ, ପିଢ଼ା ଉପରେ ବସିଯା । ଭାଉଜ, ଅମର କଉର, ଆରେ ବାହାରକୁ ଆ । ଖୁସିରେ ଟିକେ ପାଣି-ଫାଣି ପିଇବାକୁ ଦେ ।

 

କରମ : ଅମର କଉର ! ସେ ବଞ୍ଚିଚି ? ନିଅ, ମୁଁ ଭାବୁଥିଲି ସେ ମରି ପୋଡ଼ି ପାଉଁଶ ହେଇଯିବଣି ।

 

କରମୋ : (ଦୁଆର ଭିତରକୁ ମୁହଁ ନୁଆଁଇ) ଭାଇ, ଦଉଡ଼ିଆସ !

 

କରମ : (ଦେଖି) ମୋ ଅପେକ୍ଷାରେ ସେ ଏଡ଼େ ସୁନ୍ଦର ପୋଷାକ ପିନ୍ଧିଥିଲା ?

 

କରମୋ : ନା ଭାଇ, ଆଗ ଧର । ମୁଁ ତା’ ମୁହଁରେ ପାଣି ଦିଏ !

 

କରମ : ସେ ହତଭାଗୀ ମୋରି ଅପେକ୍ଷାରେ ଥିଲା ।

 

(କରମ ସିଂହ ତାକୁ ଦେଖି କମ୍ପିଉଠିଲା । ଅତୀତ ଜୀବନ କାହାଣୀ ତା’ ଆଖି ସାମନାରେ ନାଚିଗଲା । ଦୋଷୀ ଭଳି ତା’ ମୁହଁକୁ ଦେଖି ସେ ଭୟଭୀତ ହୋଇଗଲା । କରମୋ ତା’ ମୁହଁରେ ପାଣି ଛାଟୁଥିଲା ।)

☆☆☆

 

 

 

 

 

 

 

 

 

 

 

Unknown

ଘାଟଡଙ୍ଗା

 

–ବଲବନ୍ତ ଗାର୍ଗୀ

 

ପାତ୍ର

 

ସୁରଜିତ୍‌ :

ନାବିକ

ଦୀପା :

ପତ୍ନୀ

ଲାଜୋ :

ଭଉଣୀ

ସୁନ୍ଦର :

ବନ୍ଧୁ

ପିଉସୀ

 

[ନଈକୂଳର ଗୋଟିଏ କୁଡ଼ିଆ । ଆହୁଲା, ଦଉଡ଼ି ଏବଂ ଜାଲ ଦୃଷ୍ଟିରେ ପଡ଼େ । ମଞ୍ଚ ଉପରର ପଛପଟକୁ ଛୋଟ ଖଟିଆ ଉପରେ ପିଉସୀ ବେମାରରେ ପଡ଼ିରହିଛି । ଦୀପା ଓ ଲାଜୋ ବସି କଥାବାର୍ତ୍ତା କରୁଛନ୍ତି । ଦୀପା ଚୁଲି ଫୁଙ୍କୁଚି ।]

 

ଲାଜୋ : ଦୀପା !

 

ଦୀପା : ଉଁ ।

 

ଲାଜୋ : ପିଉସୀ କାଶରେ ଛଟପଟ ହେଇ ମରୁଚି । ବୋଧେ ତା’ର ନିଃଶ୍ୱାସ ବନ୍ଦ ହେଇ ଯାଉଚି । କେବେ କେବେ ଶ୍ୱାସରୁଦ୍ଧ ହେଇଗଲେ ନିଃଶ୍ୱାସ ଫେରିବା ବଡ଼ କଷ୍ଟ ହେଇପଡ଼େ, ପାଚନ ଫୁଟିଲାଣି କି ?

 

ଦୀପା : ଏତେ ଫୁଙ୍କିଲିଣି; କିନ୍ତୁ ଆଜି ଯେମିତି ଚୁଲି ଜଳିବାକୁ ନାରାଜ । ଏପର୍ଯ୍ୟନ୍ତ ପାଚନ ସିଝିନି ।

 

ଲାଜୋ : ପାଚନ ପିଆଇବା ଆଜିକୁ ଦି’ ଦିନ ହେଇଗଲାଣି; କିଛି ଫଳ ମିଳି ନାହିଁ । ବରଞ୍ଚ ନିଃଶ୍ୱାସ ରୁଦ୍ଧିହେଇଯାଉଚି । କାଶୀ ବଇଦଠାରୁ ଯାଇ ଓଷଦ ଆଣ, ଯାହା ସେ ପଛ ଥରକ ଦେଇଥିଲା ।

 

ଦୀପା : ରାତି ତ ଅନେକ ହେଲାଣି । ସେଥିରେ ପୁଣି ନଈ ବଢ଼ିଚି । କେମିତି ଯିବି ?

 

ଲାଜୋ : ଆଉ କାହାକୁ ପଠେଇ ହବ ? ଘରେ ତ କେହି ନାହିଁ ।

 

ଦୀପା : କିନ୍ତୁ ମୁଁ କେମିତି ଯିବି ?

 

ଲାଜୋ : ଏଇ ପାଚନ ପେଇଦେଇ ତା’ ଛାତିରେ ମାଲିସ୍‌ କରିଦେ । ବୋଧହୁଏ ସେଥିରେ କିଛି ଆରାମ ମିଳିପାରେ । ମୁଁ କାହାକୁ ଗୋଟେ ଦେଖେ । (ବାହାରକୁ ଚାହିଁ) ଆହା ! ନଈପାଣି କେତେ ବଢ଼ିଗଲାଣି ! ଲହଡ଼ି ଆମ କୁଡ଼ିଆ ପାଖରେ ଆସି ପହଞ୍ଚିଗଲାଣି । ତୁ ଡଙ୍ଗାକୁ ଭିଡ଼ି କରି ଗଛରେ ବାନ୍ଧିଥିଲୁ ନା ?

 

ଦୀପା : ତାହା ଠିକ୍‌ ରୂପେ ବନ୍ଧାହେଇଚି । ତା’ର କିଛି ହେବନି ।

 

(ଗୀତ ଶୁଣାଗଲା)

 

ଭେଳା ପାରି କରି ଦେ ମୋର, ରେ..... !

 

ପାଦ ମୋର ଗଲାଣି ଥକି, ଆଶା ଧରି ଖୋଜେ ଏ ଆଖି

 

ଜାଣେ ନାହିଁ ମୁହିଁ କେଉଁଠି ତର ।

 

ଭେଳା ପାରି କରି ଦେ ମୋର.....

 

ଲାଜୋ : ଏ ବେଳାରେ କିଏ ଗୀତ ଗାଉଛି ?

 

ଦୀପା : କେଜାଣି କିଏ ?

 

ଲାଜୋ : ଆହୁଲାର ଚବଚବ ଶବ୍ଦ ତ ଶୁଭୁଚି ?

 

ଦୀପା : ହଁ ।

 

ଲାଜୋ : ଗାଆଁର ସବୁ କେଉଟ ନିଜ ନିଜ ଡଙ୍ଗାକୁ ଏକବାରେ କୂଳକୁ ନେଇଯାଇଛନ୍ତି-। ଇଏ କିଏ ହେଇପାରେ ?

 

ଦୀପା : ଜଣାପଡ଼ୁନି । ନଈର ଛାତି ବହୁତ ଫୁଲିଚି ।

 

ଲାଜୋ : ହଁ । ପବନର ସାଇଁ ସାଇଁ ଶବ୍ଦ କେଡ଼େ ପ୍ରଚଣ୍ଡ । ଯେମିତି କି ସବୁକିଛି ଉଡ଼େଇ ନେଇ ଯିବ ।

 

ଦୀପା : ଲାଜୋ ! ମୋର ତୋଫାନ୍‌କୁ ଭାରି ଡର ।

 

ଲାଜୋ : ତୋଫାନ ସାଙ୍ଗରେ ମୋର ସେଦିନର ଘଟଣା ମନେପଡ଼ିଯାଉଚି, ଯୋଉଦିନ ମୋ ଭାଇ ତତେ ଛାଡ଼ି ବାହାରିଯାଇଥିଲା ।

 

ଦୀପା : ସେଦିନ କଥା ମନେପକାନା, ଲାଜୋ !

 

ଲାଜୋ : ମୁଁ ତ ସେଦିନକୁ ଭୁଲିପାରୁନି । ମୁଁ କେତେଥର କହିସାରିଲିଣି, ଏ କୁଡ଼ିଆ ଘର ଗୋଟାଏ ଭୂତଖାନା । ଆମକୁ ଏଇଟା ଛାଡ଼ିବାକୁ ହେବ । ହେଲେ ତୁ ତ ମାନୁନୁ ।

 

ଦୀପା : ଏ କୁଡ଼ିଆ ଘରକୁ କେମିତି ଛାଡ଼ିବି ଲୋ ? ପୂରା ଛ’ ବରଷ ମୁଁ ଏଠି କଟେଇଚି-। ତୋ’ରି ଭାଇ ମତେ ଏଇଠିକି ସବାରିରେ ବସାଇ ଆଣିଥିଲା । ଆଉ ଏଇ ଲଣ୍ଠନ ଆଲୁଅରେ ତୁ ମୋର ଓଢ଼ଣା ଟେକି ମୁହଁ ଦେଖିଥିଲୁ । ଏଇ କୁଡ଼ିଆ ଘର ଭିତରକୁ ତୁ’ଇ ମତେ ଆଣିଥିଲୁ-। ମୁଁ ଏଇ କୁଡ଼ିଆ ଘରର ପ୍ରେମରେ ପଡ଼ିଯାଇଛି । ଏଇଠି ମୋର ଅନେକ ସ୍ମୃତି ବିଛେଇ ହେଇ ପଡ଼ିଚି-

 

ଲାଜୋ : ଏଇ ଭୂତଖାନାରେ ତ ତୋର ପୁଅ ମରିଗଲା ।

 

ଦୀପା : ହଁ; ମୋର ଏକୋଇରବଳା ବିଶିକେସନ ଏଇଠି ଜନ୍ମିଥିଲା; ଆଉ ଏଇଠି ଆଖି ବୁଜିଦେଲା । ସୂର୍ଯ୍ୟ ମାଆକୋଳକୁ ଯାଇସାରିଥିଲେ; ଦୀପ ଜଳିସାରିଥିଲା । ମୁଁ ତାକୁ ଏଇ ହାତରେ ଉଠେଇ ନେଇ ଦଶ ଖୋଜ ଦୂରର ମଶାଣି ପଦାକୁ ଯାଇଥିଲି । ମୁଁ ଏଠୁ କେମିତି ଚାଲିଯିବି ?

 

ଲାଜୋ : ମୋ ମନକୁ ତ ପାପ ଛୁଉଁଚି । ନିଜ ଛାଇ ଭୂତ ଭଳି ଗୋଡ଼ାଉଚି ।

 

ଦୀପା : ସଞ୍ଜ ସକାଳେ ତା’ର ଟିକି କବରକୁ ଦେଖିବାକୁ ଯାଉଚି । ମୋ ଗର୍ଭର ସ୍ପନ୍ଦନ ତ ସେଇଠି କବର ନେଇଚି । ମୋ ମନଟା ବି ଗୋଟାଏ ବିରାଟ କବର–ଯୋଉଠି ଅସଂଖ୍ୟ ଆଶା ଓ ସ୍ମୃତି ପୋତି ହେଇ ପଡ଼ିଛନ୍ତି ।

 

ଲାଜୋ : ଛାଡ଼ ସେ କଥାସବୁକୁ । ଯା, ଲଣ୍ଠନ ନେଇ କାଶୀ ବଇଦଠାରୁ ଓଷଦ ନେଇଆ । ମୁଁ ପିଇସୀ ପାଖରେ ବସିଚି ।

 

ଦୀପା : ଲଣ୍ଠନ ଆଲୁଅ ଠାକିବ ନାହିଁ । ଦେଖୁନୁ, ପବନ କେମିତି ସାଇଁ-ସାଇଁ ଗର୍ଜୁଚି । ଜିନିଷଗୁଡ଼ାକର ଛାଇ କାନ୍ଥରେ ଥରୁଚି । ଏଇ କୁଡ଼ିଆରେ କେତେ ଜିନିଷର ଛାଇ ଅଛି । ସବୁ ସମୟରେ ମୁଁ ସ୍ମୃତିର ଛାୟା ତଳେ ପୋତି ହୋଇ ପଡ଼ୁଛି । .....ଏଇ ଜାଲ, ଏଇ ଦଉଡ଼ି, ଏଇ ଦରଭଙ୍ଗା ଆହୁଲା । ଏଇ ଆହୁଲା ସାହାଯ୍ୟରେ ତୋର ଭାଇ କେତେଥର ଆରପାରିକୁ ଯାଇଥିଲେ-

 

ଲାଜୋ : ସେ ତୋ’ରି ଚାଲ୍‍ ପାଖରେ ହାରିଯାଇ ଚାଲିଗଲା ।

 

ଦୀପା : ମୋ ଚାଲ୍‍ ?

 

ଲାଜୋ : ଆଉ କ’ଣ ? ତୁ ତ ଜାଣିଥିଲୁ ସୁରଜିତ୍‌ ଭାଇ ତତେ ବହୁତ ଭଲପାଏ । ଏକଥା ଜାଣି ତୁ କେମିତି ସୁନ୍ଦରର ପ୍ରେମରେ ପଡ଼ିଗଲୁ ? ଗାଆଁ ସାରା କେଉଟ ଗୋଟାଏ ପଟେ, ଆଉ ସୁରଜିତ୍‌ ଭାଇ ଗୋଟାଏ ପଟେ । ସମସ୍ତଙ୍କର କୁହାବୋଲା ପରେ ବି ସେ ତତେ ଆଣିଥିଲା ।

 

ଦୀପା : ମୁଁ ବି ତ ସମସ୍ତଙ୍କୁ ଛାଡ଼ି, ସାରା ଗାଆଁର ସୁନ୍ଦର ଯୁବକଙ୍କୁ ତ୍ୟାଗ କରି ତାଙ୍କରି ପଛେ ପଛେ ଟାଣିହୋଇ ଆସିଲି ।

 

ଲାଜୋ : ସେତେବେଳେ ସେ ତ ତୋ’ରି ପାଇଁ ଜୀବନ ଦେଇଦଉଥିଲା । ସେ ତୋର ସବୁ କଥାକୁ କ୍ଷମା କରିଦଉଥିଲା । କିନ୍ତୁ ତୁ ତା’ରି ଅନ୍ତରଙ୍ଗ ବନ୍ଧୁକୁ ପ୍ରେମ କରିବାରେ ଲାଗିପଡ଼ିଲୁ..... ! ଡାଆଣୀ ବି ଗୋଟାଏ ଘର ଛାଡ଼ି ଦିଏ ।

 

ଦୀପା : ଲାଜୋ ! ଭଗବାନ ଦୁହାଇ, ତୁ ଚୁପ୍‌ ହଅ !

 

ଲାଜୋ : ତୋର ଏଇ କୁକର୍ମ ମୋ ଭାଇକୁ ସବୁଦିନ ପାଇଁ ମୋ’ଠୁଁ ଅଲଗା କରିଦେଲା-

 

ଦୀପା : ଲାଜୋ ! ମତେ ନଉକା ରାଣ, ଘାଟ ରାଣ–ସୁନ୍ଦର ପ୍ରତି ମୋର ଏମିତିଆ କିଛି ପ୍ରେମ ନ ଥିଲା ।

 

ଲାଜୋ : ପାଗଳୀ ! ପ୍ରେମ କ’ଣ କେତେ ପ୍ରକାରର ଅଛି କି ? ଲୁଗା ବା ଫୁଲ ଭଳି ପ୍ରେମ ଅଲଗା ଅଲଗା ପ୍ରକାରର ଅଛି ? ପାଗଳୀ ! ପ୍ରେମ ହିଁ ପ୍ରେମ–ଯେମିତିକି ସତଲୁଜ (ଶତଦ୍ରୁ)ର ପାଣି ହେଉଚି ପାଣି । ତୋର ସୁନ୍ଦର ପ୍ରତି ପ୍ରେମ ଥିଲା ।

 

ଦୀପା : ନା–ନା ।

 

ଲାଜୋ : ମୁଁ ଜାଣେ ।

 

ଦୀପା : ତୁ ମତେ ବେଜିତି କରନା ଲାଜୋ ! ତୁ ତ ନିଜେ ପ୍ରେମରେ ପଡ଼ି ମଲୁଣି; ତୋ ପ୍ରେମିକ ବେମାରରେ ପଡ଼ି ମଲା । ସେଥିପାଇଁ ତୁ ଆଜିଯାଏ ବାହା ହଉନୁ । ତତେ ତୋ ପ୍ରେମ ରାଣ, ତୁ ଏମିତି କହନା ।

 

ଲାଜୋ : ଏବେ ବି, ଯେତେବେଳେ ସୁନ୍ଦର ଆଖି ଆଗକୁ ଆସୁଚି, ତୁ କମ୍ପିଉଠୁଚୁ । ଦୂରରୁ ତା’ ପାଟି ଶୁଣିଲେ ତୋର ଆଙ୍ଗୁଠିଗୁରା ଅଟାରେ ଦବି ରହୁଚି । ଆଉ ତୋର କାନ ଭୟଭୀତ ଘୋଡ଼ା ଭଳି ଠିଆ ହେଇ ରହୁଚି ।

 

ଦୀପା : ଲାଜୋ ! ....ଲାଜୋ !

 

ଲାଜୋ : ନାରୀ ଯେକୌଣସି ଜଣକର ହେଇ ରହିବା ଦରକାର ।

 

ଦୀପା : (ଲୁହଝରା ଦୀର୍ଘ ନିଃଶ୍ୱାସ ସହ) ମତେ ଜଣାଅଛି ।

 

ଲାଜୋ : ମୁଁ ତୋ’ଠିଁ ଏଇ ଲୁହ କେତେଥର ଦେଖିଲିଣି । ମତେ ମଧ୍ୟ ଭଲକରି ଜଣାଅଛି, ତୁ ଏ ଲୁହ କାହା ପାଇଁ ବୁହାଉଚୁ ।

 

ଦୀପା : ଲାଜୋ !

 

ଲାଜୋ : ମୁଁ ଯାହା କହୁଚି, ସତ ।

 

ଦୀପା : ଲାଜୋ ! କୌଣସି ପରମଣିଷ ପାଇଁ ମନରେ ଟିକିଏ ଦୟା-ଜନ୍ମେଇବା କ’ଣ ପାପ ? କେଡ଼େ ଛୋଟିଆ ମନ, ଆପଣାଛାଏଁ ଉଛୁଳି ପଡ଼ୁଥିବା ଭାବ.....

 

ଲାଜୋ : ହଁ ।

 

ଦୀପା : କିନ୍ତୁ ହାୟ ! ମୁଁ ଏ ମନର କ’ଣ କରିପାରିବି ? ମୁଁ ତ ତାକୁ ବାନ୍ଧି ରଖିଛି–ଟାଣିକରି, ତୋଫାନ କବଳରୁ ବଞ୍ଚେଇ କରି, ଲହରିଠାରୁ ହଟେଇ କରି । ଘାଟକୂଳର ଗୋଟାଏ ଜାଗା, ସେଇ ଡଙ୍ଗା ଭଳି–ଯାହାକୁ ନଈର ଲହଡ଼ି ଛୁଉଁଚି; କିନ୍ତୁ ଠେଲି ନେଇ ପାରୁନି । ତାଆରି ପ୍ରତି ସୁରଜିତ୍‌ଙ୍କର ଈର୍ଷା କାହିଁକି ? ସେ ତ ଜାଣିଥିଲେ ମୁଁ କେବଳ ତାଙ୍କରି ।

 

ଲାଜୋ : ପ୍ରେମରେ କୌଣସି ପୁରୁଷର ମନ ଧୋକା ଖାଏନି । ତୁ ସୁନ୍ଦରକୁ ପ୍ରେମ କରୁଥିଲୁ । ତୋ ଆଖିରେ ପ୍ରେମର ସେଇ ଉଦ୍ବେଗ ଅଛି, ଯାହା ଯେକୌଣସି ମରଦକୁ ସାରା ଜୀବନ ପାଇଁ ପାଗଳ କରିବାକୁ ଯଥେଷ୍ଟ । ତୁ ସୁନ୍ଦରକୁ ପ୍ରେମ କରୁଥିଲୁ ।

 

ଦୀପା : ମାତ୍ର ମୋର ସେଥିରେ ଦୋଷ କ’ଣ ? ମୋ ମନ ତ ସେମିତିଆ । ଭଗବାନ ତାକୁ ସେମିତି ଗଢ଼ିଛନ୍ତି । ତୁ ଭଲା କହ, ସେଥିରେ ମୋର ଦୋଷ କ’ଣ–ଯଦିବା ମୋ କାନ ଶାମୁକା ଭଳି ହେଲା, କାନ ଛୋଟିଆ ହେଲା ବା ବେକ ଲମ୍ୱା ହେଲା ? ମୋ ମନଟା ତ ସେମିତି–ଆବେଗରେ ଡରିଯାଇଛି । ଯଦି ମୋ କାନ ଲମ୍ୱା ହେଇଥାଆନ୍ତା, ମୋ ମୁହଁରେ ବସନ୍ତର ଦାଗ ଥାଆନ୍ତା ଏବଂ ମଥାରେ ଯଦି କିଛି କଳାଚିହ୍ନ ଥାଆନ୍ତା, କେବେ ତ ମତେ କେହି ପ୍ରେମ କରି ନ ଥାନ୍ତେ । ଏପରିକି ସୁନ୍ଦର ବି ନୁହେଁ ।

 

ଲାଜୋ : ଏଭଳି କାଳକଥା ତୁଣ୍ଡରେ ଧରନ୍ତିନି ।

 

ଦୀପା : ମତେ ଜଣା ନାହିଁ ସୁନ୍ଦରର ପ୍ରେମରେ କ’ଣ ଅଛି । ସେ ସମସ୍ତଙ୍କଠାରୁ ଅଲଗା-। ସେ କମ୍‌ କଥା କହେ; ବାସ୍‌, ଠିଆ ହେଇ ରହେ । ହେ ଭଗବାନ୍‌ ! ମତେ କ୍ଷମା କର-! ମୁଁ କେମିତିଆ କଥା ସବୁ କହିବସିଲିଣି ।

 

ଲାଜୋ : ସୁନ୍ଦର ସହ ତୋର କେବେ ମିଳନ ହେଇନି ?

 

ଦୀପା : କେବେ ନୁହେଁ । ସେ ପାଖଦେଇ ଚାଲିଯାଏ । ମୁଁ ଘାଟର ଡଙ୍ଗା ଠେଲି ତା’ ପାଖରୁ ଚାଲିଆସେ । ବାସ୍‌, ତାକୁ ଦେଖିଦେଲା ପରେ ମୋର ସାରା ଶରୀରରେ ରୋମାଞ୍ଚ ଖେଳିଯାଏ । ଜିଭ ଯାଇ ତାଳୁରେ ଲାଗେ । ଆଉ ମୁଁ ତାକୁ କେବେ ଡାକିବିନି । ମତେ ଡରମାଡ଼ୁଚି-

 

ଲାଜୋ : ତୁ ତାକୁ ଡରୁଚୁ ?

 

ଦୀପା : ନା, ନିଜେ ନିଜକୁ । ନିଜ ଆବେଗକୁ । ନିଜ ଭାଗ୍ୟକୁ ମୁଁ ଡରୁଚି ।

 

ଲାଜୋ : କାହିଁକି ?

 

ଦୀପା : ସେ ରାତି କଥା ତୋର ମନେଅଛି–ଯେଉଁଦିନ ସୁରଜିତ୍‌ ତାମସା ଦେଖିବାକୁ ଯାଇଥିଲା ? ଆଖଡ଼ାରେ ବଡ଼ ବଡ଼ ମଶାଲ ଧରି ମଶାଲଧାରୀ ତାମସା ଦେଖାଉଥିଲା । ମୁଁ ସେତେବେଳେ ଘରେ ଥିଲି । ସେତିକିବେଳେ ସୁନ୍ଦର ଆସିଲା । ସେଦିନ ନଈ ବଢ଼ିଥିଲା । ସେ ଜାଲ ଆଉ ଆହୁଲା ଏଇଠି ରଖିଲା । ସେ ଆସି ମୋ ପାଖରେ ଠିଆହେଇଗଲା । ଦୀପ ଆଲୁଅରେ ତା’ ହାତର ମାଛଗୁରା ଚକ୍‌ଚକ୍‌ ଦିଶୁଥିଲେ । ମୁଁ ତା’ର ହାତ ଛୁଇଁ ଦେଖିଥିଲି ।

 

ଲାଜୋ : ପାଗଳୀ !

 

ଦୀପା : ସେତିକି, ମୁଁ ତା’ଠି ଟିକେ ହାତ ଦେଇ ଦେଖିଥିଲି । ପଥର ଭଳି କଠିନ ବାହା । ମନ ହଉଥିଲା ତାକୁ ଖାଇଯାଆନ୍ତି ।

 

ଲାଜୋ : ପାଗଳୀ ! ଏହା ହିଁ ତ ପ୍ରେମ ।

 

ଦୀପା : ସେମିତି ମୁଁ ଟିକେ ତାକୁ ଛୁଇଁଚି । ସେ ମୋର ଗାଲ ତଳକୁ–ଏଇ ବେକ ପାଖରେ, ଯେଉଁଠି କିଛି ବାଳ ଅଲରା ହୋଇ ପଡ଼ିଥିଲା–ନିଜ ଆଙ୍ଗୁଠିଦ୍ୱାରା ଛୁଇଁଥିଲା । ସେଦିନ ରାତିରେ ଝଡ଼-ତୋଫାନ ଏଇଭଳି ହେଉଥିଲା, ଆଉ ନଈପାଣି ଏମିତି ବଢ଼ିଥିଲା । ତା’ ପରଶରେ ମୋର ଶିରା-ପ୍ରଶିରା କମ୍ପି ଉଠିଥିଲା..... ତା’ର ପହିଲି ପରଶ..... ଆଉ ମୁଁ ଆଖି ବୁଜି ତା’ର ଛାତି ଉପରେ ମଥା ରଖିଦେଇଥିଲି । ସେତିକିବେଳେ ପଛ ଆଡ଼ୁ ତୋ ଭାଇ ଆସି ଠିଆହେଇଗଲେ । ତାଙ୍କ ଆଖିରେ ନିଆଁ ଜଳୁଥିଲା । ତାଙ୍କ ହାତରେ ଆହୁଲା ଥିଲା । ମତେ ଦେଖି ସେ ଉପରକୁ ଆହୁଲା ଉଠାଇଲେ–ତାଙ୍କ ଦେହ ଝାଳେଇଯାଇଥିଲା, ବିରୂପ ହୋଇଯାଇଥିଲା–ପାଗଳଙ୍କ ଭଳି ଚିତ୍କାର କଲେ–ତା’ପରେ ସେ ଆହୁଲାକୁ କାନ୍ଥରେ ପିଟିଦେଲେ । ଆହୁଲା ଦି’ଖଣ୍ଡ ହୋଇ ସେଇଠି ଖସିପଡ଼ିଲା.....

 

ଲାଜୋ : ଆଉ ତା’ପରେ ସେ ଚାଲିଗଲା ।

 

ଦୀପା : ମୁଁ ତାଙ୍କ ପଛରେ ଦଉଡ଼ିଗଲି । ତାଙ୍କ କାମିଜ ଧରିଲି । ତାଙ୍କୁ ମିନତି ହେଲି । ବିନୟ ହୋଇ କହିଲି, ସୁନ୍ଦର ଆଉ ମୋ ଭିତରେ କୌଣସି କଥା ହୋଇନାହିଁ; କିନ୍ତୁ ସେ ମୋ କଥା ମାନିଲେ ନାହିଁ ।

 

ଲାଜୋ : ଯେଉଁଠି ପ୍ରେମ ଅଧିକ, ସେଠି ସନ୍ଦେହ ବି ଅଧିକ ।

 

ଦୀପା : ସେ ଡଙ୍ଗା ଖୋଲି ତୋଫାନରେ ଠେଲିଦେଲେ । ସେଇ ରାତିରେ ମା’ ତାଙ୍କୁ ଅପେକ୍ଷା କରି ରହିଲେ । ପାଣି ପଥର ଦେହରେ ପିଟି ହୋଇ ଗର୍ଜନ କରୁଥିଲା, ଗଦା ଗଦା ଫେଣ ଛାଡ଼ୁଥିଲା; କିନ୍ତୁ ତାଙ୍କର କୌଣସି ଠିକଣା ମିଳିଲା ନାହିଁ । ନଈପାଣି କମିଲା ପରେ ତାଙ୍କର ଜୋତା, ଲୁଙ୍ଗି ଆଉ ପଗଡ଼ି କୂଳରେ ଭାସୁଥିବା ଅବସ୍ଥାରେ ମିଳିଲା । କାଦୁଅରେ ତାହା ଲଟ୍‌ପଟ ହୋଇଥିଲା । ମୁଁ ତାଙ୍କର ସେଇ ତିନୋଟି ଜିନିଷକୁ ଆଣି ଶୁଖେଇ କରି ଟ୍ରଙ୍କରେ ରଖିଦେଲି । ସେଇଥିପାଇଁ ମୁଁ ଏହି କୁଡ଼ିଆକୁ ଛାଡ଼ି କୁଆଡ଼େ ଯାଉନାହିଁ । ମୁଁ କେବେ ବି ସୁନ୍ଦରକୁ କୁଡ଼ିଆକୁ ଆସିବାକୁ ଦେଇନାହିଁ । ମନେମନେ ଶୁଭ ମନାସୁଚି, ଯଦି କେବେ ସୁରଜିତ୍‌ ଫେରିଆସି ଦେଖିବେ ଆଉ ବୁଝିବେ ମୁଁ ତାଙ୍କୁ କେତେ ମନେପକାଉଚି ।

 

ଲାଜୋ : ଏବେ ତ ତା’ର ସ୍ମୃତି ତୋଠି ପୂରିରହିଛି । ହେଲେ ସେ ଆଉ କେବେ ଲେଉଟିବ ନାହିଁ । (ପିଉସୀ ଜୋରରେ କାଶିଲେ) କାଶୀ ବଇଦ ପାଖକୁ ଯାଇ ଟିକେ ଓଷଦ ନେଇଆ । ଏ ରାତିରେ ତା’ ନିଃଶ୍ୱାସ ବନ୍ଦ ହେଇ ନ ଯାଉ । ପିଉସୀକୁ କାଶୀ ବଇଦର ଓଷଦ କାଟୁ କରେ ।

 

ଦୀପା : ନଈପାଣି ବହୁତ ଉପରକୁ ଉଠିଆସିଲାଣି । କାଶୀ ବଇଦର ଘର ଗଡ଼ାଣି ପାରି ହେଲେ ପଡ଼େ–ଆଉ ଗଡ଼ାଣିଟା ତ ପାଣିରେ ବୁଡ଼ିଗଲାଣି ।

 

(ଗୀତ ଭାସିଆସିଲା ଦୂରରୁ)

 

‘‘ଭେଳା ପାରିକରି ଦେ ମୋର’’

 

ଦୀପା : ଇଏ ତ ସୁନ୍ଦରର ସ୍ୱର । ନିଜ ଡଙ୍ଗା ଟାଣିକରି ଗଛରେ ବାନ୍ଧୁଚି ।

 

ଲାଜୋ : ତାକୁ କହ, କାଶୀ ବଇଦକୁ ଡାକିଆଣୁ ।

 

ଦୀପା : ତୁ କହିଦେ ।

 

ଲାଜୋ : (ଉଚ୍ଚ ସ୍ୱରରେ) ସୁନ୍ଦର !

 

ଦୀପା : ମୋ ମନ ଅଥୟ ହେଉଚି । ମୋ ପାଦ ତଳେ ଭୂମିକମ୍ପ ହେଲା ଭଳି ଲାଗୁଚି ।

 

ଲାଜୋ : ତୁ ଯାଇ ପିଉସୀ ମୁଣ୍ଡରେ ପଟି ବାନ୍ଧ । ମୁଁ ସୁନ୍ଦରକୁ କହୁଚି, ସେ କାଶୀ ବଇଦକୁ ଡାକିଆଣୁ । ସେ ମୋ କଥା ଭାଙ୍ଗିବନି । ଏଇନା ବିଜୁଳି ଚମକିଥିଲା । ଘାଟ ପାଖରୁ ସେ ଇଆଡ଼େ ଆସୁଚି । ସେ ତ ସୁନ୍ଦର ।

 

ଦୀପା : ବୋଧେ ବର୍ଷା ହେଉଚି ?

 

ଲାଜୋ : ଏମିତି ଟିକେ ଟିକେ । ବୋଧେ ନଈର ଲହଡ଼ିର ଜଳକଣା । ଲଟକଣ ଦେଖା ତ; ମୁଁ ତାଟି ଖୋଲିଦିଏ ।

 

ଦୀପା : ଲଣ୍ଠନଟା ଜୋରରେ ଜଳିବା ଯୋଗୁଁ ଚିମନିଟା କଳା ପଡ଼ିଯାଇଚି । ଆଣ, ଟିକେ ସଫା କରିଦିଏ ।

 

ଲାଜୋ : ନାଇଁ, ବାହାରେ ଖୁବ୍‌ ଅନ୍ଧାର । ଏତିକି ଆଲୁଅ ଯଥେଷ୍ଟ ହେବ ।

 

ଦୀପା : ହଉ । ତା’ହେଲେ ମୁଁ ପିଉସୀକୁ ଦେଖିବାକୁ ଯାଉଚି ।

 

(ଲାଜୋ ତାଟି ଖୋଲିଲା । ସୁନ୍ଦରର ପ୍ରବେଶ ।)

 

ସୁନ୍ଦର : ଓହୋ..... ହୋ..... ହୋ..... ! ନଈରେ ଭାରି ତୋଫାନ ପିଟୁଚି । ପାଣି ଆସି ପୂରା ଗାଆଁକୁ ବୁଡ଼େଇବାକୁ ବସିଲାଣି ।

 

ଲାଜୋ : ହେ ଭଗବାନ !

 

ସୁନ୍ଦର : ହଁ, ଗାଆଁ ଲୋକେ ଗାଈଗୋରୁ ଧରି ଆଗେ ଆଗେ ଗଲେଣି । ସେମାନେ ଉଚ୍ଚ ଜାଗାରେ ଥିବା ପଡ଼ୋଶୀ ଗାଆଁରେ ଯାଇ ରହିବେ ।

 

ଲାଜୋ : ବୂଟେବାଲ ?

 

ସୁନ୍ଦର : ହଁ, ବୂଟେବାଲ ।

 

ଲାଜୋ : ସେଠି ଦୀପାର ବାପଘର ।

 

ସୁନ୍ଦର : ମଗର ନଈ ବାହାରକୁ ଚାଲିଆସିଛି ଏବଂ କୂଳରେ ଆସି ଘୂରୁଛି ।

 

ଲାଜୋ : ତମ ଡଙ୍ଗା ?

 

ସୁନ୍ଦର : ରକ୍ଷାକରି ଦେଇଚି । ଦେବୀ ଗଛରେ ବାନ୍ଧି ଦେଇ ଆସିଛି ।

 

ଲାଜୋ : ପିଇସୀ ବହୁତ ବେମାର । ତା’ କାଶ ଆରମ୍ଭ ହେଇଗଲେ ବହୁତ କଷ୍ଟରେ ବନ୍ଦ ହୁଏ । ତମେ ଟିକେ ଯାଇ କାଶୀ ବଇଦଠୁଁ ଓଷଦ ଆଣିଦିଅ ।

 

ସୁନ୍ଦର : ହଉ, ଯାଉଚି । କିନ୍ତୁ କାଶୀ ବୋଧହୁଏ ପଳେଇଯିବଣି ।

 

ଲାଜୋ : ତା’ ଘର ତ ଉଚ୍ଚ ଜାଗାରେ । ସେ କୁଆଡ଼କୁ କାହିଁକି ଯିବ ? ସେ ତୋଫାନ୍‍କୁ ଡରି କରି କେବେ କୁଆଡ଼େ ଯାଏ ନାହିଁ । ବାର ବର୍ଷ ପୂର୍ବେ ଯେତେବେଳେ ବଢ଼ି ଆସିଥିଲା, ସେତେବେଳେ ସାରା ଗାଁ ଉଠିଯାଇଥିଲେ; କିନ୍ତୁ ସେ କୁଆଡ଼େ ଯାଇ ନଥିଲା । ହୁଣ୍ଡା-ରାମଟା । ଭାଙ୍ଗ ଘୋଟିବାର ସଉକି ଟିକେ ଅଛି ତ ! ଏବେ ମଧ୍ୟ ଭାଙ୍ଗ ଟେଳାଏ ପକେଇ ଘରେ ଗଡ଼ୁଥିବ । ତମେ ଯାଇ ତା’ଠୁଁ ଓଷଦ ଆଣିଦିଅ । ତା’ରି ପୁଡ଼ିଆ ଭଲ କାମ ଦିଏ । ସେ ରୋଗର ମଞ୍ଜକୁ ଛୁଏଁ-। ପିଉସୀକୁ ତା’ ଓଷଦ ଛଡ଼ା ଅନ୍ୟ କାହାରି ଓଷଦ କାଟୁ କରେ ନାହିଁ ।

 

ସୁନ୍ଦର : ଆଚ୍ଛା ! ମୁଁ ଡଙ୍ଗା ଖୋଲିଆଣେ । ପାଣିର ସୁଅ ଛୁଟିଚି । ମୁଁ ଯାଉଚି । ଶୀଘ୍ର ଫେରିଆସିବି । ଡଙ୍ଗା ଖୋଲି ନେଇ ଯାଉଚି । କାଶୀକୁ ହଙ୍ଗାରେ ବସେଇ ନେଇଆସିବି ।

 

ଲାଜୋ : ଯଦି ସେ ନିଜେ ନ ଆସିବ, ତେବେ ଓଷଦ ଧରି ଆସିବ । ଓଷଦ ସେ ଜାଣେ-। ସେ ଗତ କୋଡ଼ିଏ ବର୍ଷ ହେଲା ଏ ପରିବାର ସହ ଚିହ୍ନା-ଜଣା । ସେ ପୁଡ଼ିଆ ତିଆରି କରି ରଖିଚି; କିନ୍ତୁ ତିନିଦିନ ହେଲାଣି ତ ନଈରେ ପାଣି ବଢ଼ୁଚି । ଆମ ଭିତରୁ କେହି ହେଲେ ଯାଇପାରୁନୁ-। ଆଗରୁ ପିଉସୀ ଯେବେ ତା’ ଓଷଦ ଖାଇଚି, ସେ ଆରାମ ପାଇଚି ।

 

ସୁନ୍ଦର : ହଉ, ମୁଁ ଯାଉଚି ।

 

(ସୁନ୍ଦର ଚାଲିଗଲା । ଲାଜୋ ତାଟି ବନ୍ଦ କଲା । ଖଟ ଉପରେ ଶୋଇଥିବା ପିଉସୀ ଜୋରରେ କାଶିବାକୁ ଲାଗିଲା ।)

 

ଲାଜୋ : (ପାଟିକରି) ଦୀପା ! ନିଆଁରୁ ପଥର ବାହାର କରି ଆଣ । ପିଉସୀକୁ ସେକି ଦେବାକୁ ପଡ଼ିବ । ଶୁଣ, ପିଉସୀକି କହିବୁନି ଯେ, ସୁନ୍ଦରକୁ ଓଷଦ ଆଣିବାକୁ ପଠାଯାଇଚି । ଯଦି ସେ ଏକଥା ଜାଣିଯାଏ ନା, ଆଉ ମୋଟେ ଓଷଦ ଖାଇବନି । ସୁନ୍ଦର ଉପରେ ସେ ଚିଡ଼ିଚି ।

 

(ଖଟ ଉପରେ ଥାଇ ପିଉସୀ କାଶିଲା ।)

 

ପିଉସୀ : କାଶୀ ପାଖକୁ ଓଷଦ ଆଣିବାକୁ କିଏ ଗଲା ?

 

ଲାଜୋ : ପଡ଼ିଶା ଘରର ନତ୍‌ଥୁକୁ ମୁଁ କହିଚି ।

 

ପିଉସୀ : ନତ୍‌ଥା ତ ରାସ୍ତାରେ ଓଷଦ ପୁଡ଼ିଆକୁ ଫିଙ୍ଗିଦେଇ ଆସିବ । ସେଦିନ ତାକୁ କହିଥିଲି, ଡଙ୍ଗାକୁ ଠେଲି ଆଣି ଗଛରେ ବାନ୍ଧି ଆସିବୁ । ସେ ଆହୁଲାକୁ ଭାଙ୍ଗି କରି ଆସିଥିଲା ।

 

ଲାଜୋ : ତୁ ବ୍ୟସ୍ତ ହଅନା । ସେ ପୁଡ଼ିଆ ଧରି ଆସିବ ।

 

ପିଉସୀ : ଜୀବନକୁ କହିଲୁନି, ସେ ନେଇଆସିଥାନ୍ତା ।

 

ଲାଜୋ : ଜୀବନ ତ ଗାଡ଼ି ଆଉ ବଳଦ ସହିତ କାଲି ସଞ୍ଜରୁ ଗାଆଁ ଛାଡ଼ି ଗଲାଣି । ତା’ର ପିଲା, ସ୍ତ୍ରୀ ଆଉ ସରାଘର ଅନ୍ୟ ଗାଁକୁ ଚାଲିଗଲେଣି । ପଛ ଘରେ ଲେଙ୍ଗଡ଼ା ବଳଦଟା ରହିଯାଇଛି–ସେଇ ଏକୁଟିଆ ଚାଳିଆରେ ଠିଆ ହୋଇ ବିଚାରା ଚିତ୍କାର କରୁଚି ।

 

ପିଉସୀ : ଭଗବାନଙ୍କୁ ଜଣା, ସେ ଏ ଗାଆଁ ଉପରେ କି ପ୍ରକାର ପ୍ରତିଶୋଧ ନଉଛନ୍ତି । ପ୍ରତି ଚାରି ବରଷରେ ଏଇଭଳି ବଢ଼ିଆସୁଚି । ପାଣି ସାମନାରେ କାହାର କୋଉ କଥା ଚଳିଲାଣି ଭଲା ? ଓହୋ..... ! ହେ ଭଗବାନ, ତୁ ବୁଝ !

 

ଲାଜୋ : (ଦୀପାକୁ) ତୁ ଚୁଲିରେ ଆଳୁ ପକେଇଚୁ ?

 

ଦୀପା : ହଁ ।

 

ଲାଜୋ : କେଇଟା ?

 

ଦୀପା : ତିନିଟା । ମତେ ଭୋକ ହଉନି ।

 

ଲାଜୋ : ମୋର ତ ଭୋକରେ କରଡ଼ି ଜଳିଲାଣି ।

 

ଦୀପା : ପିଉସୀ ଶୋଇଗଲାଣି କି ?

 

ଲାଜୋ : ବିଚାରୀକୁ ନିଦ ଆସିଗଲା, ଭଲହେଲା । ଟିକେ ହେଲେ ଆରାମ କରିବ ।

 

ଦୀପା : ନିଃଶ୍ୱାସ ତ ଏବେ ବି ଜୋରରେ ଛାଡ଼ୁଚି ।

 

ଲାଜୋ : ବିଚାରୀ ! ସାରା ଜୀବନ ବିପଦରେ ବୁଡ଼ିରହିଲା । ମୁଁ ଛୋଟିଆଟିଏ ହୋଇଥିଲି, ମା’ ମରିଗଲା । ପିଉସୀ ଆମ ଦିହିଁଙ୍କି ପାଳିପୋଷି ମଣିଷ କରିଚି । ମୋର ମନେଅଛି, ରାତିରେ ଯେତେବେଳେ ଜୁଳୁଜୁଳିଆ ପୋକ ଘାସ ଉପରେ ଚମକୁଥିଲେ, ପିଉସୀ ସେତେବେଳକୁ ଆମକୁ ରଜା-ରାଣୀ କାହାଣୀ ଶୁଣାଉଥିଲା । କେବେ କେବେ ଯାଦୁକର ଓ ଦେବୀଙ୍କ କାହାଣୀ କହୁଥିଲା । କେବେ କେବେ ସମୁଦ୍ର ଆଉ ମାଛଙ୍କର । ସୁରଜିତ୍‌ ନଈ ଆରପଟକୁ ମାଛ ଧରିବାକୁ ଗଲେ, ଖାଳେଇ ବୋଝେଇ କରି ମାଛ ଆଣୁଥିଲା । ପିଉସୀ ମାଛ ଭାଜୁଥିଲା । ତୁ ମାଛ ଭାଜିଲୁଣି-?

 

ଦୀପା : ନା, ଘଡ଼ିରେ ସେମିତି ପଡ଼ିଛି ।

 

ଲାଜୋ : ମୁଁ ପିଉସୀଠୁଁ ମାଛ ଭାଜି ଶିଖିଥିଲି । କେତେଥର ସୁରଜିତ୍‌ ନଈରେ ପହଁରିବାକୁ ଯାଇ ଆଖି ଆଢ଼ୁଆଳକୁ ଚାଲିଗଲେ, ପିଉସୀ ଡଙ୍ଗା ଠେଲି ନେଇ ତା’ ପିଛା ଧରେ । ଶେଷରେ ବିଚାରୀ ତାକୁ ସାଙ୍ଗରେ ଧରି ଫେରେ । ଏବେ ତ ଟିକେ ହଲଚଲ ହେଇପାରୁନି ।

 

ଦୀପା : କିଛି ତ ଖାଇପାରୁନି । କାଲି ମୁଁ ଡାଲି ତିଆରି କରି ଦେଲି ଯେ; ସେ ତାଟିଆକୁ ହାତରେ ଘୁଞ୍ଚେଇ ଦେଲା ପଛକୁ ।

 

(କବାଟରେ ଆଘାତ ଶୁଣାଗଲା । ଲାଜୋ ଯାଇ ତାଟି ଖୋଲିଲା । କାଦୁଅ-ସରପଟ ହୋଇ ସୁନ୍ଦର ଆସିବାର ଦେଖାଗଲା ।)

 

ଦୀପା : ଓଷଦ ଆଣିଲ ?

 

ସୁନ୍ଦର : ହଁ; ଏଇ ତିନିଟା ପୁଡ଼ିଆ ଦେଇଛି । ତିନି ତିନି ଘଣ୍ଟା ଅନ୍ତରରେ ଦବ ।

 

ଲାଜୋ : କୋଉଥିରେ ?

 

ସୁନ୍ଦର : ଗରମ ପାଣି ବା ପାଚନ ସାଙ୍ଗରେ ।

 

ଲାଜୋ : ଦିଅ । ଭଗବାନ ତମର ମଙ୍ଗଳ କରନ୍ତୁ ।

 

(ସୁନ୍ଦର ଚାଲିଗଲା । ଲାଜୋ ପୁଡ଼ିଆ ଧରି ପିଉସୀ ପାଖକୁ ଗଲା ।)

 

ଲାଜୋ : ଦୀପା ! ପାଚନ ସିଝି ଗଲାଣି ?

 

ଦୀପା : ହଁ, ଅନେକ ବେଳହେଲା ଫୁଟୁଚି ।

 

ପିଉସୀ : (ଦୁଃଖରେ ଭାଙ୍ଗିପଡ଼ି) ମତେ ନେଇଯାଅ ହେ ଭଗବାନ !

 

ଦୀପା : କାହିଁକି ମ ଅପା–କଷ୍ଟ ହଉଚି ବେଶି ?

 

ପିଉସୀ : (କାଶିଉଠି) ମୁଁ ଅସହାୟା ଏ ଘରେ ପଡ଼ିରହିଛି । କାଶ ଆଉ ପୀଡ଼ାରେ ରାତି ଦିନ କଟୁଚି । ନଈର ଲହଡ଼ି ଭଳି ଆସୁଚି ଏବଂ ଚାଲିଯାଉଚି ।

 

ଦୀପା : ଅପା ! ବୁଲିଲ ଟିକେ । ତମ ପିଠିରେ ସେକ ଦେଇଦିଏ ।

 

ଲାଜୋ : ପଥର ବେଶି ଗରମ ହେଇନି ତ ଦୀପା ?

 

ଦୀପା : ନାଇଁ, ପାଣି ଛିଞ୍ଚାଡ଼ି କରି ଆଣିଚି । ଆଉ କନା ଗୁଡ଼େଇ ଆଣିଚି ।

 

ଲାଜୋ : ଅପା ! ଦରଜ ଟିକେ କମିନି ?

 

ପିଉସୀ : ଏବେ ତ ସେମିତି ଅଛି ।

 

ଲାଜୋ : ନେ, କାଶୀ ବଇଦ ପୁଡ଼ିଆ ପଠେଇଦେଇଚି ।

 

ପିଉସୀ : ବୋଧେ ଏଇ ଓଷଦରେ କିଛିଟା କିମିଯିବ ।

 

ଲାଜୋ : ଇଏ ତିନିଟା ପୁଡ଼ିଆ, ତିନି ଘଣ୍ଟା ଅନ୍ତରେ ଖାଇବୁ ।

 

ଦୀପା : କୋଉଥିରେ ?

 

ଲାଜୋ : ଗରମ ପାଣି ବା ପାଚନ ସାଙ୍ଗରେ ।

 

ଦୀପା : ଅପାଙ୍କ ଛାତିରେ ଏ ଗରମ ପଥର ଏମିତି ଲାଗିରହିଥାଉ । ଆରାମ ହେବ । ବାସ୍‌, ତାଙ୍କୁ ଗୋଟାଏ ପୁଡ଼ିଆ ଏଇନା ଦେଇ ଦେ; ବାକି ପରେ ଦବୁ ।

 

ଲାଜୋ : ମୁଁ ଅପାକୁ ଓଷଦ ଦଉଚି ।

 

ଦୀପା : ତୁ ବୋଧେ ତାଟି ବନ୍ଦ କରିନୁ । ନଈରୁ ଉଡ଼ିଆସୁଥିବା ଜଳକଣା ଘର ଭିତରକୁ ଚାଲିଆସୁଚି ।

 

ଲାଜୋ : ଯା, ତାଟି ବନ୍ଦ କରିଦେଇ ଆ ।

 

(ଲାଜୋ ପଛ ଘରକୁ ଓଷଦ ତିଆରି କରିବାକୁ ଚାଲିଗଲା । ଦୀପା ତାଟି ବନ୍ଦ କରିବାକୁ ଆସିଲା । ସେ ବାହାରକୁ ଟିକିଏ ନିରୀକ୍ଷଣ କଲା ।)

 

ଦୀପା : (ଧୀର ଗମ୍ଭୀର ସ୍ୱରରେ) ସୁନ୍ଦର ! ତମେ ଏଠି ଏଯାଏ ଠିଆହେଇଚ ?

 

ସୁନ୍ଦର : ହଁ । ମୁଁ ଯାଉଥିଲି ।

 

ଦୀପା : ତମ ଡଙ୍ଗା କେଉଁଠି ?

 

ସୁନ୍ଦର : ବାହାରେ । ଏମିତି ତମକୁ ଟିକେ ଦେଖିବାକୁ ଅଟକିଗଲି ।

 

ଦୀପା : ହଉ, ଏବେ ଯାଅ ।

 

ସୁନ୍ଦର : ଯାଉଛି ।

 

ଦୀପା : (ଚମକି ପଡ଼ି) ଆରେ ! ତମ ମୁଣ୍ଡରେ ଏ ଖଣ୍ଡିଆ କେମିତି ହେଲା ?

 

ସୁନ୍ଦର : ରାସ୍ତା ବହୁତ ଅନ୍ଧାର ହେଇଥିଲା । ଗୋଟାଏ ଜାଗାରେ ଗୋଡ଼ ଖସିଯିବାରୁ ପଡ଼ିଗଲି । ଗୋଟାଏ ମୋଟା କାଠଗଡ଼ ରାସ୍ତାରେ ପଡ଼ିଥିଲା । ମୁଣ୍ଡଟା ସେଇଥିରେ ପିଟି ହୋଇଗଲା ।

 

ଦୀପା : ଓଃ ! ତା’ହେଲେ ତମେ ଶୀଘ୍ର ଯାଅ ।

 

ସୁନ୍ଦର : ସେଇଦିନ ରାତିରୁ ମୁଁ ତମ ଘରକୁ କେବେ ଆସି ନ ଥିଲି । ରାସ୍ତାରେ ଯିବା ଆସିବା କଲାବେଳେ ତମକୁ ଦେଖେ ।

 

ଦୀପା : ଏତେବଡ଼ ତୋଫାନରେ ତମେ କୁଆଡ଼େ ଯାଇଥିଲ ?

 

ସୁନ୍ଦର : ଢେରୁ ସରଦାରର ଘୋଡ଼ା ଖସିପଡ଼ିଥିଲା । କୁଆଡ଼େ ଗଲା ଜଣାପଡ଼ିଲାନି, ପାଣି ସୁଅରେ କୁଆଡ଼େ ଯାଇ ହଜିଗଲା । କିଛି ଠିକଣା ମିଳିଲାନି । ମୁଁ ତାକୁ ଖୋଜିବାକୁ ଯାଇଥିଲି-

 

ଦୀପା : ପୁଣି କ’ଣ ମିଳିଲା ?

 

ସୁନ୍ଦର : ନା ।

 

ଦୀପା : ତମେ କାହିଁକି ଘୋଡ଼ା ଖୋଜିବାକୁ ଯାଉଥିଲ ? ଯଦି କୌଣସି ଅଘଟଣ ଘଟିଥାଆନ୍ତା ! ଗାଆଁର ଅଧିକାଂଶ ଲୋକ ତ ଚାଲିଗଲେଣି । ତମେ କାହିଁକି ଯାଇନ ? ତମର କୋଉ ଗାଈଗୋରୁ ଅଛନ୍ତି ଯେ, ସେମାନଙ୍କୁ ଉଦ୍ଧାର କରିବାକୁ ବସିରହିଛ ?

 

ସୁନ୍ଦର : ମୁଁ ତୋଫାନ୍‌କୁ ଡରୁନି । ମୁଁ ଏମିତି ମନେମନେ ଭାବୁଥିଲି, କାଳେ ତମ ସାଙ୍ଗରେ ଦେଖା ହୋଇ ପାରିବନି । କିଏ ଜାଣେ, ତୋଫାନ ଆସିଲେ ମତେ କେହି ଯଦି ଏଇ କୁଡ଼ିଆ ଘରୁ ଆବାଜ ଶୁଣାଇ ଡାକିବ ।

 

ଦୀପା : (ବିବ୍ରତ ହୋଇ) ପଛ ଥରକ..... ନା–ନା,..... ତମେ,..... ତମେ ଯାଅ ।

 

ସୁନ୍ଦର : ପଛ ଥରକ,..... ହଁ–ସେଇ ରାତି–ସେଇ ତୋଫାନ । ତମରି ସେଇ ପରଶ ମୋର ସାରା ଶରୀରକୁ ଝିମିଝିମି କରିଦେଇଥିଲା । ସବୁଦିନପାଇଁ ତମର ସେଇ ଚିତ୍ର ମୋ ମନରେ ଆଙ୍କିହେଇ ରହିଯାଇଚି ।

 

ଦୀପା : ମୁଁ ସୁରଜିତ୍‌କୁ ଭୟ କରୁଚି । ସେଇ ଦିନଠାରୁ ତାଙ୍କ ଡର ମୋ ମନରେ ଆହୁରି ବଢ଼ିଯାଇଛି ।

 

ସୁନ୍ଦର : ତମର ଭ୍ରମ ଜନ୍ମିଛି ।

 

ଦୀପା : କେତେଥର ତମକୁ ଡାକିବାକୁ ଇଚ୍ଛା ହେଇଚି; କିନ୍ତୁ ସେ ଡାକରା ମୋ’ରି କଣ୍ଠ ଭିତରେ ସୀମିତ ହେଇଯାଇଛି । ମୋର ମନେହେଇଚି, ମୁଁ ତମକୁ ଡାକିଦେଲା ମାତ୍ରେ ନଈ ଆରପାରିରୁ ସୁରଜିତ୍‌ ପାଟିକରି ଉଠିବ ।

 

ସୁନ୍ଦର : ତମେ ପାଗଳୀ ! କେତେ ବର୍ଷ ବିତିଗଲାଣି ସେଇ ରାତିଟି ପରେ ?

 

ଦୀପା : ଚାରିବର୍ଷ ।

 

ସୁନ୍ଦର : ଏମିତି ମନେହେଉଚି, ସତେକି କାଲିର କଥା । ଯେମିତି ସେ ମୁହୂର୍ତ୍ତଟା ଏବେ ବିତିଯାଇଛି । ସେ ରାତି ଆଉ ଏଇ ରାତି ଭିତରେ ସତେ ଯେମିତି ମୋଟେ ଫରକ ନାହିଁ । ଦୀପା, ତମେ ଆଉ ସେମିତି କହିବ ନାହିଁ । କେତେଥର ରାତିରେ ମୁଁ ଏଇ କୁଡ଼ିଆ ଆଖ-ପାଖରେ ତମକୁ ଦେଖିବା ପାଇଁ ଘୂରିବୁଲିଚି । ଶୀତଦିନର ଥଣ୍ଡା ରାତିରେ ମୁଁ ଦୂର ଓଦା ବାଲିରେ ଘଣ୍ଟା ଘଣ୍ଟା ଧରି ଠିଆହେଇଚି । ଶୀତ ମୋର ତଳିପାରୁ ତାଳୁକୁ ଫୁଟେଇ ପକାଏ । ମୋର ସପନଗୁଡ଼ା ସେଇ ବାଲିରେ ଟିକି ଟିକି ହେଇ ବିଛାଡ଼ି ହୋଇ ପଡ଼େ ।

 

ଦୀପା : ସୁନ୍ଦର, ତମେ ରାତିର ଅନ୍ଧାରକୁ ଭୟ କରନା ?–ଆଉ ଏ ବଢ଼ୁଥିବା ନଈପାଣିକୁ ବି ଡରନା ?

 

ସୁନ୍ଦର : ପାଣି ସବୁ ଜାଗାକୁ ଏକ କରିଦେଇଛି ।

 

ଦୀପା : (ଥରିଉଠି) ଜାଣେନା, ପାଣି ତଳେ କ’ଣ ଲୁଚିରହିଚି ? କିଛି ତ ଆଖିରେ ପଡ଼େ ନାହିଁ ।

 

ସୁନ୍ଦର : ଅନ୍ଧାରରେ ମତେ ତମରି ଆଖି ଚକ୍‌ମକ୍‌ ହେଇ ଦିଶେ–ଓଦା ଓଦା ଆଖି.....

 

ଦୀପା : ମତେ ଛୁଅଁନା । ମୁଁ ସେ ରାତିକୁ ଭୁଲିପାରିନାହିଁ ।

 

ସୁନ୍ଦର : ସୁରଜିତ୍‌ ତ ଏବେ ଫେରିବ ନାହିଁ । ତମେ ତ ଗୋଟାଏ ଖିଆଲକୁ ନିଜର କରି ବସିଛ । ତମେ ଦିନରାତି ସେଇ ସଂଶୟରେ ବୁଡ଼ିରହି, ସେଇ ଭୟର ଛାୟା ତଳେ ନିଜ ସୁନା ଦେହକୁ ଚୂନାକରିବାରେ ଲାଗିଛ । ତା’ର ଯିବା ଚାରିବର୍ଷ ହେଇଗଲାଣି । ତା’ର ପଗଡ଼ି, ଜୋତା ଓ ଲୁଙ୍ଗି ମିଳିଥିଲା–ପାଣିରେ ଓଦା ହୋଇଥିଲା; କାଦୁଅ-ସରପଟ ହେଇଥିଲା । ନିଶ୍ଚୟ ତାକୁ ମଗର ଖାଇଯାଇଥିବେ । ତମ ହାତ କାହିଁକି ଥରୁଚି ?

 

ଦୀପା : ଡର ଯୋଗୁଁ ।

 

ସୁନ୍ଦର : ତମର କାହାକୁ ଡର ?

 

ଦୀପା : ଏଁ ! ଇଏ କାହାର ସ୍ୱର ?

 

ସୁନ୍ଦର : (ହସିଉଠି) ଇଏ ଘାଟରେ ବନ୍ଧାହେଇଥିବା ନାଆର ଜଞ୍ଜିରର ଧ୍ୱନି; ଆଉ ପାଣିର ଛପାକ୍‌-ଛପ ସ୍ୱର–ଯାହା ତାକୁ ଅତିକ୍ରମ କରି ଯାଉଛି ।

 

ଦୀପା : ମୋର ଯେମିତି ମନେହଉଚି, କିଏ ଜଣେ ପାଣିରୁ ଉଠିଆସୁଚି । ଯେମିତି କି କାଦୁଅ ଜୁଡ଼ୁବୁଡ଼ୁ ହେଇଥିବା କୌଣସି ଜିନିଷ–କିଏ ତାକୁ ଉପରକୁ ଟାଣିଆଣୁଚି–ଏ ମନରେ ଅଜବ ଚିନ୍ତାସବୁ ଜନ୍ମ ହେଉଚି ।

 

ସୁନ୍ଦର : ଏସବୁ ମିଛ–ଭ୍ରମ ।

 

ଦୀପା : ସେ କିଏ ?

 

ସୁନ୍ଦର : କେହି ନୁହେଁ, କେବଳ ତମରି ଚିନ୍ତା, ଯାହା କୁଦା ମାରି ଉପରକୁ ଚାଲି ଆସିଥିଲା ।

 

ଦୀପା : ତମର ହାତପରଶ କେତେ ଆନନ୍ଦ ଦଉଚି ସତେ !

 

ସୁନ୍ଦର : ତମ ହୃଦୟର ସ୍ପନ୍ଦନ ମତେ ଏଠିକି ଶୁଭୁଚି ।

 

ଦୀପା : କେତେଥର ମୋର ମନେହୁଏ, ଥରେ ମୋ ଛାତି ଜୋରରେ ଚମକି ଉଠିବ, ଏବଂ ତା’ପରେ ବନ୍ଦ ହେଇଯିବ । ତମ ପରଶ ମୋ ଅଙ୍ଗ-ପ୍ରତ୍ୟଙ୍ଗରେ ତରଙ୍ଗ ଖେଳେଇ ଦେଇଚି-। ଚଳଚଞ୍ଚଳ ତରଙ୍ଗ,.....ଯାହାର କୌଣସି ଆଦି ଅନ୍ତ ନାହିଁ । (ଅତିମାତ୍ରାରେ ଭାବବିହ୍ୱଳ ହୋଇ) ସୁନ୍ଦର !

 

ସୁନ୍ଦର : ଉଁ ।

 

ଦୀପା : ସୁନ୍ଦର ! ମୋ ମୁଣ୍ଡ ଭାରି ହେଇ ଉଠୁଚି । ଆଖି ଆଗରେ ଅସଂଖ୍ୟ ଜୁଳୁଜୁଳିଆ ପୋକ ନାଚ କରୁଚନ୍ତି । ତମରି ଛାତିରେ ମୁଣ୍ଡ ରଖି ମୋ ଛାତି ଅଧିକ ଦୁଲୁକୁଚି ।

 

ସୁନ୍ଦର : ଦୀପା !

 

ଦୀପା : (ଭାରିସ୍ୱରରେ) ମୋ ରକ୍ତରେ କିଏ ଜଣେ ନାଆ ଠେଲିନେଉଚି । ମୋର ଶିରାପ୍ରଶିରାରେ କିଏ ଚକ୍‌କର ମାରୁଚି, ବୁଲୁଚି । କାଶୀ ବଇଦର ପୁଡ଼ିଆରେ ପିଇସୀର କଷ୍ଟ ଦୂର ହେଇଗଲା । ଏମିତି କିଛି ଓଷଦ ନାଇଁ, ଯାହାଦ୍ୱାରା ନଈର ପ୍ରବାହ ବନ୍ଦ ହେଇଯାଆନ୍ତା; ଆଉ ତୋଫାନ ବିଦା ହେଇଯାଆନ୍ତା ! ଏମିତି କିଛି ଓଷଦ ନାଇଁ, ଯା’ଦ୍ୱାରା ମୋ ମନରେ ଦେଖାଦେଇଥିବା ତୋଫାନ ଦବିଯାଆନ୍ତା ।

 

ସୁନ୍ଦର : ସେଇ ତୋଫାନର ପ୍ରତୀକ୍ଷାରେ ତ ମୁଁ ଖରା-ବର୍ଷାକୁ ଏକ୍‌ କରିଦେଇଚି ।

 

ଦୀପା : ଏଇ ତୋଫାନ ମୋର ଚାରିବର୍ଷର ଜୀବନ-ଭୂମିକୁ ପାଣିରେ ଡୁବେଇ ଦେଇଚି-

 

ସୁନ୍ଦର : ସେଇ ରାତି ଆଉ ଏ ରାତି ଭିତରେ କୌଣସି ତଫାତ୍‌ ନାହିଁ । ସମୟ ଗୋଟାଏ ଛୋଟିଆ ବୃତ୍ତରେ ମିଶିଯାଇଚି । ଯେମିତି ସେ ରାତିଟା ଲମ୍ୱା ହେଇ ଏ ରାତିର ମଥା ଉପରେ ଆସି ବସିଯାଇଛି । .....ତମର ଅସ୍ଥିର ଭାଷା ମୋର ନିଷ୍ଠୁର ସ୍ୱପ୍ନକୁ ଦ୍ରବୀଭୂତ କରିଦେଇଛି-। ତମର ଉଷ୍ଣ ସ୍ପର୍ଶରେ, ତମର ସ୍ପନ୍ଦନଭରା ଛାତିରେ.....

 

(ନେପଥ୍ୟରେ ନଈ ଲହଡ଼ିର ପ୍ରତିଧ୍ୱନି ଭଳି ହସ ଭାସିଆସିଲା । କ୍ରମଶଃ ସ୍ପଷ୍ଟ ଶୁଣାଗଲା । ଦୀପା ଚମକି ପଡ଼ିଲା ।)

 

ସୁନ୍ଦର : କିଏ ? ଦୀପୁ, ତମେ ଭୟଭୀତ କାହିଁକି ହେଉଛ ? କିଏ ସେ ?

 

ଦୀପା : ସୁରଜିତ୍‌ ! ଅନ୍ଧାରରେ ବିଜୁଳି ଯେତେବେଳେ ଚମକି ଉଠିଲା, ମୁଁ ଦେଖିଲି ଘାଟ ପାଖରୁ ସେ ଚାଲି ଚାଲି ଆମରି ଆଡ଼କୁ ମାଡ଼ିଆସୁଚି ।

 

ସୁନ୍ଦର : ସେମିତି ତମର ଏଇଟା ଭ୍ରମ ହୋଇପାରେ ।

 

(ହସ ପୁଣି ଶୁଣାଗଲା ।)

 

ଦୀପା : ନା, ଇଏ ନିଶ୍ଚୟ ସୁରଜିତ୍‌ । ତମରି ପିଠିପଟେ ସୁରଜିତ୍‌ ଠିଆ ହେଇଚି । ସୁରଜିତ୍‌ !

 

(କାଦୁଅ-ସରପଟ ହୋଇ ସୁରଜିତ୍‌ ଭିତରକୁ ଆସିଲା ।)

 

ସୁରଜିତ୍‌ : ହଁ, ମୁଁ–ସୁରଜିତ୍‌ । କ’ଣ ହେଲା ? ମତେ ଦେଖି ବିବ୍ରତ ହେଇଗଲୁ କାହିଁକି-?

 

ଦୀପା : ସୁରଜିତ୍‌ !

 

ସୁରଜିତ୍‌ : ମତେ ଜଣାଥିଲା, ମୁଁ ଯାହା ଦେଖିଯାଇଥିଲି ତାହା ଠିକ୍‌ ।

 

ଦୀପା : ନା ସୁରଜିତ୍‌, ନା । (ମିନତି ହେଇ) ନା ।

 

ସୁରଜିତ୍‍ : ମୁଁ ଏଠୁ ଚାଲିଗଲି ନଈର ଆରପଟକୁ । ମୋର ପଗଡ଼ି, ଜୋତା, ଲୁଙ୍ଗି ଆଉ ଅନ୍ୟ ଲୁଗାକୁ ନଈ ରଖିନେଲା–ଲହରୀ ଟାଣିନେଲା । ମୁଁ ସମସ୍ତଙ୍କ ଆଖି ଅନ୍ତରାଳରେ ଆରପାରିକୁ ଚାଲିଗଲି । ସମସ୍ତ ଔଦ୍ଧତ୍ୟ, ଖିଆଲକୁ ଛାଡ଼ି.....କିନ୍ତୁ ମୁଁ କ’ଣ କରନ୍ତି ? ଚାରି ବର୍ଷ ପର୍ଯ୍ୟନ୍ତ ତମରି ଶେଷ ଚିତ୍କାର ତମରି ଲୁହଭରା ସ୍ୱର ମୋ କାନ ପାଖରେ ପ୍ରତିଧ୍ୱନି ତୋଳିଲା.....

 

ଦୀପା : (କାନ୍ଦି ଉଚ୍ଛନ୍ନ ହୋଇଉଠି) ମୁଁ.....

 

ସୁରଜିତ୍‌ : ତମରି ଆକୁଳତା ମୋ ମନରେ ଶାମୁକା ଭଳି ପହଁରିବାକୁ ଲାଗିଲା । ମୁଁ ଭାବିଲି, ବୋଧହୁଏ ତମେ ଠିକ୍‌ କହୁଥିଲ–ମୁଁ ଭୁଲ୍‍ ଭାବିଥିଲି । ତମେ ସତ, ମୁଁ ମିଛ । ହଁ–ହଁ–ହଁ, ମୁଁ ଚାରି ବରଷ ଧରି ଫେରିଲି ନାହିଁ । ମୁଁ ମୋ ଭାଗ୍ୟର ନିଷ୍ପତ୍ତିକୁ ଭୟକରୁଥିଲି । ମୁଁ ମନରେ ଆଶା ପୋଷଣ କରିଥିଲି, ଗୋଟାଏ ଛୋଟ ସ୍ପୁଲିଙ୍ଗକୁ ଉଷ୍ମ ରଖିବି । ମୁଁ ଆଗରୁ ଆସିଥିଲେ ଏ ଆଶା ମରିଯାଇସାରନ୍ତାଣି । ତମରି ଶେଷ ନିବେଦନ ମୋ ମନରୁ ପୋଛି ହେଉ ନ ଥିଲା । ମୁଁ ଯେତେ ଦୂରକୁ ଯାଉଥିଲି, ସେତିକି ବିସ୍ତାରିତ ହେଇଯାଉଥାଏ ତମର ଅନୁନୟଭରା ଚିତ୍କାର । ଚାରି ବରଷ କାଳ ଯେଉଁଠି ମୁଁ କାମ କରିଚି, ସେଠି ତମରି ସ୍ୱର, ତମରି ହସ, ତମରି ପରଶ କାମ ମଝିରେ ଆସି ଠିଆହେଉଥିଲା । କ୍ଷେତର ପାଣିରେ ତମରି ପ୍ରତିଛବି ମତେ ଦେଖାଯାଉଥିଲା । ବଳଦ ଅଡ଼େଇବା ବେଳର ଘଣ୍ଟି ଶବ୍ଦ ସହ ତମ ହସର ଧ୍ୱନି ଶୁଭିଯାଉଥିଲା.....କିନ୍ତୁ ହେ ଭଗବାନ-! ମୁଁ ଫେରିଲି କାହିଁକି ?

 

ଦୀପା : (ସେଇଭଳି ବିକଳଭରା ସ୍ୱରରେ) ମୋ କଥା ଟିକେ ଶୁଣ ! ମୋ କଥା ଶୁଣ–ମୋ କଥା । ତମେ ଯାହା ଦେଖୁଛ, ମିଛ । ଡାହା ମିଛ ! ତମେ ମୋ ଉପରେ ଭରସା କର ।

 

ସୁରଜିତ୍‌ : ତମ ଉପରେ ଭରସା କରିବି ? –ଆଉ ନିଜ ଆଖିକୁ ନୁହେଁ ? ନିଜ ମନରେ ପ୍ରସାରିତ ଓ ସଂକୁଚିତ ହେଉଥିବା ଭାବନା ଉପରେ ନୁହେଁ ? ଆଉ ସୁନ୍ଦର ଉପରେ ନୁହେଁ ?

 

ଦୀପା : ସୁନ୍ଦର ତ ପିଇସୀଙ୍କ ପାଇଁ ଓଷଦ ଧରି ଆସିଥିଲା । ଓଷଦ ଦେଇ ଏବେ ଯାଉଥିଲା । ମୁଁ ତାଟି ବନ୍ଦ କରିବାକୁ ଆସି ତା’ ସାଙ୍ଗରେ କଥାବାର୍ତ୍ତାରେ ଲାଗିପଡ଼ିଲି । ଚାରି ବରଷ ପରେ ଏଇ ପ୍ରଥମ ଥର.....

 

ସୁରଜିତ୍‌ : ହାଃ ହାଃ.....ହାଃ..... !!

 

ଦୀପା : ଏଥିରେ ସୁନ୍ଦରର କିଛି ଦୋଷ ନାହିଁ । ଲାଜୋ ତାକୁ ଡାକିଥିଲା । ବାସ୍‌, ସେ ଓଷଦ ଆଣିବାକୁ ଯାଇଥିଲା, ଆଉ.....

 

ସୁରଜିତ୍‌ : ହାଃ–ହାଃ–ହାଃ ! ସୁନ୍ଦର ! –ଯିଏ ମୋର ପିଲାଦିନର ସାଙ୍ଗ ଥିଲା, ମୋ ସାଙ୍ଗରେ ଯିଏ ଡଙ୍ଗା ଠେଲୁଥିଲା, ଯିଏ ମୋ ଡଙ୍ଗାର ଜଗୁଆଳ ଥିଲା, ଯିଏ ମୋ ଡଙ୍ଗାକୁ ପ୍ରତ୍ୟେକ ଝଡ଼ରୁ ରକ୍ଷା କରୁଥିଲା; ଯିଏ ମୋର ବନ୍ଧୁ ଥିଲା–ସେ ମୋ ବାଦ୍‌.....

 

ସୁନ୍ଦର : କିନ୍ତୁ ମୁଁ.....

 

ସୁରଜିତ୍‌ : (ବାଧାଦେଇ) ତୁ କିଛି କହନା ସୁନ୍ଦର ! ତୋର କିଛି କହିବା ଦରକାର ନାହିଁ-। ତୁ ମୋ ଆଗରେ କେବେ ମୁଣ୍ଡ ଟେକି ନ ଥିଲୁ; ଆଉ ଆଜି ମଧ୍ୟ ଉଠାନା ।

 

ଦୀପା : (ଆଖିରେ ଲୁହଭରି) ମୁଁ ଏଇ ମୁହୂର୍ତ୍ତକୁ ଭୟ କରୁଥିଲି–ଯେପରି ଏଇ ଅନାଗତ ଝଡ଼ ଆଉ ସ୍ରୋତ ପଛରେ, ମତେ ଧରିବା ପାଇଁ ଏକ ଅଜଣା ଭଟ୍ଟା ଆସି ଠିଆ ହୋଇଥିଲା ।

 

ସୁରଜିତ୍‌ : ମୁଁ ଚାରିବର୍ଷକାଳ ତମରି ମଥାର ସିନ୍ଦୂରକୁ ଛାତିରେ ଲଗାଇ ଦେଖୁଥିଲି । ଶେଷଥର ତମର ଲାଜେଇଯାଇଥିବା ମୁହଁରେ ସୁନ୍ଦରର ପ୍ରେମ-ଚିତ୍ର ଝଲକୁଥିଲା; ଲକ୍ଷେ ଥର ଲିଭେଇଲେ ବି ଲିଭୁ ନ ଥିଲା । ତାକୁ ଲିଭେଇବା ପାଇଁ ମୁଁ ଫେରିଆସିଚି ।

 

ଦୀପା : (ଅନୁନୟ କରି) ରୁହ, ଟିକେ ଅଟକି ଯା । ମୋ କଥା ଶୁଣ । ତମକୁ ମୋ କଥା ଶୁଣିବାକୁ ପଡ଼ିବ । ତମେ ଯାହା କହିଯାଉଚ, ସବୁ ମିଛ, ଖାଣ୍ଟି ମିଛ । –ତମକୁ ମୋ’ରି ପ୍ରତୀକ୍ଷାର ରାଣ–ତମରି ସ୍ମୃତି ରାଣ ।

 

(ସୁରଜିତ୍‌ ଯିବାକୁ ଲାଗିଲା । ଦୀପା ତା’ର ହାତ ଧରିପକାଇଲା ।)

 

ଦୀପା : (ଅବଶ ସ୍ୱରରେ) ପୁଣି ତମେ କୁଆଡ଼େ ଚାଲିଲ ? ହେ ଭଗବାନ ।

 

ସୁରଜିତ୍‌ : ମୋ ହାତ ଛାଡ଼ିଦିଅ । ଯା–ଫେରି ଯା ତମେ ।

 

ଦୀପା : (ଅଶ୍ରୁଭରା କଣ୍ଠରେ) ଜୀବନର ଅନ୍ଧକାର ରାତିରେ ମୁଁ ତମକୁ ପ୍ରତୀକ୍ଷା କରିଛି-। ଆଖିର ପିଛଡ଼ା ନ ପକେଇ ତମରି ରାସ୍ତାକୁ ଚାହିଁ ରହିଛି । ଏ ସାରା ଘାଟକୂଳକୁ ମୁଁ ନିଜ ପାଦରେ ମାପି ସାରିଛି । ଯେତେବେଳେ ମୋ ଆଖିପତା ଲାଗିଯାଏ, ତମେ ସେତିକିବେଳେ ଆସିଯାଅ–

 

ସୁରଜିତ୍‌ : ମତେ ଯିବାକୁ ଦିଅ ।

 

ଦୀପା : କୁଆଡ଼ୋ ଯାଉଛ ? କେଉଁଠିକି ?

 

ସୁରଜିତ୍‌ : ଯେଉଁଠି ମୋର ସ୍ୱପ୍ନ ଆତ୍ମହତ୍ୟା କରିଚି । ସାରା ଘାଟକୂଳ ନଈର ଫେଣରେ ଏକାକାର ହେଇଯାଇଚି । ମୁଁ ଆଉ କେବେ ଆସିବି ନାହିଁ ।

 

ଦୀପା : ମୁଁ ଏଇ କୁଡ଼ିଆରେ ତମରି ଛୋଟ ପିଲାକୁ ଜଗି ରହିଛି–ତମ ସ୍ମୃତିକୁ ମଧ୍ୟ ସାଇତି ରଖିଛି । ତମେ ଯାଅନା ।

 

(ସୁରଜିତ୍‌ ହାତ ଛଡ଼େଇ ଦେଇ ଚାଲିଗଲା । ଲହଡ଼ିର ଚିତ୍କାର ଆଉ ପବନର ସାଇଁ ସାଇଁ ଶବ୍ଦ ଶୁଣାଗଲା ।)

 

ସୁନ୍ଦର : ସେ ଫେରି ଚାଲିଗଲା । ସେ ଚାଲିଗଲା ପୁଣି !

 

ଦୀପା : (କ୍ରୋଧରେ କାନ୍ଦି କାନ୍ଦି) ହଁ । ତମେ ମଧ୍ୟ ଯାଅ ! ଚାଲିଯାଅ !!

 

ସୁନ୍ଦର : ଦୀପା ! ମୋ କଥା ଶୁଣ ଦୀପା !

 

ଦୀପା : ଚାଲିଯାଅ ।

 

ସୁନ୍ଦର : ଦୀପା ! ତମେ ମୁହଁ କାହିଁକି ବୁଲେଇ ନେଲ ଦୀପା ?

 

ଦୀପା : ଯା, ଚାଲିଯା । ଏବେ, ଏଇ ମୁହୂର୍ତ୍ତରେ ! ମତେ ତାଟି ବନ୍ଦ କରିବାକୁ ହେବ । (ଚିତ୍କାର କରି) ଯା.....ଚାଲିଯା !

 

(ସୁନ୍ଦରର ପ୍ରସ୍ଥାନ । ଦୀପା ଝରକା ବନ୍ଦ କଲା ଏବଂ ଝରକାକୁ ପିଠି ଲଗାଇ କୋହ ଚାପି କାନ୍ଦିଉଠିଥିଲା ।)

☆☆☆

 

 

 

 

 

 

 

 

 

 

 

ଉପର ମହଲା

 

–କର୍ତ୍ତାର ସିଂହ ଦୁଗ୍‌ଗଲ

 

ପାତ୍ର

 

ଜଣେ ଲୋକ

ସ୍ଥାନ

ଗୋଟିଏ ଉପର ମହଲା କୋଠରିର ଝରକା

 

[କୌଣସି ଶିଳ୍ପନଗରୀର ସିଭିଲ ଲାଇନରେ ଥିବା କୋଠାର ଉପର ତାଲାର କୋଠରି-। କୋଠରିଟିର ଖୋଲା ଝରକା ପାଖରେ ଜଣେ ପ୍ରୌଢ଼ ଠିଆହୋଇଛନ୍ତି । ଝରକା ଦେଇ ରାସ୍ତା ଦେଖାଯାଉଛି; କୋଠା ଆଗର ଗେଟ୍‌ ଦେଖାଯାଉଛି; ପାଖ କୋଠାର ଅଗଣା ଓ ବାରଣ୍ଡା କିଞ୍ଚିତ୍‌ ଦେଖାଯାଉଛି । ଦୂରରୁ ସହରୀ ରେଳଷ୍ଟେସନରୁ ଟ୍ରେନ୍‌ ଯିବା-ଆସିବାର ଶବ୍ଦ ଶୁଭୁଛି ।

 

ଝରକା ପାଖରେ ଠିଆହୋଇଥିବା ପ୍ରୌଢ଼ ଜଣକ ମନଖୋଲା ହସୁଛନ୍ତି । କିଛି କଥା ଅଛି; ଯୋଉଥି ପାଇଁ ସେ ହୁଏତ ସେମିତି ହସୁଛନ୍ତି–ତାହାହିଁ ହୁଏତ ଠିକ୍‌ ଏଇମାତ୍ର ଚାକର କହିଯାଇଛି ।

 

ପରଦା ଉଠିଲାବେଳେ କେବଳ ମାତ୍ର ଚାକରର ପିଠି ଦେଖାଗଲା । ପର୍ଦ୍ଦା ପୂରା ଉଠିଲା ବେଳକୁ ସେ ଲୁଚିଗଲା ।

 

ପ୍ରୌଢ଼ ଜଣକ ସେମିତି ହସୁଥାଏ, ଏପରି ଏକ ହସ ଯାହା ଧୀରେ ଧୀରେ ବିଦ୍ରୂପରୁ ଘୃଣାରେ ରୂପାନ୍ତରିତ ହୋଇ ଶେଷରେ ଯେମିତି ନିରାଟ ବିଷ ଭଳି ରହିଯାଇଛି ।]

 

ଲୋକଟି–

 

(ସେହିପରି ବିଷମୟ ହସ ହସୁଁ ହସୁଁ)

ସାହେବାଣୀ ଷ୍ଟେସନକୁ ଯାଇଛନ୍ତି,

ତାଙ୍କର ପ୍ରଣୟୀକୁ ବିଦାୟ ଦେବାକୁ (ଏବେ ବି ହସୁଛନ୍ତି)

ଆପଣାର ଆବେଗର ଆହୁତି ଦେବାକୁ ! (ହଠାତ୍‌ ହସ ରୋକି)

ସାହେବାଣୀ ଷ୍ଟେସନକୁ ଯାଇଛନ୍ତି

ଆପଣା ହାତର ଉଷ୍ମତାରେ ଶେଷଥର ଲାଗି

ଏକ ପରପୁରୁଷର ଆଙ୍ଗୁଠିଗୁଡ଼ିକକୁ ଆଉଁଶି ଦେବାକୁ !

ସାହେବାଣୀ ଷ୍ଟେସନ ଯାଇଛନ୍ତି

ଅନ୍ତିମ ବାର ଆପଣାର

ମଦୋନ୍ମତ୍ତ ଆଖିରେ

କେଉଁ ପରପୁରୁଷର ପକ୍ଷ୍ମତଳେ

ସ୍ୱପ୍ନ ଜାଗ୍ରତ କରିବାକୁ !

 

ସାହେବାଣୀ ଷ୍ଟେସନ ଯାଇଛନ୍ତି,

ଶେଷଥର ଲାଗି ଏ ପତ୍ନୀର ଓଠକୁ

କେଉଁ ପରପୁରୁଷର ସ୍ପର୍ଶରେ ଅପବିତ୍ର କରିବା ଲାଗି ।

ଯେମିତି କେହି ଶାଖାରେ ନୀଡ଼ ନିର୍ମାଣ କରେ,

ଆଉ ମୂଳରୁ ଛିଡ଼ିଯାଏ ଡାଳ;

ଯେପରି ଅନ୍ଧକାର ଆପେ ଆପଣାଛାଏଁ ହୃଦୟର କାଳିମାରେ

ଗଭୀର ହୋଇଯାଏ,

ଫୁଟି ଉଠେ;

ଯେପରି କେହି ପଥଭ୍ରାନ୍ତ,

ଅକସ୍ମାତ୍‌ କୌଣସି ବନ୍ଦ ଗଳିର ପ୍ରାନ୍ତରେ ପହଞ୍ଚି ଅଟକିଯାଏ ।

 

ଲୋକଟି–

 

(ସେହିପରି କ୍ରୋଧରେ ଦାନ୍ତ ଚୋବେଇ)

ସାହେବାଣୀ ଷ୍ଟେସନ ଯାଇଛନ୍ତି–

କାହିଁକି ନା ଆଜି ତାଙ୍କର ‘ପାଇକୀ ମିଣିପ’

ଦୂର–ଅନେକ ଦୂର, ଯେଉଁଠି ଅବିରତ ଗୁଳି ବର୍ଷାହୁଏ;

ଯେଉଁଠି ବାଦଲ ବମରେ କାଟିହୋଇ ଦିଶେ

ଆଉ ରକ୍ତର ସୁଅ ଛୁଟେ,

ଯେଉଁଠାରେ ମୃତ୍ୟୁର ଫୁତ୍କାର

ଅଫିସର ଆଉ ସାଧାରଣ ସିପାହି ଭିତରେ

ଫରକ୍‌ ଦେଖେ ନାଇଁ

ଯେଉଁଠି ପ୍ରଳୟ ଲୋଟିଯାଏ

ସେଇମାନଙ୍କ ଲାଗି, ଯେଉଁମାନଙ୍କ ପାଇଁ

କେହି ନାହିଁ କାନ୍ଦିବାକୁ ।

 

ଆଉ ସେମାନଙ୍କ ପାଇଁ

ଯେଉଁମାନଙ୍କ ଲାଗି ପଡ଼ୋଶୀମାନଙ୍କର ପତ୍ନୀମାନେ

ନିଜର ସ୍ୱାମୀ ଓ ପିଲାପିଲିଙ୍କୁ ଛାଡ଼ି

ଏଇମାନଙ୍କର ବାଟ ଚାହିଁ ବସି ରହିଥାନ୍ତି

 

ଲୋକଟି–

 

(ହଠାତ୍‌ ରୁଦ୍ଧ କଣ୍ଠରେ)

କେବେ ହେଲାଣି ଏମିତି ?

କାଳାବଧି ହୋଇଅଛି କେବେ

ଯେ, କେହି ପଇଁତିରିଶ ବର୍ଷର ପତ୍ନୀ

ଆଉଥରେ ପ୍ରେମ କରି ବସିବ ?

କେବେ ହେଲାଣି ଏମିତି ?

କେହି ତିନିତିନୋଟି ସନ୍ତାନର ମାତା

କେଉଁ ପରପୁରୁଷ ଲାଗି ପାଗଳ ହୋଇ ଯାଇଛି–

କେହି ଶୁଣିଛ କେବେ

ଯେ ପନ୍ଦର ବର୍ଷଧରି ଗୋଟିଏ ଛାତ ତଳେ ରହି

ଜଣେ ଖୁଣ୍ଟ ଓପାଡ଼ି ପଳେଇଯିବା ।

 

ଲୋକଟି–

 

(ଆଖିରେ ଲୁହ ଭରି)

ରାଜୀ !

ତମେ ମୋତେ ସେତେବେଳେ ଛାଡ଼ିଲନି

ଯେତେବେଳେ ଆମ ପାଖରେ ଖାଲି ବେଳକର ରହୁଥିଲା ଖାଇବାକୁ

ଆଉ ଗପରେ-ଗପରେ ଆର ବେଳଟି ତମେ ବିତାଇ ଦେଉଥିଲ

ଯେତେବେଳେ ତମର ଭୋକ-ଉପାସୀ ଛାତିରେ ଦୁଧ ଭରୁନଥିଲା

ଆଉ ଖାଲି ନାନାବାୟା ଗୀତ ଗାଇ

ପିଲାକୁ ଭୁଲାଉଥିଲ ତମେ !

ନାନାବାୟା ଗୀତରେ, ତମେ ପିଲାର ବାପ ରଜାଟିର

ଗୁଣ ଗାଇ ଗାଇ ଥକୁ ନଥିଲ ବି ।

ଆଉ ତମ ଆଖିରୁ ରହି ରହି ବହିଆସୁଥିବା ଲୁହଧାରକୁ

ହସି-ହସି ଲୁଚାଇ ନେଉଥିଲ

ଏବଂ ବାରମ୍ୱାର ଆପଣା ଓଠରେ

ସ୍ମିତ ରେଖା ଖେଳାଇ ନେଉଥିଲ ।

ମୋ କପାଳରେ ଚିନ୍ତାହେତୁ ଭ୍ରୂକୁଞ୍ଚିତ ରେଖା ଦେଖି

ତମେ ସହି ପାରୁନଥିଲ

ରାଜୀ !

ତମେ ସେତେବେଳେ ବି ଛାଡ଼ିଯାଇନ ମୋତେ

ଯେତେବେଳେ ମୁଁ ବିଛଣାରେ ଗଡ଼ିପଡ଼ି

କାଠ ପାଲଟି ଯାଇଥିଲି,

ଡାକ୍ତର ତମକୁ କିଛି କହନ୍ତି,

ମୋତେ କିଛି କହନ୍ତି,

ସେତେବେଳେ କେହି ମୋ ପାଖକୁ ବି ଆସୁନଥିଲେ

ମୁଁ ମଇଳା କରିଥିବା ଚାଦର

ଯେତେ ଧୋଇଲେ ବି ତମେ ଥକୁ ନଥିଲ

ମୋର ଓଦା କପଡ଼ା

ବଦଳାଇ ଦେଲାବେଳେ ଟିକିଏ ବି ଗ୍ଳାନି ଆସୁନଥିଲା ତମର,

ମୋର ଶୁଖିଲା ଓଠକୁ ତମେ ଆଦରରେ ଚୁମିନେଲାବେଳେ,

ମୋର ଅସ୍ଥି-ପଞ୍ଜର-ସାରା ଦେହକୁ ଆଉଁଶି ଦେଲାବେଳେ,

କାଠି ପରି ମୋର ଶୁଖିଲା ବାହୁକୁ

ବାରମ୍ୱାର ଉଠେଇ ଆଖିରେ ଛୁଇଁନେଲାବେଳେ ।

ରାତି ରାତି ଉଜାଗର ରହି ବି ତମେ ମୋର ସେବା କରିଛ ।

ଈଶ୍ୱରଙ୍କ ପାଖରେ ପ୍ରାର୍ଥନା କରି କରି ମୋର ସ୍ୱାସ୍ଥ୍ୟ ମାଗିଛ ।

ରାଜୀ !

ତମେ ସେତେବେଳେ ବି ମୋତେ ଛାଡ଼ିଲନି

ଯେତେବେଳେ ମୁଁ ରାତିଅଧରେ ଘରକୁ ଫେରୁଥିଲି–

ଯେତେବେଳେ ମୋର ସର୍ବାଙ୍ଗରୁ ଦୁର୍ଗନ୍ଧ ଉଠୁଥିଲା–

ସେଇ ଗନ୍ଧ ଯାହା ଏକ ମଣିଷ ଦେହରୁ ଉଠେ,

ଯେତେବେଳେ ସେ ଆପଣା ପତ୍ନୀର

ଅଧିକାରକୁ ହତ୍ୟାକରି ଘରକୁ ଫେରେ ।

ସେତେବେଳେ ମୋ ଓଠରୁ ଲିଭି ବି ନଥାଏ

କେଉଁ ପରସ୍ତ୍ରୀର ଚୁମାଦାଗ ।

ଯେତେବେଳେ ମୋ ଆଖିରେ

ଉଚ୍ଛଳତା ଥାଏ, ପ୍ରତାରଣା ଆଉ

ମାୟା ଥାଏ.....ମିଛ ଥାଏ,

ଆଉ ତମେ ଝରକା ପାଖରେ ଠିଆ ହୋଇ ରହି

ମୋର ବାଟ ଚାହିଁଥାଅ, ଫେରିବା ବାଟ ଚାହିଁ ବସିଥାଅ

ମଦନିଶାରେ ଟଳମଳ ମୋର ପାଦ

ମୋତେ ସାହା ଦେଇ ଉଟାରି ଆଣୁଥିଲ ଟ୍ୟାକ୍‌ସିରୁ ।

(ଆଖିରୁ ବୁନ୍ଦା ବୁନ୍ଦା ଲୁହ ଝରିବା)

 

ଲୋକଟି–

 

ଆଉ ବର୍ତ୍ତମାନ, ଯେତେବେଳେ ମୁଁ ବହୁ କୋଠାର ମାଲିକ

ତିନି-ତିନୋଟି ସନ୍ତାନର ପିତା

ଆଉ ମୁଁ ଯେତେବେଳେ ପିଆଜ ଚୋପା ପର୍ଯ୍ୟନ୍ତ ଛୁଉନି–

ତମେ ମୋତେ ଛାଡ଼ିଗଲ !

ମୁଁ ଏଇନେ ମଦ ଖାଉନି,

ଯେମିତି ତା’ରି ନିଶାରେ

ଦୁଃଖ ଭୁଲିଯିବି ।

ଯେତେବେଳେ ମୁଁ କୌଣସି ପରସ୍ତ୍ରୀ ମୁହଁକୁ

ଆଖିଟେକି ଚାହୁଁ ନାଇଁ ବି

ଯେ ଭାବିବ ତମରି ଢଙ୍ଗରେ

ତମର ପ୍ରତିଶୋଧ ନେଉଛି ।

ଏଇନେ, ଯେତେବେଳେ ତମେ ଘରେ ରହୁନ,

ଆଉ ଫୁଲ-କୋମଳ ପିଲାଏ

ମୋ ପାଦର ବ୍ୟସ୍ତତାକୁ

ଥକିଲା ଥକିଲା ଆଖିରେ ଚାହିଁ ରହନ୍ତି ।

ତମେ ସେତେବେଳେ ଯାଇଛ

ଯେତେବେଳେ ଯାତ୍ରୀ ପାଖରେ ଚାଲିବାର ଶକ୍ତି ବି ରହେନି ।

ଯେତେବେଳେ ଥକାମାରି ବାଟୋଇ ବସିଯାଏ ।

ଯେତେବେଳେ ମନହୁଏ କା’ର ଗୀତଟିଏ ଶୁଣିବାକୁ

ଆଉ ପତା ଉପରେ ପତା ପଡ଼ି ଆପେ ମଉଳିଯାଏ ।

ତମେ ସେତେବେଳେ ଗଲ

ଯେତେବେଳେ ଅନେକ ସମୟରେ

ଲକ୍ଷ୍ୟସ୍ଥଳ ଆପେ ଚାଲି ନିଜେ ପହଞ୍ଚିଯାଏ

ବାଟୋଇ ପାଖରେ ।

ତମେ ଏଇନେ ଗଲ

ଯେତେବେଳେ ଝିଅ ଆମର

ଠିକ୍‌ ତମରି ପରି ଫୁଟିଉଠୁଛି

ପୂରାପୂରି ତମରି ପରି

ଠିକ୍‌ ତମପରି ହସୁଛି

ତମରି ପରି ଚାଲୁଛି ।

ତମେ ଏବେ ଗଲ,

ଯେତେବେଳେ ତାର ଲୋଡ଼ା ମାର୍ଗଦର୍ଶନ,

ରାସ୍ତାର, ଯା’ ଉପରେ ସେ ଚାଲିବ ।

ଏବେ ତମେ ଗଲ

ଯେତେବେଳେ ରାତିସାରା

ଚାଏଁ ଚାଏଁ ଆଖି ମୋର ଖୋଲିଯାଏ ।

ଯେତେବେଳେ ଏଇ ଘରର କାନ୍ଥ ବି

ତମର ବାଟ ଚାହିଁ ବସିଛି ।

ଯେତେବେଳେ ପ୍ରତି ଦିଥରରେ ଥରେ

ଟେଲିରଫୋନରେ ତମରି ନାଆଁରେ ଡାକରା ଶୁଭୁଛି,

ଯେତେବେଳେ କଢ଼ ଫୁଟୁଛି

କୌଣସି କୋମଳ ସ୍ପର୍ଶ ଲାଗି ।

ତୁମେ ଏବେ ଚାଲିଗଲ

ଯେତେବେଳେ ଫୁଲ ଫୁଟିଲାଣି ସେ ଗଛରେ

ଯାହା ତମେ ଆପଣା ହାତରେ ଲଗାଇଥିଲ ।

 

ଲୋକଟି–

 

(ନିଜକୁ ସମ୍ଭାଳି)

ଆଜି ଦେଢ଼ବର୍ଷହେଲା

ଏଇ କୋଠରିର ଝରକା ସେମିତି ବନ୍ଦ ଅଛି ।

ଏଇଠି ଏବେ ହସ ଶୁଭୁନାଇଁ ।

ସତ୍ୟ, ଧର୍ମ, ନ୍ୟାୟର

ଚର୍ଚ୍ଚା ନାଇଁ ଏଇଠି ।

ଆଜି ଦେଢ଼ ବର୍ଷହେଲା–

ମୋତେ ଏମିତି ଲାଗୁଛି ଯେମିତି ମୁଁ

କୌଣସି ପଠାରେ ଘୂରୁଛି ।

ବୃକ୍ଷ ଅଛି ଶୁଖିଲା

ରୌଦ୍ର ଅଛି ତାପହୀନ

ଶୀତଳ, ଶୀତଳ, ଶୀତଳତା ।

ଥଣ୍ଡାରେ ଜମିଯାଇଥିବା ଅଚଲା ରାସ୍ତାର ବରଫ

ଗୋରୁଖୁରାରେ ଦଳି ହୋଇଥିବା

ପୋଖରୀ ହୁଡ଼ାର କାଦୁଅର ଶୀତଳତା

ଭଙ୍ଗା ଚାଳଘର ଆଉ ତାଜା ବରଫ ।

ଫୁଲ ଯେମିତି ଗନ୍ଧହୀନ

ସ୍ପର୍ଶ ଯେପରି ପ୍ରାଣହୀନ, ଶକ୍ତିହୀନ

ସ୍ମିତ.....ମଳିନ, ନିରର୍ଥକ, ରସହୀନ ।

 

ଲୋକଟି–

 

(ଯେପରି ସ୍ମୃତି-ଲୀନ)

ବସନ୍ତ ଆସିଥିଲା–

ଯେତେବେଳେ ଗତ ବର୍ଷ

ସେଇ ମିଲିଟାରୀ କେପ୍ଟେନ୍‌

ଆମ ପଡ଼ୋଶୀ ହୋଇ ଆସି

ରହିଥିଲା ।

ଏଇ ଝରକା ପାଖରେ ଠିଆ ହୋଇ

ମୁଁ ଆଉ ମୋର ପିଲାଙ୍କର ମାଆ

ଅନେକ ବେଳ ଧରି ଦେଖିଥିଲୁ ।

ଝିପିଝିପି ବର୍ଷା ହେଉଥିଲା ।

କାଦୁଅ, କାଦୁଅ ଭରିଥିଲା ସବୁଠେଇଁ ।

ଜାହାଜ ଭଳି ଏକ ବଡ଼ ବସ୍‌

ପୂରାପୂରି ଲଦି ହୋଇ ଆସିଥିଲା ।

ଆଉ ମୋଟା ବଡ଼ ଜୋତାବାଲା ମିଲିଟାରୀ ଅର୍ଦଳି

ତା’ ଭିତରୁ ବଡ଼ ବଡ଼ ସିନ୍ଦୁକ ଓ ଟ୍ରଙ୍କ

ଚଞ୍ଚଳ ଚଞ୍ଚଳ ଉଠେଇ ବସିଲେ–

ଏମିତି, ଯେମିତି କେହି ଉଲ କିମ୍ୱା ରେଶମର

ଶେଯ ଧରି ନେଇଯାଉଛି ଭିତରକୁ ।

କଥା-କଥାକେ ଅର୍ଦଳି

କେପ୍ଟେନ୍‌ଙ୍କୁ ସଲାମ କରୁଥିଲେ

ଆଉ ନିହାତି ସହଜ ଭଙ୍ଗୀରେ

ମୁହଁରେ ସିଗାର୍‌ ଧରି ସେ ବାରଣ୍ଡାରେ ଟହଲ ମାରୁଥିଲେ ।

ପବନ ବଢ଼ିଗଲା, ଶୀତଳତର ହେଲା ।

ବାରମ୍ବାର ମୋର ପତ୍ନୀଙ୍କର ବାହୁ

ଥରିଉଠୁଥିଲା–

ଆପଣାର ଝୀନ ଉତ୍ତରୀୟ

ବାରମ୍ବାର ସେ ଟାଣିନେଉଥିଲେ

ଆଉ ତାହା ଖସିଯାଉଥିଲା ମୁଣ୍ଡରୁ ।

ମୁଁ ତା’ପରେ ଝରକା ବନ୍ଦ କରିଦେଲି ।

ମୁଁ ଝରକା ବନ୍ଦ କରିନେଲି

ଆଉା ମୋତେ ମୋର ବେଡ଼ରୁମ୍‌

ଏମିତି ମନେହେଲା–

ଯେମିତି ସିଗାର୍‌ର ହାଲୁକା ଗନ୍ଧ ଭରିଯାଇଛି ଆଚ୍ଛନ୍ନ କରିଛି ।

ସେଦିନ ସନ୍ଧ୍ୟାରେ ଡ୍ରେସିଂଟେବୁଲ୍‍ ସାମନାରେ ଠିଆହୋଇଥିବା

ତାକୁ, ମୁଁ ଯେତେବେଳେ ପଛରୁ ଆସି

ଧୀରେ ଧୀରେ ଚୁମିନେଲି,

ଅନୁଭବ କଲି

ସିଗାର୍‌ର ଗନ୍ଧ

ଯେମିତି ତା ଉପରେ ଜମିଯାଇଛି ।

ମୋର ମୁହଁ ସିଗାର୍‌ର ସ୍ୱାଦରେ

ଭରିଗଲା, ଭରିଗଲା ।

ସେଇଦିନ, ତା’ପର ଦିନ, ତା’ପରଦିନ ବି

ତା’ପର ପ୍ରତିଟି ଦିନ

ମୁଁ ସିଗାର୍‌ର ଭୂରୁଗନ୍ଧ ପାଉଥିଲି

ଚାଦରରେ, ତକିଆରେ, ବହିରେ

ପାଣିରେ ପ୍ଲେଟରେ

ତା’ର କେଶ, ତା’ର ସ୍ମିତହସରେ

ତା’ର ଚପଳ ଭାବଗୁଡ଼ିକରେ

ମୁଁ ପାଇଲି ସିଗାର୍‌ର ଭୂରୁଭୂରୁ ଗନ୍ଧ

ଆପଣାର ଫୁଲଦାନିରେ ଲାଗିଥିବା ଫୁଲରୁ ବି ।

ମୁଁ ଝରକା ବନ୍ଦକରି,

କବାଟ ଆଉଜି ଦେଇ ବସେ

ହେଲେ ସିଗାର୍‌ର ସେଇ ପାତଳ ଗନ୍ଧ

ଜବରଦସ୍ତି ଯେମିତି ପଶିଆସୁଥିଲା ମୋର କୋଠରିକୁ,

ମୋ ଘରକୁ

ଯେତେ ଧୂପକାଠି ଆଣି

ଜଳାଇଲେ ବି ମନେହେଉଥିଲା–

ନିଷ୍ଫଳ ବୃଥା, ନିରର୍ଥକ ।

ଆଉ, ଆଉଦିନେ ମୁଁ କା’ର ମୁହଁକୁ

ଅନେଇ ରହିଗଲି–

ସେ କହିଲା–

ସିଗାରେଟ ଖାଇବା କି କଥା–

କିଏ ଖାଇବ ଯଦି ସିଗାର୍‌ ଖାଉ ।

ଆଉ ମୁଁ ଧରିଥିବା ସିଗାରେଟ

କେଜାଣି କେତେବେଳେ

ହାତରୁ ଖସି ତଳେ ପଡ଼ିଗଲା ।

ଆମକୁ ସେତେବେଳେ ଜଣାଗଲା

ଯେତେବେଳେ ତଳେ ଗାଲିଚା ଜଳି ବସିଲା ।

ମୋର ତନୁ ମନରେ ନିଆଁ ଲାଗିଗଲା–

ସେ କହିଲା ବେଳେ, ବାରମ୍ବାର

ମୁଁ ଯଉତୁକ ଆଣିଥିବା ଗାଲିଚା

ପୋଡ଼ି ପାଉଁଶ ହୋଇଗଲା ।

ତା’ପରେ ତାକୁ, ପଡ଼ୋଶୀ ଘରେ

ଅଧରାତି ଯାଏଁ

ମଦଖାଇ ଲୋକଙ୍କ ହସିବାଟା

ଭଲ ଲାଗି ବସିଲା ।

ମଦୋନ୍ମତ୍ତ, ଟଳମଳ

ପ୍ରଗଳ୍‌ଭ ଲୋକମାନଙ୍କୁ ସେ ବି ଅଧରାତି ଯାଏଁ

ଝରକା ପାଖରେ ଠିଆ ହୋଇ ଅନେଇ ରହିଲା ।

ଆଉ ତା’ପରେ ସେ ଅଳସେଇ ଯାଉଥିଲା ଭଲି ରହିଲା–

ହଜିଲା ହଜେଇଲା ଭଳି ମନେ ହେଲା

ମନେ ହେଲା ଯେମିତି କିଛି ଅଡ଼ୁଆ ହୋଇ ଯାଇଛି

ବିରକ୍ତ, ବେଖାପ !

ତା’ ଆଖିରେ ଏକ ଆତଙ୍କ,

ଏକ ଶଙ୍କା, କିପରି ଏକ ଭୟ ଥିଲା

ଯେମିତି ଏକ ଗଭୀର ଖାଇ ଡେଇଁ

ପାରକରିଗଲା ବେଳେ ଥାଏ ।

ସେ ଝରକା ପାଖରେ ଠିଆ ହୁଏ ତ ଠିଆ ହୋଇ ରହିଥାଏ ।

ଶାଢ଼ି ବାହାର କରେ ପିନ୍ଧେ

ପୁଣି ଖୋଲି ରଖି ଦିଏ ।

ଅନେକ ବେଳ ଯାଏଁ ଦର୍ପଣ ସାମନାରେ ବସି

ଅପଲକ ଚାହିଁରହେ ।

ଆଉ ଦିନେ ରାତିରେ

ମୁଁ ଯେତେବେଳେ କ୍ଳାନ୍ତ, ଅବଶ ହୋଇ ଫେରିଲି

ଆମର ଶୋଇବା ଘରେ

ସେ ମଳିନ, ମୌନ, ତ୍ରସ୍ତ

ଚୋରପରି ଏକୁଟିଆ ଠିଆ ହୋଇଥିଲା

ଯେମିତି ପର କ୍ଷେତ୍ରରେ ଗାଈଟିଏ ଚରୁଥାଏ,

ଖେତ ମାଲିକକୁ ଅନଉଥାଏ–

ସେ ମୋତେ ଦେଖିଲା, ଆଉ ପଲଙ୍କ ଉପରେ ଢଳିଗଲା ।

ତା’ର ଲୁହ ଅବିରତ ବହିବାକୁ ଲାଗିଲା ।

କାନ୍ଦୁଥାଏ । କେବଳ କାନ୍ଦୁଥାଏ ସେ ।

ସେ କାନ୍ଦି କାନ୍ଦି ରୁଦ୍ଧଶ୍ୱାସ ହୋଇ ଉଠୁଥାଏ–

ମୁଁ ତାକୁ କ’ଣ ପଚାରିଥାନ୍ତି ?

ସେ ମୋତେ କ’ଣ କହନ୍ତା ବି ?

ବିବଶ, ଭାଷାହୀନ,

ମୁଁ ତା’ ପାଖରେ ବସିଗଲି ।

ମୁଁ କିଛି ଅଭିଯୋଗ କଲି ନାଇଁ

ମୁଁ କିଛି ଭଲମନ୍ଦ ଶୁଣେଇଲିନି ତାକୁ ।

ଆଖି ତା’ର ଯେମିତି ବାରମ୍ବାର କହୁଥିଲେ–

‘ତମେ ମୋତେ ତିରସ୍କାର କାହିଁକି କରୁନ,

ଗାଳି ଦେଉନ କାହିଁକି, କାହିଁକି ବିରକ୍ତ ହେଉନ ମୋ ଉପରେ ।’

ଆଉ ମୁଁ ଦେଖୁଥିଲି ନୀରବରେ

ଚୁପ୍‌ଚାପ୍‌, ସ୍ଥିର

ସେ ମାଛପରି ଛଟକୁଥିଲା

ସାରାରାତି ଚିତ୍କାର କରୁଥିଲା, ପ୍ରଳାପ କରୁଥିଲା–

ସାରାରାତି

ମୁଁ ଅସହାୟ ପରି ତାକୁ ଦେଖି ରହିଥିଲି ।

ସେଇରାତି ଓ ଆଜିର ଦିନ–

ମୁଁ ତା’ପରେ ଆଉ କେବେ ବି

ମୋ ଆଖିରେ ଆଖି ମିଳେଇ ତାକୁ ଦେଖିନାହିଁ–

ଗୋଟିଏ ଘରେ ରହି,

ଗୋଟିଏ ଛାତ ତଳେ ବସବାସ କରି

ଆମେ ଯେପରି ପରସ୍ପରଠୁ କୋଶ-କୋଶ ଦୂରରେ ଥିଲୁ ।

ଆଉ, ମୁଁ ତା’ପରେ କ’ଣ କ’ଣ ଦେଖିନାହିଁ ?

ମୋ ଭିତରେ ଥିବା ପତି

କ’ଣ ସହି ନାହିଁ ?

ମୋ ଭିତରର ମଣିଷଟି

କେମିତି ନିଜେ ନିଜର ହତ୍ୟାକଲା ନାହିଁ

ତା’ ନଖ ପାଲିସ୍‍ର

ରଙ୍ଗ ବଦଳିଗଲା ।

ତା’ ଓଠର ନାଲିମାର ଆଭା

ବଦଳିଗଲା ।

ସାରାଜୀବନ ଯତନରେ ସଜେଇ ବଢ଼େଇଥିବା

ବାଳ ସେ କଟେଇନେଲା ।

ସେଦିନ ଯେତେବେଳେ ମୁଁ

ପ୍ରଥମ କରି ତା’ର କଟାବାଳ ଦେଖିଲି

ସାରାରାତି ମୁଁ ଶୋଇ ପାରିଲି ନାହିଁ ।

ଜଣେ ଜରକର ବଗିଚା ଉଜାଡ଼ି ନେବ

ନେଇ ଯିବ, ଆଉ ସେ ଅଭିଯୋଗ ବି କରିବ ନାଇଁ ।

ଆଉ କୌଣସି ଲତାକୁ ମନେ ପକେଇ

କାନ୍ଦିବସିବ ।

ଶେଷରେ ମୁଁ ନିଜେ ନିଜକୁ ବୁଝେଇ ନେଲି ।

ଆଉ ଯେତେବେଳେ ବୁଝେଇଲି–

ସେତେବେଳେ କେତେ ଲୋକଙ୍କ ଲାଗି

ମୁଁ ମୋ ମନକୁ ବୁଝେଇନାଇଁ ?

କେତେବେଳେ ତକ୍ତପୋଷ ଉପରେ ବସି

ଯଦି ଛୁରିଟିଏ ମୋ ହାତରେ ଥାଏ

ତା’ହେଲେ ମୋର ଆଙ୍ଗୁଠି ଗୁଡ଼ିକ

ଶିହରି ଉଠୁଥିଲେ ।

ଆଉ ମୋର ଶିରାପ୍ରଶିରା ଉଷୁମ ହୋଇ ଉଠୁଥିଲେ;

କେତେବେଳେ ତ କେତେବେଳେ ଥଣ୍ଡା ।

ଓଠ ମୋର ଶୋଣିତାକ୍ତ ହୋଇ ରହିଯାଉଥିଲେ–

କେବେକେବେ ଅନ୍ଧକାର ରାତିରେ–

ମୁଁ ଏଣେତେଣେ ମୋର କୋଠରିରେ

ଏକାକୀ ପଦଚାରଣ କଲାବେଳେ–

ମୋର ହାତ ପ୍ୟାକେଟରେ ଥିବା

ସାତୋଟି ଗୁଳିବାଲା ରିଭଲ୍‌ଭରକୁ

ଆଉଁଶୁଥିଲା ।

ସ୍ୱପ୍ନରେ ଅନେକ ଥର

ମୁଁ ମୋର ହାତକୁ ରକ୍ତ ରଞ୍ଜିତ ଦେଖିଛି ।

ଅନେକ ଥର ମୁଁ ସ୍ତ୍ରୀର ଦୁର୍ବଳତା ସମ୍ବନ୍ଧରେ ବୟାନ ଦେଇଛି ।

ଅନେକବାର ମୁଁ ଫାଶୀକାଠରେ ଝୁଲିଯାଇଛି, ବାରମ୍ବାର ।

ବନ୍ଦ କୋଠରିର କାନ୍ଥରେ ମୁଣ୍ଡପିଟି

ଅନେକବାର ମୁଁ କାନ୍ଦିଛି ।

ଆଖି ବୁଲେଇ

ମୁଁ ନିଷ୍ଫଳ

ଖୋଜିବୁଲିଛି ଆକାଶର ଶୂନ୍ୟରେ ନ୍ୟାୟକୁ ।

ଉଚ୍ଚ ଶିଖରକୁ ଚଢ଼ି ମୁଁ ଅନେକବାର

ଭାବିଛି–ପାଦ ମୋର ଖସି ଯାଆନ୍ତା କି ?

ଅନେକଥର ମୁଁ କୂଅକୁ ଦେଖିଛି

ମୋର ମୁଣ୍ଡ ବୁଲେଇ ଦିଅନ୍ତା କି;

ସାଗରର ତରଙ୍ଗ ମୋତେ ବହୁବାର ଆଣି

ଫିଙ୍ଗିଦେଇଛି ତଟରେ ।

ହସି ହସି ମୋତେ କୂଳରେ ଫିଙ୍ଗି ସେ ତରଙ୍ଗ

ଫେରି ଯାଆନ୍ତି ।

ମୋର ପିଲାଏ

ଅନେକବାର ଆସି ମୋ ଛାତିରେ ଜଡ଼େଇଯାଇ

କେବଳମାତ୍ର ପିତାର ଉଷ୍ମତା ପାଇ

ବାରମ୍ବାରା ତାଙ୍କର ମାଆକୁ

ମୋରି ଆଖିରେ ଖୋଜନ୍ତି ।

ମୋର ଚାକରମାନେ ଧାଁ ଦଉଡ଼ କରି ମୋ କାମ କରନ୍ତି

ଆଉ ମୋତେ ତାଙ୍କର ପ୍ରତ୍ୟେକ ଘଟଣା

ମନେ ହୁଏ ଗୁଳି ପରି, ଯାହା ମୋ ଦେହରେ ବାଜେ ।

 

ପଡ଼ୋଶୀମାନେ କଥା ଛଳରେ

ମୋ ସ୍ତ୍ରୀ କଥା ପକେଇଲେ

ସେତେବେଳେ ବି ମୋତେ ଖରାପ ଲାଗୁଥିଲା–

କ୍ଲବରେ, ରାସ୍ତାରେ, ଅଫିସରେ–

ଲୋକେ କେଜାଣି କେତେ କଥା ହୁଅନ୍ତି !

ମୋତେ ତାଙ୍କର ପ୍ରତିଟି ଅଶୁଣା କଥା,

ଲକ୍ଷ ବାର ଶୁଣିଥିଲା ପରି ଲାଗେ ।

ଅନେକଥର ଲୋକଙ୍କୁ ଠକେ

ମୁଁ ନିଜେ ନିଜକୁ

ଠକି ବସେଁ ।

ମୋର ନିଜ ଭାବନା ପ୍ରତି ସନ୍ଦେହଜାଗେ–

ମନେହୁଏ ଯେମିତି ମୁଁ ଯାହା ଶୁଣୁଛି ତାହା ଭୁଲ୍‍

ହୁଏତ ତାହା ଠିକ୍‌

ମୁଁ ଯାହା ଶୁଣିବାକୁ ଚାହୁଁଛି ।

(ଦୂର ଷ୍ଟେସନରୁ ଇଞ୍ଜିନ୍‌ ହୁଇସିଲର ସ୍ୱର । ଗୋଟିଏ ପରେ ଆଉ ସ୍ୱର)

 

ଲୋକଟି–

 

ଷ୍ଟେସନରେ ଇଞ୍ଜିନ୍‌

ହୁଇସିଲ ମାରୁଛି

ଯିବି ଯିବି ହେଉଛି ।

କୌଣସି ପ୍ରାର୍ଥନା ତାକୁ ଅଟକାଇ ପାରିବ ନାହିଁ–

କୌଣସି ଅନୁନୟ ତାକୁ ରୋକି ନେଇ ପାରିବ ନାଇଁ ।

ସଙ୍ଗ ଛିଡ଼ିଯାଉଛି, କୁସଙ୍ଗ ବି ତୁଟି ଯାଉଛି

ଇଏ ଟାଣି ନେବ

ତୁଟେଇ ଦେବ

ଆଉ କେତେ ଆଜି ଅଲଗା ହୋଇଯିବେ ।

(ଗାଡ଼ି ଚାଲିବାର ଶବ୍ଦ–ଲୋକଟି ହଠାତ୍‌ ହସି ଉଠେ । ହସୁଥାଏ ।)

 

ଲୋକଟି–

 

ଚାଲିଗଲା,

ଗାଡ଼ି ଚାଲିଗଲା ।

କହି କହି, ଚିତ୍କାର କରି

କା’ର ଆବେଗକୁ ଇଚ୍ଛାକୁ ଧୂଳିସାତ୍‌ କରି ।

ଗାଡ଼ି ଚାଲିଗଲା ।

ଦୂର, ଅନେକ ଦୂର

ଯୋଉଠୁ ବାର୍ତ୍ତା ଆସେ ଅସମ୍ପୂର୍ଣ୍ଣ

ଚିଠି ଆମେ ମିଛ ଭରା ।

ଯୋଉଠି ଛାତି ଯାଏଁ ଖୋଲି

ମଣିଷ ତଲାସି ନିଏ ।

ହୃଦୟର ପ୍ରତିଟି କୋଣର ରହସ୍ୟକୁ

ବାରମ୍ବାର ପଢ଼େ ଛାଣି ଦିଏ ।

ତା’ପରେ ଯାଇଁ ‘ପାସ’ କରେ ।

ଯେଉଁଠି ପ୍ରତିଟି ମଣିଷର ମୂଲ୍ୟ

ମାରି ପାରିବାର ନିକିତିରେ ତଉଲା ଯାଏ–

ଏକତ

ନହେଲେ ମରିବାର ନିକିତିରେ ।

ଆଉ ଯେତେବେଳେ ଯିଏ,

ଯୋଉଥିପାଇଁ ସମସ୍ତଙ୍କୁ ଛାଡ଼ିଲା

ଚାଲିଗଲା, ଅନେକ ଦୂର ।

ଏବେ ସିଏ କାନ୍ଦିବ ସାରାରାତି

ତାରା ଗଣିଗଣି

ଏବେ ସେ କୋହରେ ଫାଟି ପଡ଼ିବ

ଦରଫୁଟା କଳିକୁ ଦେଖି

ଯାହା ଛିଣ୍ଡେଇ ଆଣି କେହି ଜଣେ ତାକୁ

ଉପହାର ଦେଉଥିଲା, ବଢ଼େଇେ ଦେଉଥିଲା ।

ଏବେ ତାକୁ ଖାଁ-ଖାଁ ଲାଗିବ ତା’ର

ଶୂନ୍ୟ ପଡ଼ୋଶୀଘର–ଆଖପାଖ ।

ପଡ଼ୋଶୀଘର ଯାଇ ଅଗଣାରେ

ଚିରା କନା ବୁଣିହୋଇ ପଡ଼ିଛି–

ଚିରା କାଗଜ ଟୁକୁରା ଉଡ଼ୁଛି

କେତେବେଳେ ପବନ

ଝରକା ବନ୍ଦ କରିଦେଉଛି ତ

କେତେବେଳେ ଖୋଲି ଦେଉଛି ।

(ମୋଟର ଆସିଲା ପୁଣି, ବାହାରେ ଅଟକିଲା)

 

ଲୋକଟି–

 

ଆଜିତ କାର୍‌କୁ

ସେ ନିଜେ ଗେରେଜରେ ରଖିବାକୁ ଯାଉଛି ।

ଗାଡ଼ି ଗେରେଜ ବାହାରେ ରଖି

ସେ ତାଲା ଖୋଲୁଛି

ପୁଣି ବସିଲା ଗାଡ଼ିରେ ।

ଗେରେଜ ଭିତରକୁ ନେଇଗଲା ଗାଡ଼ିଟିକୁ ।

ଏଇନେ ଗେରେଜର ଭାରୀ ଦରଜା

ଆପଣାର ପୂରା ଶକ୍ତି ଲଗେଇ ବନ୍ଦ କରୁଛି ।

ଏଇନେ ଏ ପଟକୁ ଆସୁଛି ସେ

ଯେମିତି ଶୁଖି କାଠଟି ପରି ହୋଇଗଲାଣି–

ଯେମିତି ରକ୍ତର ବିନ୍ଦୁଏ ବି

ନାହିଁ ଦେହରେ ।

ଅସ୍ତବ୍ୟସ୍ତ ବାଳ,

ତ୍ରସ୍ତ ଆଖି ।

ଶୂନ୍ୟ କପାଳ

ହଳଦୀପରି ଗାଲ

ଶୁଖା ଓଠ

ଗଣିଗଣି ପାଦ ବଢ଼ଉଛି ଆଗକୁ

ଚିନ୍ତାଗ୍ରସ୍ତ

ଶୋକାତୁର

ଥରିଲା ବାହୁ

ଇଏତ ଆଉ ବଞ୍ଚିବ ନାଇଁ ।

(ନିହାତି ବିବ୍ରତ ହୋଇ)

ଓଃ ପଡ଼ିଗଲା ?

ବଞ୍ଚିଗଲା ।

ପଥର ଝୁଣ୍ଟି

କେମିତି ପୂରା ଶଙ୍କି ଯାଇଥିଲା–

ବଞ୍ଚିବା ମୁସ୍କିଲ ତା’ର

ବଞ୍ଚିବ ନାଇଁ ବି ।

ମୋର ପିଲାଙ୍କର ମା’ ମରିଯିବ ।

ମରିଯିବ ?

ରାଜୀ ମରିଯିବ ?

ସେ ସତେ ବିରହର ଆଘାତରେ ମରିଯିବ !

ରାଜୀ, ତୁ ଭଲ ପାଇଛୁ–

ତାହେଲେ ସର୍ବସ୍ୱ ସପର୍ପିଦେଲୁ କାହିଁକି ?

ପ୍ରଣୟୀ ତୋ’ର ଚାଲିଗଲା ।

ଏତେ ଭଲ ପାଉଥିଲୁ ତୁ ତାକୁ ?

ଆଉ ତୁ ବଞ୍ଚିବୁ ନାଇଁ ?

ତୁ ମରିଯିବୁ ରାଜୀ !

ସଂକୁଚିତ ହୋଇ, କାନ୍ଦି କାନ୍ଦି, ଛଟପଟ ହୋଇ ?

ନା ! ନା !! ନା !!!

ତୁ ସାଥି ଚାହୁଁ

ତୋ’ର ସମଦୁଃଖୀ ଲୋଡ଼ା

ତୋ’ର ସହଚର ଲୋଡ଼ା ।

ମୁଁ ତୋତେ ମରିବାକୁ ଦେବିନି–

ଏ ଘର ତୋ ଲାଗି ଉନ୍ମୁକ୍ତ–

ଏ ବାହୁ ତୋ’ ଲାଗି ପ୍ରସାରିତ

ଏ ଫୁଲ ତୋ’ ଲାଗି ପ୍ରସ୍ଫୁଟିତ

(ଫୁଲ ଦାନିରୁ ଫୁଲ ଉଠେଇ)

ତୁ ଫେରିଆ ପ୍ରାଣ ମୋର !

ଫେରିଆ !

ପନ୍ଦର ବର୍ଷ ତୋ’ ସାଙ୍ଗରେ

ମୁଁ ଗୋଟିଏ ଛାତତଳେ ରହିଛି–

ପନ୍ଦର ବର୍ଷର ଏଇ ସାହଚର୍ଯ୍ୟ !

ମୋଠୁ ବଳି କିଏ ଅଛି ତୋ’ର ସାଥୀ,

ଆଉ କିଏ ?

ମୋଠୁ ବଳି ସମଦୁଃଖୀ

କିଏ ହେବ ତୋ’ର, ତୋ ଦୁଃଖରେ ।

ମୋଠୁ ବଳି ତୋ’ର ମନକଥା,

କିଏ ବୁଝିବ ଆଉ !

(ସିଢ଼ିରେ ସ୍ତ୍ରୀଟିର ପାଦଶବ୍ଦ)

ତୁ ଆସୁଛୁ,

ଆ,

ଉପରକୁ ଆ

ଆ,

ଚଢ଼ିଆ ।

(ସିଢ଼ିରେ ପାଦଶବ୍ଦ ଶୁଭୁଛି–ଅନବରତ)

ରାଜୀ, ତୁ ଯେପରି ତୋ ଦେହର

ସବୁ ବାତାୟନ ବନ୍ଦ କରି ଦେଇଛୁ ।

ଠିକ୍‌ ଅଛି ।

ମୁଁ ତ ଭଗ୍ନାବଶେଷରେ ବି ଜ୍ୟୋତି ଜଳାଇ ପାରିବି–

ପଦ୍ମପତ୍ର ଉପରେ ପଡ଼ିଥିବା

ବିନ୍ଦୁଏ କାଦୁଅ !

ମୁଁ ତୋତୋ ଅନେକ ପାଣିରେ ଧୋଇ ଦେବି

ତୁ ଆ ଆ

ଚଢ଼ିଆ

(ସିଢ଼ିରେ ନିରନ୍ତର ପାଦଶବ୍ଦ)

 

(ପଟାକ୍ଷେପ)

☆☆☆

 

 

 

 

 

 

 

 

 

 

 

Unknown

ଆଖିର କୁଟା

 

–ଅମରୀକ ସିଂହ

 

ପାତ୍ର

 

ଏସ୍‌.ଏଲ୍‌.ହୁଜା :

ଜିଲା ଡେପୁଟୀ କମିଶନର

ରାମପ୍ରସାଦ :

ତାଙ୍କ ଅଫିସ୍‌ର ସୁପରିନଟେଣ୍ଡେଣ୍ଟ

ସୁଷମା ହୁଜା :

ଏସ୍‌.ଏଲ୍‌.ହୁଜାଙ୍କ ପତ୍ନୀ

ଅମରନାଥ ପୁରୀ :

ଅଫିସ୍‌ର ହେଡ଼୍‍ କ୍ଳର୍କ

ଚପରାସି :

ଏସ.ଏଲ୍‌.ହୁଜାଙ୍କ ଚପରାସି

 

[ଗୋଟିଏ ଅଫିସ୍‌ର ସୁସଜ୍ଜିତ କୋଠରି । ପରଦା ଉଠିଲା ବେଳକୁ ଦେଖାଗଲା ଜିଲା ଡେପୁଟୀ କମିଶନର ଏସ୍‌.ଏଲ୍‌.ହୁଜା ଏବଂ ତାଙ୍କ ଅଫିସ୍‌ର ସୁପରିନଟେଣ୍ଡେଣ୍ଟ ବାବୁ ରାମପ୍ରସାଦ ନିଜ ନିଜ ଭିତରେ କଥାବାର୍ତ୍ତା କରୁଛନ୍ତି । ହୁଜା 30-35 ବର୍ଷର, ଅନ୍ୟଉପରେ ବିଶ୍ୱାସ ରଖିବାବାଲା ଲୋକ ଏବଂ ଆବଶ୍ୟକତା ଅନୁସାରେ ସାହାଯ୍ୟ କରିବା ଲୋକ । ରାମପ୍ରସାଦଙ୍କୁ 50 ବର୍ଷ ପାଖାପାଖି । ତାଙ୍କ ମୁଣ୍ଡର ଅଧିକାଂଶ ବାଳ ଧଳା; କିନ୍ତୁ ତାଙ୍କ ଚାଲିଚଳଣରେ ଦୃଢ଼ତା ଓ ବିଶ୍ୱାସ ରହିଛି । ଦେଖିଲେ ମନେହେବ ଯେ, ଅଫିସ୍‌ର ଫାଇଲଗୁଡ଼ା ତାଙ୍କ ପାଇଁ ମୁଣ୍ଡ ବ୍ୟଥା କରିବା ଜିନିଷ ନୁହେଁ; ବରଂ ଅନ୍ୟକୁ ଶାସନ କରିବାର ବାହାନା । ଯଦି ତାଙ୍କର ପ୍ରଶଂସା କରିବାର ଅଛି, ତେବେ କୁହାଯାଇ ପାରିବ ଯେ ସେ ବଡ଼ ହୁସିଆର୍‌ ଲୋକ । ଆଉା ଯଦି ସମାଲୋଚନା କରିବାର ଅଛି, ତେବେ କୁହାଯାଇ ପାରିବ ଯେ ସେ ଚାଲାକ ଓ ସୁବିଧାବାଦୀ ।]

 

ହୁଜା : (ଟେବୁଲ୍‍ ଉପରେ ଥୁଆ ହୋଇଥିବା କାଗଜକୁ ପଛକୁ ଠେଲିଦେଇ ଏବଂ ଚଉକିକୁ ପିଠିରୁ ଅଲଗା କରି) ନା, ବାବୁ ରାମପ୍ରସାଦ, ମୁଁ ଏ ଅର୍ଡ଼ର ଉପରେ ଦସ୍ତଖତ କରିପାରିବି ନାହିଁ ।

 

ରାମପ୍ରସାଦ : ସାର୍‌, ଆପଣଙ୍କୁ ଏଥିରେ ଏମିତି ସନ୍ଦେହ ହୋଇ ଯାଉଛି । କଥାଟା ସେମିତି କିଛି ନୁହେଁ ।

 

ହୁଜା : (ଟେବୁଲ୍‍ ଉପରକୁ ପୁଣି ନଇଁପଡ଼ି) କଥା କିଛି ନୁହେଁ କେମିତି ? ପ୍ରମୋସନ୍‍ର ଅଧିକାର ମନଚଳାର ଅଛି । ଆଉ ତମେ ରାମସ୍ୱରୂପର ନାମ ପ୍ରସ୍ତାବିତ କରୁଛ ।

 

ରାମପ୍ରସାଦ : ମୋ ବିଚାରରେ ରାମସ୍ୱରୂପ ଏହି ପ୍ରମୋସନ୍‍ କରିବା ପାଇଁ ଉପଯୁକ୍ତ ବ୍ୟକ୍ତି । ସେଇଥିପାଇଁ ମୁଁ ତାଙ୍କରି ନାଁ ପେଶ୍‌ କରିଛି ।

 

ହୁଜା : କିନ୍ତୁ ମନଚନ୍ଦାର ଦୋଷ କ’ଣ ? ତମେ ତା’ ନାଁ କାହିଁକି ତାଲିକାଭୁକ୍ତ କରିନାହଁ-?

 

ରାମପ୍ରସାଦ : ଦୁଇବର୍ଷ ପରେ ତାଙ୍କୁ ପେନ୍‌ସନ୍‍ ମିଳିଯିବ । ସେଇଥିପାଇଁ.....

 

ହୁଜା : (ଟିକେ ବିରକ୍ତି ସହ) ଅଜବ କଥା ! ଦୁଇବର୍ଷ ପରେ ଯଦି ରାମସ୍ୱରୂପର ପାଳି ପଡ଼ିବ, ତେବେ ମନଚନ୍ଦାକୁ ଭଲା କାହିଁକି ଏ ପ୍ରମୋସନ୍‍ ଦିଆ ନ ଯିବ ।

 

ରାମପ୍ରସାଦ : ମୋ ମତାନୁସାରେ, ଯେଉଁ ଜାଗା ଦୁଇବର୍ଷ ପରେ ରାମସ୍ୱରୂପକୁ ଦିଆଯିବ, ତାହା ତାକୁ ଏବେ ମିଳିବା ଉଚିତ ।

 

ହୁଜା : ଏହା ଭୁଲ୍‌ କାମ । ଏଭଳି ଭାବେ ମନଚନ୍ଦାର ଅଧିକାରକୁ ଛିନ୍ନ କରିବାପାଇଁ ମୁଁ ଆଦୌ ପ୍ରସ୍ତୁତ ନୁହେଁ ।

 

ରାମପ୍ରସାଦ : ଆଜ୍ଞା, ଆମର ଏ ଅଫିସ୍‌ର ପ୍ରଚଳିତ ଅଛି ଯେ, ଯେଉଁ ଲୋକର କିଛି ବର୍ଷ ଅଧିକ ଚାକିରି ଥାଏ ତାକୁ ପ୍ରମୋସନ୍‍ ଦିଆଯାଏ । କାରଣ ନୂଆ କାମ ଶିଖି ସେ ଅଫିସ୍‌ କାମ ପାଇଁ ଉପଯୁକ୍ତ ହେଇପାରିବ ।

 

ହୁଜା : ଇଏ ଏକ ଭୁଲ୍‍ ପରମ୍ପରା । ଏଇଟା ମୋଟା ଚଳଣି କ’ଣ ? –ଆମେ ଏହାକୁ ବଦଳେଇ ଦେଇ ପାରିବା । ଏଇଟା କ’ଣ ଫଣ୍ଡାମେଣ୍ଟାଲ ରୁଲ ?

 

ରାମପ୍ରସାଦ : ଆପଣ ହେଲେ ମାଲିକ । ଯାହା ଇଚ୍ଛା ତାହା କରିପାରିବେ । ଚଳଣିଟା ଆପଣଙ୍କୁ କହିଦେଲି ।

 

ହୁଜା : (ବାବୁ ରାମପ୍ରସାଦଙ୍କୁ କାଗଜପତ୍ର ଫେରାଇ) ମୋ ବିଚାରରେ ତମେ ମନଚନ୍ଦାର ନାମ ପ୍ରସ୍ତାବିତ କର ।

 

ରାମପ୍ରସାଦ : (ଅନିଚ୍ଛାରେ କାଗଜପତ୍ର ଉଠାଇ) ସାହେବ ! ଏଇ ପ୍ରଥମ ଥର ଆପଣ ମୋ ପ୍ରସ୍ତାବକୁ କାଟି ଦେଉଛନ୍ତି–ରଦ୍ଦକରି ଦେଉଛନ୍ତି ।

 

ହୁଜା : ହଁ, ମୁଁ ଜାଣେ ।

 

(ରାମପ୍ରସାଦ ବାହାରକୁ ଚାହିଁ ରହିଲା ।)

 

ହୁଜା : (ଚଉକି ଓ ଟେବୁଲ୍‌କୁ ଟପି ଆଗକୁ ଆସି) ମୁଁ ସାରା ରାତି ଏଇ କଥା ଚିନ୍ତା କରୁଚି । କାଲି ସନ୍ଧ୍ୟାରେ ତମେ ଯେତେବେଳେ ଏଇ ପେପର ପୁଟ୍‌-ଅପ୍‌ କଲ, ମୁଁ କହିଥିଲି କାଲି ଦସ୍ତଖତ କରିବି । ଏଇ କଥା ମତେ ଅତ୍ୟନ୍ତ ଚିନ୍ତିତ କରିପକାଇଚି ।

 

ରାମପ୍ରସାଦ : (ଅସନ୍ତୁଷ୍ଟ ହୋଇ) ଆଜ୍ଞା ! ମତେ ଏଇଟା ଆଜି ଭାରି ଖରାପ ଲାଗୁଚି । ଦେଢ଼ ବର୍ଷ ହେଲା ମୁଁ ଯେଉଁ ପ୍ରସ୍ତାବ ଆପଣଙ୍କ ଆଗରେ ଥୋଇଚି, ତାହାକୁ ଆପଣ ସ୍ୱୀକାର କରି ଦେଇଛନ୍ତି । ଏହା ହେଉଛି ପ୍ରଥମ ଘଟଣା, ଯେଉଁଥିରେ ଆପଣା ଏଭଳି.....

 

ହୁଜା : (ଚୁଟ୍‌କି ମାରି) ପୁଣି ଏଥିରେ ଫରକ ପଡ଼ିଲା କ’ଣ ? କେବେ କେବେ ଏମିତି ବି ହୁଏ । ଦୁଇଜଣଙ୍କ ରାୟ କେତେବେଳେ ପୂରାପୂରି ଏକ ବି ହୋଇନପାରେ !

 

ରାମପ୍ରସାଦ : ଯେମିତି ଆପଣଙ୍କର ଇଚ୍ଛା । (ମୁଣ୍ଡ ନୁଆଁଇ ଚାଲିଯାଉଥିଲା ।)

 

ହୁଜା : (ପଛରୁ ଡକା) ଏତେ ଦୁଃଖିତ ହେବାର କଥା ନୁହେଁ ।

 

ରାମପ୍ରସାଦ : (ଟିକିଏ ଗମ୍ଭୀରତା ସହ ପ୍ରତ୍ୟାବର୍ତ୍ତନ କରି) ସାର୍‌ ! ଏହାର ଅର୍ଥ ଏଇୟା ହେଲା ଯେ ଆପଣ ବୁଝୁଥିବେ ମୁଁ ରାମସ୍ୱରୂପର ସପକ୍ଷେରେ ଥାଇ ମନଚନ୍ଦାଙ୍କ ବିରୁଦ୍ଧରେ ଯାଉଚି ।

 

ହୁଜା : ନା–ନା । ସେ କଥା ନୁହେଁ । ଏ କଥାକୁ ଛାଡ଼ିଦେଲେ ବି ମୋ ଧାରଣା ଗୋଟାଏ ଏବଂ ତମ ଧାରଣା ଆଉ ଗୋଟାଏ ହୋଇପାରେ ।

 

ରାମପ୍ରସାଦ : ସାର୍‌, କ୍ଷମା କରିବେ । ଆପଣ କହିବା ପରେ ମଧ୍ୟ ମୋ ମନରେ ଏ ଧାରଣା ବସାବାନ୍ଧି ରହିବ ଯେ, ମୁଁ ଆପଣଙ୍କର ବିଶ୍ୱାସ ହରେଇ ବସିଚି ।

 

ହୁଜା : କଥାଟା ତା’ହେଲେ ଏଇୟା ? (ସଂକେତ କରି) ତେବେ ଶୁଣ !

 

(ରାମପ୍ରସାଦ ହୁଜାଙ୍କ ନିକଟକୁା ଆସିଲେ । ଦୁହେଁ ଦୁହିଁଙ୍କର ଚଉକି ଉପରେ ବସିପଡ଼ିଲେ ।)

 

ହୁଜା : ଠିକ୍‌ ଅଛି । ମତେ ପ୍ରତ୍ୟେକ କଥାର ଉତ୍ତର ସାଙ୍ଗେ ସାଙ୍ଗେ ଦିଅ । ପ୍ରଥମ କଥା ହେଲା–ତମେ ନିଜେ ମାନୁଛ ମନଚନ୍ଦାର କାମରେ ଅଫିସ ସମ୍ପୂର୍ଣ୍ଣ ସନ୍ତୁଷ୍ଟ ?

 

ରାମପ୍ରସାଦ : ହଁ ଆଜ୍ଞା !

 

ହୁଜା : ତା’ର ଯେତେ ନୋଟିଙ୍ଗ୍‌ ମୋ ପାଖକୁ ଆସିଚି, ସବୁ ଯଥାଯଥ ଭାବରେ ଲେଖା ହୋଇଥାଏ । ସେଥିରେ କୌଣସି ବାଜେ କଥା ଲେଖା ହୋଇନଥାଏ ।

 

ରାମପ୍ରସାଦ : ଠିକ୍‌ କଥା ଆଜ୍ଞା !

 

ହୁଜା : ଦ୍ୱିତୀୟ କଥାଟି ହେଲା–ତା’ର ରେକର୍ଡ଼ ପୂରାପୂରି ଭଲ । କେବେ କେହି ତା’ ବିରୁଦ୍ଧରେ କିଛି ଅଭିଯୋଗ କରିନାହିଁ । କେହି କେବେ ମନ୍ଦ ମନ୍ତବ୍ୟ ଦେଇନାହିଁ । ବେଇମାନ କହିନାହିଁ ।

 

ରାମପ୍ରସାଦ : ଆଜ୍ଞା, ଇଏ ସତକଥା ।

 

ହୁଜା : ତୃତୀୟକଥା ହେଲା, ସେ ସମସ୍ତଙ୍କଠାରୁ ସିନିଅର । ତା’ର ଦୁଇବର୍ଷ ମାତ୍ର ସର୍ଭିସ୍‌ ବାକି ଅଛି । ତା’ହେଲେ କ’ଣ କ୍ଷତି ଘଟନ୍ତା, ଯଦି ଯିବାର ଶେଷ ବେଳରେ ତାକୁ ଟିକିଏ ଲିଫ୍‍ଟ୍‍ ଦିଆଯାଆନ୍ତା !

 

ରାମପ୍ରସାଦ : କୌଣସି କ୍ଷତି ଘଟନ୍ତା ନାହିଁ ସାହେବ ! ମୁଁ ତ କେବଳ ଅଫିସ୍‌ର ନୀତି କଥା କହିଛି । ତା’ପର କଥା ଆପଣ ବୁଝିବେ । ଆପଣ ତ ମାଲିକ ।

 

ହୁଜା : (ଟିକିଏ ରାଗିଯାଇ) ମାଲିକର କଥା ନୁହେଁ । ମୁଁ ତମକୁ କେତେଥର କହିଲିଣି, ମୋ ଉଦ୍ଦେଶ୍ୟରେ ଏଭଳି ଶବ୍ଦମାନ ପ୍ରୟୋଗ କରିବ ନାହିଁ ବୋଲି !

 

ରାମପ୍ରସାଦ : ଭୁଲ୍‌ ହେଇଗଲା ସାର୍‌ ! (ଲଜ୍ଜିତ ହେବାଭଳି) ଏମିତି କେତେଟା ଅଭ୍ୟାସ ହେଇଗଲାଣି । କ୍ଷମା ମାଗିନେଉଛି ।

 

ହୁଜା : (ବ୍ୟସ୍ତ ହୋଇ) କ୍ଷମାର ଅର୍ଥ କ’ଣ ? ଛୋଟ କଥାରେ କ୍ଷମା ମାଗି ନେଉଚ । ଆଉ ବଡ଼ ବଡ଼ କଥାକୁ ହଜମ କରି ଦେଉଚ । ମୁଁ ପଚାରୁଚି, ଯଦି ଏ ତିନିଟାଯାକ କଥା ମନଚନ୍ଦାର ସପକ୍ଷରେ ଯାଉଛି, ତେବେ ଆମେ ତା’ପ୍ରତି ଅନ୍ୟାୟ କେମିତି କରିବା ? ତମେ ଭାବନି ଯେ, ତା’ର କେହି ମୋ ପାଖକୁ ସୁପାରିସ୍‍ କରିବାକୁ ଆସିଥିଲେ କିମ୍ୱା କେହି ଆସି ତା’ ବିଷୟରେ କିଛି କହିବା ପରେ ମୁଁ ଏକଥା କହିଛି ।

 

ରାମପ୍ରସାଦ : ମତେ ଜଣାଅଛି ସାର୍‌ !

 

ହୁଜା : ଏପରିକି ମୁଁ ତ ତାକୁ ଦେଖି ନାହିଁ କହିଲେ ଚଳେ । ମାତ୍ର ମତେ ତା’ର କାମ ବହୁତ ପସନ୍ଦ ହୁଏ । ଫାଇଲ୍‌ ଉପରେ ସେ ଯାହା କିଛି ଲେଖେ, ସେଥିରୁ ସେ ଦୂରଦର୍ଶୀ ଓ ବିଜ୍ଞ ଲୋକ ବୋଲି ଜଣାପଡ଼େ ।

 

ରାମପ୍ରସାଦ : (ଏପର୍ଯ୍ୟନ୍ତ ଦବି ରହିବା ପରେ ଅନେକ ବିଶ୍ୱାସକୁ ଠୁଳକରି) ଏସବୁ ଠିକ୍‌ କଥା ସାର୍‌ ! ମୁଁ ମଧ୍ୟ ଆପଣଙ୍କ ଆଗରେ ମୋ ସ୍ଥିତି ସ୍ପଷ୍ଟକରି ଦେଉଚି । ମୁଁ ଏବଂ ମନଚନ୍ଦା ଆଜି ନୁହେଁ, ଗତ ପଚିଶି ବର୍ଷ ହେଲା ପଡ଼ୋଶୀ । ବୟସରେ ସେ ମୋ’ଠାରୁ ୬ ବର୍ଷ ବଡ଼ । ପୁଣି ଏହି ଅଫିସରେ ଆମେ ଏକ ସମୟରେ ଭର୍ତ୍ତି ହୋଇଥିଲୁ । ମାତ୍ର ସେ ମାଟ୍ରିକ୍ୟୁଲେଟ୍‌ ଥିଲା ଏବଂ ମୁଁ ଥିଲି ଗ୍ରାଜୁଏଟ୍‌ । ସେଥିପାଇଁ ସେ ପ୍ରମୋସନ୍‍ ପାଇ ପାରିଲା ନାହିଁ; ଆଉ ମୁଁ ଆସି ସୁପରିନଟେଣ୍ଡେଣ୍ଟ ହେଲିଣି ।

 

ହୁଜା : ବର୍ତ୍ତମାନ ତାକୁ ଯେତେବେଳେ ପ୍ରମୋସନ୍‍ ମିଳୁଚି, ତମେ ସେତିକିବେଳେ ତା’ ରାସ୍ତାରେ ପ୍ରତିବନ୍ଧକ ନ ହେବା ଉଚିତ ।

 

ରାମପ୍ରସାଦ : ମୁଁ ବରଂ ବେଶି ଖୁସି ହେବି । ମାତ୍ର ଏ କଥାଟା ଯଦି ହେଇଯାଏ ତେବେ,

 

ହୁଜା : କଥାଟା କାହିଁକି ହେଇପାରିବନି ? ତମେ ତା’ ନାଁକୁ ପ୍ରସ୍ତାବ କରି ଲେଖିଆଣ; ମୁଁ ସାଙ୍ଗେ ସାଙ୍ଗେ ଦସ୍ତଖତ କରିଦେବି ।

 

ରାମପ୍ରସାଦ : ଅଫିସବାଲା ସମସ୍ତେ କହିବେ, ରାମପ୍ରସାଦ ମନଚନ୍ଦାର ପଡ଼ୋଶୀ ଏବଂ ବନ୍ଧୁ । ସେଇଥିପାଇଁ ରାମସ୍ୱରୂପର ଅଧିକାରକୁ ମାରିନେଇ ମନଚନ୍ଦାକୁ ଦେଇଦେଲା ।

 

ହୁଜା : (ଟିକିଏ ଉତ୍ତ୍ୟକ୍ତ କଣ୍ଠରେ) ଅଧିକାରକୁ କେମିତି ମାରିନେଇ ଦେଲେ ? ଅଧିକାରଟା ମନଚନ୍ଦାର ନା ରାମସ୍ୱରୂପର ?

 

ରାମପ୍ରସାଦ : ସାର୍‌ ! ଏ ଅଫିସରେ ସେମିତିଆ ଗୋଟାଏ ଚଳଣି ରହିଚି ତ !

 

ହୁଜା : ଏଇ ଅଫିସରେ ଚଳୁଥିବ; ଆଉ ଅନ୍ୟ କେଉଁଠି ତ ନାହିଁ । ମୁଁ କେତେ ଜିଲାରେ ରହି ଆସିଲିଣି–ଗୁଡ଼ଗାଁଓ, ଗୁରଦାସପୁର । କେଉଁଠି ତ ଏମିତି ରୀତି ଦେଖିନି ।

 

ରାମପ୍ରସାଦ : ପ୍ରଥମେ ଏଠି ବି ନଥିଲା । ଏଇଟା ଆପଣଙ୍କର ଶଶୁର ସାହେବ ଆରମ୍ଭ କରିଥିଲେ । ରାୟବାହାଦୁର ସାହେବ ଯେଉଁଠି ଯେଉଁଠି ରହିଛନ୍ତି, ସେଠି ସେ ଏ ରୀତି ଆରମ୍ଭ କରି ଦେଇଛନ୍ତି । ମୋ ପ୍ରମୋସନ୍‍ ତ ଏଇ ହିସାବରେ ହୋଇଛି ।

 

ହୁଜା : (ହସି ଦେଇ) ତୁମକୁ ସୁପରିନଟେଣ୍ଡେଣ୍ଟ କରିବାକୁ ଯାଇଁ ରାୟବାହାଦୁର ସାହେବ ଏ ପରମ୍ପରା ଆରମ୍ଭ କରିନାହାନ୍ତି ତ ?

 

ରାମପ୍ରସାଦ : (ଟିକିଏ ଲଜ୍ଜିତ ହୋଇ) ନା–ନା, ଆଜ୍ଞା ! ମୋ ଆଗରୁ ବର୍ମାଙ୍କୁ ଲାଭ ମିଳିଥିଲା । ତା’ପରେ ମୋ ନମ୍ୱର ଆସିଥିଲା ।

 

ହୁଜା : (ରାମପ୍ରସାଦଙ୍କ ବିବ୍ରତ ଭାବରୁ ମଜା ଉଠାଇ) ମୋ ବିଚାରରେ, ବୋଧେ ତମକୁ ଆଖି ଆଗରେ ରଖି ରାୟବାହାଦୁର ଏ ରୀତି ଚାଲୁ କରି ଦେଇଛନ୍ତି ।

 

ରାମପ୍ରସାଦ : ବିଲ୍‌କୁଲ ନୁହେଁ ଆଜ୍ଞା ! ସେତେବେଳେ ତ ମୁଁ ବହୁତ ଜୁନିଅର ଥିଲି । ଆପଣ ବିବିଜୀଙ୍କୁ ଏକଥା ପଚାରି ବୁଝିନେଇ ପାରନ୍ତି ।

 

ହୁଜା : (ମୁହଁରେ ହସ ଉକୁଟାଇ) ପଚାରିବାକୁ ହିଁ ପଡ଼ିବ ।

 

ରାମପ୍ରସାଦ : ଭଲ ହେବ, ଆପଣ ପଚାରି ନିଅନ୍ତୁ ସାର୍‌ !

 

ହୁଜା : (ହଠାତ୍‌ ଗମ୍ଭୀର ହୋଇ) ଯଦି ଆମେ ଏ ପ୍ରଣାଳୀ ବଦଳେଇ ଦେବା, ତେବେ କ୍ଷତି କ’ଣ ହେବ ?

 

ରାମପ୍ରସାଦ : (ବିବ୍ରତ ହୋଇ) ବହୁତ କ୍ଷତି ହେବ ସାର୍‌ !

 

ହୁଜା : କ୍ଷତି ? କେଉଁ ଭଳିଆ ?

 

ରାମପ୍ରସାଦ : ଯଦି ଏବେ ମନଚନ୍ଦାକୁ ପ୍ରମୋସନ୍‍ ମିଳିଯାଏ, ତେବେ ଦୁଇବର୍ଷ ପରେ ରାମସ୍ୱରୂପର ନମ୍ୱର ଆସିବ ନାହିଁ । ସେତେବେଳକୁ ତା’ର ରିଟାୟାର୍ଡ଼ ହେବାରୁ ଦୁଇବର୍ଷ ଶେଷ ହୋଇ ସାରିଥିବ ।

 

ହୁଜା : (ରାମପ୍ରସାଦକୁ ତୀକ୍ଷ୍‌ଣ ଦୃଷ୍ଟିରେ ଦେଖି) ବର୍ତ୍ତମାନ ମୁଁ ବୁଝି ପାରୁଛି । ମୋଟଉପରେ ତମେ ଚାହୁଁଚ, ରାମସ୍ୱରୂପର ପ୍ରମୋସନ୍‍ କୌଣସି ପ୍ରକାରେ ସ୍ଥଗିତ ନ ହେଉ । ମନଚନ୍ଦାର ପଛେ କ୍ଷତି ହେଉ । (କ୍ରୋଧରେ ଚଉକିରୁ ଉଠି) ମୁଁ ଏ ଅନ୍ଧାଦୁନିଆ ରୀତିକୁ ଚଳେଇ ଦେବି ନାହିଁ । ପ୍ରାପ୍ୟ ହେଲା ମନଚନ୍ଦାର, ଆଉ ମିଳୁଚି ରାମସ୍ୱରୂପକୁ । ମୁଁ ଦେଖି ପାରୁଚି, ମନଚନ୍ଦା ସାଙ୍ଗରେ ତମର କେମିତିଆ ବନ୍ଧୁତା । କହୁଚ କ’ଣ ନା, ଗତ ପଚିଶ ବର୍ଷର ପଡ଼ୋଶୀ ।

 

ରାମପ୍ରସାଦ : ସାହେବ, ଆପଣ ଭୁଲ୍‌ ବୁଝୁଛନ୍ତି । ମୁଁ କଦାପି କାହାରି ପକ୍ଷପାତ କରୁନାହିଁ । ମୁଁ କେବଳ ପୁରୁଣା ରୀତି ଅନୁସାରେ ଚଳିବା ପାଇଁ ଚାହୁଁଚି ।

 

ହୁଜା : (ପୂର୍ବଭଳି କ୍ରୋଧରେ) ତମର ସଫେଇ ଦେବା ରଖ । କାଲି ସନ୍ଧ୍ୟାରୁ ମୁଁ ଏଇ କଥା ଶୁଣିଆସୁଚି–ଆମ ଅଫିସ୍‌ର ଏଇ ରୀତି । ଅମୁକ ସିନିଅର, ଅମୁକ ଜୁନିଅର୍‌ । ତା’ର ଦି’ ବର୍ଷ, ୟାର ଚାରିବର୍ଷ ବାକି ଅଛି । କି ବିଭ୍ରାଟ ଚାଲିଚି ଏ ଅଫିସରେ ? ଅନ୍ଧାଦୁନିଆଁ ନା ନାଦିର୍‌ସାହୀ ?

 

ରାମପ୍ରସାଦ : (ଡରିଯାଇ) ସାର୍‌, ଆପଣ ଭୁଲ୍‌ ବୁଝୁଛନ୍ତି । ମୋର କହିବାର ଉଦ୍ଦେଶ୍ୟ ଏଇୟା ନଥିଲା ।

 

ହୁଜା : ବିଲ୍‌କୁଲ ନୁହେଁ; ଏଇଟା କାହିଁକି ନୁହେଁ । କାଲି ସନ୍ଧ୍ୟାରୁ ମୁଁ ଏଇ ସମସ୍ୟାରେ ବିବ୍ରତ । ତମେ ଏଇନା ଶହେ ଯୁକ୍ତି ବାଢ଼ ପଛେ; ମୁଁ ଜାଣିଗଲି କଥାଟା କ’ଣ ।

 

ରାମପ୍ରସାଦ : (ପୂର୍ବଠାରୁ ଅଧିକ ବିଶ୍ୱାସ ସହିତ) ସାର୍‌, ଆପଣ ଭାବୁଛନ୍ତି ରାମସ୍ୱରୂପ ମୋ ବନ୍ଧୁ । ସେଥିପାଇଁ ମୁଁ ତାକୁ ଫେଉର୍‌ କରୁଚି ।

 

ହୁଜା : (ଗର୍ଜି କରି) ଠିକ୍‌ ସେଇ କଥା । ବାକି ସବୁ ବାହାନା । ସେଇ କଥାକୁ ପ୍ରମାଣିତ କରିବା ଲାଗି ସେସବୁ ଖାଲି ଯୁକ୍ତି ।

 

ରାମପ୍ରସାଦ : (ପୂରା ବିଶ୍ୱାସ ସହ) ସାର୍‌ ! ଆପଣଙ୍କର ଏ କଥା ଠିକ୍‌ ପ୍ରମାଣିତ ହୁଅନ୍ତା, ଯଦି ମୁଁ ଏ ପ୍ରସ୍ତାବ ସହିତ ଅଫିସ୍‌ର ରୀତିକୁ ଭଙ୍ଗ କରୁଥାଆନ୍ତି । ମୁଁ ତ.....

 

ହୁଜା : ଆଉ ମୁଁ ଯେତେବେଳେ ଅଫିସ୍‌ର ରୀତିକୁ ଭାଙ୍ଗିବାକୁ ଚାହୁଁଚି ତମେ ସେତିକିବେଳେ ରାସ୍ତାରେ ପ୍ରତିବନ୍ଧକ ଠିଆ କରାଉଚ । ଏହା ମଧ୍ୟ ତମର ମିତ୍ର ରାମସ୍ୱରୂପର କ୍ଷତି ଘଟୁଥିବାରୁ ତମେ କରୁଚ ।

 

ରାମପ୍ରସାଦ : ମାଲିକ ହେଲେ ଆପଣ ! ଯେମିତି ବୁଝିଲେ ବି ମୁଁ କିଛି କରିପାରିବି ନାହିଁ । ମାତ୍ର ଏକଥା ମୁଁ ନିଶ୍ଚୟ କହିବି ଯେ, ଆପଣଙ୍କର ଏ ସଂକ୍ରାନ୍ତରେ ଭ୍ରମ ଉପୁଜିଛି ।

 

ହୁଜା : ମୋର କୌଣସି ଭ୍ରମ ନାହିଁ; ବରଂ ମୋର ଭ୍ରମ ଦୂର ହୋଇ ଯାଇଛି ।

 

ରାମପ୍ରସାଦ : (ଧୀର ସ୍ୱରରେ) ଭ୍ରମ ଦୂର ହୋଇ ଯାଇଛି ?

 

ହୁଜା : (ମନେ କରିନେଇଥିଲେ ରାମପ୍ରସାଦ ଏବେ ତାଙ୍କର ଦୟାର ପାତ୍ର) ପ୍ରଥମେ ତମେ ଯାହା ଲେଖି ଆଣୁଥିଲ, ମୁଁ ତୁରନ୍ତ ସେଥିରେ ସ୍ୱାକ୍ଷର କରିଦେଉଥିଲି । ଏଇୟା ଭାବି ଦସ୍ତଖତ କରୁଥିଲି–ଯେ, ତମେ ଯାହା ଲେଖିଛ ତାହା ଠିକ୍‌ । ମାତ୍ର ଏବେ ମୁଁ ଜାଣିପାରିଲି ଯେ, ମୋର ତାହା କରିବା ଉଚିତ ନ ଥିଲା ।

 

[ହୁଜାଙ୍କର ପତ୍ନୀ ସୁଷମାଙ୍କ ପ୍ରବେଶ । 25-26 ବର୍ଷୀୟା, ସୁସଜ୍ଜିତା; ଶାଢ଼ି ପିନ୍ଧି ଖୁବ୍‌ ସୁନ୍ଦର ଦିଶୁଥିଲେ । ତାଙ୍କ ମୁହଁରେ ପିଲାମି ଅର୍ଥାତ୍‌ ଅଲିଅଳ ଭାବ ତାଙ୍କୁ ଉଦ୍ଧତ କରିଥିବା ସୂଚନା ଦେଖିବାକୁ ମିଳେ । ତାଙ୍କର ପ୍ରଥମ ବାକ୍ୟ ହିଁ ତାଙ୍କରି ଏହି ଭାବକୁ ପୁଷ୍ଟିକରେ ।]

 

ସୁଷମା : ହ୍ୟାଲୋ ଡାର୍ଲିଙ୍ଗ ! ଭଲ ହେଲା, ତମେ ଆଗରୁ ପ୍ରସ୍ତୁତ ହେଇପଡ଼ିଛ । (ଟିକିଏ ଗେହ୍ଲେଇ ହେଇ) ଏଇ ଅଧଘଣ୍ଟା ପାଇଁ ମୋ ସାଙ୍ଗରେ କ୍ଲବ୍‌ ଯାଏ ଚାଲ ନା ! କେବଳ ଅଧଘଣ୍ଟା ପାଇଁ (ହୁଜାଙ୍କ ଆଖିରୁ ରାଗର ସୂଚନା ପାଇ) ପ୍ରମିଜ୍‌, ତା’ଠୁଁ ଅଧିକ ସମୟ ଲାଗିବ ନାହିଁ ।

 

ହୁଜା : ନା, ଡିଅର୍‌–ମୁଁ ଏଠୁ ଅଧଘଣ୍ଟା ପାଇଁ ବି ଯାଇପାରିବି ନାହିଁ । ମୋତେ ଗୋଟା ଦୁଇଟା ଜରୁରୀ କାମ କରିବାକୁ ହେବ ।

 

ରାମପ୍ରସାଦ : (ସୁଷମାଙ୍କ ଧ୍ୟାନ ନିଜ ଆଡ଼କୁ ଟାଣିନେଇ) ନମସ୍କାର ବିବିଜୀ !

 

ସୁଷମା : (ପତିଙ୍କ ଆଡ଼ୁ ଦୃଷ୍ଟି ଫେରାଇ ନେଇ) ନମସ୍କାର ! ଓହୋ–ବାବୁଜୀ ! କୁହନ୍ତୁ, ଆପଣଙ୍କର ଖବର କ’ଣ ?

 

ରାମପ୍ରସାଦ : (ବିନମ୍ରତା ସହ) ଆପଣଙ୍କ କୃପାରୁ.....

 

ସୁଷମା : (ପୁଣି ପୂର୍ବସ୍ୱରରେ) ତମକୁ ସବୁ ସମୟରେ କାମ ଜାବୁଡ଼ି ଧରିଛି । ଅଧଘଣ୍ଟା ସମୟ ଦେଇ ପାରୁନ ?

 

ହୁଜା : କଥାଟା ଅଧଘଣ୍ଟାର ନୁହେଁ–କଥା ହେଉଚି ଆଟିଚ୍ୟୁଡ୍‍ର । ତମର କାମ ନାହିଁ, ଆଉ ମୋର ଏତେ କାମ ଯେ, ସରୁନି । କିନ୍ତୁ ତମେ ମତେ କୁହତ, କ୍ଲବ୍‌କୁ ଯିବାପାଇଁ ଇଏ କେମିତିଆ ସମୟ । ସନ୍ଧ୍ୟାକୁ ଏକାସାଙ୍ଗରେ ଯିବା ।

 

ସୁଷମା : ସେଠିକି ମିସେସ୍‌ ନିଗେସଙ୍କୁ ମୁଁ ଡାକିଚି । ଭଲ ହୁଅନ୍ତା, ତମେ ଯଦି ସାଙ୍ଗରେ ଥାଆନ୍ତ ! ଗୋଟା ଦିଇଟା କଥାର ସମ୍ମତି ନେବାର ଥିଲା ।

 

ହୁଜା : (ରାମପ୍ରସାଦକୁ) ଠିକ୍‌ ଅଛି, ମୁଁ ଟିକିଏ ପରେ ଡାକୁଚି । ତମେ ତା’ରି ଭିତରେ ନିଜ ପ୍ରସ୍ତାବକୁ ନୂଆ କରି ଲେଖ ।

 

ରାମପ୍ରସାଦ : (ଟିକିଏ ସଲ୍ଲଜ ହୋଇ) ଯଦି ଆପଣ ମନଚନ୍ଦାକୁ ହେଡ଼୍‍ କ୍ଳର୍କ କରିବାକୁ ଚାହାନ୍ତି, ତେବେ ସବୁଠୁଁ ଭଲହେବ ଆପଣ ନିଜେ ନିଜ ହାତରେ ଆଦେଶ ରେକର୍ଡ଼ କରନ୍ତୁ ।

 

ହୁଜା : (ତା’ରି ଯୁକ୍ତିକୁ ପସନ୍ଦ ନକରି) ନା, ଏ ପ୍ରସ୍ତାବ ତମରିଆଡ଼ୁ ଆସିବା ଉଚିତ ।

 

ରାମପ୍ରସାଦ; (ଡରିକରି; କିନ୍ତୁ କହିବାର ଉପକ୍ରମ କରି) ଯଦି କ୍ଷମା କରନ୍ତେ ଆପଣ ତ.....

 

ହୁଜା : (ରାଗ ସମ୍ଭାଳି ନେଇ ଏବଂ ଟେବୁଲ୍‍ ଉପରେ ଥୁଆ ହୋଇଥିବା କାଗଜକୁ ଧରାଇ) ଏ ପ୍ରସ୍ତାବଟା ତମରିଠୁଁ ଆସିବା ଠିକ୍‌ ହେବ । ରେକର୍ଡ଼ରେ ତୁମ ପ୍ରସ୍ତାବଟା ରଦ୍ଦକରି ଦିଆହୋଇଥିବା କଥା ନରହିବା ଉଚିତ ।

 

ରାମପ୍ରସାଦ : (କାଗଜପତ୍ର ଉଠାଇ) ନମସ୍କାର ବିବିଜୀ !

 

ସୁଷମା : ନମସ୍କାର ବାବୁଜୀ ! ସରୋଜିନୀ ଭଲ ଅଛି ତ ? ତା’ଠୁଁ କୌଣସି ଚିଠିପତ୍ର ଆସିଥିଲା ?

 

ରାମପ୍ରସାଦ : (କିଛି ସାହସ ସଞ୍ଚୟ କରି) ଏଇ ପଅରିଦିନ ତ ଚିଠି ଆସିଲା । କ୍ଷମା କରିବେ, ମୁଁ ଭୁଲିଯାଇଥିଲି । ସେ ଆପଣଙ୍କ ପାଇଁ ନମସ୍କାର ପଠାଇଥିଲା ।

 

ସୁଷମା : ମୋ ତରଫରୁ ତାକୁ ଆପଣ ନମସ୍କାର ଜଣାଇଦେବେ ।

 

ରାମପ୍ରସାଦ : (ବାହାରକୁ ଯାଉ ଯାଉ) କୋଟି ଯୁଗ ବଞ୍ଚି ଥା’ ମା’ ।

 

(ଏକଥା କହିଦେଇ ବାହାରକୁ ଚାଲିଗଲା ସେ ।)

 

ହୁଜା : ବଡ଼ ଚାଲାକ୍‌ ଲୋକ ଇଏ । ପେଟରେ କ’ଣ ଅଛି କେହି ଜାଣିପାରିବେ ନାହିଁ ।

 

ସୁଷମା : ମୁଁ ତ ପ୍ରଥମରୁ ଏକଥା କହିଥିଲି; ହେଲେ ତମେ ତ କେବେ ମାନିଲ ନାହିଁ ।

 

ହୁଜା : ମତେ ଜଣା ନଥିଲା, ଇଏ ସତେ ସଇତାନି କରିପାରେ; ଏତେ ବନେଇ-ଚୁନେଇ କହିପାରେ ।

 

ସୁଷମା : (ଧ୍ୟାନପୂର୍ବକ ଶୁଣି) ବର୍ତ୍ତମାନ କ’ଣ ହେଲା କି ?

 

ହୁଜା : କାଲିଠାରୁ ଇଏ ମୋତେ ଅତିଷ୍ଠ କରିଦେଲାଣି । ସାରାରାତି ମୁଁ ଏଇ ସମସ୍ୟାରେ ବୁଡ଼ି ରହିଛି ଏବଂ ଭାବୁଚି କି ନିଷ୍ପତ୍ତି କରାଯାଇପାରିବ ।

 

ସୁଷମା : (ଟିକିଏ ଚିନ୍ତିତା ହୋଇ) କିନ୍ତୁ ହେଇଚି କ’ଣ ?

 

ହୁଜା : ଆମ ହେଡ଼୍‍ କ୍ଳର୍କ ଆସନ୍ତା ମାସରେ ପେନ୍‌ସନ୍‍ ପାଇଯିବ । ତା’ ଜାଗାରେ ଯାହାର ପ୍ରମୋସନ୍‍ ପ୍ରାପ୍ୟ, ତା’ ନାଁକୁ ଇଏ ପ୍ରସ୍ତାବିତ ନକରି ଅନ୍ୟ ଏକ ଲୋକ ପାଇଁ ପ୍ରଭାବ ପକାଉଚି ।

 

ସୁଷମା : କ’ଣ ହେଲା ସେଉଠୁ ? ତମେ ତାଙ୍କ କଥା ମାନ ନାହିଁ । ମାତ୍ର ଏତିକି ବକଟେ ଘଟଣା; ଆଉ ତମେ ଏକବାରେ ବ୍ୟସ୍ତ-ବିବ୍ରତ ହେଇପଡ଼ୁଚ ! ଛାଡ଼ା ସେ କଥା, କାରରେ ବସି ଏ ବିଷୟରେ ଚିନ୍ତା କରିନେବ । କୋଉ ଏବେ ଫାଶୀ ହେଇଯାଉଚି ଏଥିରେ ?

 

ହୁଜା : (ସମସ୍ୟାକୁ ହାଲୁକା କରିବାର ପ୍ରଚେଷ୍ଟାକୁ ପସନ୍ଦ ନକରି ସୁଷମାକୁ) ତମେ ତ ସବୁ ସମୟରେ ପିଲାଙ୍କ ଭଳି କଥାବାର୍ତ୍ତା କରୁଚ । ଏ ସମୟରେ କ୍ଲବ୍‌ ଯାଇ ମତେ ଭଲା କ’ଣ ମିଳିବ ?

 

ସୁଷମା : ମୁଁ ଯାହା କହୁଚି–ଇଏ କୌଣସି ଯୁକ୍ତି ନୁହେଁ କି ?

 

ହୁଜା : କିନ୍ତୁ ସେଠିକି ଯାଇ କରିବି କ’ଣ ? ଏଇ ଦେଖ, ଏଠି ଫାଇଲ କେମିତି ଗଦା ହେଇଚି । କେତେ କାମ ଏବେ ବାକି ପଡ଼ିଚି । ପୁଣି ସାକ୍ଷାତକାରଙ୍କ ସମୟ ମଧ୍ୟ ଆରମ୍ଭ ହୋଇଯିବ ।

 

ସୁଷମା : (ପ୍ରେମଭାବ ବ୍ୟକ୍ତକରି) ନା ପ୍ରିୟ, ତମେ ମୋ ସାଙ୍ଗରେ ନିଶ୍ଚୟ ଯିବ । ପ୍ଲିଜ୍‌-!

 

ହୁଜା : କିନ୍ତୁ ମୁଁ କରିବି କ’ଣ ? ତମେ ତ ମିସେସ୍‌ ନିଗେସଙ୍କ ସାଙ୍ଗରେ କଥାହେବ; ହେଲେ ମୁଁ କ’ଣ କରିବି ?

 

ସୁଷମା : ସେଠି ତମରି ଦରକାର ଅଛି । ତମ ବ୍ୟତୀତ କଥାଟା ହେଇପାରିବନି ।

 

ହୁଜା : (ସୁଷମାଙ୍କ ପିଲାମି ପ୍ରତି ବିରକ୍ତ ହୋଇ; ମାତ୍ର ମୁହଁରେ ସେ ଭାବ ବ୍ୟକ୍ତ ନକରି) ମୁଁ ବୁଝିପାରୁନି ମୋର ସେଠି କି ଦରକାର ?

 

ସୁଷମା : କଥା କ’ଣ କି–ମୁଁ ଆଉ ମିସେସ୍‌ ନିଗେସ୍‌ ମିଶି କ୍ଲବରେ ଲେଡ଼ିଜ୍‌ ଫେୟାର କରିବାକୁ ଚାହୁଁଚୁ । ସେ ଦିଗରେ ଆମର ତୁମ ସାହାଯ୍ୟ ଦରକାର ।

 

ହୁଜା : (ଯିବା କଥାକୁ ନାକଚ କରିବା ଉଦ୍ଦେଶ୍ୟରେ) ତମେ ଯେଉଁ ସହାୟତା ଚାହିଁବ, ମିଳିଯିବ । ଏଇଟା ଗୋଟା କ’ଣ ପଚାରିବାର କଥା ?

 

ସୁଷମା : ପଚାରିବାର କଥା ବୋଲି ତ ମୁଁ ତୁମକୁ ସାଙ୍ଗରେ ନେବାକୁ ଆଗ୍ରହ ପ୍ରକାଶ କରୁଚି । ତୁଚ୍ଛାଟାରେ ଭଲା ତୁମକୁ କିଏ ବିବ୍ରତ କରନ୍ତା ! (ଟିକିଏ ବିଗିଡ଼ିକରି) ତମେ ମତେ କ’ଣ ଭାବିଲ କି ?

 

ହୁଜା : (ଦୁଷ୍ଟାମି କରି) ପୂରା ମଜା କରିବାକୁ ଚାହୁଁଚ ନା ?

 

ସୁଷମା : (ଅଧିକ ବିଗିଡ଼ିଯାଇ) ପୁଣି ସେଇକଥା ? ମୁଁ ତେବେ ଯାଉଚି । ମୋର ଏଠିକି ଆସିବାଟା ତମୁକୁ ଖୁବ୍‌ ଖରାପ ଲାଗୁଚି ନିଶ୍ଚୟ ।

 

ହୁଜା : (ସ୍ୱର ବଦଳାଇ) ବାଃ, ସାଙ୍ଗେ ସାଙ୍ଗେ ରାଗିଯାଉଚ ? ପିଲାଙ୍କଭଳି ? ଆଚ୍ଛା କୁହତ, କ’ଣ ଅସୁବିଧା ଦେଖାଦେଇଚି ?

 

ସୁଷମା : (ରାଗିବା ଗଳାରେ) କିଛି ଅସୁବିଧା ହେଇନି । ଠିକ୍‌ ଭାବରେ କଥାବାର୍ତ୍ତା କରିବ ତ ରହିବି । ନଚେତ୍‌ ମୁଁ ଚାଲିଲି ।

 

ହୁଜା : (ସୁଷମାର ହାତଧରିପକାଇ) ଆସ, ଚଉକିରେ ବସ । ଆଉ କୁହ, ମତେ କ’ଣ କରିବାକୁ ହେବ ?

 

ସୁଷମା : (ବସିବାକୁ ନାସ୍ତିକରି) ତମେ ମତେ ଆଗ କୁହ–କ୍ଲବ୍‌ ପର୍ଯ୍ୟନ୍ତ ତମେ ମୋ ସାଙ୍ଗରେ ଯାଇ ପାରିବ କି ନାଇଁ ?

 

ହୁଜା : (ଦୃଢ଼ ସ୍ୱରରେ) ନା ।

 

ସୁଷମା : (କିଛି ସମୟ ଚୁପ୍‌ରହି ମନେମନେ ପରଖିଲା ଭଳି)–କଥା କ’ଣ କି, ମିସେସ୍‌ ପୌରାଣିକ ବି ଏମିତି ଏକ ଫେୟାର୍‌ର ଚେଷ୍ଟାରେ ଅଛନ୍ତି । ହେଲେ ମୋର ଆଉ ମିସେସ୍‌ ଶ୍ରୀଙ୍କର ଇଚ୍ଛା ଯେ ତାଙ୍କଠୁ ଆମେ ଆଗେ କରିନେବୁ ।

 

ହୁଜା : (ଧ୍ୟାନ ନଦେଇ) କରୁନା, କ’ଣ ଯଦି ହେଉଛି ।

 

ସୁଷମା : କିନ୍ତୁ ଏକଥା ନ ହେଇଯାଉ ଯେ, ସେ ବ୍ରିଗେଡ଼ ହେଡ଼କ୍ୱାର୍ଟର ସହାୟତାରେ ଫେୟାର କରିଦେଉ–ଆଉ ଆମେ ମୁହଁକୁ ଚାହିଁ ରହିଯାଉଁ ।

 

ହୁଜା : (ପୂରା ଘଟଣାରେ ବିରକ୍ତ ହୋଇ) କେମିତି ବୋକୀଙ୍କ ଭଳି ତମେ କଥା କହୁଚ ମ ! ମୁଁ କ୍ଲବ୍‌ର ଏକ୍‌ଜିକ୍ୟୁଟିଭରେ ପାସ୍‍ କରିଦେବି ଯେ, ମିସେସ୍‌ ହୁଜାଙ୍କ ପ୍ରସ୍ତାବ ପ୍ରଥମେ ଆସିଥିଲା; ତେଣୁ ଫେୟାର ତାଙ୍କରି ଦ୍ୱାରା ହେଉ । ଅତି ସହଜ କଥା ଇଏ । ଆଜି ସନ୍ଧ୍ୟାକୁା ଦରଖାସ୍ତ ଦେଇଦେବ । ହେଲା ?

 

ସୁଷମା : ପରେ ପୁଣି ତମେ କହିବ–ସ୍ତ୍ରୀଲୋକମାନେ ପରସ୍ପର ଭିତରେ କଳି କରି ଆମ ସମ୍ୱନ୍ଧକୁ ଖରାପ କରୁଛନ୍ତି ।

 

ହୁଜା : (ବିଶ୍ୱାସ ଦେଇ) କେବେ କହିବିନି ମାଇଁ ଡିଅର୍‌ !

 

ସୁଷମା : ତା’ ସାଙ୍ଗରେ ପୁଣି ଏଇୟା କହିବ ଯେ–ଏଇଭଳି କଥାରେ ସିଭିଲ ଆଉ ମିଲିଟାରୀରେ ସମ୍ୱନ୍ଧ ଖରାପ ହେଉଚି ।

 

ହୁଜା : (ସମସ୍ତ ସମସ୍ୟାକୁ ଲାଘବ କରିବା ଦୃଷ୍ଟିରୁ) କିଛି ହେବନି; ତମେ ଯାହା ଚାହୁଁଚ କର । ମୁଁ ସବୁଥର ଭଳି ସମ୍ଭାଳିନେବି ।

 

ସୁଷମା : ତେବେ ଠିକ୍‌ ଅଛି । ମୁଁ ଏକୁଟିଆ କ୍ଲବ୍‌କୁ ଚାଲିଯାଉଚି । ସବୁକଥା ମୁଁ ଏବଂ ମିସେସ୍‌ ନିଗେସ ପକ୍‌କା କରିନେବୁ ।

 

ହୁଜା : କିନ୍ତୁ ଏବେ ଯାଅନି । ପ୍ରଥମେ ମୋ ସମସ୍ୟାକୁ ଥଣ୍ଡା କରି ଯାଅ ।

 

ସୁଷମା : କ’ଣ ?

 

ହୁଜା : କ’ଣ ? ମୁଁ ଏଡ଼େ ବଡ଼ ବିପଦରେ ପଡ଼ିଛି; ଆଉ ତମେ ପଚାରୁଚ କଅଣ ?

 

ସୁଷମା : ଆଉଥରେ କୁହନା ।

 

ହୁଜା : ତମକୁ ପରା କହିଲି, ବାବୁ ରାମପ୍ରସାଦ ଚତୁରତାର ସହିତ ନିଜର ଜଣେ ମିତ୍ରକୁ ହେଡ଼୍‌ କ୍ଲର୍କ କରିବାକୁ ଚାହୁଁଚି ।

 

ସୁଷମା : (ନିରୀହତା ସହିତ) ତମେ କରିଦଉନା ।

 

ହୁଜା : କଥାଟା ଏତେ ସହଜ ନୁହେଁ । କୋଉ କଥାଟା ଏବେ ମୁଁ କରିବି ?

 

ସୁଷମା : ମୁଁ ତ ଆରମ୍ଭରୁ ତମୁକୁ କହି ଆସୁଚି ରାମପ୍ରସାଦର ସବୁକଥାକୁ ତମେ ମାନି ନିଅନାହିଁ । ସେ ତ ସେଇଭଳିଆ ଲୋକଟାଏ । ଡାଡି ମଧ୍ୟ ତା’ ଉପରେ ଏମିତି ବିଶ୍ୱାସକରି ପଶ୍ଚାତାପ କରିଥିଲେ ।

 

ହୁଜା : ତାଙ୍କୁ ମଧ୍ୟ ଇଏ ହଇରାଣ କରିଦେଇଚି !

 

ସୁଷମା : ପୂରା ହଇରାଣଟେ କରିଚି । ଦି’ ତିନି ମାସ ପରେ ହିଁ ଆମର ବଦଳି ହୋଇଯାଇଥିଲା ।

 

ହୂଜା : ଆଜିଯାଏ ମୁଁ ତା’ର ସବୁକଥାକୁ ସ୍ୱୀକାର କରି ନେଉଥିଲି; କିନ୍ତୁ ଏଥର ସ୍ୱୀକାର ନ କରିବା ପାଇଁ ମନ ହେଉଚି ।

 

ସୁଷମା : ତା’ହେଲେ ନ କର । ଭୟ କୋଉ କଥାକୁ ? ମକ୍‌କାର ଅଟା ଆଣି ଦେଇଥିଲା; ବାସୁମତୀ ଚାଉଳା କେଉଁଠୁ ଅମଳକରି ଦେଇଥିଲା । ଏଇ କଥାରେ କିଏ କ’ଣ କାହାର ବଶ ହେଇଯାଏ ?

 

ହୂଜା : ତମ ପାଖରେ ଆସି ନେହୁରା-ନିମତ ହୋଇ କଥାହେବ ।

 

ସୁଷମା : କରୁଚି ଯଦି କରୁ । ମତେ ତ ସିଏ କେବେହେଲେ ଭଲ ଲାଗେନି । ଡାଡିଙ୍କ ସମୟରେ ଚାକିରିରେ ମୁକରିର ହେଇଥିବା ଲୋକ । ପୁଣି ତା’ର ଝିଅ ସରୋଜିନୀ ମୋର ଘନିଷ୍ଠ ବାନ୍ଧବୀ ଥିଲା । ମାତ୍ର ତା’ର ମାନେ ନୁହେଁ ଯେ

 

ହୁଜା : ସିଏ ତ ସମସ୍ତଙ୍କୁ କହିବୁଲୁଚି, ସାହେବଙ୍କ ପତ୍ନୀ ମୋ ଝିଅର ଫ୍ରେଣ୍ଡ । ସେଥିପାଇଁ ମୁଁ ଯାହା ଚାହିଁବି, ସାହାବଙ୍କଠୁ ତାହା କରେଇନେବି ।

 

ସୁଷମା : ମୁଁ ତମୁକୁ ପଚାଶ ଥର କହିଥିବି, ରାମପ୍ରସାଦର ସବୁକଥାକୁ ମାନିନେବ ନାହିଁ-। ପିଲାଦିନୁ ମତେ ଏ ଲୋକଟା ଚାଲାକ ଓ ସୁବିଧାବାଦୀ ଭଳି ଲାଗେ-। ପ୍ରଥମେ ମୁଁ ଯେତେବେଳେ ସରୋଜିନୀ ସାଙ୍ଗରେ ଦେଖା କରିବାକୁ ଯାଉଥିଲି, ସେତେବେଳେ ଇଏ ମୋ ଚାରିପଟେ ଘୂରିବୁଲୁଥିଲା । ଥରେ ମତେ ସେ କହିଲା, ରାୟବାହାଦୁର ସାହେବଙ୍କୁ କହିବୁ–‘ମୋ ପ୍ରତି ଟିକିଏ ଦୃଷ୍ଟି ରଖିଥିବେ’ । ବାସ୍‌, ସେଥିପାଇଁ ମତେ ଇଏ ଭଲ ଲାଗେନାହିଁ । (କିଛି ସମୟ ପାଇଁ ନୀରବରହି) କିନ୍ତୁ ମୁଁ ଜାଣିପାରୁନି, ତମେ କେମିତି ତା’ର ସବୁକଥାକୁ ମାନିନେଉଚ ?

 

ହୁଜା : ସୁଷମା ! ଦି’ପଟେ ମୋର ଅଡ଼ୁଆ–ବିପଦ । ମାନିନେଲେ ଅଡ଼ୁଆ ହେବ, ନ ମାନିଲେ ଅସୁବିଧା ।

 

ସୁଷମା : ନ ମାନିଲେ କ’ଣ ଅସୁବିଧା ଶୁଣେ ? ସେ ତମର କ’ଣ ବିଗାଡ଼ି ଦେବ ?

 

ହୁଜା : ତମର ସେଠ ରାମଦୟାଲେ ଘଟଣା ମନେଅଛି ?

 

ସୁଷମା : (ଚମକିପଡ଼ି) ହଁ ।

 

ହୁଜା : ମୁଁ ପରେ ଜାଣିବାକୁ ପାଇଲି, ସେ ରାମପ୍ରସାଦର ସମ୍ପର୍କୀୟ ।

 

ସୁଷମା : ତା’ମାନେ ?

 

ହୁଜା : ତା’ର ଅର୍ଥ ହେଉଚି, ରାମପ୍ରସାଦ ଜାଣିସାରିବଣି ତା’ କାମକୁ ମୁଁ କରିଦେବିଣି–ସେଇଥିପାଇଁ...-

 

ସୁଷମା : ତା’ହେଲେ ତ ନିଶ୍ଚୟ ଜାଣିସାରିବଣି ।

 

ହୁଜା : (ରହସ୍ୟ ଖୋଲି) ସେଥିପାଇଁ ମୁଁ ରାମପ୍ରସାଦର ସବୁକଥାକୁ ମାନିନେଉଚି । ଯେମିତି ସେ ଆମ ବିରୁଦ୍ଧରେ କୌଣସି କଥା କହିବାକୁ ସୁବିଧା ପାଇବ ନାହିଁ ।

 

ସୁଷମା : (ସାରା କଥାକୁ ନୂଆ ଦୃଷ୍ଟିରେ ଦେଖି) କିନ୍ତୁ ଏସବୁ ଏମିତି କେତେଦିନ ଚାଲୁରହିଥିବ ?

 

ହୁଜା : (କଥାକୁ ଦୋହରାଇ) ଆଜିଯାଏ ଚଳିଆସିଲାଣି ।

 

ସୁଷମା : (ହୁଜାଙ୍କର କଥାରୁ କଥା ବାହାର କରି) ପୁଣି ଭବିଷ୍ୟତରେ ବି ଚାଲୁ ରଖିବ ।

 

ହୁଜା : କିନ୍ତୁ ଏ ଘଟଣାରେ ମୋ ମନ ମାନୁ ନାହିଁ ।

 

ସୁଷମା : କାହିଁକି ?

 

ହୁଜା : ମନଚନ୍ଦା ସବୁଠାରୁ ସିନିଅର; ପୁଣି ତା’ କାମ ମଧ୍ୟ ସନ୍ତୋଷଜନକ । ଦୁଇବର୍ଷ ପରେ ସେ ପେନ୍‌ସନ୍‌ ପାଇ ଯିବ । କ’ଣ କ୍ଷତି ହେବ, ଯଦି ସେ ଦୁଇବର୍ଷ ପାଇଁ ହେଡ଼୍‌ କ୍ଳର୍କ ହେଇଯାଏ । ବେଶି କିଛି ନ ହେଲେ ତ, ତା’ ପେନ୍‌ସନରେ ପନ୍ଦର କୋଡ଼ିଏ ଟଙ୍କା ପ୍ରତି ମାସରେ ଅଧିକ ମିଳିଯିବ ।

 

ସୁଷମା : କଥାଟା ତ ଠିକ୍‌ ।

 

ହୁଜା : କିନ୍ତୁ ରାମପ୍ରସାଦ ନିଜର ବନ୍ଧୁ ରାମସ୍ୱରୂପକୁ ସାହାଯ୍ୟ କରିବାକୁ ଚାହୁଁଚି ।

 

ସୁଷମା : (ଭାବି) ତମେ ଯଦି ତା’ କଥା ନ ମାନ, ତେବେର କ’ଣ ହେବ ?

 

ହୁଜା : ହବ ଆଉ କ’ଣ ? ବୋଧେ ରାମପ୍ରସାଦ ମୋ ନାଁରେ କିଛି କଥା ଉଠେଇବ ।

 

ସୁଷମା : ତୁମେ କ’ଣ ଆଉଥରେ ନଉଚ ଯେ, ସେ କହିବା ଦ୍ୱାରା କିଛି ଅନ୍ତରାୟ ସୃଷ୍ଟି ହେବ ?

 

ହୁଜା : ସେଥିପାଇଁ ତ ମୁଁ କହୁଚି, ଆଗରୁ ଆମର ଇଜ୍ଜତ ଓ ରେପୁଟେସନ୍‌ ରହିଛି । ତାହା ସେମିତି ରହୁ; କଳଙ୍କିତ ନ ହେବା ଦରକାର ।

 

ସୁଷମା : ତା’ହେଲେ ଚିନ୍ତା କର ।

 

ହୁଜା : କାଲିଠାରୁ ମୁଁ ଏଇ ବିଷୟରେ ଚିନ୍ତା କରୁଚି । ଆଉ କ’ଣ କରୁଚି କି ?

 

ସୁଷମା : ବିରକ୍ତ ହେବାର କିଛି କଥା ନାହିଁ । ଚିନ୍ତା କରି ଆଗେଇଲେ କିଛି ନା କିଛି ରାସ୍ତା ମିଳିଯିବ ।

 

ହୁଜା : ରୁହ ହେ ଟିକେ । ଏଇନା ମତେ ଉପଦେଶ ଦେବା ଆରମ୍ଭ କରିଦେଲଣି ।

 

ସୁଷମା : ଆଚ୍ଛା ତମେ ଆଗେ କୁହ ତ, ତମେ କେବଠୁଁ ଜାଣିଲ ସେଠ ରାମଦୟାଲ ରାମପ୍ରସାଦର ସମ୍ପର୍କୀୟ ବୋଲି ?

 

ହୁଜା : କେତେ ମାସ ଆଗରୁ ତ ମୁଁ ଜାଣିଲିଣି । କିନ୍ତୁ ମୁଁ ତମକୁ କହିନଥିଲି ।

 

ସୁଷମା : କାହିଁକି, ମତେ କହିବାରେ କ’ଣ ଅସୁବିଧା ଥିଲା ?

 

ହୁଜା : ମୁଁ ଭାବିଲି, ତମେ କାହିଁକି ମିଛଟାରେ ଚିନ୍ତାରେ ପଡ଼ିବ । ଛାଡ଼, କ’ଣ ଅବା ହେଇଯିବ ?

 

ସୁଷମା : ଏତେ ଜରୁରୀ କଥା–ଅତି କମରେ ମତେ ତ କହିବାର ଥିଲା । ଆଚ୍ଛା, ତମେ ଏ ବିଷୟରେ ଜାଣିଲ କେମିତି ?

 

ହୁଜା : ହେଡ଼୍‌ କ୍ଳର୍କ ପୁରୀଙ୍କଠାରୁ ।

 

ସୁଷମା : କେମିତି ?

 

ହୁଜା : ସେଠ ରାମଦୟାଲଙ୍କ କାଗଜପତ୍ର ମୋ ପାଖକୁ ଆସିସାରିଥିଲା । ପୁରୀ ମୋ ପାଖରେ ଠିଆ ହୋଇଥିଲା । କହିଲା, ସାର୍‌ ! ଏ ସେଠ ଆମ ସୁପରିନଟେଣ୍ଡେଣ୍ଟଙ୍କ ମାମୁ ହୁଅନ୍ତି ।

 

ସୁଷମା : ଆଚ୍ଛା, ତା’ହେଲେ ଏତେ ନିକଟସମ୍ପର୍କ ?

 

ହୁଜା : (ସୁଷମାଙ୍କ ବ୍ୟସ୍ତତା ପ୍ରତି ଦୃଷ୍ଟି ନ ଦେଇ) ମୁଁ କଥାଟାକୁ ଇଗନୋର୍‌ କରିଦେଲି-। ସେ ପୁଣି ସେଇକଥାକୁ ଆଉଥରେ କହିଲା । ମୁଁ କହିଉଠିଲି, ‘ସେଥିରୁ ହେଲା କ’ଣ-?’ ସେ କହିଲା, ‘ଆଉ ତ କିଛି ନୁହେଁ–ଯେମିତି ସୁପରିନଟେଣ୍ଡେଣ୍ଟ ସାହେବ ନିଜ ମାମୁଙ୍କ ବିଷୟରେ ଆପଣଙ୍କୁ କିଛି କହି ନ ପାରେ । ତେଣୁ ଭାବିଲି, ମୁଁ ଆପଣଙ୍କୁ କଥାଟା ମନେପକେଇ ଦେଇଥାଏ-।’

 

ସୁଷମା : ସେଇଠୁ ତମେ କ’ଣ କହିଲ ?

 

ହୁଜା : ମୁଁ କହିଲି, ‘ଆମକୁ ଏଥିରେ ଅନ୍ତର ପଡ଼ୁଚି ବା କ’ଣ ? ଯାହା ଠିକ୍‌, ତାହା ବଳେ ହେଇଯିବ ।’

 

ସୁଷମା : ଏହାର ମାନେ କ’ଣ ? ତାକୁ କ’ଣ ଜଣା ଯେ ତୁମେ ରାମଦୟାଲଠାରୁ କିଛି

 

ହୁଜା : କିମ୍ୱା ଏଇୟା ବି ହୋଇପାରେ–ରାମପ୍ରସାଦ ତାକୁ ଶିଖେଇ ଦେଇଥିବ ଯେ ମତେ ପରୀକ୍ଷା କରି ଦେଖୁ, କିପରି ମୁଁ.....

 

ସୁଷମା : ରାମପ୍ରସାଦ ବଡ଼ ସଇତାନ । ହେଇପାରେ, ସେ ତମୁକୁ ସୂଚେଇ ଦେବାକୁ ଚାହିଁଥିବ ଯେ ତାକୁ ତମର ଆଉ ସେଠ ରାମଦୟାଲଙ୍କ ଭିତିରିକଥାଟି ଜଣା ।

 

ହୁଜା : ଯାହା ବି ହେଉ । ସେଠର ସହାୟତାରେ ଯେଉଁ ଗାଡ଼ି ମିଳିବାର ଥିଲା, ମିଳିଗଲା । ଏବେ ଆମର ଆଉ କୌଣସି ଜିନିଷ ଦରକାର ନାହିଁ । ରୁହ । ......ମୋ ମୁଣ୍ଡକୁ ଗୋଟାଏ ବୁଦ୍ଧି ଜୁଟିଲା । ମୁଁ ଗୋଟାଏ କାମ କରୁଚି । –(ଘଣ୍ଟି ବଜାଇଲେ । ଚପରାସିର ପ୍ରବେଶ-।) ଟିକେ ହେଡ଼୍‌ କ୍ଳର୍କଙ୍କୁ ଏଠିକି ଡାକ । (ଚପରାସି ଚାଲିଗଲା ।)

 

ସୁଷମା : କ’ଣ କରିବାକୁ ଯାଉଚ ?

 

ହୁଜା : ମୁଁ ହେଡ଼୍‍ କ୍ଳର୍କଙ୍କୁ ପଚାରିବାକୁ ଚାହୁଁଚି, କ’ଣ କରାଯିବା ଉଚିତ ?

 

ସୁଷମା : ସେ କ’ଣ କିଛି ନୂଆ ମନ୍ତ୍ରଣା ଦବ ନା କ’ଣ ମ ? (ଦୁର୍ବଳତା ପାଖରେ ଧରା ଦେଇ) ମୋ ବିଚାରରେ ରାମପ୍ରସାଦ ଯାହା କହୁଚି, ସେଇୟା କରିଦିଅ ।

 

[ହେଡ଼୍‍ କ୍ଳର୍କ ପୁରୀ ବାହାରୁ ପ୍ରବେଶ କଲେ । 55 ବର୍ଷୀୟ, ଅଫିସ କାମରେ କ୍ଳାନ୍ତ ହେଇଥିବା କିରାଣି । ଯାହାର ପିଠି କ୍ରମାଗତ ଚଉକି ଉପରେ ବସିରହିଥିବା ଯୋଗୁଁ ନଇଁପଡ଼ିଥିଲା-। ଯେପର୍ଯ୍ୟନ୍ତ ସେ ସାହେବଙ୍କ ଆଗରେ ଠିଆ ହୋଇ ରହୁଥିଲା, ସେଯାଏ ନିଜ ଅଣ୍ଟାରେ ହାତ ଭରା ଦେଉଥିଲା । ଯେମିତିକି ପଡ଼ିଯିବା ଆଗରୁ ନିଜେ ରକ୍ଷା କରି ନେଉଚି ।]

 

ହୁଜା : ଆସନ୍ତୁ ।

 

ପୁରୀ : ନମସ୍କାର ଆଜ୍ଞା !

 

ସୁଷମା : ନମସ୍କାର !

 

ହୁଜା : ପୁରୀ ସାହେବ ! କହନ୍ତୁ ତ, ପ୍ରମୋସନ୍‍ ଲାଗି ଏ ଅଫିସ୍‌ର ରୀତି କ’ଣ ?

 

ପୁରୀ : କ’ଣ କହିଲେ ସାର୍‌ ? କଥାଟା ମତେ ସ୍ପଷ୍ଟ ଶୁଭିଲା ନାହିଁ ।

 

ହୁଜା : ମୋର ପଚାରିବାର ଉଦ୍ଦେଶ୍ୟ ହେଉଚି ଆସନ୍ତା ମାସରେ ଆପଣ ତ ରିଟାୟାର କରିବେ । ତା’ହେଲେ ଆପଣଙ୍କ ଜାଗାକୁ କାହାର ପାଳି ପଡ଼ିବ ?

 

ପୁରୀ : ସାର୍‌, ଆମ ଅଫିସ୍‌ର ଚଳଣି ହେଉଚି, ଯଦି ପରବର୍ତ୍ତୀ ଲୋକର ଚାକିରିକାଳ ଦୁଇବର୍ଷରୁ କମ୍‌ ଥାଏ, ତେବେ ତାକୁ ପ୍ରମୋସନ୍‌ ଦିଆଯିବନାହିଁ । ତା’ ପରବର୍ତ୍ତୀ ଲୋକକୁ ଦିଆଯିବ ।

 

(ହୁଜା ସୁଷମାଙ୍କ ଆଡ଼କୁ ଚାହିଁଲେ । ମାତ୍ର ସେ ନିଶ୍ଚଳ ଭାବେ ବସିଥିଲେ ।)

 

ହୁଜା : (କଥାର ସ୍ପଷ୍ଟତା ପାଇଁ) ଏବେ ପାଳି ମନଚନ୍ଦାର ନା ରାମସ୍ୱରୂପର ?

 

ପୁରୀ : ମନଚନ୍ଦାର ଚାକିରି ଆଉ ଦୁଇବର୍ଷ ତିନିମାସ ବାକି ଅଛି ସାର୍‌ ! କିନ୍ତୁ ମୋ ବିଚାରରେ ଚାନ୍‌ସଟା ରାମସ୍ୱରୂପକୁ ହିଁ ମିଳିବା ଉଚିତ ।

 

ହୁଜା : କେଉଁଥିପାଇଁ ? ଯେତେବେଳେ ମନଚନ୍ଦାର ସର୍ଭିସ ଦୁଇବର୍ଷ ତିନିମାସ ଆହୁରି ବାକି ଅଛି, ସେତେବେଳେ ରାମସ୍ୱରୂପକୁ ଚାନ୍‌ସ କାହିଁକି ମିଳିବ ?

 

ପୁରୀ : ମୋ ମତରେ ସାର୍‌, ରାମସ୍ୱରୂପ ହିଁ ଠିକ୍‌ ହେବ । ମନଚନ୍ଦାର ଚାକିରି ଦୁଇବର୍ଷ ଜାଗାରେ ଦୁଇବର୍ଷ ତିନିମାସ ଆହୁରି ଅଛି । ତଥାପି ତିନିମାସର ବ୍ୟବଧାନ ତ ବ୍ୟବଧାନ ନୁହେଁ ।

 

ହୁଜା : କାହିଁକି ? ତିନିମାସ ବ୍ୟବଧାନ କ’ଣ କିଛି ନୁହେଁ ? ଯଦି ଆପଣଙ୍କୁ ତିନିମାସ ଆଗରୁ ରିଟାୟାର୍‌ କରିଦିଆଯାଏ, ତେବେ କ’ଣ ଆପଣଙ୍କୁ ଭଲଲାଗିବ ?

 

ପୁରୀ : ସେ ତ ଅଲଗା କଥା ସାର୍‌ !

 

ହୁଜା : (ଟିକିଏ ରାଗରେ) ନିଜ ପାଇଁ କଥାଟା ଅଲଗା ହେଇଯାଉଚି । ତମେ ସମସ୍ତେ ନିଜ ନିଜ ଭିତରେ ମେଳି ହେଇଚ । ରାମପ୍ରସାଦ ଆଉ ତୁମେ ମଧ୍ୟ । ଏ ରାମସ୍ୱରୂପ କିଏ, ଯିଏ ତମ ସମସ୍ତଙ୍କୁ କାବୁ କରି ରଖିଚି ?

 

ପୁରୀ : (ନମ୍ରତା ସହ) ନାହିଁ ସାର୍‌, ସେମିତି କିଛି ନୁହେଁ ।

 

ହୁଜା : (ଅଧିକ ବିରକ୍ତ ହେଇ) ନୁହେଁ, କେମିତି ନୁହେଁ ? ତମେ ସମସ୍ତେ ଏକ୍‌ । ଜାଣେନା, ମନଚନ୍ଦା ବିରୁଦ୍ଧରେ କ’ଣ କ’ଣ ଅଭିସନ୍ଧି କରି ବସିଚ ? ତାକୁ ତମେ ସବୁ ତା’ର ଅଧିକାରରୁ ବଞ୍ଚିତ କରିବାକୁ ଚାହୁଁଚ । ତା’ର ଦୋଷ କ’ଣ ? ସେ ସମସ୍ତଙ୍କଠାରୁ ଭଲକାମ କରେ-। ତା’ଠି କି ଅବିଗୁଣ ଅଛି ?

 

ପୁରୀ : (ଭୟଭୀତ ହୋଇପଡ଼ି) ମୁଁ କିଛି କହିନାହିଁ ସାର୍‌ ! ମୁଁ କେବଳ ଏ ଅଫିସ୍‌ର ଚଳଣି ସମ୍ୱନ୍ଧରେ ଆପଣଙ୍କୁ କହିଚି । ଆପଣ ତା’ପରେ ଯାହା କରିବା କଥା କରନ୍ତୁ । ଆପଣ ତ ମାଲିକ ।

 

ହୁଜା : ମୁଁ କୌଣସି ବାଜେ କଥା ଶୁଣିବାକୁ ପ୍ରସ୍ତୁତ ନୁହେଁ । (କ୍ରୋଧରେ) ମୁଁ ନିଜ ଇଚ୍ଛା ଅନୁସାରେ ନିଷ୍ପତ୍ତି ନେବି । ତମର ଚଳଣିକୁ ମୁଁ ତିଳେହେଲେ ଖାତିର୍‌ କରିବି ନାହିଁ । ଏଇ କଥା କାଲିଠୁଁ ମୋ ମୁଣ୍ଡରେ ଭୂତ ହେଇ ସବାର ହେଇଚି । ଏ ଅଫିସ୍‌ର ଚଳଣି ଏଇୟା । ୟାର ଦି’ବର୍ଷ, ତା’ର ଦୁଇବର୍ଷ ତିନିମାସ ରହିଗଲା ।

 

ପୁରୀ : କ୍ଷମା କରିବେ ସାର୍‌ ! ଆପଣଙ୍କର ନିଶ୍ଚୟ କିଛି ଭୁଲ୍‌ ବୁଝାମଣା ହେଇଚି । ମୁଁ ସେଇ ନିବେଦନ.....

 

ହୁଜା : (ତା’ କଥାକୁ କାଟି ଦେଇ) ମତେ ଦୁଃଖ ଲାଗୁଚି ମିଷ୍ଟର ପୁରୀ–ଆପଣା ରିଟାୟାର୍‌ ହେବା ସମୟରେ ମଧ୍ୟ ଅଧିକାରର କଥା ଠିକ୍‌ କରିପାରିଲେ ନାହିଁ । ଅତି କମରେ ଯିବା ସମୟରେ ନିଜ ସ୍ମୃତି ଛାଡ଼ିଯିବା ଉଚିତ ।

 

ପୁରୀ : ସାର୍‌ ! ଯଦି ମତେ ସ୍ପଷ୍ଟ କହିବାକୁ ଦିଅନ୍ତି, ତେବେ ମୁଁ.....

 

ହୁଜା : ସେସବୁ ଆଉ କୋଉ ସମୟରେ କହିବ । ମୁଁ ନିଷ୍ପତ୍ତି କରିନେଲିଣି । ଆପଣ ଯାଇ ମିଷ୍ଟର ମନଚନ୍ଦା ଏବଂ ମିଷ୍ଟର ରାମପ୍ରସାଦ–ଦୁହିଁଙ୍କୁ ମୋ ପାଖକୁ ପଠାଇ ଦିଅନ୍ତୁ । ମୁଁ ସେମାନଙ୍କ ସହିତ କଥାବାର୍ତ୍ତା କରି ନିଜେ ନିର୍ଣ୍ଣୟ କରିନେବି ଯେ ଦୁହିଁଙ୍କ ମଧ୍ୟରେ କିଏ ଉପଯୁକ୍ତ ।

 

[ଏହା କହି ସେ ସୁଷମାଙ୍କ ଆଡ଼କୁ ଚାହିଁଲେ । ଯେପରିକି ସେ ପଚାରିବାକୁ ଚାହୁଁଥିଲେ ଯେ, ସେ ଠିକ୍‌ କହିଛନ୍ତି କି ନା ! କିନ୍ତୁ ସୁଷମା ତଳକୁ ଚାହିଁଥିଲେ । ସେଥିପାଇଁ ତାଙ୍କୁ ସେ ଦେଖିପାରିଲେ ନାହିଁ ।]

 

ପୁରୀ : (ବିବ୍ରତ ହୋଇ) କିନ୍ତୁ ମନଚନ୍ଦା ତ.....ଆଜି ଛୁଟିରେ ଅଛି, ସାର୍‌ !

 

ହୁଜା : ଛୁଟିରେ ଅଛି ! କିନ୍ତୁ ମୋ ପାଖକୁ ତ ତା’ର ଦରଖାସ୍ତ ଆସି ନାହିଁ ?

 

ପୁରୀ : (ଆହୁରି ବିବ୍ରତ ହୋଇ) ତିନିଦିନ ପର୍ଯ୍ୟନ୍ତ ଛୁଟି ଦେବାର ଅଧିକାର ତ ଆପଣ ସୁପରିନଟେଣ୍ଡେଣ୍ଟଙ୍କୁ ଦେଇସାରିଛନ୍ତି, ସାର୍‌ !

 

ହୁଜା : (ମନେପକାଇ) ଓହୋ–ଠିକ୍‌ କଥା । ଏ ବଦମାସ ରାମପ୍ରସାଦ.....(ପୁଣି କ’ଣ ଭାବି) .....ତା’ହେଲେ ରାମପ୍ରସାଦକୁ ମୋ ପାଖକୁ ପଠାଇ ଦିଅନ୍ତୁ ।

 

ପୁରୀ : (ଉଠିପଡ଼ି) ନମସ୍କାର !

 

ସୁଷମା : ନମସ୍କାର । (ସେ ଯିବା ପରେ) ତମେ କ’ଣ କରିବାକୁ ଯାଉଚ ?

 

ହୁଜା : ମୁଁ ରାମପ୍ରସାଦର ପ୍ରସ୍ତାବ ନ ମାନିବା ପାଇଁ ନିଷ୍ପତ୍ତି ନେଉଛି । ତାକୁ ଆଗରୁ କହିସାରିଛି–ନୂଆ ପ୍ରସ୍ତାବ ଲେଖିକରି ଆଣ ।

 

ସୁଷମା : (ଚିନ୍ତାତୁର ସ୍ୱରରେ) ଭାବିନିଅ ଥରେ–ଏଇନା ତ ତମେ କହୁଥିଲ କେତେ ପ୍ରକାରର କଥା ଉଠେଇବ । ଯଦି ସେ.....

 

ହୁଜା : (ଶୀଘ୍ର କହି ଉଠିଲେ) ଯାହା ଇଚ୍ଛା ତାହା କରିଯିବ । କେତେ ଦିନ ଯାଏ ମୁଁ ତା’କଥାରେ ଦବି ରହିଥିବି ?

 

ସୁଷମା : (ଚିନ୍ତିତ ସ୍ୱରରେ) ଏବେ ତ ତମେ ଆଉ ଗୋଟାଏ କ’ଣ କହୁଥିଲ । ପୁଣି ଏଇନା ଆଉରି ଗୋଟା କ’ଣ କହିଲଣି ।

 

ହୁଜା : (ଆଶ୍ୱସ୍ତ ସ୍ୱରରେ) ଏମିତି ସବୁ ହୁଏ । ଯଦି ମୁଁ ଏଇ କଥାରେ ଷ୍ଟାଣ୍ଡ ନ ନେବି ନା ରାମପ୍ରସାଦ ଦିନକୁଦିନ ମୋ ଉପରେ ଚଢ଼ିବସିବ । ସେଥିପାଇଁ ଦରକାର.....

 

(ରାମପ୍ରସାଦର ପ୍ରବେଶ)

 

ହୁଜା : (ରାମପ୍ରସାଦ ଆସିବା ମାତ୍ରେ) ସେ ନୂଆ ପ୍ରସ୍ତାବ ଆପଣ ଲେଖି ଆଣିଲେ ?

 

ରାମପ୍ରସାଦ : ନା ସାର୍‌ !

 

ହୁଜା : କାହିଁକି ?

 

ରାମପ୍ରସାଦ : ମୋ ମତରେ ଆମେ ଏ ବିଷୟରେ ଟିକିଏ ବିଳମ୍ୱ ଏବଂ ବିଚାର ଆଲୋଚନା କରି ନେବା । (ହୁଜାଙ୍କୁ ସ୍ଥିରଭାବେ ଠିଆ ହୋଇଥିବା ଦେଖି) ଏଥିରେ କ୍ଷତିଟା କ’ଣ ହେଇଯିବ ?

 

ହୁଜା : ଆଉ ବେଶି ଭାବିବା ଚିନ୍ତିବା ଦରକାର ନାହିଁ । ମୁଁ ସବୁ ଭାବି-ଚିନ୍ତି ସାରିଛି ।

 

ରାମପ୍ରସାଦ : ମୋ ବିଚାରରେ ଆମେ ଏବେ ତରତର ନ ହେବା ଭଲ ।

 

ସୁଷମା : (ମଝିରେ କହିପକାଇଲେ) ଠିକ୍‌ ଅଛି । ଆଉ ଟିକିଏ ଚିନ୍ତା କରିନିଅ ।

 

ହୁଜା : ଏକଥା କାଲିଠୁଁ ମୋ ମୁଣ୍ଡରେ ସବାର ହେଇଚି । ଯେପର୍ଯ୍ୟନ୍ତ ଏହାର ନିର୍ଣ୍ଣୟ ନ ହେଇଚି, ସେ ପର୍ଯ୍ୟନ୍ତ ମୋ ମନରେ ଶାନ୍ତି ନାହିଁ ।

 

ସୁଷମା : ଡାର୍ଲିଙ୍ଗ ! ନିଷ୍ପତ୍ତି କାଲି କରିନେବ । ବିଶେଷକରିା ଆଜି ଆଉ କାଲି ଭିତରେ ତଫାତ୍‌ ଅବା କ’ଣ ଅଛି ?

 

ହୁଜା : (ଅତିଷ୍ଠ ହୋଇ) ଗୋଟାଏ ଦିନର ତଫାତ୍‌ । ମୋ’ପାଇଁ ଏବେ ଗୋଟାଏ ମୁହୂର୍ତ୍ତ ବି ଅସହ୍ୟ । (ରାମପ୍ରସାଦକୁ) ଆଣନ୍ତୁ, ମୁଁ ଫାଇଲ୍‌ ଉପରେ ଏବେ ଲେଖିଦଉଚି ଯେ –ପୁରୀଙ୍କ ବାଦ୍‌ ମନଚନ୍ଦାକୁ ହେଡ଼୍‍ କ୍ଳର୍କ କରାଯାଉ ।

 

ରାମପ୍ରସାଦ : ସାର୍‌ ! ମୋ କଥା ଉପରେ ଆପଣ ଧ୍ୟାନ ଦେଲେନାହିଁ । ଏହା କଲେ ଅଫିସରେ ବିଭ୍ରାଟ ପ୍ରସରିଯିବ ।

 

ହୁଜା : କିଛି ଶୁଣାଯିବ ନାହିଁ । ମୁଁ ଏ ଅନ୍ୟାୟ ଦେଖିପାରିବି ନାହିଁ । ଅଧିକାର ମନଚନ୍ଦାର ଆଉ ଦାବି ମିଳିବ ରାମସ୍ୱରୂପକୁ !

 

ରାମପ୍ରସାଦ : ସାର୍‌ ! ଅଫିସ୍‌ର ଯାହା ଚଳଣି, ତା’ରି ଅନୁସାରେ ଚାଲିବା ଠିକ୍‌ ହେବ । ନଚେତ୍‌ ଆଉ ଯେଉଁ ଲୋକ ଆଶାଧରି ବସିଛନ୍ତି, ତାଙ୍କ ମନରେ ଅସନ୍ତୋଷ ଖେଳିଯିବ ।

 

ହୁଜା : (ଅପେକ୍ଷା କଲେ ନାହିଁ । ଯେପରିକି କଥାକୁ ଆଉ ନ ଲମ୍ୱାଲ ତୁରନ୍ତ ନିଷ୍ପତ୍ତି ନେବାକୁ ଚାହୁଁଛନ୍ତି) ମୁଁ ସବୁ କିଛି ଚିନ୍ତା କରିସାରିଛି । ନୋଟିଙ୍ଗ ଏଠିକି ଆଣନ୍ତୁ ।

 

[ରାମପ୍ରସାଦ ଫାଇଲ୍‌ ତାଙ୍କ ଆଗକୁ ଦେଲେ । ହୁଜା ତା’ ଉପରେ କିଛି ରେକର୍ଡ଼ କଲେ-। ରାମପ୍ରସାଦ ସୁଷମାଙ୍କ ଆଡ଼କୁ ଚାହୁଁଥିଲେ । ଫାଇଲ ଉପରେ କିଛି ଲେଖିସାରିବା ପରେ ତାହାକୁ ରାମପ୍ରସାଦ ଆଡ଼କୁ ବଢ଼ାଇଦେଲେ । ତା’ପରେ ସୁଖରେ ନିଃଶ୍ୱାସ ମାରିଲେ ।]

 

ରାମପ୍ରସାଦ : ସରକାର ! ଯେଉଁ କଥାରେ ଆପଣ ଖୁସି, ସେଥିରେ ଆମେ ବି ଖୁସି ।

 

ହୁଜା : (ଜିତିଥିବା କଣ୍ଠରେ) ଏବେ ଆପଣ ଯାହା ଇଚ୍ଛା କରୁଛନ୍ତି କୁହନ୍ତୁ । ମୁଁ ଶୁଣିବାକୁ ପ୍ରସ୍ତୁତ ଅଛି ।

 

ରାମପ୍ରସାଦ : ତା’ହେଲେ ଶୁଣନ୍ତୁ ସାର୍‌ ! ମନଚନ୍ଦା ବିଗତ ତିନିବର୍ଷ ହେଲା ଅନ୍ଧ । ଥରେ ତା’ ସାଇକେଲ ମଟରରେ ଧକ୍‌କା ଲାଗି ଯାଇଥିଲା । ଜୀବନଟା ତ ବଞ୍ଚିଗଲା; କିନ୍ତୁ ତା’ର ଆଖି ଦିଇଟାର ଜ୍ୟୋତି ହଜିଗଲା । ପିଲାଛୁଆ ଥିଲାବାଲା ଲୋକଟା; ପୁଣି ଚାକିରି ତା’ର ପାଞ୍ଚ ବର୍ଷ ଥିଲା । ତେଣୁ ଆମେ ସମସ୍ତେ ମିଶି ନିର୍ଣ୍ଣୟକରି ନେଇଥିଲୁ ଯେ ତା’ କାମକରି ତା’ଠୁ ହସ୍ତାକ୍ଷର କରିନେବୁ ।

 

ହୁଜା : (ମୁହଁର ଭାବ ହଠାତ୍‌ ବଦଳାଇ) କ’ଣ କହୁଛନ୍ତି ଆପଣ ? ଯେଉଁ ଫାଇଲ୍‌ ତା’ ସ୍ୱାକ୍ଷରରେ ମୋ ପାଖକୁ ଆସେ, ତହିଁରେ କେବଳ ତା’ରି ସ୍ୱାକ୍ଷର ଥାଏ ?

 

ରାମପ୍ରସାଦ : ବିଲ୍‌କୁଲ୍‌ ଠିକ୍‌ କହୁଚି ସାର୍‌ ! ସେ ଅଫିସ୍‌ର ଗୋଟାଏ କୋଣରେ ଲୁଚିକରି ବସିରହିଥାଏ । ଆଉ ତା’ର କାମ ଆମେ ସବୁ ମିଶି କରିଦେଉ ।

 

ହୁଜା : ସୁଷମା ! ଶୁଣିଲ ତମେ ?

 

ସୁଷମା : ମୁଁ ତ ଶୁଣି ଶୁଣି ହଇରାଣ ହେଇଗଲିଣି ।

 

ରାମପ୍ରସାଦ : (ତା’ କଥାରେ ଯେପରି କୌଣସି ପ୍ରତିବନ୍ଧକ ନ ଥିଲା) କଥାଟା କେବଳ ଏଇୟା ନୁହେଁ । ଦି’ବର୍ଷ ପରେ ତା’ର ପୁଅ ମାଟ୍ରିକ୍‌ ପାସ୍‍ କରିଯିବ । ଆଉ ମନଚନ୍ଦା ଯେତେବେଳେ ରିଟାୟାର୍‌ କରିବ, ଆମେ ସବୁ ଚେଷ୍ଟାକରି ତାକୁ ଚାକିରିରେ ଭର୍ତ୍ତି କରିଦେବୁ–ଯେପରିକି ତା’ ପରିବାରର ଗୁଜରାଣ ମେଣ୍ଟିଯିବ ।

 

ହୁଜା : ଆପଣ ଆଗରୁ ଏସବୁ ମତେ କହିଲେନି କାହିଁକି ? ଏତେ ବଡ଼ କଥା ।

 

ରାମପ୍ରସାଦ : ସାର୍‌, କେମିତି କହନ୍ତି ? ଜାଣେନା ଆପଣ କ’ଣ ନାଇଁ କ’ଣ କରନ୍ତେ । ଯଦି ଆମେ ଆପଣଙ୍କୁ ଏସବୁ ଆଗରୁ କହିଦେଇ ଥାଆନ୍ତୁ–ହେଇପାରେ, ଆପଣ କହି ଦେଇ ପାରିଥାଆନ୍ତେ ଏମିତିଆ ଲୋକ ଚାକିରିରେ ରହିବା ଉଚିତ ନୁହେଁ ।

 

ହୁଜା : (ନରମ ହୋଇ) ସମ୍ଭବତଃ ।

 

ରାମପ୍ରସାଦ : (କଥାର ସୂତାଖିଅକୁ ପୁଣି ଧରି) ମନଚନ୍ଦାକୁ ଯଦି ହେଡ଼୍‌ କ୍ଳର୍କ କରିଦିଆଯିବ, ତେବେ କାମ କେମିତି ଚଳିବ ?

 

ହୁଜା : ଅଜବ୍‌ କଥା !

 

ରାମପ୍ରସାଦ : (କାଗଜ ସମ୍ଭାଳି ଧରି) ଆଜ୍ଞା, ଆପଣ ଭାବିଥିବେ ଯେ ରାମପ୍ରସାଦ କେଡ଼େ ବେଇମାନ ଲୋକ ! କିନ୍ତୁ କିଛି ଭାବିବାର ନାହିଁ ସାର୍‌ ! ଭୁଲ୍‍ ମଧ୍ୟ ହେଇଯାଏ; ଭୁଲ୍‍ ବୁଝାମଣା ବି ହୁଏ । କୁହାଯାଏ ନା, ଆଖି ଆଗକୁ କୁଟା ଆସିଗଲେ ସୂର୍ଯ୍ୟ ବି ଦେଖାଯାଏ ନାହିଁ । ସେଠି ଏ ଅଧମର ଅବା କି ମହତ୍ତ୍ୱ ?

 

(ହୁଜା ସୁଷମାଙ୍କ ମୁହଁକୁ ଚାହୁଁଥିଲେ । ଆଉ ରାମପ୍ରସାଦ କାଗଜପତ୍ର ଧରି ବାହାରକୁ ଚାଲିଗଲେ ।)

☆☆☆

 

 

 

 

 

 

 

 

 

 

 

ଗୋମୁଖୀ ଶେରମୁଖୀ

 

–ଗୁରଚରନ ସିଂହ ଜସଜା

 

ପାତ୍ର

 

କିଶନ ଦେବୀ

ଶରନ ସିଂହ

ଚୋପଡ଼ା ସାହାବ

ସୁଦର୍ଶନ

 

ପ୍ରଥମ ଦୃଶ୍ୟ

ବଜାରର ଦୃଶ୍ୟ

 

[ଚୋପଡ଼ା ସାହେବ ଓ ଶରନ ସିଂହ ବଜାରରେ କଥା ହେଇ ହେଇ ଚାଲିଆସୁଛନ୍ତି । କିଛି ବାଟ ଆଗେଇ ଆସି ଗୋଟାଏ ପଟକୁ ଠିଆ ହୋଇ କଥାବାର୍ତ୍ତା କରିବାକୁ ଲାଗିଲେ । ଚୋପଡ଼ା ଜଣେ ପ୍ରୌଢ଼ ବୟସର ବ୍ୟକ୍ତି । ପ୍ୟାଣ୍ଟ ପିନ୍ଧିଛନ୍ତି : ହାତରେ ହ୍ୟାଟ୍‌ । ଶରନ୍‌ ସିଂହ ହେଉଚି ଶିଖ, ଯାହାର ଦାଢ଼ି ପାଚିଯାଇଚି । ଲୁଗାପଟା ସାଧାରଣ ଏବଂ ପଗଡ଼ି ମଇଳା । ସେ ଖୋଲା କାମିଜ ପାଇଜାମା ପିନ୍ଧିଛି ।]

ଚୋପଡ଼ା : ଆପଣ ବହୁତ ଜୋରଦାର୍‍ ଲୋକ ସରଦାର ସାହେବ ! ଦେଖନ୍ତୁ, ଏଯାଏ ଜବରଦସ୍ତ ମତେ ଟାଣିଆଣିଲେ ।

ଶରନ : ବାସ୍‌, ଚୋପଡ଼ା ସାହେବ ! ଆପଣ ଏଇ ପହଞ୍ଚିଗଲେ ଜାଣ । ଏଇ ବଜାରରେ ତ ସେ ଘର । (ଅଟକିଯାଇ ଆଙ୍ଗୁଠି ସଂକେତ କରି) ଓ.....ସେଇ ଯୋଉ ଗଳି ଦିଶୁଛିନା, ତା’ରି କୋଣରେ ଥିବା ଘରଟା ଛାଡ଼ି ଆର ଘରଟା ।

ଚୋପଡ଼ା : ଆଚ୍ଛା, ଘର ତ ହେଲା; ଠିକ୍‌ କଥା । କିନ୍ତୁ ମୋର ପ୍ରାର୍ଥନା.....

ଶରନ : (ନ ଶୁଣିଲା ଭଳି) ହେଇ ଦେଖନ୍ତୁ ଆଜ୍ଞା, ଯୋଉଟାର ଛାତର ବାହାର ଅଂଶଟା ସାବଜା ରଙ୍ଗିନ ଦିଶୁଚି, ଆଉ ଦୁଇଟା ଝରକା ଗଳି ଆଡ଼କୁ ଅଛି–ସେଇଟା । ଛାତଉପରେ ଠିଆହେଲେ ମୁକ୍ତ ପବନ ମିଳିବ ।

ଚୋପଡ଼ା : ଆପଣ ବଡ଼ ‘ଇଏ’ ଲୋକ । ମୋର ହାତେ ହାତେ ସଉଦା କରିନେବା ବିଚାର ନାହିଁ । ଆପଣ ବାଧ୍ୟ କରିବାରୁ ସାଙ୍ଗରେ ଚାଲିଆସିଲି ।

ଶରନ : ଚୋପଡ଼ା ସାହେବ ! ସତ କହିବାକୁ ଗଲେ, ମତେ ମୋ କମିଶନ୍‌ ବିଷୟରେ କୌଣସି ଲୋଭ ନାହିଁ । ମୋର ଆପଣଙ୍କ ପ୍ରତି ବିଶେଷ ଶ୍ରଦ୍ଧା ଅଛି । ନହେଲେ ମୋର ମଧ୍ୟ ଆହୁରି ଅନେକ ଗ୍ରାହକ ଅଛନ୍ତି; କିନ୍ତୁ ଆପଣ ବିଶ୍ୱାସ କରନ୍ତୁ, ଭଲ ବ୍ୟବସାୟ କରିବାକୁ ଇଚ୍ଛା ଥିଲେ ବି ଆଉ କାହାକୁ କହିବା ପାଇଁ ମନ ମାନିଲା ନାହିଁ ।

ଚୋପଡ଼ା : ଧନ୍ୟବାଦ, ଧନ୍ୟବାଦ ସରଦାର ସାହେବ ! କିନ୍ତୁ ଅସଲ କଥା ହେଉଚି ବର୍ତ୍ତମାନ କିଛି କିଣାକିଣି କରିବାକୁ ମୋ ହାତରେ ପଇସା ନାହିଁ ।

ଶରନ : ସେ କଥା ଆପଣ ଛାଡ଼ନ୍ତୁ ମ ! ମୁଁ ସବୁ ଜାଣେ । ଏମିତିଆ ଜିନିଷ ନେଇ ଦେବି ଯେ ଆପଣ ମନେକରୁଥିବେ । ଆପଣ ଟିକେ ଚାଲନ୍ତୁ ତ–ଘରଟା ଦେଖେଇଦିଏ.....

ଚୋପଡ଼ା : ମାତ୍ର ମୁଁ ଜାଣୁଚି ବ୍ୟର୍ଥରେ ସମୟ ନଷ୍ଟ କରିବାର କଥା ଇଏ ।

ଶରନ : ଓହୋଃ ! ଚୋପଡ଼ା ସାହେବ କେମିତି ବୋକାଙ୍କ ଭଳି କଥା କହୁଛନ୍ତି ଆପଣ-! ଆପଣ ବେପାରୀମାନଙ୍କ ମଧ୍ୟରୁ ଜଣେ । ବେପାରୀଙ୍କର କାମ କ’ଣ ? ବେପାରା କରିବା-। ବେପାରୀକୁ ଶସ୍ତାରେ ଜିନିଷ ମିଳିଲେ ତୁରନ୍ତ କିଣି ନିଏ । ଭାଉ ମହଙ୍ଗା ହେଇଗଲା ତ ତୁରନ୍ତ ବିକି ଦିଏ । ଲାଲା ଲାଲଚନ୍ଦ୍ରଜୀ ଯୋଉ ନାହାନ୍ତି..... ? ଆଜ୍ଞା, ସେ ତେଲବାଲା ମ ! ଦୁଇମାସ ତଳେ ମୋ ହାତରେ ଜମିଖଣ୍ଡେ ଥିଲା–ବିକିବାବାଲାର ନିହାତି ଦରକାର ପଡ଼ିଥାଏ । ମୁଁ ଲାଲଚନ୍ଦ୍ରଜୀଙ୍କ ସହ କଥା ହେଲି–ସଉଦା ହେଇଗଲା–ଆଉ ଖୁବ୍‌ ଶସ୍ତାରେ ବି ମିଳିଲା.....ତିନି ସପ୍ତାହ ପରେ ସେଇ ଜମିଖଣ୍ଡକୁ ପରା ତିନି ହଜାର ଟଙ୍କା ଲାଭରେ ପୁଣି ବିକେଇ ଦେଇଚି । ଯେଉଁ କାମରେ ଦି’ପଇସା ମିଳିବା କଥା ଆଖିରେ ପଡ଼େ, ବେପାରୀ ଲୋକ ଭଲା ତାକୁ କେବେ ଛାଡ଼ିଦେଇପାରେ-?

 

ଚୋପଡ଼ା : ନା ସରଦାର ସାହେବ ! ମୁଁ ତ ବେପାରୀ, ଠିକ୍‌ କଥା–କିନ୍ତୁ ବେଳକାଳ ନେଇ କଥା ହୁଏ ସିନା !

 

ଶରନ : ମୋ କହିବା କଥା ମାନି, ଏ ସଉଦାକୁ ନିଶ୍ଚୟ ବିଚାର କରନ୍ତୁ । ବିଚାର କରିବାରେ କ’ଣ କିଛି କ୍ଷତି ହେଉଚି ? ଯଦି ଆପଣ ନ ନେବେ, ତେବେ କ’ଣ ଜବରଦସ୍ତି ବେକରେ ବାନ୍ଧି ଦିଆଯାଉଚି ?

 

ଚୋପଡ଼ା : ଆଚ୍ଛା, ଆପଣ ଠିକ୍‌ କହୁଛନ୍ତି ।

 

ଶରନ : ଇଏ ଚାନ୍ଦିନୀଚଉକ ଇଲାକା । ଦିଲ୍ଲୀରେ ଏତେ ଶସ୍ତାରେ ସଉଦା ସୁଯୋଗରେ ହିଁ ମିଳେ ।

 

ଚୋପଡ଼ା : ଶସ୍ତା କ’ଣ ? ଆପଣ ତ ଆକାଶିଆ ଭାଉ ଶୁଣୋଉଛନ୍ତି । ଆରେ ଭାଇ, ଗୋଟା ରିଜନେବ୍ଲ କଥା କହ ।

 

ଶରନ : ମୂଲ କରିବାରେ କ’ଣ ଅଛି ? ଆପଣ ତ ଏଯାଏ କିଛି ଦେଇ ନାହାନ୍ତି । ମାଲିକର ଜିନିଷ; ସେ ଲକ୍ଷେ ମାଗିଦେଇପାରେ । ଆପଣ ହେଲେ ଖରିଦଦାର; ଇଚ୍ଛାକଲେ କଉଡ଼ି ମୂଲ କରିପାରନ୍ତି । ଏଥିରେ ବିରକ୍ତ ହେବାର କ’ଣ ଅଛି ? ସମସ୍ତେ ନିଜ ଶକ୍ତି ମୁତାବକ କାମ କରନ୍ତି । ଥରେ ଆପଣ ଘରଟାକୁ ଦେଖିନିଅନ୍ତୁ ନା । ତା’ପରେ ଯାଇ ମୂଲଚାଲ କରିବାକୁା ସୁବିଧା ହେବ ।

 

ଚୋପଡ଼ା : ଏ କଥାଟା ଆପଣ ଠିକ୍‌ କହିଲେ । ଏଣିକି ମୁଁ ମୋ ପୁଅକୁ ଅଲଗା ବିଜିନେସ୍‌ କରାଇବି ବୋଲି ଭାବୁଚି । ସେ ଏଇ ବର୍ଷ ବି.ଏ. ପାସ୍‍ କଲା ।

 

ଶରନ : କାହିଁକି କରେଇବେନି, କରାନ୍ତୁ । କାମ କରିବା ଉଚିତ । କିନ୍ତୁ ଅଲଗା କରାଇବାର ଆବଶ୍ୟକତା କ’ଣ ଅଛି ? ସେ ବିଚାରା ଏବେ ଅନଭିଜ୍ଞ ଅଛି–ପିଲାଲୋକ । ଆପଣ ମାନନ୍ତୁ ବା ନ ମାନନ୍ତୁ, ହେଲେ ମୁଁ ଏହା ନିଶ୍ଚୟ କହିବି ଯେ, ତାଙ୍କର ଏ ସମୟଟା ବଡ଼ ସୁକୁମାର । ଠିକ୍‌ ହେବ, ଯଦି ଆପଣ ତାଙ୍କୁ ଆଉ ଆଗକୁ ପଢ଼ାନ୍ତି କିମ୍ୱା ଚାକିରିରେ ମୁକରିର୍‌ କରାଇଦିଅନ୍ତି ।

 

ଚୋପଡ଼ା : ଚାକିରି-ବାକିରି ମିଳିବା କ’ଣ ଆଜିକାଲି ସହଜ ହେଇଚି ?

 

ଶରନ : ନିଅ,–ଆପଣଙ୍କ ପୁଅଙ୍କ ପାଇଁ ପୁଣି ଚାକିରି ଅଭାବ ରହିବ ? ଆପଣଙ୍କ ଧାଉଡ଼ କୋଉଯାଏ ନାହିଁ ଭଲା ? ଯେଉଁଠି ଇଚ୍ଛା ସୁପାରିସ୍‍ କରି ନିଯୁକ୍ତ କରିଦେଇପାରିବେ ଆପଣ ।

 

ଚୋପଡ଼ା : ଆପଣ ବି ବଡ଼ ବୋକା । ବିଜିନେସ୍‌ ଆଗରେ ଚାକିରି ଗୋଟା କି ଜିନିଷ-?

 

ଶରନ : ଏ କଥାଟା ଆପଣ ଠିକ୍‌ କହିଲେ । କିନ୍ତୁ.....ଖରାପ ଭାବିବେ ନାହିଁ–ଆଜିକାଲିକାର ପିଲା ରୋଜଗାର କରି ମା’-ବାପଙ୍କୁ ଖୁବ୍‌ କମ୍‌ ଭରଣପୋଷଣ କରୁଛନ୍ତି । ଆପଣ ମୋର ବନ୍ଧୁ; ସେଥିପାଇଁ ଏସବୁ କହୁଚି.....

 

ଚୋପଡ଼ା : ବାଃ ସରଦାରଜୀ ! ମୋ ପୁଅ ମୋ ସାମନାରେ ମୁଣ୍ଡ ଟେକି ଚାଲିବାକୁ ସାହସ କରେ ନାହିଁ ।

 

ଶରନ : ତେବେ ଠିକ୍‌ ଅଛି । ମୁଁ ଗୋଟାଏ କାମ କହିବି–ନିଜ ବନ୍ଧୁର କଥା ରଖିବେ ନା-? କାମଟା ବି ଖୁବ୍‌ ଥାଟ୍‌ବାଟ୍‌ର–ରାଜକୀୟ ।

 

ଚୋପଡ଼ା : ହଁ-ହଁ, କୁହନ୍ତୁ ।

 

ଶରନ : ତା’ହେଲେ ଶୁଣନ୍ତୁ । ଏ ଘରଟା ରଣଜିତ୍‌ ନାଁରେ କିଣିଦିଅନ୍ତୁ । ଲୋକମାନେ କ’ଣ ଘର ବ୍ୟବସାୟ କରୁନାହାନ୍ତି ? .....ଆଉ ମୁଁ ମଧ୍ୟ ଭଲ ବେଉସା ଜୁଟେଇ ଦଉଥିବି ।

 

ଚୋପଡ଼ା : (ଭାବିଚିନ୍ତି) ହୁଁ, ଆପଣ ଠିକ୍‌ କଥା କହୁଛନ୍ତି । ଏକଥାଟା ବି ମୋ ମନକୁ ପାଉଚି ।

 

ଶରନ : ତେବେ ସଉଦା କରନ୍ତୁ । ଆପଣ ଏଇଠି ଥାଆନ୍ତୁ.....ଟିକିଏ ଏଇ ସାମ୍ନା ହୋଟେଲରେ ଅପେକ୍ଷା କରନ୍ତୁ । ଘରମାଲିକ ସାଙ୍ଗରେ କଥାବାର୍ତ୍ତା କରି ମୁଁ ଏବେ ଆପଣଙ୍କ ସାମ୍ନା-ସାମ୍ନି କରେଇଦଉଚି ।

 

ଚୋପଡ଼ା : ହେଲେ ଆପଣ ତ ବହୁତ ଦାମ୍‌ କହୁଛନ୍ତି ।

 

ଶରନ : ଆପଣ ଘର ଭିତରୁ ଦେଖିଲେ ଜାଣିବେ ଯେ ଜିନିଷଟା କେମିତିଆ । ବଡ଼ ମନରେ ଏ ଘର ତିଆରି ହେଇଚି । ଆପଣ ତ ଜାଣିଥିବେ–ମୁହଁରେ ମାଗିଦେଲେ ମରଣ ହେଇଯାଏ ନାହିଁ । ଆପଣ ନିଶ୍ଚିତ ରୁହନ୍ତୁ, ଦରଦାମ କଥା ମୁଁ ନିଜେ ସ୍ଥିର କରିଦେବି । ଏ ଘରର ମାଲିକିଆଣୀ ଜଣେ ଖୁବ୍‌ ସନ୍ଦେହୀ ସ୍ତ୍ରୀଲୋକ । ତାକୁ ମଧ୍ୟ ବୁଝାଶୁଝା କରିବାକୁ ପଡ଼ିବ । ତା’ର ତ ଏ ଘରଟା ଜୀବନଠାରୁ ଅଧିକ ପ୍ରିୟ ।

 

ଚୋପଡ଼ା : ସେ କଥା ଏଣିକି ଆପଣ ଜାଣନ୍ତି ।

 

ଶରନ : ନିଶ୍ଚୟ, ନିଶ୍ଚୟ । ଏଇଟା ତ ମୋ କାମ । କୋଉ କଥାପାଇଁ ମୁଁ ଦଲାଲି ନେବି ମ ? (ଗୋଟାଏ ପଟେ ବାହାରିଗଲା) ।

 

ଦ୍ୱିତୀୟ ଦୃଶ୍ୟ

କିଶନ ଦେବୀଙ୍କ ଘରର ବୈଠକ ରୁମ

 

[କୋଠରିର ସାଜସଜ୍ଜାରୁ ନିମ୍ନ-ମଧ୍ୟବିତ୍ତ ପରିବାରର ଘରଭଳି ଲାଗେ । ମାମୁଲି ଆସବାବପତ୍ର; ମାତ୍ର ସେସବୁ ସଫାସୁତୁରା । ସାମନା ସେଲ୍‌ଫରେ କିଛି ବହିପତ୍ର । ଗୋଟାଏ ପଟେ ଖଟଟିଏ ପଡ଼ିଛି, ଯାହାର ଆଗକୁ ଦୁଇଟି ଚଉକି ଅଛି । ପରଦା ଉଠିଲାବେଳକୁ ଦେଖାଗଲା କିଶନ ଦେବୀ କୋଠରିର ଜିନିଷପତ୍ର ଓ ଫର୍ନିଚର ଆଦିକୁ ସଫା କରୁଛନ୍ତି । ସେ ସାଧାରଣ ପୋଷାକପରିହିତା ଅଧାବୟସର ସ୍ତ୍ରୀଲୋକ । ବୋଧହୁଏ ଘରକାମରେ ଲାଗିଥିବା ଯୋଗୁ ପରିଧାନ ସାଧାରଣ ଧରଣର ହୋଇଛି ।]

 

କିଶନ ଦେବୀ : (ସେଲ୍‌ଫରେ ଥିବା ବହିଗୁଡ଼ିକୁ ପୋଛୁ ପୋଛୁ) ହୁଁ, କେତେ ମଇଳା ଜମିଗଲାଣି ଏ ବହିଗୁଡ଼ା ଉପରେ । ......ସୁଦର୍ଶନ–ଏ ସୁଦର୍ଶନ !

 

ସୁଦର୍ଶନ : (ସତର-ଅଠର ବର୍ଷର ଯୁବକ । ପ୍ରବେଶ କରି) ମତେ ଡାକିଲ ମାଆ ?

 

କିଶନ ଦେବୀ : ପୁଅ, ତୁ ନିଜ କୋଠରି ସଫା କରୁନୁ । ଦେଖୁନୁ, କେମିତି ତୋ ବହିଗୁଡ଼ାକ ଧୂଳିରେ ଆଣ୍ଠିଏ ହୋଇ ପଡ଼ିଚି ।

 

ସୁଦର୍ଶନ : ମାଆ, ମୁଁ ତ ଏବେ ବଜାରରୁ ଫେରୁଚି ।

 

କିଶନ ଦେବୀ : ହଁ, ଏଇନା ତ ମୁଁ ପାସୋରଯାଉଥିଲି । ଘର ସଫା କରୁ କରୁ ମୁଁ ଯେମିତି ପାଗଳ ହେଇଯାଉଚି । ଟିକିଏ ଧ୍ୟାନ ନ ଦେଲେ ଧୂଳିମଳିରେ ଘରର ଚେହେରା ବଦଳିଯାଉଛି ପରା !

 

ସୁଦର୍ଶନ : ତମେ ତ ସାରା ଦିନ ଏମିତି ଲାଗିଛ ।

 

କିଶନ ଦେବୀ : ଖାଲି ଏମିତି ଲାଗିରହିଚି ? ଟିକେ ଯାଇକରି ଦେଖ ତ, ଉପର ବୈଠକ ଘରର ଚଟାଣଟା କେମିତି ଚମକୁଚି । ଦେଖିଲେ ମନ ଖୁସି ହୋଇଯାଉଚି । ତା’ଛଡ଼ା ମୁଁ ତ କାହାରି ପ୍ରତି କୃପା କରୁନାହିଁ । ନିଜ କାମ ହିଁ କରୁଚି । (ଦରଜାରେ ଆଘାତ ଶୁଣାଗଲା) ଟିକିଏ ଦେଖ ତ ସୁଦର୍ଶନ, କିଏ ଡାକୁଚି ?

 

[ସୁଦର୍ଶନ ବାହାରକୁ ଗଲା । କିଶନଦେବୀ ବହିପତ୍ରଗୁଡ଼ିକୁ ସଜେଇ ଠିକ୍‌ ଜାଗାରେ ରଖୁଥିଲେ ଏବଂ ଖଟ ଉପରେ ବିଛାହୋଇଥିବା ଚାଦରକୁ ଠିକ୍‌ କରୁଥିଲେ । ସୁଦର୍ଶନ ଭିତରକୁ ଆସିଲା ।]

 

ସୁଦର୍ଶନ : ମାଆ, ଦଲାଲ ଶରନ ସିଂହ ଆସିଛନ୍ତି ।

 

କିଶନ ଦେବୀ : (ମୁହଁରେ କ୍ରୋଧର ସଂକେତ ଭରିଦେଇ) ପୁଣି ଆସିଗଲା ବିପଦ । ଏ ଦଲାଲଗୁଡ଼ାକ କିଛି କମ୍‍ ଚିଡ଼ୋଉଛନ୍ତି ! କେହି ନା କେହି ମନ ବିରକ୍ତ କରିବାକୁ ଆସି ପହଞ୍ଚିଯାଉଛନ୍ତି ।

 

(ଶରନ ସିଂହର ପ୍ରବେଶ ।)

 

ଶରନ : ନମସ୍କାର ଭଉଣୀ ।

 

କିଶନ ଦେବୀ : (କ୍ରୋଧରେ) ତମେ ପୁଣି ଆସିଗଲ ? ମୁଁ ତମକୁ କେତେଥର କହିସାରିଲିଣି, ମୁଁ ଘର ବିକିବି ନାହିଁ–ବିକିବି ନାହିଁ, ବିକିବି ନାହିଁ । ମତେ କ’ଣ ବାଧ୍ୟ କରିବ ? ଜବରଦସ୍ତି କରିବ ?

 

ଶରନ : ଭଉଣୀ ! ଆପଣ ତୁଚ୍ଛାଟାରେ ନାରାଜ ହେଇଯାଉଛନ୍ତି । ମୁଁ କିଛି କହିଲିଣି ?

 

କିଶନ ଦେବୀ : ତମେ ମୋ ସାଙ୍ଗରେ ବିକ୍ରିବଟା ପାଇଁ କଥା ହେଇଯାଇଥିଲ ନା ଆଗରୁ ! ଦି ମାସ ଯାଏ ମୁହଁ ଦେଖେଇଲ ନାହିଁ । ମୁଁ କେତେଥର ତମୁକୁ କହିସାରିଲିଣି, ଏବେ ମୋର ଘର ବିକିବାର ପ୍ରଶ୍ନ ନାହିଁ । ମାତ୍ର ତମ ଭଳି ଦଲାଲମାନେ, କେଉଁଥିରେ ଗଢ଼ା କେଜାଣି–ବେକାରରେ ମୋ ମୁଣ୍ଡ ଗରମ କରୁଚ କେଉଁଥିପାଇଁ ଆସି ?

 

ଶରନ : ଆପଣ ଟିକେ ବସିଲେ ଆଗ । ମୋ କଥା ଟିକେ ଶୁଣନ୍ତୁ ।

 

କିଶନ ଦେବୀ : କ’ଣ ଶୁଣିବି ମୁଁ ? କେହି ଶୁଣିବାବାଲା ଥିଲେ ସିନା ! ବୁଲି ବୁଲି ତମମାନଙ୍କର ଗୋଡ଼ କେମିତି ଥକି ନ ପଡ଼ୁଚି କେଜାଣି ! ପାଞ୍ଚ-ସାତ ଦିନ ପରେ ପୁଣି ଆସି ପହଞ୍ଚି ଯାଉଛ ।

 

ଶରନ : ଆପଣ ତ ମୋ କଥା ମୋଟେ ଶୁଣୁନାହାନ୍ତି । ଆପଣ ଘର ବିକିଦିଅନ୍ତୁ, ମୁଁ ଏକଥା କହିବାକୁ ଆସି ନାହିଁ, ଆପଣ ବିକନ୍ତୁ ବା ନବିକନ୍ତୁ–ଇଏ ଆପଣଙ୍କର ସମ୍ପତ୍ତି । ମାତ୍ର ମୁଁ ଆପଣଙ୍କର ଯଦି କିଛି କାମରେ ଆସିପାରେ, ଯଦି ମୁଁ ଆପଣଙ୍କର କୌଣସି ସେବାରେ ଲାଗିପାରେ, ତେବେ ମୁଁ ହାଜିର ଅଛି ।

 

କିଶନ ଦେବୀ : (ଟିକିଏ ଶାନ୍ତ ହୋଇ) ତା’ହେଲେ ପୁଣି କୋଉ କଥାପାଇଁ ଆସିଚ ?

 

ଶରନ : ଭଉଣୀ ! ସେ କଥା ନୁହେଁ ଯେ.....(କଥା ବଦଳାଇ) ବୋଧହୁଏ ଆପଣଙ୍କୁ ଜଣାଥିବ ଯେ ମୁଁ କରୋଲବାଗରେ ରହୁଚି । ଆପଣଙ୍କ ଦୟାରୁ ସେଠି ମୋର ଘର ଅଛି । ମୋର ଦିଇଟା କୋଠରିର ଚଟାଣ ଉଠିଯାଇଚି ଏବଂ ଏବେ ସେଠି ନୂଆ ଚଟାଣ ପକାଉଚି । ମୁଁ ଆପଣଙ୍କ ଭାଉଜକୁ କହିଦେଇସାରିଚି ଯେ, ଆପଣଙ୍କ ଚଟାଣ ବହୁତ ବଢ଼ିଆ ହେଇଚି । ଏବେ ସେ ପ୍ରତ୍ୟେକ ଦିନ ମୋ ଜୀବନ ଖାଉଚି–ଚାଲ, ମୋତେ ଦେଖେଇ ଆଣ । କାରଣ ଆମେ ସେମିତି ଚଟାଣ ତିଆରି କରିବା ।

 

କିଶନ ଦେବୀ : (ଟିକିଏ ଖୁସି ହେଇ) ତା’ହେଲେ ଆପଣ ସାଙ୍ଗରେ ଆଣିଲେନି ?

 

ଶରନ : ମୁଁ ଭାବିଲି, ଆଗ ଆପଣଙ୍କ ସାଙ୍ଗରେ କଥା ହେଇସାରେ । ବିନା କୁହାପୋଛାରେ କାହା ଘରେ ଅତିଥି ହେଇଯିବା ମୋଟେ ଭଲ ନୁହେଁ ।

 

କିଶନ ଦେବୀ : କିଛି କଥା ନାହିଁ । ଇଏ ଆପଣଙ୍କ ନିଜ ଘର । ବଡ଼ ଖୁସି ହେବି ଆସିଲେ । ଯେତେବେଳେ ଇଚ୍ଛା ଆସନ୍ତୁ ।

ଶରନ : ମୁଁ ସବୁସମୟରେ ଭଲ ଘର ସଉଦା କରାଇଦଉଚି; ମାତ୍ର ଏମିତି ସଫାସୁତୁରା ସୁନ୍ଦର ଏବଂ ଡିଜାଇନ୍‌ର ଚଟାଣ ମୁଁ ଆପଣଙ୍କ ଘରଛଡ଼ା ଅନ୍ୟ କେଉଁଠି ଦେଖୁନି ।

କିଶନ ଦେବୀ : ଆରେ ଭାଇସାହେବ ! ମୁଁ ଏ ଘରକୁ ନିଜ ରୁଚି ଅନୁଯାୟୀ ତିଆରି କରାଇଚି । ନିଜେ ସାମ୍ନାରେ ଠିଆ ହେଇ ମନକୁ ଗଲାଭଳି ଚଟାଣ ତିଆରି କରାଇଚି । ସୁଦର୍ଶନର ବାପାଙ୍କର ମଧ୍ୟ ସୁନ୍ଦର ସୌଖୀନ ଘର ତିଆରି କରିବାକୁ ଭାରି ସଉକ ଥିଲା ।

ଶରନ : ଆଜ୍ଞା ହଁ, ମୁଁ ଜାଣେ । ତାଙ୍କର ମୋର ନିବିଡ଼ ସମ୍ପର୍କ ଥିଲା । କେଡ଼େ ଆନନ୍ଦରେ ସେ ଘର ତିଆରି କରେଇଥିଲେ । କିନ୍ତୁ ବିଚାରା ତା’ର ସୁଖ ଭୋଗ କରିବାକୁ ସୁଯୋଗ ପାଇଲେ ନାହିଁ । ଛାଡ଼, ତାଙ୍କରି ପିଲାଛୁଆ ଖୁସିରେ ରୁହନ୍ତୁ । ଏବେ ତ ପୁଅ ବଡ଼ ହୋଇ ଗଲାଣି । କ’ଣ ନାଁ ଆପଣଙ୍କ ପୁଅର ?

ସୁଦର୍ଶନ : ଆଜ୍ଞା, ସୁଦର୍ଶନ ।

ଶରନ : କୋଉ ଶ୍ରେଣୀରେ ପଢ଼ୁଛି ?

କିଶନ ଦେବୀ : ସୁଦର୍ଶନ ଏବର୍ଷ ପ୍ରଥମ ଶ୍ରେଣୀରେ ମାଟ୍ରିକ ପାସ୍‍ କରିଚି ।

ଶରନ : ସାବାସ୍‌, ସାବାସ୍‌ ! ତା’ହେଲେ ଭଉଣୀ, ମୁଁ ଅଭିନନ୍ଦନ ଜଣାଉଚି, ବଧେଇ ଜଣାଉଚି । ସତେରେ, ଭାରି ଖୁସି କଥା । ଯେତେହେଲେ ମୋ ସାଙ୍ଗର ପୁଅ ତ ! ମୋ ମନକୁ ପଚାରନ୍ତୁ, ଏତେ ଖୁସି ଆପଣ ହେଉ ନ ଥିବେ–ଯେତେ ମୁଁ ଖୁସି ହେଉଚି ।

କିଶନ ଦେବୀ : ତୁମକୁ ମଧ୍ୟ ବଧେଇ ଜଣାଉଚି । କ୍ଷମା କରିବ, ମୁଁ ତୁଚ୍ଛାଟାରେ ତୁମ ଉପରେ ବିରକ୍ତ ହେଉଥିଲି ।

ଶରନ : ଏଥିରେ ଆପଣଙ୍କର କୌଣସି ଦୋଷ ନାହିଁ ଭଉଣୀ ! ଯେତେହେଲେ ମୁଁ ପ୍ରପର୍ଟି ଡିଲର କିନା !

କିଶନ ଦେବୀ : ମୂଳ କଥା ହେଲା, ଆଉ ଦିଇଟା ଦଲାଲ ଅଛନ୍ତି, ଯେଉଁମାନେ କେବେ କେବେ ଏଠି ଆସି ହାବୁଡ଼ି ଯାଉଛନ୍ତି । ବାରମ୍ବାର ଗୋଟାଏ କଥା ଶୁଣି ଶୁଣି ମଣିଷର ମନ ବିରକ୍ତ ହେଇ ଉଠୁଚି ।

ଶରନ : ଏଇଟା ହେଲା ତାଙ୍କର ଅବୁଝାପଣିଆ । ଯୋଉ କଥା ଥରେ ହେଇଗଲା, ପୁଣି ସେଥିରୁ ରସ ଚିପୁଡ଼ିଲେ କ’ଣ ମିଳିବ ? ଆମେ ପରା ସବୁଦିନେ ଡାଲିଭଳି ଗୋଟାଏ ଜିନିଷକୁ ଖାଇପାରୁନେ । ବଦଳା-ବଦଳି କରି ଘରେ ଡାଲି କରୁଚେ ।

କିଶନ ଦେବୀ : (ହସି ହସି) ସତ କଥା, ଠିକ୍‌ କହୁଚ ।

ଶରନ : ସବୁବେଳେ ନୂଆ ବିଚାର, ନୂଆ କଥା, ନୂଆ ଡିଜାଇନ୍‌, ନୂଆ ଫେସନ, ନୂଆ ପ୍ରକାରର ମୂଲ୍ୟବୋଧ ଚାଲିଚି । ସାରା ସଂସାର ନବୀନତା ପାଇଁ ପାଗଳ ହେଇ ଘୂରୁଚି । ପୁଣି ଇଏ କୋଉ ଅଘଟଣ କଥା ନୁହେଁ ଯେ, ଆପଣ ମୋ ଭଳିଆ ପୁରୁଣା କିସମର ଦଲାଲର ଶସ୍ତା କାନ୍‌ଭାସିଙ୍ଗରେ ଭୁଲିଯିବେ ।

 

କିଶନ ଦେବୀ : ଆରେ, ମୋର ମୋଟେ ଖିଆଲ ନାହିଁ । ଚା’-ଫା ଟିକେ କିଛି ହଉ ? ବାହାରେ ଖରାରେ ବୁଲି ବୁଲି ଆସିଚ ?

 

ଶରନ : ନା–ନା–ମୋତେ ସେମିତି ଶୋଷ-ଫୋଷ ନାଇଁ ।

 

କିଶନ ଦେବୀ : ପୁଅ, ଯାଅ ତ । ମାମୁଙ୍କ ପାଇଁ ସରବତ କରି ଆଣିବୁ ।

 

ସୁଦର୍ଶନ : ହଉ, ମାଆ ! (ପ୍ରସ୍ଥାନ)

 

(ଗୋଟାଏ ମିନିଟ୍‌ ନୀରବତା)

 

ଶରନ : ସୁଦର୍ଶନ କେଡ଼େ ଛୋଟ ଥିଲା ଯେତେବେଳେ ତା’ର ବାପା ମରିଗଲେ ।

 

କିଶନ ଦେବୀ : ସେତେବେଳେ ଆଠ ବର୍ଷର ହେଇଥିଲା ।

 

ଶରନ : ଏବେ ଜାଣିବା-ଶୁଣିବା ପିଲା ହେଇଗଲାଣି । ମାଟ୍ରିକ ପାସ୍‍ କରିଗଲାଣି । ଆଜି ଯଦି ତା’ର ବାପ ଥାଆନ୍ତେ, ତାକୁ ଦେଖି କେତେ ଖୁସି ହେଉ ନ ଥାନ୍ତେ !

 

କିଶନ ଦେବୀ : (ଦୀର୍ଘ ନିଃଶ୍ୱାସ ଛାଡ଼ି) ସତ କଥାରେ ଭାଇ ! ‘କପାଳ ଲିଖନ କେ କରିବ ଆନ’–ଲୋକେ କଥାରେ କହନ୍ତିନି : ଇଏ ସେଇୟା !

 

ଶରନ : ଦୁଃଖ ଲାଗୁଚି ।

 

କିଶନ ଦେବୀ : ଛାଡ଼, ବେଳ ପଡ଼ିଲେ ସବୁ ହେବ । ଧରିନିଅ ସେ ହିଁ ହତଭାଗ୍ୟ ଥିଲେ–ଯିଏ ଏଇ ହସ-ଖୁସିର ବଗିଚାକୁ ଛାଡ଼ି ଚାଲିଗଲେ ।

 

ଶରନ : ମୋ ସାଙ୍ଗରେ ତାଙ୍କର ଖୁବ୍‌ ଭଲ ସମ୍ପର୍କ ଥିଲା । ସେ ମୋର ସହପାଠୀ ଥିଲେ । ଏକାସାଙ୍ଗରେ ଖେଳିଚୁ ପଢ଼ିଚୁ; ବଡ଼ ମେଳାପୀ ସ୍ୱଭାବର ଲୋକ ।

 

କିଶନ ଦେବୀ : ତାଙ୍କ ପ୍ରଶଂସା ତ ସାରା ଦୁନିଆ କରୁଚି ।

 

ଶରନ : କହନ୍ତିନି ଭଲ ମଣିଷକୁ ଭଗବାନ ଆଗ ନେଇଯାଆନ୍ତି । ବୋଧହୁଏ ସିଆଡ଼େ ତାଙ୍କର ଦରକାର ପଡ଼େ !

 

(ସୁଦର୍ଶନ ସରବତ ଗିଲାସ ନେଇ ପ୍ରବେଶ କଲା ।)

 

ସୁଦର୍ଶନ : ନିଅନ୍ତୁ ସର୍ଦ୍ଦାରଜୀ, ସରବତ ଗିଲାସ ନିଅନ୍ତୁ !

 

କିଶନ ଦେବୀ : ନିଅ, ପିଅ ।

 

ଶରନ : (ଗିଲାସ ଧରି) ଆପଣ ତୁଚ୍ଛାଟାରେ କଷ୍ଟକଲେ ଭଉଣୀ !

 

କିଶନ ଦେବୀ : ନିଅ । ପାଣି ଦେବାରେ କୋଉ କଷ୍ଟ କରିବାକୁ ପଡ଼େ !

 

(ଶରନ ସିଂହ ସରବତ ପିଇ ଖାଲି ଗିଲାସ ଫେରାଇଲେ ।)

 

ଶରନ : ନେ ପୁଅ, ଗିଲାସ ରଖ, ନେ ।

 

ସୁଦର୍ଶନ : ଆଉ ଆଣିବି ?

 

ଶରନ : ନା ପୁଅ ଥାଉ.....(ଗଳା ସଫାକରି) ତେବେ ଏଇନା ସୁଦର୍ଶନକୁ କୋଉ କଲେଜରେ ଆପଣ ଭର୍ତ୍ତି କରାଉଛନ୍ତି ?

 

କିଶନ ଦେବୀ : ସେଇ କଥା ତ ଭାବୁଚି, କ’ଣ କରିବି ? ଆଗକୁ ପଢ଼ାଇବା ପାଇଁ ତ ବହୁତ ପଇସାପତ୍ର ଦରକାର । ଗୋଟାଏ ଘରର ଭଡ଼ା କେବଳ ମିଳୁଚି ତ !

 

ଶରନ : ଆଉ ପୁଣି ୧୨-୧୪ଟା କ୍ଲାସ ପାସ୍‍ କଲେବି ଚାକିରି କେଉଁଠି ଅବା ମିଳୁଚି ?

 

ସୁଦର୍ଶନ : ଆଜ୍ଞା, ଚାକିରି ପାଇଁ ମୁଁ ଚେଷ୍ଟାକରୁଚି । ଆଜି ମଧ୍ୟ ଇଣ୍ଟରଭିଉକୁ ଯାଇଥିଲି-

 

ଶରନ : ପୁଅ, ଇଣ୍ଟରଭିଉ ତ କେତେଥର ଚକ୍‌କର ଦେବାପାଇଁ ହୁଏ । ଲୋକଦେଖାଣିଆ ବା କେବଳ କାଗଜପତ୍ର କାରବାର ପାଇଁ ହୁଏ । ତା’ ବ୍ୟତୀତ ବଡ଼ ବଡ଼ ଲୋକଙ୍କ ସୁପାରିସରେ ଲୋକ ତ ଆଗରୁ ବଛା ହୋଇ ସାରିଥା’ନ୍ତି ।

 

କିଶନ ଦେବୀ : ତା’ହେଲେ ଇଏ ତ ରୀତିମତ ଠକାମି ଧନ୍ଦା ।

 

ଶରନ : ନୁହେଁ ତ ଆଉ କ’ଣ ? ଆପଣ ପୁଅକୁ ଉପର ଶ୍ରେଣୀଯାଏ ପଢ଼ାନ୍ତୁ–ଯଦ୍ଦ୍ୱାରା ସେ ସିଧା ବହୁତ ବଡ଼ ଅଫିସର, ଡାକ୍ତର, ବାରିଷ୍ଟର, ଜଜ୍‌ ବା ଇଞ୍ଜିନିଅର ହେଇଯିବ ଏବଂ ନିଜେ ମଣିଷ ଭଳି ମଣିଷଟାଏ ହେଇପାରିବ । ନ ହେଲେ ଧକ୍‌କା ଖାଇବା କଥା ହିଁ ହେବ । ପୁଣି ଆଜିକାଲି ବେକାର ଏତେ ବଢ଼ିଗଲେଣି ଯେ, ବି.ଏ. ପାସ୍‍ କରି ଛୋଟ ଛୋଟ ଚାକିରି ପାଇଁ ବିକଳ ହେଉଛନ୍ତି ।

 

କିଶନ ଦେବୀ : ତା’ହେଲେ ସୁଦର୍ଶନ, କହ–କ’ଣ ପଢ଼ିବୁ ?

 

ଶରନ : ଭଉଣୀ, ମୁରବିଙ୍କର ମୁଣ୍ଡରେ ସିନା ବୋଝ । ଉପର ଶ୍ରେଣୀରେ ପଢ଼ିବା କୋଉ ଏବେ ସହଜ କଥା । ଖର୍ଚ୍ଚ କଥା ଭାବିଲେ ମୁଣ୍ଡ ଘୂରିଯାଉଚି । ଆପଣ ମୋ କଥା ଯଦି ମାନିବେ, ତେବେ କହିବି ପୁଅକୁ କୌଣସି ବେପାରରେ ଭର୍ତ୍ତି କରି ଦିଅନ୍ତୁ ।

 

ସୁଦର୍ଶନ : ମାଆ, ସେଇୟା କର ।

 

କିଶନ ଦେବୀ : କାମଦାମର କୌଶଳ ତତେ ଏବେ କ’ଣ ଜଣା ! ତୁ ତ ଏଇନା ଛୋଟ ପିଲାଟା ।

 

ଶରନ : ନିଜେ ପଡ଼ିଉଠି ସବାର ହେବା ଶିଖିଯିବ । ଏ ଜଗତରେ ଏମିତି କିଏ ଅଛି ଯେ ସବୁକଥା ଆଗରୁ ଶିଖି ଆସିଛି । ଆପଣମାନଙ୍କ ପାଖରେ ଏବେ ଏତେବଡ଼ ଘର ଅଛି; ତାକୁ ବିକି ପଇସା ହାତପୈଠ କର ଏବଂ ପୁଅକୁ କୌଣସି କାମରେ ଲଗେଇଦିଅ । ଲୋକେ କହନ୍ତିନି, ସୁନା ଭାଙ୍ଗିଲେ ଗଢ଼ିଲେ ସମାନ ।

 

କିଶନ ଦେବୀ : (ଟିକିଏ ଜୋରରେ) କିନ୍ତୁ ମୁଁ ଘର ବିକିବାକୁ ପ୍ରସ୍ତୁତ ନୁହେଁ । ନିଜ କୁଡ଼ିଆରେ ମୁଣ୍ଡ ଗୁଞ୍ଜି ବସିପାରୁଚି । ଭାଇ, ମୁଁ ତ ତମକୁ ପ୍ରଥମରୁ କହିସାରିଚି ଯେ ମୋର ଘର ବିକିବାର ନାହିଁ ।

 

ଶରନ : ଓହୋ ! ତୁମେ ଭଉଣୀ ବଡ଼ ବୋକୀ ! ମୁଁ କେତେବେଳେ କହିଲି, ତମେ ଘରଟା ବିକିଦିଅ ବୋଲି ? ଏଇଟା ଏମିତି କଥା-କଥାରେ ବାହାରିପଡ଼ିଲା ନା, ମୋର କନ୍‌ଭିନ୍‌ସ୍‌ କରିବା ମତଲବ ନୁହେଁ । କିଛି ତରତର ହେବା ଦରକାର ନାହିଁ । ଟିକିଏ ବିଚାର ବିବେଚନା କରିନିଅ । ଚିନ୍ତା କରିବାଟାରେ କ’ଣ କ୍ଷତିା ହେଉଚି ?

 

ସୁଦର୍ଶନ : ହଁ ମାଆ, ଏଥିରେ କ୍ଷତି ଅବା କ’ଣ ହଉଚି ?

 

ଶରନ : ଦେଖନ୍ତୁ, ଈଶ୍ୱର ମଣିଷକୁ ବିବେକ ଦେଇଛନ୍ତି । କ’ଣ ପାଇଁ ? ଭାବିବା-ଚିନ୍ତିବା ପାଇଁ ତ ! ତା’ଛଡ଼ା ଆପଣଙ୍କୁ ଆପଣଙ୍କ ପୁଅର ଭବିଷ୍ୟତ ଗଢ଼ିବାକୁ ହେବ । ଆପଣ ତାକୁ ରାସ୍ତା ଦେଖାଇବେ । ଆପଣଙ୍କର ତା’ପ୍ରତି ସେବାଯତ୍ନ ରହିବା ଦରକାର । ମୋର ତ ଏଇ ରାୟ । ଆପଣଙ୍କର ପୁଅ ଶ୍ରବଣକୁମାର ଭଳିଆ; ଆପଣଙ୍କର ମୋଟେ ଚିନ୍ତା କରିବା ଉଚିତ ନୁହେଁ । ପୁଅ କାମ ଧରିଗଲେନା, ସବୁ କିଛି ନିଜେ ଶିଖିଯିବ । କଥାରେ କହନ୍ତିନି, ସାପ ବଢ଼ିଲେ ଚକ୍ର ବଢ଼େ ।

 

କିଶନ ଦେବୀ : କ’ଣ ସୁଦର୍ଶନ, କିଛି ଗୋଟା କାରବାରରେ ଲାଗିଗଲେ ଭଲ ।

 

ସୁଦର୍ଶନ : ଯାହା ତମ ଇଚ୍ଛା ।

 

ଶରନ : ବେପାର ପାଇଁ ତ ପୁଣି ପଇସା-କଉଡ଼ି ଦରକାର ହେବ । ଯଦି ଆପଣଙ୍କର ଘର ବିକ୍ରି କରିବାର ନିଷ୍ପତ୍ତି ହୁଏ, ତେବେ ତ ଅଠର ହଜାର ଖଣ୍ଡେ ଟଙ୍କା ମିଳିଯିବ ।

 

କିଶନ ଦେବୀ : (ରାଗରେ) ଅଠର ହଜାର ? ଆରେ ଭାଇ, ତୁମେ ତ ଆଚ୍ଛା କଥା କହୁଛ ! ଏଇ ତିନିମାସ ଆଗରୁ ଗୋଟାଏ ଦଲାଲ ବାଇଶି ହଜାର ଟଙ୍କା ମୂଲେଇଥିଲା, ଆଉ ସେ ପୁଣି ନେହୁରା-ନିମତ ହେଇ କରି ।

 

ଶରନ : ହେଇପାରିଥାଏ । ମାତ୍ର ସେସବୁ ବେଳକାଳ ନେଇ କଥା ।

 

କିଶନ ଦେବୀ : ମୁଁ ମଧ୍ୟ ବାଇଶି ହଜାରରୁ ଗୋଟାଏ ପଇସା କମରେ ଘର ବିକିବାକୁ ପ୍ରସ୍ତୁତ ନୁହେଁ ।

 

ଶରନ : ମୁଁ କେତେବେଳେ କହିଲି କି କମ୍‌ ନିଅ ବୋଲି ? ମୋର ମଧ୍ୟ ଚେଷ୍ଟା କରିବା ଦରକାର ଯେ, ଅଧିକରୁ ଅଧିକ ଭାଉ ବଢ଼ିଲେ ମୋ ଦଲାଲି ପାଉଣାଟା ଅଧିକ ମିଳିବ । କିନ୍ତୁ ମୁଁ ଏକଥା ନିଶ୍ଚିତ କହିବି ଯେ, କୌଣସି କଥାରେ ଗଣ୍ଠିକରି ବସିବା ଭଲ ନୁହେଁ । ସବୁ ସମୟରେ ତ ଆତୁରିଆ ଗ୍ରାହକ ମିଳିବେ ନାହିଁ.....ସେ ଯାହାହେଉ, ଆପଣ ଭାବନ୍ତୁ । ମୁଁ ଯାଉଚି । ପୁଣି.....

 

କିଶନ ଦେବୀ : ନା–ନା, ମୁଁ ବାଇଶି ହଜାରରୁ ଗୋଟାଏ ପଇସା କମ୍‌ ନେବି ନାହିଁ ।

 

ଶରନ : (ଫେରିପଡ଼ି) ହଁ, ଆଉ ଗୋଟାଏ କଥା ମନେପଡ଼ିଗଲା । ଆପଣଙ୍କ ଘର ଆଗରେ ଗୋଟାଏ କୂଅ ଥିଲା ନା ?

 

ସୁଦର୍ଶନ : ହଁ, କୂଅଟା ତ ଥିଲା ।

 

ଶରନ : ତା’ହେଲେ ତ ଲୋକଙ୍କର କହିବା କଥା ଠିକ୍‌ । କୂଅ ସାମ୍ନାରେ ଥିବା ଘରଟା ଅଶୁଭପ୍ରଦ ।

 

କିଶନ ଦେବୀ : କିନ୍ତୁ ସେ କୂଅ ତ କେବେଠୁଁ ପୋତାହେଇଗଲାଣି ।

 

ଶରନ : ସେଥିରୁ କ’ଣ ହେଲା ? ତାହାର ପ୍ରଭାବ ତ ରହିବ । କୂଅରେ କେତେ ପ୍ରକାରର ଭୂତ-ପ୍ରେତ ଓ ପିଶାଚିନୀ ଆଦି ରହନ୍ତି । ମୁଁ ବୁଝୁଚି, ସେଥିପାଇଁ ଆପଣ ଏ ଘରେ ସୁଖଭୋଗ କରିପାରିଲେନି ।

 

ସୁଦର୍ଶନ : (ଆଶ୍ଚର୍ଯ୍ୟରେ) ଭୂତ-ପିଶାଚ ଅଛନ୍ତି ନା କ’ଣ ?

 

କିଶନ ଦେବୀ : ଯଥାର୍ଥରେ ଏଠି ମୁଁ ସୁଖ ଭୋଗି ନାହିଁ । ସୁଦର୍ଶନର ବାପ ମଲାବେଳକୁ ଏ ଘର ତିଆରି ହେବା ବର୍ଷେ ପୂରି ନ ଥିଲା ।

 

ଶରନ : ଛାଡ଼, ବର୍ତ୍ତମାନ ମୋ ହାତରେ ଜଣେ ଗ୍ରାହକ ମଧ୍ୟ ଅଛି । ଏଇ ପାଖରେ ଅଛି-। ମୁଁ ଅଧଘଣ୍ଟା ଭିତରେ ତାକୁ ଧରି ଆସୁଚି । (ଯିବାକୁ ଉଦ୍ୟତ ହେଲେ)

 

କିଶନ ଦେବୀ : କିନ୍ତୁ ଭାଇ, ମୁଁ ତୁମକୁ କହିଦେଉଚି । ମୁଁ କମ୍‌ ନେବି ନାହିଁ ।

 

ଶରନ : (ଯାଉ ଯାଉ) ଆପଣ ଚିନ୍ତା କରନ୍ତୁ ନାହିଁ । ସୁଦର୍ଶନର ପିତାଙ୍କ ସାଙ୍ଗରେ ମୋର ଖୁବ୍‌ ଭଲ ସମ୍ୱନ୍ଧ ଥିଲା । ଇଏ ତ ମୋ ନିଜ କାମ । (ପ୍ରସ୍ଥାନ)

 

କିଶନ ଦେବୀ : କ’ଣ ସୁଦର୍ଶନ–ତା’ହେଲେ ଘର ବିକିଦେବା ?

 

ସୁଦର୍ଶନ : ଯେମିତି ତୁମ ଇଚ୍ଛା ! ହେଲେ ସେ ତ କହୁଛନ୍ତି ସାମ୍ନାରେ ଭୂତ-ପିଶାଚ ଆଦି ରହନ୍ତି । ମତେ ତ ଡର ମାଡ଼ିଲାଣି ।

 

କିଶନ ଦେବୀ : ଯାଃ, ପାଗଳ ହେଲୁ କି ତୁ ! ଯୁଆନ୍‌ ପୁଅ ହେଇକରି ଡରୁଚୁ ? ...ହଁ, ତୋ ଇଣ୍ଟରଭିଉରେ କ’ଣ ହେଲା ?

 

ସୁଦର୍ଶନ : ଏବେ କେମିତି ଜଣାପଡ଼ିବ ? କିନ୍ତୁ ଚାକିରି ମିଳିବାର ବିଶ୍ୱାସ ବିଲ୍‍କୁଲ୍‍ ନାହିଁ । ତାଙ୍କର ମୋଟେ ଆଠଜଣ ରଖିବାର କଥା । ମାତ୍ର ସେଠି ପଚାଶ ଜଣ ପହଞ୍ଚିଥିଲେ । ସେଥିରୁ କେତେଜଣ ବି.ଏ. ପାସ୍‍ବାଲା ଥିଲେ ।

 

କିଶନ ଦେବୀ : ତେବେ ଶରନ ସିଂହ ଠିକ୍‌ କଥା କହୁଥିଲା । ଘର ବିକି ତୁ କିଛି କାମ ଆରମ୍ଭ କରି ଦେ । କିନ୍ତୁ କି କାମ କରିବୁ ?

 

ସୁଦର୍ଶନ : ତମେ ଯାହା କହିବ ।

 

କିଶନ ଦେବୀ : ତୁ ରୋଜଗାର କରିବସିଲେ କେତେ ଘର ତିଆରି କରିଦେବା । ତା’ପରେ ତୋର ବାହାଘର ମଧ୍ୟ ମୁଁ କରିଦେବି; ଆଉ ଟିକି ଲାଲ-ଟୁକୁଟୁକୁ ସୁନ୍ଦର ବୋହୂଟିଏ ବି ଘରକୁ ଆସିଯିବ । ମୁଁ ମରିବା ଆଗରୁ ନିଜ ମନସ୍କାମନା ପୂରାକରି ଯିବି ।

 

ସୁଦର୍ଶନ : (ଲଜ୍ଜା ସହିତ) ତେବେ ଠିକ୍‌ ଅଛି ମାଆ ! ନିଜର କିଛି ଗୋଟାଏ ବ୍ୟବସାୟ ଆରମ୍ଭ କରିନେଉଚି ।

 

କିଶନ ଦେବୀ : ହଉ । ଭଗବାନ କେବେହେଲେ ତ ମୋ କଥା ଶୁଣିବେ । ଏମିତି ସୁନ୍ଦରୀ ରାଜକୁମାରୀ ଭଳି ବୋହୂ ମୁଁ ଆଣିବି ଯେ, ସେ ଭିତରେ ବସିଥିଲେ ବାହାର ବି ଉଜ୍ଜ୍ୱଳ ଦିଶିବ । ତା’ପରେ ମୋ ଘରକୁ ଛୋଟ ନାତି ଆସିବ । ଦିନରାତି ତାଆରି ସାଙ୍ଗରେ ଖେଳିବି । ମୋ’ପାଇଁ ଈଶ୍ୱର ସୁଖର ଗଛ ରୋଇବେ ଯେ ।

 

(ଦରଜାରେ ଆଘାତ କରି ସଂକେତ ହେଲା)

 

ସୁଦର୍ଶନ : ବୋଧହୁଏ, ମୁଁ ଭାବୁଚି ଶରନ ସିଂହ ଆସିଗଲା ।

 

ଶରନ : (ଭିତରକୁ ଆସି) ହଁ ଆଜ୍ଞା, ଅନୁମାନ ଏକବାର ଠିକ୍‌ । ମୁଁ ଆସିଚି । (ବଡ଼ ପାଟିରେ) ଭିତରକୁ ଆସିଯାଆନ୍ତୁ ଚୋପଡ଼ା ସାହେବ ।

 

(ଚୋପଡ଼ାଙ୍କର ପ୍ରବେଶ)

 

ଚୋପଡ଼ା : ନମସ୍କାର ।

 

କିଶନ ଦେବୀ : ନମସ୍କାର । ଆସନ୍ତୁ, ବସନ୍ତୁ ।

 

ଶରନ : ଚୋପଡ଼ା ସାହେବ ! ଇଏ ମୋ ନିଜ ଭଉଣୀର ଘର । ଏଇଟା ଡ୍ରଇଂରୁମ, ଆଉ ହେଇ ଦେଖନ୍ତୁ, ତା’ ପଛକୁ ଛୋଟିଆ ବାଟଘରଟିଏ । ଆଉ ତା’ ପଛକୁ ଆହୁରି ଗୋଟାଏ କୋଠରି । ଘରଟି ଷୋଳଗଜ ଲମ୍ୱା ଏବଂ ଛ’ ଗଜ ଚଉଡ଼ା ।

 

ଚୋପଡ଼ା : ୧୬ ଗଜX୬ ଗଜ ।

 

ଶରନ : ଅଢ଼େଇ ମହଲା ଅଛି । ସେ ପୁଣି ଏମିତିଆ ଯେ ଦେଖିଲେ ପେଟ ପୂରିଯାଏ ।

 

କିଶନ ଦେବୀ : ମୁଁ ନିଜେ ପାଖରେ ଠିଆ ହୋଇ ଏ ଘର ନିଷ୍ଠାର ସହ ତିଆରି କରିଥିଲି । ଏ ଘର ନିଆଁରେ ତିନିଗଜ ଗହୀର ଯାଏ ମୁରୁମ ଗୋଡ଼ି କୁଟି କୁଟି ଦେଇଚି । ଆଉ ଚଟାଣ ଏମିତି ଚମକଦାର ହେଇଚି ଯେ, ଚାହିଁଲେ ମୁହଁ ଦେଖାଯିବ । ଉପର କୋଠରି ତ ଏକବାର ପକ୍‌କା କାମ ହେଇଚି ।

 

(ଚୋପଡ଼ା ଉଠିପଡ଼ି ଇଆଡ଼-ସିଆଡ଼କୁ, କାନ୍ଥକୁ, ଛାତକୁ ଏବଂ ବାହାରକୁ ଦେଖିବାକୁ ଲାଗିଲେ ।)

 

ଶରନ : ତୁ ପୁଅ ବାବୁଙ୍କ ସାଙ୍ଗରେ ଯାଇ ଉପର କୋଠରିଗୁଡ଼ା ଦେଖାଇ ଆଣ ।

 

ଚୋପଡ଼ା : ଚାଲ ପୁଅ....., ସିଡ଼ି କୁଆଡ଼େ ?

 

ସୁଦର୍ଶନ : ଚାଲନ୍ତୁ ।

 

ଶରନ : ଇଆଡ଼େ ସିଡ଼ି ଚୋପଡ଼ା ସାହେବ, ଇଆଡ଼େ ।

 

(ସୁଦର୍ଶନ ଓ ଚୋପଡ଼ା ଭିତରକୁ ଚାଲିଗଲେ ।)

 

କିଶନ ଦେବୀ : ତାଙ୍କୁ ଦାମ କଥା ଶୁଣେଇଦେଇଚ ତ ଭାଇ ?

 

ଶରନ : ମୁଁ ତାଙ୍କୁ ବାଇଶି ହଜାର କଥା କହିଲି । ସେ ତ ସେଇଠି କାନରେ ହାତ ଦେଲେ । ମୁଁ କହିଲି, ଚାଲନ୍ତୁ ତ ଆଗ, ଭଉଣୀଙ୍କୁ ବୁଝେଇବି । କିଛି ନା କିଛି କମେଇ ଦେବେ ।

 

କିଶନ ଦେବୀ : ନାଇଁ-ନାଇଁ; ମୁଁ ଗୋଟାଏ ପଇସା ମଧ୍ୟ କମ୍‌ କରିବି ନାହିଁ ।

 

ଶରନ : ଏବେ ତାଙ୍କୁ ସାଙ୍ଗରେ ଆଣିବା ଦରକାର ଥିଲା । କାମ କରିବାକୁ ହେବ ତ ! ମୁଁ ଆପଣଙ୍କୁ ନ ପଚାରି ବାଇଶି–ଏକୋଇଶି ହଜାର କହିଦେଇଚି । ମୁଁ ଭାବିଲି, ମୋ କଥା ଭାଙ୍ଗିବ ନାହିଁ । ସେ ଅବା ଏବେ କୋଉ ମାନିଗଲାଣି ଯେ !

 

କିଶନ ଦେବୀ : ଭାଇ ସାହେବ, କିଛି ବାଧ୍ୟ-ବାଧକତା ହେଉନି । ମୁଁ ମୋଟେ କମ୍‌ ନେବି ନାହିଁ ।

 

ଶରନ : ଏତେ ଧରିବସିଲେ ଚଳିବନି ଭଉଣୀ ! ଆପଣ ନିଜେ ଦେଖିନେଉନାହାନ୍ତି, ସାରା ବଜାର ଦିନକୁ ଦିନ ମାନ୍ଦା ପଡ଼ିଯାଉଚି । ଏମିତି କୋଉ ଜିନିଷ ଅଛି; ଯାହାର ମୂଲ୍ୟ କମିଯାଇ ନାହିଁ । ସୁନା, ରୂପା, ଗୁଡ଼, ଚିନି, ଘିଅ, ଗହମ–ସବୁ ଜିନିଷର ଦାମ୍‌ ମାନ୍ଦା ହେଇଚି । ତିନି ମାସ ପୂର୍ବେ ଗୋଟାଏ ଘରକୁ ମୁଁ ବତିଶି ହଜାରକୁ ଲୋକ ଜୁଟେଇ ଦେଇଥିଲି । ସେତେବେଳେ ସେ ମାନିଲା ନାହିଁ । ଏବେ ସେ କହୁଛନ୍ତି ଯେ ଅଠେଇଶି ହଜାରକୁ ଯୋଗାଡ଼ କରିଦିଅ । ମାତ୍ର କୌଣସି ଗୋଟିଏ ହେଲେ ଗରାକ ପଚିଶି ହଜାରରୁ ଅଧିକ ଖର୍ଚ୍ଚ କରିବାକୁ ପ୍ରସ୍ତୁତ ନୁହଁନ୍ତି । କହୁନା, ମୁଁ କ’ଣ କରିବି ?

 

କିଶନ ଦେବୀ : ତା’ହେଲେ ତୁମକୁ ଧରି ଲାଭ କ’ଣ ? –ଯଦି ପୂରା ଦାମ୍‌ ଦିଆଇ ନ ପାରିଲ ।

 

ଶରନ : କିନ୍ତୁ ଆପଣ ମଧ୍ୟ ଭାବନ୍ତୁ, କିଛି ବୁଝି-ବିଚାରି କଥା କରିବା ଦରକାର–ଯେମିତିକି ଗ୍ରାହକ ଘଉଡ଼ି ନ ଯାଆନ୍ତୁ । ଏମିତି ନ ହେଉ, ଯେପରି ଦି’ମାସ ପରେ ଦର ପୁଣି କମି ନ ଯାଉ ।

 

କିଶନ ଦେବୀ : (ବ୍ୟଙ୍ଗକରି) ହଁ, ଦାମ୍‌ ତ କମିବ ନିଶ୍ଚେ ।

 

ଶରନ : ଯଦି ଆପଣ କହିବେ, .....କୋଡ଼ିଏ ହଜାର କହି ଦେଖିବି ?

 

କିଶନ ଦେବୀ : ନା–ନା, କୋଡ଼ିଏ ହଜାର ବହୁତ କମ୍‌ ହେଉଚି ।

 

ଶରନ : ହଉ, ଚେଷ୍ଟାକରି ଦେଖିବି, ଯେମିତି ସାଢ଼େ କୋଡ଼ିଏ, ଏକୋଇଶିରେ ବେପାରଟା ହେଇଯାଏ । ସେ ଆସିଲେ ଆପଣ ଭିତରକୁ ଚାଲିଯିବେ । ସେତିକିବେଳେ ତାଙ୍କ ସାଙ୍ଗରେ କଥା ହୋଇ ପାରିବି ।

 

କିଶନ ଦେବୀ : ଏକୋଇଶି ହଜାରରୁ କମ୍‌ ବିଲ୍‌କୁଲ୍‍ କହିବନି ।

 

(ଚୋପଡ଼ା ଓ ସୁନ୍ଦର୍ଶନଙ୍କର ପ୍ରବେଶ)

 

ଶରନ : ଆସନ୍ତୁ ଚୋପଡ଼ା ସାହେବ ! ଦେଖିଆସିଲେ ଆପଣ ?

 

କିଶନ ଦେବୀ : ହଁ, ଭାଇ ! ଆପଣ କଥା ହୁଅନ୍ତୁ । ମୁଁ ସାଙ୍ଗେ ସାଙ୍ଗେ ଆସୁଚି । ଆରେ ସୁଦର୍ଶନ, ତୁ ମୋ ସାଙ୍ଗରେ ଆ । (ଦୁହେଁ ଭିତରକୁ ଚାଲିଗଲେ)

 

ଶରନ : କ’ଣ ଚୋପଡ଼ା ସାହେବ–ଘରଟା ଫାଷ୍ଟକ୍ଲାସ କି ନାଇଁ ? ଖାଣ୍ଟି ହୀରା, ହୀରାଖଣ୍ଡେ ।

 

ଚୋପଡ଼ା : ଛାଡ଼, ଦିଶୁଚି ତ ଖୁବ୍‌ ଭଲ । ଏ ଘରର ମାଲିକ କିଏ ?

 

ଶରନ : ଏଇ ବିଧବା ସ୍ତ୍ରୀଲୋକର ଘର ଇଏ ।

 

ଚୋପଡ଼ା : ତାଙ୍କ ସ୍ୱାମୀଙ୍କର ନାମ କ’ଣ ?

 

ଶରନ : ତାଙ୍କ ନାଁ ?.....ଆଜ୍ଞା; ତାଙ୍କ ନାଁ ମତେ ଜଣାନାହିଁ । ସେ ମୋର ପରିଚିତ ନ ଥିଲେ । ଛାଡ଼ନ୍ତୁ, ଜଣାପଡ଼ିଯିବ । ସେଥିପ୍ରତି ଆପଣ ନିଶ୍ଚିନ୍ତ ରୁହନ୍ତୁ । ଏ ବେଉସାରେ କଳିତକରାଳ କରିବାବାଲା କେହି ନାହାନ୍ତି । ଆପଣ ନଗଦ ଦେଇ ଘର କିଣିବେ । ତା’ଛଡ଼ା ଗୋଟିଏ ମାତ୍ର ଅଳ୍ପବୟସ୍କ ପୁଅ । ତା’ ମାଆ ତା’ର ମୁରବି ।

 

ଚୋପଡ଼ା : ତା’ହେଲେ ପୁଣି କେତେରେ କଥା ଛିଡ଼ିବ ? ଅଠର ହଜାର ନବ କି ନାହିଁ-?

 

ଶରନ : ଆପଣ ତ ଥଟ୍ଟା କରୁଛନ୍ତି ଚୋପଡ଼ା ସାହେବ ! ଜିନିଷ ଦେଖି ଆପଣ ଦାମ୍‌ କଷନ୍ତୁ । ବାଇଶି ହଜାର କୋଉଠି ଆଉ ଅଠର ହଜାର କୋଉଠି ! ସେ ମାନିବ ନାହିଁ । ମାତ୍ର ବିଶ୍ୱାସ ହଉଚି ଏକୋଇଶି ହଜାରରେ କଥା ତୁଟିବ । ତାହା ପୁଣି ଖୁବ୍‌ ଚେଷ୍ଟା କରିବା ପରେ ।

 

ଚୋପଡ଼ା : ଏକୋଇଶି ହଜାର ବେଶି ହେଇଯାଉଚି । ବହୁତ ବେଶି ହଁ, ମୋର ମନେହେଉଚି ଏ ଘର ଆଗରେ ଗୋଟାଏ କୂଅ ବୋଧହୁଏ ଥିଲା । କୂଅ ସାମ୍ନାରେ ଥିବା ଘରକୁ ତୁ ତୁଚ୍ଛାକୁ ସନ୍ଦେହଚକ୍ଷୁରେ ଦେଖାଯାଏ ।

 

ଶରନ : ସେ ତ କେବଠୁଁ ବନ୍ଦ ହୋଇଯାଇଛି । ଆଉ ଚୋପଡ଼ା ସାହେବ ! ଆପଣ ମଧ୍ୟ ବଡ଼ ଅଜବ୍‌ ଲୋକ ! ଲେଖାପଢ଼ା ଲୋକ ହେଇକରି ଆପଣଙ୍କର ବହୁ ପୁରୁଣା ବିଚାର ରହିଯାଇଛି-। ତୁଚ୍ଛାଟାରେ ଆପଣ ଚିନ୍ତିତ ହେଇପଡ଼ୁଛନ୍ତି ।

 

ଚୋପଡ଼ା : ତଥାପି ମନକୁ ପାପ ଛୁଇଁଲା ଭଳି କଥାଟାଏ ତ !

 

ଶରନ : କେବେ ଏକଥା ଚିନ୍ତା କରିବାକୁ କଷ୍ଟ କରିଛନ୍ତି କି, ଏ ଅନ୍ଧବିଶ୍ୱାସ କେମିତି ଜନ୍ମ ହେଲା ?

 

ଚୋପଡ଼ା : କେମିତି ହେଲା ?

 

ଶରନ : ଥରେ ଜଣେ ବୁଢ଼ା କୂଅ ସାମ୍ନାରେ ଥିବା ଗୋଟାଏ ଘର ନେଲା । କୂଅ ପାଖକୁ କେତେ ରକମର ଲୋକ ଗାଧୁଆ-ଧୁଆ ପାଇଁ ଆସୁଥିଲେ । ଯୁଆନ୍‌ ଟୋକାମାନେ ତେଲ ଲଗେଇ ଦଣ୍ଡ-ବୈଠକ ମାରୁଥିଲେ । ବୁଢ଼ାର ଯୁବତୀ ସ୍ତ୍ରୀ ଝରକା ପାଖରେ ବସି ସେସବୁ ଦେଖୁଥିଲା । ଯୌବନରେ ଅନ୍ଧ ହୋଇ ସେ କୌଣସି ଏକ ଯୁବକ ସାଙ୍ଗରେ ପଳାଇଗଲା । ନିଅ–ତା’ପରେ କ’ଣ କଥା ଶୁଣିବ–ଲୋକେ କଥାର ଖିଅ ଧରିଲେ ଯେ, କୂଅ ସାମ୍ନାର ଘର ଥିଲା । ସେଥିପାଇଁ ଦୁର୍ଭାଗ୍ୟ ପଡ଼ିଲା । କୌଣସି ପିଶାଚ ସେ ସ୍ତ୍ରୀଲୋକକୁ ଉଠେଇ ନେଇ ଚାଲିଗଲା ।

 

ଚୋପଡ଼ା : (ହସି ହସି) ବଡ଼ ମଜାକଥା ସର୍ଦ୍ଦାର ସାହେବ, ଖୁବ୍‌ ମଜାକଥା । ଆପଣଙ୍କୁ ତ ବେଶ୍‌ କଥା କହିଆସେ ।

 

ଶରନ : ଲାଲାଜୀ ! କଥା କହି ରୋଜଗାର କରି ତ ଆମେ ଚଳୁ । ଗାଆଁରେ କିଏ ଆମର ଚାଷବାସ କରୁଚି କି ?

 

ଚୋପଡ଼ା : ହଉ, କ’ଣ କରିବାକୁ ସ୍ଥିର କଲ ?

 

ଶରନ : ଯେମିତି ଆପଣ ଚାହିଁବେ । କିନ୍ତୁ ଭାଉ ଅଧିକ କହିଲେ ଯାଇ କଥାବାର୍ତ୍ତା କରିବି ।

 

ଚୋପଡ଼ା : ତା’ହେଲେ ଊଣେଇଶି ହଜାରରେ କଥା ଛିଣ୍ଡାଅ ।

 

ଶରନ : ମୋର କ’ଣ ଅଛି । ମୁଁ କଥାବାର୍ତ୍ତା କରି ଦେଖୁଚି । ଆପଣ ପାଞ୍ଚ ମିନିଟ୍‌ ପାଇଁ ବାହାରକୁ ଯାଆନ୍ତୁ । ମୁଁ ତାଙ୍କ ସାଙ୍ଗରେ କଥା ଛିଣ୍ଡାଏ ।

 

ଚୋପଡ଼ା : ଠିକ୍‌ ଅଛି । (ବାହାରକୁ ଚାଲିଗଲେ)

 

ଶରନ : (ଭିତର ଆଡ଼କୁ ପାଟିକରି) ଭଉଣୀ କୁଆଡ଼େ ଅଛ.....ସୁଦର୍ଶନ !

 

(ଦୁହେଁ ବାହାରକୁ ଆସିଲେ ।)

 

କିଶନ ଦେବୀ : ହଁ, କ’ଣ କଥା ଛିଣ୍ଡିଲା ?

 

ଶରନ : କାମଟା ହେଲା ଭଳି ଦେଖାଯାଉନି ଭଉଣୀ ! ସମୟ ବଦଳିଗଲାଣି । ଗରାକ ଏବେ ପଇସା ଖର୍ଚ୍ଚ କରିବାକୁ ଭୟ କରୁଛନ୍ତି । ସାଧ୍ୟମତେ ଚେଷ୍ଟା କଲେ ଯାଇ ଊଣେଇଶି ହଜାରରେ କଥା ଛିଣ୍ଡିପାରିବ ।

 

କିଶନ ଦେବୀ : ତେବେ ଛାଡ଼, ଆମେ ଏ ଘର ବିକିବା ନାହିଁ । ମୁଁ କେବଳ ତମରି କଥା ରଖିବାକୁ ଯାଇ ହଜାରେ କମ୍‌ କରି କହିଦେଇଥିଲି ।

 

ସୁଦର୍ଶନ : ଥାଉ ଆଜ୍ଞା, ନ ହେଉଚି ଯଦି ନ ହେଉ । ଆମେ ତ ଆଉ ଘରଟାକୁ ଫୋପାଡ଼ି ଦଉନୁ ।

 

ଶରନ : ଭାବନ୍ତୁ । ହାତକୁ ଆସିଥିବା ଗ୍ରାହକକୁ ଛାଡ଼ିବା ଠିକ୍‌ ନୁହେଁ । ତା’ଛଡ଼ା ଏ ଘରଟା ତ ‘ଶେରମୁଖୀ’ ।

 

ସୁଦର୍ଶନ : ଶେରମୁଖୀ ? ସେ କ’ଣ ?

 

ଶରନ : ପୁଅ, ଯୋଉ ଘରର ଆଗପଟଟା ଅଧିକ ଚଉଡ଼ା ଆଉ ପଛ ପଟି କମ୍‌ ଚଉଡ଼ା ଥାଏ, ତାକୁ ଶେରମୁଖୀ କହନ୍ତି ।

 

ସୁଦର୍ଶନ : ଶେରମୁଖୀ ହେଲେ କ୍ଷତି କ’ଣ ? ଏଇଟା ଗୋଟାଏ ଦୋଷ ନା କ’ଣ ?

 

ଶରନ : ଶେରମୁଖୀ ଘରର ମାଲିକକୁ ସର୍ବଦା ବିପଦ । ଯେମିତି ବାଘ ଅନ୍ୟାନ୍ୟ ଜନ୍ତୁଙ୍କୁ ଖାଇଦିଏ, ସେମିତି ଏ ଘର ମାଲିକ ପ୍ରତି ବିପଦ ଲାଗିରହିଥାଏ ।

 

ସୁଦର୍ଶନ : (ଚିନ୍ତିତ ହୋଇ) ମାଆ ! ବାପାଙ୍କର ସ୍ୱର୍ଗବାସ ଏଇଠି ହୋଇଥିଲା ?

 

କିଶନ ଦେବୀ : ତୁ ପାଗଳ ହେଲୁ କି ପୁଅ ?.....ଭାଇ, ତମେ ବି ଏଇ ଅନ୍ଧବିଶ୍ୱାସରେ ଧନ୍ଦି ହେଉଚ ? ତା’ଛଡ଼ା ଆମ ଘରର ପ୍ରକୃତ ରାସ୍ତା ତ ପଛ ଗଳି ଆଡ଼କୁ ଅଛି । ମୁଁ ତାକୁ ବନ୍ଦ କରି ଦେଇଛି । ପଛ ରାସ୍ତାଟା ଖୋଲିଦେଲେ ଘରଟା କ’ଣ ‘ଗୋମୁଖୀ’ ହେଇଯିବ ?

 

ଶରନ : ପଛ ରାସ୍ତାକୁ ହିସାବ କଲେ ଘରଟା ତ ଦୋ-ମୁହାଁ ହେଇଯାଉଚି ।

 

କିଶନ ଦେବୀ : ଆଉ ଦୋ-ମୁହାଁ ଘର କ’ଣ କ୍ଷତି କରେ ?

 

ଶରନ : କ୍ଷତି ନାହିଁ କାହିଁକି ? ଅଛି । ଏଇ ଧର ଦୋ-ମୁହାଁ ସାପ । ସିଏ କ’ଣ ସବୁଠାରୁ ବେଶି ବପଜ୍ଜନକ ନୁହେଁ ?

 

ସୁଦର୍ଶନ : ତା’ହେଲେ କ’ଣ କରିବା ମାଆ ?

 

ଶରନ : ଆପଣ ଘର ବିକନ୍ତୁ ବା ନବିକନ୍ତୁ, ସିଏ ଆପଣଙ୍କ ସମ୍ପତ୍ତି । ମୁଁ ମୋ ଦଲାଲିଦ୍ୱାରା କେବେ କାହାକୁ ଭୁଲ୍‌ ରାୟ ଦେବି ନାହିଁ । ସେଥିପାଇଁ ମୋର ଯେତେ ବନ୍ଧୁ-ପରିଚିତ ଅଛନ୍ତି, ସମସ୍ତେ ଭୂ-ସମ୍ପତ୍ତିର ସବୁ କାମ ମତେ ପଚାରି ଯାଇ କରନ୍ତି ।

 

କିଶନ ଦେବୀ : ତା’ହେଲେ ତମେ କ’ଣ କହୁଚ ?

 

ଶରନ : ମୋ ମତ ପଚାରିଲ ଯଦି ମୁଁ କହୁଚି, ଗ୍ରାହକକୁ ଛାଡ଼ନ୍ତୁ ନାହିଁ । ଏକେ ତ ଘର ପ୍ରତି ବିପଦର ଆଶଙ୍କା ହେଇଗଲାଣି । ଲୋକ-ବିଶ୍ୱାସର ମାମଲା । ଦ୍ୱିତୀୟରେ ଆପଣଙ୍କର ଏବେ ପଇସା ଦରକାର । .....ପୁଅକୁ ମଧ୍ୟ ବେଉସା ଆରମ୍ଭ କରିବାକୁ ହେବ । ତୃତୀୟରେ ମାର୍କେଟରେ ଦିନକୁ ଦିନ ଦାମ୍‌ ମାନ୍ଦା ପଡ଼ିଯାଉଛି । ଯାହା ଦାମ୍‌ ଆଜି ଅଛି, ତାହା କାଲି ରହିବନି ।

 

କିଶନ ଦେବୀ : ହେଲେ ମୁଁ କୋଡ଼ିଏ ହଜାରରୁ କମ୍‌ କୌଣସି ପ୍ରକାରେ ନେବି ନାହିଁ । ଇଚ୍ଛା ହେଲେ ଘର କିଣନ୍ତୁ, ନ କିଣନ୍ତୁ ।

 

ଶରନ : ହଉ, ମୁଁ ଚେଷ୍ଟା କରୁଚି । ଆପଣ ଟିକେ ଭିତରକୁ ଯାଆନ୍ତୁ । ଚୋପଡ଼ା ସାହେବ : ଆସନ୍ତୁ ଭିତରକୁ । ମୁଁ କଥାବାର୍ତ୍ତା କରି ଦେଖୁଚି ।

 

କିଶନ ଦେବୀ : ଚାଲ୍‌ ସୁଦର୍ଶନ, ଆମର ଭିତରକୁ ଯିବା । (ଦୁହେଁ ଭିତରକୁ ଗଲେ)

 

ଶରନ : (ଦୁଆର ପାଖରେ ଠିଆ ହୋଇ ଡାକିଲେ) ଚୋପଡ଼ା ସାହେବ, ଚୋପଡ଼ା ସାହେବ ! ଆପଣ ଭିତରକୁ ଆସିଯାଆନ୍ତୁ । (ଚୋପଡ଼ାଙ୍କ ପ୍ରବେଶ)

 

ଚୋପଡ଼ା : ହଁ ଆଜ୍ଞା, କ’ଣ କହିବେ ପରା ?

 

ଶରନ : ଚୋପଡ଼ା ସାହେବ ! ଆପଣ ମଧ୍ୟ ଭାବୁଥିବେ ଯେ, କେଉଁ ଗୋଟାଏ ଶରନ ସିଂହ ପାଲରେ ପଡ଼ିଯାଇଚି । ଦେଖନ୍ତୁ, ଆଉ ପଛକୁ ହଟିବାକୁ ପଡ଼ିବନି । କୋଡ଼ିଏ ହଜାରରେ କଥା ତୁଟାଇଦେବି ।

 

ଚୋପଡ଼ା : ନା–ନା–ନା । ମୁଁ କୌଣସି ପରିସ୍ଥିତିରେ ଊଣେଇଶି ହଜାରରୁ ଅଧିକ ଖର୍ଚ୍ଚ କରିବାକୁ ପ୍ରସ୍ତୁତ ନୁହେଁ । ଇଚ୍ଛା ହଉଚି ଯଦି ବିକନ୍ତୁ; ନ ହେଲେ ନାହିଁ ।

 

ଶରନ : ଦେଖନ୍ତୁ, ବେଶି ଗୋଳମାଳ କରନ୍ତୁ ନାହିଁ । ଇଲାକାଟା କ’ଣ ଦେଖୁଛନ୍ତି ତ ? ଚାନ୍ଦିନୀଚଉକ । ଦିଲ୍ଲୀରେ ଲୋକ ଛୋଟ ଛୋଟ ଗଳିକନ୍ଦି ପାଇଁ ବିକଳ ହେଉଛନ୍ତି । ଲୋକ କୋଉଠି କୋଉଠି ଯାଇ ରହିଲେଣି । କିଏ ଲୋଧୀ କଲୋନୀରେ ରହୁଛନ୍ତି ତ କିଏ ପଟେଲ ନଗରରେ–କିଏ ଜବାହର ନଗରରେ ତ କିଏ କିଙ୍ଗ୍‌ସଓ୍ୱେ; କେତେକ ଜଙ୍ଗପୁରରେ ତ କେତେକ ଛାବଣୀରେ ରହିଲେଣି । ଏପରିକି ଦିଲ୍ଲୀର ସୀମାସରହଦ ଅତିକ୍ରମ କରି ଲୋକେ ଜୀବିତ ଥାଇ ମଧ୍ୟ ଇନ୍ଦ୍ରଲୋକ, ଚନ୍ଦ୍ରଲୋକ, ଦେବ ନଗର ଓ ସ୍ୱର୍ଣ୍ଣପୁରୀକୁ ଯାଇ ଆବାଦ୍‌ କଲେଣି ।

 

ଚୋପଡ଼ା : ଅର୍ଥାତ୍‌ ଜୀବିତ ଲୋକ ମଧ୍ୟ ସ୍ୱର୍ଗବାସୀ କହିବାର ଅଧିକାରୀ ହୋଇଛନ୍ତି । (ଦୁହେଁ ହସିଉଠିଲେ ।)

 

ଶରନ : ଠିକ୍‌ କହିଛନ୍ତି ଆଜ୍ଞା ! ଆପଣ ତ ଜାଣିବା-ଶୁଣିବା ଲୋକ । ଚୋପଡ଼ା ସାହେବ, ଦିଲ୍ଲୀ ଚାରିଆଡ଼କୁ ପ୍ରସାରିତ ହେଉଛି । ତା’ଛଡ଼ା ଏଇ ଅଞ୍ଚଳଟା ହେଉଛି ଏକ୍‌ବାର ମଝି ଜାଗା ।

 

ଚୋପଡ଼ା : ହଁ, ଆପଣ ଯାହା କହୁଛନ୍ତି ଠିକ୍‌ ।

 

ଶରନ : ଠିକ୍‌ କ’ଣ ମ ? ଷୋଳ ଅଣା ଠିକ୍‌ କହୁଚି । ମୋର ଆପଣଙ୍କ ପ୍ରତି ବିଶେଷ ମମତା ଅଛି ନା ! କେବଳ ଆପଣଙ୍କ ଲାଭ ପାଇଁ ମୁଁ ଏ ସଉଦା କରାଇଦେଉଚି । ଏହାର ତ ଦିନକୁ ଦିନ ଦର ବଢ଼ୁଚି । .....ମୋ କଥା ମାନି ଏହାକୁ ହାତଛଡ଼ା କରନ୍ତୁନି ।

 

ଚୋପଡ଼ା : (ଇଆଡ଼-ସିଆଡ଼ ଦେଖି ପୁଣି ଅଚାନକ ଉଠିପଡ଼ି ଘରର ଲମ୍ୱ-ପ୍ରସ୍ଥ ପ୍ରତି ଦୃଷ୍ଟି ନିକ୍ଷେପ କରି) ଦେଖ ସର୍ଦ୍ଦାରଜୀ, ଏ ଘରର ଆଗ ପଟଟା ବଡ଼ ଏବଂ ପଛ ପଟଟା ଛୋଟ । କ’ଣ କହୁଛନ୍ତି ଆଜ୍ଞା ? ମୋ ବିଚାରରେ ଏ ଘରଟା ଶେରମୁଖୀ । ଘରମାଲିକର ମୃତ୍ୟୁ ଏଇଠି ହେଇଥିଲା ନା ?

 

ଶରନ : (ହସି) ବାଃ ଚୋପଡ଼ା ସାହେବ, ବାଃ ! ଆପଣ ମଧ୍ୟ ଆଜି ପିଲାଙ୍କ ଭଳି କଥା କହୁଛନ୍ତି । ଆପଣ ଏମିତି ଗୋଟାଏ ଘର କୁହନ୍ତୁ ତ, ଯେଉଁଠି ଗୋଟାଏ ହେଲେ ଲୋକ ମରି ନ ଥିବେ । ଜନ୍ମ ମୃତ୍ୟୁ ସାଙ୍ଗେ ସାଙ୍ଗେ ଚାଲିଚି । ସେ କାହାଣୀ ଆପଣ ବି ଶୁଣିଥିବେ । ମହାତ୍ମା ବୁଦ୍ଧ ଜଣେ ସ୍ତ୍ରୀଲୋକକୁ କହିଥିଲେ–ତମେ ମୁଠାଏ ଶସ୍ୟ ଏମିତି ଗୋଟିଏ ଘରୁ ଆଣ, ଯେଉଁ ଘରୁ କେବେ କେହି ମରି ନ ଥିବେ । ତା’ହେଲେ ମୁଁ ତୁମ ପୁଅକୁ ବଞ୍ଚେଇଦେବି । ସେ ବିଚାରୀ ଦୁଆର ଦୁଆର ଦୁଃଖ ମନରେ ଘୂରିବୁଲିଲା; ମାତ୍ର ମୁଠାଏ ଶସ୍ୟ କେଉଁଠୁ ପାଇଲା ନାହିଁ । ମିଳନ୍ତା ଅବା କୁଆଡ଼ୁ ? ଶେଷରେ ସେ ବୁଝିଲା, କୌଣସି ଘର ମୃତ୍ୟୁହୀନ ନୁହେଁ । ବିଚାରୀ କାନ୍ଦି-କୋଡ଼ି ହୋଇ ପୁତ୍ର ଶୋକ ସହିଗଲା !

 

ଚୋପଡ଼ା : ମାତ୍ର ଏକଥା ତ ଦୁନିଆ ଜାଣେ ଯେ, ଶେରମୁଖୀ ଘର ଦୁଭାର୍ଗ୍ୟଶାଳୀ ଅଟେ ।

 

ଶରନ : କିନ୍ତୁ ଏହାକୁ ଶେରମୁଖୀ ବୋଲି କିଏ କହୁଚି ? ଏ ଘର ଗୋମୁଖୀ ଅଟେ । ଏହାର ପ୍ରକୃତ ସଦର ରାସ୍ତା ତ ପଛ ପଟକୁ ଅଛି । ଯଦି ଆପଣଙ୍କୁ ଏଇଟା ଅଡ଼ୁଆ ଲାଗୁଚି, ତେବେ ଏ ରାସ୍ତା ବନ୍ଦ କରିଦେବେ ଏବଂ ସେଇଟାକୁ ଖୋଲିଦେବେ ।

 

ଚୋପଡ଼ା : ତେବେ ଏ ଘରର ରାସ୍ତା କ’ଣ ଦୁଇ ପଟକୁ ଅଛି ?

 

ଶରନ : ଦୁଇ ପଟରୁ ପବନ ବା ଖରା ଆସୁଥିବା ଏମିତିଆ ଘରର ସନ୍ଧାନରେ ତ ଏବେକାର ଲୋକମାନେ ଅଛନ୍ତି । ଆପଣ ଯେତେ ନୂଆ ଢଙ୍ଗରେ ତିଆରି ହୋଇଥିବା ନୂଆ ଘରଗୁଡ଼ା ଦେଖିବେ, ସେସବୁ ନିଶ୍ଚେ ଦୁଇପଟକୁ ଖୋଲା ହୋଇଥିବ ।

 

ଚୋପଡ଼ା : କିନ୍ତୁ ଘର ପ୍ରକୃତ ରାସ୍ତା ତାକୁ ହିଁ ଧରିନିଆଯିବ, ଯାହା ବହୁତ ଦିନରୁ ଚାଲୁ ରହିଛି ।

 

ଶରନ : ଚୋପଡ଼ା ସାହେବ ! ବେକାର ସଂଶୟରେ ପଡ଼ିବାର ଲାଭ କ’ଣ ? ଗୋମୁଖୀ ଶେରମୁଖୀ କଥା ତ ଆପଣ ଶୁଣିସାରିଲେଣି । ଏହାର ଉଦ୍ଦେଶ୍ୟ କ’ଣ ଜାଣନ୍ତି ?

 

ଚୋପଡ଼ା : କି ଉଦ୍ଦେଶ୍ୟ ?

 

ଶରନ : ଘର ଯଦି ଗୋମୁଖୀ ହୋଇଥାଏ ତେବେ ତା’ର ଦ୍ୱାର ଛୋଟ ହୋଇଥାଏ । ଘରର ପରଦା ସେଭଳି ତିଆରି ହୁଏ । ଯା-ଆସ କରୁଥିବା ଲୋକ ଭିତରକୁ ସହଜେ ଦେଖିପାରେ ନାହିଁ । ଦୋକାନ ପାଇଁ ଶେରମୁଖୀ ପସନ୍ଦ କରାଯାଏ; କାରଣ ଦ୍ୱାର ଚଉଡ଼ା ହୋଇଥିବା ଦୃଷ୍ଟିରୁ ସାଜସଜ୍ଜା ଭଲଭାବେ କରିହୁଏ । ତା’ଛଡ଼ା ଏ କଥାରୁ ବା କ’ଣ ମିଳିବ ? ଶେରମୁଖୀ ଘର କାହାକୁ ପାଟିରେ ପକାଇ ଦିଏ ନାହିଁ, କିମ୍ୱା ଗୋମୁଖୀ ଘରୁ ଦୁଧର ସ୍ରୋତ ବହେ ନାହିଁ ।

 

ଚୋପଡ଼ା : (ହସି ହସି) ତେବେ ଆପଣ ଏଇନା କହିବାକୁ ଚାହୁଁଛନ୍ତି, ଶେରମୁଖୀ ପଟେ ଦୋକାନ କରିନେବି ଏବଂ ଗୋମୁଖୀ ପଟେ ଘର ତିଆରି କରିବି ।

 

(ଦୁହେଁ ହସିଉଠିଲେ ।)

 

ଶରନ : ମାତ୍ର ମୁଁ ବୁଝିପାରୁନି; ଆପଣ ଏଭଳି ଭ୍ରମରେ ପଡ଼ି କ’ଣ ପାଉଛନ୍ତି ? ଆମ୍ୱ ଖାଇବା ଲୋକ ଗଛ ଗଣି ଲାଭ କ’ଣ ? ଆପଣ ନିଶ୍ଚିନ୍ତ ରୁହନ୍ତୁ । ଦୁଇ ଚାରି ହଜାରର ଲାଭ ହିଁ ହେବ ।

 

ଚୋପଡ଼ା : ଠିକ୍‌ ଅଛି ସର୍ଦ୍ଦାରଜୀ ! ଯାହା ଆପଣଙ୍କର ଇଚ୍ଛା ।

 

ଶରନ : ତେବେ କୋଡ଼ିଏ ହଜାରରେ କଥା ପକ୍‌କା କରିଦେବି ?

 

ଚୋପଡ଼ା : ନା, ଊଣେଇଶି ହଜାରରୁ ଅଧିକ ନୁହେଁ ।

 

ଶରନ : ବାଃ ଭାଇ, ବାଃ ! ପଞ୍ଚପରମେଶ୍ୱରଙ୍କକ କଥା ତ ଶିରୋଧାର୍ଯ୍ୟ; ହେଲେ କଥାଟା ଭଲ ହେବନି । ଆପଣଙ୍କୁ ଟିକେ ଖୋଲା ହେବାକୁ ପଡ଼ିବ । ଏମିତିରେ କାମ ହୁଏ ନାହିଁ । ସାଢ଼େ ଊଣେଇଶି କହିବି କି ? ତା’ପରେ ସେ ଜାଣେ ଆଉ ତା’ କାମ ଜାଣେ ।

 

ଚୋପଡ଼ା : ସାଢ଼େ ଊଣେଇଶିରୁ ଗୋଟିଏ ପଇସା ଅଧିକ ଦେବିନି ।

 

ଶରନ : ଆପଣ ମୋଟେ ଚିନ୍ତା କରନ୍ତୁନି । ବର୍ତ୍ତମାନ ଟଙ୍କା ବନ୍ଦୋବସ୍ତ କରନ୍ତୁ । (ବଡ଼ ପାଟିରେ) ସୁଦର୍ଶନ.....ସୁଦର୍ଶନ.....ଭଉଣୀଙ୍କୁ ପଦାକୁ ଟିକେ ପଠା ।

 

(ଦୁହେଁ ଆସିଲେ ।)

 

କିଶନ ଦେବୀ : କ’ଣ କହିବ କୁହ ଭାଇ !

 

ଶରନ : ବସନ୍ତୁ ଭଉଣୀ ! ଆପଣଙ୍କୁ ଆଡ଼୍‌ଭାନ୍‌ସ ଦେଇଦିଆହେଉଚି । ଚୋପଡ଼ା ସାହେବ ! ଶହେଟଙ୍କିଆ ନୋଟ୍‌ସବୁ ବାହାର କରନ୍ତୁ ।

 

ଚୋପଡ଼ା : (ପର୍ସ କାଢ଼ି ନୋଟ୍‌ ଦେଲେ) ଏଇ ନିଅନ୍ତୁ ସର୍ଦ୍ଦାର ସାହେବ !

 

ଶରନ : (ଟଙ୍କା ଦେଉ ଦେଉ) ଏଇ ଧରନ୍ତୁ ଭଉଣୀ, ଶହେଟଙ୍କିଆ ନୋଟ୍‌–ସାଢ଼େ ଊଣେଇଶି ହଜାର !

 

କିଶନ ଦେବୀ : (ନୋଟ୍‌କୁ ଦୂରକୁ ଘୁଞ୍ଚେଇ ଦେଇ) ନା–ନା–ନା, ଭାଇ ! ମୁଁ ତୁମକୁ ଆଗରୁ କହିସାରିଚି, କୋଡ଼ିଏ ହଜାରରୁ ଗୋଟିଏ ପଇସା କମ୍‌ ନେବାକୁ ପ୍ରସ୍ତୁତ ନୁହେଁ ।

 

ଶରନ : ଭଉଣୀ; ଆପଣ ଆଗ ପଇସା ଧରନ୍ତୁ ।

 

କିଶନ ଦେବୀ : କେମିତି ଟଙ୍କା ଧରିବି ? ପ୍ରଥମତଃ ମୁଁ ଦୁଇହଜାର କମରେ ରାଜି ହେଲି ବୋଲି ମୋ ପୁଅ ମୋ ଉପରେ ବିରକ୍ତ ହେଉଚି ।

 

ସୁଦର୍ଶନ : ନା ସର୍ଦ୍ଦାରଜୀ ! କୋଡ଼ିଏ ହଜାରରୁ କମ୍‌ ନେବୁ ନାହିଁ ।

 

ଶରନ : ଚୋପଡ଼ା ସାହେବ, ଛାଡ଼ ଏବେ । କଥାଟା ପୂରଣ ହେଇଯାଉ । ପାଞ୍ଚଶହ ପାଇଁ ଏମିତିଆ ସଉଦା ଛାଡ଼ିବା ଉଚିତ ନୁହେଁ ।

 

ଚୋପଡ଼ା : ନା ସର୍ଦ୍ଦାରଜୀ,....ଆପଣ ଏ କ’ଣ କହୁଛନ୍ତି ? ମୁଁ ତ ପ୍ରଥମରୁ ପାଞ୍ଚଶହ ଅଧିକ କହିଦେଇସାରିଛି ।

 

ଶରନ : ଛାଡ଼ନ୍ତୁ, ମୋ’ପାଇଁ ଆଉ ପାଞ୍ଚଶହ ସହିଯାଆନ୍ତୁ । ଆପଣଙ୍କୁ ଆଉ କେଉଁଠି ପାଞ୍ଚଶହ ସୁବିଧା କରାଇଦେବି ।

 

ଚୋପଡ଼ା : ନା ସର୍ଦ୍ଦାର ସାହେବ; ଏମିତି କଥା ହୁଏନି । ମୁଁ କୌଣସି ପ୍ରକାରେ ସାଢ଼େ-ଊଣେଇଶିରୁ ଅଧିକ ଦେବାକୁ ପ୍ରସ୍ତୁତ ନୁହେଁ ।

 

ଶରନ : ତେବେ ଠିକ୍‌ ଅଛି । ମୋ ଉପରେ ନିଷ୍ପତ୍ତି କରିବାକୁ ଛାଡ଼ିଦିଅନ୍ତୁ । ନିଅନ୍ତୁ ଭଉଣୀ, ଶହେ ଟଙ୍କାଗୁଡ଼ା ଧରନ୍ତୁ । ଧରନ୍ତୁ ଟିକେ–ମୁଁ ଏବେ କଥା ଛିଣ୍ଡେଇ ଦଉଚି ।

 

କିଶନ ଦେବୀ : (ଟଙ୍କା ଧରିଲେ) ହଉ, ଏବେ କୁହ ।

 

ଶରନ : ଆପଣଙ୍କ କଥା ରହୁ, ତାଙ୍କ କଥା ରହୁ । ଊଣେଇଶି ହଜାର ସାଢ଼େ ସାତଶହ ଟଙ୍କା ।

 

(ଚୋପଡ଼ା ଏବଂ କିଶନ ଦେବୀ ଏକସାଙ୍ଗରେ କହିଉଠିଲେ ।)

 

ଚୋପଡ଼ା : ନା, ସର୍ଦ୍ଦାରଜୀ ନା ।

 

କିଶନ ଦେବୀ : ନା ଭାଇ, ମୁଁ ମୋଟେ କମ୍‌ ନେବି ନାହିଁ ।

 

ଶରନ : ଚୋପଡ଼ା ସାହେବ ! ଆପଣ ଟିକେ ଚୁପ୍‌ ହେଲେ । ଭଉଣୀ, ଶୁଣନ୍ତୁ । ଘରକୁ ଆସିଲା ଧନର ମାୟା ତୁଟେଇ ଦିଆଯାଏନାହିଁ । ଇଏ ହେଉଚି ଲକ୍ଷ୍ମୀ..... ଲକ୍ଷ୍ମୀ । ଅଢ଼େଇଶହ ଟଙ୍କାର କଥା ଗୋଟା କ’ଣ କଥା ! ଟିକେ ଭାବନ୍ତୁ ।

 

କିଶନ ଦେବୀ : କ’ଣ ସୁଦର୍ଶନ–ଭାବୁଚୁ କ’ଣ ?

 

ଶରନ : ସେ ବିଚାରା କ’ଣ କହିବ ? ଆଜି ସନ୍ଧ୍ୟାକୁ ‘ଆବାସ ଅଧିକାରୀ’ ପାଖକୁ ଯାଆନ୍ତୁ; ଆଉ କାଗଜପତ୍ରରେ ଲେଖାପଢ଼ା କାମ ପୂରା କରିଦିଅନ୍ତୁ ।

 

ଚୋପଡ଼ା : ହଁ ! ଯେତେବେଳେ ଇଚ୍ଛା ଲେଖାପଢ଼ା କାମ କରିଦିଅ ।

 

ଶରନ : ଚୋପଡ଼ା ସାହେବ ! ଆପଣ ମୋ ପ୍ରତି ଆଉ ଟିକିଏ କୃପା କରିବେ । ଦଲାଲି ପଇସାରୁ ଅଧେ ମତେ ଏବେ ଦେଇଦିଅନ୍ତୁ । ଘରେ ମତେ ରେସନ୍‌ ପହଞ୍ଚାଇବାକୁ ହେବ । ଭାବିଥିଲି, ଚୋପଡ଼ା ସାହେବଙ୍କ କାମ ହେଇଗଲେ ମୁଁ ଏ କାମ କରିବି ।

 

କିଶନ ଦେବୀ : ତୁମେ ଗୋଟିଏ ଜବରଦସ୍ତ ଲୋକ । ତୁମର ସେଇ କଥା ରହିଲା–ତମେ ଯୋଉଥିରେ ଲାଗିଥିବ ଜୋକ ଭଳି ଲାଗିଥିବ । ଧାଡ଼ି ଦେଇ ଦେଇ, କଥା କହି-ବୋଲି, ଶେଷରେ ମୋ ଘର ବିକେଇ ନିଃଶ୍ୱାସ ମାରିଲ ।

 

ଶରନ : ଭଉଣୀ, ଇଏ ଆମର ସବୁଦିନିଆ କାମ । କଥାରେ କହିନ୍ତିନି–ହାକିମ ଗରମ ହେଇ, ଦୋକାନୀ ନରମ ହେଇ ଆଉ ଦଲାଲ ବେସରମ ହେଇ ଚଳେ ।

 

(ସମସ୍ତେ ହସିଉଠିଲେ ।)

☆☆☆

 

 

 

 

 

 

 

 

 

 

 

Unknown

ଉଧଲିଆ

 

–କପୂର ସିଂହ ଘୁମ୍ମଣ

 

ପାତ୍ର

 

ଖଡ଼କୁ :

ଜଣେ ଜାଠ

ବିରସା :

ଖଡ଼କୁର ବନ୍ଧୁ

କରତାରୋ :

ଖଡ଼କୁର ପତ୍ନୀ

ଜୀତା :

ଖଡ଼କୁର ପୁଅ

ସଲମା :

ଉଧଲିଆ (ଉଡ଼େଇ ଆଣିଥିବା ଝିଅ)

ଥାନା ଅଫିସର :

ଏବଂ ସିପାହି ।

ସ୍ଥାନ :

ଅମୃତସରର ଅଜନାଲା ତହସିଲରେ ପାକିସ୍ତାନ ସୀମା ନିକଟବର୍ତ୍ତୀ ଗୋଟିଏ ଗାଆଁ ପତ୍ତୁବାଲ ।

ସମୟ :

୧୯୪୯ ଜାନୁଆରୀର ଗୋଟିଏ ସକାଳ ।

 

[ଖଡ଼କୁ କାଠର ଘର । ସାମ୍ନାରେ ଝାଟିମାଟିର ଦିଆଲ୍‌ । ଏଥିର ଦୁଇଟି ଦୁଆର ଅଛି । ଡାହାଣ ହାତପଟେ ରୋଷେଇଘରକୁ ଏବଂ ବାଁ ପଟେ କୋଠରିକୁ ଦୁଆର । କୋଠରି ପଛକୁ ଆଉ ଏକ ଛୋଟ କୋଠରି ଅଛି । ବାହାରୁ ଆସିବା ପାଇଁ ରୋଷେଇଘର ଦରଜା ସାଙ୍ଗକୁ ଅନ୍ୟ ଏକ ଦରଜା ଅଛି । ଦିଆଲ୍‌ର ଗୋଟିଏ ଦରଜା ଆଗରେ କାଠର ଚରଖା, ପିଢ଼ା, ତୁଳା ବଲଣାର ଟୋକେଇ ତଥା କିଛି ତୁଳା ରଖାହୋଇଛି । ଆଠ ବର୍ଷର ବାଳକ ଜୀତା ବସି ଆଖୁ ଖାଉଛି । ତା’ ପାଖକୁ ଆଖୁଗୁଡ଼ାଏ ଗଦାହୋଇଛି । ଅଗଣାରେ ମଧ୍ୟ ଚୋପା ବିଛାଡ଼ି ହୋଇ ପଡ଼ିଛି । ରୋଷେଇ ଏବଂ ଝାଟିମାଟିର ଦିଆଲ୍‌ ମଝିରେ କାଠ ବଇଠିରେ ଘଡ଼ି ରଖାହୋଇଛି । ପାଖରେ ଦୁଇଟି ଝିଙ୍କା ଅଛି । ଦିଆଲ୍‌ ପଟକୁ ଗୋଟିଏ ଚୁଲି ଆଉ ପୀଢ଼ି ଅଛି । କେତେକ ଅଇଁଠା ବାସନ, ଥାଳିଆ, ଥାଳି ଓ କଟରା ଆଦି ବିକ୍ଷିପ୍ତ ଭାବେ ପଡ଼ିଛି । କୋଠରିର ଦରଜା ପାଖ ଖଟିଆ ଉପରେ ଗୋଟିଏ ପିଲା ଶୋଇଛି । ନିକଟରେ ଆଉ ଏକ ଖଟିଆ ପଡ଼ିଛି । କରତାରୋ ଦୁଧହ ବାଲ୍‌ଟି ଧରି ଭିତରକୁ ଆସିଲା ।]

 

କରତାରୋ : ଆସ ଜୀତା ଫୀତା ! ଆରେ ଏଯାଏ ତୋର ଆଖୁଖିଆ ସରିନି ?

 

ଜୀତା : ସେଇଟା ତ ସରିଗଲାଣି ବୋଉ ! (ହାତରେ ଥିବା ଆଖୁ ଦେଖାଇ) ଏଇଟା ସରିନି ।

 

କରତାରୋ : କେମିତିଆ ଭୋକିଲା ବେଳରେ ତୋର ଜନମ ହେଇଥିଲା କେଜାଣି ! ରଇଜଳା, ସବୁବେଳେ ତୋ ପାଟି ଚାଲୁଚି ।

 

ଜୀତା : ବାପା କେତେ ଆଖୁ ଖାଇଯାଉଛନ୍ତି । ତାଙ୍କୁ ତ ତୁ କିଛି କହୁନୁ ।

 

କରତାରୋ : ଦଶଟା ଲୋକର କାମ ସେ ଏକଲା କରୁଛନ୍ତି । ତୋ ଭଳିଆ ସେ କେବଳ ଖାଇବା ପେଟୁ ହେଇ ବସିନାହାନ୍ତି । (ରୋଷେଇ ଘରକୁ ବାଲ୍‌ଟି ରଖିବାକୁ ସେ ଚାଲିଗଲେ ।)

 

ଜୀତା : ବାପାଙ୍କ ଭଳି ବଡ଼ ହେଇଗଲେ ମୁଁ ବି ବହୁତ କାମ କରିବି ।

 

କରତାରୋ : (ବାହାରକୁ ଆସି) ତୁ କାମ କଲେ ଦୁନିଆ ଦେଖିବ ଯେ ! ସ୍କୁଲରେ ସବୁଦିନେ ମାଡ଼ ଖାଉଚୁ, ପିଟାପିଟି କରୁଚୁ । ଇସ୍କୁଲ ପାଠପଢ଼ା ତ କରୁନୁ, କ୍ଷେତ କାମ ତୁ କରିପକେଇବୁ ?

 

ଜୀତା : ଦେଖିବୁ ରଇଥା ।

 

କରତାରୋ : ଯା; ଉଠ୍‌ ! କୂଅ ପାଖରେ ନେଇ ବାପାକୁ ଲସି ଦେଇଆ । ଗଲାବେଳେ ସାଙ୍ଗରେ ଦିଇଟା ରୁଟି ଆଉ ଆଚାର ନେଇଯିବୁ ।

 

ଜୀତା : ମୁଁ ଘରେ ଅଛି । ତୁ ନିଜେ ଯାଇ ଦେଇଆ ।

 

କରତାରୋ : ଆରେ, ଉଠୁଚୁ ନା ନାଇଁ ? ଆହା, ରଜାଘର ପୁଅ ପାଲଟିଗଲାଣି ! (ଭିତରକୁ ଚାଲିଗଲା ।)

 

ଜୀତା : ତା’ହେଲେ ରୁଟି ଆଉ ଆଚାର ଆଣ । (ଆଖୁ ଖାଇବାକୁ ଲାଗିଲା ।)

 

କରତାରୋ : (ବାହାରକୁ ଆସି ରୁଟି ବନ୍ଧାହୋଇଥିବା ଲୁଗା ଏବଂ ଲସିଭରା ନୋଟା ରଖିଲା ।) ଥରେ ଦି’ଥର କହିଲେ ବି ତୋର ଖାତିର ପଡ଼ୁନି । ଉଠୁଚୁ ନା ନାଇଁ ! ଦେଖିବୁ ଏଇନେ; କେମିତି ତତେ ଠିଆ କରେଇବି ?

 

ଜୀତା : ମତେ ଭୋକ କରୁଚି ।

 

କରତାରୋ : (ବାହା ଧରି) ଲହୁଣୀ ସାଙ୍ଗରେ ଗଲାରାତିର ବାସିରୁଟି ପରା ଖାଇସାରିଚୁ ତୁ ! ଆଠ ଦଶଟା ଆଖୁ ପରା ଗିଳିସାରିଲୁଣି । ଆଉ କ’ଣ ଚାହୁଁ–ଗୋବର ? ଶୀଘ୍ର ଉଠ୍‌ ।

 

(କରତାରୋ ଜୀତାର ଆଖୁକୁ ଦୂରକୁ ପକେଇଦେଲା । ଜୀତା ଓଠ ନେଫେଡ଼େଇଲା । ତା’ପରେ ମୁଣ୍ଡରେ ରୁଟିବନ୍ଧା ପୁଟୁଳି ରଖି ହାତରେ ନୋଟା ଧରି ବାହାରକୁ ଚାଲିଗଲା ।)

 

ଜୀତା : (ଦରଜା ପାଖରୁ) ମୁଁ ଫେରିଲାବେଳକୁ ସବୁ ଆଖୁ ସାରି ଦେଇ ନଥିବୁ ।

 

କରତାରୋ : ଏ ଆଖୁଗୁରାକୁ ଏଇନେ ଫିଙ୍ଗୁଚି ରହ । ଦଉଡ଼ିକରି ଯା; ବାପା ଅପେକ୍ଷା କରି ବସିଥିବେ ।

 

[ଜୀତା ବାହାରକୁ ଚାଲିଗଲା । କରତାରୋ ଚୁଲିରେ ଘସି ପକାଇଲା; ଭାଙ୍ଗି ଭାଙ୍ଗି କରି ପକାଇଲା । ତା’ପରେ ଭିତରୁ ଦୁଧ ଆଣିଲା, ଘଡ଼ିରୁ ପାଣି ନେଲେ ଏବଂ ତାକୁ ଧୋଇ ପଲମରେ ଦୁଧ ଅଜାଡ଼ି ଚୁଲିରେ ରଖିଲା । ତା’ପରେ ଚରଖା ପାଖରେ ବସି ସୂତା କାଟିଲା । ବାହାରୁ ଅଣନିଃଶ୍ୱାସୀ ହୋଇ ବିରସା ସିଂହ ଆସିଲା ।]

 

ବିରସା : ଭାଉଜ ! ଭାଉଜ ଘରେ ଅଛ ?

 

କରତାରୋ : ନାହିଁ–ନାହିଁ । ସବୁ ଭଲ ତ ? ଏମିତି ଅବସ୍ଥାରେ ତମେ କୁଆଡ଼େ ?

 

ବିରସା : ବଡ଼ ଗାଆଁକୁ ପୁଲିସ ଆସିଗଲାଣି ।

 

କରତାରୋ : ସେଠି ଲୋକେ ବହୁତ ମଦ ପିଉଥିଲେ ନା ?

 

ବିରସା : ପୁଲିସ ମଦ ପାଇଁ ଆସିନାହିଁ ।

 

କରତାରୋ : ତା’ହେଲେ ଆଉ କ’ଣ ପାଇଁ ?

 

ବିରସା : ଉଡ଼େଇ ଆଣିଥିବା ସ୍ତ୍ରୀଲୋକକୁ ଖୋଜିବା ପାଇଁ ।

 

କରତାରୋ : ଉଡ଼େଇ ଆଣିଥିବା ସ୍ତ୍ରୀଲୋକକୁ ଖୋଜିବା ପାଇଁ ?

 

ବିରସା : ହଁ, ସାଙ୍ଗରେ ମିଲେଟେରୀ ଥିବା ଟ୍ରକ୍‌ ବି ଆସିଛି । ଯେଉଁ ସ୍ତ୍ରୀଲୋକମାନଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଛି, ତାଙ୍କୁ ଖୋଜି ଖୋଜି ପାକିସ୍ତାନ ପଠାହେଉଛି ।

 

କରତାରୋ : ତେବେ ତମେ ଏତେ ବିବ୍ରତ କାହିଁକି ହଉଚ ?

ବିରସା : ସେ ଯେଉଁ ଶେରୁ ନୁହେଁ ଭାଉଜ–ସେ ବଡ଼ ଗାଆଁର ମ ! ତାକୁ ବି ପୁଲିସ ଧରିନେଇଚି ।

କରତାରୋ : ତାକୁ କାହିଁକି ନେଲା ?

ବୀରସା : ସେ ଫଜଲଦୀନ୍‌ ମୋଚିର ଝିଅକୁ କୁଆଡ଼େ କୋଉଠି ନେଇ ବିକି ଦେଇ ଆସିଥିଲା ।

କରତାରୋ : ତା’ହେଲେ ତାକୁ ଠିକ୍‍ ହେଇଚି । ମାଇକିନିଆମାନଙ୍କୁ ଗୋରୁ-ଗାଈ ଭଳି ବିକିବା କ’ଣ ନ୍ୟାୟ ?

ବିରସା : ହେଲେ ତା’ ସାଙ୍ଗରେ ବି ନିର୍ଦ୍ଦୋଷ ଲୋକର ନାକ ରଗଡ଼େଇ ଦେଉଛନ୍ତି । ଯେଉଁ ଝିଅ ପାକିସ୍ତାନ ଫେରିବାକୁ ନ ଚାହୁଁଚି, ତାକୁ ମଧ୍ୟ ବଳପୂର୍ବକ ନେଇଯାଉଛନ୍ତି ।

କରତାରୋ : ମାତ୍ର ତମେ କାହିଁକି ଡରିଯାଉଚ ? ତମେ କ’ଣ କାହାକୁ ଉଡ଼େଇ ନେଇଆସିଚ କି ?

ବିରସା : ଧର୍ମ ଦୁହାଇ ! ମୁଁ କାହାକୁ ନେଇଆସିନି । ସେସବୁ ଭଗବାନଙ୍କୁ ଜଣା । କିନ୍ତୁ ଗୋଟାଏ ଝିଅର ପ୍ରାଣ ମୁଁ ବଞ୍ଚାଇଛି ନିଶ୍ଚେ । ଯଦି ମରିବା ଲୋକକୁ ବଞ୍ଚାଇବା ଦ୍ୱାରା ପାପ ହୁଏ, ତେବେ ମୁଁ ନିଶ୍ଚୟ ପାପୀ ।

 

କରତାରୋ : ତା’ହେଲେ ଡରୁଚ କାହିଁକି ? ସତ କଥାକୁ ଡର କ’ଣ ? କୌଣସି ଲୁଟପାଟ ଘଟିନି ଯେ ଯାହାକୁ ଇଚ୍ଛା ତାକୁ ଧରିନେବେ ।

 

ବିରସା : ଆପଣାଛାଏଁ କେହି ଧରେ ନାହିଁ ଭାଉଜ ! ଯେତେବେଳେ ଗାଆଁରୁ କେହି ଯାଇ ଅଭିଯୋଗ କରିଆସେ, ସେତେବେଳେ ପୁଲିସ ଆସେ ।

 

କରତାରୋ : ବିରସା ! ଶେଷରେ ସତ୍ୟର ହିଁ ଜୟ ହେବ ।

 

ବିରସା : ତମ କଥା ଠିକ୍‌ । କିନ୍ତୁ ଚକିରେ ପଡ଼ିଥିବା ଗହମକୁ ଯଦି ପେଷି ଦିଆ ନ ଯାଏ.....

 

କରତାରୋ : ତମେ ଠିକ୍‌–ଠିକ୍‌ କରି କହ–ଅସଲ କଥା କ’ଣ ?

 

ବିରସା : ବର୍ତ୍ତମାନ ମୋର ଇଜ୍ଜତ; ଆଉ ଗୋଟିଏ ଝିଅର ଜୀବନର ପ୍ରଶ୍ନ ଜଡ଼ିତ ଭାଉଜ !

 

କରତାରୋ : ମୁଁ ସବୁବେଳେ ତମକୁ ନିଜ ଦିଅର ଭଳି ଭାବେ । ମତେ କିଛି ଲୁଚାନା ।

 

ବିରସା : ମୁଁ ବହୁତ ଚେଷ୍ଟା କରି ଏଯାଏ ଆସିଚି ।

 

କରତାରୋ : ତମର ମାନ ତୁଟିବ ନାହିଁ; ଧୈର୍ଯ୍ୟ ଧର ।

 

ବିରସା : (ଖଟ ଉପରେ ବସିପଡ଼ି) ସଲମା ପାକିସ୍ତାନ ଯିବାକୁ ଚାହେଁନା । ଆଉ ମତେ ଯଦି ପୋଲିସ ଧରି ନେଇଯାଏ, ତେବେ ତା’ପାଇଁ ରହିବାକୁ ଆଉ ଜାଗା ନାହିଁ ।

 

କରତାରୋ : ସଲମା କିଏ ?

 

ବିରସା : ସେଇ ବଡ଼ ଗାଆଁର ସତରୁର ଝିଅ–ଯିଏ ଗଣ୍ଡଗୋଳ ବେଳେ ଟୋକାମାନଙ୍କ ହାତରେ ପଡ଼ିଥିଲା ।

 

କରତାରୋ : (ଆଖି ଛଳଛଳ କରି) ସଲମା ଭଳି ଭଗବାନ ଆଉ କାହାକୁ ଯନ୍ତ୍ରଣା ନ ଦିଅନ୍ତୁ । ମନେପଡ଼ିଲେ କଲିଜା ଥରିଉଠୁଚି ।

 

ବିରସା : ରାଉଲପିଣ୍ଡିରୁ ଆସିଥିବା ଲୋକମାନେ ଏମିତିଆ କଥା କହିଲାବେଳେ ମୋର ବିଶ୍ୱାସ ହେଉନଥିଲା । ବସ୍ତି ପଡ଼ୋଶୀର ଝିଅ-ଭଉଣୀଙ୍କର ପଟୁଆର ବାହାର କରିବା, ସେମାନଙ୍କୁ ଛେଳି-ଗୋରୁଙ୍କ ଭଳି ବିକିବା ଆଉ କାଟିବା–ଏସବୁ ମତେ ବହୁତ ଖରାପ ଲାଗୁଥିଲା । ମାତ୍ର ସଲମା ସାଙ୍ଗରେ ସେସବୁ ହିଁ ମୋ ସାମ୍ନାରେ ହେଲା ।

 

କରତାରୋ : ତମରି ଆଗରେ ? ଆଉ ତମେ ଚୁପ୍‌ଚାପ୍‌ ଦେଖୁଥିଲ ବିରସା ? ତମେ କୌଣସି ବଦମାସ୍‌ଙ୍କୁ ଅଟକେଇଲନି ? କାହାରି ହାତଟାଏ ଭାଙ୍ଗିଦେଇପାରିଥାଆନ୍ତ !

 

ବିରସା : ମୋ ଶକ୍ତି କୁଳେଇଥିଲେ ମୁଁ ସବୁ କିଛି କରିଥାଆନ୍ତି । ମାତ୍ର ଚକଟି ହେଇଥିବା ସାପ ଭଳି ମୁଁ ବିଷ ଛାଡ଼ିବା ବ୍ୟତୀତ କିଛି କରିପାରିଲି ନାହିଁ । ଏଇ ଦେଖ (ନିଜ ଦେହକୁ ଖୋଲିକରି ଦେଖାଇ), ସଲମାର ଇଜ୍ଜତ ବଞ୍ଚାଇବା ପାଇଁ ମୁଁ ସେଇ ଉଗ୍ର ପାଗଳ ଲୋକଙ୍କ ଉପରକୁ ଲମ୍ଫ ଦେଲି । କିନ୍ତୁ ସେମାନେ ମିଳିମିଶି ମତେ ଖୁବ୍‌ ପିଟିଲେ । ଜଞ୍ଜିରରେ ବାନ୍ଧି ଅଶ୍ୱତ୍‌ଥ ଗଛରେ ଭିଡ଼ିଦେଲେ । ସଲମାକୁ ବାପ ଏବଂ ଭାଇଙ୍କ ସାମ୍ନାରେ ସେମାନେ ସବୁ କିଛି କଲେ, ଯାହା ମୁଁ କହିପାରିବି ନାହିଁ । କୌଣସି ଭାଇ କି କୌଣସି ବାପ ସେ ଦୃଶ୍ୟ ଦେଖି ପାରି ନ ଥାନ୍ତେ । .....ସେମାନେ ସଲମାର ମାଂସକୁ ଖିନ୍‌ଭିନ୍‌ କଲେ–ପାଗଳ କୁକୁରଙ୍କ ଭଳି, ଭୋକିଲା ଶାଗୁଣାଙ୍କ ଭଳି । ସଲମାର ସ୍ତ୍ରୀତ୍ୱକୁ ସବୁଦିନ ପାଇଁ ହତ୍ୟା କରିଦିଆଗଲା । ଉଡ଼ନ୍ତା ସାପଙ୍କୁ ଦୁଧ ପିଆଇବା ନାରୀକୁ ସେମାନେ ସବୁଦିନ ଲାଗି ହତ୍ୟା କରିଦେଲେ ।

 

(କରତାରୋ ଲୁହ ପୋଛିଲା)

 

କେତେଥର ତାକୁ ବିକା ହେଲା । କେତେଥର ତା’ପ୍ରତି ଦୁର୍ବ୍ୟବହାର କରାଗଲା । ଆଉ ପୁଣି ଗୋଟାଏ ପଟକୁ ପକେଇଦେଇ ତାକୁ ଅଚେତ କରିଦିଆଗଲା ।

 

ଗଲା ରବିବାର ଦିନ ସନ୍ଧ୍ୟାରେ, ମୁଁ ଯେତେବେଳେ ପଶୁମାନଙ୍କ ପାଇଁ ଘାସ ଧରି ଲାଲୁବାନ୍‌ ଗାଆଁ ପାଖ ଦେଇ ଯାଉଥିଲି, କେହି ଜଣେ କୂଅରେ ପଡ଼ିଯିବାର ଶୁଣାଗଲା । ମୁଣ୍ଡର ବୋଝକୁ ସେଇଠି ପକେଇ ଯେତେବେଳେ ମୁଁ ନଇଁପଡ଼ି କୂଅକୁ ଚାହିଁଲି–ଦେଖି ଅନୁମାନ କଲି କୌଣସି ମଣିଷର ଶରୀର । ମୁଁ ଡେଇଁପଡ଼ିଲି ଆଉ ସେଇ ବୁଡ଼ିଯାଉଥିବା ସ୍ତ୍ରୀଲୋକକୁ ବାହାରକୁ ଆଣି ଯେତେବେଳେ ଦେଖିଲି, ଅବାକ୍‌ ହେଇଗଲି । ସେ ଥିଲା ସଲମା ।

 

କରତାରୋ : ସଲମା !

 

ବିରସା : ସେ ଠିକ୍‌ ରୂପେ ହୋସରେ ନଥିଲା । ମାତ୍ର ହୋସ୍‌ ଆସିଲାମାତ୍ରେ ସେ ଉଠିପଡ଼ି ପୁଣି କୂଅ ଆଡ଼କୁ ଦଉଡ଼ିଲା । ମୁଁ ତାକୁ ଜୋର୍‌-ଜବରଦସ୍ତ ଅଟକାଇଲି–‘ତୁ ଏବେ କୁଆଡ଼େ ଯାଇ ପାରିବୁନି ସଲମା ! ମୁଁ ତତେ ରକ୍ଷା କରିବି । ତତେ ତୋର ମାଆ-ବାପାଙ୍କ ପାଖରେ ପହଞ୍ଚେଇଦେବି । ମୁଁ କହିଥିଲି ଏସବୁ; କିନ୍ତୁ ସେ ବଞ୍ଚିରହିବାକୁ ଚାହୁଁ ନ ଥିଲା । ସେ ନିଜର ସକଳ ଶକ୍ତି ଖଟେଇ ହାତ ଗୋଡ଼ ପିଟିଲା । ମୋ ହାତକୁ ଜୋରରେ କାମୁଡ଼ି ଦେଲା; କିନ୍ତୁ ମୁଁ ତାକୁ ଛାଡ଼ିଲି ନାହିଁ ।

 

କରତାରୋ : ତା’ପରେ ?

 

ବିରସା : ମୁଁ କହିଲି, ଏଇ ଦୁନିଆରେ ଯେଉଁଠି ତୋ ଉପରେ ପ୍ରବଳ ଅତ୍ୟାଚାର ହେଇଚି–ସଲମା ! ସେଇଠି ମୁଁ ତୋତେ ନ୍ୟାୟ ଦେବାକୁ ଚାହେଁ । ତୋ ପ୍ରତି ଦୁର୍ବ୍ୟବହାର କଲାବାଲାଙ୍କ ମୁଣ୍ଡ କାଟି ମୁଁ ତୋରି ପାଦ ତଳେ ଆଣି ରଖିଦେବି । ତୋ’ରି ମାଂସ କାଟିଥିବା ଜାନୁଆରଙ୍କ ମୁଣ୍ଡକୁ ତୋ’ରି ଜୋତାରେ ପିଟିବି । ମୁଁ ତୋରି ହାତ ଧରିବି–ତୋରି ଭାଇ ସାଜି, ତୋରି ସ୍ୱାମୀ ସାଜି । ଯେଉଁ ରୂପରେ ମତେ ତୁ ଇଚ୍ଛାକରୁ, ସ୍ୱୀକାର କରିନେଇପାରୁ । ତୋରି ପାଇଁ ମୁଁ ସାରା ଜଗତ ସାଙ୍ଗରେ ଟକ୍‌କର ଦେଇପାରିବ । ତୁ ମତେ ଆପଣାର କରି ଦେଖ୍‌, ପରୀକ୍ଷା କରି ଦେଖ୍‌ ।

 

କରତାରୋ : ସେ କ’ଣ ରାଜି ହେଇଥିଲା ?

 

ବିରସା : ରାଜିହେଲା ଯେ.....କିନ୍ତୁ ଏକ ନିଷ୍ଠୁର ସର୍ତ୍ତ ସହିତ ।

 

କରତାରୋ : କି ସର୍ତ୍ତ ?

 

ବିରସା : କାହା ପ୍ରତି ପ୍ରତିଶୋଧ ନିଆଯିବ ନାହିଁ, କାହାକୁ ହତ୍ୟା କରାଯିବ ନାହିଁ । ତା’ପ୍ରତି ଅତ୍ୟାଚାର କରୁଥିବା ଲୋକେ ଅଲଗା କେହି ନୁହଁନ୍ତି ।

 

କରତାରୋ : ଅଲଗା ନୁହନ୍ତି ?

 

ବିରସା : ହଁ, ଜାଣେନା, ତା’ ହୃଦୟ କୋଉ ଉପାଦାନରେ ଗଢ଼ା କେଜାଣି ? ଯେଉଁ ଲୋକମାନେ ତା’ ଶରୀରକୁ କାଟି କାଟି ଖାଇଲେ, ତାଙ୍କର ରକ୍ତପାତ ହେଉ–ସେ ଦେଖିବାକୁ ଚାହେଁନାହିଁ । ତାଙ୍କୁ ଦଣ୍ଡ ଦେବାକୁ ସେ ପ୍ରସ୍ତୁତ ନୁହେଁ । କହୁଚି, ‘ତାଙ୍କୁ କେବଳ ଲଜ୍ଜିତ କରିବି । ସାତପୁରୁଷ ପର୍ଯ୍ୟନ୍ତ ତାଙ୍କର କେହି ମୁଣ୍ଡଟେକି ଗର୍ବରେ ଚାଲିପାରିବେ ନାହିଁ ! ମୁଁ ସଲମାର ଏ ସପନକୁ ପୂର୍ଣ୍ଣ କରିବାକୁ ଚାହେଁ । କିନ୍ତୁ ମୋର ଚିନ୍ତା ହେଉଚି, ପୁଲିସକୁ ଆଉ ଏହାର ସୂଚନା ମିଳିଯିବନି ତ ! ଏତେବେଳେ ତମ ବ୍ୟତୀତ ଆଉ କେହି ଆଶ୍ରା ଦେଲାବାଲା ନାହିଁ, ଭାଉଜ !

 

କରତାରୋ : ମୁଁ ସବୁପ୍ରକାର ତମୁକୁ ସାହାଯ୍ୟ କରିବି । ତମେ ଯାହା କହିବ, ତାହା କରିବି ।

 

ବିରସା : କେହି ଜାଣନ୍ତିନି ସଲମା ମୋ ପାଖରେ ଅଛି । ମାତ୍ର କଥାରେ କହନ୍ତିନି, ‘କାନ୍ଥର ବି କାନ ଅଛି’ ।

 

କରତାରୋ : ଲୋକମାନଙ୍କଠାରୁ ଟିକିଏ ସତର୍କ ରହିବା ଦରକାର ।

 

ବିରସା : ବଇରିପଣିଆ କରି ଲୋକେ ମିଛ ରିପୋର୍ଟ ଲେଖେଇ ଆସନ୍ତି । ତା’ଛଡ଼ା ମୋର ତ ସାରା ଗାଆଁଟା ଶତ୍ରୁ ।

 

କରତାରୋ : ତା’ହେଲେ କ’ଣ କରିବ ?

 

ବିରସା : ଦିନେ ଦି’ଦିନ ସଲମା ଏଠି ଲୁଚି ରହିଯାଉ । ପୁଲିସ ଯିବା ପରେ ମୁଁ ଏଠୁ ତାକୁ ନେଇଯିବି ।

 

କରତାରୋ : ତମେ ଚିନ୍ତା କରନା । ମୁଁ ତା’ର ସମ୍ପୂର୍ଣ୍ଣ ସୁରକ୍ଷାର ବନ୍ଦୋବସ୍ତ କରିବି ।

 

ବିରସା : ଭାଇଙ୍କୁ ବି କେବେହେଲେ ଜଣେଇବ ନାହିଁ ।

 

କରତାରୋ : ଏଇଟା ତ ତା’ହେଲେ ଅଡ଼ୁଆ ହେବ । ତାଙ୍କ ପରାମଶ ବିନା......

 

ବିରସା : ଭାଉଜ ! ସଲମା ପାଇଁ ତମୁକୁ ଏ ତ୍ୟାଗ ସ୍ୱୀକାର କରିବାକୁ ହେବ ।

 

କରତାରୋ : ଠିକ୍‌ ଅଛି । ମୁଁ ତା’ ବି କରିବି ।

 

ବିରସା : ତା’ହେଲେ ଯାଇ ସଲମାକୁ ପଠାଇବି ?

 

କରତାରୋ : କିନ୍ତୁ ଆସିବାବେଳେ ଯଦି କିଏ ଦେଖିଦେଲା ?

 

ବିରସା : ତମେ ସେ ବିଷୟରେ ଚିନ୍ତା କରନା । ସେ ଏବେ ଆଖୁ କିଆରିରେ ଲୁଚିଚି । ଆଉ ସେଇ ପାଖରେ ଆଖୁ ଗଦା ହେଇଚି; ପୁଣି ଅରଖ ବଣ ହେଇଚି । ମୁଁ ତା’ ମୁଣ୍ଡରେ ଅରଖ ଗଛର ବୋଝ ଦେଇ ପଠେଇଦେବି । ତମ ଘର ସେ ଦେଖିଚି ।

 

କରତାରୋ : ତା’ହେଲେ ଠିକ୍‌ ଅଛି । ଅରଖ ଗଛର ବୋଝ ତଳୁ ତାକୁ କେହି ଚିହ୍ନିପାରିବେ ନାହିଁ । (ଖଟରୁ ଚଦର ଉଠେଇ) ନିଅ, ଲୁଗା ନେଇକରି ଯା ।

 

ବିରସା : ଏ ବିପଦରେ ତମେ ଆମକୁ ବଞ୍ଚାଇବ ଭାଉଜ ! କେବେହେଲେ ଆମକୁ ହତାଶ କରିବ ନାହିଁ ।

 

କରତାରୋ : ତମେ ଚିନ୍ତା କରନା ବିରସା ! ଭଗବାନ ଯାହା କରନ୍ତି, ପ୍ରାଣୀର ମଙ୍ଗଳ ପାଇଁ କରନ୍ତି ।

 

(ବିରସା ଲୁହଭରା ଆଖିରେ କରତାରୋ ଆଡ଼କୁ ଚାହିଁଲା । ତା’ପରେ ତା’ ପାଦଛୁଇଁଲା)

 

କରତାରୋ : ମୋ ଉପରେ ଏତେ ବୋଝ ଲଦି ଦିଅନା ବିରସା !

 

ବିରସା : ତମର ଏଇ ଦୟାକୁ ମୁଁ ସାରା ଜୀବନ ମନେରଖିବି ।

 

[ବିରସାର ପ୍ରସ୍ଥାନ । କରତାରୋ ଚୁଲିରୁ ଦୁଧ ପଲମଟି କାଢ଼ି ଆଉ ଦିଇଟା ଘସି ପକାଇଲା । ତା’ପରେ ପିଢ଼ାରେ ବସିପଡ଼ି ଭାବନାରେ ବୁଡ଼ିଗଲା । ଜୀତା ଆସି ନୋଟା ରଖିଲାବେଳେ ସେ ଚମକିପଡ଼ିଲା ।]

 

ଜୀତା : ବୋଉ ! ସିପେଇ ଆସିଛନ୍ତି ।

 

କରତାରୋ : ସିପେଇ ?

 

ଜୀତା : ହଁ । (କାନ୍ଦୁରା ମୁହଁ କରି) ବଚ୍ଚୁ କହୁଚି ଯେ–ମୋ ବାପା-ବୋଉକୁ ଧରିବା ପାଇଁ ଏଠିକି ସିପେଇ ଆସିଛନ୍ତି ।

 

କରତାରୋ : ତୋ ବାପାକୁ ଆଉ ମତେ ? ବଚ୍ଚୁକୁ କିଏ କହିଲା ?

 

ଜୀତା : ତା’ର କକା କହୁଥିଲେ ।

 

କରତାରୋ : ଏତିକିରେ ତୁ ଡରିଗଲୁ ପୁଅ ! ଆମକୁ କିଏ କାହିଁକି ଧରିନେବ ? ତୁ କହିଦେଲୁନି ତୋ କାକାକୁ ଧରି ନେବାକୁ ଆସିଚି ।

 

ଜୀତା : ବଚ୍ଚୁ ମତେ ମାରୁଚି; ମୁଁ ସିପେଇକୁ କହିବି । ବଚ୍ଚୁର କକା ମଦ ତିଆରି କରେ; ସେମାନେ ତାକୁ ଧରିନେବେ ନା ?

 

କରତାରୋ : କେହି କାହାକୁ ଧରିନେବେ ନାହିଁ ।

 

ଜୀତା : ହଁ, ମତେ ଯେମିତି ଜଣା ନାହିଁ । ନାହମକୁ ଧରି ନେଇଯାଇଥିଲା; ପୁଣି ବାନ୍ଧି ନେଇଯାଇଥିଲା । ସେ ମଦ ରାନ୍ଧୁଥିଲା । ଏବେ ତ ସିଆଡ଼େ ଘଣା ପେଲୁଥିବ ।

 

କରତାରୋ : ବାଜେ କଥା ବନ୍ଦ କର । ଆଗ କହ ତ, ବାପାକୁ ରୁଟି ଦେଇ ଆସିଲୁ କି ନାହିଁ ?

 

ଜୀତା : ଦେଇଆସିଚି; କିନ୍ତୁ ସେ ଖାଇନାହାନ୍ତି ।

 

କରତାରୋ : ଖାଇଲେ ନାହିଁ କାହିଁକି ?

 

ଜୀତା : ମତେ କି ଜଣା ? ଲସି ପିଇସାରି ନମ୍ୱରଦାର୍‌ର କୂଅ ଆଡ଼କୁ ବାପା ଚାଲିଯାଇଥିଲେ ।

 

କରତାରୋ : ଆଉ ରୁଟି ?

 

ଜୀତା : କହିଯାଇଥିଲେ–ବଳଦଙ୍କୁ ଖୁଆଇ ଦେବୁ । ମୁଁ ତାଙ୍କୁ ଖୁଆଇଦେଲି ।

 

କରତାରୋ : ଆଉ ତ କିଛି କଥା ନ ଥିଲା ?

 

ଜୀତା : ନା ।

 

କରତାରୋ : ଗାଆଁକୁ ସିପେଇ ଆସିବା କଥା ତୋ ବାପାଙ୍କୁ ଜଣା ?

 

ଜୀତା : ମୁଁ କେମିତି ଜାଣିବି ?

 

କରତାରୋ : ସିପେଇ ଏବେ କେଉଁଠି ?

 

ଜୀତା : ଗୁରୁଦ୍ୱାରରେ ଠିଆହୋଇଛନ୍ତି । ରକ୍ଷା ଚଉକିଦାର ତାଙ୍କ ପାଇଁ ଖଟ ନେଇ ଯାଇଛି ।

 

କରତାରୋ : ଯାଇକରି ଶୁଣିଆ ତ, ସେମାନେ କି କଥାବାର୍ତ୍ତା ହେଉଛନ୍ତି ?

 

ଜୀତା : ଇଲୋ ମା’ ! ଯଦି ମତେ ଧରିନିଅନ୍ତି । ମୁଁ ତ ପ୍ରଥମ ଥରକ ଅନ୍ୟ ଗଳିରେ ଲୁଚିକରି ଆସିଚି ।

 

କରତାରୋ : ନାଇଁ, ତତେ ଧରିପାରିବେ ନାହିଁ ।

 

ଜୀତା : ମତେ ସିପେଇଗୁଡ଼ାଙ୍କୁ ଡର ମାଡ଼େ । ଆଉ ମତେ ବି ଭାରି ଭୋକ କଲାଣି ।

 

କରତାରୋ : ନିଆଁ ଲାଗୁ ତୋ ଭୋକ ମୁହଁରେ ! ତୋ ଭିତରେ କୋଉ ଡାଆଣୀ ପଶିଚି କି ?

 

ଜୀତା : ମୁଁ ଆଖୁ ଖାଇବି ମାଆ ?

 

କରତାରୋ : ଖା, ମୁଁ ଆଉ ଗୋଟା କାହାକୁ ଗୁରୁଦ୍ୱାର ପଠାଉଚି ।

 

(ଜୀତା ବସି ଆଖୁ ଖାଇାବାରେ ଲାଗିଲା । କରତାରୋ ପିଢ଼ା ଉପରେ ବସିପଡ଼ିଲା । ଜଣେ ସିପାହି ଭିତରକୁ ଆସିଲା । ଜୀତା ଭୟଭୀତ ହୋଇଗଲା ।)

 

ଜୀତା : ମାଆ, ସିପେଇ !

 

(ଆଖୁ ପକାଇ ଦେଇ ଜୀତା ଭୟରେ ଘର ଭିତରକୁ ପଶିଗଲା । ସିପାହିକୁ ଦେଖି କରତାରୋର ରଙ୍ଗ ଫିକା ପଡ଼ିଗଲା ।)

 

ସିପାହି : ଖଡ଼କୁ ସିଂହର ଘର ଏଇଟା ତ ?

 

କରତାରୋ : ହଁ ।

 

ସିପାହି : ସେ କାହିଁ ?

 

କରତାରୋ : କୂଅ ମୂଳକୁ ଯାଇଛନ୍ତି ।

 

ସିପାହି : ଏ ଘରେ ଆଉ କେହି ତ ରହନ୍ତି ନାହିଁ ?

 

କରତାରୋ : ନା ।

 

ସିପାହି : କୁଅ ମୂଳରୁ ଖଡ଼କୁ ସିଂହକୁ ଯାଇ ଶୀଘ୍ର ଡାକି ଆଣ ।

 

କରତାରୋ : କଥା କ’ଣ ?

 

ସିପାହି : ତା’ ସାଙ୍ଗରେ କଥାବାର୍ତ୍ତା ଅଛି ।

 

କରତାରୋ : ସେ ତ କେବେ କୌଣସି ଖରାପ କାମ କରିନାହାନ୍ତି । ଲୁଟ୍‌-ମାର ତ ସେ କେବେ କରିନାହାନ୍ତି । କେବେ ତ ମଦ ରାନ୍ଧି ନାହାନ୍ତି । ତାଙ୍କ ସହ କୋଉ କଥାବାର୍ତ୍ତା କରିବେ ?

 

ସିପାହି : ମୁଁ କହୁଚି, ଖଡ଼କୁ ସିଂହକୁ ଶୀଘ୍ର ଡକାଅ । କଥା ପରେ କହିବି ।

 

କରତାରୋ : ଜୀତୁ ! ଆ ଜୀତୁ !!

 

ସିପାହି : (ରାଗରେ) ଆବେ ଜୀତୁ, ବାହାରକୁ ଆ ! ଶୀଘ୍ର ।

 

(ଜୀତା ଭୟଭୀତ ହୋଇ ହାତଯୋଡ଼ି ବାହାରିଆସିଲା ।)

 

ଜୀତା : ମୁଁ କେବେହେଲେ ମଦ ପିଏ ନାହିଁ ସିପାହି ମହାଶୟ–ମୁଁ ତ ଆଖୁ ଖାଉଥିଲି ।

 

ସିପାହି : ଶୀଘ୍ର ଯାଇ କୂଅ ଭିତରୁ ତୋ ବୋପାକୁ ବାହାର କରି ଆଣ ।

 

ଜୀତା : ମୋ ବାପା ମଧ୍ୟ ମଦ ପିଅନ୍ତି ନାହିଁ ସିପାହି ମହାଶୟ ! ବୈଶାଖୀ ପର୍ବ ଦିନ ବି ସେ ପିଅନ୍ତି ନାହିଁ ।

 

ସିପାହି : ଆବେ ଶଳା, ମୁଁ କହୁଚି ତୋ ବୋପାକୁ ଡାକିଆଣ । ଶୀଘ୍ର ଯା ।

 

ଜୀତା : ଯାଉଚି ଆଜ୍ଞା !

 

ସିପାହି : ଦୌଡ଼ି ଦୌଡ଼ି ଯା । ପଳେଇ ଯା ଶୀଘ୍ର । ଯଦି ଡେରି କରିବୁ ପିଟା ହେବ । (ଜୀତା ସିପାହି ଆଡ଼କୁ ଚାହିଁଲା ।)

 

ସିପାହି : ଆବେ, ଏତେବେଳଯାଏ ଏଇଠି ଠିଆ ହେଇ ବିଲେଇ ଭଳି ଚାହିଁଚୁ ।

 

ଜୀତା : ଗୁରୁଦ୍ୱାରଠାରେ ଆହୁରି ଗୁଡ଼ାଏ ସିପେଇ ଅଛନ୍ତି । ସେମାନେ ମତେ ଧରିନେଇଯିବେ ।

 

ସିପାହି : କେହି ତତେ ଧରିବେ ନାହିଁ । ମୁଁ ଯାହା କହିଲି ସେଇୟା କର । ଶୀଘ୍ର ଦଉଡ଼ି ଯା । (ଜୀତା ଦଉଡ଼ି ଦଉଡ଼ି ଗଲା ।)

 

କରତାରୋ : ଲସି ପିଇବେ ଜମାଦାର ସାହେବ ?

 

ସିପାହି : ହଁ, ଲସି ପିଇ ହେବ ।

 

କରତାରୋ : ଖଟ ଉପରେ ବସିଯାଆନ୍ତୁ ।

 

(କରତାରୋ ରୋଷେଇ କରିବାରେ ଲାଗିଗଲା । ସିପାହି ଖଟ ଉପରେ ବସି ଇଆଡ଼େ ସିଆଡ଼େ ଚାହିଁଲା । କରତାରୋ ଲସି ପାତ୍ର ଆଣି ତାକୁ ଦେଲା । ତା’ ଭିତରେ ଲହୁଣୀ ଭାସୁଥିଲା-।)

 

ସିପାହି : (ଲହୁଣୀକୁ ପାଟିରେ ପକାଇ) ଖଡ଼କୁ ସିଂହ ତମର କ’ଣ ହୁଅନ୍ତି ?

 

କରତାରୋ : ଆଜ୍ଞା, ସେ ମୋ ଘରମଣିଷ ।

 

ସିପାହି : ତମ ନାଁ କ’ଣ ?

 

କରତାରୋ : ଆଜ୍ଞା, କରତାରୋ କାଉର ।

 

ସିପାହି : (ଲସି ପିଇ) ବଡ଼ ଗାଁରେ ଆମେ ଦିଇଟା ଝିଅଙ୍କୁ ସନ୍ଧାନ କରିଚୁ ।

 

କରତାରୋ : ଦିଇଟା ଝିଅ ?

 

ସିପାହି : ହଁ । ଆଉ ଏଠି ଗୋଟାଏ ଝିଅ ଥିବାର ଖବର ମିଳିଚି ।

 

କରତାରୋ : କେମିତି ?

 

ସିପାହି : ଗାଆଁରୁ କେହି ରିପୋର୍ଟ ଦେଇଚି । ଆମେ ତ ଆଉ ସପନ ଦେଖୁନୁ ?

 

କରତାରୋ : ସେ ଝିଅଟି କିଏ ?

 

ସିପାହି : ଥାନାଦାର ଏବେ କହୁଥିଲା । ମୁଁ କହିପାରିବି ନାହିଁ । (ବ୍ୟଙ୍ଗକରି) ଏଠି କେହି ନାହାନ୍ତି ତ ?

 

(ଦରଜାରେ ଆବାଜ ହେଲା । କରତାରୋ ବିବ୍ରତ ହେଇ ଦରଜା ପର୍ଯ୍ୟନ୍ତ ଧାଇଁଗଲା । ଜୀତା ଭିତରକୁ ଆସିଲା ।)

 

କରତାରୋ : ଆରେ ତୁ ଗଲୁନି ? ମରି ଯାଉନୁ ତୁ !

 

ଜୀତା : ମତେ ସିପେଇମାନଙ୍କୁ ଦେଖି ଡର ମାଡ଼ୁଚି ।

 

ସିପାହି : ସିପେଇମାନେ ଭୂତ ନୁହନ୍ତି ରେ ଗଧ ! ଚାଲ, ତତେ ବଳେଇ ଦେଇ ଆସୁଚି-। କରତାରୋ କାଉର ! ଖଡ଼କୁ ସିଂହ ଆସିଲା ମାତ୍ରେ ବାହାର ଗୁରୁଦ୍ୱାରକୁ ପଠାଇଦବ ।

 

କରତାରୋ : ଠିକ୍‌ ଅଛି ଆଜ୍ଞା !

 

(ଜୀତା ଓ ସିପାହି ବାହାରକୁ ଚାଲିଗଲେ । ସଲମା ଅରଖ ଗଛର ବୋଝ ମୁଣ୍ଡରେ ଧରି ଭିତରକୁ ଆସିଲା । କରତାରୋ ଝଟାପଟ୍‌ ଭିତରୁ ଶିକୁଳି ଲଗାଇଦେଲା । ସଲମା ବୋଝ ପକେଇ ଦେଇ ଇଆଡ଼କୁ ସିଆଡ଼କୁ ଦେଖିଲା ।)

 

କରତାରୋ : ଈଶ୍ୱର ପର୍ଦ୍ଦା ପକେଇଦେଲେ ଲୋ ସଲମା ! ତୁ ଟିକିଏ ଆଗରୁ ଆସି ଯାଇଥିଲେ ନା ସାରା ଚକ୍ରାନ୍ତ ପଦାରେ ପଡ଼ିଯାଇଥାଆନ୍ତା ।

 

ସଲମା : ମୋ ଛାତି ତ ଏବେ ବି ଦୁଲୁକୁଚି । ଏହାଠାରୁ ଭଲ ହେଇଥାଆନ୍ତା ମୁଁ ଯଦି କପା କ୍ଷେତରେ ରହିଯାଇଥାନ୍ତି ।

 

କରତାରୋ : ତୁ ଏବେ ଚିନ୍ତା କରନା । ତତେ ଆଉ ଏଠି କେହି ଦେଖିପାରିବେ ନାହିଁ ।

 

ସଲମା : ପୁଲିସ ସବୁଘର ତଲାସ କରିବ ।

 

କରତାରୋ : ହଁ, ଏଠିକି ବି ପୁଲିସବାଲା ନିଶ୍ଚୟ ଆସିବେ ।

 

ସଲମା : ତା’ହେଲେ ମୁଁ କ’ଣ କରିବି ?

 

କରତାରୋ : ଏ କୋଠରି ପଛକୁ ଆଉ ଏକ ଛୋଟିଆ କୋଠରି ଅଛି । ସେଠି ଘସି ରହିଛି । ତୁ ସେଇ ଘସିଗଦା ପଛରେ ଲୁଚିଯାଆ । ମୁଁ ତୋ ଉପରେ ଘସି ବିଛେଇଦେବି ।

 

ସଲମା : ତେବେ ଆସ ଭଉଣୀ, ଶୀଘ୍ର । ମୋର ପୋଲିସକୁ ବହୁତ ଡର ।

 

କରତାରୋ : ତତେ ଗୋଟାଏ କଥା ପଚାରିବି ?

 

ସଲମା : ଶୀଘ୍ର ।

 

କରତାରୋ : ପାକିସ୍ତାନରେ ଥିବା ତୁ ତୋର ବାପ-ମାଆଙ୍କ ପାଖକୁ ଚାଲିଯାଉନୁ କାହିଁକି ?

 

ସଲମା : (ଚମକିପଡ଼ି) ତମେ ଏସବୁ କ’ଣ କହୁଚ ଭଉଣୀ ? ତମର ଉଦ୍ଦେଶ୍ୟ କ’ଣ-? ତମେ ମତେ ଆଉ.....

 

କରତାରୋ : ନା–ନା । ସେମିତି କିଛି ନୁହେଁ ମ ! ମୁଁ ବିରସା ସିଂହକୁ କଥା ଦେଇଚି ତତେ ରକ୍ଷା କରିବି । କିନ୍ତୁ ମୁଁ ହେଲି ମାଇପିଲୋକ । ତୋ ପ୍ରତି ମୋ ମନରେ ଦୟା ଆସିଚି । ମୁଁ ଭାବିଲି, ସାହସ କରେ । ଆଚ୍ଛା, ତୁ ନିଜ ଇଚ୍ଛାରେ ଏଠି ରହିବାକୁ ଚାହୁଁଚୁକି ନାଇଁ ?

 

ସଲମା : ବାପ-ମା’ଙ୍କ ପାଖକୁ କୋଉ ମୁହଁ ନେଇ ଯିବି ? ସେମାନଙ୍କ ଆଖିକୁ ମୁଁ କେମିତି ଚାହିଁପାରିବି ? କିଏ ମତେ ବିବାହ କରିବାକୁ ଇଚ୍ଛା କରିବ ? ମୋ ପେଟରେ ବଞ୍ଚି ଉଠିଥିବା ପାପକୁ କିଏ ପଣତରେ ବାନ୍ଧିନେବ ? କୋଉ ଶାଶୁ ମତେ ଆଦର କରିବ ? କୋଉ ନଣନ୍ଦ ମତେ ହାଡ଼ଜଳା ଉଲୁଗୁଣା ନ ଦେବ ? କୋଉ ଜାତି, ସମାଜ ମୋ ନାକ ନ କାଟି ଛାଡ଼ିବ ? କୋଉ ପିଲା ମୋ ଭଳି ମାଆ ଲାଗି ଗର୍ବ କରିବ ?

 

କରତାରୋ : ଏଥିରେ ତୋର ଅବା ଦୋଷ କ’ଣ ? ତା’ଛଡ଼ା ତୁ ଏଠି ରହିକରି କ’ଣ ଆଦର ପାଇ ପାରିବୁ ?

 

ସଲମା : ମୁଁ ବଞ୍ଚିବାକୁ ଚାହେଁନି । ମାତ୍ର ନ ଚାହିଁ କରି ମଧ୍ୟ ମତେ କିଛି ଦିନ ବଞ୍ଚିରହିବାକୁ ପଡ଼ିବ ।

 

କରତାରୋ : କୋଉଥିପାଇଁ ?

 

ସଲମା : ସେଇଥିପାଇଁ–ଯେଉଁମାନଙ୍କ କଲା କର୍ମର ଫଳକୁ ମୁଁ ମୋ ପେଟରେ ପୋଷୁଚି, ଏ କଳଙ୍କ ସେଇମାନଙ୍କ ମଥାରେ ଲଗାଇଦେବି । ତାଙ୍କର ସ୍ତ୍ରୀ ଏବଂ ପିଲାମାନେ ସେମାନଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି ତାଙ୍କୁ ବେଜିତ୍‌ କରନ୍ତୁ । ସେମାନଙ୍କ ନିର୍ଦ୍ଦୋଷତାର ଚାଦର ଦେହରେ ପାପର ଦାଗ ଲଗାଇ ଛାଡ଼ିବି ।

 

କରତାରୋ : ନାରୀମାନଙ୍କ ମଧ୍ୟରେ ତୁ ହୀରା ଖଣ୍ଡେ ଲୋ ସଲମା ! ତୋ ପାଇଁ ମୁଁ ସବୁକିଛି କରିବାକୁ ପ୍ରସ୍ତୁତ ଅଛି ।

 

ସଲମା : ତା’ ହେଲେ ମତେ ଟିକେ ଜଲଦି ଲୁଚେଇ ଦିଅ । କଥା ହେବାକୁ ତ ଆଉ ଅନ୍ୟ ବେଳ ଅଛି ।

 

କରତାରୋ : ଭିତରକୁ ଚାଲ ।

 

(କରତାରୋ ଓ ସଲମା କୋଠରି ଭିତରକୁ ଗଲେ । ବାହାର ଦରଜାରେ ଆବାଜ ହେବାକୁ ଲାଗିଲା । କରତାରୋ ଭୟ-ବିବ୍ରତ ହୋଇ ବାହାରକୁ ଚାଲିଆସିଲା । କୋଠରିର କବାଟ ବନ୍ଦକରି ବାହାର ଦରଜାର ଶିକୁଳି ଖୋଲିଲା । ଖଡ଼କ ସିଂହର ପ୍ରବେଶ ।)

 

ଖଡ଼କ : ଘରକୁ ଆମର ସିପେଇ ଆସିଥିଲା କି ?

 

କରତାରୋ : ହଁ । ଜୀତା ସାଙ୍ଗରେ ତମର ଭେଟ ହେଲା ?

 

ଖଡ଼କ : ନା ।

 

କରତାରୋ : ଭଲ ହେଲା । ପୁଲିସ ଆମଠୁଁ କ’ଣ ଚାହୁଁଚି କେଜାଣି ?

 

ଖଡ଼କ : ନମ୍ୱରଦାର ପାଖକୁ ଯାଇଥିଲି । ତାଙ୍କର ଦେଖା ହେଲା ନାହିଁ । ବୁଝିପାରୁନି, କଥା କ’ଣ ?

 

କରତାରୋ : କିଏ କ’ଣ ରିପୋର୍ଟ କରିଚି କି ?

 

ଖଡ଼କ : ଆମ ନାଁରେ କିଏ କାହିଁକି ରିପୋର୍ଟ କଲା ।

 

କରତାରୋ : ମିଥ୍ୟା କଥାକୁ ଲୋକ ଫାନ୍ଦିଫୁନ୍ଦି ଦେଇଥିବେ ।

 

(ଥାନାଦାର ଓ ସିପାହିଙ୍କର ପ୍ରବେଶ)

 

ଥାନାଦାର : ତମ ନାଁ ଖଡ଼କ ସିଂହ ?

 

ଖଡ଼କ : ହଁ ଆଜ୍ଞା ! ଆସନ୍ତୁ, ବସନ୍ତୁ ହଜୁର ! ଖଟ ଉପରେ.... ।

 

ଥାନାଦାର : ଆମ ପାଖରେ ବସିବାକୁ ସମୟ ନାହିଁ । ଇଏ କିଏ ?

 

ଖଡ଼କ : କରତାର କାଉର, ଆଜ୍ଞା ! ମୋର ସ୍ତ୍ରୀ, ମୋ ଘରଲୋକ ।

 

ଥାନାଦାର : (ବ୍ୟଙ୍ଗକରି) ସ୍ତ୍ରୀ ? ହୁଁ ! ତା’ ପୂର୍ବରୁ କ’ଣ ଥିଲା ?

 

ଖଡ଼କ : ବିବାହ ଆଗରୁ ?

 

ଥାନାଦାର : ହଁ । ଇଏ କୋଉ ଗାଆଁର ?

 

ଖଡ଼କ : ଠିକରୀବାଲର, ଆଜ୍ଞା !

 

ଥାନାଦାର : (ଖୁସି ହୋଇଉଠି) ବାହାରିପଡ଼ିଲାନା କଥା ! ଏହାର ବାପା ନାଁ କ’ଣ ?

 

ଖଡ଼କ : (ଭୟଭୀତ ହୋଇ) କିନ୍ତୁ ଆପଣ ଏସବୁ କାହିଁକି ପଚାରୁଛନ୍ତି ?

 

ଥାନାଦାର : ଯାହା ପଚାରୁଚି, ଜବାବ ଦେ । ଏହାର ବାପା ନାଁ କ’ଣ ?

 

ଖଡ଼କ : ମତେ ଜଣା ନାହିଁ ଆଜ୍ଞା !

 

ଥାନାଦାର : ଠିକ୍‌ କରି କହ । ନ ହେଲେ ତତେ ବି ସାଙ୍ଗରେ ନେଇଯିବି ।

 

ଖଡ଼କ : ମତେ, ଆଜ୍ଞା !

 

ଥାନାଦାର : ଆଉ କ’ଣ ? ମୋ ସାଙ୍ଗରେ ଚାଲାକି ଦେଖଉଚୁ ? କହ, ତୋ ସ୍ତ୍ରୀ କରତାରୋ ନୁରଦୀନ୍‌ କମାରର ଝିଅ ବରକତ୍‌ କି ନୁହେଁ ?

 

ଖଡ଼କ : କିନ୍ତୁ ଆଜ୍ଞା, ଆମ ବାହାଘର ତ.....

 

ଥାନାଦାର : ତୋ ବାହାଘର ଏଇୟା ସେଇୟା.... । ହଁ କି ନାଇଁ ଉତ୍ତର ଦେ । ଇଏ ନୁରଦୀନ୍‌ର ଝିଅ ବରକତ୍‌ କି ନୁହେଁ ?

 

ଖଡ଼କ : ତାଙ୍କ ଝିଅ ଯେ– । କିନ୍ତୁ ଇଏ ତ ପରେ ଅମୃତଲଗ୍ନା ହେଇଥିଲା ।

 

ଥାନାଦାର : ଅମୃତ ତ ସମସ୍ତଙ୍କଠେଇଁ ଲାଗେ । ମାତ୍ର ଆମକୁ ହୁକୁମ ଆସିଚି, ଏହାକୁ ନେଇ ତା’ ମା-ବାପଙ୍କ ପାଖରେ ପାକିସ୍ତାନରେ ଛାଡ଼ିବାକୁ ହେବ ।

 

ଖଡ଼କ : ହେଲେ ହଜୁର, ଇଏ ତ ଦଶବର୍ଷ ହେଲା ମୋ ଘରେ ଅଛି । ଏହାରିଠାରୁ ତ ମୋ ପୁଅ ଜୀତାର ଜନ୍ମ–ଆଠ ବର୍ଷର ହେଲାଣି ।

 

ଥାନାଦାର : ଏ କଥାର ଫଇସଲା ଥାନାରେ ହେବ । ତମରି ଗାଆଁରୁ ରିପୋର୍ଟ ହେଇଚି କରତାରୋ ଗୋଟାଏ ଉଧୁଲିଆ ଝିଅ–ଉଡ଼େଇ ଆଣିଥିବା ମାଇକିନିଆ ।

 

ଖଡ଼କ : (କିଂକର୍ତ୍ତବ୍ୟବିମୂଢ଼ ହେଇ) ଉଧୁଲିଆ ? ଉଡ଼େଇ ଆଣିଥିବା ମାଇକିନିଆ ?

 

କରତାରୋ : (ମିନତି କରି) ମୁଁ ଉଧୁଲିଆ ଝିଅ ନୁହେଁ ଆଜ୍ଞା ! ହଜୁର, କୋଉ ବଦମାସ ଭୁଲ୍‍ କଥାଗୁଡ଼ା ଗପିଚି । ମତେ ଉଡ଼େଇ ଅଣାଯାଇନାହିଁ । ମୋ ବାପ-ମା’ଙ୍କୁ ଏସବୁ ଜଣା ଅଛି । ମୁଁ ନିଜ ଇଚ୍ଛାରେ.....

 

ଥାନାଦାର : ଛିଣ୍ଡାଳୀ ! ବେଶି ପାଟିରତୁଣ୍ଡ କରନା । ଚାରିଟା ଦିନ ଜାଠଘରେ ରହିଯାଇ ଚୌଧୁରୀଆଣୀ ପାଲଟିଯାଇଚି । ଫୌଜା ସିଂହ, ଉଠା ୟାକୁ ଟ୍ରକରେ ।

 

(ଫୌଜା ସିଂହ ସିପାହି ଥାନାଦାରକୁ ସାଲ୍ୟୁଟ୍‌ କରି କରତାରୋର ବାହାକୁ ଧରିନେଲା-। କରତାରୋ ଛଡ଼େଇବାକୁ ଚେଷ୍ଟାକଲା; କାନ୍ଦିଲା । ଖଟ ଉପରେ ଶୋଇଥିବା ପିଲାଟା କାନ୍ଦିଉଠିଲା । ଥାନାଦାର ନିଜର କଳା ବାଡ଼ିକୁ ନିଜର ଡାହାଣ ଗୋଡ଼ରେ ରଗଡ଼ୁଥିଲା-। ଖଡ଼କ ଅବାକ୍‌ ହେଇ ଥାନାଦାର ମୁହଁକୁ ଦେଖୁଥିଲା ।)

 

ସିପାହି : ଏ ପିଲାଟା ବି ୟାରି ଆଜ୍ଞା !

 

ଥାନାଦାର : ତାକୁ ବି ନେଇଚାଲ; ତା’ କୋଳରେ ଦେଇଦିଅ । ନଚେତ୍‌ ଆଉ ଥରେ ଆସିବାକୁ ପଡ଼ିପାରେ ।

 

ଖଡ଼କ : (ହାତଯୋଡ଼ି) ମୋ ପ୍ରତି ଦୟାକରନ୍ତୁ ହଜୁର ! ମୋ ଘର ଉଜୁଡ଼ିଯିବ ।

 

ଥାନାଦାର : (କ୍ରୋଧରେ ଗର୍ଜିଉଠି) ପିଲାଟାକୁ ଉଠେଇ ନେଇ ସେ ମାଇକିନିଆକୁ ଦେ-। ଜଲଦି ।

 

(ଖଡ଼କ ସିଂହ ଲୁହ ପୋଛି ପିଲାଟିକୁ ଉଠାଇଲା । କରତାରୋ କଇଁକଇଁ ହୋଇ କାନ୍ଦୁଥିଲା ।)

☆☆☆

 

 

 

 

 

 

 

 

 

 

 

ଫାଙ୍କ

 

–ହରଶରନ ସିଂହ

 

ପାତ୍ର

 

ମିସ୍‌ ଗୁରଚରଣ :

ବୟସ ୨୪ ବର୍ଷ

ମିସ୍‌ ରାଜିନ୍ଦର :

ବୟସ ୨୩ ବର୍ଷ

ମିଷ୍ଟର ସିନ୍ଧୁ :

ବୟସ ୨୪ ବର୍ଷ

 

[ଲମ୍ୱା ପାତଳଦେହା ମିସ୍‌ ଗୁରଚରଣ ଆଟାଚି କେଶ୍‍ ରେ ଲୁଗା ରଖୁଥାନ୍ତି । କୋଠରିର ଗୋଟାଏ କଡ଼କୁ ଦୁଇଟା ଟ୍ରଙ୍କ ଏମିତିଭାବେ ରଖାହୋଇଛି, ଯେମିତି କି ବାହାରକୁ ନେଇ ଯିବାର ଅଛି । ଗୋଟିଏ ଟେବୁଲ୍‌ର ଦୁଇପଟେ ଦୁଇଟି ଚଉକି ପଡ଼ିଛି । ଡାହାଣ ପଟ କାନ୍ଥ ଆଡ଼କୁ ଆଉ ଦୁଇଟା ଚଉକି ରଖାହୋଇଛି । ବୁକ୍‌ ସେଲଫ୍‌ ଉପରେ ରଖାହେଇଥିବା ଛବିରେ ମିସ୍‌ ଗୁରଚରଣ ଓ ମିସ୍‌ ରାଜିନ୍ଦର ପରସ୍ପରର କାନ୍ଧରେ ହାତ ରଖିଛନ୍ତି । ଥଣ୍ଡା ପଡ଼ୁଥିବା ଯୋଗୁ ବାହାରର କବାଟ ଝରକା ବନ୍ଦ ଅଛି ।

 

କିଛି ସମୟ ପରେ ଦୀର୍ଘ ପାତଳ ଶରୀରର ମିସ୍‌ ରାଜିନ୍ଦର ବାହାର ପଟ ଦରଜା ଦେଇ ଦ୍ରୁତ ପଦକ୍ଷେପରେ ଭିତରକୁ ଆସିଲେ । ତାଙ୍କର ପରିଧାନ ବିଲ୍‍କୁଲ୍‍ ମିସ୍‌ ଗୁରଚରଣଙ୍କ ଭଳି । ମିସ୍‌ ଗୁରଚରଣ କାମ ଛାଡ଼ି ତାଙ୍କ ଆଡ଼କୁ ଗଲେ ।]

 

ରାଜିନ୍ଦର : ମୋ ଆସିବାଟା ବେଶି ସମୟ ଲାଗିନି ତ ?

 

(ହାତରେ ବନ୍ଧାହୋଇଥିବା ଘଡ଼ି ଦେଖିଲେ ।)

 

ଗୁରଚରଣ : (ଟିକିଏ ହସି) ତୋର ଆସିବା ବହୁତ ଡେରି ହେଲା ଲୋ ବଉଳ !

 

ରାଜିନ୍ଦର : ମୋଟେ ଅଧଘଣ୍ଟା ତ ଲାଗିଲା ।

 

ଗୁରଚରଣ : ନା, ଅଧା ଯୁଗ ଲାଗିଗଲା ।

 

ରାଜିନ୍ଦର : ଚନ୍ନୀ !

 

(ତାକୁ କୁଣ୍ଢାଇ ଧରିଲା ।)

 

ଗୁରୁରଣ : (ଭଙ୍ଗା କଣ୍ଠରେ) ତୋ ବିନା ମୁଁ କେମିତି ବଞ୍ଚିବି ଲୋ ବଉଳ ?

 

ରାଜିନ୍ଦର : ବ୍ୟସ୍ତ ହଅନା ଚନ୍ନୀ ! ମୁଁ ତ ତୋ’ରି ସାଙ୍ଗରେ ଯାଉଚି ।

 

(ଗୁରଚରଣ ହଠାତ୍‌ ତା’ଠାରୁ ଅଲଗା ହୋଇଗଲା ।)

 

ଗୁରଚରଣ : ତୁ..... ମୋ ସାଙ୍ଗରେ..... ଯାଉଚୁ..... !! (ହଠାତ୍‌ ଖୁସି ହେଇପଡ଼ି)..... କ’ଣ ପ୍ରିନ୍‌ସିପାଲ ରାଜି ହୋଇଗଲା ?

 

ରାଜିନ୍ଦର : ନା, ମୁଁ ଇସ୍ତଫା ଦେଇ ଆସିଲି ।

 

ଗୁରଚରଣ : (ଆଶ୍ଚର୍ଯ୍ୟ ହୋଇ) ଇ-ସ୍ତ-ଫା ?

 

ରାଜିନ୍ଦର : ମୁଁ ପ୍ରିନ୍‍ସିପାଲଙ୍କୁ ସ୍ପଷ୍ଟ କହିଦେଲି ଯେ–ଗୁରଚରଣ ମୋ ବିନା ବଞ୍ଚିରହିପାରିବନି, କି ମୁଁ ତା’ ବିନା ରହିପାରିବିନି ।

 

ଗୁରଚରଣ : କିନ୍ତୁ ଇସ୍ତଫା..... !

 

ରାଜିନ୍ଦର : (ମଝିରେ କହିଉଠିଲା) ସେ କହିଲା, ଏଇଟା କ’ଣ ସ୍ପଷ୍ଟ କଥା ?

 

ଗୁରଚରଣ : ତୋର ଚୁପ୍‌ ରହିବା ଉଚିତ ଥିଲା ।

 

ରାଜିନ୍ଦର : ମୁଁ କହିଲି, ମିଛ ବୋଲି ଭାବୁଛନ୍ତି କାହିଁକି ? ଏଇ ନିଅନ୍ତୁ ମୋର ଇସ୍ତଫାପତ୍ର ।

 

ଗୁରଚରଣ : ବଉଳ ! ତୁ ବହୁତ ତରବର ହେଇପଡ଼ିଲୁ । ଚାକିରିକୁ ନାତ ମାରିବା.....

 

ରାଜିନ୍ଦର : (ହଠାତ୍‌ ମଝିରେ ଭଙ୍ଗା କଣ୍ଠରେ କହିଉଠିଲେ) କ’ଣ ମୋ ଚନ୍ନୀ ମତେ ରୋଜ ଦି’ଟା ଲେଖାଁ ରପାତି ବି ଦବନି ?

 

ଗୁରଚରଣ : ବଉଳ ! (ତାକୁ ଭିଡ଼ିଧରିଲା) ତୁ ମତେ ଗୋଟାଏ ଫୁଲ ମାଗି ବସିଲେ ମୁଁ ସାରା ବଗିଚାଟା ତତେ ସମର୍ପିଦେବି ଲୋ !

 

ରାଜିନ୍ଦର : ମୋର ପ୍ରିୟ ଚନ୍ନୀ ! ତୁ କେତେ ଭଲ ଲୋ !

 

ଗୁରଚରଣ : ଯଦି ତୁ ରିଜାଇନ କରିନଥାନ୍ତୁ ନା, ସମ୍ଭବତଃ ମୁଁ ସେଠିକି ଯାଇ ପ୍ରଥମ କାମ ଏଇୟା କରିଥାଆନ୍ତି । ତୁ ଗଲାପରେ ମୁଁ ତିନିଥର କାନ୍ଦିଲିଣି ।

 

ରାଜିନ୍ଦର : (ହସି) ପାଗଳୀ !

 

ଗୁରଚରଣ : ତୋଠୁଁ କେବେ ଅଲଗା ହେଇନି ଲୋ ବଉଳ !

 

(ଦୁହେଁ ଚଉକିରେ ବସିଲେ ।)

 

ରାଜିନ୍ଦର : ପ୍ରିନ୍‌ସିପାଲ ମତେ ଦେଖିବାମାତ୍ରେ ହସିଉଠିଲା,–ଆଉ କହିଲା (ଅନୁକରଣ କଲା ଢଙ୍ଗରେ) ବଡ଼ ଆଶ୍ଚର୍ଯ୍ୟର କଥା, ଆଜି ମୁଁ ପ୍ରଥମ କରି ଗୋଟିକିଆ ଚୁଟି ଦେଖୁଚି । ବେଣୀ କାହିଁ ? ସେ କ’ଣ ଏଠୁ ଗଲାଣି ?

 

ଗୁରଚରଣ : (ରାଗରେ) ତୋର ବି ଏମିତି ଚୋଟଟିଏ ମାରିବା ଉଚିତ ଥିଲା, ଯେମିତିକି ତା’ର ଦେହ ମନରେ.....

 

ରାଜିନ୍ଦର : (ବାଧାଦେଇ) ମୁଁ ଟିକିଏ ଥମିଗଲି । କାରଣ ମୁଁ ତ ପ୍ରାର୍ଥନାପତ୍ର ଧରି ଯାଇଥିଲି ।

 

ଗୁରଚରଣ : ମୋର ପୂରା ବିଶ୍ୱାସ ଯେ, ମୋର ବଦଳି ସେଇ କରିଚି ଈର୍ଷାରେ ।

 

ରାଜିନ୍ଦର : ମୁଁ ଯେତେବେଳେ କହିଲି–ଗୁରଚରଣ ସାଙ୍ଗରେ ମୋ ବଦଳି କରିଦିଅନ୍ତୁ ସେ ଖିଲିଖିଲି ହୋଇ ହସିଉଠିଲା ।

 

ଗୁରଚରଣ : ତା’ପରେ ?

 

ରାଜିନ୍ଦର : କହିବାକୁ ଲାଗିଲା, ମିସ୍‌ ରାଜ ! ତମର ଆଉ ଗୁରଚରଣର ବନ୍ଧୁତା ମଧ୍ୟ ବଡ଼ ଅଜବ ଧରଣର ।

 

ଗୁରଚରଣ : ମୋ ଧାରଣା ଏକ୍‌ବାର ଠିକ୍‌ । ଏସବୁ ଈର୍ଷା ଯୋଗୁ ହିଁ.....

 

ରାଜିନ୍ଦର : (ବାଧାଦେଇ) ପୁଣି ସେ କହିଲା, ଏହା ‘ମୋଷ୍ଟ ଅନ୍‌ନାଚୁରାଲ’–ବହୁତ ଅପ୍ରାକୃତିକ ।

 

ଗୁରଚରଣ : ଏ କଥାଗୁଡ଼ା ସାଇକୋଲଜି ପ୍ରଫେସରଙ୍କର–ଯାହାକୁ ସେ ତାଙ୍କ ଷ୍ଟୁଡେଣ୍ଟସ୍‌ଙ୍କୁ କହନ୍ତି ।

 

ରାଜିନ୍ଦର : ସେ ମାଆ ମୂର୍ତ୍ତିକ ପୁଣି ରହସ୍ୟକରି କହିଲେ, (ଅନୁକରଣ କରିବା ଢଙ୍ଗରେ) ମୁଁ ଶୁଣିଚି, ତମର ମିସ୍‌ ଗୁରଚରଣଙ୍କ ସହ କୁଆଡ଼େ ପ୍ରକୃତ ବିବାହ ହୋଇଗଲାଣି ।

 

ଗୁରଚରଣ : ତୋର ସେତିକିବେଳେ କହିଦେବାର ଥିଲା, ହଁ ସତ । ଯେତେବେଳେ ଦୁଇଟା ହୃଦୟ.....

 

ରାଜିନ୍ଦର : (ବାଧାଦେଇ) ମୁଁ ପଚାରିଲି, ‘ଏକ ଆତ୍ମା ଦୁଇ ରୂପ’ ପ୍ରବଚନଟି କ’ଣ କେବଳ ପତି-ପତ୍ନୀଙ୍କ ପାଇଁ ଉଦ୍ଦିଷ୍ଟ ?

 

ଗୁରଚରଣ : ତା’ପରେ ?

 

ରାଜିନ୍ଦର : କିନ୍ତୁ ସେ ପୁଣି ଖିଲିଖିଲି ହୋଇ ହସିଉଠିଲା । ତା’ପରେ ହସ ବନ୍ଦ କରି ଦୁଷ୍ଟାମିମିଶା କଣ୍ଠରେ କହିଲା ‘ଏକ ଆତ୍ମା ଦୁଇ ରୂପ’ ? –କହୁ କହୁ ପୁଣି ହସିଲା ।

 

ଗୁରଚରଣ : (ରାଗରେ) ଛୋଟଲୋକ !

 

ରାଜିନ୍ଦର : ମତେ ରାଗ ମାଡ଼ିଲା । ମୁଁ ତାକୁ ପଚାରିଲି, ‘‘ଆପଣଙ୍କର ଅନ୍ୟ ମୂର୍ତ୍ତିଟି କୁଆଡ଼େ ଗଲେ ?’’ ଏ କଥା ଶୁଣୁ ଶୁଣୁ ତା’ ହସ ବନ୍ଦ ହେଇଗଲା । ଅଟକି ଅଟକି କରି କହିଲା–(ଅନୁକରଣ କଲା ଢଙ୍ଗରେ) ‘‘କୋଉ ମୂର୍ତ୍ତି ?’’ ମୁଁ କହିଲି, ‘‘ଯାହା ସାଙ୍ଗରେ ପୁରୋହିତ ଆପଣଙ୍କ ହାତ ଛନ୍ଦି ଦେଇଥିଲେ ?’’

 

ଗୁରଚରଣ : (ଅତି ଉତ୍ସାହ ସହ) ସାବାସ୍‌ ! (ତାକୁ ପିଠିରେ ଆଉଜେଇ ନେଇ) ତୁ ମତେ ଖୁବ୍‌ ଖୁସି କରିଦେଲୁ ଲୋ ବଉଳ !

 

ରାଜିନ୍ଦର : ହଠାତ୍‌ ସେ ଅଭିନେତ୍ରୀଙ୍କର ମୁହଁ ଫିକା ପଡ଼ିଗଲା । କୌଣସି ଉତ୍ତର ସ୍ଫୁରିଲା ନାହିଁ । ରହି ରହି କରି କହିଲା, (ଅନୁକରଣ କଲା ଭଙ୍ଗୀରେ) ସେ.....ସେ.....ମୁଁ.....ଆଉ ସେ ପ୍ରାୟ ଚାରିବର୍ଷରୁ.....ଅଲଗା ହୋଇସାରିଚୁ ।

 

(ଦୁହେଁ ହସି ଉଠିଲେ ।)

 

ଗୁରଚରଣ : (ବ୍ୟଙ୍ଗକରି) ଏକ ଆତ୍ମା ଦୁଇ ରୂପ !

 

ରାଜିନ୍ଦର : ତା’ପରେ ମୁଁ ଉଠି ଠିଆହେଲି ଏବଂ କହିଲି, ‘ମାଡ଼ାମ୍‌ ! ମିସ୍‌ ଗୁରଚରଣ ଏବଂ ରାଜ ସବୁଦିନ ପାଇଁ ଏକ । ସାଙ୍ଗହେଇ ବଞ୍ଚିବେ, ସାଙ୍ଗ ହେଇ ମରିବେ ।’

 

ଗୁରଚରଣ : ସାରା ଦୁନିଆ ଜଳିଯୋଡ଼ି ମରୁ । ଚାଲ ଏବେ ଖାଇନେବା ।

 

ରାଜିନ୍ଦର : ତୁ ଏଯାଏ ଖାଇନୁ ?

 

ଗୁରଚରଣ : ତତେ ଛାଡ଼ି ମୁଁ କେମିତି ଖାଇଥାଆନ୍ତି ଯେ ! ଆଗରୁ କେବେ କ’ଣ ଖାଇଥିଲି ?

 

ରାଜିନ୍ଦର : (ଚିନ୍ତିତ ସ୍ୱରରେ) ତା’ହେଲେ ଶୀଘ୍ର ବ୍ୟବସ୍ଥା କର । ତତେ ତ ବହୁତ ଭୋକ ହେଉଥିଲା । ତୋ ପେଟ ତ ଆଉଟି-ପାଉଟି ହେବଣି ।

 

[ଦୁହେଁ ପଛରେ ଥିବା କୋଠରି ଆଡ଼କୁ ଚାଲିଲେ । ସେମାନେ ଗୋଟାଏ ପାଦ ଆଗକୁ ଆସିବା ବେଳକୁ ବାହାର ଦରଜାରେ ଠକ୍‌ ଠକ୍‌ ଶବ୍ଦ ଶୁଣାଗଲା । ଦୁହେଁ ଅଟକିଗଲେ । ପ୍ରଥମେ ଦରଜା ଆଡ଼କୁ ଚାହିଁ ପରେ ଜଣେ ଆରଜଣକୁ ଚାହିଁରହିଲେ ।]

 

ରାଜିନ୍ଦର : (ବଡ଼ପାଟିରେ) କିଏ ସେ ?

 

ବାହାରୁ : (ବଡ଼ପାଟିରେ) ସନ୍ଧୁ ନାକିଙ୍ଗ !

 

ଦୁହେଁ : (ଆଶ୍ଚର୍ଯ୍ୟରେ) ସନ୍ଧୁ ?

 

ରାଜିନ୍ଦର : କୋଉ ସନ୍ଧୁ ?

 

ଗୁରଚରଣ : ମୁଁ ତ କୋଉ ସନ୍ଧୁକୁ ଜାଣେନି ।

 

(ଦରଜାରେ ପୁଣି ଠକ୍‌ ଠକ୍‌ ଧ୍ୱନି ହେଲା ।)

 

ରାଜିନ୍ଦର : ମୁଁ ଝରକାବାଟେ ଦେଖୁଚି, କିଏ ସେ ? (ସେ ଝରକା ପାଖକୁ ଯାଇ ବାହାରକୁ ଚାହିଁଲା । କିଛି ବିଳମ୍ୱରେ–) କିଏ ଜଣେ ଅଜଣା ଯୁବକ–ପ୍ୟାଣ୍ଟ, କୋଟ୍‌, ଟାଇ ଫେଲଟ-!

 

ଗୁରଚରଣ : ଅନ୍ୟ କିଏ ଦେଖିଲେ କ’ଣ ଭାବିବ ? ଆଗରୁ ତ କୌଣସି ଯୁବକ ଆମ ଘରକୁ ଆସୁ ନ ଥିଲେ; କିନ୍ତୁ.....

 

ବାହାରୁ : ମିସ୍‌ ସେଖୋଁ । ମୁଁ ବିଶେଷ କରି ଆପଣଙ୍କ ସାଙ୍ଗରେ ସାକ୍ଷାତ କରିବାକୁ ଆସିଚି ।

 

ରାଜିନ୍ଦର : (ବିଗିଡ଼ି ଯାଇ) ନନସେନ୍‌ସ ! ବିଶେଷ ସାକ୍ଷାତ ପାଇଁ.....

 

ଗୁରଚରଣ : ସାକ୍ଷାତ କରି ଦେଖ । ଏମିତି କୋଉ ମୁହଁରେ.....

 

ରାଜିନ୍ଦର : (କଥା ମଝିରେ) ଯା ମ ! ଜାଣେନା କୋଉ ଲୋଫର୍‌.....

 

ବାହାରୁ : ମିସ୍‌ ରାଜିନ୍ଦର !

 

ଗୁରଚରଣ : ନେ ସମ୍ୱାଳ । ଏବେ ତ ତୋ ନାଁ ଧରି ଡାକିଲାଣି ।

 

ରାଜିନ୍ଦର : କିନ୍ତୁ ମୁଁ ତ ତାକୁ ଜାଣେନାହିଁ । ଆଗରୁ ମୁଁ କେବେ ତା’ ଚେହେରା ବି ଦେଖିନାହିଁ ।

 

ଗୁରଚରଣ : ତୋର କୌଣସି ସମ୍ପର୍କୀୟ ନୁହଁନ୍ତି ତ ଆଉ !

 

ରାଜିନ୍ଦର : ମୋର କୌଣସି ରିଲେଟିଭ ନାହାନ୍ତି । କେବଳ ଜଣେ କକା ଅଛନ୍ତି, ଯିଏ ମତେ ଲାଳନ-ପାଳନ କରିଛନ୍ତି ।

 

ଗୁରଚରଣ : ତୋର ଜଣେ ଭାଇ ତ ଅଛି, ଯିଏ ଇଂଲଣ୍ଡ ଯାଇଛି ।

 

ରାଜିନ୍ଦର : ସେ ତ ଲମ୍ୱା ଏବଂ ଡେଙ୍ଗା । ଇଏ ତ.....

 

(ଦରଜାରେ ପୁଣି ଠକ୍‌ ଠକ୍‌ ଧ୍ୱନି ।)

 

ଗୁରଚରଣ : ଚାଲ, ଦୁହେଁ ଯାଇକରି ଦେଖିବା । ସେ ଚିତାବାଘ ହେଇନି ଯେ ଆମକୁ ଖାଇଦେଇ ପଳେଇଯିବ ?

 

[ଦୁହେଁ ବାହାର ଦରଜା ଆଡ଼କୁ ଗଲେ । ତା’ପରେ ଦରଜା ଖୋଲିଲେ । ହାତରେ ଆଟାଚି କେଶ୍‍ ଧରି ମିଷ୍ଟର ସନ୍ଧୁ ଠିଆହୋଇଥିବା ଦେଖାଗଲା ।]

 

ସନ୍ଧୁ : ଗୁଡ଼ ଇଭିନିଙ୍ଗ !

 

ଗୁରଚରଣ : କ୍ଷମା କରିବେ, ଆମେ ଆପଣଙ୍କୁ ଚିହ୍ନିପାରୁନୁ ।

 

ସନ୍ଧୁ : ମୁଁ.....ସନ୍ଧୁ । ଇଂଲଣ୍ଡରୁ ଆସୁଚି ।

 

ରାଜିନ୍ଦର : ଇଂଲଣ୍ଡରୁ !

 

ସନ୍ଧୁ : ହଁ, ଇଂଲଣ୍ଡରୁ । ସେଖୋଁର ସାକ୍ଷାତ ଏବଂ ଖବର ଧରି ଆସିଚି ।

 

ରାଜିନ୍ଦର : ଆପଣ ମୋ ଭାଇଙ୍କ ପାଖରୁ ଆସିଚନ୍ତି ?

 

ସନ୍ଧୁ : ହଁ ଆଜ୍ଞା, ସେଖୋଁ ମୋର ଘନିଷ୍ଠ ବନ୍ଧୁ ।

 

ରାଜିନ୍ଦର : ଭାଇଙ୍କର ଖବର କ’ଣ ?

 

ସନ୍ଧୁ : ଠିକ୍‌ ଅଛି ସେ । ସବୁ କୁଶଳ । ଆପଣଙ୍କ ପାଇଁ କିଛି ଜିନିଷ.....

 

(ଆଟାଚିକୁ ଚଟାଣ ଉପରେ ରଖିଲା ।)

 

ରାଜିନ୍ଦର : ଭିତରକୁ ଆସନ୍ତୁ । ଆଗ ଭାଇଙ୍କର ଖବର ସବୁ କୁହନ୍ତୁ ।

 

ସନ୍ଧୁ : (ଆଟାଚି ଉଠାଇ ଦୁହିଁଙ୍କ ପଛେ ପଛେ ଭିତରକୁ ଆସିଲେ । ତା’ପରେ ସମସ୍ତେ ଚଉକିରେ ବସିଲେ ।) ସେଖୋଁ ମଜାରେ ଅଛି । ନୂଆ ଫ୍ଲାଟଟାଏ କିଣିଚି । ଗୋଟିଏ ମେମ୍‌ ମଧ୍ୟ ବାଛିସାରିଲାଣି ।

 

ରାଜିନ୍ଦର : (ଆନନ୍ଦରେ ଆଶ୍ଚର୍ଯ୍ୟ ହୋଇ) ଭାଇ ବାହା ହେଇ ସାରିଲେଣି ?

 

ସନ୍ଧୁ : କୋର୍ଟସିପ୍‌, ଲଭ ମ୍ୟାରେଜ୍‌ (ହସି ଉଠିଲା) । ସେଖୋଁ କହୁଥିଲା, ମୋ ଭଉଣୀକୁ କହିଦବୁ, ଯଦି ସେ ବାହା ନ ହେଇଚି ତେବେ ଶୀଘ୍ର ବାହା ହେଇ ପଡ଼ିବ । କ’ଣ ଆପଣ ମ୍ୟାରେଡ୍‍ ?

 

ରାଜିନ୍ଦର : ନା ।

 

ସନ୍ଧୁ : (ଖୁସିରେ) ଗୁଡ୍‍ ।

 

ଗୁରଚରଣ : ତା’ର ବାହା ହେବାରେ ଇଚ୍ଛା ନାହିଁ ।

 

ସନ୍ଧୁ : ନଟ୍‌ ଏ ବ୍ୟାଡ୍‍ ଆଇଡିଆ ! ଆପଣ ମିସ୍‌ ସେଖୋଁଙ୍କର..... ?

 

ରାଜିନ୍ଦର : ସେ ମୋ ଭଉଣୀ ।

 

ସନ୍ଧୁ : ଭଉଣୀ ! ଅର୍ଥାତ୍‌, ଏକା ମାଆ ପେଟର ଭଉଣୀ ? କିନ୍ତୁ ସେଖୋଁ ତ କହୁଥିଲା, ତା’ର ଗୋଟିଏ ମାତ୍ର ଭଉଣୀ ।

 

ରାଜିନ୍ଦର : ଯଦି କେହି କାହାର ମରିବା-ବଞ୍ଚିବା ସହିତ ଏକାକାର ହେଇଯାଏ, ସେ ନିଜ ମାଆ ପେଟର ଭାଇ-ଭଉଣୀଠାରୁ ଅଧିକ ହେଇଯାଏ ।

 

ସନ୍ଧୁ : ସତ କଥା । ସମଗ୍ର ବର୍ମିଂହାମ୍‌ ମତେ ଆଉ ସେଖୋଁକୁ ଗୋଟିଏ ବାପର ପୁଅ ବୋଲି ମନେକରୁଥିଲା । ରହିବା ଗୋଟାଏ ଜାଗା, ପିନ୍ଧିବା ଏକାପ୍ରକାରର, ସାଙ୍ଗ ହେଇ ବୁଲିବା ଆଉ ଖାଇବା ଜାଗା ବି ଏକା । କିନ୍ତୁ......(ଟିକିଏ ଦୁଃଖମିଶା ଗଳାରେ) ଦିନେ ସେ ଚୁପ୍‌ଚାପ୍‌ ବାହା ହେଇପଡ଼ିଲା ଏବଂ ମୋ’ଠାରୁ ଅଲଗା ହେଇଗଲା ।

 

ଗୁରଚରଣ : ଆପଣଙ୍କୁ ତାଙ୍କ ରୋମାନ୍‌ସ ବିଷୟରେ ଆଗରୁ ସୂଚନା ମିଳି ନ ଥିଲା ?

 

ସନ୍ଧୁ : ବିଲ୍‌କୁଲ୍‍ ନୁହେଁ । ସେ ତ ‘ଛୁପା ରୁସ୍ତମ୍‌’ ସାଜିଥିଲା । କିନ୍ତୁ ମୁଁ ତାକୁ ଶେଷରେ କହିଲି, ସେଖୋଁ ! ତୁ ଆଗ ବାହା ହେଲୁ । ଏଣିକି ମୁଁ ବାହା ହେଇ ପଡ଼ିବି । ଏକଥା ଶୁଣି ସେ ଆନନ୍ଦରେ ନାଚିଉଠିଲା । ପଚାରିଲା, କୋଉ ମେମ୍‌ ସାଙ୍ଗରେ ବାହାଘର ହବ ? ମୁଁ କହିଲି, ‘କୌଣସି ମେମ୍‌ ସାଙ୍ଗରେ ନୁହେଁ । ମୁଁ ଶୀଘ୍ର ପଞ୍ଜାବ ଚାଲିଯିବି ଏବଂ ସେଇଠି ବାହା ହେବି ।’

 

ଗୁରଚରଣ : ତା’ହେଲେ ଆପଣ ବାହା ହେବାକୁ ଆସିଛନ୍ତି ।

 

ସନ୍ଧୁ : ହଁ, ସେଇ ଅଭିପ୍ରାୟ ନେଇ ତ ଆସିଚି ।

 

ଗୁରଚରଣ : ଆପଣ କାହିଁକି ପଛରେ ପଡ଼ିଗଲେ ?

 

ସନ୍ଧୁ : ସେଖୋଁ ମୋତେ ବହୁତ ରଗେଇଦେଲା ।

 

(ସମସ୍ତେ ହସିଉଠିଲେ)

 

ରାଜିନ୍ଦର : ଆରେ, ଆମେ ତ କଥାବାର୍ତ୍ତା ଭିତରେ ଭୁଲିଗଲେଣି । କିଛି ଖିଆପିଆ କରନ୍ତୁ ?

 

ସନ୍ଧୁ : କିଛି ଖାଇବିନି । ଆପଣ ଆପଣଙ୍କର ଜିନିଷ ସମ୍ଭାଳନ୍ତୁ ଏବଂ ମତେ ଛୁଟିଦିଅନ୍ତୁ-। ଆଉ ଅଧଘଣ୍ଟା ପରେ ମୋ ଗାଡ଼ି.....

 

ଗୁରଚରଣ : କିଛି ଖିଆ ପିଆ ନକଲେ ଆମେ ଯିବାକୁ ଦେବୁନି । କଫି, ଚା’, ନା ଖାଇବା ଜିନିଷ ? ଖାଦ୍ୟ ପ୍ରସ୍ତୁତ ଅଛି ।

 

ସନ୍ଧୁ : କିଛି ଖାଇବିନି ଆଜ୍ଞା ! କେବଳ ଛୁଟି ।

 

ଗୁରଚରଣ : ତା’ହେଲେ ଫଳ ଚଳିବ । (ଉଠିପଡ଼ିଲା)

 

ରାଜିନ୍ଦର : ତୁ ବସ୍‌ ଚନ୍ନୀ ! ମୁଁ ଆଣୁଚି ।

 

ଗୁରଚରଣ : ଏକା କଥା ମ !

 

ସନ୍ଧୁ : ଆପଣ ଦୁହେଁ ବସନ୍ତୁ । ମତେ ଅଳ୍ପ ସମୟ ଭିତରେ ଷ୍ଟେସନରେ ପହଞ୍ଚିବାକୁ ହେବ ।

 

ଗୁରଚରଣ : ମୁଁ ପାଞ୍ଚ ମିନିଟ୍‌ ଭିତରେ ଆସୁଚି ।

 

(ରାଜିନ୍ଦରକୁ ଚଉକିରେ ବସାଇ ନିଜେ ପଛପଟ କୋଠରିକୁ ଚାଲିଗଲା ।)

 

ସନ୍ଧୁ : ମିସ୍‌ ସେଖୋଁ ! ତୁମ ଭାଇ ବହୁତ ଭାଗ୍ୟବାନ୍‌ ।

 

ରାଜିନ୍ଦର : ମୋ ଭାଉଜ କେମିତିଆ ?

 

ସନ୍ଧୁ : ଡେମ୍‌ ବିଉଟିଫୁଲ୍‌ !

 

ରାଜିନ୍ଦର : ଏକଥା ଶୁଣି ମତେ ଭାରି ଖୁସି ଲାଗୁଚି ।

 

ସନ୍ଧୁ : ସେ କହୁଥିଲା ଯେ, ମୋର ସୁନା ଭଉଣୀକୁ କହିବ.....

 

ରାଜିନ୍ଦର : କ’ଣ ?

 

ସନ୍ଧୁ : ସେ ବିବାହ କରି ନବ ।

 

ରାଜିନ୍ଦର : ମୋ ଭଉଣୀ ଏଇନେ ତ ଆପଣଙ୍କୁ କହିସାରିଚି ଯେ, ମୁଁ ବିବାହ କରୁନି ।

 

ସନ୍ଧୁ : କିନ୍ତୁ ସେ ତ ଏହାର କୌଣସି କାରଣ କହିଲେ ନାହିଁ; ଆପଣ କୁହନ୍ତୁ । ସେଖୋଁକୁ ତ ଯାଇ କିଛି ଗୋଟା କହିବାକୁ ପଡ଼ିବ ।

 

ରାଜିନ୍ଦର : କାରଣ ସେମିତି କିଛି ନାହିଁ । ବାସ୍‌.....

 

ସନ୍ଧୁ : ଆପଣଙ୍କର ଇଚ୍ଛା । କିନ୍ତୁ ବିବାହ ନ କରିବାର ତ କାରଣ କିଛି ଥିବ । ବିଶେଷ କରି ଝିଅ ଜଣେ ଯେତେବେଳେ ବିବାହ ନ କରିବାର ଦୃଢ଼ନିଶ୍ଚୟ କରିନିଏ, ସେତେବେଳେ ତା’ ପାଖରେ କିଛି କାରଣ ଥିବା ଦରକାର ।

 

ରାଜିନ୍ଦର : ଆପଣ ଭାଇଙ୍କୁ କହିବେ, ଯେଉଁ ଝିଅ ସାଙ୍ଗରେ ମୁଁ ରହୁଚି, ତା’ର ମାଆ-ବାପ, ଭାଇ-ଭଉଣୀ କେହି ନାହାନ୍ତି । ତାକୁ ମଧ୍ୟ ତା’ର କୌଣସି ସମ୍ପର୍କୀୟ ପାଳିଚି ଏବଂ ପାଠ ପଢ଼ାଇଚି । ସେ ମୋ’ରି ପାଇଁ ବିବାହ କରୁ ନାହିଁ । ଆଉ ମୁଁ ମଧ୍ୟ ତା’ପାଇଁ ସାରା ଜୀବନ କୁମାରୀ ରହିବାକୁ ଚାହୁଁଚି ।

 

ସନ୍ଧୁ : (ସ୍ମିତ ହସି) ବେଶ୍‌ କଥା ! (ଦୀର୍ଘଶ୍ୱାସ ଛାଡ଼ି) ଦିନେ ମୁଁ ଏବଂ ସେଖୋଁ ମଧ୍ୟ ଏମିତି କଥା ହେଇଥିଲୁ । କିନ୍ତୁ ସେଇ ମେମ୍‌ ଆସିଗଲା ପରେ.....ଛାଡ଼ନ୍ତୁ । ସେଖୋଁ ଖୁସିରେ ଅଛି, ଆଉ ମୁଁ ମଧ୍ୟ । ତା’ଛଡ଼ା ମୁଁ ତ ବିବାହ କରିବା ପାଇଁ ବର୍ମିଙ୍ଗହାମ୍‌ରୁ ଏଠିକି ଆସିଚି । (ଯେମିତିକି ହଠାତ୍‌ କିଛି ଗୋଟାଏ ସ୍କୃତିପଟକୁ ଆସିଗଲା ।) ଓହୋ, ଆପଣଙ୍କୁ ସାକ୍ଷାତ କରି ଭୁଲିଯାଉଥିଲି । ଏଇ ନିଅନ୍ତୁ ଏ ଘଡ଼ି–(ଜର୍ସି ପକେଟ୍‌ରୁ କାଢ଼ି ଦେଲେ) ଶୀଘ୍ର ହାତରେ ବାନ୍ଧିପକାନ୍ତୁ ।

 

ରାଜିନ୍ଦର : ଗୋଟାଏ ତ ଆଗରୁ ବାନ୍ଧିଚି ।

 

ସନ୍ଧୁ : (ହସିଉଠିଲା) । ଏଇ ନିଅନ୍ତୁ–(ଆଙ୍ଗୁଠିରୁ କାଢ଼ି) ସୁନା ମୁଦି । କ୍ଷମା କରିବେ–ଯଦି ଏମିତି ଆଙ୍ଗୁଠିରେ ପୂରାଇ ନ ଆଣିଥାଆନ୍ତିନା, ତେବେ ମୋଟେ ଆଣିପାରି ନ ଥାନ୍ତି ।

 

ରାଜିନ୍ଦର : କିଛି କଥା ନାଇଁ ।

 

ସନ୍ଧୁ : ଏ ମୁଦିଟା ଆପଣଙ୍କ ମଝି ଆଙ୍ଗୁଠିକୁ ଠିକ୍‌ ହେବ । ଟିକେ ପିନ୍ଧିକରି ଦେଖନ୍ତୁ ।

 

ରାଜିନ୍ଦର : ଏବେ ନୁହେଁ ।

 

ସନ୍ଧୁ : ଏବେ ପିନ୍ଧିବନି ? (ହସି କରି) ହଉ, ଯାହା ଆପଣଙ୍କର ଇଚ୍ଛା । (ଆଟାଚିରୁ କିଛି ଟଙ୍କା ବାହାର କରି) ଇଏ ହଉଚି ଶହେ ଟଙ୍କିଆ ନୋଟ୍‌, ଦଶଟା ଗଣିନିଅନ୍ତୁ ।

 

ରାଜିନ୍ଦର : ଆପଣ ଏସବୁ କ’ଣ କହୁଛନ୍ତି ?

 

ସନ୍ଧୁ : ମିସ୍‌ ରାଜିନ୍ଦର ! ମନି ମ୍ୟାଟରରେ କାହାରି ଲଜ୍ଜା କରିବା ଉଚିତ ନୁହେଁ । ସେଖୋଁର ଅମାନତ ଆପଣଙ୍କ ପାଖରେ ପହଞ୍ଚେଇ ଦେଇ ମୁଁ ନିଜେ ଭାରି ଆନନ୍ଦ ଅନୁଭବ କରୁଚି-। ହଁ, ଗୋଟାଏ କଥା କହିବି ? –ମୁଁ ମୋର ଭାବୀ ପତ୍ନୀ ପାଇଁ ମଧ୍ୟ ବହୁତ ଗୁଡ଼ାଏ ଜିନିଷ ନେଇ ଆସିଚି ।

 

ରାଜିନ୍ଦର : ସତେ !

 

ସନ୍ଧୁ : ଏ ଘଡ଼ିଟା, ଦୁଇଟା ମୁଦି, ପେନ୍‌, ଜୁଡ଼ା, ପର୍ସ, ରୁମାଲ ଏବଂ ରେଡ଼ିମେଡ୍‍ ସୁଟ୍‌ ।

 

ରାଜିନ୍ଦର : (ଆଶ୍ଚର୍ଯ୍ୟ ହେଇ) ରେଡ଼ିମେଡ୍‍ ସୁଟ୍‌ ?

 

ସନ୍ଧୁ : ହଁ, ସେଠି ବହୁତ ମିଳେ ।

 

ରାଜିନ୍ଦର : ମୋର କହିବାର ମତଲବ ହେଉଚି, ଯଦି ସେଇଟା ଆପଣଙ୍କ ଭାବୀ ପତ୍ନୀଙ୍କୁ ଫିଟ୍‌ ନ କରେ, ତେବେ– ?

 

ସନ୍ଧୁ : ଯଦି ସୁଟ୍‌ ଲମ୍ୱା ହେବ ତେବେ ଛୋଟ କରାଇନେବି । ଆଉ ଯଦି ଛୋଟ ହୁଏ.....ତେବେ ମୁଁ ତାହାକୁ ଲମ୍ୱା କରାଇବି ନାହିଁ । ମୁଁ ନବବଧୂକୁ ତାଳିପକା ଲୁଗା ପିନ୍ଧାଇବି ନାହିଁ-

 

ରାଜିନ୍ଦର : (ହସିବାକୁ ଲାଗିଲେ ।)

 

ସନ୍ଧୁ : ମିସ୍‌ ରାଜିନ୍ଦର ! କ୍ଷମା କରିବେ; ଯଦି ମୁଁ କହେ ଯେ, ମୁଁ ଆଣିଥିବା ସୁଟ୍‌କୁ ପିନ୍ଧିବାବାଲା ଝିଅର ଶାରୀରିକ ଗଠନ ଆପଣଙ୍କଠାରୁ ଅଧିକ ନୁହେଁ, ତେବେ– ?

 

ରାଜିନ୍ଦର : (ଟିକିଏ ଲଜ୍ଜିତ ହୋଇ) ଆପଣ ଏକଥା କେମିତି କହିପାରୁଛନ୍ତି ?

 

ସନ୍ଧୁ : ଆପଣ ଟଲ୍‌ ଏଣ୍ଡ ସ୍ଲିମ୍.....ମାନେ ଡେଙ୍ଗୀ ଏବଂ ପାତଳୀ । ମୁଁ ଏ ସୁଟ୍‌କୁ ଠିକ୍‌ ଏମିତିଆ ଗୋଟିଏ ଝିଅପାଇଁ ଆଣିଚି ।

 

ରାଜିନ୍ଦର : (ଟିକିଏ ସ୍ପଷ୍ଟ ଭାବରେ) ଲମ୍ୱା ଏବଂ ପାତଳୀ ଝିଅଙ୍କୁ ଆପଣ ପସନ୍ଦ କରନ୍ତି କାହିଁକି ?

 

ସନ୍ଧୁ : ଏଇଥିପାଇଁ ସେ ଯେତେବେଳେ ଚାଲେ, ମୋର ମନେହୁଏ, ଯେମିତିକି ଆକାଶରେ ଉଡ଼ୁଥିବା କୌଣସି ଘୁଡ଼ିକୁ କିଏ ଆସ୍ତେ ଆସ୍ତେ ଟାଣୁଚି । ସେ ଯେତେବେଳେ ହସେ, ମତେ ତା’ ଗାଲର ଛୋଟ ଛୋଟ ଭଉଁରି ଗାତ ଖୁବ୍‌ ଭଲଲାଗେ । ମତେ ଇନ୍ଦ୍ରଧନୁ ଭଳି ଭଲଲାଗେ । ସେ କଥା ସବୁ ଛାଡ଼ନ୍ତୁ । ଆପଣା ଏଯାଏ ଆପଣଙ୍କ ଆଙ୍ଗୁଠିରେ ମୁଦି ପିନ୍ଧିନାହାନ୍ତି ?

 

ରାଜିନ୍ଦର : ମୋର ସଉକ୍‌ ନାହିଁ ।

 

ସନ୍ଧୁ : ସଉକ୍‌ ନାହିଁ । କିନ୍ତୁ.....ମୁଁ ଟିକେ ଦେଖନ୍ତି ।

 

ରାଜିନ୍ଦର : ଦେଖି କରି କ’ଣ କରିବେ ?

 

ସନ୍ଧୁ : ସ୍ତ୍ରୀଲୋକ ଯେତେବେଳେ ବେଶଭୂଷା ହୁଅନ୍ତି, ସେ ଭଲ ଭାବରେ ଜାଣନ୍ତି ତାଙ୍କର ଏ ବେଶଭୂଷା କ’ଣ ପାଇଁ ?

 

ରାଜିନ୍ଦର : ଇଂଲଣ୍ଡରେ ରହି ଆପଣ ସ୍ତ୍ରୀଲୋକଙ୍କ ସାଇକୋଲଜି ସହିତ ବେଶ୍‌ ପରିଚିତ ହୋଇଯାଇଛନ୍ତି ଦେଖୁଚି ।

 

ସନ୍ଧୁ : ଇଂଲଣ୍ଡର ସ୍ତ୍ରୀଲୋକଙ୍କୁ ଚିହ୍ନିବା କଠିନ ବ୍ୟାପାର ନୁହେଁ; ବରଂ ଭାରତୀୟ ସ୍ତ୍ରୀଲୋକମାନେ ଜଟିଳ ।

 

(ଦୁହେଁ ହସିଉଠିଲେ ।)

 

ରାଜିନ୍ଦର : (ଖୋଲାଖୋଲି ଭାବେ) ଆପଣ କେବେ ବିବାହ କରୁଛନ୍ତି ?

 

ସନ୍ଧୁ : ବହୁତ ଶୀଘ୍ର । ‘ଆଜି ମଙ୍ଗନ, କାଲି ବାହା’ ଧନ୍ଦା ଇଏ । ତା’ଛଡ଼ା ଇଂଲଣ୍ଡକୁ ଦୁଇଟା ସିଟ୍‌ ମଧ୍ୟ ବୁକ୍‌ ହେଇଚି ।

 

ରାଜିନ୍ଦର : ଇଂଲଣ୍ଡ ନଗଲେ କ’ଣ ଆପଣଙ୍କ ଗୁଜୁରାଣ ମେଣ୍ଟିବନି ?

 

ସନ୍ଧୁ : ଇଂଲଣ୍ଡକୁ ନିଶ୍ଚୟ ଯିବି । ମୁଁ ସେଖୋଁକୁ ନିଜର ପଞ୍ଜାବୀ ସ୍ତ୍ରୀ.....

 

ରାଜିନ୍ଦର : (ବାଧା ଦେଇ) ମୋର କହିବାର ଉଦ୍ଦେଶ୍ୟ ହେଉଚି, ଆପଣଙ୍କର ବିବାହ ଏମିତିଆ କୌଣସି ଗୋଟିଏ ଝିଅ ସାଙ୍ଗରେ ଯଦି ହେଇଯାଏ, ଯିଏ ସାତ ସମୁଦ୍ର ପାରି ହୋଇ ନିଜ ମା-ବାପ, ସଖୀ-ସହୋଦରଙ୍କୁ ଛାଡ଼ି ନ ଯାଇ ପାରେ, ତେବେ– ?

 

ସନ୍ଧୁ : ହୁଁ । ତେବେ ଏସବୁ ବେଳ ଆସିଲେ ବିଚାର କରାଯାଇ କୁହାଯାଇପାରେ ।

 

ରାଜିନ୍ଦର : ବିବାହ କେତେ ପ୍ରକାରର ତ୍ୟାଗ ଦାବି କରେ ।

 

ସନ୍ଧୁ : ସେ ତ ଠିକ୍‌ କଥା । ଜୀବନରେ କିଛି ଦେଇ, କିଛି ପାଆନ୍ତି ।

 

ରାଜିନ୍ଦର : ମୁଁ କଥା-ନହସରେ ହାତରେ ଘଡ଼ି ବାନ୍ଧିସାରିଲାଣି ।

 

ସନ୍ଧୁ : ଖୁବ୍‌ ସୁନ୍ଦର ଦିଶୁଚି । ହାତକୁ ସଜାଇବା କଳା ଆମ ସ୍ତ୍ରୀଲୋକମାନଙ୍କୁ ଜଣା । ବିଦେଶୀ ସ୍ତ୍ରୀଲୋକମାନଙ୍କର ସମସ୍ତ ଶକ୍ତି.... । ଆଙ୍ଗୁଠିରେ ମୁଦିଟା ପିନ୍ଧି ନିଅନ୍ତୁ ।

 

ରାଜିନ୍ଦର : ଏଇଟା ମଝିଆଁ ଆଙ୍ଗୁଠିକୁ ତ ବିଲ୍‌କୁଲ୍‍ ଫିଟ୍‌ ହେଉଚି ।

 

ସନ୍ଧୁ : ମୁଁ ତ କହୁଥିଲି ।

 

(ଦୁହେଁ ହସିଉଠିଲେ ।)

 

ରାଜିନ୍ଦର : ତା’ହେଲେ ଆପଣ ଶୀଘ୍ର ବିଦେଶ ଫେରିଯିବେ ?

 

ସନ୍ଧୁ : ବିବାହ ପରେ କେତେ ନୂଆ କାର୍ଯ୍ୟକ୍ରମ ହେଇପାରେ ।

 

ରାଜିନ୍ଦର : ମଝି ଆଙ୍ଗୁଠିକୁ ମୁଦିଟି ବେଶ୍‌ ମାନୁଚି ।

 

ସନ୍ଧୁ : ହଁ, ଚମତ୍କାର ଦିଶୁଚି ।

 

(ଭିତର କୋଠରିରୁ ଗୁରଚରଣ ଫଳ ପ୍ଲେଟ୍‌ ଧରି ଆସିଲା ।)

 

ଗୁରଚରଣ : ତୋ ହାତକୁ ଘଡ଼ିଟା ଖୁବ୍‌ ସୁନ୍ଦର ଦିଶୁଚି ଲୋ ବଉଳ !

 

ସନ୍ଧୁ : (ଆଶ୍ଚର୍ଯ୍ୟରେ) ବଉଳ !

 

ଗୁରଚରଣ : ମୁଁ ତାକୁ ‘ବଉଳ’ ବୋଲି ଡାକେ । ଇଏ ତ ମୋର ଜୀବନ ।

 

ସନ୍ଧୁ : (ହସି ଦେଇ) ତା’ ତ ମୁଁ ବୁଝିପାରୁଚି ।

 

ଗୁରଚରଣ : ବଉଳ ! ତୋ ହାତକୁ ମୁଦିଟା ଭଲ ମାନୁଚି ।

 

ରାଜିନ୍ଦର : (ବିବ୍ରତ ଢଙ୍ଗରେ) ମୁଁ ଏମିତି ପିନ୍ଧୁ ପିନ୍ଧୁ ପିନ୍ଧିପକାଇଲି । ଏହାକୁ କାଢ଼ିଲେ.....

 

ଗୁରଚରଣ : ପାଗଳୀ ! ପିନ୍ଧିଥା ।

 

ରାଜିନ୍ଦର : (ଉଠିପଡ଼ି) ମୁଁ ଟିକେ ଆସୁଚି ।

 

(ପଛ ପଟ କୋଠରିକୁ ଚାଲିଗଲା ।)

 

ଗୁରଚରଣ : କୁଆଡ଼େ ଯାଉଚୁ ?

 

ରାଜିନ୍ଦର : (ଯାଉ ଯାଉ) ମୁଁ ସାଙ୍ଗେ ସାଙ୍ଗେ ଆସୁଚି ।

 

ଗୁରଚରଣ : (ହସିଉଠି) ବହୁତ ଲାଜକୁଳୀ ଝିଅଟାଏ ।

 

ସନ୍ଧୁ : (ହସି ହସି) ଆପଣଙ୍କ ଯୋଡ଼ିଟି ବେଶ୍‌ ହେଇଚି । ଯେମିତି ଗୋଟାଏ ଦେହ, ଗୋଟାଏ ପ୍ରକାରର ପୋଷାକପତ୍ର, ଏକାପ୍ରକାରର ରୂପ-ରଙ୍ଗ ।

 

ଗୁରଚରଣ : ଆମା ଦୁହିଁଙ୍କର ପ୍ରାୟ ସବୁ ଜିନିଷ ଏକାଭଳି ।

 

ସନ୍ଧୁ : ଆପଣମାନେ ଏତେ ଘନିଷ୍ଠ କେମିତି ହେଲେ ?

 

ଗୁରଚରଣ : ମନର ମିଳନ । ଯେତେବେଳେ ମନ ମିଳିଲା, ସବୁ ଠିକ୍‌ଠାକ୍‌.....

 

ସନ୍ଧୁ : ବିଲ୍‌କୁଲ୍‍ ଠିକ୍‌ । କିନ୍ତୁ.....(ନାଁ ଭୁଲିଯାଇଥିଲା)

 

ଗୁରଚରଣ : ଗୁରଚରଣ !

 

ସନ୍ଧୁ : ଥ୍ୟାଙ୍କ୍‌ ୟୁ । ମୁଁ କହୁଥିଲି କ’ଣ କି, ମିସ୍‌ ଗୁରଚରଣ ! ମୁଁ ଏବଂ ସେଖୋଁ ଦିନେ ଏମିତି ଘନିଷ୍ଠ ଥିଲୁ । କିନ୍ତୁ ସେ (ଉଦାସ ସ୍ୱରରେ) ଦିନେ ଚୁପ୍‌ଚାପ୍‌ ବାହା ହେଇ ପଡ଼ିଲା ।

 

ଗୁରଚରଣ : (ବ୍ୟଙ୍ଗାତ୍ମକ ହସ ସହ) ବିବାହ ।

 

ସନ୍ଧୁ : ମୋର ଆଗରୁ ଅବିବାହିତ ରହିବାର ଇଚ୍ଛା ଥିଲା ।

 

ଗୁରଚରଣ : ତା’ପରେ ଆପଣଙ୍କୁ ମାୟା ଆସିକରି ଘେରିଗଲା ।

 

ସନ୍ଧୁ : ମାୟା ନୁହେଁ ମିସ୍‌ ଗୁରଚରଣ !

 

ଗୁରଚରଣ : ସମାଜ ଆଗରେ ସଚ୍ଚୋଟ ଦେଖାଇ ହେବାକୁ ଚାହାନ୍ତି ?

 

ସନ୍ଧୁ : ସେ କଥା ବି ନୁହେଁ ।

 

ଗୁରଚରଣ : ତେବେ ଆଉ କୋଉ କଥା ? ଆପଣ କାହିଁକି ସମୁଦ୍ର ପାରିହେଇ ବିବାହ କରିବାକୁ ଏଠିକି ଆସିଲେ ?

 

ସନ୍ଧୁ : ମିସ୍‌ ଗୁରଚରଣ ! ମୁଁ ଅନୁଭବ କଲି ଯେ, ମଣିଷ ମନରେ ବିବାହ କରିବାର ବିଚାର ସେଇଭଳି ସୃଷ୍ଟିହୁଏ, ଯେଉଁଭଳି ଖାଇବା-ପିଇବା, ଶୋଇବା-ଉଠିବା, ଚଲା-ବୁଲା କରିବା, ହସିବା-ଗାଇବାର ବିଚାର ମନକୁ ଆସେ ।

 

ଗୁରଚରଣ : (ବ୍ୟଙ୍ଗ କରି) ବିଚାର !

 

ସନ୍ଧୁ : ଆପଣ ଟିକିଏ ଭାବି ଦେଖନ୍ତୁ । ଆପଣଙ୍କୁ.....

 

ଗୁରଚରଣ : (କଥା କାଟି) ବିଚାର କେବଳହ ମାତ୍ର ଗୋଟାଏ ଭାବନା । କେହି କେହି ତାକୁ ଟାଣି-ଓଟାରି ମୋଟା ବହି ସୃଷ୍ଟି କରନ୍ତି, ଆଉ କେତେକ ତାକୁ ସଂକୁଚିତ କରି ଗୋଟାଏ ଶବ୍ଦରେ ପରିଣତ କରିଦିଅନ୍ତି । ମାତ୍ର ତାହା ଶୁଦ୍ଧ ନ ହୋଇଥିବା ହେତୁ ଲିଭେଇ ଦିଆଯାଏ ।

 

ସନ୍ଧୁ : ମୋର ଏବେବି ସେହି ବିଚାର ଅଛି, ମିସ୍‌ ଗୁରଚରଣ ! –ବିବାହର ଭାବନାକୁ ଲିଭାଇଲେ ତାହା ଲିଭେ ନାହିଁ । ହଁ, ଅବଶ୍ୟ ତାକୁ ଅବଦମିତ କରାଯାଇପାରେ । କିନ୍ତୁ ଏ କଥା ମଧ୍ୟ ସତ୍ୟ ଯେ, ତାହା ଯେତେବେଳେ ବହିଃପ୍ରକାଶିତହ ହୁଏ, ସେତେବେଳେ ଅବସ୍ଥାଟା ଭୋକିଲା ବାଘ ଭଳି ହେଇଯାଏ ।

 

ଗୁରଚରଣ : (ବ୍ୟଙ୍ଗାତ୍ମକ ହସ ହସି) ଭୋକିଲା ବାଘଭଳିଆ ?

 

ସନ୍ଧୁ : ଯେମିତିକି ଗୋଟାଏ ବାଘ ଜୁଆନ୍‌ ଥିବା ପର୍ଯ୍ୟନ୍ତ ସେ ସବୁକିଛି କରିବାକୁ ସକ୍ଷମ ହୋଇଥାଏ । ମାତ୍ର ଯେତେବେଳେ ତା’ର ନଖ ଭାଙ୍ଗିଯାଏ ଏବଂ ଦାନ୍ତ ଗଳିପଡ଼େ, ସେତେବେଳେ.....

 

ଗୁରଚରଣ : (କଥା ମଝିରେ କହିଉଠିଲେ) ଆପଣ କିଛି ଖାଆନ୍ତୁ ନା !

 

ସନ୍ଧୁ : (ପ୍ଲେଟ୍‌ ଉଠାଇ) ଆପଣ ବି ନିଅନ୍ତୁ ।

 

ଗୁରଚରଣ : (ପ୍ଲେଟ୍‌ ଆଡ଼କୁ ହାତ ବଢ଼ାଇଲେ ।)

 

ସନ୍ଧୁ : ଜୀବନର ଲକ୍ଷ୍ୟ ହେଉଛି ସେ ସବୁ ସମୟରେ କାହାରି ନା କାହାରି ସାଙ୍ଗ ଚାହେଁ-

 

ଗୁରଚରଣ : ରାଜିନ୍ଦର ସବୁଠିଁ ମୋ ସାଙ୍ଗରେ ଥାଏ ।

 

ସନ୍ଧୁ : ଆପଣ ଦୁହେଁ ଭାରି ଭାଗ୍ୟବତୀ ।

 

ଗୁରଚରଣ : ଆପଣଙ୍କର ବାହାଘର କେବେ ହେଉଚି ?

 

ସନ୍ଧୁ : ବହୁତ ଜଲ୍‌ଦି ।

 

ଗୁରଚରଣ : କେଉଁଠି ?

 

ସନ୍ଧୁ : ଏଯାଏ କୋଉଠି ଦେଖିନି । ଆପଣ କହନ୍ତୁ ?

 

ଗୁରଚରଣ : ମୁଁ କହିବି ? (ବିବ୍ରତ ହେଇ) ମୁଁ.....ମୁଁ କ’ଣ କହିବି ? ମୁଁ ତ କୌଣସି ମ୍ୟାରେଜ୍‌ ବ୍ୟୁରୋ ନୁହେଁ ।

 

(ସନ୍ଧୁ ହସିପକାଇଲା । ଗୁରଚରଣ ମଧ୍ୟ ହସିଲା । ସେତିକିବେଳେ ରାଜିନ୍ଦର ଭିତରକୁ ଆସିଲା ।)

 

ସନ୍ଧୁ : ଆସନ୍ତୁ ମିସ୍‌ ରାଜ !

 

ଗୁରଚରଣ : ଓହ୍ଲେଇ ଦେଇ ଆସିଲୁ କି ବଉଳ ?

 

ରାଜିନ୍ଦର : (ଲଜ୍ଜିତ ହୋଇ) ଓହ୍ଲେଇ ଦେଇଥିଲି; କିନ୍ତୁ ପୁଣି ପିନ୍ଧିପକେଇଲି ।

 

(ସନ୍ଧୁ ଓ ଗୁରଚରଣ ହସିଉଠିଲେ ।)

 

ସନ୍ଧୁ : (ଘଡ଼ି ଦେଖି) ଓଃ, ମୋର ଗାଡ଼ି ଷ୍ଟେସନକୁ ଆସିଯିବଣି । ହଉ, ମତେ ଏବେ ଯିବାକୁ ଦିଅନ୍ତୁ । (ଆଟାଚି ଧରି ଉଠି ଠିଆହେଲା ।) ମୁଁ ଆପଣଙ୍କୁ ମୋ ଠିକଣା ଦେଇ ଯାଉଚି । (ପକେଟରୁ କାର୍ଡ଼ କାଢ଼ି ଦୁହିଁଙ୍କ ଆଡ଼କୁ ବଢ଼ାଇଲେ ।) ଏଇଥିପାଇଁ ଯେ ଆପଣ ଦୁହେଁ ମତେ ବହୁତ ଭଲ ଲାଗିଛନ୍ତି । ଯଦି ଦୁହିଁଙ୍କ ଭିତରୁ କାହାରି ମତେ ବିବାହ କରିବାର ଆଗ୍ରହ ହୁଏ, ତେବେ ମତେ ଏଇ ଠିକଣାରେ ଲେଖିବେ । ପନ୍ଦର ଦିନ ପର୍ଯ୍ୟନ୍ତ ମୁଁ ଆପଣମାନଙ୍କ ପତ୍ରକୁ ଅପେକ୍ଷା କରିବି । ତା’ପରେ ନୁହେଁ । (କାର୍ଡ଼ ଟେବୁଲ୍‍ ଉପରେ ରଖିଦେଲା ।) ବାଏ-ବାଏ !!

 

(ସନ୍ଧୁ ଦ୍ରୁତପଦରେ ବାହାରକୁ ଚାଲିଗଲା । ଦୁଇଟିଯାକ ଝିଅ ତା’ର ଯିବାବାଟକୁ ଚାହିଁ ରହିଥିଲେ । ତା’ପରେ ଦୁହେଁ କିଛି ସମୟ ପାଇଁ ଗୁମ୍‌ସୁମ୍‌ହ ହୋଇ ବସିରହିଲେ ।)

 

ଗୁରଚରଣ : ବଉଳ !

 

ରାଜିନ୍ଦର : ଉଁ ।

 

ଗୁରଚରଣ : ଆମ ଉପରେ ଉଦାସତା ଛାଇ ହେଇ ଯାଇଚି ।

 

ରାଜିନ୍ଦର : ହଁ ।

 

ଗୁରଚରଣ : ତାଙ୍କର ତ ଯିବାର ଥିଲା ।

 

ରାଜିନ୍ଦର : ସେ ତାଙ୍କ ଆଡ୍ରେସ ଛାଡ଼ିଯାଇଛନ୍ତି ।

 

ଗୁରଚରଣ : ସେଥିରୁ ଆମେ ପାଇବା କ’ଣ ?

 

ରାଜିନ୍ଦର : ଚାଲ, ତାକୁ ଝରକାବାଟେ ବାହାରକୁ ପକେଇଦେବା ।

 

ଗୁରଚରଣ : ଏଠି ଏବେ ପଡ଼ିରହିଲେ ଆମର କ’ଣ ହେଇଯିବ କି ?

 

ରାଜିନ୍ଦର : ସତ କଥା । କାଲି ସକାଳୁ ତ ଆମର ଚାଲିଯିବାର ଅଛି ।

 

ଗୁରଚରଣ : କୌଣସି ନୂଆ ଭଡ଼ାଟିଆ ଆସିବ । ସେ ଏହାକୁ ବାଜେ ମନେକରି ଚିରି ବାହାରକୁ ଫିଙ୍ଗିଦେବ ।

 

ରାଜିନ୍ଦର : ତା’ଠୁଁ ବରଂ ଭଲହେବ, ଆମେ ଏହାକୁ ସାଙ୍ଗରେ ନେଇଯିବା ।

 

ଗୁରଚରଣ : ହଁ, ନେଇଯିବା ଚାଲ । ଆମର କ’ଣ ବା ବିଗିଡ଼ିବ ।

 

(ଦୁହେଁ ଠିକଣା ନେବାପାଇଁ ହାତ ବଢ଼ାଇଲାବେଳେ ପରଦା ପତନ ।)

☆☆☆

 

ଲେଖକ ପରିଚୟ

 

1. ଈଶ୍ୱର ଚନ୍ଦର ନନ୍ଦା (1892-1966)

 

ଜନ୍ମ : 30 ସେପ୍ଟେମ୍ବର 1891 । ଗାଁ–ଗାନ୍ଧିୟାଁ ପୁନିୟାଡ଼, ଜିଲା–ଗୁରୁଦାସପୁର । ଶିକ୍ଷା : ଇଂରାଜୀ ସାହିତ୍ୟରେ ଏମ୍.ଏ.; ଦୟାଲ ସିଂହ କଲେଜ, ଲାହୋର । ଏଫ୍.ସି. କଲେଜ, ଲାହୋର, ତଥା ଅକ୍ସଫୋର୍ଡ଼ ୟୁନିଭରସିଟି ।

 

ବ୍ୟବସାୟ : ଅଧ୍ୟାପନା, ପଞ୍ଜାବ ଶିକ୍ଷା ବିଭାଗ । 1947ରେ ଅବସରପ୍ରାପ୍ତ ।

 

ଦେହାନ୍ତ : 2 ସେପ୍ଟେମ୍ବର 1966 ମସିହା ରାତି, ଦିଲ୍ଲୀରେ ।

 

ପ୍ରଥମ ପଞ୍ଜାବୀ ଏକାଙ୍କିକା ନାଟକ ‘ଦୁଲହନ’ 1918ରେ ଲେଖିଥିଲେ ଏବଂ ଦୟାଲସିଂହ କଲେଜ, ଲାହୋରରେ ମଞ୍ଚସ୍ଥ କରାଇଥିଲେ ।

 

ନାଟକ : ସୁଭଦ୍ରା (1920), ଶାମୁ ଶାହ (1928) – ସେକ୍ସପିଅରଙ୍କ ନାଟକ ‘ମରଚେଣ୍ଟ ଅଫ୍‌ ଭେନିସ୍’ ଉପରେ ଆଧାରିତ, ବରଧର (1928), ସୋଶଲ ସର୍କଲ (1954) ।

 

ଏକାଙ୍କିକା ସଂଗ୍ରହ : ଝଲକାରେ, ଲିଶକାରେ, ଚମକାରେ ।

 

ଈଶ୍ୱର ଚନ୍ଦର ନନ୍ଦା ଆଧୁନିକ ପଞ୍ଜାବୀ ନାଟକ ଓ ରଙ୍ଗମଞ୍ଚ ପରମ୍ପରାର ପ୍ରବର୍ତ୍ତକ ଅଟନ୍ତି । ନାଟ୍ୟ ଲେଖନ, ଅଭିନୟ ଏବଂ ନାଟ୍ୟ ନିର୍ଦ୍ଦେଶନା–ଏହି ତିନୋଟି କ୍ଷେତ୍ରରେ ନନ୍ଦାଙ୍କର ସହଯୋଗ ଐତିହାସିକ ଦୃଷ୍ଟିରୁ ମହତ୍ତ୍ୱପୁର୍ଣ୍ଣ ଏବଂ କଳା ଦୃଷ୍ଟିରୁ ମଧ୍ୟ । ଯଦିଓ ନିଜ ସମକାଳୀନଙ୍କ ପ୍ରଭାବରେ ନନ୍ଦା ନିଜ ନାଟ୍ୟ-ରଚନାର ଆଦର୍ଶ ରୂପେ ସମାଜ-ସଂସ୍କାରକୁ ଗ୍ରହଣ କରିଛନ୍ତି, ତଥାପି ସେସବୁରେ ନୈତିକ ଶିକ୍ଷାକୁ ସାମିଲ କରିଦେଇଛନ୍ତି । ମାତ୍ର ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ହୋଇ ସର୍ବଦା ସହଜ ତଥା ସୁସ୍ଥ ମନୋରଞ୍ଜନ ହିଁ ରହିଛି ।

 

ଈଶ୍ୱର ଚନ୍ଦର ନନ୍ଦାଙ୍କର ପାତ୍ରମାନେ ସମକାଳୀନ ପଞ୍ଜାବୀ ସମାଜର ପୂର୍ଣ୍ଣ ପ୍ରତିନିଧିତ୍ୱ କରୁଛନ୍ତି । ଏଥିରେ ସୁଧଖୋର ସାହୁ, ଅନ୍ଧବିଶ୍ୱାସ ଓ ବ୍ୟର୍ଥ ପରମ୍ପରାର ଶିକାର ହୋଇଥିବା ଋଣକର୍ତ୍ତା, ପାଷଣ୍ଡ ସାଧୁ, ସରଳ ଲୋକଙ୍କ ଘର ଲୁଟୁଥିବା ଗୃହସ୍ଥ, ବାଲ୍ୟ-ବିବାହର ବଳି-ବେଦୀରେ ଶିକାର ହେଉଥିବା ଅବଳା କନ୍ୟା, ବାଲ୍ୟ ବିଧବା, ବିଦେଶୀ ଇଂରେଜୀପଣିଆର ଉପାସକ ନବ୍ୟ ନବାବ, ସ୍ୱାର୍ଥପର ସାମାଜିକ ବହୁରୂପୀ, ଲାଞ୍ଚଖୋର ଅଫିସର ଓ ଲୋଭୀ ବେପାରୀ ଆଦି ଅଛନ୍ତି । ଏ ସମସ୍ତଙ୍କର ଚରିତ୍ରଚିତ୍ରଣ ନନ୍ଦା ମହାଶୟ ପୂର୍ଣ୍ଣ ଦକ୍ଷତା ଓ କୌଶଳସହକାରେ କରିଛନ୍ତି ।

 

ନନ୍ଦା ବ୍ୟକ୍ତିଗତ ଚରିତ୍ରକୁ ନୁହେଁ, ପ୍ରତିନିଧି ଚରିତ୍ରକୁ ରେଖାଙ୍କିତ କରିଛନ୍ତି । ନନ୍ଦାଙ୍କର ଚରିତ୍ରମାନେ ସାମାଜିକ ସ୍ତରରେ ନିନ୍ଦନୀୟ ହୁଅନ୍ତି, ଅଥବା ନୈତିକ ରୂପରେ ପତିତ ହୁଅନ୍ତି, ତାଙ୍କର ପ୍ରେରଣା-ସ୍ରୋତ ସର୍ବଦା ପରିହାସ ବା ବ୍ୟଙ୍ଗପୂର୍ଣ୍ଣ –ଦ୍ୱେଷମୂଳକ ନୁହେଁ । ତଦ୍ଦ୍ୱାରା ଖଳନାୟକର କେବଳ ମାତ୍ର ମାନବିକତା ପରିସ୍ଫୁଟ ହୁଏ ନାହିଁ, ଓଲଟି ପାଠକ ବା ଦର୍ଶକଙ୍କର ସହାନୁଭୂତି ମଧ୍ୟ ସାମୂହିକ ଭାବରେ ଅର୍ଜନ କରେ । ଈଶ୍ୱର ଚନ୍ଦର ନନ୍ଦାଙ୍କର ନାଟକସ୍ଥ ଚରିତ୍ରମାନଙ୍କଠାରେ ଯଥାର୍ଥତାର ତୀକ୍ଷ୍ଣ ପ୍ରକଟ ହୁଏ ଏବଂ ତାଙ୍କର ନାଟକୀୟ ସଂଳାପ ମଧ୍ୟ ବାସ୍ତବିକତାରେ ଓତପ୍ରୋତ ହୋଇ ଉଚ୍ଚକୋଟିର, ତୀକ୍ଷ୍ଣ, ମୁଖରିତ ଓ ମନୋରଞ୍ଜକ ହୁଏ

 

2. ସନ୍ତସିଂହ ସେଖୋଁ (1908)

 

ଜନ୍ମ : 30ମେ 1908, ଚକ୍କ ନମ୍ବର 70, ଜିଲା–ଲାୟଲପୁର (ଏବେ ପଶ୍ଚିମ ପଞ୍ଜାବ ପାକିସ୍ତାନରେ) ପୈତୃକ ଗାଁ–ଦାଖା, ଜିଲା–ଲୁଧିଆନା ।

 

ଶିକ୍ଷା : ଏମ୍.ଏ. (ଇଂରେଜୀ ସାହିତ୍ୟ ଓ ଅର୍ଥଶାସ୍ତ୍ର), ଏଫ୍.ସି. କଲେଜ, ଲାହୋର ।

 

ବ୍ୟବସାୟ : କଲେଜରେ ପ୍ରଧ୍ୟାପକ । 1931-1951 ଯାଏ ଖାଲସା କଲେଜ, ଅମୃତସରରେ ଅର୍ଥଶାସ୍ତ୍ର, ଇଂରେଜୀ ଏବଂ ପଞ୍ଜାବୀର ଅଧ୍ୟାପକ ଥିଲେ । 1951-61 ଯାଏ ଗୁରୁସର ଖାଲସା କଲେଜ, ସୁଧାରରେ ଇଂରାଜୀ ବିଭାଗ ଅଧ୍ୟକ୍ଷ । 1961-1971 ମାତା ଗୁଜରୀ କଲେଜ, ଫତେହଗଡ଼ ସାହିବ ଖାଲସା କଲେଜ, ପାତିଆଲା ଏବଂ ଗୁରୁ ଗୋବିନ୍ଦ ସିଂହ ରିପବ୍ଲିକ୍‍ କଲେଜ, ଜଣ୍ଡିଆଲାରେ ପ୍ରିନ୍‍ସପାଲ ରହିଲେ । ମଝି-ମଝିରେ ଇଂରେଜୀ ରିପୋର୍ଟର ମଧ୍ୟ ସାଜିଥିଲେ । ପ୍ରାୟ ପାଞ୍ଚ ବର୍ଷ ଖଣ୍ଡେ ପବ୍ଲିକ୍‍ ଓ୍ୱାର୍କସ୍‍ ଡିପାର୍ଟମେଣ୍ଟରେ ଠିକାଦାରୀ ତଥା ରାଜକୀୟ କାମ କରିଥିଲେ । ଅଗଷ୍ଟ 1971ରେ ଜଣ୍ଡିଆଲାରେ ଅବସରପ୍ରାପ୍ତ ହୋଇ ନିଜ ଗାଆଁ ଦାଖାରେ ଲେଖା-ପଢ଼ା ସାଙ୍ଗରେ କ୍ଷେତର ଦେଖା-ଚାହାଁ କରୁଛନ୍ତି ।

 

ପ୍ରକାଶିତ ନାଟକ : କଳାକାର (1946), ନାରକୀ (1953), ମୋଇୟାଂ ସାର ନ କାଈ, ବାରିସ, ବେଡ଼ା ବନ୍ଧୁ ନ ମୋଇୟୋଁ, ଭୂମିଦାନ (1954), ସିୟାଲାଂ ଦୀ ନଦ୍ଦୀ, ଦମୟନ୍ତୀ (1964), ମିତ୍ତର ପ୍ୟାରା (1970)–(ଏହି ପୁସ୍ତକ ପାଇଁ ସେ‌ଖୋଁଙ୍କୁ 1972ର ସାହିତ୍ୟ ଏକାଡେମୀ ପୁରଷ୍କାର ମିଳିଲା । )

 

ଏକାଙ୍କିକା ସଂଗ୍ରହ : ଚ୍ଛେ ଘର (1940), ତପିୟା କ୍ୟୋଁ ଖପିୟା, ନାଟ୍‍ ସୁନେହେ ।

 

ଅନୁବାଦ : ମେକବେଥ(ସେକ୍ସପିୟର) ।

 

ସନ୍ତସଂହ ସେଖୋଁ ବହୁମୁଖୀ ପ୍ରତିଭାରେ ଧନୀ । ଏକ ସିଦ୍ଧାନ୍ତବାଦୀ ସମୀକ୍ଷକ ରୂପେ ତାଙ୍କୁ ସୁଖ୍ୟାତି ମିଳିଛି । କିନ୍ତୁ ପଞ୍ଜାବୀ ଗଦ୍ୟ (ଲଘୁ କାହାଣୀ ତଥା ଉପନ୍ୟାସ), ନାଟକ ତଥା କାବ୍ୟ କ୍ଷେତ୍ରରେ ମଧ୍ୟ ତାଙ୍କ ଭୂମିକା ପ୍ରଶଂସନୀୟ । ବିଶେଷ କରି ଗଦ୍ୟ ତଥା ନାଟକ କ୍ଷେତ୍ରରେ ଏସବୁ କାର୍ଯ୍ୟ ବ୍ୟତୀତ ସେ ଭାଷା-ବିଜ୍ଞାନ, ପଞ୍ଜାବୀ ସାହିତ୍ୟର ଇତିହାସ ଲେଖନ, ପଞ୍ଜାବୀ କୋଷ କାର୍ଯ୍ୟ, ସାଂସ୍କୃତିକ ଐତିହାସିକତା ତଥା ଇଂରେଜୀର ରଚନାତ୍ମକ ଏବଂ ଜ୍ଞାନ ସାହିତ୍ୟକୁ ପଞ୍ଜାବୀରେ ଅନୁବାଦ କରିଛନ୍ତି । ଅର୍ଥାତ୍‍ ପଞ୍ଜାବୀ ଭାଷା ସହିତ ସମ୍ବନ୍ଧ ରଖିଥିବା ପ୍ରତ୍ୟେକ ବୌଦ୍ଧିକ ଯଜ୍ଞରେ ସେଖୋଁ ଆହୁତି ଦାନ କରିଛନ୍ତି । ତେଣୁ ପଞ୍ଜାବୀ ସାହିତ୍ୟରେ ତାଙ୍କ ସ୍ଥାନ ସର୍ବୋତ୍ତମ ।

 

ପଞ୍ଜାବୀ ନାଟକ କ୍ଷେତ୍ରରେ ସନ୍ତସିଂହ ସେଖୋଁଙ୍କର ଦୁଇଟି ବିଶେଷତ୍ୱ ଉଲ୍ଲେଖନୀୟ । ତାଙ୍କର ନାଟ୍ୟରଚନାର କେନ୍ଦ୍ର ଘଟଣାର ସୁତୀବ୍ର ଘାତ-ପ୍ରତିଘାତ ପାଖରେ ନଥାଏ, କି ସୁସଂଯୋଜିତ ସଂଳାପ ପାଖରେ ଥାଏ ନାହିଁ । ଏକ ଅନନ୍ତ ବୌଦ୍ଧିକ ଜିଜ୍ଞାସା ତାଙ୍କ ନାଟକକୁ ଗତିମାନ୍‍ କରିଥାଏ । ମନୁଷ୍ୟର ବାସ୍ତବ ବାହ୍ୟ ସଂଘର୍ଷ ଏବଂ ତହିଁରୁ ଉତ୍ପନ୍ନ ଭାବର ତୀବ୍ରତାକୁ ତାଙ୍କ ନାଟକରେ ଗୌଣ ସ୍ଥନ ମିଳିଥାଏ ।

 

ତୀକ୍ଷ୍ଣ ଓ ଯୁକ୍ତିସମ୍ପନ୍ନ ଜ୍ଞାନର ଆଲୋକରେ ନାଟକୀୟ ଚରିତ୍ର ଏବଂ ନିଜକୁ ବୁଝିବାର ପ୍ରକ୍ରିୟା ମାଧ୍ୟମରେ ମାନବୀୟ ସ୍ଥିତିର ଅର୍ଥ ସନ୍ଧାନ କରିବାହିଁ ତାଙ୍କ ରଚନାର ମୂଳ ଉଦ୍ଦେଶ୍ୟ । ଜଣେ ସମୀକ୍ଷକ ଭାବରେ ସେବାର ସିଦ୍ଧାନ୍ତଯୁକ୍ତ ନିଷ୍ଠାର ଆଧାରହିଁ ତାଙ୍କର ସମାଜବାଦୀ ଦର୍ଶନ । ମାତ୍ର ତାଙ୍କର ସ୍ୱୀୟ ରଚନାତ୍ମକ ସାହିତ୍ୟର ବୌଦ୍ଧିକ ପରିଧି ଅପେକ୍ଷାକୃତ ଅଧିକ ବିସ୍ତୃତ । ସମାଜବାଦୀ ଦର୍ଶନ ସହିତ ସେଖୋଁ ନିଜ ସୃଷ୍ଟିରେ ପଶ୍ଚିମୀ ସମାଜଶାସ୍ତ୍ର ଓ ମନୋବଜ୍ଞାନକୁ ବୌଦ୍ଧିକ ପୃଷ୍ଟଭୂମି ଭାବେ ପ୍ରୟୋଗ କରିଛନ୍ତି ।

 

ସନ୍ତସଂହ ସେଖୋଁଙ୍କ ନାଟ୍ୟକଳାର ଦ୍ୱିତୀୟ ବିଶେଷତ୍ୱ ହେଉଛି, ଭାରତୀୟ ପୌରାଣିକ କଥା ଓ ମଧ୍ୟ-କାଳୀନ ଭାରତ (ବିଶେଷ କରି ପଞ୍ଜାବ)ର ରାଜନୈତିକ ଏବଂ ସାଂସ୍କୃତିକ ଇତିହାସର ପୃଷ୍ଟଭୂମିରେ ନିଜ ରଚନାକୁ ସମୃଦ୍ଧ କରିବା । ପୌରାଣିକ କଥା (‘କଳାକାର’ରେ ଇନ୍ଦ୍ର ଓ ଅହଲ୍ୟାଙ୍କ କଥା ଏବଂ ‘ଦମୟନ୍ତୀ’ରେ ନଳ-ଦମୟନ୍ତୀଙ୍କ କଥା), ମଧ୍ୟ-କାଳୀନ ଇତିହାସ (‘ବେଡ଼ା ବନ୍ଧୁ ନ ମୋଇୟୋଁ, ମୋଇୟା ସାର ନ କାଈ’) ଏବଂ ସାଂସ୍କୃତିକ ଇତିହାସ (‘ସିୟାଲା ଦୀ ନଦ୍ଦୀ’ ଏବଂ ‘ବାରିସ’)ର ପ୍ରସଙ୍ଗରେ ସମକାଳୀନ ଦୃଷ୍ଟିରେ ମନନ ଏବଂ ପୁନର୍ବିବେଚନ ତାଙ୍କ ନାଟ୍ୟ-ସାଧନାକୁ ନୂତନ ଅଧ୍ୟାୟ ଦିଏ । ଏଥିରୁ ଏହା ହିଁ ଲାଭ କରାଯାଏ ଯେ, ସମକାଳୀନ ବ୍ୟକ୍ତିର କୌଣସି ସ୍ଥିତିକୁ ଐତିହାସିକ ଘଟଣାରେ ସ୍ଥାନାନ୍ତରିତ କଲେ କେବଳ ଏକ ମୁକ୍ତ ମଞ୍ଚାୟନର ସୁଯୋଗ ମିଳେନାହିଁ; ବରଂ ବୌଦ୍ଧିକ ବ୍ୟାପକତାର ଚିତ୍ର ମଧ୍ୟ ଅଙ୍କନ କରାଯାଇପାରେ ।

 

ସନ୍ତସିଂହ ସେଖୋଁ ନିଜ ନାଟ୍ୟକୃତିରେ ରଙ୍ଗମଞ୍ଚ ଦିଗ ପ୍ରତି ବିଶେଷ ଦୃଷ୍ଟି ଦେଇ ନାହାନ୍ତି–ଏ କଥା ସ୍ପଷ୍ଟ ଭାବେ କୁହାଯାଇପାରେ । ତାଙ୍କର ଲେଖାଗୁଡ଼ିକୁ ଗଭୀର ମନୋନିବେଶ କରି ପଢ଼ିଲେ ତହିଁରୁ ଏକପ୍ରକାର ବୌଦ୍ଧିକ ସନ୍ତୋଷ ଲାଭ କରିହୁଏ ।

 

3. ଗୁରଦୟାଲ ସିଂହ ଖୋସଲା (1912–)

 

ଜନ୍ମ : 15 ଜାନୁୟାରୀ, 1912, ଲାହୋର ।

 

ଶିକ୍ଷା : ଏମ୍.ଏ. (ଇଂରାଜୀ ସାହିତ୍ୟ), ଗଭର୍ଣ୍ଣମେଣ୍ଟ କଲେଜ, ଲାହୋର ।

 

ବ୍ୟବସାୟ : ଖାଲସା କଲେଜ । ଅମୃତସରରେ ଗୋଟିଏ ବର୍ଷ ଅଧ୍ୟାପକ ହେବାପରେ ଦକ୍ଷିଣ-ପଶ୍ଚିମ ରେଲଓ୍ୱେରେ ଅଧିକାରୀ ନିଯୁକ୍ତି ପାଇଲେ । 1970ରେ ପଶ୍ଚିମ ରେଲଓ୍ୱେର ଜେନେରାଲ ମ୍ୟାନେଜର ପଦରେ ଥିବା ସମୟରେ ଅବସର ଗ୍ରହଣ–ପରେ ପାତିଆଲାସ୍ଥ ପଞ୍ଜାବୀ ବିଶ୍ୱବିଦ୍ୟାଳୟରେ ଭାଷଣ ଓ ନାଟକ ବିଭାଗରେ ଦୁଇବର୍ଷ ପରାମର୍ଶଦାତା ରହିଲେ । ସମ୍ପ୍ରତି ଦିଲ୍ଲୀସ୍ଥ ପଞ୍ଜାବୀ ଥିଏଟର ସଂସ୍ଥାର ସଂଯୋଜକ ଅଛନ୍ତି ।

 

ପ୍ରକାଶିତ ରଚନା :

 

ନାଟକ : ବୂହେ ବୈଠୀ ଧୀଂ (1950), ମର ମିଟଣ ବାଲେ, ପରଲୋ ତୋ ପହିଲୋଁ-

 

ଏକାଙ୍କିକା ସଂଗ୍ରହ : ବେଘରେ ସତାରହବାଁ ପତି ।

 

ଅନୁବାଦ : ଚାନ୍ଦୀ ଦା ଡିବ୍‍ବା (ଗଲସବର୍ଦି କୃତ ସିଲଭର ବାକ୍ସ)

 

ଗୁରଦୟାଲ ସିଂହ ଖୋସଲାଙ୍କ ମୁଖ୍ୟ ରୋଚକ ସାମଗ୍ରୀ ରହିଛି ନାଗରିକ ଜୀବନର ସମସ୍ୟା ଓ ବିଷମତାରେ ଏବଂ ତାଙ୍କ କଳାର ମୂଳ ତୀକ୍ଷ୍ଣ ବ୍ୟଙ୍ଗରେ ଉଜ୍ଜୀବିତ ହୋଇଥାଏ । ମଧ୍ୟମ-ବର୍ଗୀୟ ଗୃହସ୍ଥ ଜୀବନ ଓ ଆଚାର-ବ୍ୟବହାରର ସଂକୀର୍ଣ୍ଣତା ଏବଂ ତା’ ପଛରେ ଲୁଚିରହିଥିବା ବିଶେଷତ୍ୱକୁ ଖୋସଲା ପୂର୍ଣ୍ଣ ଦକ୍ଷତାରେ ଉପସ୍ଥାପିତ କରିଛନ୍ତି । ସାମାଜିକ ଏବଂ ରାଜନୀତିକ ସଂସ୍ଥାମାନଙ୍କୁ ହାସ୍ୟ-ବ୍ୟଙ୍ଗଦ୍ୱାରା ନଗ୍ନ କରିବାରେ ଖୋସଲା ସିଦ୍ଧହସ୍ତ । ସେଇଥିପାଇଁ ତାଙ୍କ ନାଟକରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ରସଧାରା ପ୍ରବାହିତ ହେଉଥାଏ ।

 

ନାଟକ ରଚନା ବ୍ୟତୀତ ରଙ୍ଗମଞ୍ଚ କ୍ଷେତ୍ରରେ ଯୋଗଦାନ କରିବା ଖୋସଲାଙ୍କର ଅନ୍ୟତମ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ । ଅବିଭାଜିତ ପଞ୍ଜାବସ୍ଥ ଲାହୋରରେ ଲିଟ୍‍ଲି ଥିଏଟର୍‍ ଗ୍ରୁପ୍‍ର ସକ୍ରିୟ ସଦସ୍ୟମାନଙ୍କ ମଧ୍ୟରେ ଖୋସଲା ପ୍ରମୁଖ ଥିଲେ । ସ୍ୱାଧୀନତାର ପରେ ସେ ଦିଲ୍ଲୀରେ ପଞ୍ଜାବୀ ଥିଏଟର ଗ୍ରୁପ୍ ସ୍ଥାପନ କରିଥିଲେ, ଯଦ୍ଦ୍ୱାରା ରାଜଧାନୀର ରଙ୍ଗମଞ୍ଚଜଗତରେ ପଞ୍ଜାବୀ ନାଟକକୁ ସମ୍ମାନ ପ୍ରାପ୍ତ ହେଲା । ଚାକିରି ତାଡ଼ନାରେ ଖୋସଲାଙ୍କୁ ଯେଉଁ ଯେଉଁ ଜାଗାକୁ ବଦଳି ହୋଇଛି, ପଞ୍ଜାବୀ ଥିଏଟରକୁ ସେ ନିଜ ସାଙ୍ଗରେ ସେଠିକି ନେଇଯାଇଛନ୍ତି । ସମ୍ପ୍ରତି ପଞ୍ଜାବୀ ଥିଏଟର ଗ୍ରୁପ୍‍ ଦିଲ୍ଲୀକୁ ପୁଣି ଆସିଯିବାପରେ ସେ ନାଟକର ଗତିବିଧି କ୍ଷେତ୍ରରେ ସମନ୍ୱୟ ଆଣିବାପାଇଁ ପ୍ରଯତ୍ନଶୀଳ ।

 

4. ହରଚରଣ ସିଂହ(1914–)

 

ଜନ୍ମ : 10 ଡିସେମ୍ବର 1914 । ଚକ୍‍କ ନଂ 576, ଜିଲା–ଶେଖୁପୁରା (ପଶ୍ଚିମ ପଞ୍ଜାବ, ପାକିସ୍ତାନ), ପୈତୃକ ଗାଆଁ–ଚକଦାନା(ଜଲନ୍ଧର) ।

 

ଶିକ୍ଷା : ଏମ୍.ଏ. (ଇତିହାସ, ପଞ୍ଜାବୀ), ଖାଲସା କଲେଜ, ଅମୃତସର, ଏଫ୍‍.ସି. କଲେଜ ଓ ଦୟାଲ ସିଂହ କଲେଜ, ଲାହୋର, ପି.ଏଚ୍‍.ଡି. ଦିଲ୍ଲୀ ବିଶ୍ୱବିଦ୍ୟାଳୟ ।

 

ବ୍ୟବସାୟ : ଅଧ୍ୟାପକ, ସମ୍ପ୍ରତି ପଞ୍ଜାବୀ ବିଶ୍ୱବିଦ୍ୟାଳୟ, ପାତିଆଲାରେ ପଞ୍ଜାବୀ ବିଭାଗର ଅଧ୍ୟକ୍ଷ ।

 

ପ୍ରକାଶିତ ରଚନା :

 

ନାଟକ : କମଳାକୁମାରୀ (1937), ରାଜା ପୋରସ (1939), ଦୂର ଦୂରାଡ଼େ ଶହିରୋଁ, ଖେଡ଼ଣ ଦେ ଦିନ ଚାର, ଅନଜୋଡ଼, ଦୋଷ, ପୁନ୍ନିୟା ଦା ଚନ୍ନ, ରତ୍ତା ସାଲୁ ଶୋଭା ଶକ୍ତି, କଞ୍ଚନ ମାଟି, ଇତିହାସ ଜବାବ ମଙ୍ଗଦା ହୈ, କଲ ଅଜ୍ଜ ଅତେ ଭଲକ ।

 

ଏକାଙ୍କିକା-ସଂଗ୍ରହ : ଜୀବନ ଲୀଳା (1940), ସପ୍ତଋଷି, ପଞ୍ଜ ଗୀଟଣ୍ଡା, ପଞ୍ଜ ପରଧାନ, ମୁଢ଼କେ ଦୀ ଖୁଶବୋ, ଚମକୌର ଦୀ ଗଢ଼ୀ ।

 

ହରଚରଣ ସିଂହ ବାସ୍ତବରେ ଈଶ୍ୱର ଚନ୍ଦର ନନ୍ଦାଙ୍କର ପଞ୍ଜାବୀ ନାଟକ ଓ ମଞ୍ଚ-ପରମ୍ପରାର ମୁଖ୍ୟ ଉତ୍ତରାଧିକାରୀ । ତାଙ୍କର ନାଟ୍ୟକୃତିମାନଙ୍କରେ ପ୍ରାରମ୍ଭିକ ପଞ୍ଜାବୀ ନାଟକର ସମାଜବାଦୀ ଓ ମାନବୋତ୍‍ଥାନଭରା ପ୍ରବୃତ୍ତିଦ୍ୱୟ ଉପସ୍ଥିତ ଅଛି । ସେ ଗତ କେତେ ବର୍ଷ ହେଲା ଐତିହାସିକ ବିଷୟ ପ୍ରତି ଆଗ୍ରହ ପ୍ରକାଶ କରିଛନ୍ତି । ସମାଜ-ସଂସ୍କାର ବା ବ୍ୟକ୍ତି କଲ୍ୟାଣ ସମ୍ୱନ୍ଧିତ ହରଚରଣ ସିଂହଙ୍କର ପ୍ରାରମ୍ଭିକ କୃତିମାନ ବହୁତ ସରଳ ଓ ସ୍ପଷ୍ଟ । ତାଙ୍କ ନାଟକରେ ଗ୍ରାମ୍ୟ ସଂସ୍କୃତି ପ୍ରତି ଗହନ ମୋହଭାବ ନିହିତ ଅଛି ଏବଂ ନାଗରିକ ଜୀବନ ପ୍ରତି ସନ୍ଦେହ ପ୍ରକାଶ ପାଇଛି ।

 

ପଞ୍ଜାବୀ ନାଟକରେ ହରରଚରଣ ସିଂହଙ୍କର ଭୂମିକା ସର୍ବାଧିକ ସ୍ମରଣୀୟ । ଟେକ୍‍ନିକ୍ ଦୃଷ୍ଟିରୁ ସେ ଗମ୍ଭୀର ଟ୍ରାଜେଡ଼ିମାନ ରଚନା କରିଛନ୍ତି । ମାତ୍ର ତାଙ୍କର ଦୃଷ୍ଟି ସାମାଜିକ ବାତାବରଣ ଓ ସମସ୍ୟା ପ୍ରତି ମଧ୍ୟ କେନ୍ଦ୍ରୀଭୂତ ହୋଇଛି; କେବଳ ଟ୍ରାଜେଡ଼ି ଚରିତ୍ରକୁ ସ୍ପଷ୍ଟ କରିବା ଦିଗରେ ନୁହେଁ । ବୋଧହୁଏ ଏହି ସରଳତା ଓ ସାମାଜିକ ପୃଷ୍ଟଭୂମି ହେତୁ ତାଙ୍କର ରଚନାମାନ ଅତ୍ୟଧିକ ଲୋକପ୍ରିୟ ।

 

ହରଚରଣ ସିଂହ ଏକ ସଫଳ ନାଟ୍ୟକାର ହେବା ସହିତ ଜଣେ ଉତ୍ସାହୀ ନିର୍ଦ୍ଦେଶକ ଓ ପ୍ରଭାବୋତ୍ପାଦକ ଅଭିନେତା ଅଟନ୍ତି । ତାଙ୍କର ପ୍ରତ୍ୟେକ ନାଟକକୁ ମଞ୍ଚରେ ସଫଳତାପୂର୍ବକ ଉପସ୍ଥାପନା କରାଯାଇପାରିଛି । ତା’ଛଡ଼ା ମଞ୍ଚଠାରୁ ପୃଥକ୍ ନାଟକର ଅସ୍ତିତ୍ୱକୁ ହରଚରଣ ସିଂହ ସ୍ୱୀକାର ମଧ୍ୟ କରନ୍ତି ନାହିଁ । ଏହାହିଁ ତାଙ୍କ ନାଟ୍ୟକଳାର ଶକ୍ତି ଏବଂ ଏହାହିଁ ତାଙ୍କର ଦୁର୍ବଳତା ।

 

5. ବଳବନ୍ତ ଗାର୍ଗୀ (1916–)

 

ଜନ୍ମ : 4 ଡିସେମ୍ବର, ଗାଁ–ସେହଣା, ଜିଲା–ଭଟିଣ୍ଡା

 

ଶିକ୍ଷା : ଏମ୍‍.ଏ. (ରାଜ-ନୀତିବିଜ୍ଞାନ ଏବଂ ଇଂରାଜୀ ସାହିତ୍ୟ), ଏଫ୍‍.ସି. କଲେଜ, ଲାହୋର ।

 

ବ୍ୟବସାୟ : ସ୍ୱତନ୍ତ୍ର ଲେଖନ । ନାଟ୍ୟକାର, ନାଟ୍ୟ-ନିର୍ଦ୍ଦେଶକ ତଥା ପତ୍ରକାର । 1964-66ରେ ୟୁନିଭରସିଟି ଅଫ୍ ଓ୍ୱାସିଙ୍ଗଟନ୍, ସିୟାଟନ୍ (ଆମେରିକା)ରେ ଭାରତୀୟ ନାଟକର ପ୍ରଧ୍ୟାପକ, 1968ରେ ପଞ୍ଜାବ ବିଶ୍ୱବିଦ୍ୟାଳୟରେ ଭାରତୀୟ ଥିଏଟର ବିଭାଗର ଅଧ୍ୟକ୍ଷ ।

 

ପ୍ରକାଶିତ କୃତି :

 

ନାଟକ : ଲୋହାକୁଟ୍ଟ (1944), ବିସବେଦାର, ଶୈଳ ପଥର (1952), ନବାଂମୂଢ, ଧୁଗ୍‍ଘୀ, କଣକ ଦୀ ବଲ୍ଲୀ (1954), ସୋହଣୀ ମହିବାଲ (1958),ଧୂଣୀ ଦୀ ଅଗ୍‍ଗ (1968), ଗଗନ ମେଁ ଥାଲ (1969) ।

 

ଏକାଙ୍କିକା–ସଂଗ୍ରହ : କୁଆଁରୀ ଟୀସୀ (1945), ଦୋ ପାସେ (1946), ପତନା ଦୀ ବେଡ଼ି, ଦସବନ୍ଧ, ଦୁବ୍‍ଧ ଦୀୟାଂ ଧାରାଂ ।

 

ଖଲୋଚନା ଗ୍ରନ୍ଥ : ରଙ୍ଗମଞ୍ଚ (1961); ଲୋକ-ନାଟକ (1966) ।

 

ବଳବନ୍ତ ଗାର୍ଗୀ ପଞ୍ଜାବୀର ସର୍ବାଧିକ ପ୍ରତିଷ୍ଠିତ ନାଟକକାର । ସେ କାହାଣୀ, ସାହିତ୍ୟିକ ରେଖାଚିତ୍ର, ପତ୍ରକାରିତା, ନାଟ୍ୟସମୀକ୍ଷା ତଥା ଐତିହାସିକ ଲେଖନ କ୍ଷେତ୍ରରେ ମଧ୍ୟ ପୂର୍ଣ୍ଣ ମାତ୍ରାରେ ସଫଳତା ପ୍ରାପ୍ତ କରିଛନ୍ତି । ମାତ୍ର ପଞ୍ଜାବୀ ସାହିତ୍ୟ-ଜଗତରେ ତାଙ୍କର ମୁଖ୍ୟ ଭୂମିକା ନାଟକକାର ହିସାବରେ ମାନିନିଆଯାଇଛି । ନିଃସନ୍ଦେହରେ ସେ ପଞ୍ଜାବୀରେ ନାଟ୍ୟ-ରଚନାକୁ ଏକ ସ୍ୱାବଲମ୍ବୀ କଳାବିଧି ରୂପେ ପ୍ରମାଣିତ କରିଛନ୍ତି ଏବଂ ଯଥେଷ୍ଟ ସୁଖ୍ୟାତି ମଧ୍ୟ ଲାଭକରିଛନ୍ତି । ମାତ୍ର ବିସଙ୍ଗତି ଏପରି ଘଟିଲା ଯେ ତାଙ୍କୁ ତାଙ୍କର ଆଲୋଚନା ଗ୍ରନ୍ଥ ‘ରଙ୍ଗମଞ୍ଚ’ ପାଇଁ ସାହିତ୍ୟ ଏକାଡେମୀ ପୁରଷ୍କାର ମିଳିଲା–କୌଣସି ନାଟକପାଇଁ ନୁହେଁ ।

 

ବଳବନ୍ତ ଗାର୍ଗୀ ଏପରି ଜଣେ ନାଟକକାର, ଯିଏ ନାଟ୍ୟ-ରଚନାରେ ଶିଳ୍ପକଳା ପ୍ରତି ଜୋର୍‍ ଦେଇଛନ୍ତି । ଜଣେ ଜାଗରୂକ କଳାକାର ରୂପେ ସେ ନାଟକୀୟ ଗଠନର ସଂଘର୍ଷକୁ ଅଗ୍ରାଧିକାର ଦେଇଛନ୍ତି । ମାନବୀୟ ସ୍ଥିତିକୁ ଜାଗ୍ରତ କରିବାପାଇଁ ବଳବନ୍ତ ଗାର୍ଗୀ ଏହି ସଂଘର୍ଷର ମାଧ୍ୟମକୁ ପ୍ରୟୋଗ କରନ୍ତି । ତଦ୍ଦ୍ୱାରା ସେ ମାନବୀୟ ବ୍ୟକ୍ତିତ୍ୱକୁ ବିଭିନ୍ନ ସ୍ତରରୁ ଦେଖାଇଛନ୍ତି ଏବଂ ମାନବ ମନର ସନ୍ଦେହ ଦୂର କରିବାକୁ ପ୍ରୟାସ କରିପାରିଛନ୍ତି । ମାନବ ଓ ସମାଜର ସଂଘର୍ଷକୁ ସେ ନିଜ ବିଷୟ କରିଛନ୍ତି–ଏପରିକି ପିଢ଼ିର ସଂଘର୍ଷକୁ ମଧ୍ୟ । ମାତ୍ର ଏମିତି ଗୋଟାଏ ବିଷୟ ଅଛି, ଯାହା ସର୍ବଦା ରଙ୍ଗ ବଦଳାଇ ତାଙ୍କ ନାଟ୍ୟକଳାର କେନ୍ଦ୍ର ହୋଇ ରହିଛି । ତାହା ହେଉଛି ନର-ନାରୀଙ୍କର ପରସ୍ପର ପ୍ରତି ଆକର୍ଷଣ ଏବଂ ସଂଘର୍ଷ । ଏହି ଅନନ୍ତ ରହସ୍ୟମୟ ସମ୍ବନ୍ଧକୁ ବଳବନ୍ତ ଗାର୍ଗୀ ମୁଖ୍ୟ ରୂପରେ ଟ୍ରାଜେଡ଼ି ଦୃଷ୍ଟିରେ ଦେଖିଛନ୍ତି ଏବଂ ପ୍ରସ୍ତୁତ କରିଛନ୍ତି । ଏହାଛଡ଼ା ବଳବନ୍ତ ଗାର୍ଗୀ ବସ୍ତୁବାଦୀ ଶୈଳୀରେ ମଧ୍ୟ ନାଟକ ଲେଖିଛନ୍ତି । ରଙ୍ଗମଞ୍ଚରେ ବି ତାହା ଉପସ୍ଥାପିତ ହୋଇଛି-। କିନ୍ତୁ ତାଙ୍କ ନାଟ୍ୟକଳାର ବିକାଶରେ ଏଭଳି ରଚନାମାନଙ୍କର ମହତ୍ତ୍ୱ ଅଧିକ ନୁହେଁ ।

 

ବଳବନ୍ତ ଗାର୍ଗୀଙ୍କ ନାଟ୍ୟକଳାର ସର୍ବାଧିକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ହେଲା ନାଟକୀୟ ସଂଳାପ-। ସଂଳାପ ଦ୍ୱାରା ସେ ଏକ ନାଟକୀୟ ଚରିତ୍ରକୁ ଗୋଟିକରୁ ଅନ୍ୟଟିକୁ ଭିନ୍ନ ବ୍ୟକ୍ତିତ୍ୱ ପ୍ରଦାନ କରିବାରେ ସିଦ୍ଧହସ୍ତ । ସଂଳାପର ଭାଷାରେ ସେ ପ୍ରତୀକାତ୍ମକ ଶୈଳୀକୁ ବଡ଼ ଚମତ୍କାର ପ୍ରଣାଳୀରେ ପ୍ରୟୋଗ କରିଛନ୍ତି । ଫଳସ୍ୱରୂପ ସାଧାରଣ କଥାବାର୍ତ୍ତା ମଧ୍ୟ ସାରଗର୍ଭିତ ହୋଇଯାଏ-। ନିଜ ପ୍ରାରମ୍ଭିକ ରଚନାମାନଙ୍କରେ ଗାର୍ଗୀଙ୍କ ନାଟକର ଲକ୍ଷ୍ୟ ରୋମାଣ୍ଟିକ ଥିଲା-। ସେଥିରେ ଟ୍ରାଜେଡ଼ିର ଗୁଣ ମଧ୍ୟ ସ୍ପଷ୍ଟ ଥିଲା । ନିଜର ନୂତନ ରଚନାରେ ବି ସେ ଟ୍ରଜେଡ଼ି ଭାବକୁ ଅଦ୍ଭୁତ ଓ ଗମ୍ଭୀର ଦୃଷ୍ଟି କୋଣରୁ ଉପସ୍ଥାପନ କରିବାର ସଫଳତା ପ୍ରାପ୍ତ ହୋଇଛନ୍ତି ।

 

6. କର୍ତ୍ତାର ସିଂହ ଦୁଗ୍‍ଗଲ (1917–)

 

ଜନ୍ମ : 1 ମାର୍ଚ୍ଚ 1917, ଗାଁ–ଧ୍ୟାଲ, ଜିଲା–ରାଓଲପିଣ୍ଡି ।

 

ଶିକ୍ଷା : ଏମ୍.ଏ. (ଇଂରେଜୀ ସାହିତ୍ୟ) ଏଫ୍.ସି. କଲେଜ, ଲେହୋର ।

 

ବ୍ୟବସାୟ : 1940 ରୁ 1966 ପର୍ଯ୍ୟନ୍ତ ଅଲ୍‍ ଇଣ୍ଡିଆ ରେଡ଼ିଓର ନିର୍ଦ୍ଦେଶନା ବିଭାଗରେ, 1966ରୁ ନ୍ୟାସନାଲ ବୁକ୍‍ଟ୍ରଷ୍ଟ ଅଫ୍ ଇଣ୍ଡିଆ, ନୂଆଦିଲ୍ଲୀରେ ସଚିବ ଏବଂ 1971ରେ ନିର୍ଦ୍ଦେଶକ ।

 

ପ୍ରକାଶିତ ରଚନା :

 

ନାଟକ : ପୁରାନିୟାଂ ବୋତଲାଂ, ମିଟି ପାଣୀ, କୋହକନ ।

 

ଏକାଙ୍କିକା-ସଂଗ୍ରହ : ଇକ ସିଫର ସିଫର (1941), ତିନ୍ନ ନାଟକ (1951), ସତ ନାଟକ । ଶ୍ରେଷ୍ଠ ପଞ୍ଜାବୀ ଲେଖକମାନଙ୍କ ମଧ୍ୟରେ କର୍ତ୍ତାର ସିଂହ ଦୁଗ୍‍ଗଲ ଅନ୍ୟତମ । ସେ କେବଳ ପଞ୍ଜାବୀ ଭାଷାକୁ ପଶ୍ଚିମୀ ସାହିତ୍ୟର ପ୍ରତିମାନଙ୍କ ସହିତ ପରିଚିତ କରାଇନାହାନ୍ତି, ବରଂ ପଶ୍ଚାତ୍ୟ ସାହିତ୍ୟର ଶିଳ୍ପବିଧିକୁ ପଞ୍ଜାବୀ ସାହିତ୍ୟର ପ୍ରବୃତ୍ତିର ଅନୁକୂଳ କରି ଏମିତି ଢାଳିଦେଇଛନ୍ତି ଯେ ପଞ୍ଜାବୀ ସାହିତ୍ୟ-ପରମ୍ପରାର ତାହା ସ୍ୱାଭାବିକ ଅଙ୍ଗ ହୋଇଯାଇଛି । ଆଧୁନିକ ପଞ୍ଜାବୀ କାହାଣୀର ଜନ୍ମ ହିଁ କର୍ତ୍ତାର ସିଂହ ଦୁଗ୍‍ଗଲଙ୍କ ସୃଷ୍ଟି ସାମ୍ରାଜ୍ୟରେ ହୋଇଛି ।

 

ପଞ୍ଜାବୀ ଉପନ୍ୟାସକୁ ନାନକ ସିଂହଙ୍କ ‘ରସିକ କିନ୍ତୁ ସଂସ୍କାରବାଦୀ କଥା ପ୍ରଣାଳୀ’ରୁ ଅଲଗା କରି ମାନବୀୟ ଚରିତ୍ରର ପରିଚିତ ମାଧ୍ୟମ କରିବାରେ ଦୁଗ୍‍ଗଲଙ୍କ ଭୂମିକା ଉଲ୍ଲେଖନୀୟ । ତାଙ୍କ ଉପନ୍ୟାସ ‘ହାଲ ମୁରୀଦାଂ ଦାଂରେ’ ନିଜର କଳାତ୍ମକତା, ବିସ୍ତୃତ କଥାବସ୍ତୁ ଓ ଶୈଳୀ ବିବିଧତା ବ୍ୟତୀତ ଏକ ବିଶେଷ ରୋଚକ କୃତି ସିଦ୍ଧ ହୋଇଛି । ଏହି କୃତି ଦ୍ୱାରା ପଞ୍ଜାବୀ ଉପନ୍ୟାସ କଳା ଉଚ୍ଚତମ ଶିଖରକୁ ସ୍ପର୍ଶ କରିଛି ଏବଂ ଏହାକୁ ଏକ ଅମର କୃତି ରୂପେ ପ୍ରମାଣିତ କରିଛି । ଦୁଗ୍‍ଗଲଙ୍କୁ ତାଙ୍କର କଥା ସଂଗ୍ରହ ‘ଇକ ଛିଟ ଚାନଣା ଦୋ’ ପାଇଁ ସାହିତ୍ୟ-ଏକାଡେମୀ ପୁରଷ୍କାର ମିଳିଛି ।

 

ନାଟକ କ୍ଷେତ୍ରରେ କର୍ତ୍ତାର ସିଂହ ଦୁଗ୍‍ଗଲଙ୍କର ବିଶେଷତ୍ୱ ରେଡ଼ିଓ ରୂପକରୁ ଜଣାପଡ଼େ-। ସଂଳାପକୁ ସୁସଂଗଠିତ, ଭାବପୂର୍ଣ୍ଣ ଓ ଚିନ୍ତାତ୍ମକ କରି ରଙ୍ଗମଞ୍ଚର ଅଭାବକୁ ସେ ନିଜ ନାଟକରେ ପୂର୍ଣ୍ଣ କରିଛନ୍ତି ଏବଂ ଏଭଳି ସେଗୁଡ଼ିକୁ ଚାକ୍ଷୁଷ ଗୁଣରେ ଅଳଂକୃତ କରିବାରେ ଦୁଗ୍‍ଗଲ ଅଦ୍ୱିତୀୟ-। ନିଜର ରୂପାତ୍ମକ ଅଭିବ୍ୟକ୍ତି ହେତୁ ଦୁଗ୍‍ଗଲ ନିଜ ସହଜ ଅଭିବ୍ୟକ୍ତି ଓ ସୂକ୍ଷ୍ମ ଦୃଷ୍ଟି କାରଣରୁ ଯଥାର୍ଥରେ ବିଚ୍ଛିନ୍ନ ଚରିତ୍ରମାନଙ୍କୁ ଆନ୍ତରିକ ସଂଳାପ ମାଧ୍ୟମରେ ଜାଗ୍ରତ କରିଛନ୍ତି । ସେ ନିଜେ କହନ୍ତି–ତାଙ୍କର ପାତ୍ରମାନେ କେବଳମାତ୍ର ଆତ୍ମଚିନ୍ତନ ଦ୍ୱାରା ଗ୍ରସିତ ହୋଇ ଆମ ସାମ୍ନାକୁ ଆସନ୍ତି ନାହିଁ; ବରଂ ବିଭିନ୍ନ ସ୍ତରରେ ପୃଥକ୍-ପୃଥକ୍ ମୁଦ୍ରା ଦ୍ୱାରା ନିଜ ଅନୁଭୂତିକୁ ପ୍ରଖର ଓ ପାରଦଶୀ କରିଛନ୍ତି ।

 

7. ଅମରୀକ୍ ସିଂହ (1920–)

 

ଜନ୍ମ : 20 ସେପ୍ଟେମ୍ବର, 1920 । ଏବଟାବାଦ (ଉତ୍ତର–ପଶ୍ଚିମ ସୀମାନ୍ତ ଅଞ୍ଚଳ), ପାକିସ୍ତାନ ।

 

ଶିକ୍ଷା : ପି.ଏଚ୍‍.ଡି. (ଇଂରାଜୀ ସାହିତ୍ୟ), ଲଣ୍ଡନ ବିଶ୍ୱବିଦ୍ୟାଳୟ, ଏମ୍.ଏ. (ଇରାଜୀ ସାହିତ୍ୟ), ଗଭର୍ଣ୍ଣମେଣ୍ଟ କଲେଜ, ଲାହୋର ।

 

ବ୍ୟବସାୟ : 1963 ପର୍ଯ୍ୟନ୍ତ ଅମୃତସର, ସିମଲା ଏବଂ ଦିଲ୍ଲୀର କଲେଜରେ ଅଧାପକ, 1963-65ରେ ଇଂରାଜୀ ସାହିତ୍ୟ ବିଭାଗ, ପଞ୍ଜାବୀ ବିଶ୍ୱବିଦ୍ୟାଳୟ, ପାତିଆଲାରେ ପ୍ରଫେସର ଓ ବିଭାଗାଧ୍ୟକ୍ଷ, 1965ରେ ଇଣ୍ଟର ୟୁନିଭରସିଟି ବୋର୍ଡ଼ ଅଫ୍ ଇଣ୍ଡିଆ, ନୂଆ ଦିଲ୍ଲୀରେ ସଚିବ ।

 

ରଚନାବଳୀ :

 

ନାଟକ : ପରଚ୍ଛାବିୟାଂ ଦୀ ପକଡ଼, ଚାହାଂ ଦେ ନଖେଡ଼ ତେ, କମ୍ମ କୀ ଧଡ଼ମ୍ମ ।

 

ଏକାଙ୍କିକା-ସଂଗ୍ରହ : ଜୀବନ ଝଲକାଂ, ଆସାଂ ଦେ ଅମ୍ବାର ।

 

ଅନୁବାଦ : ନାଗିୟାଂ ଦୀ ସରାଂ (ଲେଡି ଗ୍ରେଗରୀ ରଚିତ ଓ୍ୱାର୍କ ହାଉସ୍ ବାର୍ଡ଼), ପ୍ରେତ (ଇବ୍‍ସନ୍‍ଙ୍କ ରଚିତ ଘୋଷ୍ଟ) ।

 

ଅମରୀକ୍ ସିଂହ ଷଷ୍ଠ ଦଶକର ଆରମ୍ଭ ବର୍ଷମାନଙ୍କରେ ନିଜର ସିମଲା ପ୍ରବାସ ଯୋଗୁଁ ନାଟକୀୟ ସରଗରମରେ ବହୁ ନିବିଡ଼ ଭାବରେ ଭାଗ ନେଲେ । ଲିଟ୍‍ଲି ଥିଏଟର ଗ୍ରୁପ୍ ଏବଂ ଏକ ସ୍ଥାନୀୟ କଲେଜର ଡ୍ରାମାଟିକ ସୋସାଇଟି ଦ୍ୱାରା ସେ ପାଶ୍ଚାତ୍ୟର ପ୍ରସିଦ୍ଧ ଏକାଙ୍କିକାଗୁଡ଼ିକୁ ପଞ୍ଜାବୀରେ ରୂପାନ୍ତରିତ କରି ରଙ୍ଗମଞ୍ଚରେ ଉପସ୍ଥାପିତ କଲେ । ସେଗୁଡ଼ିକର ସଫଳତା ତାଙ୍କୁ ନାଟକ ଲେଖିବାକୁ ପ୍ରେରଣା ଦେଲା । ପିଲାଦିନରୁ ତାଙ୍କର ନାଟକ ପ୍ରତି ଆଗ୍ରହ ଥିଲା । ଉଚ୍ଚତର ଶିକ୍ଷା ହିଁ ତାଙ୍କର ଏହି ରୁଚିକୁ ତୀବ୍ରତର କଲା ।

 

ଅମରୀକ ସିଂହ ନିଜ ରଚନାମାନଙ୍କରେ ବିଶିଷ୍ଟ ନାଟକୀୟ ସ୍ଥିତିମାନଙ୍କୁ ସାମିଲ କରନ୍ତି ନାହିଁ । ସେ ସାଧାରଣ ମଣିଷର ଦୈନିକ ଜୀବନର ରଙ୍ଗହୀନ ଓ ଘଟଣାବିହୀନ ଘଟଣାମାନଙ୍କୁଏବଂ ପ୍ରସଙ୍ଗମାନଙ୍କୁ ଉପସ୍ଥାପିତ କରି ମାନବୀୟ ଅର୍ଥର ସନ୍ଧାନ ନିଅନ୍ତି । ତୀବ୍ର ସଂଘର୍ଷ, ଶାଣିତ ଶବ୍ଦ ଓ ବଳିଷ୍ଠ ସଂଳାପ ତାଙ୍କ ନାଟକରେ ଦେଖିବାକୁ ମିଳେନାହିଁ । ପରସ୍ପର ସମ୍ବନ୍ଧହୀନ, ସରଳ ଓ ଫିକା ଘଟଣାମାନଙ୍କୁ ସେ ସର୍ବଦା ନିୟୋଜିତ କରି ଚାଲନ୍ତି ଏବଂ ଶେଷରେ ଆକସ୍ମିକ ବିସ୍ଫୋଟ ଘଟେ, ଯାହା ଏକ ଅପରୂପ ଅବସ୍ଥା ଧାରଣ କରି କାଳ ଓ ସାର୍ଥକତାର ଦିଗନ୍ତ ଉଦ୍‍ଘାଟନ କରେ ।

 

8. ଗରଚରଣ ସିଂହ ଜସୂଜା (1925–)

 

ଜନ୍ମ : 1 ମେ 1925, ଅମୃତସର ।

 

ଶିକ୍ଷା : ଏମ୍.ଏ., ଖାଲସା କଲେଜ, ଅମୃତସର ।

 

କାର୍ଯ୍ୟ : ନିଜର ବ୍ୟବସାୟ ।

 

ରଚନାବଳୀ :

 

ନାଟକ : ମକଡ଼ୀ ଦା ଜାଲ, କନ୍ଧା ଦେ ରେତ ଦୀୟାଂ, ଅନ୍ଧକାର, ଚଢ଼ିୟା ସୋଧଣ ଧରତୁ ଲୋକାଈ ।

 

ଏକାଙ୍କିକା-ସଂଗ୍ରହ : ଗୌମୁଖୀ ଶେରମୁଖୀ, ଚାର ଦିବାରୀ, ପଚ୍ଛତାବା ।

 

ଗୀତି ନାଟ୍ୟ : କିସମାଦ ନାଦ ।

 

ଗୁରଚରଣ ସିଂହ ଜସୂଜା ପଞ୍ଜାବୀ ନାଟକକୁ ନଗରର ମଧ୍ୟପର୍ଗୀୟ ଚରିତ୍ରମାନଙ୍କ ଆର୍ଥିକ ସଂକଟ, ମାନସିକ କୁଣ୍ଠା ତଥା ଭାବୁକ ସଂକୀର୍ଣ୍ଣତା ସହ ପରିଚିତ କରାଇଛନ୍ତି । ଏହା ବ୍ୟତୀତ ସେ ସଂସ୍କାରବାଦୀ ବା କ୍ରାନ୍ତିକାରୀ କୁହାଯାଇ ନ ପାରନ୍ତି । ତାଙ୍କ ନାଟକର ପାତ୍ର ଜଣେ ଅନ୍ୟଠାରୁ ପୃଥକ୍ ବ୍ୟକ୍ତିତ୍ୱ ଗ୍ରହଣ କରି ନ ଥାନ୍ତି; ବରଂ ଜଣେ ଅନ୍ୟଜଣକର ବିସ୍ତାର ବା ପୂରକ ହୋଇ ରୂପାୟିତ ହୋଇଥାଆନ୍ତି । ଏହାର କାରଣ ହେଉଛି ମଧ୍ୟବର୍ଗୀୟ ଚରିତ୍ରର ଏକରୂପତା ।

 

ଜସୂଜାଙ୍କ ନାଟ୍ୟଶୈଳୀ ବ୍ୟଙ୍ଗପୂର୍ଣ୍ଣ ଅଟେ । କମେଡ଼ି ଓ ଟ୍ରାଜେଡ଼ି ତାଙ୍କ କଳା-ଶୈଳୀର ଅଙ୍ଗ ନୁହେଁ ।

 

9. କପୂର ସିଂହ ଘୁମଣ (1927–)

 

ଜନ୍ମ : 2 ଫେବୃୟାରୀ, 1927 । ଗାଁ–ଦଲଚିକେ, ଜିଲା–ସିଆଲକୋଟ୍ । (ପଶ୍ଚିମ ପଞ୍ଜାବ, ପାକିସ୍ତାନ) ।

 

ଶିକ୍ଷା : ଏମ୍.ଏ. (ପଞ୍ଜାବୀ)

 

କାର୍ଯ୍ୟ : ସହାୟକ ନିର୍ଦ୍ଦେଶକ, ଭାଷା ବିଭାଗ ପଞ୍ଜାବ, ପାତିଆଲା ।

 

ରଚନାବଳୀ :

 

ନାଟକ : ପୁତଲୀ ଘର, ଜୀଉଁ ଦୀ ଲାଶ, ଜିଂଦଗୀ ତୋଂ ଦୂର, ବୁଝାରତ୍, ଅତୀତ ଦେ ପରଚ୍ଛାଂବେଁ ।

 

ଏକାଙ୍କିକା-ସଂଗ୍ରହ : ଜୈଲଦାର, ରବ୍ବ ଦେ ରଙ୍ଗ, କବି ତେ କବିତା, ଦୋ ଜୋତାଂ ଦୋ ମୂରତାଂ, ଝୁଙ୍ଗଲ ମାୟ, କଚ୍ଚ ଦେ ଗଜରେ ।

 

ମୁଖରିତ ଆଦର୍ଶବାଦ, ଲୋକପ୍ରିୟ ବିଷୟବସ୍ତୁ ଓ ସରଳ ସ୍ପଷ୍ଟ ନାଟ୍ୟଶୈଳୀ କପୂର ସିଂହ ଘୁମ୍ମଣଙ୍କ ରଚନାର ଅଙ୍ଗ, ଯାହାକୁ ସେ ଈଶ୍ୱର ଚନ୍ଦର ନନ୍ଦା ତଥା ହରଚରଣ ସିଂହଙ୍କ ଲୋକପ୍ରିୟ ମଞ୍ଚ-ନାଟକର ପରମ୍ପରାରୁ ଗ୍ରହଣ କରି ନେଇ ଉପସ୍ଥାପନ କରିଛନ୍ତି । ସେଇଥିପାଇଁ ଆଜି ଘୁମ୍ମଣଙ୍କ ନାଟକର ସବୁସ୍ଥାନରେ, ବିଶେଷ କରି ସ୍କୁଲ-କଲେଜମାନଙ୍କରେ ସହର୍ଷ ଅଭିନୀତ ହେଉଛି । ଗତ ପନ୍ଦର ବର୍ଷରୁ ସେ ପାତିଆଲାରେ ସଫଳତା ସହ ନାଟକ ମଞ୍ଚସ୍ଥ କରି ଏକ ପରମ୍ପରା ବଞ୍ଚାଇ ରଖିଛନ୍ତି । ଏହି ପରମ୍ପରା ପଞ୍ଜାବୀ ପରମ୍ପରାର ଅନୁକୂଳ । ଭାରତ ଓ ପାଶ୍ଚାତ୍ୟ ଦେଶର କ୍ଲାସିକାଲ ନାଟ୍ୟକାର ତଥା ପଞ୍ଜାବୀ ନାଟ୍ୟକାରଙ୍କ କୃତିମାନଙ୍କର ମଞ୍ଚ ଉପସ୍ଥାପନାଗତ ପ୍ରାପ୍ତ ଅନୁଭୂତିରୁ ଯେଉଁ ବ୍ୟାପକ, ସାର୍ଥକ ନାଟ୍ୟଶୈଳୀର ପୃଷ୍ଟତା ଆଗକୁ ଆସେ, ତାହାକୁ ପଞ୍ଜାବୀ ନାଟକ ଓ ରଙ୍ଗମଞ୍ଚ କପୂର ସିଂହ ଘୁମ୍ମଣଙ୍କ ବ୍ୟତୀତ ଅନ୍ୟ କାହାଠାରୁ ପାଇପାରିନଥାନ୍ତା-

 

ଯଦିଓ କପୂର ସିଂହ ଘୁମ୍ମଣ ଅନେକ ସାମାଜିକ ବିଷୟକୁ ନିଜ ନାଟକରେ ଲିପିବଦ୍ଧ କରିଛନ୍ତି, ତଥାପି ବ୍ୟକ୍ତିଗତ ଚେତନାହିଁ ସେଥିରୁ ମୁଖ୍ୟ ହୋଇ ଆଗକୁ ଆସିଛି । କପୂର ସିଂହ ଘୁମ୍ମଣ ମୂଳତଃ ଆଦର୍ଶବାଦୀ ଦୃଷ୍ଟିକୁ ଅଗ୍ରାଧିକାର ଦେଇଛନ୍ତି । କଳାକାରକୁ ବିଶିଷ୍ଟ ବ୍ୟକ୍ତି ରୂପରେ ଉପସ୍ଥାପିତ କରି ତାହାର ଆାକାଂକ୍ଷାମାନଙ୍କୁ ଓ ମାନସିକ ତଥା ଭାବନାତ୍ମକ ଆବଶ୍ୟକତାମାନଙ୍କୁ ସାଧାରଣ ଲୋକର ଆକାଂକ୍ଷା ଓ ଇଛା ତୁଳନାରେ ଅଧିକ ମହତ୍ତ୍ୱ ଦେଇଛନ୍ତି ।

 

କପୂର ସିଂହ ଘୁମ୍ମଣଙ୍କର ବିଶେଷତ୍ୱ ତୀକ୍ଷ୍ଣ ତୀବ୍ର ସଂଳାପ ଓ ଘଟଣାର ସୁତ୍ରୀବ କ୍ରମିକ ବିକାଶରେ ନିହିତ ।

 

10. ହରଶରନ ସିଂହ (1929–)

 

ଜନ୍ମ : 10 ଫେବୃୟାରୀ, 1929 । ଗୁଜ୍ଜରଖାନ, ଜିଲ୍ଲା–ରାଓଲପିଣ୍ଡି (ପଶ୍ଚିମ ପଞ୍ଜାବ, ପାକିସ୍ତାନ ।)

 

ଶିକ୍ଷା : ଏମ୍.ଏ (ପଞ୍ଜାବୀ) ।

 

କାର୍ଯ୍ୟ : ସମ୍ପାଦକ, (ପଞ୍ଜାବୀ), ଶିକ୍ଷା ବିଭାଗ, ପଞ୍ଜାବ, ଚଣ୍ଡୀଗଡ଼ ।

 

ରଚନାବଳୀ :

 

ନାଟକ : ଜିଗରା, ଉଦାସ ଲୋକ, ଫୁଲ କୁମଲା ଗୟା, ଅପରାଧୀ ।

 

ଏକାଙ୍କିକା-ସଂଗ୍ରହ : ଜୋତ ତୋଁ ଜୋତ ଜଗେ, ତରେଡ଼, ମେରେ ଆଠ ଏକାଙ୍କିକା ।

 

ଗୁରଚରଣ ସିଂହ ଜସୂଜାଙ୍କ ଭଳି ହରଶରନ ସିଂହ ମଧ୍ୟ ମଧ୍ୟବର୍ଗୀୟ ପରିବାରର ନାଟ୍ୟକାର ଅଟନ୍ତି । ସହରୀ ମଧ୍ୟବର୍ଗର ଆର୍ଥିକ ଅଭାବ ଓ ତହିଁରୁ ଉତ୍ପନ୍ନ ହେଉଥିବା ମାନସିକ ଓ ଭାବାତ୍ମକ ଦ୍ୱନ୍ଦ୍ୱକୁ ସେ ମଧ୍ୟ ଗୁରଚରଣ ସିଂହ ଜସୂଜାଙ୍କ ଭଳି ଚମତ୍କାର ରୂପେ ଉପସ୍ଥାପିତ କରିଛନ୍ତି-। ମାତ୍ର ଲଘୁ ମାନବର ନିରସ ଓ ଜଟିଳ ପରିସ୍ଥିତିକୁ ଅତିକ୍ରମ କରି କୌଣସି ଅର୍ଥ ସନ୍ଧାନ କରିବା ହେଉଛି ତାଙ୍କର ବିଶେଷତ୍ୱ । ଏହି ଅର୍ଥର ସନ୍ଧାନ ଓ ଟ୍ରାଜେଡ଼ି ଚେତନା ମୂଳରେ ଆର୍ଥିକ ଅଭାବ ଲୁଚିରହିଛି । ହରଶରନ ସିଂହଙ୍କର ପାତ୍ର ନିଜ ପରମ୍ପରାଗତ ନିଷ୍ଠାରୁ ଦୂର ଜୀବନସାଗରରେ ନିରୁଦ୍ଦିଷ୍ଟ, ଲହରୀ ମଥାନର ଫେନରାଣି ଭଳି ଦୃଷ୍ଟି-ପଥାରୂଢ଼ ହୁଅନ୍ତି । ମାନବୀୟ ସମ୍ବେଦନା, ପୀଡ଼ା ଓ ସହନଶୀଳତା ହିଁ ତାଙ୍କ ପାତ୍ରଙ୍କୁ ଜୀବନ୍ତ କରିଛନ୍ତି ।

Image